କଥା ରାହୁଳ ଗାନ୍ଧୀଙ୍କଠୁ ଆରମ୍ଭ କରିବି ନା ଇତିହାସରୁ? ଇତିହାସରୁ ହିଁ ଆରମ୍ଭ କରୁଛି, କାରଣ ଯେଉଁମାନେ ଇତିହାସର ବିଷୟବସ୍ତୁକୁ ବୁଝନ୍ତି ନାହିଁ, ସେମାନେ ଖୁବ୍‌ ଶୀଘ୍ର ଇତିହାସ ହୋଇଯା’ନ୍ତି। ତେଣୁ ରାହୁଳ ଗାନ୍ଧୀଙ୍କ ପଦଯାତ୍ରାକୁ ଦେଖିବା ଆଗରୁ ଭାରତୀୟ ସଂସ୍କୃତିକୁ ଦେଖିବା ଦରକାର ଯାହା ସ୍ବୟଂ ଏକ ନିରନ୍ତର ଯାତ୍ରା ସଦୃଶ। ଆମକୁ ଧ୍ୟାନ ଦେବାକୁ ପଡ଼ିବ କି, ଯେବେ ଆମେ ଯାତ୍ରାର କଥା ଉଠାଉଛନ୍ତି, ତାହା ତଥାକଥିତ ଯାତ୍ରାର ମାନେ ଠାରୁ ଅଲଗା।
ଯେ ପର୍ଯ୍ୟନ୍ତ ମନୁଷ୍ୟ ଈଶ୍ବର ପ୍ରଦତ୍ତ ପାଦ ବ୍ୟତୀତ ଚାଲିବାର ଅନ୍ୟ କିଛି ବିକଳ୍ପ ଖୋଜି ନ ପାଇଛି, ସେ ପର୍ଯ୍ୟନ୍ତ ତାହାର ପାଦ ତା’ ପାଇଁ ସବୁଠୁ ଶ୍ରେଷ୍ଠ ତଥା ଭରସାଯୋଗ୍ୟ ସାଥୀ ହୋଇ ରହିଥିବ। ଆମେ ପ୍ରାଚୀନ ଋଷି-ମୁନି-ସାଧକମାନଙ୍କର ଇତିହାସକୁ ପ୍ରବେଶ ନ କରି ବି ଏହା ଦେଖିବା କେତେ ଲୋମହର୍ଷକ ଯେ, ଭାରତକୁ ଚାରିଟି ଗଣ୍ଠିରେ ବାନ୍ଧିବା ଲାଗି ଶଙ୍କରାଚାର୍ଯ୍ୟଙ୍କର ଯାତ୍ରା ହେଉ କି ଧର୍ମର ପ୍ରୋତ୍ସାହନ ପାଇଁ ଗୌତମ ବୁଦ୍ଧଙ୍କର ଯାତ୍ରା ହେଉ ଅଥବା ତୀର୍ଥଙ୍କର ମହାବୀରଙ୍କର ପରିଭ୍ରମଣ ହେଉ, କେବଳ ପଦଯାତ୍ରା ଦ୍ବାରା ହିଁ ଭାରତ ନିଜର ସ୍ବରୂପ ଗଠନ ସହ ନିଜକୁ ସଂସ୍କାରବାନ କରିପାରିଛି। ଏହା ନୂତନ ସତ୍ୟର ଉନ୍ମୋଚନ ପାଇଁ ହେଉ ଅଥବା ସତ୍ୟକୁ ବୃହତ୍‌ ସମାଜ ସହ ଯୋଡ଼ିବା ଲାଗି ହେଉ ବା ଆମ ସଂସ୍କୃତିର ଚୈତନ୍ୟ ଉଦୟ ପାଇଁ ହେଉ, ପଦଯାତ୍ରା ହିଁ ଏଇ ଦେଶର ସଂସ୍କୃତିର ଭିତ୍ତିଭୂମି ହୋଇ ଆସିଛି। ଦୁନିଆର କୌଣସି ସ୍ଥାନରେ ବି ଏପରି ଆଦୌ ଦେଖିବାକୁ ମିଳେନାହିଁ କିମ୍ବା କ୍ବଚିତ୍‌ ଦେଖାଯାଇଥାଏ।
ମହାତ୍ମା ଗାନ୍ଧୀଙ୍କ ରୂପରେ ଆମକୁ ଏପରି ଜଣେ ସଂସ୍କୃତି ପୁରୁଷ ମିଳିଥିଲେ, ଯିଏ ପ୍ରାଚୀନତା ଓ ନୂତନତା ମଧ୍ୟରେ ସେତୁବନ୍ଧ ବାନ୍ଧିଥିଲେ ଏବଂ ଜୀବନ ତମାମ ଆମର ମନ ଓ ପ୍ରାଣକୁ ଚହଲାଇ ତାହାକୁ ଆଧୁନିକ କରିବାର ଉଦ୍ୟମ କରିଥିଲେ। ସୁଦୂର ଦକ୍ଷିଣ ଆଫ୍ରିକାରେ ସେଇ ଗାନ୍ଧୀଙ୍କୁ ଆମେ କାରଖାନା ଶ୍ରମିକଙ୍କ ସହ ପଦଯାତ୍ରା କରୁଥିବାର ଦେଖିଛନ୍ତି, ଯାହାକୁ ବୁଝିବାରେ ଓ ରୋକିବାରେ ଜେନେରାଲ ସ୍ମଟ୍‌ସଙ୍କ ଶ୍ବେତାଙ୍ଗ ସରକାର ନିର୍ବୋଧ ମନେ ହୋଇଥିଲା। ଗାନ୍ଧୀଙ୍କ ପ୍ରସଙ୍ଗରେ ଏପରି ବାରମ୍ବାର ଘଟିଥିବା ଆମେ ଦେଖିଛନ୍ତି। ପୁଣି ୧୯୩୦ରେ ଲବଣ ସତ୍ୟାଗ୍ରହ ବେଳେ ଆମେ ତାଙ୍କୁ ଦେଖିଥିଲେ ଯେତେବେଳେ ସିଏ ସାବରମତୀ ଆଶ୍ରମରୁ ବାହାରି ୩୮୮ କି.ମି. ଦୂର ଦାଣ୍ଡି ଉପକୂଳକୁ ପଦଯାତ୍ରା କରିଥିଲେ। ଏହି ଛୋଟ ପଦଯାତ୍ରା ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ଯେପରି ଶାଣିତ ଓ ଉଗ୍ର କରିଥିଲା, ଅନ୍ୟ କୌଣସି ପଦଯାତ୍ରାରେ ସେଭଳି ହୋଇନଥିଲା।

Advertisment

ଶାସନ କ୍ଷମତା ଜନତାଙ୍କ ଠାରୁ ମିଳିଥାଏ ଏବଂ ଜନତାଙ୍କ ଆରାଧନା ଦ୍ବାରା ହିଁ ତାହା ସ୍ଥିର ତଥା ବଜାୟ ରହିଥାଏ। ଏଇ କଥାକୁ କେବଳ କଂଗ୍ରେସ କି ବିଜେପି କାହିଁକି, ସମଗ୍ର ବିରୋଧୀ ଦଳ ମଧ୍ୟ ଭୁଲିଯାଇଛନ୍ତି। ଏହାର ଅର୍ଥ ହେଲା, ଯାତ୍ରା ଆଗକୁ ଆଉ ଏକ ଯାତ୍ରା ରହିଛି ଯାହାକୁ ଏକାଗ୍ରତାର ସହ ସଂପୂର୍ଣ୍ଣ କରିବା ବିନା କୌଣସି ରାଜନୈତିକ ଦଳର କଲ୍ୟାଣ ସମ୍ଭବ ନୁହେଁ।

ଏହାପରେ ଆଚାର୍ଯ୍ୟ ବିନୋବା ଭାବେ ଦିଗ୍‌ବଳୟରୁ ଉଦୟ ହେଲେ। ସେ ଭୂଦାନ ଆନ୍ଦୋଳନ ପଦଯାତ୍ରାକୁ ଅଭୂତପୂର୍ବ ଢଙ୍ଗରେ ସଂଗଠିତ କରିଥିଲେ। ଏହା ଜ୍ଞାତ ଇତିହାସରେ ଏପରି ଏକ ପଦଯାତ୍ରା ଥିଲା, ଯାହାର ଏକମାତ୍ର ଉଦ୍ଦେଶ୍ୟ ଥିଲା: ଅହିଂସ କ୍ରାନ୍ତି ପାଇଁ ଦେଶବାସୀଙ୍କର ମନକୁ ପ୍ରସ୍ତୁତ କରିବା। କ୍ରାନ୍ତିର ମୂଲ୍ୟବୋଧକୁ ନେଇ ସମାଜ ସହିତ ମୁହାଁମୁହିଁ ହେବାର ସେଭଳି କୌଣସି ଦ୍ବିତୀୟ ଘଟଣା ଆଜିଯାଏ ସାମନାକୁ ଆସିନାହିଁ। ବିନୋବାଙ୍କ ଭାଷାରେ, ଏହା ବିଚାର-କ୍ରାନ୍ତିର ଏକ ଝଡ଼ ଥିଲା। ଏହା ପରେ ମଧ୍ୟ ଏଭଳି ଯାତ୍ରା କି ପଦଯାତ୍ରାର ଉଦାହରଣ ରହିଛି, ଯେପରିକି ବାବା ଆମତେଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ଯେଉଁଥିରେ ଯୁବବର୍ଗଙ୍କୁ ସ୍ବାଧୀନତା ପରବର୍ତ୍ତୀ ସାମାଜିକ ଦାୟିତ୍ବବୋଧ ସମ୍ପର୍କରେ ବ୍ୟାପକ ଭାବେ ସଚେତନ କରାଇଥିଲା। ଜନତା ଦଳର ଅଧ୍ୟକ୍ଷ ଥିବା ଚନ୍ଦ୍ରଶେଖର ମଧ୍ୟ ଏକ ସୁଦୀର୍ଘ ଯାତ୍ରା କରିଥିଲେ ଯେଉଁଥିରେ ସେ ତାଙ୍କର ରାଜନୈତିକ ଭିତ୍ତିଭୂମି ଅନ୍ବେଷଣ କରିଥିଲେ। ପରେ ସେ କିଛି ଦିନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ପଦପଦବି ପାଇଁ ପଦଯାତ୍ରା କରିବା ଭଳି ଅନେକ ବିକ୍ଷିପ୍ତ ଉଦାହରଣ ଥାଇପାରେ, ମାତ୍ର ଜ୍ଞାତସାରରେ ବା ଅଜ୍ଞାତସାରରେ ରାହୁଳ ଗାନ୍ଧୀ ସେସବୁଠାରୁ ଭିନ୍ନ ଦୃଶ୍ୟପଟ ସୃଷ୍ଟି କରିଛନ୍ତି।

ସେ ଏଭଳି ଏକ ସମୟରେ ଏମିତି ଏକ ପଦଯାତ୍ରାରେ ବାହାରିଲେ, ଯାହାର ସାମନ୍ୟତମ ସଂକେତ ଦେଶର ପରିବେଶରେ ନଥିଲା। ରାହୁଳ ଗାନ୍ଧୀ ଓ ତାଙ୍କ କଂଗ୍ରେସ ଦଳ ମଧ୍ୟ ପଦଯାତ୍ରାର ପ୍ରସ୍ତୁତି କି ଶୃଙ୍ଖଳା ବାବଦରେ ସଯତ୍ନ ଯୋଜନା କରିନଥିଲେ କି ଏହା ଲୋକଙ୍କ ଭିତରେ ଏଭଳି ଚଞ୍ଚଳତା ଆଣିବ ବୋଲି ଭାବିନଥିଲେ। ଏହି ପଦଯାତ୍ରା କଂଗ୍ରେସ ଏବଂ ଦେଶକୁ ଏଭଳି ଆଲୋଡ଼ିତ କରିବ ବୋଲି କାହାର ଏପରିକି ରାହୁଳ ଗାନ୍ଧୀଙ୍କର ମଧ୍ୟ ଧାରଣା ନଥିଲା।
ଶାସନ କ୍ଷମତାକୁ ଫେରିବା ପରି କୌଣସି ଉଦ୍ଦେଶ୍ୟ ଏହି ପଦଯାତ୍ରାର ଥିଲା ବୋଲି ବିଶ୍ବାସ କରିବା ସମ୍ଭବ ନୁହେଁ। ଆଜି କଂଗ୍ରେସ ଯେପରି ଭଗ୍ନ ଓ ବିଫଳ, ତାହା ପରେ ଏହି ପଦଯାତ୍ରା ଦ୍ବାରା ଯେ ଦଳ ଉଠି ଛିଡ଼ାହେବ ଏବଂ ସିଧାସଳଖ ଦିଲ୍ଲୀର ଶାସନ କ୍ଷମତା ଦଖଲ କରିବ, ସେଭଳି ଭାବିବା ସାଂଘାତିକ ଭାବେ ପିଲାଳିଆମି ହେବ। ରାହୁଳ ଗାନ୍ଧୀଙ୍କ ଠାରେ ମଧ୍ୟ ସେଭଳି ପିଲାଳିଆମି ନାହିଁ। ତେଣୁ ସମଗ୍ର ଯାତ୍ରାରେ ସେ କେଉଁଠି ବି କଂଗ୍ରେସ ଶାସନ କ୍ଷମତାକୁ ଫେରିବା କଥା କହିନାହାନ୍ତି। ସେ ଯେଉଁ କଥା ସବୁଠୁ ଅଧିକ କହିଛନ୍ତି ଏବଂ ଏହି ଯାତ୍ରାର ସବୁଠୁ ଦୃଶ୍ୟମାନ ହେଉଥିବା ପରିଣାମଟି ହେଲା, ଦେଶର ସାଧାରଣ ଆଲୋଚନା କୌଣସିମତେ ବଦଳିଯାଇଥିବା ପରି ମନେ ହେଉଛି। ଯେଉଁ କଥା କୌଣସି ଠାରେ ଭୁଲି ହୋଇଯାଇଥିଲା, ତାହା ମନେ ପଡ଼ିବା ଆରମ୍ଭ ହୋଇଛି। ହିନ୍ଦୁତ୍ବର ବିଷାକ୍ତ ବ୍ୟାଖ୍ୟା ଓ ତାହାର ବୀଭତ୍ସ ଚେହେରା ଯାହା କିଛି ବର୍ଷ ହେଲା ସାମନାକୁ ଆସିଛି, ତାହା ଯୋଗୁଁ ସମଗ୍ର ଦେଶରେ ଏକ ନିରବତା ଛାଇଯାଇଥିଲା। ଯାହା କହିବାର ଥିଲା, ତାହା କେବଳ ଜଣେ ବ୍ୟକ୍ତି କହୁଥିଲେ; ଯାହା କରିବାର ଥିଲା ତାହା ଉନ୍ମତ୍ତ ଭିଡ଼ ଦ୍ବାରା କରାଯାଉଥିଲା। ବାକି କାହାର କିଛି ବି କହିବାର ନଥିଲା କି କରିବାର ନଥିଲା। ଯେତେବେଳେ ସାଧାରଣ ଜନତା ଏକ ଭିଡ଼ରେ ରୂପାନ୍ତରିତ ହୋଇଯାଏ, ସେତେବେଳେ ତାହା ଲୋକଙ୍କ ଭୂମିକାରୁ ବିମୁଖ ହୋଇଯାଇଥାଏ। ଏହା ଏକ ଭୟର ନିରବତା ଥିଲା ଏବଂ ବିମୂଢ଼ତାର ମଧ୍ୟ ନିରବତା ଥିଲା।

ସମାଜକୁ ଯେତେବେଳେ କୌଣସି ବାଟ ମିଳେ ନାହିଁ, ସେତେବେଳେ ଏଭଳି ହୋଇଥାଏ। ଫଳରେ ସମାଜ ଭୟରେ ନିରବ ହୋଇଯାଇଥାଏ। ରାସ୍ତା ଦେଖାଇବା ଲାଗି ଯଦି କେହି ସାମନାକୁ ଆସିନଥା’ନ୍ତି, ତେବେ ବାଟବଣା ହେବାଟା ସ୍ବାଭାବିକ। ଏପରିକି ଜଣେ ଶିଶୁକୁ ଯଦି ଘରଲୋକ ରାସ୍ତା ନ ଦେଖାନ୍ତି, ସେ ବାଟବଣା ହୋଇଯାଇଥାଏ। ସେଥିପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଯେ, ଦେଶର ରାଜନୈତିକ ତନ୍ତ୍ର ଯାହା ହେଉ ନା କାହିଁକି, ସାଧାରଣ ସ୍ତରରେ ଜଣେ ପ୍ରଗତିଶୀଳ ନେତୃତ୍ବକୁ ସାମାଜିକ ମଞ୍ଚରେ ଦୃଢ଼ ଭାବରେ ଛିଡ଼ା ହେବାକୁ ପଡ଼ିବ ଏବଂ ଜନତାଙ୍କ ସହ ସିଧାସଳଖ ସମ୍ପର୍କ ରଖିବାକୁ ହେବ। ଯଦି ଏଭଳି ଘଟିବନି, ତେବେ ଲୋକତନ୍ତ୍ର ସଂକୁଚିତ ହୋଇ ତନ୍ତ୍ରଲୋକ ପାଲଟିଯିବ ଯେଉଁଥିରେ ବଡ଼କୁହା ଶୃଗାଳମାନଙ୍କ ଆତଯାତ ଲାଗିରହିବ। ଏଭଳି ଅବସ୍ଥା ଆମର ହୋଇଯାଇଛି। ମାତ୍ର ରାହୁଳ ଗାନ୍ଧୀଙ୍କ ପଦଯାତ୍ରା ଏହି ନିରବତାକୁ ଭଙ୍ଗ କରିଛି। ଆଜି ଏକ ଭିନ୍ନ ସ୍ବର ନିଜ ପାଇଁ ସ୍ଥାନ ସୃଷ୍ଟି କରିଛି। ଏହା ସଂପୂର୍ଣ୍ଣ ଭାବରେ ସଜାଗ ନୁହେଁ କି ବିପଦ ପ୍ରତି ମଧ୍ୟ ସଂପୂର୍ଣ୍ଣ ସଚେତନ ନୁହେଁ। ମାତ୍ର ଯେଉଁ ସମ୍ଭାବନା ଭାଙ୍ଗିଯିବ ବୋଲି ଜଣାପଡୁଥିଲା, ଯେଉଁ ଶିଖା ନିର୍ବାପିତ ହୋଇଯିବ ବୋଲି ଲାଗୁଥିଲା, ଏହା ପୁଣି ଥରେ ମୁଣ୍ଡ ଟେକିବା ଆରମ୍ଭ କରିଛି।

ଏହି ପଦଯାତ୍ରା ଜରିଆରେ ଆମ ଲୋକତନ୍ତ୍ରରେ ଲୋକଙ୍କ ଆଖି ଖୋଲିଯାଇଛି। ଲୋକମାନେ ସମଗ୍ର ଦୃଶ୍ୟପଟକୁ ଏକ ଭିନ୍ନ ଢଙ୍ଗରେ ଦେଖିବା ଓ ହୃଦୟଙ୍ଗମ କରିବା ଆରମ୍ଭ କରଛନ୍ତି ବୋଲି କୁହାଯାଇପାରେ। କିନ୍ତୁ ଏକଥା ମଧ୍ୟ ବୁଝିବା ଜରୁରୀ କି, ଏକ ରାଜନୈତିକ ଦଳ ଭାବରେ କଂଗ୍ରେସ ଓ ବିରୋଧୀ ଦଳମାନଙ୍କୁ ନିଜ ନିଜର ଅସ୍ଥିତ୍ବ ପାଇଁ ପୃଥକ୍‌ ଭାବେ ଲଢ଼େଇ କରିବାକୁ ହେବ। ଏହି ଯାତ୍ରା ମଧ୍ୟ ଭାରତୀୟ ଜନତା ପାର୍ଟିକୁ ଏକ ସଂକେତ ଦେଇଛି କି ଶାସନ କ୍ଷମତାର ସୁଖ ଯେତେ ଲୋଭନୀୟ ହେଉ ନା କାହିଁକି, କ୍ଷମତାର ଶକ୍ତି ଲୋକଙ୍କ ପାଖରୁ ହିଁ ଆସିଥାଏ। ଶାସନ କ୍ଷମତା ଜନତାଙ୍କ ଠାରୁ ମିଳିଥାଏ ଏବଂ ଜନତାଙ୍କ ଆରାଧନା ଦ୍ବାରା ହିଁ ତାହା ସ୍ଥିର ତଥା ବଜାୟ ରହିଥାଏ। ଏଇ କଥାକୁ କେବଳ କଂଗ୍ରେସ କି ବିଜେପି କାହିଁକି, ସମଗ୍ର ବିରୋଧୀ ଦଳ ମଧ୍ୟ ଭୁଲିଯାଇଛନ୍ତି। ଏହାର ଅର୍ଥ ହେଲା, ଯାତ୍ରା ଆଗକୁ ଆଉ ଏକ ଯାତ୍ରା ରହିଛି ଯାହାକୁ ଏକାଗ୍ରତାର ସହ ସଂପୂର୍ଣ୍ଣ କରିବା ବିନା କୌଣସି ରାଜନୈତିକ ଦଳର କଲ୍ୟାଣ ସମ୍ଭବ ନୁହେଁ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