ରସେଲ୍‌ଙ୍କ କୁକୁଡ଼ା

ଆଜିର ଦୁନିଆରେ ଏଭଳି ଭ୍ରମାତ୍ମକ ବିଶ୍ବାସର କିଭଳି ବିଜୁଳି ବେଗରେ ପ୍ରସାର ଘଟିପାରେ, ତାହା କ୍ଲାଇନ୍‌ଙ୍କ ‘ଚୋରିଜୋ’ ଚିତ୍ର ପ୍ରଦର୍ଶିତ କରିଛି। କିନ୍ତୁ ତା’ପରେ ଅନୁତପ୍ତ କ୍ଲାଇନ୍‌ ପ୍ରସାର କରିଥିବା ସତର୍କବାଣୀ ଯଦି ସେଇଭଳି ପ୍ରସାର ଲାଭ କରି ତାଙ୍କର ଅନୁଗାମୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରେ, ତାହେଲେ ସେମାନଙ୍କୁ କେବେ ରସେଲ୍‌ଙ୍କ କୁକୁଡ଼ାର ଦଶା ଭୋଗ କରିବାକୁ ପଡ଼ିବ ନାହିଁ।

‘ଯାହା ନ ଦେଖିବ ଦୁଇ ନୟନେ, ପରତେ ନ ଯିବ ଗୁରୁ ବଚନେ।’ ଆଜିର ଇଣ୍ଟର‌୍‌ନେଟ୍‌ ଯୁଗର ଡିଜିଟାଲ୍‌ ଟେକ୍ନୋଲୋଜି ଓ ସୋସିଆଲ୍ ମିଡିଆ ମାଧ୍ୟମରେ ତତ୍‌କ୍ଷଣାତ୍‌ ସୂଚନାର ପୃଥିବୀବ୍ୟାପୀ ପ୍ରସାର ଘଟୁଥିବା ସମୟରେ ଘଟିଥିବା ଏକ ତାଜା ଘଟଣା ଏହି ସୁପରିଚିତ ଓଡ଼ିଆ ଢଗଟିର ସତ୍ୟତାକୁ ଯେଉଁଭଳି ଅକ୍ଷରେ ଅକ୍ଷରେ ପ୍ରମାଣିତ କରିଛି, ତାହା ଯେତିକି ଅବିଶ୍ବନୀୟ ସେତିକି ଆମୋଦଦାୟକ ହୋଇଥାଏ। ଏଠାରେ ଯିଏ ଗୁରୁ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି, ସେ ପ୍ରକୃତରେ ହେଉଛନ୍ତି ଜଣେ ଗୁରୁ- ଫ୍ରାନ୍‌ସର ମର୍ଯ୍ୟାଦାଜନକ ‘ଅଲ୍‌ଟର‌୍‌ନେଟ୍‌ ଏନର୍ଜିଜ୍‌ ଆଣ୍ତ୍‌ ଆଟମିକ୍‌ ଏନର୍ଜି କମିସନ୍‌’ର ଗବେଷଣା ନିର୍ଦ୍ଦେଶକ ତଥା ଖ୍ୟାତନାମା ପଦାର୍ଥବିଜ୍ଞାନୀ ଏଟିଏନ୍‌ କ୍ଲାଇନ୍‌। ଏହି ମହାନ ଗୁରୁଙ୍କର ଯେଉଁ ବଚନ ଚମକ ସୃଷ୍ଟି କରି ପୃଥିବୀସାରା ପ୍ରସାର ଲାଭ କରିଥିଲା, ତାହା ଥିଲା ତାଙ୍କର ନିଜ ଇଲାକା ମହାକାଶରେ ଥିବା ଏକ ତାରାକୁ କେନ୍ଦ୍ର କରି: ‘ପ୍ରକ୍ସିମା ସେଣ୍ଟାଉରି।’
ଏହି ତାରାର ଏକ କ୍ଲୋଜ୍‌-ଅପ୍‌ ଫଟୋ ପ୍ରସାର କରି ବୈଜ୍ଞାନିକ କ୍ଲାଇନ୍‌ ତାଙ୍କର ପ୍ରାୟ ଏକ ଲକ୍ଷ ସରିକି ସିଧାସଳଖ ସୋସିଆଲ୍‌ ମିଡିଆ ଅନୁଗାମୀମାନଙ୍କୁ ଜଣାଇଥିଲେ ଯେ ଏଇ ମାତ୍ର ଜୁଲାଇ ୧୨ ଠାରୁ କାର୍ଯ୍ୟ କରିବାକୁ ଆରମ୍ଭ କରିଥିବା ମହାକାଶସ୍ଥିତ ସର୍ବାଧିକ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ‘ଜେମ୍‌ସ େଵବ୍‌ ସ୍ପେସ୍‌ ଟେଲିସ୍କୋପ୍‌’ ଦ୍ବାରା ଏହି ଫଟୋ ଉତ୍ତୋଳନ କରାଯାଇଛି। ‘ପ୍ରକ୍ସିମା ସେଣ୍ଟାଉରି’ର ନାମ ସୂଚାଉଥିବା ଭଳି (‘ପ୍ରକ୍ସିମା’ ଅର୍ଥ ନିକଟବର୍ତ୍ତୀ) ଏହି ତାରା ହେଉଛି ସୂର୍ଯ୍ୟର ସର୍ବାଧିକ ନିକଟବର୍ତ୍ତୀ ତାରା। ମାତ୍ର ପ୍ରାୟ ଶହେ ବର୍ଷ ତଳେ ୧୯୧୫ରେ ଆବିଷ୍କୃତ ହୋଇଥିବା ଏହି ତାରା ହେଉଛି ଏକ ତାରକା ପରିବାରର ସଦସ୍ୟ ଯେଉଁମାନଙ୍କୁ ‘ଲାଲ୍‌ ବାମନ’ (‘ରେଡ୍‌ ଡ୍ବାର୍ଫ‌୍‌’) ରୂପେ ବର୍ଣ୍ଣନା କରାଯାଇଥାଏ। ଏହାର ଆକାର କ୍ଷୁଦ୍ର ହୋଇଥିବାରୁ (ସୂର୍ଯ୍ୟର ପ୍ରାୟ ଏକ-ସପ୍ତମା˚ଶ) ଏହା ହେଉଛି ଏକ ବାମନ, ଏବ˚ ଏହାର ରଙ୍ଗ ହେଉଛି ଲାଲ୍‌। ଗୁରୁଦେବ ଏଟିଏନ୍‌ କ୍ଲାଇନ୍‌ ପୃଥିବୀଠାରୁ ପ୍ରାୟ ଚାରି ଆଲୋକ ବର୍ଷ ଦୂରତାରେ ଥିବା ଏହି ‘ଲାଲ୍‌ ବାମନ’ର ଯେଉଁ ଫଟୋ ୩୧ ଜୁଲାଇ, ରବିବାର ଦିନ ପ୍ରସାର କରିଥିଲେ, ସେଥିରେ ଏକ କଳା ରଙ୍ଗର ପୃଷ୍ଠଭୂମିରେ ତାରାଟିର ଉଜ୍ଜ୍ବଳ ଲାଲ୍‌ ଶରୀରରେ ଧପ୍‌ଧପ୍‌ କରୁଥିବା ନାରଙ୍ଗୀ ଲେଲିହାନ ଶିଖା ତାଙ୍କର ଅନୁଗାମୀମାନଙ୍କଠାରେ ଏକ ଅବର୍ଣ୍ଣନୀୟ ଶିହରଣ ସୃଷ୍ଟି କରିଥିଲା- ସତେ ଯେମିତି ସେମାନେ ଆମର ନିକଟତମ ପଡ଼ୋଶୀ ତାରାଟିକୁ ଅତି ନିକଟରୁ ଦେଖୁଛନ୍ତି।
ଏହି ଚିତ୍ର ଓ ତା’ ସହିତ କ୍ଲାଇନ୍‌ ପ୍ରଦାନ କରିଥିବା ବର୍ଣ୍ଣନା କେବଳ ତାଙ୍କର ପ୍ରତ୍ୟକ୍ଷ ଅନୁଗାମୀମାନଙ୍କ ମଧ୍ୟରେ ସୀମିତ ନ ରହି ତତ୍‌କ୍ଷଣାତ୍‌ ସାରା ପୃଥିବୀର ମହାକାଶ ଆଗ୍ରହୀମାନଙ୍କ ମଧ୍ୟରେ ପ୍ରସାରିତ ହୋଇ ସେମାନଙ୍କୁ ଚମତ୍କୃତ କରିଦେଲା। ଏ ସମସ୍ତଙ୍କୁ କିଛି କାଳ ଏଭଳି ଉଚ୍ଚାଟରେ ରଖିବା ପରେ ବୈଜ୍ଞାନିକ ଜଣକ କିନ୍ତୁ ସେଥିରେ ଭଟ୍ଟା ପକାଇ ଟ୍ବିଟ୍‌ କରି ଜଣାଇଲେ ଯେ ସେ ପ୍ରସାର କରିଥିବା ଫଟୋଟି ପ୍ରକୃତରେ ଥିଲା ଏକ କଳା ପୃଷ୍ଠଭୂମିରେ ଉତ୍ତୋଳନ କରାଯାଇଥିବା ତାଙ୍କର ମଧ୍ୟାହ୍ନ ଭୋଜନର ଅ˚ଶ ଘୁଷୁରି ମା˚ସ ପ୍ରସ୍ତୁତ ‘ଚୋରିଜୋ’ ଖଣ୍ତେର ଏକ କ୍ଲୋଜ୍‌-ଅପ୍‌ ଫଟୋ। ଅଗଣିତ ଅନୁଗାମୀମାନଙ୍କୁ ଏଭିଳି ବିଭ୍ରାନ୍ତିରେ ପକାଇଥିବାରୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବା ପରେ ବୁଧବାର ଦିନ କ୍ଲାଇନ୍‌ ଏଥିପାଇଁ କ୍ଷମା ଭିକ୍ଷା କରି ସ୍ପଷ୍ଟୀକରଣ ଦେଲେ ଯେ ସେ ଏଭଳି ରହସ୍ୟ କରିବାର ଉଦ୍ଦେଶ୍ୟ ଥିଲା ସମସ୍ତଙ୍କୁ ସତର୍କ କରିଦେବା େଯ ସେମାନେ ସତ ଭଳି ପ୍ରତୀୟମାନ ହେଉଥିବା ଏଭଳି କୌଣସି ଚିତ୍ରକୁ ଦେଖି ତାକୁ ବିନା ପ୍ରଶ୍ନରେ ସତ ବୋଲି ଗ୍ରହଣ କରିନେବା ଉଚିତ ନୁହେଁ। ଅବଶ୍ୟ କ୍ଲାଇନ୍‌ଙ୍କ ଏହି ଅନୁଶୋଚନା କେତେ ଦୂର ସତ ତାହା କିଏ କହିପାରିବ? ସେ ମଧ୍ୟ କୌଣସି ବିଶେଷଜ୍ଞଙ୍କ ମତକୁ ବିନା ପ୍ରଶ୍ନରେ ଗ୍ରହଣ ନ କରିବାକୁ ତାଙ୍କର ଏହି ଦୁଷ୍ଟାମିପୂର୍ଣ୍ଣ ଟ୍ବିଟ୍‌ ଶିକ୍ଷା ଦେଇଥାଏ ବୋଲି କହିଛନ୍ତି।
ଏଟିଏନ୍‌ କ୍ଲାଇନ୍‌ଙ୍କର ଏହି ମିଛ ଟ୍ବିଟ୍‌ ମାଧ୍ୟମରେ ପ୍ରସାରିତ ସଚିତ୍ର ସୂଚନା ସାଧାରଣରେ ବିଶ୍ବାସଯୋଗ୍ୟ ହେବା ପଛରେ କେତେଗୁଡ଼ିଏ କାରଣ ନିହିତ ଅଛି। ପ୍ରଥମ କାରଣ ହେଉଛନ୍ତି କ୍ଲାଇନ୍‌ ନିଜେ। ସେ ହେଉଛନ୍ତି ଜଣେ ସମ୍ମାନାସ୍ପଦ ବିଜ୍ଞାନ ଗବେଷକ। ସତ୍ୟର ଆବିଷ୍କାର ହେଉଛି ଗବେଷଣାର ଲକ୍ଷ୍ୟ। ସେ କ୍ଷେତ୍ରରେ ଶୀର୍ଷ ସ୍ଥାନ ହାସଲ କରିଥିବା ଜଣେ ବୈଜ୍ଞାନିକ ଏକ ମିଥ୍ୟା ଚିତ୍ର ଓ କାହାଣୀ ପ୍ରସାର କରିବେ ବୋଲି କିଏ କାହିଁକି ଆଶଙ୍କା କରିବେ? ଦ୍ବିତୀୟରେ, କ୍ଲାଇନ୍‌ଙ୍କ ଟ୍ବିଟ୍‌ ପ୍ରସାରିତ ହେବା ପରେ ଅନ୍ୟ କୌଣସି ଗଣମାଧ୍ୟମ କିମ୍ବା ବୈଜ୍ଞାନିକ କିମ୍ବା ଗବେଷକ ତାହାର ସତ୍ୟତା ସମ୍ବନ୍ଧରେ ପ୍ରଶ୍ନ ଉଠାଇ ନଥିଲେ। ତେଣୁ ସାଧାରଣ ଅନୁଗାମୀମାନେ ତାଙ୍କୁ ସହଜରେ ବିଶ୍ବାସ କରିବା ସ୍ବାଭାବିକ। ତୃତୀୟରେ, ମହାକାଶରେ କାର୍ଯ୍ୟ ଆରମ୍ଭ କରିଥିବା ‘ଜେମ୍‌ସ େଵବ୍‌ ସ୍ପେସ୍‌ ଟେଲିସ୍କୋପ୍‌’ର କାର୍ଯ୍ୟକଳାପକୁ ଏ କ୍ଷେତ୍ରରେ ଆଗ୍ରହ ଥିବା ସମସ୍ତେ ଉତ୍ସୁକତା ସହିତ ଅପେକ୍ଷା କରି ରହିଛନ୍ତି। ଏହାଦ୍ବାରା ସ˚ଗୃହୀତ ସୂଚନା କିନ୍ତୁ ସାଧାରଣ ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚି ନଥାଏ, ତାହା ପହଞ୍ଚି ଥାଏ ଏଟିଏନ୍‌ କ୍ଲାଇନ୍‌ଙ୍କ ଭଳି ବିଜ୍ଞାନ ଗବେଷକମାନଙ୍କ ମାଧ୍ୟମରେ। ତେଣୁ କ୍ଲାଇନ୍‌ଙ୍କୁ ଅବିଶ୍ବାସ କରିବାର କୌଣସି କାରଣ ନାହିଁ। ସୂର୍ଯ୍ୟ ଆମକୁ ଆଲୋକ ପ୍ରଦାନ କଲା ଭଳି କ୍ଲାଇନ୍‌ଙ୍କ ଭଳି ବୈଜ୍ଞାନିକମାନେ ଆମକୁ ଜ୍ଞାନ ଆଲୋକ ପ୍ରଦାନ କରିଥାନ୍ତି।
କିନ୍ତୁ କ୍ଲାଇନ୍‌ଙ୍କ ମିଥ୍ୟାଚାର ସୂର୍ଯ୍ୟଙ୍କ ସମ୍ବନ୍ଧରେ ଅଷ୍ଟାଦଶ ଶତାବ୍ଦୀର ମହାନ୍‌ ସ୍କଟିଶ୍‌ ଦାର୍ଶନିକ ଡେଭିଡ୍‌ ହ୍ୟୁମ୍‌ ପ୍ରକଟ କରିଥିବା ସନ୍ଦେହ ଆମକୁ ମନେ ପକାଇ ଦିଏ। ହ୍ୟୁମ୍‌ ପ୍ରଶ୍ନ କରିଥିଲେ: ଯେହେତୁ ଏପର୍ଯ୍ୟନ୍ତ ସୂର୍ଯ୍ୟ ପ୍ରତିଦିନ ଉଦୟ ହୋଇ ଚାଲିଛନ୍ତି, ଆସନ୍ତାକାଲି ମଧ୍ୟ ସୂର୍ଯ୍ୟୋଦୟ ଘଟିବା ନିଶ୍ଚିତ ବୋଲି କୌଣସି ଯୁକ୍ତିଯୁକ୍ତ କାରଣ ଅଛି କି? (ଯଦି କେହି କହେ ପୃଥିବୀ ନିଜର ଅକ୍ଷକୁ କେନ୍ଦ୍ର କରି ଘୂରୁଥିବାରୁ ସୂର୍ଯ୍ୟୋଦୟ ଘଟିବା ନିଶ୍ଚିତ, ତେବେ ପୁଣି ପ୍ରଶ୍ନ ହେବ: ପୃଥିବୀର ଏହି ଘୂର୍ଣ୍ଣନ ଅବିରତ ଚାଲିବା ନିଶ୍ଚିତ ବୋଲି କୌଣସି ଯୁକ୍ତିଯୁକ୍ତ କାରଣ ଅଛି କି?
ବି˚ଶ ଶତାବ୍ଦୀର ପ୍ରସିଦ୍ଧ ବ୍ରିଟିସ୍‌ ଦାର୍ଶନିକ ବର୍ଟ୍ରାଣ୍ତ୍‌ ରସେଲ୍‌ ତାଙ୍କର ସ୍ବଭାବସୁଲଭ ଚଟୁଳ କିନ୍ତୁ ପ୍ରଭାବଶାଳୀ ଢଙ୍ଗରେ ବିଜ୍ଞାନର ପରୀକ୍ଷିତ ତତ୍ତ୍ବମାନଙ୍କ ସମ୍ବନ୍ଧରେ ହ୍ୟୁମ୍‌ ଉତ୍‌ଥାପନ କରିଥିବା ଏଭଳି ସ˚ଶୟକୁ ନିମ୍ନୋକ୍ତ ପ୍ରକାରେ ପ୍ରକାଶ କରିଥିଲେ। ସେ କହିଥିଲେ, ଯେଉଁ ବ୍ୟକ୍ତି ଜଣକ ସେ ପାଳିଥିବା କୁକୁଡ଼ାକୁ ତା’ର ଜୀବନ ସାରା ଦାନା ଖୁଆଇ ଚାଲିଥିଲେ, ଶେଷରେ ଦିନେ ସେ ହିଁ ତା’ର ବେକ ମୋଡ଼ିଦେଇଥାନ୍ତି। ଅତୀତରେ ନିୟମିତ ଭାବରେ ଘଟି ଆସିଥିବା ଘଟଣାର ଯଦି ଭବିଷ୍ୟତରେ ମଧ୍ୟ ପୁନରାବୃତ୍ତି ଘଟିବା ନିଶ୍ଚିତ ହୋଇଥାନ୍ତା, ତେବେ କୁକୁଡ଼ାଟିର ଜୀବନ ରକ୍ଷା ହୋଇଯାଆନ୍ତା। ସେହିପରି ଏଟିଏନ୍‌ କ୍ଲାଇନ୍‌ଙ୍କ ପରି ବୈଜ୍ଞାନିକମାନେ ଅତୀତରେ ସର୍ବଦା ସତ କହି ଆସିଛନ୍ତି ବୋଲି ଭବିଷ୍ୟତରେ ମଧ୍ୟ ସତ କହିଚାଲିବେ ବୋଲି ବିଶ୍ବାସ କରିବା ଯାହା, ରସେଲ୍‌ଙ୍କ କାହାଣୀର କୁକୁଡ଼ା ତା’ର ପାଳନକର୍ତ୍ତା ତାକୁ ସବୁଦିନେ ଦାନା ଖୁଆଇ ଚାଲିବେ ବୋଲି ବିଶ୍ବାସ କରିବା ତାହା। ଉଭୟ କ୍ଷେତ୍ରରେ ଏଭଳି ପ୍ରଶ୍ନାତୀତ ବିଶ୍ବାସର ପରିଣାମ ଶୁଭଙ୍କର ହୋଇ ନଥାଏ।
ଆଜିର ଦୁନିଆରେ ଏଭଳି ଭ୍ରମାତ୍ମକ ବିଶ୍ବାସର କିଭଳି ବିଜୁଳି ବେଗରେ ପ୍ରସାର ଘଟିପାରେ, ତାହା କ୍ଲାଇନ୍‌ଙ୍କ ‘ଚୋରିଜୋ’ ଚିତ୍ର ପ୍ରଦର୍ଶିତ କରିଛି। କିନ୍ତୁ ତା’ପରେ ଅନୁତପ୍ତ କ୍ଲାଇନ୍‌ ପ୍ରସାର କରିଥିବା ସତର୍କବାଣୀ ଯଦି ସେଇଭଳି ପ୍ରସାର ଲାଭ କରି ତାଙ୍କର ଅନୁଗାମୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରେ, ତାହେଲେ ସେମାନଙ୍କୁ କେବେ ରସେଲ୍‌ଙ୍କ କୁକୁଡ଼ାର ଦଶା ଭୋଗ କରିବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର