ଯୁକ୍ତରାଷ୍ଟ୍ର ଆମେରିକା ସହିତ ଭାରତର ବହୁ ଆୟାମୀ ଘନିଷ୍ଠ ରଣନୈତିକ ସହଯୋଗ ଭିତ୍ତିକ ସଂପର୍କରେ ଏକ କଣ୍ଟା ସଦୃଶ ସହସା ଯାହାର ଆବିର୍ଭାବ ଘଟିଛି, ସେ ହେଉଛି ଗୁରପତୱନ୍ତ ସିଂହ ପନ୍ନୁ; ଯାହାକୁ କେନ୍ଦ୍ର କରି ସୃଷ୍ଟ ଏକ ବିବାଦ ସଂପ୍ରତି ଭାରତକୁ ଏକ ଘୋର ଅସ୍ବସ୍ତିକର ପରିସ୍ଥିତି ମଧ୍ୟକୁ ଠେଲି ଦେଇଛି। ଏହି ସର୍ବଜନବିଦିତ ବିବାଦଟି ହେଲା ଆମେରିକା ନିବାସୀ ପନ୍ନୁକୁ ହତ୍ୟା କରିବା ଲାଗି ରଚିତ ଏକ ଚକ୍ରାନ୍ତରେ ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କ ପ୍ରମୁଖ ସଂପୃକ୍ତି ନେଇ ଯୁକ୍ତରାଷ୍ଟ୍ର ଆମେରିକାର ତଦନ୍ତକାରୀ ସଂସ୍ଥା ଦ୍ବାରା ସପ୍ରମାଣ ଉପସ୍ଥାପିତ ହୋଇଥିବା ଅଭିଯୋଗ ପତ୍ର। ତେବେ, ଏହି ସଂଦର୍ଭରେ ଯାହା ଆମେରିକା ସକାଶେ ଅସହନୀୟ ହୋଇ ଉଠିଥିବ, ତାହା ହେଲା ଆମେରିକା ଭୂମିରେ ଜଣେ ଆମେରିକୀୟ ନାଗରିକକୁ ଅନ୍ୟ ଏକ ରାଷ୍ଟ୍ର ଦ୍ବାରା ନିପାତ କରାଯିବାର ଉଦ୍ୟମରେ ନିହିତ ଆସ୍ପର୍ଦ୍ଧା! କହିବାରେ ଦ୍ବିଧା ନାହିଁ ଯେ ଏଭଳି ଏକ ପ୍ରକରଣକୁ ତା’ର ‘ଦିବ୍ୟ-ସାର୍ବଭୌମତ୍ବ’ର ଅତିକ୍ରମଣ ରୂପେ ବିଚାର କରୁଥିବା ଆମେରିକା ଏହି ବ୍ୟାପାରକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଛି, କାରଣ ତାହା ହୋଇ ନ ଥିଲେ ସେ ରାଷ୍ଟ୍ରର ପ୍ରମୁଖ ତଦନ୍ତକାରୀ ସଂସ୍ଥା ‘ଏଫ୍.ବି.ଆଇ.’ (ଫେଡେରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍‌)ର ମୁଖ୍ୟ ଖ୍ରୀଷ୍ଟୋଫର ରେ’ ଏ ସମ୍ବନ୍ଧରେ ଅଧିକ ଆଲୋଚନା ଲାଗି ଭାରତ ଗସ୍ତ କରିବାର ଯୋଜନା କରନ୍ତେ ନାହିଁ। ସୁତରାଂ, ଏହି ପରିପ୍ରେକ୍ଷୀରେ ଏହି ପ୍ରକରଣର ବିଭିନ୍ନ ଦିଗ ଉପରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରଥମ କଥା ହେଲା, କାନାଡା ଏବଂ ଆମେରିକାର ନାଗରିକତ୍ବ ହାସଲ କରିପାରିଥିବା ଭାରତ ଜନ୍ମିତ ପନ୍ନୁ ଜଣେ ଖଲିସ୍ତାନୀ ଆତଙ୍କବାଦୀ ରୂପେ ନିଜର ଚରମ ଭାରତ ବିରୋଧୀ ହିଂସ୍ର ଆଭିମୁଖ୍ୟକୁ କୌଣସିମତେ ଗୋପନ କରି ରଖିବାକୁ ଚେଷ୍ଟା କରି ନ ଥାଏ। ସୁତରାଂ, ତା’ ଦ୍ବାରା ପ୍ରସାରିତ ଅତ୍ୟନ୍ତ ଉତ୍ତେଜନା ସୃଷ୍ଟିକାରୀ ଭିଡିଓମାନ ଆମେରିକା ସରକାରଙ୍କ ଠାରୁ ଅଛପା ନ ଥିବ, ଯହିଁରେ ସେ ଭାରତୀୟ ସଂସଦ ଓ ଏଆର ଇଣ୍ଡିଆର ବିମାନଗୁଡ଼ିକୁ ଧ୍ବଂସ କରି ଦେବାର ଧମକ ପ୍ରଦାନ କରିଛି ଏବଂ ତା’ର ଆତଙ୍କବାଦୀ ଆଭିମୁଖ୍ୟର ଶୁଦ୍ଧ ନିଦର୍ଶନ ରୂପେ ୧୯୮୫ ମସିହା ଜୁନ୍ ୨୩ ତାରିଖରେ ସଂଘଟିତ ଏଆର ଇଣ୍ଡିଆ ବିମାନ ‘କନିଷ୍କ’ର ବିସ୍ଫୋରଣ ବା ୨୦୦୧ ମସିହା ଡିସେମ୍ବର ୧୩ରେ ଘଟିଥିବା ପାର୍ଲାମେଣ୍ଟ ଆକ୍ରମଣର ବର୍ଷ ପୂର୍ତ୍ତିକୁ ଏହିଭଳି ଅନ୍ତର୍ଘାତୀ କାର୍ଯ୍ୟ ମାଧ୍ୟମରେ ଉତ୍ସବାୟିତ କରିବାକୁ ପରାମର୍ଶ ପ୍ରଦାନ କରିଥାଏ। ତେଣୁ ପ୍ରଶ୍ନ ଉଠିଥାଏ ଯେ ଆମେରିକା ଭୂମିରୁ ଜଣେ ଆମେରିକୀୟ ନାଗରିକ ଦ୍ବାରା ପ୍ରଦତ୍ତ ଏଭଳି ହିଂସା ଓ ରକ୍ତପାତ ବ୍ୟଂଜକ ଧମକ କ’ଣ ଭାରତର ସାର୍ବଭୌମତ୍ବ ପ୍ରତି ବିପଦ ନୁହେଁ କି? ବା ଏହାକୁ ଭାରତର ସାର୍ବଭୌମତ୍ବର ଅତିକ୍ରମଣ ରୂପେ ବିବେଚନା କରାଯାଇ ପାରିବ ନାହିଁ କି? ଅବଶ୍ୟ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ପନ୍ନୁ ହତ୍ୟା ଉଦ୍ୟମର ଚକ୍ରାନ୍ତରେ ଜଣେ ଭାରତୀୟ କୂଟନୀତିଜ୍ଞ ଓ ଆନ୍ତର୍ଜାତିକ ସଂଗଠିତ ଅପରାଧ ରୢାକେଟ୍‌ର ଯୋଗସୂତ୍ରର ସମ୍ଭାବନା ଏକ ଅତ୍ୟନ୍ତ ଗର୍ହିତ ବ୍ୟାପାର; କିନ୍ତୁ ଆଉ ଏକ ବାସ୍ତବତା ହେଲା ଆତଙ୍କବାଦ ସଂଦର୍ଭରେ ଶୂନ୍ୟ ସହନଶୀଳତା ଏବଂ ଅନାକ୍ରାନ୍ତ ଦୃଷ୍ଟିଭଙ୍ଗୀ ପ୍ରଦର୍ଶନ ନେଇ ବାହାସ୍ଫୋଟ ମାରୁଥିବା ଆମେରିକା ଦ୍ବାରା ପନ୍ନୁର କାର୍ଯ୍ୟକଳାପ ନେଇ ଅବଲମ୍ବନ କରାଯାଉଥିବା ଗଭୀର ନିରବତା। ଏହା ସୁବିଦିତ ଯେ ଆମେରିକା ବିରୋଧୀ ଆତଙ୍କବାଦରେ ଲିପ୍ତ ସନ୍ଦିଗ୍‌ଧମାନଙ୍କ ସକାଶେ କୌଣସି ନିର୍ଭୟ ଆଶ୍ରୟ ସ୍ଥଳ ନ ଥାଏ; ସେମାନଙ୍କୁ ଗୋଟି ଗୋଟି କରି ଚିହ୍ନଟ କରାଯାଇ, ସେମାନଙ୍କ ଦୀର୍ଘ ଅନୁଧାବନ ପରେ ବିଦେଶ ଭୂମିରେ ପଶି ସେମାନଙ୍କୁ ହତ୍ୟା କରାଯାଇଥାଏ। ସେହି ଦୃଷ୍ଟିରୁ ପନ୍ନୁ ଦ୍ବାରା ଭାରତ ବିରୋଧୀ ଆତଙ୍କବାଦ ପ୍ରୋତ୍ସାହନ ପାଉଥିବା ବେଳେ ତାହାକୁ ଆମେରିକା କ୍ଷମାଶୀଳ ଦୃଷ୍ଟିରେ ଦେଖିବା ଏକ ଉଦ୍ଭଟ ବିଡ଼ମ୍ବନା ନୁହେଁ କି?
ଏଥିରେ ଦ୍ବିରୁକ୍ତି ନାହିଁ ଯେ କାନାଡା ‌ହେଉ ବା ୟୁ.କେ. ଅଥବା ଯୁକ୍ତରାଷ୍ଟ୍ର ଆମେରିକା; ଅନେକ ପାଶ୍ଚାତ୍ୟ ରାଷ୍ଟ୍ରରେ ଅଭିବ୍ୟକ୍ତିର ସ୍ବାଧୀନତାର ସରହଦକୁ ଅନେକ ସମୟରେ (ଅବଶ୍ୟ ସେମାନଙ୍କୁ ସୁହାଇଲା ଭଳି) ଏଭଳି ପ୍ରସାରିତ କରି ଦିଆଯାଇଥାଏ ଯେ ତାହା ସହନଶୀଳତାର ସୀମା ଲଂଘନ କରିଥାଏ। ଏଣେ, ଆମେରିକାର ସଂବିଧାନର ପ୍ରଥମ ସଂଶୋଧନରେ ସ୍ଥାନିତ ‘ଅଭିବ୍ୟକ୍ତିର ସ୍ବାଧୀନତା’ ସଂଦର୍ଭରେ ଏହା ଅତ୍ୟନ୍ତ ପ୍ରାଂଜଳ ଭାବେ ଉଲ୍ଲିଖିତ ଯେ ଆଇନଗତ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ବହନକାରୀ ଅଭିବ୍ୟକ୍ତି ଏହି ସ୍ବାଧୀନତା ପାଇବାକୁ ଅଯୋଗ୍ୟ। ଅର୍ଥାତ୍‌ ପ୍ରଶ୍ନ ଉଠିଥାଏ ଯେ ଆମେରିକୀୟ ସଂବିଧାନର ଏହି ବିଚାର କ’ଣ କେବଳ ଯୁକ୍ତରାଷ୍ଟ୍ର ଆମେରିକା ସକାଶେ ଉଦ୍ଦିଷ୍ଟ? ଆମେରିକା ଭୂମିରୁ ନିସୃତ ଏଭଳି ମନ୍ତବ୍ୟମାନ ଯଦି ବିଦେଶ ଭୂମିରେ ଆଇନଗତ ବିଶୃଙ୍ଖଳା ସୃଷ୍ଟି କରେ, ତେବେ ତାହା କ’ଣ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଲୋଡ଼େ ନାହିଁ?
