ଶାହରୁଖ ଖାଁ ଏହି ବକ୍ତବ୍ୟକୁ ପ୍ରତିଭାବାନ ଓ ଉଦ୍ୟମୀ ବ୍ୟକ୍ତିଙ୍କ ସଫଳତା ସଂଦର୍ଭ‌େର କହିଥିଲେ; ‘ସି.ସି.-୧’ ଏବଂ ନିଖିଳଙ୍କ ଭଳି ନିର୍ବୋଧ ଅର୍ବାଚୀନଙ୍କ ସଂଦର୍ଭରେ ନୁହେଁ, ଯେଉଁ ଦୁଇ ଜଣ ଏଭଳି ଏକ ଅତ୍ୟନ୍ତ ସାଂଘାତିକ କାର୍ଯ୍ୟକୁ ରୂପ ଦେବା ଲାଗି ଯେଉଁ ସନ୍ଦେଶମାନର ଆଦାନପ୍ରଦାନ କରିବାରେ ଲାଗିଥିଲେ, ତହିଁରେ ଲେଶ ମାତ୍ର ଗୋପନୀୟତା ନ ଥିଲା; ସତେ ଯେମିତି ଦୁଇ ବନ୍ଧୁ ଅବାଧ ଆଳାପ ଆଲୋଚନା କରୁଛନ୍ତି। ତେଣୁ, ଏଭଳି ଅର୍ବାଚୀନଙ୍କ ଅସତର୍କ ଉଦ୍ୟମ ସହିତ ଯଦି ଠିକଣା ସ୍ଥାନ, କାଳ ଓ ପାତ୍ରର ଯୋଗ ନ ଜୁଟେ, ତେବେ କାର୍ଯ୍ୟଟି କିଭଳି ବିଫଳତାର ଅତଳ ଗର୍ଭକୁ ନିକ୍ଷେପିତ ହୋଇଥାଏ, ତାହାର ପ୍ରମାଣ ହିଁ ମିଳିଛି।

Advertisment

ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାଁ ଏକଦା କହିଥିଲେ ଯେ ପ୍ରତିଭା ଏବଂ ଉଦ୍ୟମ ଯେତେ ଉଚ୍ଚକୋଟୀର ହୋଇ ଥାଉ ନା କାହିଁକି, ଯଦି ଠିକଣା ଜାଗା (ସ୍ଥାନ)ରେ, ଠିକଣା ସମୟ (କାଳ)ରେ ଠିକଣା ବ୍ୟକ୍ତି (ପାତ୍ର) ହାବୁଡ଼ି ନାହାନ୍ତି, ତେବେ ସଫଳତା ମିଳିବା ଦୁରୂହ ବ୍ୟାପାର! ସୁତରାଂ, ପ୍ରତ୍ୟେକ ସଫଳତା ପ୍ରାପ୍ତି ପରେ ପଶ୍ଚାତ୍‌ ଦୃଷ୍ଟିରେ ‘ସ୍ଥାନ, କାଳ ଏବଂ ପାତ୍ର’ର ଅନିର୍ବଚନୀୟ ଭୂମିକା ଦିଶିଯାଏ। ପ୍ରସଙ୍ଗ କ୍ରମେ ଏହାର ବିପରୀତଟି ମଧ୍ୟ ସତ୍ୟ; ଅର୍ଥାତ୍‌, ଯଥାର୍ଥ ‘ସ୍ଥାନ, କାଳ ଓ ପାତ୍ର’ର ଅନୁପସ୍ଥିତିରେ ବିଫଳତା ହିଁ ହାତରେ ଲାଗିଥାଏ। ଏହି ପରିପ୍ରେକ୍ଷୀରେ ଭାରତର ଭାବମୂର୍ତ୍ତିକୁ କ୍ଷୁଣ୍ଣ କଲା ଭଳି ଘଟିଥିବା ଏକ ଅତ୍ୟନ୍ତ ଅସ୍ବସ୍ତିକର ଘଟଣା ଏଠାରେ ଏକ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ; ଯାହା ଗଲା ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଛି; ଯହିଁରେ ଭାରତୀୟ ମୂଳୋଦ୍ଭବ ଆମେରିକୀୟ ନାଗରିକ ଗୁରପତୱନ୍ତ ସିଂହ ପନ୍ନୁକୁ ଆମେରିକା ଭୂମିରେ ହତ୍ୟା କରିବାର ଷଡ୍‌ଯନ୍ତ୍ରରେ ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ନିର୍ଭରଯୋଗ୍ୟ ତଥ୍ୟ ପ୍ରମାଣ ସହିତ ସ୍ପଷ୍ଟ ହୋଇଛି। ଏବଂ ଅବଲୀଳା କ୍ରମେ ଏହା ସହିତ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ରହି ଆସିଥିବା ଘନିଷ୍ଠ ରଣନୈତିକ ସହଯୋଗୀର ସଂପର୍କ ଅଗତ୍ୟା ଏକ ସଂକଟ ମଧ୍ୟକୁ ଠେଲି ହୋଇ ଯାଇଛି।
ପ୍ରଥମେ ଏହି ସମଗ୍ର ପ୍ରକରଣକୁ ନେଇ ଆମେରିକୀୟ ତଦନ୍ତ ସଂସ୍ଥା ଦ୍ବାରା ଉପସ୍ଥାପିତ ଅଭିଯୋଗ ପତ୍ର ଉପରେ କ୍ଷିପ୍ର ଦୃଷ୍ଟି ପକାଯାଉ, ଯାହା ଏକ ଏକ ଉତ୍କଣ୍ଠାପୂର୍ଣ୍ଣ ରହସ୍ୟ-ରୋମାଞ୍ଚ ଧର୍ମୀ କାହାଣୀର ଚରିତ୍ର ବହନ କରିଥାଏ। ଏହି ଷଡ୍‌ଯନ୍ତ୍ରରେ ସଂପୃକ୍ତ ଚରିତ୍ରମାନଙ୍କ ମଧ୍ୟରୁ କେବଳ ନିଖିଳ ଗୁପ୍ତା ନାମକ ଜଣେ ଆନ୍ତର୍ଜାତିକ ନିଶା ଦ୍ରବ୍ୟ ଚାଲାଣକାରୀଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ସେହି ଅଭିଯୋଗ ପତ୍ରରେ ସାଂକେତିକ ପରିଚୟ ବହନ କରିଥାଆନ୍ତି; ସୁତରାଂ, ସେମାନଙ୍କ ପ୍ରକୃତ ପରିଚୟ ଏ ଯାବତ୍‌ ପ୍ରଚ୍ଛଦପଟରେ ରହିଛି। ଅଭିଯୋଗ ପତ୍ର ଅନୁସାରେ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବା ଲାଗି ଏହି କାହାଣୀର ମୁଖ୍ୟ ନାୟକ ଦିଲ୍ଲୀରେ ଅବସ୍ଥାପିତ ବରିଷ୍ଠ ଭାରତୀୟ କୂଟନୀତିଜ୍ଞ ସି.ସି.-୧ (ସାଂକେତିକ ପରିଚୟ)ଙ୍କ ଦ୍ବାରା ନିଖିଳ ଗୁପ୍ତା ନିଯୁକ୍ତ ହୁଏ; ଯାହା ବଦଳରେ ଗୁଜରାଟରେ ତା’ ବିରୋଧରେ ଚାଲିଥିବା ନିଶା ଦ୍ରବ୍ୟ କାରବାର ଜନିତ ଏକ ଗୁରୁତର ମାମଲାକୁ ଦଫାରଫା କରାଯିବାର ପ୍ରତିଶ୍ରୁତି ମିଳେ। ସୁତରାଂ, ନିଖିଳ ଗଲା ମଇ ମାସରେ ତା’ର ପରିଚିତ ଜଣେ ଆମେରିକୀୟ ନିଶା ବେପାରୀ ଓ ଅପରାଧୀ ‘ସି.ଏସ୍‌’ ସହିତ ସଂପର୍କ ସ୍ଥାପନ କରି ଅଚିରେ ଜଣେ ଭଡ଼ାଟିଆ ଆତତାୟୀକୁ ଆବିଷ୍କାର କରେ, ଯାହାର ପରିଚୟ ହେଉଛି ‘ୟୁ.