ସେହି ଦୃଷ୍ଟିରୁ ଭାରତକୁ ଏକ ‘ଓ.ଡି.ଏଫ.’ ରାଷ୍ଟ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ବିଧିବଦ୍ଧ ଉଦ୍ୟମ ଏବଂ ଆଗ୍ରହ ଧନ୍ୟବାଦର ପାତ୍ର, ଯିଏ ଭାରତୀୟମାନଙ୍କ ମଳ ନିଷ୍କାସନ ଅଭ୍ୟାସକୁ ଏକ ଅପାଂକ୍ତେୟ ସଂଦର୍ଭରୁ ଉଠାଇ ଆଣି ଚର୍ଚ୍ଚାର କେନ୍ଦ୍ରରେ ରଖିଥିଲେ। ବିଭିନ୍ନ କାରଣରୁ ଲକ୍ଷ୍ୟ ହାସଲ ହେବାରେ ବିଳମ୍ବ ଘଟୁଥିବା ସତ୍ତ୍ବେ ଏହି ଅଭିଯାନ ଯେ ଅବସନ୍ନ ହୋଇନାହିଁ, ତାହା ସତ! ଏହା ଯେ ଏକ ସାମାନ୍ୟ ସମସ୍ୟା ନୁହେଁ, ବରଂ ଏକ ରାଷ୍ଟ୍ରୀୟ ସମସ୍ୟା ତାହା ଜନଚେତନାରେ କ୍ରମେ ଉତ୍କୀର୍ଣ୍ଣ ହେବାରେ ଲାଗିଛି।
ବିଶିଷ୍ଟ ଇଂରେଜୀ ଲେଖକ ତ୍ରିନିଦାଦ ନିବାସୀ ବିଦିଆଧର ସୂରଜପ୍ରସାଦ ନାଇପଲ (ସାହିତ୍ୟରେ ନୋବେଲ ବିଜେତା) ତାଙ୍କ ଆଦ୍ୟ ଲେଖକୀୟ ଜୀବନରେ ନିଜ ପୂର୍ବଜମାନଙ୍କ ଦେଶ ଭାରତକୁ ପ୍ରଥମ ଥର ଲାଗି ଆସି ଘୋର ବ୍ୟଥିତ ଏବଂ ବିତୃଷ୍ଣ ହୋଇ ପଡ଼ିଥିଲେ। ତାହାର ଏକ ପ୍ରମୁଖ କାରଣ ଥିଲା ଭାରତୀୟମାନଙ୍କ ଠାରେ ପରିମଳ ସଚେତନତାରେ ଏକାନ୍ତ ଅଭାବ। ତାହା ଥିଲା ଷଷ୍ଠ ଦଶକର ଭାରତ। ଏକ ପ୍ରାଚୀନତମ ସଭ୍ୟତାର ଦାୟାଦ ଭାରତୀୟମାନେ ପ୍ରକୃତି ସହିତ ସେମାନଙ୍କ ଦୃଢ଼ ସଂପର୍କକୁ ଛିନ୍ନ ହେବାକୁ ନ ଦେଇ ଅଭ୍ୟାସଗତ ଭାବେ ବିଲବାଡ଼ି, ବନ୍ଧ ହୁଡ଼ା ଏବଂ ନଦୀ ପଠା ଆଦିରେ ସେମାନଙ୍କ ଦ୍ବାରା ନିଷ୍କାସିତ କଳୁଷର କୁଦମାନ ସୃଷ୍ଟି କରି ଚାଲିଥିଲେ ଏବଂ ପବିତ୍ର ନଦୀଗୁଡ଼ିକ ଏହି କାରଣରୁ ନର୍ଦ୍ଦମାରେ ପରିଣତ ହେବାର ଉପକ୍ରମ କରୁଥିଲେ। କିନ୍ତୁ ଏହା ସତ ଯେ ଆଜି ଯଦି ନାଇପଲ ମହାଶୟ ଜୀବିତ (୨୦୧୮ ମସିହାରେ ତାଙ୍କ ପରଲୋକ ହୋଇଯାଇଛି) ଥାଆନ୍ତେ, ତେବେ ହୁଏ’ତ ଏହା ଦେଖି ଆଶ୍ବସ୍ତ ହୁଅନ୍ତେ ଯେ ତାଙ୍କ ପୂର୍ବଜମାନଙ୍କ ଦେଶଟି ଖେଲାରେ ମଳ ନିଷ୍କାସନ କରିବାର ଓ ଶୌଚ ହେବାର ପ୍ରବୃତ୍ତି ଓ ଅଭ୍ୟାସ ପରିହାର କରିବା ଦିଗରେ ମନ୍ଥର ଅଗ୍ରଗତି କରିବା ଆରମ୍ଭ କରିଛି। ଏହି ସଂଦର୍ଭରେ ଗତ କାଲି ଅର୍ଥାତ୍ ନଭେମ୍ବର ୧୯ ଦିନ ପ୍ରତି ବର୍ଷ ଭଳି ଜାତିସଂଘ ପକ୍ଷରୁ ପାଳିତ ହୋଇଥିବା ‘ୱର୍ଲଡ ଟଏଲେଟ୍ ଡେ’ ବା ‘ବିଶ୍ବ ପାଇଖାନା ଦିବସ’ ଭାରତ ସକାଶେ ବିଶେଷ ଅର୍ଥପୂର୍ଣ୍ଣ ହୋଇଥାଏ; କାରଣ ଖୋଲାରେ ମଳ ତ୍ୟାଗ କରୁଥିବା ସର୍ବାଧିକ ମନୁଷ୍ୟଙ୍କ ବାସସ୍ଥାନ ଭାବେ ଭାରତ ଏ ପର୍ଯ୍ୟନ୍ତ ଅପଖ୍ୟାତ ହୋଇ ରହିଛି। ପ୍ରକାଶ ଥାଉ କି ‘ବିଶ୍ବ ପାଇଖାନା ଦିବସ-୨୦୨୩’ର ଲକ୍ଷ୍ୟ ହେଲା ଜାତିସଂଘ ଦ୍ବାରା ସ୍ଥିରୀକୃତ ‘ଧାରଣକ୍ଷମ ବିକାଶ ଲକ୍ଷ୍ୟ-୬’ (‘ଏସ୍.ଡି.ଜି.’)କୁ ଚରିତାର୍ଥ କରି ପୃଥିବୀକୁ କ୍ରମେ ଏକ ‘ଖୋଲାରେ ମଳ ତ୍ୟାଗ ମୁକ୍ତ’ (ଓପନ ଡେଫିକେସନ ଫ୍ରି) ବା ‘ଓ.ଡି.ଏଫ୍.’ ଗ୍ରହରେ ପରିଣତ କରିବା ଏବଂ ଏହାର ବାସିନ୍ଦାମାନଙ୍କ ସକାଶେ ସୁରକ୍ଷିତ ପରିମଳ ବ୍ୟବସ୍ଥା ନିଶ୍ଚିତ କରିବା। ଏଭଳି ସ୍ଥିତିରେ ଭାରତର ପ୍ରଦର୍ଶନ ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ହୃଦ୍ବୋଧ ହୋଇଥାଏ।
କହିବାରେ ଦ୍ବିଧା ନାହିଁ ଯେ ‘ମଳ ନିଷ୍କାସନ’ ଭଳି ଏକ ନିତ୍ୟ ନୈମିତ୍ତିକ ଏବଂ ଅତ୍ୟନ୍ତ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା ନେଇ ଉଲ୍ଲେଖ ବା ଆଲୋଚନାକୁ ସଂଭ୍ରାନ୍ତ ଭାରତୀୟମାନେ ସାଧାରଣତଃ ବର୍ଜ୍ୟ ମଳ ତୁଲ୍ୟ ତ୍ୟଜ୍ୟ କରି ରଖନ୍ତି; ସୁତରାଂ, ଚତୁର୍ଦ୍ଦିଗରେ ଖୋଲାରେ ମଳ ତ୍ୟାଗର ଦୃଶ୍ୟମାନ ଆବିର୍ଭୂତ ହେଉଥିଲେ ମଧ୍ୟ ସେଥି ପ୍ରତି ଚକ୍ଷୁ-ନାସା ବନ୍ଦ ରଖି ଏଭଳି ବ୍ୟବହାର କରାଯାଇଥାଏ ଯେ ସତେ ଯେପରି