ପୂର୍ବରୁ କୁହାଯାଇଛି ଯେ ପନ୍ନୁ ହତ୍ୟା ଚକ୍ରାନ୍ତକୁ ନେଇ ଆମେରିକା ଅତ୍ୟନ୍ତ ଉଦ୍‌ବିଗ୍ନ ଏବଂ ସମ୍ବେଦନଶୀଳ ହୋଇ ଉଠିଛି; କିନ୍ତୁ ଏକ ବିଡ଼ମ୍ବିତ ବାସ୍ତବତା ହେଲା ଯୁକ୍ତରାଷ୍ଟ୍ର ଆମେରିକାରେ ‘ଭାରତୀୟ ଡାୟାସ୍ପୋରା’ (ପ୍ରବାସୀ ବା ବହିରାଗତ ଭାରତୀୟ ବର୍ଗ), ସେଠାକାର ଶ୍ବେତାଙ୍ଗ ସମାଜ ଏବଂ ସରକାରୀ କର୍ମଚାରୀମାନଙ୍କ ଦ୍ବାରା ଅନେକ ସମୟରେ ଦ୍ବିତୀୟ ଶ୍ରେଣୀ ନାଗରିକ ରୂପେ ବିବେଚିତ ହୋଇଥାଏ; ଏପରିକି ସେଠାରେ ଭୂମିଷ୍ଠ ହୋଇ ବଡ଼ ହୋଇଥିବା ଆମେରିକୀୟ-ଭାରତୀୟ (ଆମେରିକାନ-ଇଣ୍ଡିଆନ୍‌) ପରିବାରର ସନ୍ତାନମାନେ ଏତାଦୃଶ ବିଦ୍ବେଷରୁ ମୁକ୍ତ ହୋଇ ନ ଥାନ୍ତି। ଏହି ସଂଦର୍ଭରେ ୨୦୨୦ ମସିହାରେ ଏକ ସର୍ବେକ୍ଷଣ-ଭିତ୍ତିିକ ଅନୁଧ୍ୟାନ କରିଥିବା ‘ରଏଟର୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଫର ଦି ଷ୍ଟଡି ଅଫ୍ ଜର୍ନାଲିଜମ୍‌’ର ଗବେଷିକା ସୁମିତ୍ରା ବଦ୍ରିନାଥନ କହିଥାଆନ୍ତିି ଯେ ତାଙ୍କ ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ ଭାରତୀୟ ମୂଳୋଦ୍ଭବ ଆମେରିକୀୟମାନଙ୍କ ମଧ୍ୟରୁ ପ୍ରାୟ ୫୦% ବିଗତ ଗୋଟିଏ ବର୍ଷ ମଧ୍ୟରେ ଏକାଧିକ ବାର ଏଭଳି ବିଦ୍ବେଷର ଶରବ୍ୟ ହୋଇଛନ୍ତି। ସୁତରାଂ, ପନ୍ନୁ ବ୍ୟାପାରରେ ଆମେରିକାର ଏଭଳି ବ୍ୟସ୍ତତା ଲୋକ ଦେଖାଣିଆ ଭଳି ପ୍ରତୀତ ହୋଇଥାଏ। କେବଳ ସେତିକି ନୁହେଁ, ଏହା ସହିତ ଏଭଳି ସନ୍ଦେହ ମଧ୍ୟ ଜାତ ହୋଇଥାଏ ଯେ ଆମେରିକା ଦ୍ବାରା ଜାରି ରୁଷିଆ ବିରୋଧୀ ଆର୍ଥିକ ବାସନ୍ଦ (ରୁଷିଆ-ୟୁକ୍ରେନ ଯୁଦ୍ଧ ହେତୁ)କୁ ଭାରତର ଅବମାନନା ଯୋଗୁ କ୍ଷୁବ୍‌ଧ ଆମେରିକା ଅଗତ୍ୟା ପନ୍ନୁ ପ୍ରସଙ୍ଗକୁ ଭାରତ ଉପରେ ଏକ ଚାପ ସୃଷ୍ଟିକାରୀ ଅସ୍ତ୍ର ରୂପେ ବ୍ୟବହାର କରିଛି!