ସି.’। ‘ୟୁ.ସି.’ ଏକ ଲକ୍ଷ ଡଲାର ବିନିମୟରେ କାର୍ଯ୍ୟ ସଂପାଦନ କରିବାକୁ ରାଜି ହୁଏ ଏବଂ ଅଗ୍ରିମ ନଗଦ ୧୫ ହଜାର ଡଲାର ଗ୍ରହଣ କରେ। କିନ୍ତୁ ଇତିମଧ୍ୟରେ କାହାଣୀର ଏହି ସାବଲୀଳ ଉପରିଭାଗ ତଳେ ଚରମ ବିଭ୍ରାଟମାନ ଘଟି ସାରିଥାଏ; କାରଣ ‘ସି.ଏସ୍‌’ ଜଣେ ଅପରାଧୀ ହୋଇଥିଲେ ମଧ୍ୟ ଆମେରିକୀୟ ଫେଡେରାଲ ପୁଲିସର ‘ନାର୍କୋ’ ବିଭାଗର ଜଣେ ଗୁପ୍ତ ସୂଚନା ପ୍ରଦାନକାରୀ ହୋଇଥିବାରୁ ସମସ୍ତ ତଥ୍ୟ ପୁଲିସ ନିକଟରେ ପହଞ୍ଚେ; ଫଳରେ ଆତତାୟୀ ରୂପେ ଜଣେ ‘ୟୁ.ସି.’ ବା ‘ଅଣ୍ଡର କଭର୍‌’ ବା ‘ଆତତାୟୀ ଛଦ୍ମବେଶରେ ପୁଲିସ’ର ଆବିର୍ଭାବ ଘଟେ। କହିବା ବାହୁଲ୍ୟ, ଏହା ପରେ ଅତ୍ୟନ୍ତ ସନ୍ତର୍ପଣରେ ‘ସି.ସି.-୧’, ନିଖିଳ, ‘ସି.ଏସ୍‌.’ ଏବଂ ‘ୟୁ.ସି.’ ମଧ୍ୟରେ ନିରନ୍ତର ଆଦାନପ୍ରଦାନ ହୋଇ ଚାଲିଥିବା ଗୁପ୍ତ ସନ୍ଦେଶ ମାଧ୍ୟମରେ ଚକ୍ରାନ୍ତଟି ଅଧିକ ଉଜାଗର ହୋଇ ଉଠିବା ସହିତ ତଦନ୍ତକାରୀ ସଂସ୍ଥା ଲାଗି ନିର୍ଭରଯୋଗ୍ୟ ପ୍ରମାଣମାନ ଠୁଳ ହେବାରେ ଲାଗିଥାଏ। ପ୍ରକାଶ ଥାଉ କି ଏହି କାର୍ଯ୍ୟକୁ ତୁରନ୍ତ ସାରିବା ଲାଗି ନିଖିଳ ଗୁପ୍ତା ଚେକୋସ୍ଲୋଭାକିଆ ଗସ୍ତ କରି ପ୍ରାଗ୍ ବିମାନ ବନ୍ଦରରେ ଓହ୍ଲାଇବା କ୍ଷଣି ତାକୁ ସେଠାରେ ଗିରଫ କରିନିଆଯାଏ ଏବଂ ତୁରନ୍ତ ଆମେରିକାକୁ ପ୍ରତ୍ୟର୍ପଣ କରିଦିଆଯାଏ। ଅଗତ୍ୟା ପନ୍ନୁର ହତ୍ୟା ଷଡ୍‌ଯନ୍ତ୍ର ସଂପୂର୍ଣ୍ଣ ବିଫଳ ହୋଇଯାଏ।
କାନାଡା ହେଉ ଅଥବା ଯୁକ୍ତରାଷ୍ଟ୍ର ଆମେରିକା; ଏହା ନିଃସନ୍ଦେହ ଯେ ଏକ ସାର୍ବଭୌମ ରାଷ୍ଟ୍ରର ଭୂମିରେ ସେହି ଦେଶର ନାଗରିକକୁ ଏକ ବାହାର ରାଷ୍ଟ୍ର ଦ୍ବାରା ନିୟୋଜିତ ଆତତାୟୀ ଦ୍ବାରା ହତ୍ୟା କରାଯିବା ହେଉଛି ଏକ ସଂପୂର୍ଣ୍ଣ ଅଗ୍ରହଣୀୟ ବ୍ୟାପାର, ଯଦ୍ଦ୍ବାରା ସେହି ରାଷ୍ଟ୍ର ଦ୍ବୟ ମଧ୍ୟରେ ଥିବା ଦ୍ବି-ପାକ୍ଷିକ ସଂପର୍କ ସଂକଟାପନ୍ନ ହେବାର ଆଶଙ୍କା ଥାଏ। ସୁତରାଂ, କାନାଡାରେ ହରଦୀପ ସିଂହ ନିଜ୍ଜରର ହତ୍ୟା ହେଉ ବା ଆମେରିକାରେ ପନ୍ନୁର ହତ୍ୟା ଲାଗି ଉଦ୍ୟମ; ତହିଁରେ ଭାରତୀୟ କୂଟନୀତିଜ୍ଞଙ୍କ ପ୍ରତ୍ୟକ୍ଷ ସଂପୃକ୍ତିର ପ୍ରମାଣ ଭାରତକୁ ଲଜ୍ଜାବନତ କରିବା ସହିତ ଏକ କୂଟନୈତିକ ବିଫଳତାର ସମ୍ମୁଖୀନ କରାଇଛି। ଅବଶ୍ୟ, ଏହା ସତ ଯେ ନିଜ୍ଜର ହତ୍ୟାକାଣ୍ଡ ନେଇ ଗଲା ସେପ୍‌ଟେମ୍ବର ମାସରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଅଭିଯୋଗ ପଛରେ ତଥ୍ୟ-ପ୍ରମାଣର ଅବଲମ୍ବନ ନ ଥିଲା; କିନ୍ତୁ ଏବେ ଆମେରିକା ଦ୍ବାରା ପ୍ରସ୍ତୁତ ଅଭିଯୋଗ ପତ୍ରରେ ନିଜ୍ଜର ହତ୍ୟା ନେଇ କାନାଡାର ଅଭିଯୋଗ ଲାଗି ମଧ୍ୟ ପ୍ରମାଣ ଏବଂ ବଳ ମିଳିଛି। ତେବେ, ଏହି ପ୍ରକରଣରେ ଯାହା ଆମେରିକାକୁ କାନାଡା ଠାରୁ ଭିନ୍ନ କରେ, ତାହା ହେଉଛି ଏହି ଅତ୍ୟନ୍ତ ସ୍ପର୍ଶକାତର ଘଟଣାରେ ଆମେରିକା ଦ୍ବାରା ପ୍ରଦର୍ଶିତ ପରିପକ୍ବତା। ତାହା ହୋଇ ନ ଥିଲେ ଦୀର୍ଘ ଛଅ ମାସ ଧରି ଅତ୍ୟନ୍ତ ସନ୍ତର୍ପଣରେ ଏଭଳି ଅନୁସନ୍ଧାନ ଅଗ୍ରଗତି କରି ନ ଥାଆନ୍ତା ଏବଂ ଭୁଲିଗଲେ ହେବ ନାହିଁ ଯେ ଏହି ଅବଧିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁକ୍ତରାଷ୍ଟ୍ର ଆମେରିକା ପରିଦର୍ଶନ ଅତ୍ୟନ୍ତ ସଫଳତାର ସହିତ ସଂପନ୍ନ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଆମେରିକାର ତଦନ୍ତକାରୀ ସଂସ୍ଥା ଏହି ପ୍ରକରଣ ସଂପର୍କରେ ସଂପୂର୍ଣ୍ଣ ସୁନିଶ୍ଚିତ ହେବା ପରେ ଯାଇ ଏକ ମୁଦା ଲଫାପାରେ ମାନହଟ୍ଟାନର ଏକ ଅଦାଲତରେ ଅଭିଯୋଗ ପତ୍ରଟିକୁ ଦାଖଲ କରିଥିଲେ; କିନ୍ତୁ ଅପର ପକ୍ଷରେ କାନାଡା ସରକାର କୌଣସି ତଥ୍ୟ ପ୍ରମାଣ ବିନା ଚିତ୍କାର କରିବା ଆରମ୍ଭ କରିଥିଲେ।
