ଅନେକ ବିଳମ୍ବ ହେଲାଣି

କେବଳ ଯେ ନିର୍ବାଚନ ସମୟରେ କ୍ଷମତାକୁ ଆସିବାଲାଗି ରାଜନୈତିକ ଦଳଗୁଡ଼ିକ ଏ ଧରଣର ଉତ୍କୋଚ ଓ ଉପହାର ଦେଇ ଭୋଟ୍‌ କିଣୁଛନ୍ତି ତାହା ନୁହେଁ, ବିଭିନ୍ନ ରାଜ୍ୟ ସରକାରଗୁଡ଼ିକ ସରକାରୀ ଅର୍ଥରେ ଉଦ୍ଭଟ ଯୋଜନା ପ୍ରଣୟନ କରି ନିର୍ଭରଶୀଳ ଓ ଦରିଦ୍ର ଭୋଟରଙ୍କୁ ନିଜଆଡ଼କୁ ଟାଣିବା ଲାଗି ଫାଶ ପକଉଛନ୍ତି।

‘‘ଜହ୍ନରେ ଶହେ ଦିନ। କେବଳ ଏତିକି ନୁହେଁ, ତା ସାଙ୍ଗକୁ କାର‌୍‌, ହେଲିକପ୍ଟର, ଆଇଫୋନ୍‌, ଗୋଟେ ସେବାକାରୀ ରୋବୋଟ୍‌, ସୁଇମି˚ ପୁଲ୍‌ ସହ ତିନିମହଲା ପ୍ରାସାଦ ଏବ˚ ଏସବୁ ସାଙ୍ଗକୁ ପ୍ରତି ଭୋଟରଙ୍କ ପାଇଁ ମିଳିବ ଏକ କୋଟି ଟଙ୍କା’’ – ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢୁଥିବା ଜନୈକ ପ୍ରାର୍ଥୀ ଶରବଣାନ୍‌ଙ୍କର ଏହା ଥିଲା ନିର୍ବାଚନୀ ପ୍ରତିଶ୍ରୁତି। ଶରବଣାନ୍‌ଙ୍କର ଏହି ପ୍ରତିଶ୍ରୁତିକୁ ତାଙ୍କ ନିର୍ବାଚନମଣ୍ତଳୀର ମତଦାତାମାନେ କିନ୍ତୁ ବିଶ୍ବାସ କରି ନ ଥିଲେ, ତାହାର ଅନ୍ୟାନ୍ୟ କାରଣ ଭିତରୁ ବଡ଼ କାରଣ ଥିଲା ସେ କୌଣସି ବଡ଼ ରାଜନୈତିକ ଦଳର ପ୍ରାର୍ଥୀ ନ ଥିଲେ, ସିଏ ଥିଲେ ଜଣେ ସ୍ବାଧୀନ ପ୍ରାର୍ଥୀ। ତେଣୁ ତାଙ୍କର ଏ ଶ୍ରୁତିମଧୁର ଆକାଶଛୁଆଁ ପ୍ରତିଶ୍ରୁତିକୁ ଗୁରୁତ୍ବର ସହ ନେବା ପ୍ରଶ୍ନ ଉଠୁ ନ ଥିଲା। ମାତ୍ର ଏହି ମହତ୍ତ୍ବାକା˚କ୍ଷୀ ନେତାଙ୍କ ପରି କିଛି ନେତା ଆମ ଦେଶର ବିଭିନ୍ନ ରାଜନୈତିକ ଦଳରେ ଥିବେ, ଯେଉଁମାନେ ହୁଏତ ନିଜେ ନିର୍ବାଚନ ଜିତିବା ପାଇଁ ଦେଶକୁ ବନ୍ଧାପକାଇଦେବା ଲାଗି ସୁଦ୍ଧା ଘଡ଼ିଏ ଚିନ୍ତା କରିବେ ନାହିଁ! ଉଦାହରଣ ସ୍ବରୂପ, ଯେଉଁ ଭାରତୀୟ ଜନତା ପାର୍ଟିର ସର୍ବୋଚ୍ଚ ନେତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସପ୍ତାହକ ଭିତରେ ଦି ଦି ଥର ଏହି ମାଗଣା ଉପହାର ବଣ୍ଟନର ପୁନର୍ବିଚାର ପ୍ରସଙ୍ଗ ଉଠେଇଛନ୍ତି, ସେଇ ଦଳର ଆନ୍ଧ୍ରପ୍ରଦେଶ ଶାଖାର ଜଣେ ନେତା ଅତ୍ୟନ୍ତ ଉଦ୍ଭଟ ପ୍ରତିଶ୍ରୁତି ଦେଇଚାଲିଥିଲେ। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ସେହି ପ୍ରତିଶ୍ରୁତି ଭିତରୁ ଗୋଟିଏ ଥିଲା ତାଙ୍କ ପାର୍ଟି ଯଦି କୋଟିଏ ଭୋଟ୍‌ ପାଏ, ତାହାହେଲେ ସରକାର ସମସ୍ତଙ୍କୁ ୭୦ ଟଙ୍କାରେ ମଦ ଯୋଗାଇଦେବ। କାଳେ ଏତକ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବାଲାଗି ଯଥେଷ୍ଟ ହେବନାହିଁ, ସେଥିପାଇଁ ସେ ପୁଣି ଯୋଡ଼ିଥିଲେ, ସତୁରି ଟଙ୍କାରେ ମଦ ଯୋଗାଇବା ପରେ ଯଦି ରାଜକୋଷରେ ବଳକା କିଛି ଟଙ୍କା ରହେ, ତାହାହେଲେ ସରକାର ସତୁରି ଟଙ୍କା ଦରକୁ ୫୦ ଟଙ୍କାକୁ କମେଇଦେ‌େବ। ଏହି ନେତାଙ୍କର ବିବୃତିକୁ ତାଙ୍କ ଦଳର ସମର୍ଥକମାନେ ‘ବ୍ୟଙ୍ଗ’ କହି ତାହାର ଗୁରୁତ୍ବ ହ୍ରାସ ନିମନ୍ତେ ଅବଶ୍ୟ ଉଦ୍ୟମ କରିଥିଲେ, ମାତ୍ର ଭାରତୀୟ ରାଜନୀତି ଓ ନିର୍ବାଚନୀ ପ୍ରଚାର ପରିପ୍ରେକ୍ଷୀରେ ଆଜି ଏପ୍ରକାର ପ୍ରତିଶ୍ରୁତି ଅସମ୍ଭବ ନୁହେଁ କି ଉଦ୍ଭଟ ନୁହେଁ ବରଂ ବାସ୍ତବ।

ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ରାଷ୍ଟ୍ର ରାଜସ୍ବର ଉପଯୋଗ କେଉଁ ଧରଣର ବିପର୍ଯ୍ୟୟ ନିମନ୍ତ୍ରଣ କରିଆଣେ ତାହା ଦକ୍ଷିଣ ଆମେରିକାର ଭେନେଜୁଏଲା ଅଭିଜ୍ଞତାରୁ ସ୍ପଷ୍ଟ ହୋଇଥାଏ। ତୈଳ ସ˚ପଦରେ ଭରପୂର ଏକଦା ସମୃଦ୍ଧ ଏହି ଦେଶର ଅର୍ଥନୀତି ଆଜି ଶୋଚନୀୟ। ସେହିପରି ପ୍ରଶାସନିକ ଦକ୍ଷତାର ଅଭାବ ଏବ˚ ପ୍ରିୟାପ୍ରୀତି ତୋଷଣ କେଉଁ ଧରଣର ବିପଦ ଡାକିଆଣେ ତାହା ତ ଶ୍ରୀଲଙ୍କାରେ ଏବେ ଦେଖିବାକୁ ମିଳୁଛି। ମୁଷ୍ଟିମେୟ ନେତାଙ୍କର ଅବିମୃଶ୍ୟକାରିତା ପାଇଁ ସେ ଦେଶର କୋଟି କୋଟି ସାଧାରଣ ମଣିଷ ଜୀବିକା ହରେଇ ହାହାକାର କରୁଛନ୍ତି। ଶ୍ରୀଲଙ୍କା ଅପେକ୍ଷା ଭେନେଜୁଏଲାର ଅଭିଜ୍ଞତା ବହୁ ସମୟରେ ଭାରତର ବିଭିନ୍ନ ଚିନ୍ତାଶୀଳ ବ୍ୟକ୍ତିକୁ ବିବ୍ରତ କରିଆସିଅଛି ଏବ˚ ଏ ଧରଣର ନିର୍ବାଚନୀ ପ୍ରତିଶ୍ରୁତି ଓ ଉପହାର ଯୋଜନା ବିରୋଧରେ ଭାରତର ବିଭିନ୍ନ ମଞ୍ଚରେ ବହୁ ଆଲୋଚନା ହୋଇଅଛି। ଏହା ସତ୍ତ୍ବେ ପ୍ରତିଶ୍ରୁତିର ଉଚ୍ଚତା ପ୍ରତି ନିର୍ବାଚନରେ ବଢ଼ିଚାଲିଛି ସିନା, କମିବାର ନାଁ ନେଉନାହିଁ।