ଅଭିବ୍ୟକ୍ତିର ସ୍ବାଧୀନତାକୁ ଅସୀମତା ପ୍ରଦାନ କରିବାର ପକ୍ଷବାଦୀ ପ୍ରଖ୍ୟାତ ଲେଖକ ସଲମାନ ରସଦି ଠାଏ କହିଥିଲେ ଯେ ଅନ୍ୟକୁ ଅପମାନିତ କରିବାର ସ୍ବାଧୀନତା ଯଦି ପ୍ରାପ୍ତ ନ ହେଲା, ତେବେ ତାହା କି ଅଭିବ୍ୟକ୍ତିର ସ୍ବାଧୀନତା? ସଲମାନ ରସଦି ସମ୍ଭବତଃ ଅଭିବ୍ୟକ୍ତି ବୋଇଲେ କେବଳ ‘ମୁଖ ନିସୃତ ବାଣୀ’କୁ ହିଁ ବୁଝିଥାଆନ୍ତି। କିନ୍ତୁ ‘ଅଭିବ୍ୟକ୍ତି’ର ଯେ ଅନେକ ସ୍ବରୂପ ରହିଛି ତାହା ଖ୍ରୀଷ୍ଟପୂର୍ବ କାଳରେ ଗୌତମ ବୁଦ୍ଧ ହୃଦୟଙ୍ଗମ କରି ସାରିଥିଲେ, ଯେତେବେଳେ ତାଙ୍କର ଜଣେ ପରିମ ବିଦ୍ବେଷୀ ତାଙ୍କ ମୁହଁ ଉପରକୁ ଘୃଣାରେ ଛେପ ପକାଇ ଦେଇଥିଲା; ସେତିକି ବେଳେ ଅବିଚଳିତ ବୁଦ୍ଧ କହିଥିଲେ: ମୋ ପ୍ରତି ଆକ୍ରୋଶ ଭାଷାତୀତ ହୋଇଯିବାରୁ ଗାଳି ବଦଳରେ ଏହିଭଳି ଭାବେ ବ୍ୟକ୍ତ ହେଲା। ଏହି ଦୃଷ୍ଟିରୁ ବିଚାର କଲେ ଅଭିବ୍ୟକ୍ତର ନିରଙ୍କୁଶ ସ୍ବାଧୀନତା କିଭଳି ବିପଦମାନ ସୃଷ୍ଟି କରିପାରେ, ତାହା ବୁଝିବା କଷ୍ଟକର ନୁହେଁ। କାରଣ ବୁଦ୍ଧ କହିଥିବା ଭଳି ଅଭିବ୍ୟକ୍ତିମାନ ମୌଖିକ ସ୍ତରକୁ ଅତିକ୍ରମ କରିଗଲେ ଚରମ ହିଂସାର ରୂପ ମଧ୍ୟ ପାଇପାରନ୍ତି। ଯଦିଓ ଏହା ଦୁର୍ଭାଗ୍ୟପୂର୍ଣ୍ଣ, ତଥାପି ଦ୍ରଷ୍ଟବ୍ୟ ଯେ ନିରଙ୍କୁଶ ମୁକ୍ତ ଅଭିବ୍ୟକ୍ତିର ପ୍ରବକ୍ତା ସଲମାନ ରସଦି ସ୍ବୟଂ ଏହାର ଭୟାବହ ପରିଣତିର ଶିକାର ହୋଇ ସାରିଛନ୍ତି। ତେଣୁ ଅଭିବ୍ୟକ୍ତି ବା ବାକ୍‌ ସ୍ବାଧୀନତାରେ ସଂଯମର ଗୁରୁତ୍ବ ସମସ୍ତଙ୍କ ଦ୍ବାରା ଉପଲବ୍‌ଧି କରାଯିବା ଆବଶ୍ୟକ। ରାଜନୈତିକ କାରଣରୁ ହେଉ ବା ଉଚ୍ଚାଦର୍ଶ ପ୍ରତିଷ୍ଠା କରିବାର ଆଗ୍ରହରୁ ହେଉ; ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଅଭିବ୍ୟକ୍ତିର ସ୍ବାଧୀନତା ଆଳରେ ଅଧିକ ସଂଖ୍ୟକ ପନ୍ନୁମାନଙ୍କୁ ସୃଷ୍ଟି ନ କରନ୍ତୁ ଏବଂ ଆତଙ୍କବାଦ ଯଥାର୍ଥତା ଲାଭ ନ କରୁ। କାରଣ ଆତଙ୍କବାଦ ଭଳି ସମସ୍ୟା ପ୍ରାଚ୍ୟ, ପାଶ୍ଚାତ୍ୟ ଏବଂ ଉତ୍ତର-ଦକ୍ଷିଣ ନିର୍ବିଶେଷରେ ସବୁ ରାଷ୍ଟ୍ରକୁ ଆକ୍ରାନ୍ତ କରିବାର ସାମର୍ଥ୍ୟ ରଖିଥାଏ।