ସୁତରାଂ, ଏକ ବାସ୍ତବତା ହେଲା ସାଧାରଣ ନାଗରିକଙ୍କ ପ୍ରଦତ୍ତ ଟିକସ ଅର୍ଥରେ ରାଷ୍ଟ୍ରଗୁଡ଼ିକ ଯୁଦ୍ଧ ସରଂଜାମ କ୍ରୟ କରିବେ, ରାଷ୍ଟ୍ର ନେତାମାନଙ୍କ ପ୍ରତିପତ୍ତି ବୃଦ୍ଧି ଲାଗି ରାଷ୍ଟ୍ରଗୁଡ଼ିକ ଯୁଦ୍ଧରେ ବ୍ୟାପୃତ ମଧ୍ୟ ହେବେ ଏବଂ ସାଧାରଣ ନ‌ାଗରିକଙ୍କ ଶୋଣିତରେ ସେଚିତ ଯୁଦ୍ଧ କ୍ଷେତରୁ ରାଷ୍ଟ୍ରନେତା, ପୁଂଜିପତି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଫସଲ ଅମଳ କରି ଚାଲିବେ!

Advertisment

ଯୁଦ୍ଧ ସଂଦର୍ଭରେ ପ୍ରସିଦ୍ଧ ବ୍ରିଟିସ ଲେଖକ ଜର୍ଜ ଅରୱେଲଙ୍କ ଯେଉଁ ପ୍ରାଜ୍ଞସୁଲଭ ବକ୍ତବ୍ୟ ଯୁଦ୍ଧର ପ୍ରକୃତ ଚରିତ୍ରକୁ ବୁଝାଇବାରେ ସହାୟକ ହୋଇଥାଏ, ତାହା ହେଲା ଯୁଦ୍ଧର ଉଦ୍ଦେଶ୍ୟ ଜିଣିବା ନୁହେଁ; ଏହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ନିରନ୍ତର ଅବ୍ୟାହତ ରହିବା। ସଂପ୍ରତି ପୃଥିବୀର ବିଭିନ୍ନ ପ୍ରାନ୍ତରେ ବଳବତ୍ତର ରହିଥିବା ସଂଘର୍ଷ ଏବଂ ଛୋଟବଡ଼ ଯୁଦ୍ଧଗୁଡ଼ିକର କାରଣ ଓ ଗତି-ପ୍ରକୃତିିକୁ ଲକ୍ଷ୍ୟ କଲେ ଧାରଣା ଜନ୍ମିଥାଏ ଯେ ସେ ସବୁ କିଭଳି ଅସରନ୍ତି ହୋଇ ଚାଲିଛନ୍ତି, ଏବଂ ସମାପ୍ତ ବୋଲି ଅଗତ୍ୟା ପ୍ରତୀତ ହେଉଥିବା ଅନେକ ଯୁଦ୍ଧର ପାଉଁଶ ତଳେ ନିଆଁର ଝୁଲ ତଥାପି କୁହୁଳି ରହିଛି। ତେବେ ଅରୱେଲଙ୍କ ବିଚାରକୁ ଆଉ ଟିକିଏ ସଂପ୍ରସାରିତ କରିଦେଲେ ଏହା ମଧ୍ୟ ଦିଶି ଯାଇଥାଏ ଯେ କିଭଳି ଯୁଦ୍ଧ ଏକ ନିରନ୍ତର ଅମଳକ୍ଷମ ଅର୍ଥକରୀ ଫସଲରେ ମଧ୍ୟ ପରିଣତ ହୋଇ ସାରିଛି। ଗଲା ୨୪ ତାରିଖରେ ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସାମୟିକ ବିରତି ଘଟି ଯଦିଓ ଶାନ୍ତିର ଶୀତଳ ପବନ ପ୍ରବାହିତ ହେବା ନେଇ ଆଶା ସଂଚାରିତ ହୋଇଛି, ସାଧାରଣ ଜ୍ଞାନ କହିଥାଏ ଯେ ଏହା ଦୀର୍ଘସ୍ଥାୟୀ ହୋଇ ନ ପାରେ ଏବଂ ପୃଥିବୀର ବକ୍ଷକୁ ଶୋଣିତାର୍ଦ୍ର କରି ଚାଲିଥିବା ଅସଂଖ୍ୟ ଯୁଦ୍ଧର ସ୍ଥାୟୀ ଅବସାନ ଘଟିବା ଏକ ଅସମ୍ଭବ ବ୍ୟାପାର; କାରଣ ଯୁଦ୍ଧର ଫସଲରୁ ଅମଳ କରୁଥିବା ବୃହତ୍‌ ଚାଷୀଗଣ ନିଶ୍ଚିତ ଭାବେ ଏଭଳି ହେବାକୁ ଦେବେ ନାହିଁ।
ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲୀ ଆକ୍ରମଣରେ ଇତିମଧ୍ୟରେ ୧୦,୦୦୦ରୁ ଅଧିକ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ଏହି ଯୁଦ୍ଧର ପ୍ରାରମ୍ଭ କାଳରେ ପୃଥିବୀର ବୃହତ୍ତମ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସରଂଜାମ ‌େଯାଗାଣକାରୀ ‘କଣ୍ଟ୍ରାକ୍ଟର’ (ଠିକା ସଂସ୍ଥା) ‘ରେଥନ୍‌’ ଏବଂ ‘ଜେନେରାଲ ଡାଇନାମିକ୍‌ସ’ ସେମାନଙ୍କ ନିବେଶକାରୀମାନଙ୍କୁ ଉଲ୍ଲାସର ସହିତ ଜଣାଇଥିଲେ ଯେ ପ୍ରଚୁର ଲାଭର ସମୟ ଉପସ୍ଥିତ; ଯାହାକୁ ପ୍ରମାଣ କଲା ଭଳି ରିପୋର୍ଟ ପହଞ୍ଚିଛି ଯେ ଏହି ୫୮ ଦିନର ଯୁଦ୍ଧ ଅବଧିରେ ଆମେରିକୀୟ ଯୁଦ୍ଧାସ୍ତ୍ର ବ୍ୟବସାୟର ‘ଷ୍ଟକ୍‌’ ମୂଲ୍ୟରେ ୩୦ ବିଲିଅନ (୧ ବିଲିଅନ ହେଉଛି ୧୦୦ କୋଟି) ଡଲାର ବୃଦ୍ଧି ଘଟିଛି। ପ୍ରକାଶ ଥାଉ କି ଇସ୍ରାଏଲ୍‌ର ଯୁଦ୍ଧ ସାମଗ୍ରୀ କ୍ରୟରେ ଆମେରିକୀୟ କଂପାନିଗୁଡ଼ିକର ଅଂଶ ହେଉଛି ୯୨% ଏବଂ ସମଗ୍ର ପୃଥିବୀର ଯୁଦ୍ଧାସ୍ତ୍ର କାରବାରର ପ୍ରାୟ ୪୦%ର ଅଧିକାରୀ ହେଉଛନ୍ତି ୫୧ଟି ଆମେରିକୀୟ କଂପାନି। ଏଠାରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଯୁଦ୍ଧ ସରଂଜାମ ଆମଦାନି ଏବଂ ରପ୍ତାନି ନେଇ ରାଜିନାମା ବା ଚୁକ୍ତି ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ମଧ୍ୟରେ ସଂପାଦିତ ହେଉଥିଲେ ହେଁ ବ୍ୟବସାୟ ପ୍ରାୟତଃ ଘରୋଇ ଉଦ୍ୟୋଗଗୁଡ଼ିକ ଦ୍ବାରା ସଂପନ୍ନ ହୋଇଥାଏ; ଯେମିତି ଭାରତ ସରକାର କ୍ରୟ କରୁଥିବା ରାଫେଲ ଯୁଦ୍ଧ ବିମାନର ନିର୍ମାତା ହେଉଛି ଫ୍ରାନ୍‌ସର ଏକ ଘରୋଇ ଉଦ୍ୟୋଗ ଡାସଲ୍‌ଟ। କେବଳ ସେତିକି ନୁହେଁ, ଏହି ଘରୋଇ କଂପାନିଗୁଡ଼ିକ କୌଣସି ରାଜନୈତିକ ବା ବିବେକାନୁମୋଦିତ ଆଦର୍ଶ ଦ୍ବାରା ଉଦ୍‌ବୁଦ୍ଧ ହୋଇ ନ ଥାଆନ୍ତି ଏବଂ ଏହାର କାରବାରରେ ଦୁର୍ନୀତି, ‘କିକ୍‌ ବ୍ୟାକ୍‌’ ଏବଂ ଚୋରା ଚାଲାଣ ଏକ ଅବିଚ୍ଛେଦ୍ୟ ଅଂଶ ହୋଇଥାଏ; ଯାହା ଫଳରେ ଯୁଦ୍ଧ ବା ସଂଘର୍ଷରେ ବ୍ୟାପୃତ ପରସ୍ପର ବିରୋଧୀ ପକ୍ଷ ସମାନ ଉଦ୍ୟୋଗ ଦ୍ବାରା ନିର୍ମିତ ଯୁଦ୍ଧାସ୍ତ୍ର ବ୍ୟବହାର କରନ୍ତି ଏବଂ ତାହା କୌଣସି ଭ୍ରୂକୁଂଚନ ସୃଷ୍ଟି କରି ନ ଥାଏ। କେବଳ ସେତିକି ନୁହେଁ, ଆଉ ଏକ ବିଡ଼ମ୍ବନା ହେଲା ଏହା ଯେ ଜାତିସଂଘର ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ଅତ୍ୟନ୍ତ ପ୍ରଭାବଶାଳୀ ପାଞ୍ଚ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲାଣ୍ଡ, ରୁଷିଆ ଏବଂ ଚୀନ ଭଳି ଚାରି ସଦସ୍ୟ ହେଉଛନ୍ତି ପୃଥିବୀର ସର୍ବାଧିକ ଯୁଦ୍ଧାସ୍ତ୍ର ନିର୍ମାଣକାରୀ ଏବଂ ରପ୍ତାନିକାରୀ ରାଷ୍ଟ୍ର; ଯେଉଁମାନଙ୍କ ଜି.ଡି.ପି. କୌଣସି ଯୁଦ୍ଧ କାଳରେ ହିଁ ଯଥେଷ୍ଟ ବୃଦ୍ଧି ପାଇବା ସୁନିଶ୍ଚିତ ହୋଇଯାଏ। ଏଭଳି ସ୍ଥଳେ ଯୁଦ୍ଧ ବନ୍ଦ କରିବା ନେଇ ଜାତିସଂଘ ଅସହାୟ ଭାବେ ଦନ୍ତହୀନ ହୋଇ ପଡ଼ିବା ସ୍ବାଭାବିକ ହୋଇଥାଏ।
କେବଳ ଯୁଦ୍ଧାସ୍ତ୍ର ବା ଯୁଦ୍ଧ ସାମଗ୍ରୀର କ୍ରୟ-ବିକ୍ରୟ ନୁହେଁ, ସମଗ୍ର ସମର ପ୍ରକରଣଟି କିଭଳି ବ୍ୟବସାୟୀକରଣ ଦ୍ବାରା ପ୍ରଭାବିତ, ତାହା ନିମ୍ନ ପ୍ରଦତ୍ତ ଦ୍ରଷ୍ଟବ୍ୟରୁ ସ୍ପଷ୍ଟ ହେବ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ କାଳରେ ହଠାତ୍‌ ଲୋକଲୋଚନକୁ ଆସିଥିବା ‘ୱାଗନର ଗ୍ରୁପ୍’ ହେଉଛି ଏକ ଭଡ଼ାଟିଆ ସୈନିକ ଯୋଗାଣକାରୀ ଘରୋଇ କଂପାନି ଯାହା ରୁଷିଆ ପକ୍ଷରୁ ଯୁଦ୍ଧ କରୁଥିଲା। ତେବେ, କେବଳ ‘ୱାଗନର ଗ୍ରୁପ୍‌’ ନୁହେଁ, ରୁଷିଆ ଏବଂ ଅନ୍ୟାନ୍ୟ କେତେକ ଦେଶରେ ଏଭଳି ଏକାଧିକ ଭଡ଼ାଟିଆ ସୈନିକ ଯୋଗାଣକାରୀ ଘରୋଇ କଂପାନି (ଡନ୍‌ ବ୍ରିଗେଡ୍‌, ସ୍ପିଅରହେଡ୍‌ ଲିମିଟେଡ୍‌ ଇତ୍ୟାଦି) ବିଦ୍ୟମାନ, ଯେଉଁମାନେ ଯୁଦ୍ଧ କରିବାକୁ ଯେ କୌଣସି ରାଷ୍ଟ୍ର ଲାଗି ‘ଆଉଟ୍‌ ସୋର୍ସିଂ’ ସଂସ୍ଥା ରୂପେ ଅବତୀର୍ଣ୍ଣ ହେବା ଲାଗି