ଇତିହାସର ବିଡ଼ମ୍ବନା ଯେ ଚିନ୍ତା ରାଜ୍ୟରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଥିବା କେତେକ ବୁଦ୍ଧିଜୀବୀ, ଦାର୍ଶନିକ ଓ ବୈଜ୍ଞାନିକ ସେମାନଙ୍କ ସମସାମୟିକ ସମାଜରେ ବହୁ ଅପଯଶ ପାଇଛନ୍ତି, ବନ୍ଦୀ ଜୀବନ ବିତାଇଛନ୍ତି ଓ ଏପରିକି ସହିଦ ହୋଇଛନ୍ତି। ଏହାର ଏକ ମୁଖ୍ୟ କାରଣ ହେଉଛି ସେମାନେ ସେମାନଙ୍କ ସମୟ ଠାରୁ ବହୁ ଆଗରେ ଥାଆନ୍ତି। ସେମାନେ ଚିନ୍ତା ବା ଭାବନା ସ୍ତରରେ ଯେଉଁ ବୈଚାରିକ ଆଲୋଡ଼ନ ସୃଷ୍ଟି କରନ୍ତି, ତାହା ନୂତନ ଦିଗନ୍ତ ସୃଷ୍ଟି କରିଥାଏ, ଯାହା କିନ୍ତୁ ସେହି ସମୟରେ ଆଦୃତ ହୋଇନଥାଏ। କିନ୍ତୁ ସେମାନଙ୍କର ଭାବନା ଧୀରେ ଧୀରେ ବୌଦ୍ଧିକ ସ୍ତରରେ ଗୃହୀତ ହୋଇଥାଏ ଓ ସେମାନେ ଇତିହାସ ପୃଷ୍ଠାରେ ଅମର ହୋଇଥାନ୍ତି।
ଇଉରୋପୀୟ ନବଜାଗରଣ ଯୁଗରେ କେତେକ ଦାର୍ଶନିକ ଓ ବୈଜ୍ଞାନିକ ସହିଦ ହୋଇଥିବାର କାହାଣୀ ଇତିହାସରୁ ଜଣାପଡ଼େ। ନିଜର ବୈଜ୍ଞାନିକ ଓ ଦାର୍ଶନିକ ସିଦ୍ଧାନ୍ତ ପାଇଁ ସହିଦ ହୋଇଥିବା ଜଣେ କ୍ରାନ୍ତିକାରୀ ବୁଦ୍ଧିଜୀବୀ ହେଲେ ଜିଓର୍ଡାନୋ ବ୍ରୁନୋ (୧୫୪୮-୧୬୦୦)। ବ୍ରୁନୋଙ୍କର ଜନ୍ମ ଇଟାଲିର ନୋଲା ସହରରେ ହୋଇଥିଲା। ସେ ଏକାଧାରରେ ଥିଲେ ଜଣେ ଦାର୍ଶନିକ, ଗଣିତଜ୍ଞ, ଜ୍ୟୋତିର୍ବିଦ। ତାଙ୍କ ଠାରେ ବିଦ୍ୟମାନ ଥିଲା ବିବିଧ ପ୍ରତିଭାର ଚମକ। କିନ୍ତୁ ତାଙ୍କ ଜୀବନ ଥିଲା ବହୁ ଦୁଃଖ ଓ ନିର୍ଯାତନାରେ ଭରା। ତାଙ୍କର ସିଦ୍ଧାନ୍ତମାନଙ୍କ ପାଇଁ ସେ ଧାର୍ମିକ ରକ୍ଷଣଶୀଳ ଲୋକମାନଙ୍କ ଦ୍ବାରା ବହୁ ନିନ୍ଦା ପାଇଥିଲେ ଓ ବନ୍ଦୀ ଜୀବନ ବିତାଇଥିଲେ। ତାଙ୍କର ସିଦ୍ଧାନ୍ତମାନଙ୍କୁ ସେ ଭୁଲ୍ ବୋଲି