ଏକଦା ତାମିଲନାଡୁର ଜୟଲଳିତା ଏହି ମାଗଣା ଯୋଜନାର ସୂତ୍ରପାତ କରିଥିଲେ ବୋଲି କୁହାଯାଏ। ନିର୍ବାଚନ ଜିଣିବା ଲାଗି ମାଗଣା ଶାଢ଼ି, ପ୍ରେସର କୁକର, ଟେଲିଭିଜନ୍‌, ଵାଶି˚ ମେସିନ୍‌, ମଙ୍ଗଳସୂତ୍ରରୁ ନେଇ ଆମ୍ମା କ୍ୟାଣ୍ଟିନ୍‌ ଯୋଜନା ପର୍ଯ୍ୟନ୍ତ ଏହା ବିସ୍ତାରିତ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଵାଲ୍‌ ଆଉ ପାଦେ ଅଗେଇଯାଇ ମାଗଣା ବିଜୁଳି, ମାଗଣା ପାଣି, ମାଗଣା ବସ୍‌ଯାତ୍ରା ଇତ୍ୟାଦିର ପ୍ରତିଶ୍ରୁତି ଦେଇଥିଲେ ଏବ˚ ତାହା ଏବେ ରୁଗ୍‌ଣ ରାଜକୋଷର ଦୁର୍ଦ୍ଦଶା ସତ୍ତ୍ବେ ସେ କାର୍ଯ୍ୟକାରୀ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଅଛି ଯେ ନେତାମାନଙ୍କର ଏତାଦୃଶ ଆଚରଣକୁ କିଛି ବୁଦ୍ଧିଜୀବୀ ମଧ୍ୟ ସମର୍ଥନ କରୁଛନ୍ତି ଏବ˚ ସମାଜରେ ଥିବା ଅର୍ଥିକ ବୈଷମ୍ୟର ଦୂରୀକରଣ ଲାଗି ଏ ଧରଣର ପଦକ୍ଷେପ ଯଥାର୍ଥ ବୋଲି ଯୁକ୍ତି ବାଢୁଛନ୍ତି। ତେବେ ବଡ଼ ପ୍ରଶ୍ନ ହେଉଛି, ଏହି ଧରଣର ନିର୍ବାଚନୀ ଉପହାର ଓ ସରକାରୀ ରାଜକୋଷ ବିନିମୟରେ ଭୋଟ୍‌ କ୍ରୟ ବ୍ୟବସ୍ଥା ଦ୍ବାରା ଦେଶର ଦାରିଦ୍ର୍ୟ ଦୂର ହେଉଛି କି? ବାସ୍ତବରେ ରାଜ୍ୟର ବିକାଶ ଏହାଦ୍ବାରା ତ୍ବରାନ୍ବିତ ହେଉଅଛି କି? ନା ଭୋଟ୍‌ ବିକ୍ରୟ ଓ କ୍ରୟ ଭିତରେ ବିକାଶର ଗୁରୁତ୍ବପୂର୍ଣ୍ଣ ଦିଗଗୁଡ଼ିକ କୋଣଠେସା ହୋଇପଡ଼ିଛି।

ଗଲା ମାର୍ଚ୍ଚ ମାସରେ ଏହି ପ୍ରସଙ୍ଗକୁ ନେଇ ହିନ୍ଦୁସେନାର କର୍ମକର୍ତ୍ତା ସୁରଜିତ ସି˚ହ ଯାଦବଙ୍କ ପକ୍ଷରୁ ଆଇନଜୀବୀ ବରୁଣ କୁମାର ସିହ୍ନା ମୁଖ୍ୟ ବିଚାରପତି ଏନ୍‌.