ସର୍ବଦା ପ୍ରସ୍ତୁତ ହୋଇ ରହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ‘ବ୍ଲାକ୍‌ ୱାଟର’ ମଧ୍ୟ ଏଭଳି ଏକ କୁଖ୍ୟାତ ଘରୋଇ କଂପାନି, ଯାହାର ପ୍ରତିଷ୍ଠାତା ଜନୈକ ପୂର୍ବତନ ଆମେରିକୀୟ ନୌ-ବାହିନୀ ଅଧିକାରୀ ଏରିକ୍‌ ପ୍ରିନ୍‌ସ। ‘ଦ ୱାଲ ଷ୍ଟ୍ରିଟ୍‌ ଜର୍ନାଲ’ର ରିପୋର୍ଟ ଅନୁସାରେ ଲିବିୟାରେ ଚାଲୁ ରହିଥିବା ଗୃହଯୁଦ୍ଧ ସକାଶେ ‘ବ୍ଲାକ୍‌ ୱାଟର’ ହିଁ ଦାୟୀ। ଇରାକ‌ରେ ଏହି ଭଡ଼ାଟିଆ ବାହିନୀ ଦ୍ବାରା ହୋଇଥିବା ହତ୍ୟା ଏବଂ ରକ୍ତପାତର ପରିସଂଖ୍ୟାନ ଜାତିସଂଘ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଥାଏ, ଯାହା କହିଥିଲା ଯେ ୨୦୦୫ ମସିହାରେ ଇରାକରେ ହୋଇଥିବା ୧୯୫ଟି ଗୁଳିମାଡ଼ ଘଟଣାରେ ଅନ୍ତତଃ ୧୬୦ଟିରେ ‘ବ୍ଲାକ୍‌ ୱାଟର’ର ସଦସ୍ୟମାନେ ପ୍ରଥମେ ତାହା ଆରମ୍ଭ କରିଥିଲେ। ପ୍ରକାଶ ଥାଉ କି ଅନେକ ରାଷ୍ଟ୍ର ସେମାନଙ୍କ ସୁପ୍ରଶିକ୍ଷିତ ଓ ସୁବ୍ୟବସ୍ଥିତ ସୈନ୍ୟ ବାହିନୀକୁ ଯୁଦ୍ଧରେ ବ୍ୟାପୃତ ନ କରାଇ ଅନେକ ସମୟରେ ଏହି ଭଡ଼ାଟିଆ ସୈନ୍ୟବାହିନୀର ସାହାଯ୍ୟ ନେଉଛନ୍ତି; ଯହିଁରେ ପ୍ରଲମ୍ବିତ ଯୁଦ୍ଧ କାରଣରୁ ହେଉଥିବା ବିଶାଳ ବ୍ୟୟ ଏବଂ ପ୍ରଶିକ୍ଷିତ ମାନବ ସମ୍ବଳର ହାନିକୁ ଅନେକାଂଶରେ ରୋକାଯାଇ ପାରୁଛି। କିନ୍ତୁ, ଏଣେ ଦରିଦ୍ର ରାଷ୍ଟ୍ରର ନାଗରିକମାନଙ୍କୁ ନିଯୁକ୍ତି ପ୍ରଦାନ କରି ଗଢ଼ାଯାଇଥିବା ଏହି ଭଡ଼ାଟିଆ ସୈନ୍ୟ ବାହିନୀକୁ ଯୁଦ୍ଧରେ ଲଗାଇ ଘରୋଇ କଂପାନିଗୁଡ଼ିକ ବିପୁଳ ଆୟ କରିବାରେ ସମର୍ଥ ହେଉଛନ୍ତି। ଏବଂ ଏକ ବିଡ଼ମ୍ବନା ହେଲା, ଏଭଳି କଂପାନିଗୁଡ଼ିକର ଉପାର୍ଜନ ଏବଂ ଲାଭ ଦ୍ବାରା ପ୍ରଲୁବ୍‌ଧ ହୋଇ ଅନେକ ବିଶିଷ୍ଟ ରାଜନୈତିକ ନେତାମାନେ ଏ ସବୁର ବ୍ୟାବସାୟିକ ଅଂଶୀଦାର ହୋଇ ‘ଲବି’ କରୁଥିବା ପରିଦୃଷ୍ଟ ହେଉଛି; ଉଦାହରଣ ସ୍ବରୂପ ଇରାକ୍‌ ଆକ୍ରମଣ ସମୟ‌େର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ ସିନିଅର ସଂଶ୍ଳିଷ୍ଟ ଥିବା ‘କାରଲାଇଲ୍‌’ ଗ୍ରୁପ୍‌ ଏକ ବିଶାଳ ପ୍ରତିରକ୍ଷା ‘କଂଟ୍ରାକ୍ଟ’ ବା ଠିକା ହାସଲ କରିଥିଲା ବା ସେହି ସମୟରେ ଉପରାଷ୍ଟ୍ରପତି ଡିକ୍‌ ଚେନି ସଂପୃକ୍ତ ଥିବା କଂପାନି ‘ହାର୍ଲି ବର୍ଟନ’ ମଧ୍ୟ ୭ ବିଲିଅନ ଡଲାରର ଏକ ‘ଡିଫେନ୍‌ସ କଂଟ୍ରାକ୍ଟ’ ଦ୍ବାରା ଲାଭବାନ ହୋଇଥିଲା। ଏଥିରୁ ଅନୁମାନସାପେକ୍ଷ, ଯୁଦ୍ଧ କିଭଳି ମୁଷ୍ଟିମେୟ ପ୍ରଭାବଶାଳୀଙ୍କ ଲାଗି ଅର୍ଥକରୀ ହୋଇ ଉଠିଛି।
ଲେଖକ ଜର୍ଜ ଅରୱେଲ ପ୍ରଗତିଶୀଳ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୩୬ ମସିହାରୁ ୧୯୩୯ ମସିହା ଯାଏ ଚାଲିଥିବା ବିଖ୍ୟାତ ‘ସ୍ପାନିସ ସିଭିଲ ୱାର୍‌’ ବା ‘ସ୍ପେନୀୟ ଗୃହଯୁଦ୍ଧ’ରେ ଯୋଗ ଦେଇଥିଲେ ସତ, ସେ ଥିଲେ ଜଣେ ଶାନ୍ତିକାମୀ ମନୁଷ୍ୟ। ସୁତରାଂ, ଯୁଦ୍ଧର ଅଂଶ ହେବା ପରେ ତାଙ୍କ ଦୃଷ୍ଟିରେ ଯୁଦ୍ଧ ବିଗ୍ରହମାନ ଦୁର୍ବୋଧ୍ୟ ଗୋଲକଧନ୍ଦାରେ ପରିଣତ ହୋଇଥିଲେ ଏବଂ ସେ ହୃଦ୍‌ବୋଧ କରି ପାରିଥିଲେ ଯେ କୌଣସି ସମସ୍ୟାର ସମାଧାନ ଉଦ୍ଦେଶ୍ୟ‌େର କଦାଚିତ୍‌ ଯୁଦ୍ଧ କରାଯାଇ ନ ଥାଏ; ଯୁଦ୍ଧର ପ୍ରକୃତ ଉଦ୍ଦେଶ୍ୟ ହେଲା ଅସମାପ୍ତ ଭାବେ ଗଡ଼ି ଚାଲିବା। ସଂପ୍ରତି ଅରୱେଲଙ୍କ ମୃତ୍ୟୁର ପ୍ରାୟ ସାତ ଦଶନ୍ଧି ପରେ ଯୁଦ୍ଧ ଯେତେବେଳେ ଏକ ବଜାର ବ୍ୟବସ୍ଥା ଦ୍ବାରା ପରିଚାଳିତ ହେଉଥିବା ବିଷୟ ସ୍ପଷ୍ଟ ହୋଇ ସାରିଲାଣି, ସେତିକି ବେଳେ ଅରୱେଲଙ୍କ ବକ୍ତବ୍ୟ ଆହୁରି ଅଧିକ ଯଥାର୍ଥ ଭଳି ପ୍ରତୀୟମାନ ହୋଇଥାଏ। ସୁତରାଂ, ଏକ ବାସ୍ତବତା ହେଲା ସାଧାରଣ ନାଗରିକଙ୍କ ପ୍ରଦତ୍ତ ଟିକସ ଅର୍ଥରେ ରାଷ୍ଟ୍ରଗୁଡ଼ିକ ଯୁଦ୍ଧ ସରଂଜାମ କ୍ରୟ କରିବେ, ରାଷ୍ଟ୍ର ନେତାମାନଙ୍କ ପ୍ରତିପତ୍ତି ବୃଦ୍ଧି ଲାଗି ରାଷ୍ଟ୍ରଗୁଡ଼ିକ ଯୁଦ୍ଧରେ ବ୍ୟାପୃତ ମଧ୍ୟ ହେବେ ଏବଂ ସାଧାରଣ ନ‌ାଗରିକଙ୍କ ଶୋଣିତରେ ସେଚିତ ଯୁଦ୍ଧ କ୍ଷେତରୁ ରାଷ୍ଟ୍ରନେତା, ପୁଂଜିପତି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଫସଲ ଅମଳ କରି ଚାଲିବେ!