୧୯୭୧ ମସିହାର ଯୁଦ୍ଧରେ ଭାରତର ବିଜୟ ହୁଏତ ନିରର୍ଥକ ହୁଅନ୍ତା, ଯଦି ବାଂଲାଦେଶ ତା’ର ଜ୍ୟେଷ୍ଠ ଭ୍ରାତା ପାକିସ୍ତାନ ସଦୃଶ ଆତଙ୍କବାଦ ଏବଂ ଅବନତିର ପଙ୍କ ମଧ୍ୟରେ ବୁଡ଼ି ରହି ନିଜକୁ ହଜାଇ ଦେଇଥାଆନ୍ତା। ଉଲ୍ଲେଖଯୋଗ୍ୟ ଯେ ନିହାତି ସଂବେଦନଶୂନ୍ୟ ତଥା ନିର୍ଦ୍ଦୟ ଇଂରେଜୀ ଅଭିବ୍ୟକ୍ତି ‘ବାସ୍କେଟ୍‌ କେସ୍‌’ର ବ୍ୟବହାର ପ୍ରଥମ ବିଶ୍ବଯୁଦ୍ଧ ସମୟରେ ପ୍ରାରମ୍ଭ ହୋଇଥିଲା, ଯାହାର ଉପଜୀବ୍ୟ ଥିଲେ ଯୁଦ୍ଧରେ ସମସ୍ତ ଅବୟବ ହରାଇଥିବା ହତଭାଗ୍ୟ ଆହତମାନେ, ଯେଉଁମାନଙ୍କୁ ଷ୍ଟ୍ରେଚର୍‌ରେ ସ୍ଥାନାନ୍ତର କରିବା କଷ୍ଟସାଧ୍ୟ ହେଉଥିବାରୁ ଅଗତ୍ୟା ସେମାନଙ୍କୁ ବୋହି ନେବା ଲାଗି ବୃହଦାକାର ବାସ୍କେଟମାନ ଲୋଡ଼ା ପଡୁଥିଲା। ନିକଟରେ ପରଲୋକ ଗମନ କରିଥିବା ହେନରୀ କିସିଂଜର ତାଙ୍କର ଏହି ବହୁ ଚର୍ଚ୍ଚିତ ‘ବା‌ସ୍କେଟ କେସ୍‌’ ଭଳି ମନ୍ତବ୍ୟ ସକାଶେ ହୁଏତ ପଶ୍ଚାତ୍ତାପ କରିଥିବେ; କାରଣ ତାଙ୍କ ଜୀବଦ୍ଦଶାରେ ହିଁ ‘ଅଥର୍ବ’ ବାଂଲାଦେଶ ଏକ ଦ୍ରୁତ ଧାବକରେ ପରିଣତ ହୋଇଥିବା ବେଳେ ଏକଦା ତାଙ୍କର ଅତି ପ୍ରିୟ ରାଷ୍ଟ୍ର ପାକିସ୍ତାନ ବାସ୍ତବରେ ଏକ ‘ବାସ୍କେଟ୍‌ କେସ୍‌’ରେ ପରିଣତ ହେବାକୁ ବସିଲାଣି।

Advertisment

ଗଲା ୧୬ ତାରିଖରେ ଭାରତ ୫୨ତମ ‘ବିଜୟ ଦିବସ’ ପାଳନ କରିଛି; ଯାହା ୧୯୭୧ ମସିହାର ଯୁଦ୍ଧରେ ଭାରତ ହାତରେ ପାକିସ୍ତାନର ପ୍ରାଂଜଳ ପରାଜୟ ସହିତ ଏକ ସ୍ବତନ୍ତ୍ର ସାର୍ବଭୌମ ରାଷ୍ଟ୍ର ରୂପେ ବାଂଲାଦେଶ ଜନ୍ମର ସ୍ମୃତିକୁ ସତେଜ କରିଥାଏ। ଏଠାରେ ପ୍ରଣିଧାନଯୋଗ୍ୟ ଯେ ପୃଥିବୀରେ ସଂଘଟିତ ହୋଇଥିବା ଅଧିକାଂଶ ଯୁଦ୍ଧ କୌଣସି ପକ୍ଷର ସ୍ପଷ୍ଟ ବିଜୟ ବା ପରାଜୟର ସୂଚନା ନ ଦେଇ ଏକ ଅସମାପ୍ତପ୍ରାୟ ସ୍ଥିତିରେ ଅଗତ୍ୟା ‘ବିରତି’ ବା ‘ବୁଝାମଣା’ରେ ବିଶ୍ରାମ ନେଇଥାଆନ୍ତି। ଅଥଚ, ଏହି ଯୁଦ୍ଧରେ ପ୍ରାୟ ୯୧,୦୦୦ ସରିକି ପାକିସ୍ତାନୀ ସୈନିକ ଭାରତ ନିକଟରେ ଆତ୍ମସମର୍ପଣ କରି ପରାଜୟ ସ୍ବୀକାର କରିଥି‌େଲ। ଉଲ୍ଲେଖଯୋଗ୍ୟ ଯେ ଏହି ଯୁଦ୍ଧ କାରଣରୁ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନେକ ୟୁରୋପୀୟ ରାଷ୍ଟ୍ରଙ୍କ ଚକ୍ଷୁଶୂଳ ହୋଇ ଉଠିଥିଲା ଏବଂ ସେ ସମୟରେ ପାକିସ୍ତାନକୁ ସନ୍ତାନତୁଲ୍ୟ ଶ୍ରଦ୍ଧାରେ କ୍ରୋଡ଼ାଶ୍ରିତ କରିଥିବା ଆମେରିକା ପକ୍ଷରୁ ତା’ର ପ୍ରତିରକ୍ଷା ମନ୍ତ୍ରୀ ହେନରି କିସିଂଜର ଯୁଦ୍ଧ ଓ ଅତ୍ୟାଚାର ଦ୍ବାରା ମୁମୂର୍ଷୁ ଦରିଦ୍ର ବାଂଲାଦେଶକୁ ଏକ ‘ବାସ୍କେଟ୍‌ କେସ୍‌’ ରୂପେ ବିଦ୍ରୂପ କରିଥିଲେ, ଯାହାର ଅର୍ଥ ବାଂଲାଦେଶ ହେଉଛି ଏକ ଚଳତ୍‌ ଶକ୍ତିହୀନ ଅଥର୍ବ ରାଷ୍ଟ୍ର, ଯାହାର ଭବିଷ୍ୟତ୍‌କୁ ନେଇ କୌଣସି ପରିକଳ୍ପନା କରାଯାଇ ନ ପାରେ। ଏହି ପରିପ୍ରେକ୍ଷୀରେ ଯୁଦ୍ଧର ପାଞ୍ଚ ଦଶନ୍ଧି ପରେ ବାଂଲା‌ଦେଶର ସାଂପ୍ରତିକ ସ୍ଥିତି ଉପରେ ଏକ ଅନୁଧ୍ୟାନ ବେଶ୍‌ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ; ଏବଂ ଏହି କ୍ରମରେ ‘ବିଜୟ ଦିବସ’ର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିଛି କି ନାହିଁ, ତାହା ମଧ୍ୟ ଏକ କ୍ଷୁଦ୍ର ଆଲୋଚନାର ଅବକାଶ ସୃଷ୍ଟି କରିଥାଏ।
ପ୍ରକାଶ ଥାଉ କି ବାଂଲାଦେଶ ସୃଷ୍ଟି ହେବା ପୂର୍ବରୁ ପୂର୍ବ-ପାକିସ୍ତାନ ରୂପେ ପରିଚିତ ଥିବା ଏହି ଭୁଖଣ୍ଡ ତା’ର ଯମଜ ଜ୍ୟେଷ୍ଠ ଭ୍ରାତା ପାକିସ୍ତାନ (ତତ୍କାଳୀନ ପଶ୍ଚିମ-ପାକିସ୍ତାନ)ର ପ୍ରଭୁତ୍ବ ଅଧୀନ ଥିଲା, ଯହିଁରେ ଦାରିଦ୍ର୍ୟ, ନିପୀଡ଼ନ, ନାଗରିକ ଅଧିକାର ହନନ, ଭାଷା ଓ ସଂସ୍କୃତିଗତ ଲାଂଛନା, ରାଜନୈତିକ ଅସ୍ପୃଶ୍ୟତା, ସାମାଜିକ ହେୟବୋଧ ଇତ୍ୟାଦି ତା’ର ଭାଗ୍ୟ ଭୋଗ ଥିଲା। ସେହି ଦୃଷ୍ଟିରୁ ଏକ ଯନ୍ତ୍ରଣାଦାୟକ ଅସ୍ତ୍ରୋପଚାର ପରେ ଯମଜ ହେବାର ନିୟତିରୁ ମୁକ୍ତ ହୋଇଥିବା ଏହି କନିଷ୍ଠ ଭ୍ରାତା ପଚାଶ ବର୍ଷର ଅବଧି ମଧ୍ୟରେ ତା’ର ଜାତୀୟ ଆୟରେ ୫୦ ଗୁଣ, ମୁଣ୍ଡ ପିଛା ଆୟରେ ୨୫ ଗୁଣ, କୃଷି ଉତ୍ପାଦନରେ ୪ ଗୁଣ, ରପ୍ତାନିରେ ୧୦୦ ଗୁଣ ଅଭିବୃଦ୍ଧି ସହିତ ଦାରିଦ୍ର୍ୟରେ ୨୦ ପ୍ରତିଶତ ସଂକୋଚନ ଘଟାଇ ପୃଥିବୀକୁ ଚମତ୍କୃତ କରି ପାରିଛି। ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ମାନବୀୟ ସୂଚକାଙ୍କ ତାଲିକାରେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବାଂଲାଦେଶ ସବୁଠାରୁ ଉନ୍ନତ ସୋପାନରେ ବିଦ୍ୟମାନ। ଏ ସଂଦର୍ଭରେ ପାକିସ୍ତାନର ସମ୍ବାଦପତ୍ର ‘ଡନ୍‌’ରେ ୨୦୨୧ ମସିହାରେ ପ୍ରକାଶିତ ‘ଦ ବାଂଲାଦେଶ ଷ୍ଟୋରି’ ଶୀଷର୍କଧାରୀ ଆଲେଖ୍ୟରେ ବିଶିଷ୍ଟ ଅର୍ଥନୀତିଜ୍ଞ ପାକିସ୍ତାନୀ ବିଦ୍ବାନ ଇସରତ ହୁସେନ ଯେଉଁ କାରଣମାନ ଦର୍ଶାଇଛନ୍ତି, ତାହା ବିଶେଷ ଗୁରୁତ୍ବପୂର୍ଣ୍ଣ। ତାଙ୍କ ବିଚାରରେ ବାଂଲାଦେଶର ଏକକ ଭାଷା ଓ ସଂସ୍କୃତି, ୧୯୯୧ ମସିହା ପର ଠାରୁ ସେଠାରେ ବିଦ୍ୟମାନ ସ୍ଥିର ଗଣତନ୍ତ୍ର, ତୀବ୍ର ରାଜନୈତିକ ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ଦଳ ନିର୍ବିଶେଷରେ ସରକାରଗୁଡ଼ିକ ଦ୍ବାରା ଆର୍ଥିକ ପ୍ରଗତିକୁ ଅଗ୍ରାଧିକାର, ପରଂପରାଗତ ଭାବେ ବାଂଲାଦେଶୀ ନାରୀ ଓ ସେମାନଙ୍କ ମୁକ୍ତ ବିଚାର ଲାଭ କରୁଥିବା ପ୍ରାଧାନ୍ୟ ଏବଂ ରାଷ୍ଟ୍ର ବିକାଶରେ ‘ସିଭିଲ ସୋସାଇଟି’ (ଏନ୍‌.ଜି.ଓ.)ଗୁଡ଼ିକୁ ଅକାତରେ ଅନ୍ତର୍ଭୁକ୍ତ କରିବାର ଦୂରଦୃଷ୍ଟି ଇତ୍ୟାଦି ସେହି ଦେଶ ସକାଶେ ଦୃଷ୍ଟାନ୍ତମୂଳକ ଉନ୍ନତିର କାରଣ ହୋଇଛି। ଉଦାହରଣ ସ୍ବରୂପ ବାଂଲାଦେଶୀ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ କ୍ଷେତ୍ରରେ ମହମ୍ମଦ ୟୁନୁସ (ଶାନ୍ତି ଲାଗି ନୋବେଲ ପୁରସ୍କାର ବିଜେତା)ଙ୍କ ଯୁଗାନ୍ତକାରୀ ପରିକଳ୍ପନା ବାଂଲାଦେଶ ସରହଦ ଅତିକ୍ରମ କରି ଅନେକ ଏସୀୟ ରାଷ୍ଟ୍ର (ଭାରତ ସମେତ)ରେ ମହିଳା ‘ସ୍ବୟଂ ସହାୟକ ଗୋଷ୍ଠୀ’ମାନର ସୃଷ୍ଟିରେ ସହାୟକ ହେବା ସହିତ ସର୍ବତ୍ର ଚମତ୍କାର ଫଳ ଦେଖାଇ ଚାଲିଛି। କେବଳ ସେତିକି ନୁହେଁ, ସଂପ୍ରତି ବାଂଲାଦେଶ ସମଗ୍ର ବିଶ୍ବ ପାଇଁ ପୋଷାକ ଉତ୍ପାଦନ ଓ ଯୋଗାଣର କେନ୍ଦ୍ର ପାଲଟିଛି, ଯାହାର ଫଳ ବାଂଲାଦେଶର ରପ୍ତାନିରେ ଆଶାତୀତ ଅଭିବୃଦ୍ଧି। ଏହା ସହିତ ବାଂଲାଦେଶୀ ପରିବାରରେ ମହିଳାମାନେ ଲାଭ କରୁଥିବା ମହତ୍ତ୍ବ କିଭଳି ଅବଲୀଳା କ୍ରମେ ସେ ଦେଶକୁ ଅଧିକ ଶିକ୍ଷିତ ଏବଂ ସୁସ୍ଥ କରିବାରେ ଲାଗିଛି, ତାହା ଏଥିରୁ ସ୍ପଷ୍ଟ ଯେ ବାଂଲାଦେଶର ସାକ୍ଷରତା ହାର ୭୩.୫% ହୋଇଥିବା ବେଳେ ପାକିସ୍ତାନରେ ତାହା ମାତ୍ର ୫୮% ଏବଂ ବାଂଲାଦେଶୀଙ୍କ ହାରାହାରି ଆୟୁ ୭୩ ବର୍ଷ ହୋଇଥିବା ବେଳେ ପାକିସ୍ତାନୀଙ୍କ କ୍ଷେତ୍ରରେ ତାହା ୬୮ ବର୍ଷ। ସୁତରାଂ, ପ୍ରତିଯୋଗିତାରେ ପାକିସ୍ତାନକୁ ପଛରେ ପକାଇ ବାଂଲାଦେଶ ସଂପ୍ରତି ବିଜୟ ଅଭିଯାନରେ ବ୍ରତୀ।
ତେବେ, ପାକିସ୍ତାନର ପଶ୍ଚାତ୍‌ ଗତି ସକାଶେ ଇସରତ ହୁସେନଙ୍କ ପ୍ରବନ୍ଧରେ ପ୍ରଦର୍ଶିତ କାରଣମାନ ସହିତ ଆଉ ଯେଉଁ ମୂଳ କାରଣଟି ଦାୟୀ, ତାହା ହେଲା ଏକ ଉଦ୍‌ଭ୍ରାନ୍ତ ପ୍ରେମିକ ତୁଲ୍ୟ ପାକିସ୍ତାନ ପୋଷଣ କରି ଚାଲିଥିବା ଅତ୍ୟନ୍ତ ଅହେତୁକ ତଥା ଅପରିଣାମଦର୍ଶୀ ‘କାଶ୍ମୀର-ଆସକ୍ତି’, ଯହିଁରୁ ବାଂଲାଦେଶ ମୁକ୍ତ ଏବଂ ସେଥି ଲାଗି ଯୁଦ୍ଧରେ ବ୍ୟାପୃତ ହେବା ବା ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦୀ କାରଖାନାମାନ ଚଳାଇବାର ବାଧ୍ୟବାଧକତା ସେହି ଦେଶ ଅନୁଭବ କରି ନ ଥାଏ। କହିବା ବାହୁଲ୍ୟ, ଆତଙ୍କବାଦକୁ ପ୍ରୋତ୍ସାହନ ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ପ୍ରଦାନ କରୁଥିବା ଏକ ରାଷ୍ଟ୍ର ରୂପେ ପାକିସ୍ତାନ ଲାଭ କରିଥିବା ସନ୍ଦିଗ୍‌ଧ ପରିଚୟର ମୂଳରେ ରହିଛି ଏହି ‘କାଶ୍ମୀର’ ମୋହ। କିନ୍ତୁ ଏକ ବିଡ଼ମ୍ବନା ସ୍ବରୂପ ସ୍ବଦେଶୀ ଆତଙ୍କବାଦର ବୁଢ଼ିଆଣି ଜାଲରେ ସଂପ୍ରତି ପାକିସ୍ତାନ ଛନ୍ଦି ହୋଇ ସାରିଛି ଏବଂ ‘ତେହରିକ ଏ ତାଲିବାନ-ପାକିସ୍ତାନ’ ଭଳି ଆତଙ୍କବାଦୀ ସଂଗଠନ ଦ୍ବାରା ସାର୍ବଭୌମତ୍ବ କ୍ଷୁଣ୍ଣ ହେବାର ଆଶଙ୍କ ଦ୍ବାରା ଜର୍ଜର ହେବାରେ ଲାଗିଲାଣି। ସେହି ଦୃଷ୍ଟିରୁ ଆଶା କରାଯିବା ଉଚିତ ଯେ ଇସରତ ହୁ‌େସନଙ୍କ ‘ବାଂଲାଦେଶ ଷ୍ଟୋରି’ ପାକିସ୍ତାନର ଚୈତନ୍ୟ ଉଦୟରେ କାଳେ ସହାୟକ ହେବ! କିନ୍ତୁ, ଦୁର୍ଭାଗ୍ୟ, ସେଭଳି ଘଟିବାର ସଂକେତ ମିଳୁନାହିଁ। କାରଣ ସେଭଳି ହୋଇଥିଲେ ୩୭୦ ଧାରାର ଉଚ୍ଛେଦକୁ ନେଇ ସୁପ୍ରିମ୍‌ କୋର୍ଟଙ୍କ ରାୟ ପରେ ପାକିସ୍ତାନର କାମଚଳା ସରକାର ସେହି ଦେଶର ଚରମ ଆର୍ଥିକ ଦୁଃସ୍ଥିତି ସତ୍ତ୍ବେ କାଶ୍ମୀର ସକାଶେ ଭାରତ ବିରୋଧରେ ତିନି ଶହ ଯୁଦ୍ଧ ଲଢ଼ିବାର ହୁଙ୍କାର ଦେଇ ନ ଥାନ୍ତେ!