ପ୍ରକାଶ ଥାଉ କି ଏହି ଘଟଣାକୁ ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ସଂପର୍କ ଲାଗି ଏକ ଗୁରୁତର ପରୀକ୍ଷାର କ୍ଷଣ ବୋଲି ଅଭିହିତ କରାଯାଉଛି। ତେବେ, ଏହା ମଧ୍ୟ ସତ ଯେ ଭୂ-ରାଜନୀତି ଦୃଷ୍ଟିରୁ ଏକ ଘନିଷ୍ଠ ରଣନୈତିକ ସଂପର୍କରେ ଆବଦ୍ଧ ଏହି ରାଷ୍ଟ୍ର ଦ୍ବୟ ଅଗତ୍ୟା ସେମାନଙ୍କ ସଂପର୍କକୁ ଏକା ବେଳକେ ଦୁର୍ବଳ ହୋଇଯିବାକୁ ଦେବେ ନାହିଁ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏଭଳି ଏକ ସ୍ଥିତି ଭାରତର ଛବିକୁ ଆନ୍ତର୍ଜାତିକ ପୃଷ୍ଠଭୂମିରେ ମଳିନ କରିଛି; ଉଚ୍ଚ ନୈତିକାଦର୍ଶ ମଞ୍ଚରୁ ଏହା ଭାରତକୁ ତଳକୁ ଠେଲି ଦେଇପାରେ! ସୁତରାଂ, ଏଭଳି ସ୍ଥଳେ ଅନେକ କିଛି ନିର୍ଭର କରିବ ଭାରତର କୂଟନୈତିକ ବିଚକ୍ଷଣତା ଉପରେ। ଏବଂ ଏହାକୁ କେନ୍ଦ୍ର କରି ଆରୋପ-ପ୍ରତ୍ୟାରୋପ, ପ୍ରତିକ୍ରିୟା, ଆଲୋଚନା ଏବଂ ପ୍ରତିଶ୍ରୁତିର ଘନଘଟା ମଧ୍ୟରେ ଭାରତ ଯଦି ପନ୍ନୁକୁ ଜଣେ ଭାରତ ବିରୋଧୀ ବିଚ୍ଛିନତାବାଦୀ ତଥା ଆତଙ୍କବାଦୀ ରୂପେ ଆମେରିକାର ହୃଦ୍‌ବୋଧ କରାଇବାରେ ସମର୍ଥ ହୁଏ ଏବଂ ଆମେରିକା ଭୂମିରୁ ତା’ର ଅବାଧ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇପାରେ, ତେବେ ତାହା ମଧ୍ୟ ଭାରତ ଲାଗି ଏକ ବିରଳ କୂଟନୈତିକ ବିଜୟ ହେବ।
ଏବେ ପୁଣି ଫେରିବା ସେହି ସ୍ଥାନ, କାଳ ଓ ପାତ୍ର ପ୍ରସଙ୍ଗକୁ। ଶାହରୁଖ ଖାଁ ଏହି ବକ୍ତବ୍ୟକୁ ପ୍ରତିଭାବାନ ଓ ଉଦ୍ୟମୀ ବ୍ୟକ୍ତିଙ୍କ ସଫଳତା ସଂଦର୍ଭ‌େର କହିଥିଲେ; ‘ସି.ସି.-୧’ ଏବଂ ନିଖିଳଙ୍କ ଭଳି ନିର୍ବୋଧ ଅର୍ବାଚୀନଙ୍କ ସଂଦର୍ଭରେ ନୁହେଁ, ଯେଉଁ ଦୁଇ ଜଣ ଏଭଳି ଏକ ଅତ୍ୟନ୍ତ ସାଂଘାତିକ କାର୍ଯ୍ୟକୁ ରୂପ ଦେବା ଲାଗି ଯେଉଁ ସନ୍ଦେଶମାନର ଆଦାନପ୍ରଦାନ କରିବାରେ ଲାଗିଥିଲେ, ତହିଁରେ ଲେଶ ମାତ୍ର ଗୋପନୀୟତା ନ ଥିଲା; ସତେ ଯେମିତି ଦୁଇ ବନ୍ଧୁ ଅବାଧ ଆଳାପ ଆଲୋଚନା କରୁଛନ୍ତି। ତେଣୁ, ଏଭଳି ଅର୍ବାଚୀନଙ୍କ ଅସତର୍କ ଉଦ୍ୟମ ସହିତ ଯଦି ଠିକଣା ସ୍ଥାନ, କାଳ ଓ ପାତ୍ରର ଯୋଗ ନ ଜୁଟେ, ତେବେ କାର୍ଯ୍ୟଟି କିଭଳି ବିଫଳତାର ଅତଳ ଗର୍ଭକୁ ନିକ୍ଷେପିତ ହୋଇଥାଏ, ତାହାର ପ୍ରମାଣ ହିଁ ମିଳିଛି।