ଏଥିେର କେହି ଦ୍ବିମତ ହେବାର ଅବକାଶ ନାହିଁ ଯେ ଏ ସମସ୍ତ ହେଉଛି ମନୁଷ୍ୟର ଧୈର୍ଯ୍ୟହୀନତାର ପରିଚାୟକ। ଧୈର୍ଯ୍ୟର ପ୍ରତୀକ ରୂପେ ଯୁଗ ଯୁଗ ଧରି ଦଣ୍ଡାୟମାନ ହିମାଳୟ ବୋଧହୁଏ ମନୁଷ୍ୟର ଏହି ଧୈର୍ଯ୍ୟହୀନତାକୁ ପସନ୍ଦ ନ କରି ସିଲ୍କ୍ୟାରା ଘଟଣା ମାଧ୍ୟମରେ ତାକୁ ଶିକ୍ଷାଦାନ କରିଛି।
୧୯୬୪ରେ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ପାଇ ତାହାକୁ ପ୍ରତ୍ୟାଖ୍ୟାନ କରିଥିବା ପ୍ରସିଦ୍ଧ ଫରାସୀ ଦାର୍ଶନିକ ଜନ୍ ପଲ୍ ସାତ୍ର ପ୍ରସାର କରିଥିବା ଅସ୍ତିତ୍ବବାଦ ଦର୍ଶନ ଅନୁସାରେ ମନୁଷ୍ୟ କୌଣସି ଅନ୍ତର୍ନିହିତ ଲକ୍ଷ୍ୟ ସାଧନ ନିମିତ୍ତ ଜନ୍ମଗ୍ରହଣ କରି ନ ଥାଏ; ସେ ପ୍ରଥମେ ଜନ୍ମଗ୍ରହଣ କଲା ପରେ ଅର୍ଥାତ୍ ଅସ୍ତିତ୍ବ ଲାଭ କଲା ପରେ ଯାଇ ନିଜ ପାଇଁ ଏକ ଲକ୍ଷ୍ୟ ଚୟନ କରିଥାଏ। ସମାଲୋଚକମାନେ ପ୍ରଶ୍ନ କରିଥାନ୍ତି, ଯଦି ମନୁଷ୍ୟର ଅସ୍ତିତ୍ବ ହେଉଛି ଲକ୍ଷ୍ୟହୀନ, ତା’ହେଲେ ସାତ୍ର କାହିଁକି ଲେଖାଲେଖି କରୁଥିଲେ? ସେମାନଙ୍କ ଭାଷାରେ ଏହାର ଉତ୍ତର ହେଲା, ସାତ୍ରଙ୍କ ଦର୍ଶନ ଥିଲା- ‘ରୢାଟ୍ ଫିଲସଫି’ ବା ‘ମୂଷିକ ଦର୍ଶନ’; ମୂଷା ଯେଉଁଭଳି କେବେହେଲେ ଚୁପ୍ ହୋଇ ବସି ରହିପାରେ ନାହିଁ, ସବୁ ଜିନିଷକୁ କାଟି ଟିକ୍ଟିକ୍ କରିଦିଏ, ସାତ୍ର ସେଇଭଳି ଚୁପ୍ ହୋଇ ବସି ନ ପାରି ପ୍ରଚଳିତ ଚିନ୍ତାଧାରାକୁ ତାଙ୍କର ଲେଖା ମାଧ୍ୟମରେ କାଟି ଗୁଣ୍ଡ କରି ଦେଇଥିଲେ।
ଏହି ମୂଷିକ ଦର୍ଶନର ସାତ୍ର-ସୁଲଭ ବୌଦ୍ଧିକତାର ଅପର ପ୍ରାନ୍ତରେ କେହି ଯଦି ଏହାକୁ ଆକ୍ଷରିକ ଭାବେ କାର୍ଯ୍ୟରେ ପ୍ରୟୋଗ କରିଥାନ୍ତି, ସେମାନେ ହେଉଛନ୍ତି ଆଇନର ଆଢୁଆଳରେ ନିଜର ଜୀବିକା ଅର୍ଜନ କରି ନିଜର ‘ଅସ୍ତିତ୍ବ’କୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଥିବା ଭାରତର ତଥାକଥିତ ‘ରୢାଟ୍-ହୋଲ୍ ମାଇନର୍ସ’ (‘ମୂଷା ଗାତ ଖୋଦନକାରୀ’) ବା ସଂକ୍ଷେପରେ ‘ରୢାଟ୍ ମାଇନର୍ସ’ (‘ଖୋଦନକାରୀ ମୂଷାମାନେ’)। ଏମାନେ ମୂଷା ଭଳି ଭୂ-ପୃଷ୍ଠରୁ ଅତ୍ୟନ୍ତ ସଂକୀର୍ଣ୍ଣ ଭୂ-ଲମ୍ବ ଗାତ ଖୋଳି ମାଟି ତଳେ ଥିବା କୋଇଲା ଭଣ୍ଡାର ନିକଟରେ ପହଞ୍ଚି ମୂଷା ନିଜର ଦାନ୍ତରେ କାଟିବା ଭଳି ହାତରେ ଶାବଳ, ଗଇଁତି ଆଦି ଧରି କୋଇଲା ଶଯ୍ୟାକୁ କାଟି କାଟି ସେଇ ଗାତ ଦେଇ ଉପରକୁ ଉଠାଇ ଆଣିଥାନ୍ତି। ସେଇ ଗାତଟି ଏତେ ସଂକୀର୍ଣ୍ଣ ହୋଇଥାଏ ଯେ କେବଳ ଜଣେ ମାତ୍ର ଖନନକାରୀ ମୂଷା ଭଳି ତା’ ଭିତରେ ପ୍ରବେଶ କରିବା ସମ୍ଭବ ହୋଇଥାଏ।
ଏ ପ୍ରକାର ଖଣି ଖନନର ପରିବେଶ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ଥାଏ କହି ପରିବେଶ ସୁରକ୍ଷା ମହଲରେ ଏହାକୁ ଘୋର ବିରୋଧ କରାଯାଉଥିବା ବେଳେ ଏହା ସଂପୃକ୍ତ ଖନନକାରୀମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି କହି ମାନବାଧିକାର ସୁରକ୍ଷା ମହଲରେ ମଧ୍ୟ ଏହାକୁ ଅନୁରୂପ ଭାବରେ ବିରୋଧ କରାଯାଇଥାଏ। ଏହି କାରଣରୁ ନେସନାଲ୍ ଗ୍ରୀନ୍ ଟ୍ରାଇବୁନାଲ୍ ୨୦୧୪ରେ ସାରା ଦେଶରେ ‘ରୢାଟ୍-ହୋଲ୍ ମାଇନିଙ୍ଗ୍’କୁ ନିଷିଦ୍ଧ ଘୋଷଣା କରି ନିର୍ଦ୍ଦେଶ ପ୍ରଦାନ କରିଥିଲା। କିନ୍ତୁ ଯେହେତୁ ଏହି ପଦ୍ଧତି ଅନୁସୃତ ହେଉଥିବା ଅନେକ ଅଞ୍ଚଳରେ ଜୀବିକା ଅର୍ଜନର ଅନ୍ୟ କୌଣସି ବିକଳ୍ପ ପନ୍ଥା ଉପଲବ୍ଧ ନାହିଁ, ସେଠାରେ ଏହି ମୂଷିକ-ସୁଲଭ ଆଚରଣ ତଥାପି ବଳବତ୍ତର ରହିଛି, ଖନନକାରୀମାନଙ୍କ ମଧ୍ୟରେ ହାତରେ ଗାତ ଖୋଳିବା ଓ କୋଇଲା କାଟିବା କୌଶଳ ପୂର୍ବ ଭଳି ବଜାୟ ରହିଛି। ଏହା ହିଁ ଏବେ ଉତ୍ତରକାଶୀର ସିଲକ୍ୟାରା ଠାରେ ଦୀର୍ଘ ୧୭ ଦିନ ଧରି ସୁଡ଼ଙ୍ଗ ଭିତରେ ବନ୍ଦୀ ହୋଇ ରହିଥିବା ଶ୍ରମିକମାନଙ୍କ ପାଇଁ ସୌଭାଗ୍ୟ ସାବ୍ୟସ୍ତ ହୋଇଛି।
ଧସି ଯାଇଥିବା ସୁଡ଼ଙ୍ଗ ଭିତରେ ଅଟକି ରହିଥିବା ସେଇ ୪୧ ଜଣ ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ଓଜନଦାର ଅଗର୍ ମେସିନ୍ ସାହାଯ୍ୟରେ ଖନନ କରି ସେଇ ଅତଡ଼ା ଭିତର ଦେଇ ଭୂମି ସହିତ ସମାନ୍ତରାଳ ଭାବରେ ତିନି-ଚତୁର୍ଥାଂଶ ପଥ ଅତିକ୍ରମ କରି ଏକ ପାଇପ୍ ଖଞ୍ଜିବା ପରେ ମେସିନ୍ଟିଏ ଭାଙ୍ଗି ଯାଇ ବାଟ ଓଗାଳିଲା। ଏହା ପରେ ଉଦ୍ଧାର ଅଭିଯାନ ପରିଚାଳକମାନେ ନିରୁପାୟ ହୋଇ ‘ରୢାଟ୍ ମାଇନର୍ସ’ଙ୍କ ଶରଣ ପଶିଲା ପରେ ସେମାନଙ୍କର ଏକ ଟିମ୍ ସେଠାରେ ପହଞ୍ଚି ସୋମବାର ଦିନ ହାତରେ ଖନନ ଆରମ୍ଭ କରି ମଙ୍ଗଳବାର ରାତି ସୁଦ୍ଧା ଉଦ୍ଧାର କାର୍ଯ୍ୟ ସମାପ୍ତ କଲେ। ଏଥିସହିତ ସେମାନେ ସମଗ୍ର ଦେଶବାସୀଙ୍କର ଦୀର୍ଘ ଉତ୍କଣ୍ଠାର ଅବସାନ ଘଟାଇବାରେ େଶଷ ସ୍ପର୍ଶ ପ୍ରଦାନ କରି ସେମାନଙ୍କର ବିଶେଷ କୃତଜ୍ଞତା ଲାଭ କରିଛନ୍ତି; ଅବଶ୍ୟ ଉଦ୍ଧାର ଅଭିଯାନ ସହିତ ସଂପୃକ୍ତ ସମସ୍ତେ ସାରା ଦେଶର ଅଶେଷ ପ୍ରଶଂସା ଲାଭ କରିଛନ୍ତି। ଏକ ଭୟଙ୍କର ବିପର୍ଯ୍ୟୟର ସଫଳ ମୁକାବିଲାରେ ସେମାନେ ଯେଉଁଭଳି ଅତୁଳନୀୟ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି, ତାହା ପୃଥିବୀର ବିପର୍ଯ୍ୟୟ ପ୍ରଶମନ ପରିସରରେ ସେମାନଙ୍କୁ ଏକ ଅନୁକରଣୀୟ ଆଦର୍ଶରେ ପରିଣତ କରିଛି।
ଦୁଇ ସପ୍ତାହରୁ ଅଧିକ କାଳ ବ୍ୟାପୀ ଏହି ସାମଗ୍ରିକ ଜାତୀୟ ଯନ୍ତ୍ରଣାର ଅନ୍ତ ଘଟିବା ପରେ ଏବେ ସ୍ବାଭାବିକ ଭାବରେ ଏହି ବିପର୍ଯ୍ୟୟର ପୃଷ୍ଠଭୂମି ଆଲୋଚନାର ବିଷୟବସ୍ତୁ ପାଲଟିବ, କାରଣ ଏହା ହେଉଛି ଏକ ମନୁଷ୍ୟକୃତ ବିପର୍ଯ୍ୟୟ। ହିମାଳୟ ଅଞ୍ଚଳର ଯେଉଁ ରାଜ୍ୟରେ ସୁଡ଼ଙ୍ଗ ଖନନ ଜନିତ ଆଘାତ େଯାଗୁଁ ପାର୍ବତ୍ୟ ଅତଡ଼ା ଧସି ଏହି ବିପର୍ଯ୍ୟୟ ସୃଷ୍ଟି ହେଲା, ସେଇ ଉତ୍ତରାଖଣ୍ଡରେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ଏକ ହଜାରରୁ ଅଧିକ ସଂଖ୍ୟକ ଅତଡ଼ା ଧସିବା ଘଟଣା ଘଟିଛି, ଯେଉଁଥିରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାର ମୁଖ୍ୟ କାରଣ ହେଉଛି ନିଜେ ଖୋଦ୍ ହିମାଳୟ। ଏହି ପର୍ବତମାଳା ହେଉଛି ପୃଥିବୀର କନିଷ୍ଠତମ ପର୍ବତମାଳା ଯାହାର ଉତ୍ପତ୍ତି ୪୫ ନିୟୁତ ବର୍ଷ ତଳେ ଦୁଇଟି ମହାଦେଶୀୟ ଚଟାଣ ବା କଣ୍ଟିନେଣ୍ଟାଲ୍ ପ୍ଲେଟ୍ ମଧ୍ୟରେ ଧକ୍କା ଓ ତଜ୍ଜନିତ ଭାଙ୍ଗ ସୃଷ୍ଟି ଯୋଗୁଁ ଘଟିଥିଲା। ସେଇ ପ୍ରକ୍ରିୟାର ଏବେ ମଧ୍ୟ ଅନ୍ତ ଘଟି ନାହିଁ ଓ ତେଣୁ ହିମାଳୟର ଉଚ୍ଚତାରେ ଏବେ ମଧ୍ୟ ବୃଦ୍ଧି ଘଟି ଚାଲିଛି।
ହିମାଳୟର ଏହି ଯୁବାବସ୍ଥା ଯୋଗୁଁ ସେଠାକାର ମୃତ୍ତିକା ଏ ପର୍ଯ୍ୟନ୍ତ କଠିନ ଭାବରେ ବାନ୍ଧି ହୋଇ ନାହିଁ, ବା ଅନ୍ୟ ଭାଷାରେ କହିଲେ, ଅପେକ୍ଷାକୃତ ହୁଗୁଳା ଅବସ୍ଥାରେ ଅଛି। ଏଥିଯୋଗୁଁ ଏ ଅଞ୍ଚଳରେ େଯକୌଣସି ନିର୍ମାଣର ଭିତ୍ତି ଟଳମଳ ହେବାର ଆଶଙ୍କା ଥାଏ। ଏହାର ଏକ ଉଦାହରଣ ସ୍ବରୂପ କେତେ ମାସ ତଳେ ସେଇ ରାଜ୍ୟର ଜୋଷୀମଠ ସହରରେ ଶହଶହ ଗୃହରେ ତଥା ସଡ଼କମାନଙ୍କରେ ଫାଟ ସୃଷ୍ଟି ହୋଇ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା। ଉପରୋକ୍ତ ଉଚ୍ଚତା ବୃଦ୍ଧି ପ୍ରକ୍ରିୟା ହିମାଳୟକୁ ମଧ୍ୟ ଏକ ଭୂମିକମ୍ପ ପ୍ରବଣ ଅଞ୍ଚଳରେ ପରିଣତ କରିଛି।
ଏହି ପୃଷ୍ଠଭୂମିରେ ଏହି ରାଜ୍ୟର ଚାରିଟି ଜିଲ୍ଲାରେ ଚାଲିଥିବା ‘ଚାର୍ ଧାମ୍’ ପ୍ରକଳ୍ପ ଅନ୍ତର୍ଗତ ବ୍ୟାପକ ନିର୍ମାଣ କାର୍ଯ୍ୟ କିଭଳି ଭୂ-ତାତ୍ତ୍ବିକ ଚାପ ସୃଷ୍ଟି କରୁଥିବ, ତାହା ସହଜେ ଅନୁମେୟ। ଏହି ପ୍ରକଳ୍ପ ଅନୁସାରେ ଉପସ୍ଥିତ ସଡ଼କମାନଙ୍କର ପ୍ରଶସ୍ତୀକରଣ ସହିତ ୧୬ଟି ବାଇପାସ୍, ୧୫ଟି ଫ୍ଲାଏଓଭର୍ ଓ ୧୦୦ରୁ ଅଧିକ ଛୋଟ ପୋଲମାନଙ୍କର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ ଅଛି ଦୁଇଟି ସଡ଼କ ଟନେଲ୍- ସାଢ଼େ ଚାରି କିମି ଦୀର୍ଘ ଏହି ସିଲ୍କ୍ୟାରା ଟନେଲ୍ ଓ ଚାମ୍ବା ଠାରେ ଏକ ଛୋଟ ୪୦୦ ମିଟର ଦୀର୍ଘ ବିଶିଷ୍ଟ ଟନେଲ୍। ଏହା ବାଦ୍ ରହିଛି ରେଳବାଇ ଓ ଜଳବିଦ୍ୟୁତ୍ ପ୍ରକଳ୍ପମାନଙ୍କ ପାଇଁ ନିର୍ମାଣ କରାଯାଉଥିବା ଟନେଲ୍ମାନ। ଏକ ୧୨୫ କିମି ଦୀର୍ଘ ରେଳପଥ ନିର୍ମାଣ ନିମିତ୍ତ ଖୋଳା ହେବାକୁ ଯାଉଥିବା ୧୨ଟି ଟନେଲ୍ର ଦୈର୍ଘ୍ୟ ହେଉଛି ୧୧୦ କିମିରୁ ଅଧିକ। ସେ ରାଜ୍ୟରେ ବିଦ୍ୟୁତ୍ ଶକ୍ତି ଚାହିଦା ପୂରଣ ନିମିତ୍ତ ୩୩ଟି ଜଳବିଦ୍ୟୁତ୍ କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ, ଆହୁରି ୧୪ଟି ନିର୍ମିତ ହେବାକୁ ଯାଉଛି।
ସିଲ୍କ୍ୟାରା ଠାରେ ଯେଉଁ ଟନେଲ୍ ନିର୍ମାଣ ସମୟରେ ଉପରୋକ୍ତ ବିପର୍ଯ୍ୟୟ ଘଟିଲା, ତାହାର ଉଦ୍ଦେଶ୍ୟ ହେଉଛି ୨୫.୬ କିମି ଦୂରତାକୁ ସଂକୁଚିତ କରି ୪.୫ କିମି କରିଦେବା; ସାମୟିକ ଭାବରେ ତୁଷାର-ଅବରୋଧ ଅବସ୍ଥାକୁ ଏଡ଼ାଇ ଏକ ସବୁଦିନିଅା ଗମନାଗମନ ପଥ ଉନ୍ମୁକ୍ତ କରିବା; ଏବଂ ଦୁଇ ପ୍ରାନ୍ତ ମଧ୍ୟରେ ଗମନାଗମନ ସମୟକୁ ବର୍ତ୍ତମାନର ୫୦ ମିନିଟ୍ରୁ ହ୍ରାସ କରି ମାତ୍ର ୫ ମିନିଟ୍ କରିଦେବା। ଏଥିେର କେହି ଦ୍ବିମତ ହେବାର ଅବକାଶ ନାହିଁ ଯେ ଏ ସମସ୍ତ ହେଉଛି ମନୁଷ୍ୟର ଧୈର୍ଯ୍ୟହୀନତାର ପରିଚାୟକ। ଧୈର୍ଯ୍ୟର ପ୍ରତୀକ ରୂପେ ଯୁଗ ଯୁଗ ଧରି ଦଣ୍ଡାୟମାନ ହିମାଳୟ ବୋଧହୁଏ ମନୁଷ୍ୟର ଏହି ଧୈର୍ଯ୍ୟହୀନତାକୁ ପସନ୍ଦ ନ କରି ସିଲ୍କ୍ୟାରା ଘଟଣା ମାଧ୍ୟମରେ ତାକୁ ଶିକ୍ଷାଦାନ କରିଛି।