ଭି. ରମଣାଙ୍କୁ ନେଇ ଗଠିତ ବେଞ୍ଚ୍‌ ସମ୍ମୁଖରେ ନିଜର ଯୁକ୍ତି ରଖିଥିଲେ। ସିହ୍ନା ଯୁକ୍ତି କରିଥିଲେ ଯେ, ଏ ଧରଣର ପ୍ରତିଶ୍ରୁତି ଦେଉଥିବା ଯୋଗୁଁ ସ˚ପୃକ୍ତ ରାଜନୈତିକ ଲାଞ୍ଚ ଦେବା ବିରୋଧରେ ଥିବା ପିଙ୍ଗଳ କୋଡ୍‌ର ଦଫା ପ୍ରୟୋଗ କରାଯିବା ଦରକାର। ଏ କ୍ଷେତ୍ରରେ ନିର୍ବାଚନ କମିସନ ହସ୍ତକ୍ଷେପ କରି ରାଜନୈତିକ ଦଳଗୁଡ଼ିକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବା ପାଇଁ ସେ ଅପିଲ୍‌ କରିଥିଲେ। ଏହା ପୂର୍ବରୁ ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ ଦାୟର କରିଥିବା ଏକ ଯାଚିକାର ଶୁଣାଣି କରି ମଧ୍ୟ ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାର ଏବ˚ ନିର୍ବାଚନ କମିସନଙ୍କୁ ନୋଟିସ୍‌ ଜାରି କରିଥିଲେ। ଉପାଧ୍ୟାୟ ଦାବି କରିଥିଲେ ଯେ ଏପ୍ରକାର ଆଚରଣ ପ୍ରଦର୍ଶନ କରୁଥିବା ରାଜନୈତିକ ଦଳଗୁଡ଼ିକର ରେଜିଷ୍ଟ୍ରେସନ୍‌ ନମ୍ବର ପ୍ରତ୍ୟାହାର ସହ ନିର୍ବାଚନୀ ସଙ୍କେତକୁ ନିର୍ବାଚନ କମିସନ୍‌ ପ୍ରତ୍ୟାହାର କରିନେବା ଆବଶ୍ୟକ। ମାତ୍ର ନିର୍ବାଚନ କମିସନ୍‌ ତାଙ୍କର ସତ୍ୟପାଠରେ କମିସନ୍‌ ହାତରେ ଏଭଳି କୌଣସି କ୍ଷମତା ନ ଥିବା ଦର୍ଶାଇ ପୁଣିଥରେ ବଲ୍‌ଟିକୁ କେନ୍ଦ୍ର ସରକାର ଓ ରାଜନୈତିକ ଦଳଗୁଡ଼ିକ ଆଡ଼କୁ ଠେଲି ଦେଇଥିଲେ।

ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ନିର୍ବାଚନୀ ଖର୍ଚ୍ଚ ହିଁ ଭାରତ ପାଇଁ ସବୁ ଦୁର୍ନୀତିର ଜନନୀ ହୋଇ ଉଭା ହୋଇଛି। ଏହାକୁ ତୁରନ୍ତ କାବୁ ନ କଲେ ଆଜି ନ ହେଲେ ଆସନ୍ତାକାଲି ଏହା ଆମ ଦେଶର ଅର୍ଥନୀତିକୁ ତଳିତଳାନ୍ତ କରିଦେବ। ସାଧାରଣରେ ପ୍ରକାଶ ପାଉଥିବା ଏହି ଉଦ୍‌ବେଗକୁ ଗତ ଅପ୍ରେଲ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ଉଚ୍ଚ କ୍ଷମତାରେ ଥିବା ପ୍ରଶାସକମାନେ ଜଣାଇଥିଲେ। ଏହିସବୁ ଘଟଣାକ୍ରମ ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶର ଦୁଇ ସଭାରେ ଦୁଇଥର ଏ ପ୍ରସଙ୍ଗ ଉଠେଇବା କଥାରୁ ଆଶାର ଉଦ୍ରେକ ହେଉଛି, ସମ୍ଭବତଃ ସରକାର ଏ ଦିଗରେ କିଛି କଠୋର ପଦକ୍ଷେପ ନେବେ। କେବଳ ଯେ ନିର୍ବାଚନ ସମୟରେ କ୍ଷମତାକୁ ଆସିବାଲାଗି ରାଜନୈତିକ ଦଳଗୁଡ଼ିକ ଏ ଧରଣର ଉତ୍କୋଚ ଓ ଉପହାର ଦେଇ ଭୋଟ୍‌ କିଣୁଛନ୍ତି ତାହା ନୁହେଁ, ବିଭିନ୍ନ ରାଜ୍ୟ ସରକାରଗୁଡ଼ିକ ସରକାରୀ ଅର୍ଥରେ ଉଦ୍ଭଟ ଯୋଜନା ପ୍ରଣୟନ କରି ନିର୍ଭରଶୀଳ ଓ ଦରିଦ୍ର ଭୋଟରଙ୍କୁ ନିଜଆଡ଼କୁ ଟାଣିବା ଲାଗି ଫାଶ ପକଉଛନ୍ତି।