ସ୍ବୀକାର କରିନଥିବା ଯୋଗୁଁ ଶେଷରେ ରୋମ୍ଠାରେ ତାଙ୍କୁ ସର୍ବସାଧାରଣରେ ଖୁଣ୍ଟରେ ବାନ୍ଧି ନିଆଁ ଲଗାଇ ପୋଡ଼ି ହତ୍ୟା କରାଯାଇଥିଲା। ତାହା ଘଟିଥିଲା ୧୬୦୦ ମସିହାରେ। ବ୍ରୁନୋଙ୍କୁ ହତ୍ୟା କରାଯିବାର ଶହେ ବର୍ଷ ପରେ ତାଙ୍କର ବୈଜ୍ଞାନିକ ସିଦ୍ଧାନ୍ତମାନ ସତ୍ୟ ବୋଲି ସ୍ବୀକୃତ ହୋଇଥିଲା ଓ ଦାର୍ଶନିକ ସିଦ୍ଧାନ୍ତମାନ ଚିନ୍ତା ରାଜ୍ୟରେ ନୂଆ ନୂଆ ଦିଗନ୍ତ ସୃଷ୍ଟି କରିଥିଲା।
ଇଉରୋପୀୟ ସଭ୍ୟତାରେ ମଧ୍ୟଯୁଗ ଥିଲା ଏକ ଅନ୍ଧକାରର ସମୟ। ଧାର୍ମିକ ରକ୍ଷଣଶୀଳତା, ନାନା କୁସଂସ୍କାର ଓ ଅମାନବିକ ପ୍ରଥା ମଧ୍ୟଯୁଗରେ ସମାଜକୁ କ୍ଷୟଶୀଳ କରି ରଖିଥିଲା। ମଧ୍ୟଯୁଗୀୟ ରକ୍ଷଣଶୀଳତା ବିରୋଧରେ ନବଜାଗରଣ ଥିଲା ଏକ ବୈପ୍ଳବିକ ପ୍ରତିବାଦ। ନବଜାଗରଣର ଆଦି ପର୍ବଟି ଥିଲା ସଂସ୍କାରବାଦୀ ଚେତନାର ବିକାଶ। ଅନେକ ଅମାନବିକ ପରମ୍ପରା ବିରୋଧରେ ଧୀରେ ଧୀରେ ସାମାଜିକ ସଚେତନତା ସୃଷ୍ଟି ହୋଇଥିଲା। ନବଜାଗରଣର ଦ୍ବିତୀୟାର୍ଦ୍ଧ ଥିଲା ଜ୍ଞାନଦୀପ୍ତିର ଯୁଗ। ନବଜାଗରଣ ଓ ଜ୍ଞାନଦୀପ୍ତିର ପରିଣାମରୁ ଦୁଇଟି ମୌଳିକ ନିଷ୍କର୍ଷ ଆସିଥିଲା, ଯାହା ସଭ୍ୟତାର ବିକାଶ ଧାରାକୁ ବୌଦ୍ଧିକ ଲମ୍ଫ ପ୍ରଦାନ କରିଥିଲା। ସେହି ଧାରାମାନ ହେଉଛି ଆଧୁନିକ ବିଜ୍ଞାନ ଓ ମାନବବାଦୀ ଚେତନାର ବିକାଶ ପର୍ବ। ଏକ ନୂତନ ପୃଥିବୀ ନିର୍ମାଣ କରିବାରେ ବିଜ୍ଞାନର ଅବଦାନ ଥିଲା ସର୍ବଜନସ୍ବୀକୃତ। ସେହିପରି ମାନବବାଦୀ ଚେତନାର ବିକାଶରୁ ଗଣତନ୍ତ୍ର, ସମାଜବାଦ, ବ୍ୟକ୍ତି ସ୍ବାଧୀନତା, ମାନବିକ ଅଧିକାର, ମହିଳା ସଶକ୍ତୀକରଣ ପରି ଆଦର୍ଶମାନ ଚିନ୍ତା ରାଜ୍ୟରେ ନୂତନ ଦିଗନ୍ତ ସୃଷ୍ଟି କରିଥିଲା।
ବ୍ରୁନୋ ଥିଲେ ଷୋଡ଼ଶ ଶତାବ୍ଦୀର ଜଣେ ତତ୍ତ୍ବବିଦ୍ ଦାର୍ଶନିକ। ତାଙ୍କ ଦାର୍ଶନିକ ସିଦ୍ଧାନ୍ତକୁ କୁହାଯାଏ ସର୍ବେଶ୍ବରବାଦ ବା ‘ପାଂଥେଇଜିମ୍’। ଧାର୍ମିକ ବିଶ୍ବାସ ଅନୁଯାୟୀ ଈଶ୍ବର ଏକ ସର୍ବଜ୍ଞ ଓ ସର୍ବଶକ୍ତିମାନ ବ୍ୟକ୍ତି, ଅର୍ଥାତ୍ ଈଶ୍ବରଙ୍କର ବ୍ୟକ୍ତି-ସତ୍ତା ରହିଛି। ସେହିପରି ଧର୍ମ ଧାରଣାରେ ବିଶ୍ବାସ କରାଯାଉଥିଲା ଯେ ପୃଥିବୀକୁ ଈଶ୍ବର ଶୂନ୍ୟରୁ ସୃଷ୍ଟି କରିଛନ୍ତି। ପୃଥିବୀର ସୀମା ସୀମିତ ଯାହା ଊର୍ଦ୍ଧ୍ବରେ ଏକ ଅପାର୍ଥିବ ଜଗତ ରହିଛି। ସେହି ଅପାର୍ଥିବ ଜଗତରେ ଦେବଦୂତ, ଆତ୍ମା ଓ ଈଶ୍ବରଙ୍କର ଅବସ୍ଥାନ ରହିଛି। ବ୍ରୁନୋ ଏହି ସବୁ ବିଶ୍ବାସକୁ ଅସ୍ବୀକାର କରି ଏକ ଭିନ୍ନ ସିଦ୍ଧାନ୍ତର ଅବତାରଣା କରିଥିଲେ। ତାଙ୍କ ମତରେ ପୃଥିବୀ ଅସଂଖ୍ୟ ଗ୍ରହ ମଧ୍ୟରୁ ଗୋଟିଏ ଗ୍ରହ, ଯାହା ପ୍ରକୃତିରେ କୋଟି କୋଟି ବର୍ଷ ଧରି ରହିଛି। ପୃଥିବୀ ଯେ ଛ’ ହଜାର ବର୍ଷ ତଳେ ସୃଷ୍ଟି ହୋଇଥିଲା ଏହା ଅବାସ୍ତବ ପରିକଳ୍ପନା। ସେହିପରି ମହାକାଶ ବା ‘ସ୍ପେସ୍’ ଏକ ସୀମାହୀନ ଦିଗନ୍ତ। ପାର୍ଥିବ ଜଗତର ସୀମା ରହିଛି ଓ ତା’ର ସୀମାରେ ଏକ ଅପାର୍ଥିବ ଜଗତ ରହିଛି ଏହି ବିଶ୍ବାସକୁ ବ୍ରୁନୋ ସ୍ବୀକାର କରୁ ନ ଥିଲେ। ବିଶ୍ବର ବିଶାଳତା ମଧ୍ୟରେ ଅସଂଖ୍ୟ ସୂର୍ଯ୍ୟ, ଗ୍ରହ, ଉପଗ୍ରହମାନ ରହିଛନ୍ତି। ପ୍ରତ୍ୟେକ ନକ୍ଷତ୍ର ସହିତ ଅନେକ ଗ୍ରହ ଓ ଉପଗ୍ରହ ସଂଯୁକ୍ତ। ପୃଥିବୀ ଏକ ଗ୍ରହ ଓ ନଭ ମଣ୍ଡଳର କେନ୍ଦ୍ରରେ ଅବସ୍ଥିତ ନୁହେଁ। ସ୍ବର୍ଗ ରାଜ୍ୟର ଏକ ନିର୍ବାଚିତ ସ୍ଥାନ ଯେ ପୃଥିବୀ ଏହାକୁ ମଧ୍ୟ ବ୍ରୁନୋ ଅସ୍ବୀକାର କରୁଥିଲେ। ତାଙ୍କ ମତରେ ବିଶ୍ବ ବ୍ରହ୍ମାଣ୍ଡ ସୀମାହୀନ ଏବଂ ଅନନ୍ତ। ଦୁଇଟି ଅନନ୍ତ ରହିବା ସମ୍ଭବ ନୁହେଁ ବୋଲି ବ୍ରୁନୋ ଦାର୍ଶନିକ ଯୁକ୍ତିର ଅବତାରଣା କରିଥିଲେ। ଏହି ପୃଷ୍ଠଭୂମିରେ ନିରୀଶ୍ବରବାଦୀ ଅଭିଯୋଗକୁ ଏଡ଼ାଇ ଯିବା ପାଇଁ ବିଶ୍ବ (ୟୁନିଭର୍ସ) ଓ ପୃଥିବୀ (ୱାର୍ଲଡ) ମଧ୍ୟରେ ସେ ପାର୍ଥକ୍ୟ ଦର୍ଶାଇଛନ୍ତି। ତାଙ୍କ ମତରେ ବିଶ୍ବ ଓ ଈଶ୍ବର ଅଭିନ୍ନ। ଈଶ୍ବର/ବିଶ୍ବ ସୀମାହୀନ, ଅନନ୍ତ, ଅସୀମ ଓ ଅଶେଷ। ବିଶ୍ବ ଓ ଈଶ୍ବର ଅଭିନ୍ନ ହୋଇଥିବାରୁ ସେମାନେ ଏକ, ଅଦ୍ବିତୀୟ ଓ ପରସ୍ପର ସହ ସମାନ। ତେବେ ବିଶ୍ବ ପ୍ରକୃତିର ଏକତା ଓ ଶୃଙ୍ଖଳା ହେଉଛନ୍ତି ଈଶ୍ବର। ବିଶ୍ବର ସକଳ ସ୍ଥିତି ଓ କାରଣକୁ ଈଶ୍ବର କୁହାଯାଉଥିବାରୁ ବ୍ରୁନୋଙ୍କ ମତରେ ବିଶ୍ବ ଓ ଈଶ୍ବର େହଉଛନ୍ତି ସମାନ। ତେଣୁ ଈଶ୍ବର ଜଗତର ସ୍ରଷ୍ଟା ବା ପ୍ରଥମ ସଂଚାଳକ ନୁହନ୍ତି। ସେ ପ୍ରକୃତିର ସକଳ ଉପାଦାନର ଅନ୍ତର୍ବର୍ତ୍ତୀ। ପ୍ରକୃତି ବା ବିଶ୍ବ ଏକ ସୁସଂଯୋଜିତ ସଂହତି।
ବ୍ରୁନୋଙ୍କର ଏଭଳି ଦାର୍ଶନିକ ତତ୍ତ୍ବ ଇଉରୋପୀୟ ନବଜାଗରଣ ଯୁଗର ତର୍କ ଓ ବୁଦ୍ଧିବାଦୀ ପରଂପରାକୁ ଜନ୍ମ ଦେଇଥିଲା। ତର୍କ-ବୁଦ୍ଧିବାଦୀ ଦାର୍ଶନିକ ପରଂପରାର ଦୁଇ ବିଶିଷ୍ଟ ଦାର୍ଶନିକ ସ୍ପିନୋଜା ଓ ଲାଇବନିତ୍ସୁ ବ୍ରୁନୋଙ୍କ ଭାବଧାରା ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଥିବା ଜଣାଯାଏ।
ବ୍ରୁନୋ ବାଇବେଲୀୟ ଈଶ୍ବର ଭାବନାକୁ ଗ୍ରହଣ କରୁନଥିଲେ କିମ୍ବା ନିରୀଶ୍ବରବାଦୀ ନ ଥିଲେ। ସେ ଯୁଗରେ ଯେଉଁମାନେ ବାଇବେଲରେ ବ୍ୟକ୍ତ ହୋଇଥିବା ଈଶ୍ବରୀୟ ଭାବନା ଓ ପୃଥିବୀ ଦିନରେ ସୃଷ୍ଟି ତତ୍ତ୍ବକୁ ଗ୍ରହଣ କରୁନଥିଲେ ସେମାନଙ୍କୁ ନିରୀଶ୍ବରବାଦୀ ବୋଲି ବିଚାର କରାଯାଉଥିଲା। ନିରୀଶ୍ବରବାଦୀମାନେ ଧର୍ମଦ୍ରୋହୀ ଓ ସେମାନଙ୍କୁ କଠିନ ଦଣ୍ଡ ଦିଆଯିବା ଆବଶ୍ୟକ ବୋଲି ରକ୍ଷଣଶୀଳ ଲୋକମାନଙ୍କର ଭାବନା ରହିଥିଲା। ତେବେ ପୃଥିବୀ ଶୂନ୍ୟରୁ ଈଶ୍ବରଙ୍କ ଦ୍ବାରା ସୃଷ୍ଟି ହୋଇଛି ଓ ସୃଷ୍ଟି ପ୍ରକ୍ରିୟା କେତୋଟି ଦିନରେ ସମାପ୍ତ ହୋଇଛି ଭାବନାକୁ ବ୍ରୁନୋ ସ୍ବୀକାର କରୁନଥିଲେ। ଏହା ସହିତ ଈଶ୍ବର ଯେ ଜଣେ ବ୍ୟକ୍ତି ଏହା ମଧ୍ୟ ସେ ଗ୍ରହଣ କରୁନଥିଲେ ସୁଦ୍ଧା ସେ ଦାର୍ଶନିକ ଅବବୋଧରେ ନିରୀଶ୍ବରବାଦୀ ନ ଥିଲେ। ବରଂ ସେ ଥିଲେ ସର୍ବେଶ୍ବରବାଦୀ। ପ୍ରକୃତି ଓ ବିଶ୍ବ ସର୍ବତ୍ର ସେ ଈଶ୍ବରଙ୍କ ସତ୍ତାକୁ ଅନୁଭବ କରୁଥିଲେ। ତେଣୁ ସେ ମଧ୍ୟ ଥିଲେ ଗଭୀର ପ୍ରକୃତିପ୍ରେମୀ। ବିଶ୍ବ ପ୍ରକୃତିର ସ୍ବସ୍ଥିତି, ବିଶାଳତା, ଶୃଙ୍ଖଳା ଓ ନିୟତ ନିୟମମାନଙ୍କ ଦ୍ବାରା ସେ ଗଭୀର ଅଭିଭୂତ ହେଉଥିଲେ। ବ୍ରୁନୋଙ୍କ ଦାର୍ଶନିକ ବିଚାରକୁ ଆଧାର କରି ବ୍ୟାଖ୍ୟାକାରମାନେ ତାଙ୍କୁ ପ୍ରକୃତିବାଦୀ, ଭୂମାବାଦୀ, ଅଦ୍ବୈତବାଦୀ ବା ସର୍ବେଶ୍ବରବାଦୀ ଭାବେ ଚିତ୍ରଣ କରିଛନ୍ତି।
ବ୍ରୁନୋ ଓ ଗାଲିଲିଓ ଥିଲେ ସମସାମୟିକ। ଉଭୟ କୋପରନିକସଙ୍କ ଭାବଧାରାର ମଧ୍ୟ ପ୍ରବକ୍ତା ରହିଥିଲେ। ପାଶ୍ଚାତ୍ୟ ଚିନ୍ତା ରାଜ୍ୟରେ କୋପନରନିକସ (୧୪୭୩-୧୫୪୩) ସୂର୍ଯ୍ୟ-କେନ୍ଦ୍ରୀୟ ମତବାଦର ପ୍ରଥମ ପ୍ରବକ୍ତା ଥିଲେ। ଏହି ମତାନୁଯାୟୀ ଆମ ସୌରମଣ୍ଡଳରେ ସୂର୍ଯ୍ୟ କେନ୍ଦ୍ରରେ ଅବସ୍ଥାନ କରେ ଓ ଏହା ସ୍ଥିର। ସୂର୍ଯ୍ୟ ଚତୁର୍ପାର୍ଶ୍ବରେ ପୃଥିବୀ ଓ ଅନ୍ୟ ଗ୍ରହମାନେ ଘୂର୍ଣ୍ଣାୟମାନ। ବ୍ରୁନୋ କୋପରନିକସଙ୍କ ଏହି ଜ୍ୟୋତିର୍ବିଜ୍ଞାନଜନିତ ସିଦ୍ଧାନ୍ତ ବିଷୟରେ ସମ୍ଭବତଃ ଅବଗତ ନ ଥିଲେ। ତେବେ ବ୍ରୁନୋ ନିଜସ୍ବ ଅବବୋଧ ଭିତରେ ସୂର୍ଯ୍ୟ-କେନ୍ଦ୍ରୀୟ ଜଗତର ମଧ୍ୟ ପ୍ରବକ୍ତା ଥିଲେ। ସୂର୍ଯ୍ୟ ସ୍ଥିର ଓ ପୃଥିବୀ ଘୂର୍ଣ୍ଣନଶୀଳ; ଏହା ମଧ୍ୟ ସେ ଯୁଗର ଭାବଧାରାର ଘୋର ବିରୋଧ କରୁଥିଲା। ବରଂ ଗାଲିଲିଓଙ୍କର ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପର ଉଦ୍ଭାବନ ପେର ବିଜ୍ଞାନ ସ୍ତରରେ ସୂର୍ଯ୍ୟ ସ୍ଥିର ଓ ଗ୍ରହମାନେ ଘୂର୍ଣ୍ଣନଶୀଳ ପ୍ରକଳ୍ପକୁ ବସ୍ତୁନିଷ୍ଠ ଭାବରେ ପ୍ରତିଷ୍ଠା କରାଯାଇ ପାରିଲା। ବ୍ରୁନୋ ଜଣେ ଗଣିତଜ୍ଞ ଓ ଜ୍ୟୋତିର୍ବିଜ୍ଞାନୀ ଥିବାରୁ ସେ ନିଜସ୍ବ ଧାରାରେ ସୂର୍ଯ୍ୟ-କେନ୍ଦ୍ରୀୟ ମତବାଦର ଅବତାରଣା କରିଥିଲେ। କୋପରନିକସ, ବ୍ରୁନୋ ଓ ଗାଲିଲିଓ ସୂର୍ଯ୍ୟ-କେନ୍ଦ୍ରୀୟ ସିଦ୍ଧାନ୍ତ ନିଜ ନିଜ ଶୈଳୀରେ ପ୍ରସାର କରିବାର ଗୌରବ ଲାଭ କରିଥାନ୍ତି।
ବ୍ରୁନୋ ମୋଟ ଉପରେ ତାଙ୍କର ଦାର୍ଶନିକ ଓ ବୈଜ୍ଞାନିକ ସିଦ୍ଧାନ୍ତମାନଙ୍କ ପାଇଁ କ୍ୟାଥଲିକ୍ ଧର୍ମାଧିକାରୀମାନଙ୍କର ରୋଷର ସମ୍ମୁଖୀନ ହୋଇଥିଲେ। ଷୋଡ଼ଶ ଶତାବ୍ଦୀରେ ଇଉରୋପୀୟ ସମାଜ ଧର୍ମକୈନ୍ଦ୍ରିକ ରାଜତନ୍ତ୍ର ଦ୍ବାରା ପରିଚାଳିତ ହେଉଥିଲା। ସ୍ବାଧୀନ ଚିନ୍ତା, ବୈଜ୍ଞାନିକ ମନୋଭାବ ସମାଜରେ ପରିବ୍ୟାପ୍ତ ହୋଇନଥିଲା। ନବଜାଗରଣର ଧାରା ଆରମ୍ଭ ହୋଇଥିଲେ ମଧ୍ୟ ଇଉରୋପୀୟ ସମାଜ ଅତ୍ୟନ୍ତ ରକ୍ଷଣଶୀଳ ଥିଲା ଓ ଧର୍ମାଧିକାରୀମାନେ ସମାଜରେ ଅଖଣ୍ଡ ପ୍ରଭାବ ବିସ୍ତାର କରି ରହିଥିଲେ। ଧାର୍ମିକ ବିଶ୍ବାସର ପରିପନ୍ଥୀ କୌଣସି ସିଦ୍ଧାନ୍ତକୁ କ୍ୟାଥଲିକ୍ମାନେ ଗ୍ରହଣ କରୁନଥିଲେ। ଜଣଙ୍କର ସିଦ୍ଧାନ୍ତ ଯେତେ ଯୁକ୍ତିନିଷ୍ଠ ଓ ତଥ୍ୟମୂଳକ ହେଲେ ମଧ୍ୟ ତାହା ଯଦି ଧର୍ମୀୟ ବିଶ୍ବାସର ବିରୋଧାଚରଣ କରୁଥିଲା ତାହାକୁ ଦୃଢ଼ ଭାବରେ ଦମନ କରାଯାଉଥିଲା। ଧର୍ମଗ୍ରନ୍ଥର ବାଣୀ ଯେ ଈଶ୍ବର ଦତ୍ତ ଜ୍ଞାନ ଓ ସାର୍ବଜନୀନ ଭାବେ ସତ୍ୟ ଏହା ସେ ଯୁଗରେ ବଦ୍ଧମୂଳ ଧାରଣା ହୋଇ ରହିଥିଲା। ସୁତରାଂ ଏହି ସାମାଜିକ ଓ ଧାର୍ମିକ ପରିବେଶରେ ବ୍ରୁନୋଙ୍କୁ ଧର୍ମଦ୍ରୋହୀ ବୋଲି ଘୋଷଣା କରାଗଲା। ନବ ଜାଗରଣର ଆରମ୍ଭ ପର୍ବର ସନ୍ଧିକ୍ଷଣରେ ବହୁ ମୁକ୍ତଚିନ୍ତକ, ବୈଜ୍ଞାନିକ ନାନା ନିର୍ଯାତନା ସହ୍ୟ କରିଛନ୍ତି। ଗାଲିଲିଓ ବନ୍ଦୀ ଜୀବନ ବିତାଇଛନ୍ତି ଓ ବ୍ରୁନୋ ସହିଦ ହୋଇଛନ୍ତି।
ସଭ୍ୟତାକୁ ନୂତନ ଆଲୋକ ଦେଖାଇଥିବା ମନୀଷୀମାନଙ୍କର ଜୀବନ କାହାଣୀ କିନ୍ତୁ ଅତ୍ୟନ୍ତ ଦୁଃଖଭରା ଓ ଯନ୍ତ୍ରଣାଦାୟକ। ବ୍ରୁନୋ ଇତିହାସର ସେହିପରି ଏକ ବ୍ୟକ୍ତିତ୍ବ ଯିଏ ନିଜର ବୌଦ୍ଧିକ ଅବଦାନ ପାଇଁ ନିର୍ମମ ଭାବେ ହତ୍ୟାର ଶିକାର ହୋଇଛନ୍ତି। ତାଙ୍କର ବିଚାର ସମୟରେ ସେ ନିଜର ସିଦ୍ଧାନ୍ତମାନଙ୍କୁ ଭୁଲ୍ ବୋଲି ସ୍ବୀକାର କରିନାହାନ୍ତି। ବରଂ, ସେଥି ଲାଗି ମୃତ୍ୟୁବରଣ କରିଛନ୍ତି। ବୃଦ୍ଧ ଗାଲିଲିଓ ପ୍ରାଣ ଭୟରେ ବନ୍ଦୀଶାଳରେ ଥିବା ବେଳେ ତାଙ୍କ ସିଦ୍ଧାନ୍ତମାନ ଭୁଲ୍ ବୋଲି ବାଧ୍ୟ ହୋଇ ସ୍ବୀକାର କରିଥିଲେ। ବ୍ରୁନୋ ତାହା ନ କରି ଅଗ୍ନିକୁ ନିକ୍ଷେପିତ ହୋଇଥିଲେ।
ମୋ: ୯୪୩୮୫୪୭୮୯୫
ନବ ଚିନ୍ତନ ଓ ଦଣ୍ଡିତ ଦାର୍ଶନିକ
ଧନେଶ୍ବର ସାହୁ
/sambad/media/post_attachments/wp-content/uploads/2023/11/ddaggdgdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)