ସେମିତି କିଛି ଘଟୁ ନାହିଁ। ଏହି ପରିପ୍ରେକ୍ଷୀରେ ୨୦୧୪ ମସିିହା, ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲା ଉପରୁ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ପ୍ରଥମ ଭାଷଣରେ ନରେନ୍ଦ୍ର ମୋଦୀ ଏହି ସମସ୍ୟାର ଉତ୍ଥାପନ କରିବା ସହିତ ଏହାର ଦୂରୀକରଣକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରିବା ଯୁଗାନ୍ତକାରୀ ଥିଲା ନିଶ୍ଚୟ। ଏବଂ ଏହା ସହିତ ଆଉ ଯାହା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା, ତାହା ହେଉଛି ସ୍ବୟଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ‘ସ୍ବଚ୍ଛ ଭାରତ ଅଭିଯାନ’ର ଶୁଭାରମ୍ଭ ଯାହାର ପ୍ରଭାବ ଜନ ମାନସ ଉପରେ ପ୍ରାଂଜଳ ଭାବେ ପରିଦୃଷ୍ଟ; ଯଦିଓ ଖୋଲାରେ ମଳ ତ୍ୟାଗ କରିବାର ପ୍ରାଚୀନ ଅଭ୍ୟାସ, ଭାରତୀୟ ସ୍ନାନ-ଶୌଚ ସଂସ୍କୃତିରେ ପ୍ରଚୁର ଜଳର ଆବଶ୍ୟକତା, କେତେକ ସ୍ଥଳେ ଶୌଚାଗାରକୁ ବାସଭାବନରେ ବା ନିବାସ ନିକଟରେ ସ୍ଥାନ ନ ଦେବାର ଧାର୍ମିକ-ସାଂସ୍କୃତିକ ବିଚାର, ଦାରିଦ୍ର୍ୟ, ପରିମଳ ସଚେତନତାର ଅଭାବ ଏବଂ ଜଳାଭାବ ଭଳି କାରଣରୁ ଭାରତୀୟ ଗ୍ରାମାଞ୍ଚଳରେ ପାଇଖାନା ବ୍ୟବହାରକାରୀ ସୃଷ୍ଟି କରିବା ଅତ୍ୟନ୍ତ ଆହ୍ବାନଭରା ହୋଇ ରହିଛି। ସେହି ଦୃଷ୍ଟିରୁ ୨୦୧୯ ମସିହା, ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀ ଅବସରରେ ଭାରତକୁ ଗୋଟିଏ ‘ଓ. ଡି.ଏଫ୍.’ ରାଷ୍ଟ୍ର ରୂପେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅପରିପକ୍ବ ଧୈର୍ଯ୍ୟହୀନତାର ପରିଚୟ ଦେଇଥାଏ ସତ, କିନ୍ତୁ ‘ଜାତିସଂଘ’ ଏବଂ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଦ୍ବାରା ୨୦୨୨େର ପ୍ରକାଶିତ ‘ଜଏଣ୍ଟ ମନିଟରିଂ ପ୍ରୋଗ୍ରାମ’ ବା ‘ଜେ.ଏମ୍.ପି.’ର ଏକ ସୁବିସ୍ତୃତ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଥାଏ ଯେ ୨୦୧୫ ମସିହା ଠାରୁ ଭାରତରେ ପାଇଖାନା ବ୍ୟବହାରକାରୀଙ୍କ ସଂଖ୍ୟା ଧାରାବାହିକ ଭାବେ ହାରାହାରି ବାର୍ଷିକ ୩.୩୯% ହାରରେ ବୃଦ୍ଧି ପାଇବାରେ ଲାଗିଛି, ଫଳତଃ ଆଉ ପାଞ୍ଚ ବର୍ଷ ମଧ୍ୟରେ ଭାରତ ଏକ ‘ଓ.ଡି.ଏଫ୍.’ ରାଷ୍ଟ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ସେହି ‘ଜେ.ଏମ୍.ପି.’ ରିପୋର୍ଟ କହିଥାଏ ଯେ ସଂପ୍ରତି ଭାରତର ପ୍ରାୟ ୬ ଲକ୍ଷ ସରିକି ଗ୍ରାମରୁ ୧୭% ପାଇଖାନାର ପହଞ୍ଚରୁ ବାହାରେ ଏବଂ ପ୍ରତି ପରିବାର ସକାଶେ ଅନ୍ତତଃ ଗୋଟିଏ ଶୌଚାଗାରର ସୁବିଧା ବା ‘ବେସିକ୍ ସାନିଟେସନ ସର୍ଭିସ୍’ ଲାଭରୁ ୫୧% ଏ ଯାବତ୍ ବଞ୍ଚିତ ଅଛନ୍ତି। କହିବା ବାହୁଲ୍ୟ ଯେ ଏକ ଅତ୍ୟନ୍ତ ଆହ୍ବାନଭରା ଲକ୍ଷ୍ୟ ହାସଲ ପରିପ୍ରେକ୍ଷୀରେ ମନ୍ଥର ହେଲେ ସୁଦ୍ଧା ନିରନ୍ତର ପ୍ରଗତି ଆଶ୍ବସ୍ତି ପ୍ରଦାନ କରିଥାଏ।
ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ ଖୋଲାରେ ମଳ ନିଷ୍କାସନ କରିବା ଏକ ସହଜସାଧ୍ୟ କାର୍ଯ୍ୟ ହୋଇ ନ ଥିଲେ ସୁଦ୍ଧା ତାହା ଏଭଳି ଏକ ଦୁରନ୍ତ ଅଭ୍ୟାସରେ ପରିଣତ ହେଲା କିପରି? ପ୍ରକାଶ ଥାଉ କି ଖ୍ରୀଷ୍ଟପୂର୍ବ ସମୟରୁ ପ୍ରାଚୀନ ରୋମରେ ସାଧାରଣ ଶୌଚାଗାର ବା ‘ପବ୍ଲିକ୍ ଟଏଲେଟ୍’ମାନ ଥିଲେ, ଯହିଁରେ ଥିବା ବ୍ୟବସ୍ଥା ଅନୁସାରେ ନିଷ୍କାସିତ ମଳ ପାଇଖାନାର ରନ୍ଧ୍ର ଦେଇ ତଳେ ନିରନ୍ତର ପ୍ରବହମାନ ଜଳ ଧାରାରେ ପଡ଼ି ଭାସି ଯାଉଥିଲା। ପ୍ରାଚୀନ ମେସୋପଟମିଆଁରେ ମୃଣ୍ମୟ ପାଇଖାନାର ବ୍ୟବହାର ଏବଂ ମଳ ନିଷ୍କାସନ ଲାଗି ସୁବ୍ୟବସ୍ଥିତ ପାଇପ୍ ଲାଇନ୍ ଥିବାର ପ୍ରତ୍ନତାତ୍ତ୍ବିକ ପ୍ରମାଣ ମିଳିଛି। କିନ୍ତୁ ପ୍ରାଚୀନ ଭାରତରେ ମଳ ନିଷ୍କାସନକୁ କେବଳ ଅପରିଚ୍ଛନ୍ନ ନୁହେଁ; ଏକ ଅପବିତ୍ର କାର୍ଯ୍ୟ ରୂପେ ବିଚାର କରାଯାଇ ଶୌଚ ଏବଂ ତା’ ପରବର୍ତ୍ତୀ ସ୍ନାନ ଲାଗି ନଦୀ ବା ପୋଖରୀ ଭଳି ଜଳ ଉତ୍ସମାନ ଲୋଡ଼ା ଯାଉଥିଲା, ଯେଉଁ କାରଣରୁ ପୋଖରୀ ହୁଡ଼ା ଏବଂ ନଦୀ ପଠା ମୁକ୍ତ ଶୌଚାଳୟେର ପରିଣତ ହୋଇଥିଲେ। ଏହି ଅଭ୍ୟାସ ଏ ଯାବତ୍ ବଳବତ୍ତର ରହିଛି ଏବଂ ଏହି କାରଣରୁ ପ୍ରଦୂଷିତ ଜଳସ୍ରୋତ ଆଜି ପର୍ଯ୍ୟନ୍ତ କଲେରା, ଡାଇରିଆ ଓ ଡିସେଣ୍ଟ୍ରି ଭଳି ମାରାତ୍ମକ ସଂକ୍ରାମକ ରୋଗ ସୃଷ୍ଟି କରି ଚାଲିଛି। ଏକ ହିସାବ ଅନୁସାରେ ଏହି କାରଣରୁ ଦୈନିକ ହାରାହାରି ୮୦୦ ଜଣ ପାଞ୍ଚ ବର୍ଷ ବୟସରୁ କମ୍ ବୟସ୍କ ଶିଶୁଙ୍କ ମୃତ୍ୟୁ ହେଉଛି। ମଳ ସହିତ ଖୋଲା ପାଦର ସଂସ୍ପର୍ଶ ଅଙ୍କୁଶ କୃମିର କାରଣ ହୋଇ ଅସଂଖ୍ୟ ଭାରତୀୟଙ୍କ ଠାରେ ରକ୍ତହୀନତା ମଧ୍ୟ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଏହି ନିତ୍ୟ ନୈମିତ୍ତିକ କାର୍ଯ୍ୟଟିରେ ଲିଙ୍ଗଗତ ବିଦ୍ବେଷ ଓ ଯାତନା ମଧ୍ୟ ସନ୍ନିହିତ; ନାରୀମାନଙ୍କ ସକାଶେ ଏହା ଏକ ଅତ୍ୟନ୍ତ ଲଜ୍ଜାଜନକ କାର୍ଯ୍ୟ ହୋଇଥିବା ସତ୍ତ୍ବେ ସେମାନେ ଏହାକୁ ସଂପାଦନ କରିବା ଲାଗି ବାହାରକୁ ଯିବାକୁ ବାଧ୍ୟ ହୁଅନ୍ତି; କିନ୍ତୁ ସେଥି ଲାଗି ‘ପ୍ରକୃତିର ଡାକ’କୁ ଚାପି ରଖି ଅନ୍ଧକାର ହେବା ଯାଏ ସେମାନଙ୍କୁ ଅପେକ୍ଷା କରି ରହିବାକୁ ପଡ଼େ, ଯାହା ସେମାନଙ୍କ ଲାଗି ଅନେକ ରୋଗର କାରଣ ମଧ୍ୟ ହୋଇଥାଏ; ଏବଂ ଅନ୍ଧକାର ସହିତ ନିଭୃତ ସ୍ଥାନର ଆବଶ୍ୟକତା ସେମାନଙ୍କୁ ଅନେକ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଶିକାରରେ ମଧ୍ୟ ପରିଣତ କରିଥାଏ। ସେହି ଦୃଷ୍ଟିରୁ ଘରେ ପାଇଖାନାର ବ୍ୟବହାର ବ୍ୟକ୍ତିଗତ ପରିଚ୍ଛନ୍ନତା, ପରିମଳ ଓ ନିରାପତ୍ତା ଦୃଷ୍ଟିରୁ ଯେ ଅତ୍ୟନ୍ତ ଅପରିହାର୍ଯ୍ୟ ସେଥିରେ ଦ୍ବିରୁକ୍ତି ନାହିଁ।
ଭି. ଏସ୍. ନାଇପଲ ତାଙ୍କ ପ୍ରଥମ ଭାରତ ଭ୍ରମଣକାଳୀନ ଅନୁଭୂତିକୁ ନେଇ ରଚନା କରିଥିଲେ ଅତ୍ୟନ୍ତ ସମାଲୋଚନାମୂଳକ ପୁସ୍ତକ ‘ଆନ ଏରିଆ ଅଫ୍ ଡାର୍କନେସ’ (ତମସାଚ୍ଛନ୍ନ ଇଲାକା)। ଉତ୍ତର ଭାରତର ହିମାଳୟ ପାର୍ବତ୍ୟାଞ୍ଚଳରେ ଭ୍ରମଣ କରୁଥିବା ବେଳେ ସେ ମଳ ନିଷ୍କାସନ କରିବାରେ ସାଧାରଣ ଭାରତୀୟଙ୍କ ସାହସ ଓ ପରାକ୍ରମ ଦେଖି ତଟସ୍ଥ ହୋଇଥିଲେ, ଯହିଁରେ ସେ ଲେଖିଛନ୍ତି ଯେ ସାଧାରଣ ମନୁଷ୍ୟ ଦ୍ବାରା ଆରୋହଣ ସାଧ୍ୟାତୀତ ଭଳି ମନେ ହେଉଥିବା ଉଚ୍ଚ ଓ ପ୍ରକାଣ୍ଡ ଶିଳାଖଣ୍ଡ ମଧ୍ୟ ମନୁଷ୍ୟ ମଳର ମୁକୁଟ ଦ୍ବାରା ମଣ୍ଡିତ ହୋଇଥିଲା। ତେବେ, କେବଳ ନାଇପଲ ନୁହନ୍ତି, ଅନେକ ବିଦେଶୀ ଲେଖକ ଏବଂ ଗଣମାଧ୍ୟମର ଆଲେଖ୍ୟ ଏଭଳି ତାଚ୍ଛଲ୍ୟ ଜରିଆରେ ଭାରତର ଭାବମୂର୍ତ୍ତିକୁ ମଳିନ କରିଛନ୍ତି। ସେହି ଦୃଷ୍ଟିରୁ ଭାରତକୁ ଏକ ‘ଓ.ଡି.ଏଫ.’ ରାଷ୍ଟ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ବିଧିବଦ୍ଧ ଉଦ୍ୟମ ଏବଂ ଆଗ୍ରହ ଧନ୍ୟବାଦର ପାତ୍ର, ଯିଏ ଭାରତୀୟମାନଙ୍କ ମଳ ନିଷ୍କାସନ ଅଭ୍ୟାସକୁ ଏକ ଅପାଂକ୍ତେୟ ସଂଦର୍ଭରୁ ଉଠାଇ ଆଣି ଚର୍ଚ୍ଚାର କେନ୍ଦ୍ରରେ ରଖିଥିଲେ। ବିଭିନ୍ନ କାରଣରୁ ଲକ୍ଷ୍ୟ ହାସଲ ହେବାରେ ବିଳମ୍ବ ଘଟୁଥିବା ସତ୍ତ୍ବେ ଏହି ଅଭିଯାନ ଯେ ଅବସନ୍ନ ହୋଇ ନାହିଁ, ତାହା ସତ! ଏହା ଯେ ଏକ ସାମାନ୍ୟ ସମସ୍ୟା ନୁହେଁ, ବରଂ ଏକ ରାଷ୍ଟ୍ରୀୟ ସମସ୍ୟା ତାହା ଜନଚେତନାରେ କ୍ରମେ ଉତ୍କୀର୍ଣ୍ଣ ହେବାରେ ଲାଗିଛି।