ଯଦି ରାଜ୍ୟର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ କରିବା ପରେ ଏ ଅର୍ଥ ଉପହାରରେ ବ୍ୟୟ ହୁଅନ୍ତା ତାହାହେଲେ ସେ ଗୋଟେ ପ୍ରକାର କଥା ହୁଅନ୍ତା। ଉଦାହରଣ ସ୍ବରୂପ, ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ସୁଦ୍ଧା ଓଡ଼ିଶା ଜଳସେଚନ ପରି ସାଧାରଣ ସୁବିଧା ସବୁ ଚାଷୀଙ୍କୁ ଯୋଗାଇ ପାରିନାହିଁ। ତାହାହେଲେ ଏପ୍ରକାର ଅର୍ଥ ଅପଚୟର ଲକ୍ଷ୍ୟ କ’ଣ ହୋଇପାରେ- ସାମୟିକ ଉତ୍ତେଜନା ସୃଷ୍ଟି ନା ଲୋକଙ୍କର ଆର୍ଥିକ ବିକାଶ!

ମାନ୍ୟବର ସୁପ୍ରିମ୍‌ କୋର୍ଟ ବାସ୍ତବରେ ଏହି ସମସ୍ୟାକୁ ଉଦ୍‌ବେଗଜନକ ଆଖ୍ୟା ଦେଇ ଏହାର ଗମ୍ଭୀରତା ପ୍ରତି ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଲାଞ୍ଚ-ଉପହାର ବ୍ୟବସ୍ଥାରେ ସାଧାରଣ ସଚ୍ଚୋଟ ପ୍ରାର୍ଥୀଟିଏ ପକ୍ଷରେ ନିର୍ବାଚନ ଲଢ଼ିବା ମଧ୍ୟ କଷ୍ଟକର, ଜିତିବା ତ ଦୂରର କଥା। ଫଳରେ ଭାରତର ରାଜନୀତି କଳାଟଙ୍କାରେ ବଳୀୟାନ ଧଳାପୋଷାକୀ ନେତାଙ୍କ ଏକ ଆଖଡ଼ା ହୋଇପଡ଼ିବା ବିଚିତ୍ର ନୁହେଁ। ପ୍ରତିଦିନ ଗୋଟିଏ ଗୋଟିଏ ଦେଶର ବିପର୍ଯ୍ୟୟ ଆମେ ଲକ୍ଷ୍ୟ କରୁଛେ। ଦେଖିବାକୁ ଗଲେ ଅନେକ ବିଳମ୍ବ ହେଲାଣି। ପଚସ୍ତରି ବର୍ଷର ଅଭିଜ୍ଞତା, ସମକାଳୀନ ଇତିହାସର ପ୍ରଭାବ ଏବ˚ ପ୍ରତ୍ୟକ୍ଷ ଅନୁଭୂତି- ଏସବୁ ଭାରତ ସରକାର, ନିର୍ବାଚନ କମିସନ୍‌, ରାଜନୈତିକ ଦଳ ଏବ˚ ମତଦାତାମାନଙ୍କୁ ସ˚କୀର୍ଣ୍ଣତାର ନିଜ ନିଜର ଗଣ୍ତିରୁ ଊର୍ଦ୍ଧ୍ବକୁ ଉଠି ବ୍ୟାଧିର ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ସ˚କଳ୍ପବଦ୍ଧ କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର