ଦାର୍ଶନିକମାନେ ସଂସାରରେ ମନ୍ଦଶକ୍ତିର ଉପସ୍ଥିତିକୁ ଦୁଇ ଭାଗରେ ବିଭକ୍ତ କରିଥାନ୍ତି। ଗୋଟିଏ ହେଉଛି ଭୂମିକମ୍ପ, ବାତ୍ୟା, ପାଣ୍ଡେମିକ୍‌ ଆଦି ଭଳି ମନୁଷ୍ୟକୁ ଦହଗଞ୍ଜ କରୁଥିବା ପ୍ରାକୃତିକ ମନ୍ଦଶକ୍ତିମାନ। ଅନ୍ୟଟି ହେଲା ହତ୍ୟା, ଧର୍ଷଣ, ଶୋଷଣ ଆଦି ଭଳି କୃତ୍ରିମ ମନ୍ଦଶକ୍ତିମାନ। କୃତ୍ରିମ, କାରଣ ଏହି ଦ୍ବିତୀୟ କିସମଟି ହେଉଛି ସମ୍ପୂର୍ଣ୍ଣ ରୂପେ ମନୁଷ୍ୟକୃତ। ଏ ଦୁଇଟି ମନ୍ଦଶକ୍ତି ମିଶି ପୃଥିବୀକୁ ମନୁଷ୍ୟ ପାଇଁ ନର୍କରେ ପରିଣତ କରିଥାନ୍ତି (ଆଲଡସ୍‌ ହକ୍ସଲି କହିଥିବା ଭଳି ଏ ପୃଥିବୀ ହେଉଛି ଅନ୍ୟ କୌଣସି ଏକ ଗ୍ରହର ନର୍କ)। କିନ୍ତୁ ପୃଥିବୀର ଏଭଳି ଅବସ୍ଥା ପାଇଁ ଯାହାକୁ ଅଧିକ ଦାୟୀ କରାଯିବ, ତାହା ହେଉଛି ଉପରୋକ୍ତ ଦ୍ବିତୀୟ କିସମର ମନୁଷ୍ୟକୃତ ମନ୍ଦଶକ୍ତି। କାରଣ, ମନୁଷ୍ୟ ମସ୍ତିଷ୍କରୁ ଯଦି ଏହି ମନ୍ଦ ଆବେଗ ବା ମନ୍ଦ ଉଦ୍ଦେଶ୍ୟମାନ ନିର୍ଗତ ହେଉନଥାନ୍ତା, ତା ହେଲେ ମନୁଷ୍ୟମାନେ ମିଳିମିଶି ପ୍ରାକୃତିକ ମନ୍ଦଶକ୍ତିମାନଙ୍କର ମୁକାବିଲା କରିବା ପରେ ନିରାପଦରେ କାଳ କାଟି ପାରୁଥାନ୍ତେ। ଏହି କୃତ୍ରିମ ମନ୍ଦର ଉପସ୍ଥିତି ଯୋଗୁଁ ମନୁଷ୍ୟ ହିଁ ମନୁଷ୍ୟର ଯନ୍ତ୍ରଣାର କାରଣ ହୋଇଥାଏ।
ମନୁଷ୍ୟ ଏପରି ଦୋଷଯୁକ୍ତ ହୋଇ କାହିଁକି ସୃଷ୍ଟି ହୋଇଛି ଓ କିଏ ତାକୁ ସୃଷ୍ଟି କରିଛି, ଏହା ଏକ ଅସମାହିତ ପ୍ରଶ୍ନ, କିନ୍ତୁ ଏହି ଦୋଷଯୁକ୍ତ ମନୁଷ୍ୟ ଦ୍ବାରା ମନୁଷ୍ୟ ଜାତି ପାଇଁ ଇତିହାସ ସାରା ଯେଉଁ ସବୁ ମନ୍ଦ କାର୍ଯ୍ୟମାନ ସଂଘଟିତ ହୋଇଛି ଓ ହୋଇ ଚାଲିଛି, ଯଦି ଭୀଷଣତା ଅନୁଯାୟୀ ସେ ସମସ୍ତର ଏକ ମାନ୍ୟତା ତାଲିକା ପ୍ରସ୍ତୁତ କରାଯାଏ, ତେବେ ଦାସପ୍ରଥା ଯେ ସେ ତାଲିକାର ଶିଖର ଅଞ୍ଚଳରେ ଏକ ସ୍ଥାନ ଅଧିକାର କରିବ, ଏଥିରେ କୌଣସି ସନ୍ଦେହ ନାହିଁ। ଏହା ଚେଙ୍ଗିଜ୍‌ ଖାନ୍‌ କିମ୍ବା ହିଟ୍‌ଲର୍‌ଙ୍କର ବର୍ବର କାର୍ଯ୍ୟକଳାପ ଭଳି ଦୃଷ୍ଟି ଆକର୍ଷଣ କରି ନଥାଏ, କିନ୍ତୁ ମାନବୀୟ ଦୁର୍ଦ୍ଦଶା ସୃଷ୍ଟି କରିବାରେ ଏହାର ଭୂମିକା ଯେଉଁଭଳି ଜଘନ୍ୟ ଓ ସୁଦୂରପ୍ରସାରୀ ହୋଇଛି, ତାହା ଅତୀତର କୌଣସି ଅତ୍ୟାଚାରୀ ଶାସକଙ୍କ ଅବଦାନ ଠାରୁ କୌଣସି ଗୁଣରେ କମ୍‌ ନୁହେଁ।
ଦାସପ୍ରଥାର ଯେଉଁ ସାଧାରଣ ଚିତ୍ର ସହିତ ଆମେମାନେ ପରିଚିତ, ତାହା ହେଉଛି ଆଫ୍ରିକାରୁ କୃଷ୍ଣକାୟମାନଙ୍କୁ ହରଣଚାଳ କରି ନିଆଯାଇ ଆମେରିକା ମହାଦେଶ ଦ୍ବୟରେ ବିକ୍ରୟ କରାଯାଇ କପା, ଆଖୁ ଆଦି କ୍ଷେତରେ ପଶୁ ଭଳି ଖଟାଇବାର ଚିତ୍ର। କିନ୍ତୁ ୟୁରୋପୀୟମାନେ ସେଇ ଆଫ୍ରିକାର ବିିଭିନ୍ନ ଅଞ୍ଚଳ ଦଖଲ କରି ସେଠାକାର ବାସିନ୍ଦାମାନଙ୍କୁ ସେଇଠାରେ ହିଁ ନିଜର ଗୋତି ଶ୍ରମିକ ଭାବରେ ‌ଖଟାଇ ସେମାନଙ୍କ ଉପରେ ଯେଉଁଭଳି ଅତ୍ୟାଚାର କରୁଥିଲେ, ତାହାର ବର୍ବରତା ଆମେରିକାର କପା କ୍ଷେତମାନଙ୍କରେ ପ୍ରଦର୍ଶିତ ବର୍ବରତା ଠାରୁ ମଧ୍ୟ ଅଧିକ ନିର୍ମମ ଥିଲା। ଏହାର ଏକ ନମୁନା ସ୍ବରୂପ ବେଲଜିଅମ୍‌ର ଦଖଲରେ ଥିବା କଙ୍ଗୋକୁ ନିଆଯାଉ। ‘ବେଲଜିଆନ୍‌ କ‌େଙ୍ଗା’ ନାମରେ ପରିଚିତ ଏହି ଦେଶ ୧୮୮୫ ଠାରୁ ବେଲ୍‌ଜିଅମ୍‌ର ରାଜା ଦ୍ବିତୀୟ ଲିଓପୋଲ୍‌ଡଙ୍କର ବ୍ୟକ୍ତିଗତ ସମ୍ପତ୍ତି ରୂପେ ବିବେଚିତ ହୋଇ ଆସୁଥିଲା। ଏକ ଅର୍ଥକରୀ ଶିଳ୍ପ ରୂପେ ଏଠାରେ ଯେଉଁ ରବର ଚାଷ କରାଯାଉଥିଲା, ତାହା ଯେଉଁ ଶ୍ରମିକ ଶୋଷଣ କାର୍ଯ୍ୟକଳାପ ଉପରେ ପ୍ରତିଷ୍ଠିତ ଥିଲା; ତା’ର ବର୍ବରତାର ବର୍ଣ୍ଣନା ଏବେ ବି ଲୋମ ଟାଙ୍କୁରାଇ ଦିଏ। ରବର ବଗିଚାରେ ବିନା ପାରିଶ୍ରମିକରେ ଖଟୁଥିବା ସ୍ଥାନୀୟ ଶ୍ରମିକମାନଙ୍କ କାର୍ଯ୍ୟ ପରିଚାଳକମାନଙ୍କ ଦୃଷ୍ଟିରେ ସନ୍ତୋଷଜନକ ନ ହେଲେ, ଉଚିତ ଶିକ୍ଷା ଦେବା ପାଇଁ ଶ୍ରମିକମାନଙ୍କର ହାତ କାଟି ଦିଆଯାଉଥିଲା; ବେଳେ ବେଳେ ପୂରା ଗାଁ ଜଳାଇ ଦିଆଯାଉଥିଲା।
ଉଲ୍ଲେଖଯୋଗ୍ୟ, ସେ ସମୟର ଏହି ଦାସପ୍ରଥା ଉପରୋକ୍ତ ଦାସ ବା ଗୋତି ଶ୍ରମିକମାନଙ୍କର ଶାରୀରିକ ଶ୍ରମର ଶୋଷଣ ଉପରେ କେନ୍ଦ୍ରୀଭୂତ ଥିଲା। ଇତି ମଧ୍ୟରେ ସମୟ ଆଗେଇ ଯାଇ ଏକବିଂଶ ଶତାବ୍ଦୀର ପ୍ରଥମ ଚଉଠ ସମାପ୍ତ ହେବାକୁ ବସିଲାଣି। ଆମେରିକାର କପା କିଆରିରେ କିମ୍ବା କଙ୍ଗୋର ରବର ବଗିଚାରେ ଦାସ ଶ୍ରମ ଇତିହାସରେ ପରିଣତ ହୋଇସାରିଛି। କିନ୍ତୁ ଏଥିସହିତ ମନୁଷ୍ୟର ମନ୍ଦ ପ୍ରକୃତିରୁ ସୃଷ୍ଟ ଏହି ମନ୍ଦଶକ୍ତିର ଯେ ଅନ୍ତ ଘଟିନାହିଁ, ତାହାର ଏକ ସଦ୍ୟତମ ପ୍ରମାଣ ଦେଖିବାକୁ ମିଳିଛି ଏବେ ଦକ୍ଷିଣ-ପୂର୍ବ ଏସିଆରେ, ଦୁର୍ଭାଗ୍ୟଜନକ ଭାବରେ ଯାହାର ଶିକାରରେ ପରିଣତ ହୋଇଛନ୍ତି ଅନ୍ୟମାନଙ୍କ ମଧ୍ୟରେ କେତେକ ଭାରତୀୟ ଯୁବକ। ସମୟ ସହିତ ତାଳ ଦେଇ ଆଜିର ଏହି ଦାସପ୍ରଥାର ଚରିତ୍ରରେ ଯେଉଁ ପରିବର୍ତ୍ତନ ଘଟିଛି, ତାହା ହେଲା ଏହି ଯୁବକମାନଙ୍କର ଶାରୀରିକ ଶ୍ରମ ଶୋଷଣର ନିଶାଣ ନ ହୋଇ, ଯାହା ଶୋଷଣ କରାଯାଉଛି, ତାହା ହେଉଛି ସେମାନଙ୍କର ବୌଦ୍ଧିକ ଶ୍ରମ। ସେମାନଙ୍କର ବୁଦ୍ଧି ସେମାନଙ୍କ ପାଇଁ ବନ୍ଧନରେ ପରିଣତ ହୋଇଛି। ସୂଚନା ଜ୍ଞାନକୌଶଳ (‘ଆଇଟି’)ରେ ନିଜର ବ୍ୟୁତ୍ପତ୍ତି ନିମିତ୍ତ ଭାରତୀୟ ଯୁବକଯୁବତୀମାନେ ପୃଥିବୀରେ ନିଜ ପାଇଁ ଯେଉଁ ପରିଚୟ ସୃଷ୍ଟି କରିଛନ୍ତି, ତାହା ହିଁ ସେମାନଙ୍କ ପାଇଁ ଏହି ଦଶା ସୃଷ୍ଟି କରିଛି।
