କୌଣସି ଏକ ‘କପ୍’ ଏକ ଯାଦୁ ଛଡ଼ି ଛୁଇଁ ଦେଇ ରାତାରାତି ଏସବୁ ସମ୍ଭବ କରି ଦେଇ ପାରିବ ନାହିଁ; କିନ୍ତୁ ‘ପ୍ୟାରିସ୍ କପ୍’ ପରେ ଦେଖାଯାଇଛି ଯେ ଏଥିଯୋଗୁଁ ସୃଷ୍ଟି ହେଉଥିବା ଜଳବାୟୁ ସଚେତନତା ପୃଥିବୀର ଦେଶମାନଙ୍କୁ ଏ ସମସ୍ତ ଲକ୍ଷ୍ୟ ହାସଲ ଦିଗରେ ପ୍ରବୃତ୍ତ କରିଥାଏ। ତେଣୁ ଯାଦୁଆ ବିକୁଥିବା ଯାଦୁର ମଲମ ଯଦି ଅନ୍ୟ ଯାଦୁଆମାନଙ୍କର ଯନ୍ତ୍ରଣା ଉପଶମ କରେ, ସେ ମଲମ ବ୍ୟବହାର କଲେ କ୍ଷତି କ’ଣ? ମଦୁଆମାନଙ୍କ କଥା ମାନି ଆମେ ପେଟ୍ରୋଲ ଡିଜେଲ ରୂପକ ମଦ୍ୟପାନ ବର୍ଜନ କଲେ ଉତ୍ତପ୍ତ ଧରିତ୍ରୀ ଶୀତଳ ହେବ ନାହିଁ କି?
ଦୁଇ ଦିନ ପରେ ନଭେମ୍ବର ୩୦ରୁ ଡିସେମ୍ବର ୧୨ ପର୍ଯ୍ୟନ୍ତ ‘ୟୁଏଇ’ର ଦୁବାଇ ଠାରେ ‘କପ୍-୨୮’ ରୂପେ ନାମିତ ଜାତିସଂଘ ଆନୁକୂଲ୍ୟରେ ୨୮ତମ ବିଶ୍ବ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ମନ୍ତବ୍ୟକାରମାନେ ଏକ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପାଇଁ ‘ୟୁଏଇ’କୁ ଆୟୋଜନ ସ୍ଥଳୀ ରୂପେ ଚୟନ କରାଯିବାକୁ ରହସ୍ୟ କରି ଯେଉଁଭଳି ସମାଲୋଚନା କରିଛନ୍ତି, ତାହାକୁ ଆମେ ଯଦି ସ୍ବର୍ଗତ ଓଡ଼ିଆ ଅଗ୍ନିବର୍ଷୀ କବି ରବି ସିଂ (ଫତୁରାନନ୍ଦ ତାଙ୍କୁ ଆଖ୍ୟା ଦେଇଥିଲେ: ‘ବ୍ଲାଷ୍ଟ୍ ଫର୍ନେସ୍ କବି’)ଙ୍କୁ ଅନୁସରଣ କରିବା, ତେବେ କୁହାଯିବ: ‘‘ଯାଦୁଆ ବିକୁଛି ଯାଦୁର ମଲମ, ମଦୁଆ ଉଡ଼ାଏ ନିଶା ନିବାରଣ ବାନା।’’ ଏଭଳି ସମାଲୋଚନାର କାରଣ ସ୍ପଷ୍ଟ- ଜଳବାୟୁ ପରିବର୍ତ୍ତନ ହେଉଛି ବିଶ୍ବ ତାପନ ବା ପୃଥିବୀର ଉତ୍ତାପ ବୃଦ୍ଧିର ଅନ୍ୟ ନାମ; ପେଟ୍ରୋଲିଅମ୍ ପରି ଜୀବାଶ୍ମ ଇନ୍ଧନ ଦହନ ହେଉଛି ବିଶ୍ବ ତାପନର ଅନ୍ୟତମ ମୁଖ୍ୟ କାରଣ; ୟୁଏଇର ଅର୍ଥନୀତିର ମୂଳ ଭିତ୍ତି ହେଉଛି ପେଟ୍ରୋଲିଅମ୍। ସ୍ବାଭାବିକ ଭାବରେ ତେଣୁ ଦୁବାଇ ବିଶ୍ବ ତାପନ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଏକ ସମ୍ମିଳନୀ ଆୟୋଜନ କରିବା ସମାଲୋଚକମାନଙ୍କ ଦୃଷ୍ଟିରେ ଯାଦୁଆ ଯାଦୁ ମଲମ ବିକିଲା ଭଳି କିମ୍ବା ମଦୁଆ ନିଶା ନିବାରଣ ଆନ୍ଦୋଳନର ନେତୃତ୍ବ ନେବା ଭଳି ମନେ ହୋଇଥାଏ।
କିନ୍ତୁ ଏହି ଯଥାର୍ଥ ବ୍ୟଙ୍ଗକୁ ଅତିକ୍ରମ କରି ଯଦି ଏହି ଉଦ୍ୟମର ବାସ୍ତବ ଦିଗମାନଙ୍କ ଉପରେ ଦୃଷ୍ଟି ନିକ୍ଷେପ କରାଯାଏ ତେବେ ସ୍ବୀକାର କରିବାକୁ ହେବ ଯେ, ଯେଉଁ ସ୍ଥାନରେ ବି ଏହି ‘କପ୍’ (‘କନ୍ଫରେନ୍ସ ଅଫ୍ ପାର୍ଟିଜ୍’)ମାନ ଆୟୋଜିତ ହେଉଥାଉ ନା କାହିଁକି, ଏଥିଯୋଗୁଁ ବିଶ୍ବ ତାପନ ନିୟନ୍ତ୍ରଣ ନିମିତ୍ତ ନିଆ ଯାଇଥିବା ପଦକ୍ଷେପମାନ ସଂପୂର୍ଣ୍ଣ ସଫଳ ହୋଇପାରି ନ ଥିଲେ ମଧ୍ୟ ସଂପୂର୍ଣ୍ଣ ବିଫଳ ହୋଇ ନାହାନ୍ତି। ଉଦାହରଣ ସ୍ବରୂପ ୨୦୧୫ରେ ପ୍ୟାରିସ୍ ଠାରେ ଅନୁଷ୍ଠିତ ‘କପ୍-୨୧’କୁ ଏକ ଦାନ୍ତହୀନ ସମ୍ମିଳନୀ ରୂପେ ବ୍ୟଙ୍ଗ କରାହୋଇ ଆସିଛି। ସମାଲୋଚକମାନେ ଅଭିଯୋଗ କରିଥାନ୍ତି ଯେ ଏହି ସମ୍ମିଳନୀ ସଦସ୍ୟ ଦେଶମାନଙ୍କୁ ସେମାନଙ୍କ ଦାୟିତ୍ବ ସମ୍ବନ୍ଧରେ କୌଣସି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେଇ ପାରିଲା ନାହିଁ; ଜୀବାଶ୍ମ ଇନ୍ଧନ ବ୍ୟବହାରରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ କୌଣସି ସମୟସୀମା ନିର୍ଦ୍ଧାରଣ କରି ପାରିଲା ନାହିଁ; ସମୁଦ୍ରର ଜଳ ପତ୍ତନରେ ହ୍ରାସ ଘଟାଇ ପାରିଲା ନାହିଁ; ଘୂର୍ଣ୍ଣିବାତ୍ୟାମାନଙ୍କର ବେଗ ହ୍ରାସ କରି ପାରିଲା ନାହିଁ କିମ୍ବା ଖରାର ତେଜ କମାଇ ପାରିଲା ନାହିଁ।
ଏହା କେବଳ ଏକ ଲଘୁ ପରିହାସ ହୋଇଥିଲେ ହେଁ ଏଥିରେ ଯେଉଁ ଅଭିଯୋଗ ନିହିତ ଥାଏ ତାହା ହେଲା- ‘ପ୍ୟାରିସ୍ କପ୍’ ସଂପୂର୍ଣ୍ଣ ବିଫଳ ହୋଇଛି। କିନ୍ତୁ ‘ଦୁବାଇ କପ୍’ ଅବ୍ୟବହିତ ପୂର୍ବରୁ କରାଯାଇଥିବା ଆକଳନରୁ ଯାହା ଜଣା ପଡ଼ିଥାଏ, ତାହା ହେଲା ଆଠ ବର୍ଷ ତଳର େସହି ଉଦ୍ୟମରେ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ନିମିତ୍ତ ଯେଉଁ ଲକ୍ଷ୍ୟ ସ୍ଥାପନ କରାଯାଇଥିଲା, ତାହା ହାସଲ କରିବା ଦିଗରେ ଇତିମଧ୍ୟରେ ନିଶ୍ଚିତ ଅଗ୍ରଗତି ଘଟିଛି। ୨୦୧୫ରେ ‘ପ୍ୟାରିସ୍ କପ୍’ ପୂର୍ବରୁ ପୃଥିବୀରେ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଯେଉଁ ନୀତିମାନ ଅବଲମ୍ବନ କରାଯାଉଥିଲା, ସେଥିରେ ଯଦି କୌଣସି ପରିବର୍ତ୍ତନ ଘଟି ନ ଥାନ୍ତା, ତା’ହେଲେ ୨୧୦୦ ସାଲ୍ ବେଳକୁ ପୃଥିବୀର ତାପମାତ୍ରା ପ୍ରାକ୍-ଶିଳ୍ପ ବିପ୍ଳବ ସ୍ତର ଠାରୁ ୩ଂସିରୁ ବେଶୀ ଅଧିକ ହେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ। ‘ପ୍ୟାରିସ୍ କପ୍’ରେ ଗୃହୀତ ସଂକଳ୍ପ ଅନୁସାରେ ସେଇ ପୂର୍ବ ନୀତିମାନଙ୍କରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ କରାଯାଇଥିବା ଏକ ବିଶେଷଜ୍ଞ ଆକଳନ ଅନୁସାରେ ଯଦି ଏହି ପରିବର୍ତ୍ତନ ନୀତି ଅନୁସୃତ ହୋଇ ଚାଲେ, ତେବେ ୨୧୦୦ ବେଳକୁ ପୃଥିବୀର ତାପମାତ୍ରାରେ ଏହି ବୃଦ୍ଧି ୨.୫-୨.୯ ମଧ୍ୟରେ ସୀମିତ ରହିବ ବୋଲି ଅନୁମାନ କରାଯାଉଛି। ଏହା ଅବଶ୍ୟ ସହନୀୟ ସ୍ତର ଠାରୁ ବେଶ୍ ଅଧିକ ଏବଂ ଏହାର ପ୍ରଭାବରେ ପୃଥିବୀବାସୀ ବିଭିନ୍ନ ବିପର୍ଯ୍ୟୟର ସମ୍ମୁଖୀନ ହେବେ; କିନ୍ତୁ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ ବିଶ୍ବ ତାପନକୁ ସୀମିତ କରିବା ଦିଗରେ ହାସଲ ହୋଇ ପାରିଥିବା ଏହି ଉପଲବ୍ଧିକୁ ମଧ୍ୟ ହେୟଜ୍ଞାନ କରାଯାଇ ପାରିବ ନାହିଁ।