୧୯୭୧ ମସିହାର ଯୁଦ୍ଧରେ ଭାରତର ବିଜୟ ହୁଏତ ନିରର୍ଥକ ହୁଅନ୍ତା, ଯଦି ବାଂଲାଦେଶ ତା’ର ଜ୍ୟେଷ୍ଠ ଭ୍ରାତା ପାକିସ୍ତାନ ସଦୃଶ ଆତଙ୍କବାଦ ଏବଂ ଅବନତିର ପଙ୍କ ମଧ୍ୟରେ ବୁଡ଼ି ରହି ନିଜକୁ ହଜାଇ ଦେଇଥାଆନ୍ତା। ଉଲ୍ଲେଖଯୋଗ୍ୟ ଯେ ନିହାତି ସଂବେଦନଶୂନ୍ୟ ତଥା ନିର୍ଦ୍ଦୟ ଇଂରେଜୀ ଅଭିବ୍ୟକ୍ତି ‘ବାସ୍କେଟ୍‌ କେସ୍‌’ର ବ୍ୟବହାର ପ୍ରଥମ ବିଶ୍ବଯୁଦ୍ଧ ସମୟରେ ପ୍ରାରମ୍ଭ ହୋଇଥିଲା, ଯାହାର ଉପଜୀବ୍ୟ ଥିଲେ ଯୁଦ୍ଧରେ ସମସ୍ତ ଅବୟବ ହରାଇଥିବା ହତଭାଗ୍ୟ ଆହତମାନେ, ଯେଉଁମାନଙ୍କୁ ଷ୍ଟ୍ରେଚର୍‌ରେ ସ୍ଥାନାନ୍ତର କରିବା କଷ୍ଟସାଧ୍ୟ ହେଉଥିବାରୁ ଅଗତ୍ୟା ସେମାନଙ୍କୁ ବୋହି ନେବା ଲାଗି ବୃହଦାକାର ବାସ୍କେଟମାନ ଲୋଡ଼ା ପଡୁଥିଲା। ନିକଟରେ ପରଲୋକ ଗମନ କରିଥିବା ହେନରୀ କିସିଂଜର ତାଙ୍କର ଏହି ବହୁ ଚର୍ଚ୍ଚିତ ‘ବା‌ସ୍କେଟ କେସ୍‌’ ଭଳି ମନ୍ତବ୍ୟ ସକାଶେ ହୁଏତ ପଶ୍ଚାତ୍ତାପ କରିଥିବେ; କାରଣ ତାଙ୍କ ଜୀବଦ୍ଦଶାରେ ହିଁ ‘ଅଥର୍ବ’ ବାଂଲାଦେଶ ଏକ ଦ୍ରୁତ ଧାବକରେ ପରିଣତ ହୋଇଥିବା ବେଳେ ଏକଦା ତାଙ୍କର ଅତି ପ୍ରିୟ ରାଷ୍ଟ୍ର ପାକିସ୍ତାନ ବାସ୍ତବରେ ଏକ ‘ବାସ୍କେଟ୍‌ କେସ୍‌’ରେ ପରିଣତ ହେବାକୁ ବସିଲାଣି। ଏହା ମଧ୍ୟ ଭାରତ ଦ୍ବାରା ବିଜୟ ଦିବସର ପାଳନକୁ ଅଧିକ ଅର୍ଥପୂର୍ଣ୍ଣ କରିଥାଏ।