ଏହି ବାସ୍ତବ ପରିସ୍ଥିତି ଦେଖି ମନେହୁଏ ୨୦୭୦ ସୁଦ୍ଧା ଭାରତ ଅଙ୍ଗାର-ନିରପେକ୍ଷ ହେବାକୁ ଯେଉଁ ଲକ୍ଷ୍ୟ ସ୍ଥାପନ କରିଛି, ତାହାକୁ ଆଉ ଟିକିଏ ଦୂରକୁ ଘୁଞ୍ଚାଇ ଆମକୁ ଆଉ କିଛି ଦିନ କୋଇଲାର ଦାସତ୍ବ ସ୍ବୀକାର କରିବାକୁ ପଡ଼ିବ। କେବଳ ଭାରତ ନୁହେଁ, ସାରା ପୃଥିବୀ ବର୍ତ୍ତମାନ ଏହି କଠୋର ସତ୍ୟକୁ ଗ୍ରହଣ କରି ସାରିଥିବା ଭଳି ମନେ ହେଉଛି। ଅକ୍ଷୟ ମହାନ୍ତିଙ୍କ ଗୀତର ‘‘ପାନ୍ଥଶାଳାରେ ଅଙ୍ଗାରେ ଲେଖା ନାଆଁ’’ ଭଳି ପୃଥିବୀ ନାମକ ପାନ୍ଥଶାଳାର କାନ୍ଥରେ କୋଇଲାର ଅଙ୍ଗାର ଗାର ଲିଭିବାକୁ ଆହୁରି ବେଶ୍ କିଛି ଦିନ ଲାଗିବ।
ବିଂଶ ଶତାବ୍ଦୀର ପ୍ରସିଦ୍ଧ ଜର୍ମାନ୍ ବିଦ୍ବାନ୍ ଅସ୍ୱାଲ୍ଡ ସ୍ପେଙ୍ଗ୍ଲର୍ ତାଙ୍କର ବହୁଚର୍ଚ୍ଚିତ ପୁସ୍ତକ ‘ଦି ଡିକ୍ଲାଇନ୍ ଅଫ୍ ଦି ୱେଷ୍ଟ୍’ (‘ପାଶ୍ଚାତ୍ୟ ଜଗତର ଅବକ୍ଷୟ’)ରେ ଲେଖିଥିଲେ ଯେ ପାଶ୍ଚାତ୍ୟ ଜଗତରେ ଯନ୍ତ୍ର ସଭ୍ୟତାର ଆରମ୍ଭ ସମୟରେ ଉତ୍ପାଦନରେ ଯେଉଁ ଶକ୍ତି ବ୍ୟବହୃତ ହେଉଥିଲା, ତାହା ଥିଲା ‘‘ଜୀବନ୍ତ ଶକ୍ତି’’। ଏହି ଜୀବନ୍ତ ଶକ୍ତିର ବାହକ ଥିଲେ ମୁଖ୍ୟତଃ କ୍ରୀତଦାସମାନେ। ଶକ୍ତିକୁ ଇନ୍ଧନ ରୂପେ ବିଚାର କରାଯାଇଥାଏ; ଏଣୁ ସ୍ପେଙ୍ଗ୍ଲର୍ ବ୍ୟଙ୍ଗୋକ୍ତି କରି ଏହି କ୍ରୀତଦାସମାନଙ୍କୁ ‘‘ମାନବ-ଇନ୍ଧନ’’ ରୂେପ ବର୍ଣ୍ଣନା କରି କ୍ରୀତଦାସମାନଙ୍କ ପ୍ରତି ସମାଜର ଅମାନବୀୟ ଦୃଷ୍ଟିଭଙ୍ଗୀ ସମ୍ବନ୍ଧରେ ପାଠକପାଠିକାମାନଙ୍କୁ ମନେ ପକାଇ ଦେଇଥିଲେ।
ଐତିହାସିକମାନେ କ୍ରୀତଦାସ ପ୍ରଥାର ବିଲୟ ପଛରେ ବିଭିନ୍ନ କାରଣ ନିହିତ ଥିବା ଦର୍ଶାଇଥାନ୍ତି। ସ୍ପେଙ୍ଗ୍ଲର୍ କିନ୍ତୁ ଏଥିପାଇଁ ଯାହାକୁ ସଂପୂର୍ଣ୍ଣ ରୂପେ ଶ୍ରେୟ ପ୍ରଦାନ କରିଥାନ୍ତି, ତାହା ଦାଶ ପ୍ରଥା ଉଚ୍ଛେଦ ଆନ୍ଦୋଳନ ନୁହେଁ କିମ୍ବା ୱିଲିଅମ୍ ଲଏଡ୍ ଗ୍ୟାରିସନ୍ ନୁହନ୍ତି କି ଆବ୍ରାହମ୍ ଲିଙ୍କନ୍ ନୁହନ୍ତି। ତାଙ୍କ ବିଚାରରେ ଦାସ ପ୍ରଥାର ବିଲୟ ଘଟିବାର ମୁଖ୍ୟ କାରଣ ହେଉଛି ଅନ୍ୟ ଏକ ଶକ୍ତି-ଉତ୍ସର ଆବିର୍ଭାବ- କୋଇଲା। ଯେତେବେଳ ପର୍ଯ୍ୟନ୍ତ କ୍ରୀତଦାସ ଭଳି ଏକ ଜୀବନ୍ତ ଶକ୍ତି ଉତ୍ସର କୌଣସି ବିକଳ୍ପ ନ ଥିଲା, ସେତେବେଳ ପର୍ଯ୍ୟନ୍ତ କ୍ରୀତଦାସ ପ୍ରଥାକୁ କେହି ଅନୈତିକ ବୋଲି ବିଚାର କରୁ ନ ଥିଲେ; ଯେତେବେଳେ କୋଇଲା ନାମକ ଏକ କେନ୍ଦ୍ରୀଭୂତ ଶକ୍ତିର ନିର୍ଜୀବ ଉତ୍ସର ବ୍ୟବହାର ବ୍ୟାପକ ହେବାକୁ ଆରମ୍ଭ କଲା ସେତେବେଳେ କ୍ରୀତଦାସମାନେ ଆଉ ଅପରିହାର୍ଯ୍ୟ ରୂପେ ବିବେଚିତ ହେଲେ ନାହିଁ ଏବଂ ମତଲବୀ, ସୁବିଧାବାଦୀ ସମାଜ ଏକ ନକଲି ନୈତିକତା ପ୍ରଦର୍ଶନ କରି ଦାସ ପ୍ରଥାକୁ ଅନୈତିକ ବୋଲି ଘୋଷଣା କରିବାକୁ ଆରମ୍ଭ କଲା। ୧୮୬୫ରେ ଆମେରିକୀୟ ଗୃହ ଯୁଦ୍ଧରେ ଉତ୍ତର ରାଜ୍ୟମାନଙ୍କର ଦକ୍ଷିଣ ରାଜ୍ୟମାନଙ୍କ ଉପରେ ବିଜୟକୁ ସ୍ପେଙ୍ଗ୍ଲର୍ ତେଣୁ ମାନବ ମାଂସପେଶୀର ସରଳ ଶକ୍ତି ଉପରେ କୋଇଲାର କେନ୍ଦ୍ରୀଭୂତ ଶକ୍ତିର ଅର୍ଥନୈତିକ ବିଜୟ ବୋଲି ଉଲ୍ଲେଖ କରିଛନ୍ତି।
କୋଇଲା କ୍ରମେ ଆଧୁନିକ ଶିଳ୍ପ ଅର୍ଥନୀତିର ଏପରି ଏକ ଅତ୍ୟାବଶ୍ୟକ ଖଣିଜ ପଦାର୍ଥରେ ପରିଣତ ହୋଇଗଲା େଯ ମନୁଷ୍ୟ ତାକୁ ଆଦରରେ ‘କୃଷ୍ଣ ହୀରକ’ ନାମରେ ସଂବୋଧନ କଲା। କୋଇଲା ଉପରେ ଆଧୁନିକ ଶିଳ୍ପ ସଭ୍ୟତା ଏପରି ନିର୍ଭରଶୀଳ ହୋଇପଡ଼ିଲା ଯେ ଚକ ଘୂରିଗଲା ଭଳି ଦାସ ପ୍ରଥାକୁ ହଟାଇ ଥିବା କୋଇଲା ନିକଟରେ ପରବର୍ତ୍ତୀ ସମୟରେ ସମଗ୍ର ମାନବ ସମାଜ ଦାସତ୍ବ ସ୍ବୀକାର କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ଅତୀତର ପୁନରାବୃତ୍ତି ଭଳି, ସେତେବେଳେ କ୍ରୀତଦାସମାନେ ଯେଉଁଭଳି ମାଲିକ ଦ୍ବାରା ଅତ୍ୟାଚାରିତ ହେଉଥିଲେ, ଆଜିର ମାନବ ସମାଜ େସଇଭଳି କୋଇଲାର ଅତ୍ୟାଚାରର ସମ୍ମୁଖୀନ ହୋଇଛି।
ଏହି ଅତ୍ୟାଚାରର ନାମ ହେଉଛି- ବିଶ୍ବ ତାପନ ବା ‘ଗ୍ଲୋବାଲ୍ ୱାର୍ମିଙ୍ଗ୍’, ଯାହା ପୃଥିବୀ ଗ୍ରହରେ ମନୁଷ୍ୟର ସ୍ଥିତିକୁ ବିପନ୍ନ କରିବାର ସମ୍ଭାବନା ବହନ କରୁଛି। ସଂକ୍ଷେପରେ କହିଲେ, କଳ କାରଖାନାରେ ଓ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କେନ୍ଦ୍ରମାନଙ୍କରେ କୋଇଲାକୁ ଇନ୍ଧନ ରୂପେ ବ୍ୟବହାର କରିବା ଯୋଗୁଁ ଯେଉଁ ପ୍ରଭୂତ ଅଙ୍ଗାର ନିର୍ଗମନ ଘଟିଥାଏ ତାହା ଉତ୍ତାପକୁ ଧରି ରଖିବା ଫଳରେ ବାୟୁମଣ୍ଡଳର ତାପମାତ୍ରାରେ ଅସହନୀୟ ବୃଦ୍ଧି ଘଟିବାରେ ଲାଗିଛି। ଯଦି ଅବିଳମ୍ବେ ଅଙ୍ଗାରକାମ୍ଳ ଓ ମିଥେନ୍ ଆଦି ଉତ୍ତାପ ଧାରଣକାରୀ ବାଷ୍ପ ବା ‘ଗ୍ରିନ୍ ହାଉସ୍ ଗ୍ୟାସ୍’ (‘ଜିଏଚ୍ଜି’) ନିର୍ଗମନକୁ ନିୟନ୍ତ୍ରଣ କରା ନ ଯାଏ ତେବେ ପୃଥିବୀ ଆକ୍ଷରିକ ଭାବରେ ଏକ ରୌରବ ନର୍କରେ ପରିଣତ ହୋଇଯିବ, ଯେଉଁଠି ପାପୀମାନେ ତତଲା ତେଲ କଡ଼େଇରେ ଭାଜି ହୁଅନ୍ତି।
ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ମନୁଷ୍ୟକୁ କୋଇଲାର ଦାସତ୍ବରୁ ମୁକ୍ତିଲାଭ କରିବାକୁ ହେବ ବୋଲି ବିଶେଷଜ୍ଞମାନେ ଏକମତ। ଏହି ଲକ୍ଷ୍ୟ ସାଧନ ନିମିତ୍ତ ଠିକ୍ ଦୁଇ ବର୍ଷ ତଳେ ଗ୍ଲାସ୍ଗୋ ଠାରେ ଅନୁଷ୍ଠିତ ବିଶ୍ବ ଜଳବାୟୁ ସମ୍ମିଳନୀରେ ପୃଥିବୀର ସମସ୍ତ ଦେଶର ନେତୃବର୍ଗ ଆଗାମୀ ଦିନରେ କୋଇଲାକୁ ‘‘ଇତିହାସର ପାଉଁଶ ଗଦା’’ରେ ପୋତି ଦେବା ପାଇଁ (ଯେମିତି ଦାସ ପ୍ରଥାକୁ କରାଯାଇଛି) ଘୋଷଣା କରି ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ଏହା ଅନୁଯାୟୀ ବିଭିନ୍ନ ଦେଶର ସରକାରମାନେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ସେମାନେ ଆଉ କୋଇଲା-ଭିତ୍ତିକ ତାପଜ ଶକ୍ତି କେନ୍ଦ୍ର ପ୍ରତିଷ୍ଠା କରିବେ ନାହିଁ। କିନ୍ତୁ ୟୁକ୍ରେନ୍ ଯୁଦ୍ଧର ଅନ୍ୟତମ ପ୍ରଭାବ ସ୍ବରୂପ ୨୦୨୨ରେ ପୃଥିବୀରେ ବାର୍ଷିକ କୋଇଲା ବ୍ୟବହାର ଏକ ରେକର୍ଡ ସ୍ତର ଛୁଇଁବା ଦେଖାଯାଇଛି। ପୃଥିବୀର ତାପମାତ୍ରାରେ ବୃଦ୍ଧିକୁ ୧.୫ଂ ସି ମଧ୍ୟରେ ସୀମିତ କରିବାକୁ ହେଲେ ଚଳିତ ଦଶନ୍ଧି ଶେଷ ହେବା ପୂର୍ବରୁ କୋଇଲା ଉତ୍ପାଦନରେ ଦୁଇ-ତୃତୀୟାଂଶ ହ୍ରାସ ଘଟିବା ଆବଶ୍ୟକ ହେଉଥିବା ବେଳେ, ଏହି ହ୍ରାସର ଅନୁପାତ ମାତ୍ର ଏକ-ପଞ୍ଚମାଂଶରୁ ମଧ୍ୟ କମ୍ ହେବାକୁ ଯାଉଛି ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।
ଏହି ପୃଷ୍ଠଭୂମିରେ ଦେଖିଲେ ଚଳିତ ମାସ ୬-୭ ତାରିଖରେ ଦିଲ୍ଲୀ ଠାରେ ଅନୁଷ୍ଠିତ ରାଜ୍ୟ ଶକ୍ତି ମନ୍ତ୍ରୀମାନଙ୍କର ସମ୍ମିଳନୀରେ ନୂତନ କୋଇଲା-ଭିତ୍ତିକ ଶକ୍ତି କେନ୍ଦ୍ର ସ୍ଥାପନ ପ୍ରତି ପ୍ରଦାନ କରାଯାଇଥିବା ଗୁରୁତ୍ବ ନିଶ୍ଚିତ ରୂପେ ପରିବେଶ-ସଚେତନ ମହଲରେ ଘୋର ଆଶଙ୍କା ଓ ଅସ୍ବସ୍ତି ସୃଷ୍ଟି କରୁଥିବ। କିନ୍ତୁ ଯଦି ଏକ ବାସ୍ତବବାଦୀ ଦୃଷ୍ଟିକୋଣରୁ ବିଚାର କରାଯାଏ, ତେବେ ସ୍ବୀକାର କରିବାକୁ ହେବ ଯେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ସହିତ ତାଳ ଦେଇ ଦେଶରେ ବିଦ୍ୟୁତ୍ ଶକ୍ତି ଚାହିଦା ମେଣ୍ଟାଇବାକୁ ଆବଶ୍ୟକ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବାକୁ ହେଲେ ଆଗାମୀ କେତେ ବର୍ଷ ପାଇଁ କୋଇଲା-ଭିତ୍ତିିକ ଶକ୍ତି ଉତ୍ପାଦନରେ ବୃଦ୍ଧି ଘଟାଇବା ବ୍ୟତୀତ ଅନ୍ୟ ଉପାୟ ନାହିଁ। ମିଳୁଥିବା ସୂଚନା ଅନୁସାରେ ଏହି ସମୟକାଳରେ ଦେଶର ଶକ୍ତି ଚାହିଦା ଦେଶରେ ବର୍ତ୍ତମାନ ଉପଲବ୍ଧ କ୍ଷମତା ଅନୁସାରେ ଶକ୍ତି ଯୋଗାଣ ଠାରୁ ବହୁ ଅଧିକ ହେବ। ଏହାର ଏକ ସୂଚନା ସ୍ବରୂପ ଚଳିତ ବର୍ଷ ଦେଶର ଶକ୍ତି ଚାହିଦା ୨୪୦ ଗିଗାୱାଟ୍ ଅତିକ୍ରମ କରି ସାରିଲାଣି ଏବଂ ଅଗଷ୍ଟ ଠାରୁ ପ୍ରତି ମାସରେ ବିଦ୍ୟୁତ୍ ଚାହିଦାରେ ଏକ ତୀକ୍ଷ୍ଣ ୨୦ ଶତାଂଶ ହାରରେ ବୃଦ୍ଧି ଘଟି ଚାଲିଛି। ଯଦି ଠିକଣା ସମୟରେ ଏହି ଚାହିଦା ପୂରଣ ନ ହୁଏ, ତେବେ ଶିଳ୍ପ ଉତ୍ପାଦନରୁ କୃଷି ଉତ୍ପାଦନ କାର୍ଯ୍ୟ ପର୍ଯ୍ୟନ୍ତ ସାମୟିକ ଭାବରେ ଅଟକି ଯାଇ ଅର୍ଥନୀତି ପ୍ରତି ଗୁରୁତର ଧକ୍କା ସୃଷ୍ଟି କରିବ।
ନିକଟ ଅତୀତରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଥିଲେ ହେଁ ଭାରତର ଶକ୍ତି ଚାହିଦା ପୂରଣ ନିମିତ୍ତ ନିକଟ ଭବିଷ୍ୟତରେ ତାହା ଯଥେଷ୍ଟ ହେବାର ସମ୍ଭାବନା ନାହିଁ (ବର୍ତ୍ତମାନ ଦେଶରେ ମୋଟ ଶକ୍ତି ଉତ୍ପାଦନରେ ଅକ୍ଷୟ ଶକ୍ତିର ଅଂଶ ହେଉଛି ମାତ୍ର ୧୩ ଶତାଂଶ)। ଏହାକୁ ଦୃଷ୍ଟିରେ ରଖି ୨୦୨୨-୩୨ ପାଇଁ ପ୍ରସ୍ତୁତ ‘ନେସନାଲ୍ ଇଲେକ୍ଟ୍ରିସିଟି ପ୍ଲାନ୍’ (‘ଏନ୍ଇପି’)ରେ ଦେଶରେ ବର୍ତ୍ତମାନ କୋଇଲା-ଭିତ୍ତିକ ଶକ୍ତି ଉତ୍ପାଦନ କ୍ଷମତା ୨୧୨ ଗିଗାୱାଟ୍ ଥିବା ବେଳେ ୨୦୩୨ ସୁଦ୍ଧା ତାହାକୁ ୨୬୦ ଗିଗାୱାଟ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ବର୍ତ୍ତମାନ ଶକ୍ତି ଚାହିଦାରେ ଯେଉଁ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଉଛି, ତାହା କୋଇଲା-ଭିତ୍ତିକ ଶକ୍ତି ଉତ୍ପାଦନରେ ଆହୁରି ଅଧିକ ବୃଦ୍ଧି ଘଟାଇବାକୁ ଏବଂ ତାହାକୁ ତ୍ବରାନ୍ବିତ କରିବା ନିମିତ୍ତ ସରକାରଙ୍କ ଉପରେ ଚାପ ପକାଉଛି। ତେଣୁ ବର୍ତ୍ତମାନ ୫୦ ଗିଗାୱାଟ୍ ନୂତନ କୋଇଲା-ଭିତ୍ତିକ ଶକ୍ତି ଉତ୍ପାଦନ ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା, ସେଥିରେ ଆଉ ୩୦ ଗିଗାୱାଟ୍ ଯୋଗ କରିବା ନିମିତ୍ତ ଚିନ୍ତା କରାଯାଉଛି।
ଏହି ବାସ୍ତବ ପରିସ୍ଥିତି ଦେଖି ମନେହୁଏ ୨୦୭୦ ସୁଦ୍ଧା ଭାରତ ଅଙ୍ଗାର-ନିରପେକ୍ଷ ହେବାକୁ ଯେଉଁ ଲକ୍ଷ୍ୟ ସ୍ଥାପନ କରିଛି, ତାହାକୁ ଆଉ ଟିକିଏ ଦୂରକୁ ଘୁଞ୍ଚାଇ ଆମକୁ ଆଉ କିଛି ଦିନ କୋଇଲାର ଦାସତ୍ବ ସ୍ବୀକାର କରିବାକୁ ପଡ଼ିବ। କେବଳ ଭାରତ ନୁହେଁ, ସାରା ପୃଥିବୀ ବର୍ତ୍ତମାନ ଏହି କଠୋର ସତ୍ୟକୁ ଗ୍ରହଣ କରି ସାରିଥିବା ଭଳି ମନେ ହେଉଛି। ଅକ୍ଷୟ ମହାନ୍ତିଙ୍କ ଗୀତର ‘‘ପାନ୍ଥଶାଳାରେ ଅଙ୍ଗାରେ ଲେଖା ନାଆଁ’’ ଭଳି ପୃଥିବୀ ନାମକ ପାନ୍ଥଶାଳାର କାନ୍ଥରେ କୋଇଲାର ଅଙ୍ଗାର ଗାର ଲିଭିବାକୁ ଆହୁରି ବେଶ୍ କିଛି ଦିନ ଲାଗିବ।