ଏହା ସମ୍ଭବ ହେବା ମୂଳରେ ଯେଉଁ ମୁଖ୍ୟ କାରଣ ନିହିତ ଅଛି, ତାହା ହେଲା ଅପେକ୍ଷାକୃତ ଶସ୍ତାରେ ଉପଲବ୍ଧ କରାଯାଇ ପାରିଥିବା ଅକ୍ଷୟ ଶକ୍ତି ବ୍ୟବହାରରେ ଘଟିଥିବା ବ୍ୟାପକ ପ୍ରସାର। ୨୦୧୫ରେ ସାରା ପୃଥିବୀରେ ମୋଟ ସୌର ଶକ୍ତି ଉତ୍ପାଦନ କ୍ଷମତା ଥିଲା ୨୩୦ ଗିଗାୱାଟ୍; ୨୦୨୨ରେ ସେଥିରେ ବୃଦ୍ଧି ଘଟି ହୋଇଥିଲା ୧,୦୫୦ ଗିଗାୱାଟ୍। ଅଙ୍ଗାର-ମୂଲ୍ୟାୟନ ବା ‘କାର୍ବନ୍-ପ୍ରାଇସିଙ୍ଗ୍’ ହେଉଛି ଅଙ୍ଗାର ନିର୍ଗମନ ନିୟନ୍ତ୍ରଣ ଦିଗରେ ଅନୁସୃତ ଏକ ଫଳପ୍ରଦ ବିଧି। ୨୦୧୪ରେ ପୃଥିବୀରେ ଘଟୁଥିବା ଶକ୍ତି-ସଂପର୍କିତ ଅଙ୍ଗାରକାମ୍ଳ ନିର୍ଗମନର ମାତ୍ର ୧୨ ଶତାଂଶ ଏହା ଅଧୀନକୁ ଆସିଥିଲା ଏବଂ ନିର୍ଗତ ଅଙ୍ଗାର ଟନ୍ ପିଛା ମୂଲ୍ୟ ଥିଲା ହାରାହାରି ୭ ଡଲାର୍, ଏବେ ଏହି ପରିସଂଖ୍ୟାନ ହେଉଛି ଯଥାକ୍ରମେ ୨୩ ଶତାଂଶ ଓ ୩୨ ଡଲାର୍। ଏହି କାରଣରୁ ଏହି ପରିସ୍ଥିତି ଉପରେ ନଜର ରଖିଥିବା ଆନ୍ତର୍ଜାତିକ ସଂଗଠନ ‘ଇଣ୍ଟର୍ନେସନାଲ୍ ଏନର୍ଜି ଏଜେନ୍ସି’ ଅଙ୍ଗାର ନିର୍ଗମନ ଧାରାରେ ନିକଟ ଭବିଷ୍ୟତରେ ବେଶ୍ କିଛି ମାତ୍ରାରେ ଉନ୍ନତି ଦେଖା ଦେବ ବୋଲି ଆଶା କରୁଛି। ଏହି ସଂସ୍ଥା ଏଥି ପୂର୍ବରୁ ୨୦୪୦ ଦଶକରେ ଅଙ୍ଗାର ନିର୍ଗମନ ସର୍ବୋଚ୍ଚ ସ୍ତର ଛୁଇଁବ ବୋଲି ପୂର୍ବାନୁମାନ କରିଥିବା ବେଳେ ବର୍ତ୍ତମାନ ଆଶା କରୁଛି ଯେ ତା’ର ବହୁ ପୂର୍ବରୁ ଏହା ଘଟିବାକୁ ଯାଉଛି।
ଏ ସମସ୍ତ ଉପଲବ୍ଧି ଯେ ସଂପୂର୍ଣ୍ଣ ରୂପେ ‘ପ୍ୟାରିସ୍ କପ୍’ ଯୋଗୁଁ ସମ୍ଭବ ହୋଇଛି, ଅବଶ୍ୟ ତାହା ନୁହେଁ। କିନ୍ତୁ ‘ପ୍ୟାରିସ୍ କପ୍’ ପରେ ଜଳବାୟୁ ପରିବର୍ତ୍ତନ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ଏକ ଚର୍ଚ୍ଚିତ ବିଷୟବସ୍ତୁରେ ପରିଣତ ହୋଇଗଲା। ଏହା ପରେ ‘ଅଙ୍ଗାର-ଶୂନ୍ୟ’ ଅବସ୍ଥା ହାସଲ କରିବା ପୃଥିବୀବ୍ୟାପୀ ଏକ ଘୋଷିତ ଲକ୍ଷ୍ୟରେ ପରିଣତ ହୋଇଯାଇଛି। ୨୦୧୫ରେ ମାତ୍ର ଗୋଟିଏ ଦେଶ ଏହାକୁ ନିଜର ଲକ୍ଷ୍ୟ ରୂେପ ଗ୍ରହଣ କରିଥିଲା; ବର୍ତ୍ତମାନ ୧୦୧ଟି ଦେଶ ଏହି ଲକ୍ଷ୍ୟ ଗ୍ରହଣ କରି ସାରିଲେଣି।
ଅଳ୍ପ ଦିନ ତଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏକ ମିଳିତ ଘୋଷଣାନାମାରେ ସେମାନଙ୍କ ଦେଶରେ ଅକ୍ଷୟ ଶକ୍ତି ଉତ୍ପାଦନକୁ ୨୦୩୦ ସୁଦ୍ଧା ତିନିଗୁଣ କରିବାକୁ ଶପଥ ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ଦୁବାଇ କପ୍’ ଏହାକୁ ଏଥର ଏକ ପ୍ରମୁଖ ଲକ୍ଷ୍ୟ ରୂପେ ପ୍ରଦର୍ଶିତ କରିବାକୁ ଉଦ୍ଦେଶ୍ୟ ରଖିଛି। ଏଠାରେ ମଧ୍ୟ ଏହା ସୂଚାଇବା ଆବଶ୍ୟକ ଯେ ଅକ୍ଷୟ ଶକ୍ତି ଉତ୍ପାଦନରେ ଏହି ବୃଦ୍ଧି ନିମିତ୍ତ ଯେଉଁ ଅାକାରର ସମ୍ବଳ ନିବେଶ ଆବଶ୍ୟକ ହେବ, ତାହା କେବଳ ସରକାରୀ ସୂତ୍ରରୁ ଆସିବା ସମ୍ଭବ ହେବ ନାହିଁ; ସେଥିରେ ଘରୋଇ କ୍ଷେତ୍ର ସଂପୃକ୍ତ ହେବା ନିତାନ୍ତ ଆବଶ୍ୟକ। ଏଥିପାଇଁ ସଂପୃକ୍ତ ଦେଶମାନଙ୍କୁ ନିଜ ନିଜ ଦେଶର ଶକ୍ତି ବଜାରରେ ଆବଶ୍ୟକ ସଂସ୍କାର ଆଣିବାକୁ ହେବ। ସେମାନଙ୍କୁ ଅନୁମତି ପ୍ରଦାନରେ ବିଳମ୍ବ ହ୍ରାସ କରିବାକୁ ହେବ, ଶକ୍ତି ଗ୍ରୀଡ୍ମାନଙ୍କର ଉନ୍ନତି ସାଧନ କରିବାକୁ ହେବ, ତଥା ସର୍ବୋପରି ପେଟ୍ରୋଲ, ଡିଜେଲ ଭଳି ଜୀବାଶ୍ମ ଇନ୍ଧନ ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ ନୀତି ଅବଲମ୍ବନ କରିବାକୁ ହେବ।
କୌଣସି ଏକ ‘କପ୍’ ଏକ ଯାଦୁ ଛଡ଼ି ଛୁଇଁ ଦେଇ ରାତାରାତି ଏସବୁ ସମ୍ଭବ କରି ଦେଇ ପାରିବ ନାହିଁ; କିନ୍ତୁ ‘ପ୍ୟାରିସ୍ କପ୍’ ପରେ ଦେଖାଯାଇଛି ଯେ ଏଥିଯୋଗୁଁ ସୃଷ୍ଟି ହେଉଥିବା ଜଳବାୟୁ ସଚେତନତା ପୃଥିବୀର ଦେଶମାନଙ୍କୁ ଏ ସମସ୍ତ ଲକ୍ଷ୍ୟ ହାସଲ ଦିଗରେ ପ୍ରବୃତ୍ତ କରିଥାଏ। ତେଣୁ ଯାଦୁଆ ବିକୁଥିବା ଯାଦୁର ମଲମ ଯଦି ଅନ୍ୟ ଯାଦୁଆମାନଙ୍କର ଯନ୍ତ୍ରଣା ଉପଶମ କରେ, ସେ ମଲମ ବ୍ୟବହାର କଲେ କ୍ଷତି କ’ଣ? ମଦୁଆମାନଙ୍କ କଥା ମାନି ଆମେ ପେଟ୍ରୋଲ ଡିଜେଲ ରୂପକ ମଦ୍ୟପାନ ବର୍ଜନ କଲେ ଉତ୍ତପ୍ତ ଧରିତ୍ରୀ ଶୀତଳ ହେବ ନାହିଁ କି?