କୃଷିକାର୍ଯ୍ୟ ଦୁଇଟି ସୀମିତ ସମ୍ବଳ ପ୍ରଚୁର ପରିମାଣରେ ଆବଶ୍ୟକ କରିଥାଏ: ଭୂମି ଓ ଜଳ। ଖାଦ୍ୟ ନଷ୍ଟ ବନ୍ଦ କରାଯାଇ ପାରିଲେ କୃଷି ଉପରେ ଚାପ ହ୍ରାସ ପାଇବ, ଫଳରେ ଭୂମି ଓ ଜଳର ଯୋଗାଣ ଉପରେ ଚାପ ହ୍ରାସ ପାଇବ, ଯାହା ପୃଥିବୀର ପରିବେଶ ପାଇଁ ମଙ୍ଗଳପ୍ରଦ ହେବ। ତେଣୁ ଉଭୟ ଉତ୍ପାଦକ ଭାବରେ ଓ ଖାଉଟି ଭାବରେ ଖାଦ୍ୟ ନଷ୍ଟରେ ଅନ୍ତ ଘଟାଇବା ହେଉଛି ପ୍ରତ୍ୟେକ ଭାରତୀୟର ନୈତିକ ଦାୟିତ୍ବ। ଭାରତୀୟ ସଂସ୍କୃତିରେ ଅନ୍ନ ନଷ୍ଟ ହେଉଛି ଅନ୍ନକୁ ଅପମାନ, ଯାହା ଅନ୍ନପୂର୍ଣ୍ଣାଙ୍କୁ ଅପମାନ ବୋଲି ବିଶ୍ବାସ କରାଯାଇଥାଏ। ଅନ୍ନକୁ ସମ୍ମାନ ପ୍ରଦାନ କଲେ ଦେବୀ ଅନ୍ନପୂର୍ଣ୍ଣା ମନୁଷ୍ୟ ଜାତିର କ୍ଷୁଧା ଦୂର କରିବାରେ ସହାୟକ ହେବେ।

Advertisment

କୌଣସି ଖାଦ୍ୟ କେବଳ ଖାଦ୍ୟ ନୁହେଁ। ଏଥିରେ ଏକତ୍ରିତ ହୋଇଥାଏ ଏହାର ଉତ୍ପନ୍ନକାରୀମାନଙ୍କର ଶ୍ରମ, ମାଟି ମା’ର ଉର୍ବରତା, ଜୀବନଦାନକାରୀ ଜଳ, ବାୟୁ, ସୂର୍ଯ୍ୟାଲୋକ ଏବଂ ସମଗ୍ର ପ୍ରକ୍ରିୟାରେ ନିୟୋଜିତ ହୋଇଥିବା ଅଫେରନ୍ତି ସମୟ। ଖାଦ୍ୟ ଉତ୍ପାଦନର ଅନ୍ତିମ ଲକ୍ଷ୍ୟ ହେଉଛି କ୍ଷୁଧା ନିବାରଣ। ଯଦି ଉତ୍ପନ୍ନ ଖାଦ୍ୟର କୌଣସି ଅଂଶ ଏହି ଲକ୍ଷ୍ୟ ପୂରଣ‌େର ନିୟୋଜିତ ନ ହୁଏ, ତେବେ ଏଥିରେ କେହି ଦ୍ବିମତ ହେବାର ଅବକାଶ ନାହିଁ ଯେ ତାହା ହେଉଛି ଏ ସମସ୍ତ ପ୍ରକୃତିଦତ୍ତ ଅମୂଲ୍ୟ ସମ୍ବଳମାନଙ୍କର ଅପଚୟ। ଆଉ ଯଦି ମନୁଷ୍ୟର ଅବହେଳା କିମ୍ବା ଆଚରଣ ଯୋଗୁଁ ଏହା ଘଟୁଥାଏ, ତେବେ ତାହାକୁ ଏକ ଅକ୍ଷମଣୀୟ ଅପରାଧ ରୂପେ ବିଚାର କରିବା ଭୁଲ୍ ହେବ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ଏହି ଅପଚୟର ଦୁଇଟି ଦିଗ ରହିଛି। ଗୋଟିଏ ହେଲା, କ୍ଷେତରୁ ଖାଉଟି ପାଖରେ ପହଞ୍ଚିବା ମଧ୍ୟରେ ଉତ୍ପନ୍ନ ଖାଦ୍ୟର ପରିମାଣରେ ଯେଉଁ ହ୍ରାସ ଘଟିଥାଏ, ଯାହାକୁ ‘ଖାଦ୍ୟ ହାନି’ ରୂପେ ଅଭିହିତ କରାଯାଇଥାଏ। ଅନ୍ୟଟି ହେଲା, ଖାଉଟି ସ୍ତରରେ ଘଟୁଥିବା ନଷ୍ଟ, ଯାହାକୁ ‘ଖାଦ୍ୟ ନଷ୍ଟ’ ରୂପେ ଅଭିହିତ କରାଯାଇଥାଏ।
ଗତ ସପ୍ତାହରେ ‘ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ରିସର୍ଚ୍ଚ’ (‘ଆଇସିଏଆର୍’) ସୂତ୍ରରୁ ପ୍ରକାଶ ପାଇଥିବା ସୂଚନା ଅନୁସାରେ ଭାରତରେ ପ୍ରତି ବର୍ଷ ଘଟୁଥିବା ମୋଟ ଖାଦ୍ୟ କ୍ଷତିର ପରିମାଣ ହେଉଛି ପ୍ରାୟ ୭୪ ନିୟୁତ ଟନ୍, ଯାହା ହେଉଛି ସାରା ପୃଥିବୀରେ ଘଟୁଥିବା ବାର୍ଷିକ ଖାଦ୍ୟ କ୍ଷତିର ପ୍ରାୟ ୮ ଶତାଂଶ। ଏହା ନିଶ୍ଚିତ ରୂପେ ଚିନ୍ତାଜନକ। ‘ଫୁଡ୍ ସେଫ୍‌ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅଥିରିଟି ଅଫ୍ ଇଣ୍ଡିଆ’ର ରିପୋର୍ଟ ଅନୁସା‌େର ଭାରତରେ ଉତ୍ପାଦିତ ଖାଦ୍ୟର ଏକ-ତୃତୀୟାଂଶ ପାଟି ପାଖରେ ପହଞ୍ଚିବା ପୂର୍ବରୁ ନଷ୍ଟ ହୋଇ ଯାଇଥାଏ।
ଖାଦ୍ୟ ପଦାର୍ଥ ଅମଳ ହେବା ପରେ ପରେ ତାହାର ଉପଯୁକ୍ତ ପରିଚାଳନା କରା ନ ଗଲେ, ତାହାର ଉଭୟ ଗୁଣାତ୍ମକ ଏବଂ ପରିମାଣାତ୍ମକ କ୍ଷୟ ଘଟିବାକୁ ଆରମ୍ଭ କରିଥାଏ। ନିକୃଷ୍ଟ ପରିବହନ ବ୍ୟବସ୍ଥା, ଗୋଦାମ ଘର ଅଭାବ ଓ ଅଦକ୍ଷ ପରିଚାଳନା ଏବଂ ତ୍ରୁଟିପୂର୍ଣ୍ଣ ବଣ୍ଟନ ପଦ୍ଧତି ଆଦି ଏହି କ୍ଷୟର କାରଣ ହୋଇଥାନ୍ତି। ଅମଳ ସମୟରେ ଓ ଅମଳ ପରେ ଶସ୍ୟ, ପନିପରିବା, ଫଳମୂଳ ଆଦିର ପ୍ରାରମ୍ଭିକ ପ୍ରକ୍ରିୟାକରଣ ସମୟରେ ମଧ୍ୟ ପ୍ରଭୂତ ଖାଦ୍ୟ କ୍ଷତି ଘଟିଥାଏ। ଖାଦ୍ୟ ନଷ୍ଟ କରିବାରେ ଖାଉଟିମାନଙ୍କର ଅବଦାନ ମଧ୍ୟ କିଛି କମ୍ ହୋଇ ନ ଥାଏ। ନିଜ ଘରେ ହେଉ କି ହୋଟେଲ, ରେଷ୍ଟୁରାଣ୍ଟ ଆଦି ବଜାର ଭୋଜନାଳୟମାନଙ୍କରେ ହେଉ, ଅଧିକାଂଶ ଲୋକ ଏହି ଧାରଣା ଦ୍ବାରା ପରିଚାଳିତ ହୋଇଥାନ୍ତି ଯେ ଯେହେତୁ ସେମାନେ ନିଜ ପଇସା ଖର୍ଚ୍ଚ କରି ଖାଦ୍ୟପଦାର୍ଥ କ୍ରୟ କରିଛନ୍ତି, ତାହାର ଉପଯୋଗ ଉପରେ ସଂପୂର୍ଣ୍ଣ ଅଧିକାର ମଧ୍ୟ ସେମାନେ ହାସଲ କରିଛନ୍ତି। ଅନେକ ସମୟରେ ତେଣୁ ଦେଖାଯାଇଥାଏ ଥାଳିରେ ନିଆ ଯାଇଥିବା ଖାଦ୍ୟର ଏକ ଅଂଶ ବଳି ପଡ଼ି ଅଳିଆ ଝୁଡ଼ିରେ ପହଞ୍ଚିଥାଏ। ହୁଏତ ସଂପୃକ୍ତ ପରିବାର ପାଇଁ ଏହି ଖାଦ୍ୟ ନଷ୍ଟଜନିତ ଆର୍ଥିକ ବୋଝ ସହନୀୟ ହୋଇ ଥା‌ଇପାରେ କିମ୍ବା ଗ୍ରାହକଙ୍କ ଠାରୁ ପୂରା ପଇସା ପାଇଥିବା ହୋଟେଲ ପାଇଁ ଏହି ଖାଦ୍ୟ ନଷ୍ଟ କୌଣସି ଆର୍ଥିକ ବୋଝ ସୃଷ୍ଟି ନ କରି ପାରୁଥାଏ, କିନ୍ତୁ ସାରା ପୃଥିବୀ ଓ ଅର୍ଥନୀତି ପାଇଁ ଏହି ଖାଦ୍ୟ ବିନଷ୍ଟ ଅନାବଶ୍ୟକ ବାସ୍ତବ ବୋଝ ସୃଷ୍ଟି କରିଥା‌ଏ।
ନିକଟ ଅତୀତରେ ଭାରତରେ ଯାହା ଖାଦ୍ୟ ନଷ୍ଟର ଏକ ପ୍ରମୁଖ ମାଧ୍ୟମ ରୂପେ ଆବିର୍ଭୂତ ହୋଇଛି, ତାହା ହେଉଛି ଏଠାରେ ଆୟୋଜନ କରାଯାଉଥିବା ବିଶାଳ ବିବାହ ଭୋଜିମାନ। ଏକ ଅନୁଶୀଳନ ଅନୁସାରେ ଏହି ବିବାହ ଭୋଜିମାନଙ୍କରେ ‌େଯତିକି ପରିମାଣର ଖାଦ୍ୟ ପ୍ରସ୍ତୁତ ହୋଇଥାଏ, ତ‌ା’ର ପ୍ରାୟ ୪୦ ଶତାଂଶ ଉଚ୍ଛିଷ୍ଟ ଆକାରରେ ପରିତ୍ୟକ୍ତ ହୋଇଥାଏ। ୨୦୨୩ ପାଇଁ ପ୍ରକାଶିତ ‘ଗ୍ଲୋବାଲ୍ ହଙ୍ଗର ଇନ୍‌ଡେକ୍‌ସ’ ବା ବିଶ୍ବ କ୍ଷୁଧା ସୂଚକ ତାଲିକାରେ ୧୨୫ଟି ଦେଶ ମଧ୍ୟରେ ଭାରତର ସ୍ଥାନ ଶୋଚନୀୟ ୧୧୧ତମ ହୋଇଥିବା ବେଳେ ଦେଶରେ ସାମାନ୍ୟତମ ଖାଦ୍ୟ ନଷ୍ଟ ମଧ୍ୟ ଏକ ଅନୈତିକ ଆଚରଣ ରୂପେ ବିବେଚିତ ହୋଇଥାଏ। ଏହାକୁ ଜନସଂଖ୍ୟାର ଏକ ବିଶେଷ ଅଂଶରେ ଅନାହାର ଓ ଅପପୁଷ୍ଟି ଉପସ୍ଥିତିର କାରଣ ରୂପେ ବିଚାର କରିବା ଯଥାର୍ଥ। ଏକ ଆକଳନ ଅନୁସାରେ ଭାରତରେ ଘଟୁଥିବା ବାର୍ଷିକ ଖାଦ୍ୟ ନଷ୍ଟର ଆ‌ର୍ଥିକ ମୂଲ୍ୟ ହେଉଛି ପ୍ରାୟ ୮୯,୦୦୦ କୋଟି ଟଙ୍କା, ଯାହା ହେଉଛି ଭାରତର ‘ମୋଟ ବାର୍ଷିକ ଜାତୀୟ ଉତ୍ପାଦ’ ବା ‘ଜିଡିପି’ର ପ୍ରାୟ ଏକ-ଶତାଂଶ ସହ ସମାନ।
ଭାରତରେ ଘଟୁଥିବା ଖାଦ୍ୟ ନଷ୍ଟ କେବଳ ଭାରତ ପାଇଁ ଚିନ୍ତାର ବିଷୟ ନୁହେଁ। ଭାରତ ବର୍ତ୍ତମାନ ପୃଥିବୀର ଏକ ପ୍ରମୁଖ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ରୂପେ ଆବିର୍ଭୂତ ହୋଇଛି। ନିଜର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ପାଇଁ ଭାରତ ନିକଟରେ ଚାଉଳ ରପ୍ତାନି ସଂକୁଚିତ କରି‌ଦେବାରୁ ତାହା କେତେକ ଦେଶରେ ଖାଦ୍ୟ ସମସ୍ୟା ସୃଷ୍ଟି କରି ଦେଇଛି। ‘ବସୁଧୈବ କୁଟୁମ୍ବକମ୍’ ଆଦର୍ଶରେ ବିଶ୍ବାସ କରୁଥିବା ଭାରତୀୟମାନଙ୍କ ପାଇଁ ତେଣୁ ଖାଦ୍ୟ ନଷ୍ଟ ହେଉଛି ଏକ ଅନୈତିକ ଆଚରଣ। ଯେଉଁ ଖାଦ୍ୟ ସେମାନେ ନଷ୍ଟ କରୁଛନ୍ତି, ସେଇ ଖାଦ୍ୟ ପୃଥିବୀର ଅନ୍ୟ କେଉଁ ଦେଶରେ କାହାର କ୍ଷୁଧା ନିବାରଣ କରି ପାରନ୍ତା। ଏହି ଚିନ୍ତାଧାରାକୁ ଅବଲମ୍ବନ କରି ଖାଦ୍ୟ ନଷ୍ଟରେ ହ୍ରାସ ଘଟାଇବାକୁ ଜାତିସଂଘର ‘ସଷ୍ଟେନେ‌ବଲ୍‌ ଡେଭେଲପ୍‌ମେଣ୍ଟ୍ ଗୋଲ୍‌ସ’ (‘ଏସ୍‌ଡିଜି’)ର ଅନ୍ୟତମ ଲକ୍ଷ୍ୟ ରୂ‌େପ ସ୍ଥାପନ କରାଯାଇଛି। ଏହା ଅନୁସାରେ ୨୦୩୦ ସୁଦ୍ଧା ଖାଉଟି ସ୍ତ‌ରରେ ମୁଣ୍ଡପିଛା ବିଶ୍ବ ଖାଦ୍ୟ ନଷ୍ଟ ଅଧା କରିବା ପାଇଁ ଏବଂ ଅମଳ ପରବର୍ତ୍ତୀ ନଷ୍ଟ ହ୍ରାସ କରିବା ପାଇଁ ତଥା ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳ ସହିତ ସଂଶ୍ଳିଷ୍ଟ ଖାଦ୍ୟ ନଷ୍ଟରେ ହ୍ରାସ ଘଟାଇବା ନିମିତ୍ତ ଲକ୍ଷ୍ୟ ରଖାଯାଇଛି।
ଉପଯୁକ୍ତ ଯୋଗାଣ ଶୃଙ୍ଖଳ ବା ‘ସପ୍ଲାଇ ଚେନ୍’ ପ୍ରତିଷ୍ଠା ଓ ତାହାର ଦକ୍ଷ ପରିଚାଳନା ଦ୍ବାରା ଖାଦ୍ୟ ନଷ୍ଟ ପରିସ୍ଥିତିରେ ଉନ୍ନତି ଆଣି ହେବ। ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ପ୍ରତିଷ୍ଠା ଓ ତା’ର ବ୍ୟବହାରକୁ ଫଳପ୍ରଦ ଭାବରେ ନିୟନ୍ତ୍ରଣ କରିବା ହେଉଛି ଏକ ଦକ୍ଷ ‌େଯାଗାଣ ଶୃଙ୍ଖଳର ଅଂଶ। ଏହି ଶୀତଳ ଭଣ୍ଡାରଗୁଡ଼ିକର ଅବସ୍ଥିତି କେବଳ ସହରାଞ୍ଚଳ ବା ଅର୍ଦ୍ଧସହରାଞ୍ଚଳ ମଧ୍ୟରେ ସୀମିତ ନ ରହି କୃଷିକ୍ଷେତ୍ର ନିକଟବର୍ତ୍ତୀ ଅଞ୍ଚଳରେ ସେଗୁଡ଼ିକ ସ୍ଥାପିତ ହେବା ଆବଶ୍ୟକ, ଯେପରି ଫସଲ ଉତ୍ପାଦନକାରୀମାନେ ସହଜରେ ଓ ଶୀଘ୍ର ସେମାନଙ୍କର ଉତ୍ପନ୍ନ ଦ୍ରବ୍ୟକୁ ଶୀତଳ ଭଣ୍ଡାରରେ ସାଇତି ଦେଇ ପାରିବେ, ଯାହାଦ୍ବାରା ତାହା ନଷ୍ଟ ହେବାରୁ ରକ୍ଷା ପାଇବ। ସେଇଭଳି ସେଇ ଅଞ୍ଚଳରେ ହିଁ ଉତ୍ପନ୍ନ ଖାଦ୍ୟ ଦ୍ରବ୍ୟ ସବୁର ମଧ୍ୟବର୍ତ୍ତୀ ପ୍ରକ୍ରିୟାକରଣ ସଂପନ୍ନ ହେବା ଆବଶ୍ୟକ, ଯାହା ଅନ୍ତିମ ପ୍ରକ୍ରିୟାକରଣ ଘଟିବା ପର୍ଯ୍ୟନ୍ତ ସେ ସବୁକୁ ନଷ୍ଟ ହେବାକୁ ଦେବ ନାହିଁ। ଏହାକୁ ହିଁ ଦୃଷ୍ଟିରେ ରଖି ଗତ ଶୁକ୍ରବାର ଦିନ ‘ୱାର୍ଲଡ୍ ଫୁଡ୍ ଇଣ୍ଡିଆ ୨୦୨୩’ ସମାବେଶରେ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକ୍ରିୟାକରଣ କ୍ଷେତ୍ରରେ ସମ୍ବଳ ନିବେଶ କରିବା ନିମିତ୍ତ କଂପାନି ଓ ଷ୍ଟାର୍ଟଅପ୍‌ମାନଙ୍କୁ ଆହ୍ବାନ ଦେଇଛନ୍ତି। ତେବେ ଏହି ଅାହ୍ବାନ ଫଳବତୀ ହେବା ପାଇଁ ଆବଶ୍ୟକ ଏକ ବିସ୍ତୃତ ପରିବହନ ନେଟୱାର୍କ ସୃଷ୍ଟି। ଅବଶ୍ୟ ବିଗତ ବର୍ଷମାନଙ୍କରେ ଭାରତରେ ଉନ୍ନତ ମାନର ରାସ୍ତାଘାଟ ନିର୍ମାଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ସେ ସବୁ କିନ୍ତୁ ଆମର ଉଦ୍ଦେଶ୍ୟ ପୂରଣ ନିମିତ୍ତ ଯଥେଷ୍ଟ ନୁହନ୍ତି। କୃଷିଜାତ ଖାଦ୍ୟ ଯେତେ ତୁରନ୍ତ ବଜାରରେ ପହଞ୍ଚି ପାରିବ, ତାହା ସେତେ ନଷ୍ଟ ହେବାରୁ ରକ୍ଷା ପାଇବ।
ଏଠାରେ ଅନ୍ୟ ଏକ ଆବଶ୍ୟକତା ପୂରଣ ମଧ୍ୟ ବିଶେଷ ଗୁରୁତ୍ବ ବହନ କରିଥାଏ; ତାହା ହେଲା କୃଷି ଉତ୍ପାଦନକାରୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ। ସେମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରି ଖାଦ୍ୟ ନଷ୍ଟ ହ୍ରାସର ପରିବେଶ ସୁରକ୍ଷା ସହିତ ସଂପର୍କ ପ୍ରତି ସେମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଇପାରେ। କୃଷିକାର୍ଯ୍ୟ ଦୁଇଟି ସୀମିତ ସମ୍ବଳ ପ୍ରଚୁର ପରିମାଣରେ ଆବଶ୍ୟକ କରିଥାଏ: ଭୂମି ଓ ଜଳ। ଖାଦ୍ୟ ନଷ୍ଟ ବନ୍ଦ କରାଯାଇ ପାରିଲେ କୃଷି ଉପରେ ଚାପ ହ୍ରାସ ପାଇବ, ଫଳରେ ଭୂମି ଓ ଜଳର ଯୋଗାଣ ଉପରେ ଚାପ ହ୍ରାସ ପାଇବ, ଯାହା ପୃଥିବୀର ପରିବେଶ ପାଇଁ ମଙ୍ଗଳପ୍ରଦ ହେବ। ତେଣୁ ଉଭୟ ଉତ୍ପାଦକ ଭାବରେ ଓ ଖାଉଟି ଭାବରେ ଖାଦ୍ୟ ନଷ୍ଟରେ ଅନ୍ତ ଘଟାଇବା ହେଉଛି ପ୍ରତ୍ୟେକ ଭାରତୀୟର ନୈତିକ ଦାୟିତ୍ବ। ଭାରତୀୟ ସଂସ୍କୃତିରେ ଅନ୍ନ ନଷ୍ଟ ହେଉଛି ଅନ୍ନକୁ ଅପମାନ, ଯାହା ଅନ୍ନପୂର୍ଣ୍ଣାଙ୍କୁ ଅପମାନ ବୋଲି ବିଶ୍ବାସ କରାଯାଇଥାଏ। ଅନ୍ନକୁ ସମ୍ମାନ ପ୍ରଦାନ କଲେ ଦେବୀ ଅନ୍ନପୂର୍ଣ୍ଣା ମନୁଷ୍ୟ ଜାତିର କ୍ଷୁଧା ଦୂର କରିବାରେ ସହାୟକ ହେବେ।