ବିଗତ ବର୍ଷମାନଙ୍କରେ ମନୁଷ୍ୟ ହାସଲ କରିଥିବା ଏହି ନୂତନ ଜ୍ଞାନ କୌଶଳ ଯେଉଁଭଳି ଚମକପ୍ରଦ ଭାବରେ ଉପଯୋଗୀ ସାବ୍ୟସ୍ତ ହେବାରେ ଲାଗିଛି, ଏହାର ବିଭିନ୍ନ ଦୁରୁପଯୋଗ ମଧ୍ୟ ସେଇଭଳି ଚିନ୍ତାଜନକ ଭାବରେ ଚମକପ୍ରଦ ହୋଇଛି। ଅନ୍‌ଲାଇନ୍‌ ବିତ୍ତୀୟ ଠକେଇ, ଜୁଆଖେଳ, ବେଶ୍ୟାବୃତ୍ତି ଆଦି ହେଉଛି ଏହି ଦୁରୁପଯୋଗର ଅଂଶ। ଯେଉଁ ଅପରାଧୀ ଗୋଷ୍ଠୀମାନେ ‘ଆଇଟି’ ଅସ୍ତ୍ରର ଏଭଳି ଦୁରୁପଯୋଗ କରିବାକୁ ଚାହାଁନ୍ତି, ସେମାନେ ଏଥିପାଇଁ କୁଶଳୀ କର୍ମୀମାନଙ୍କୁ ଆବଶ୍ୟକ କରନ୍ତି। କହିବା ବାହୁଲ୍ୟ, ଭାରତୀୟ ଶିକ୍ଷିତ ଯୁବକଯୁବତୀମାନେ ହେଉଛନ୍ତି ଏଥିପାଇଁ ସର୍ବାଧିକ ଉପଯୁକ୍ତ। ଏମାନଙ୍କୁ ପ୍ରଲୋଭିତ କରି ଆକର୍ଷିତ କରିବା ପାଇଁ ଅପରାଧ ‌େଗାଷ୍ଠୀମାନେ ମିଥ୍ୟା ବିଜ୍ଞାପନମାନ ମାଧ୍ୟମରେ (ମୁଖ୍ୟତଃ ସେଇ ‘ଆଇଟି’ର ସନ୍ତାନ ସୋସିଆଲ୍‌ ନେଟ୍‌ୱର୍କ ମାଧ୍ୟମରେ) ଥାଇଲାଣ୍ଡରେ ଉଚ୍ଚପଦ ଓ ମୋଟା ପାରିଶ୍ରମିକ ବହନ କରୁଥିବା ନିଯୁକ୍ତି ଉପଲବ୍‌ଧ ଥିବା ସମ୍ବନ୍ଧରେ ସୂଚନା ପ୍ରସାର କରିଥାନ୍ତି। ଏହା ବ୍ୟତୀତ ଏଥିପାଇଁ ଏଜେଣ୍ଟ୍‌ମାନେ ମଧ୍ୟ ସକ୍ରିୟ ଥାନ୍ତି।
ପ୍ରକାଶିତ ସୂଚନା ଅନୁସାରେ ଏହି କୌଶଳର ଶିକାର ହୋଇ ପ୍ରାୟ ୩୦୦ ସରିକି କୁଶଳୀ ଭାରତୀୟ ଯୁବକ ଯାଇ ଥାଇଲାଣ୍ଡରେ ପହଞ୍ଚିବା ପରେ ସେମାନଙ୍କୁ ଜବରଦସ୍ତ ଅବୈଧ ଭାବରେ ସୀମା ପାର କରାଇ ମ୍ୟାମାର୍‌ର ମ୍ୟାୱାଡି ଅଞ୍ଚଳରେ ବନ୍ଦୀ ଅବସ୍ଥାରେ ରଖାଯାଇ ସେମାନଙ୍କ ଦ୍ବାରା ବିଭିନ୍ନ ଅନ୍‌ଲାଇନ୍‌ ଅାପରାଧିକ କାର୍ଯ୍ୟ କରାଯାଉଛି। ସେମାନଙ୍କୁ ସଶସ୍ତ୍ର ପ୍ରହରୀମାନେ ଜଗି ରହିଛନ୍ତି ଏବଂ କାର୍ଯ୍ୟ ସନ୍ତୋଷଜନକ ନ ହେଲେ ସେମାନଙ୍କୁ ଅକଥନୀୟ ଶାରୀରିକ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡୁଛି। ମ୍ୟାୱାଡି ଅଞ୍ଚଳ ହେଉଛି କାୟିନ୍‌ ପ୍ରଦେଶର ଅଂଶ ଯେଉଁଠି ମ୍ୟାମାର୍‌ର ସାମରିକ ସରକାର ନିଜର ପ୍ରଭୁତ୍ବ ବିସ୍ତାର କରିପାରିନାହାନ୍ତି। ତେଣୁ ମ୍ୟାମାର୍‌ ସରକାରଙ୍କ ସହାୟତାରେ ଭାରତ ସରକାର ଏମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଥିଲେ ମଧ୍ୟ ତାହା ଆଶାଜନକ ଭାବରେ ସଫଳ ହୋଇପାରୁନାହିଁ। ଏହି ସାଇବର୍‌ ଦାସତ୍ବର ଶିକାର ଭାରତୀୟମାନେ ସେଠାରେ ତ୍ରିବିଧ ଅପରାଧରେ ଛନ୍ଦି ହୋଇଯାଇଛନ୍ତି: ସାଇବର୍‌ ଅପରାଧ, ମ୍ୟାମାର୍‌ ଭିତରେ ଅବୈଧ ପ୍ରବେଶ, ଯଦି ଥାଇଲାଣ୍ଡକୁ ପ୍ରତ୍ୟାବର୍ତ୍ତନ କରନ୍ତି ତାହେଲେ ମ୍ୟାମାର୍‌ରୁ ଥାଇଲାଣ୍ଡ ଭିତରକୁ ଅବୈଧ ପ୍ରବେଶ।
ସୂଚନାଯୋଗ୍ୟ ଏ ଘଟଣା ଏବେ ଲୋକଲୋଚନକୁ ଆସିଥିଲେ ହେଁ, ଏଭଳି ଛଳନାପୂର୍ଣ୍ଣ ଅପହରଣ ମାଧ୍ୟମରେ ସାଇବର୍‌ ଦାସମାନଙ୍କୁ କବଳିତ କରି ସେମାନଙ୍କ ଦ୍ବାରା ଡିଜିଟାଲ ଅପରାଧ ଘଟାଇବା କାମ୍ବୋଡିଅ‌ା ଭଳି ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ ଦେଶମାନଙ୍କରେ ମଧ୍ୟ ଚେର ବିସ୍ତାର କରିସାରିଲାଣି। ମନୁଷ୍ୟର ଏହି ମନ୍ଦ ପ୍ରବୃତ୍ତିରେ ଅନ୍ତ ଘଟାଇବା କ୍ଷମତା ଆମର ନାହିଁ; କିନ୍ତୁ ମ୍ୟାମାର୍‌ ଘଟଣା ଜଣାପଡ଼ିବା ପରେ ଆଉ ସେଭଳି ପ୍ରଲୋଭନର ଜାଲରେ ପଡ଼ି ଦାସତ୍ବର ଶିକାର ହେବାରୁ ଦୂରେଇ ରହିବା ପାଇଁ ଯେତିକି ବୁଦ୍ଧିବୃତ୍ତି ଆ‌ବଶ୍ୟକ, ତାହା ଆମର ବୁଦ୍ଧିମାନ ଯୁବକଯୁବତୀମାନଙ୍କ ଠାରେ ଉପଲବ୍‌ଧ ଅଛି ବୋଲି ଆମର ବିଶ୍ବାସ।