ସୁଧର ପାଦଶବ୍ଦ

‘ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିଆ’ର ‘ମୁଦ୍ରାନୀତି ନୀତି ନିର୍ଦ୍ଧାରଣ କମିଟି’ (‘ଏମ୍‌ପିସି’)ର ଦୁଇ ମାସିକିଆ ବୈଠକ ଏପ୍ରିଲ ୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବିତ୍ତ ବର୍ଷର ଏହା ଥିଲା ‘ଏମ୍‌ପିସି’ର ପ୍ରଥମ ବୈଠକ। ଫେବ୍ରୁଆରିରେ ଅନୁଷ୍ଠିତ ହୋଇଥିବା ବିଗତ ବିତ୍ତବର୍ଷର ଶେଷ ବୈଠକ ଓ ବର୍ତ୍ତମାନର ବୈଠକ ମଧୢରେ ଅତିକ୍ରାନ୍ତ ହୋଇଥିବା ସମୟରେ ଅନେକ ଏଭଳି ପରିବର୍ତ୍ତନ ସବୁ ଘଟିଯାଇଛି, ଯାହା ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରାନୀତି ନିଷ୍ପତ୍ତିକୁ ପ୍ରଭାବିତ କରିବା ଅନିବାର୍ଯ୍ୟ। ଫେବ୍ରୁଆରି ବୈଠକ ସମୟରେ କୋଭିଡ୍‌ର ତୃତୀୟ ଲହର ମାଡ଼ି ଆସୁଛି ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ସୌଭାଗ୍ୟବଶତଃ ତାହା ସତ୍ୟରେ ପରିଣତ ହୋଇନାହିଁ। ତେଣୁ ଦେଶର ଅର୍ଥନୀତି ପୂର୍ବର କୋଭିଡ୍‌ ଲହରମାନଙ୍କ ସମୟରେ ଯେଉଁଭଳି ଇତଃସ୍ତତଃ ହୋଇ ଯାଇଥିଲା, ଏଥର ସେଥିରୁ ରକ୍ଷା ପାଇଯାଇଛି।

କିନ୍ତୁ ଭୂତାଣୁ ସହିତ ମନୁଷ୍ୟ ପ୍ରତିଯୋଗିତା କଲା ଭଳି, ଚୀନା କରୋନା ଭୂତାଣୁ ଯାହା କରିବାକୁ ଚାହିଁଲା ନାହିଁ, ଭ୍ଲାଡିମିର‌୍‌ ପୁଟିନ୍‌ ନାମକ ଜଣେ ମାନବ ତାହା କରିବାକୁ ଆଗେଇ ଆସିଲେ। ୟୁକ୍ରେନ ଉପରେ ତାଙ୍କର ଆକ୍ରମଣ ସାରା ପୃଥିବୀର ଅର୍ଥନୀତି ଭଳି ଭାରତର ଅର୍ଥନୀତିକୁ ଆହତ କରିଛି। ଭାରତ ଉପରେ ଏହି ଯୁଦ୍ଧର ପ୍ରତିକୂଳ ପ୍ରଭାବର ମୁଖ୍ୟ କାରଣ ହେଉଛି- ତୈଳ। ଭାରତୀୟ ଅର୍ଥନୀତିର ଏକ ମୁଖ୍ୟ ଦୁର୍ବଳତା ହେଉଛି ତୈଳ ଆମଦାନି ଉପରେ ନିର୍ଭରଶୀଳତା। ଆମେ ଆମର ତୈଳ ଆବଶ୍ୟକତା ପୂରଣ ନିମିତ୍ତ ପ୍ରାୟ ୮୫ ପ୍ରତିଶତ ଆମଦାନି ଉପରେ ନିର୍ଭର କରିଥାଉ। ତେଣୁ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ବଜାରରେ ତୈଳ ଦରରେ ଘଟିଥିବା ବୃଦ୍ଧି ଅନିବାର୍ଯ୍ୟ ଭାବରେ ଭାରତରେ ଦରଦାମ ବୃଦ୍ଧି ଘଟାଇ ମୁଦ୍ରାସ୍ଫୀତି ଆତଙ୍କ ସୃଷ୍ଟି କରିଛି। ରିଜର୍ଭ ବ୍ୟାଙ୍କ୍‌ ପାଇଁ ଏହା କିପରି ଧର୍ମ ସ˚କଟ ସୃଷ୍ଟି କରିଛି, ତାହା ବୁଝିବା କଷ୍ଟ ନୁହେଁ। ଦୀର୍ଘ ଦୁଇ ବର୍ଷ କାଳ ଧରି କୋଭିଡ୍‌ ଆଘାତରେ ଜର୍ଜରିତ ହୋଇ ଧୀରେ ଧୀରେ ସେଥିରୁ ମୁକୁଳିବାକୁ ଆରମ୍ଭ କରୁଥିବା ଅର୍ଥନୀତି ରିଜର୍ଭ ବ୍ୟାଙ୍କ୍‌ ଠାରୁ ଯାହା ଆଶା କରେ, ତାହା ହେଉଛି ଏକ ଅଭିବୃଦ୍ଧି-ଅନୁକୂଳ ମୁଦ୍ରାନୀତି। ଏଭଳି ଅନୁକୂଳ ନୀତିର ଏକ ମୁଖ୍ୟ ଅ˚ଶ ହେଉଛି- ନୀଚା ସୁଧ ହାର। ମୁଦ୍ରାସ୍ଫୀତିକୁ ପ୍ରତିହତ କରିବା ପାଇଁ ଯାହା କିନ୍ତୁ ଆବଶ୍ୟକ, ତାହା ହେଉଛି- ଉଚ୍ଚା ସୁଧ ହାର। ରିଜର୍ଭ ବ୍ୟାଙ୍କ୍‌ ପ୍ରଦାନ କରିଥିବା ଏହି ଗୋଟିଏ ସୂଚନାରୁ କମିଟି ସମ୍ମୁଖୀନ ହୋଇଥିବା ସ˚କଟ ସମ୍ବନ୍ଧରେ ସହଜରେ ଧାରଣା କରିହେବ। ଏଥିପୂର୍ବରୁ ରିଜର୍ଭ ବ୍ୟାଙ୍କ୍‌ ପୂର୍ବାନୁମାନ ପ୍ରକାଶ କରିଥିଲା ଯେ ୨୦୨୨-୨୩ରେ ଭାରତରେ ଦେଖା ଦେବାକୁ ଯାଉଥିବା ମୁଦ୍ରାସ୍ଫୀତି ହାର ହେବାକୁ ଯାଉଛି ୪.୫ ଶତା˚ଶ। ଏବେ କିନ୍ତୁ ରିଜର୍ଭ ବ୍ୟାଙ୍କ୍‌ ଏଥିରେ ଏକ ତୀକ୍ଷ୍‌ଣ ବୃଦ୍ଧି ଘଟାଇ ପ୍ରକାଶ କରିଛି ଯେ ଏହି ସମୟରେ ଦେଶରେ ମୁଦ୍ରାସ୍ଫୀତି ହାର ୫.୭ ଶତା˚ଶ ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ୍‌ ଅନୁଭବ କରୁଥିବା ଏଥିଜନିତ ଅସ୍ବସ୍ତି ବୁଝିବାକୁ ହେଲେ ମନେ ରଖିବାକୁ ହେବ ଯେ ବଳବତ୍ତର ଥିବା ନିୟମ ଅନୁସାରେ ଦେଶରେ ମୁଦ୍ରାସ୍ଫୀତି ହାରକୁ ୬.୦ ଶତା˚ଶ ସର୍ବୋଚ୍ଚ ସୀମା ମଧୢରେ ଆବଦ୍ଧ ରଖିବା ହେଉଛି ରିଜର୍ଭ ବ୍ୟାଙ୍କ୍‌ର ଦାୟିତ୍ବ।

ରିଜର୍ଭ ବ୍ୟାଙ୍କ୍‌ ମୁଦ୍ରାସ୍ଫୀତି ସମ୍ପର୍କରେ ଉପରୋକ୍ତ ପୂର୍ବାନୁମାନ କରିବା ବେଳେ ଯାହା ଧରି ନେଇଛି, ତାହା ହେଲା ଏହି ସମୟ ମଧୢରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ହେବ ୧୦୦ ଡଲାର‌୍‌। ଏହାକୁ ଭିତ୍ତି କରି ରିଜର୍ଭ ବ୍ୟାଙ୍କ୍‌ ଅନୁମାନ ପ୍ରକାଶ କରିଛି ଯେ ମୁଦ୍ରାସ୍ଫୀତି ହାର ବିତ୍ତ ବର୍ଷର ପ୍ରଥମ ଚଉଠରେ ହେବ ୬.୩ ଶତା˚ଶ ଦ୍ବିତୀୟ ଚଉଠରେ ହେବ ୫.୮ ଶତା˚ଶ। କିନ୍ତୁ ଯେହେତୁ ୨୦୨୧-୨୨ର ଶେଷ ଚଉଠରେ ମୁଦ୍ରାସ୍ଫୀତି ହାର ୬.୦ ଶତା˚ଶ ଅତିକ୍ରମ କରିବାର ସମ୍ଭାବନା ରହିଛି, ଏବ˚ ପରବର୍ତ୍ତୀ ସମୟରେ ସରକାର ବାରମ୍ବାର ପେଟ୍ରୋଲ, ଡିଜେଲ୍‌ ଦରରେ ବୃଦ୍ଧି ଘଟାଇଛନ୍ତି, ରିଜର୍ଭ ବ୍ୟାଙ୍କ୍‌ର ଅନୁମାନ ଠାରୁ ଅଧିକ ହୋଇ ଲଗାତାର ତିନି ଚଉଠ ଧରି ( ଗତ ବିତ୍ତ ବର୍ଷର ଶେଷ ଚଉଠ ଓ ଚଳିତ ବିତ୍ତ ବର୍ଷର ପ୍ରଥମ ଦୁଇ ଚଉଠ) ଦେଶରେ ମୁଦ୍ରାସ୍ଫୀତି ହାର ଉପରୋକ୍ତ ସର୍ବୋଚ୍ଚ ସୀମା, ୬.୦ ଶତା˚ଶ ଅତିକ୍ରମ କରିବାର ସମସ୍ତ ସମ୍ଭାବନା ରହିଛି। (ସଦ୍ୟ ପ୍ରକାଶିତ ମାର୍ଚ୍ଚ ମୁଦ୍ରାସ୍ଫୀତି ହାର ୬.୯୮ ଶତା˚ଶ ହୋଇ ଏ ସମ୍ଭାବନାକୁ ଦୃଢ଼ୀଭୂତ କରୁଛି।) ଏହା ସୁଧ ହାରରେ ବୃଦ୍ଧି ଘଟାଇବା ପାଇଁ କିମ୍ବା ଅତି କମ୍‌ରେ ସୁଧ ହାରରେ ହ୍ରାସ ନ ଘଟାଇବା ପାଇଁ ରିଜର୍ଭ ବ୍ୟାଙ୍କ୍‌ର ‘ଏମ୍‌ପିସି’ ଉପରେ ଅଧିକରୁ ଅଧିକ ଚାପ ସୃଷ୍ଟି କରିବ।

ଏଥର ଅର୍ଥନୀତିର ଅଭିବୃଦ୍ଧି ସମ୍ଭାବନା ସମ୍ବନ୍ଧରେ ରିଜର୍ଭ ବ୍ୟାଙ୍କ ପ୍ରକାଶ କରିଥିବା ଅନୁମାନ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ଏଥି ପୂର୍ବରୁ ରିଜର୍ଭ ବ୍ୟାଙ୍କ୍‌ ଚଳିତ ବର୍ଷ ପାଇଁ ଅଭିବୃଦ୍ଧି ହାର ୭.୮ ଶତା˚ଶ ହେବ ବୋଲି ଅନୁମାନ ପ୍ରକାଶ କରିଥିଲା; ଏବେ ସେଥିରେ ହ୍ରାସ ଘଟାଇ ତାହା ୭.୨ ଶତା˚ଶ ହେବ ବୋଲି ପୂର୍ବାନୁମାନ କରିଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଏହି ଅଭିବୃଦ୍ଧି ହାର ଏକ ଅପେକ୍ଷାକୃତ ଉଚ୍ଚା ହାରାହାରି ୧୧.୨ ଶତା˚ଶ ହେବାକୁ ଯାଉଛି ବୋଲି ରିଜର୍ଭ ବ୍ୟାଙ୍କ୍‌ ଅନୁମାନ କରିଥିବା ବେଳେ ଦ୍ବିତୀୟାର୍ଦ୍ଧରେ ତାହା ମାତ୍ର ୪ ଶତା˚ଶରୁ ସାମାନ୍ୟ ଅଧିକ ସ୍ତରକୁ ହ୍ରାସ ପାଇବ ବୋଲି ରିଜର୍ଭ ବ୍ୟାଙ୍କ୍‌ ଆଶଙ୍କା କରୁଛି। ପ୍ରଥମାର୍ଦ୍ଧ ଅଭିବୃଦ୍ଧି ହାର ଉଚ୍ଚା ହେବା ସମ୍ଭାବନାର କାରଣ ହେଉଛି ପୂର୍ବବର୍ତ୍ତୀ ସମୟର ନୀଚା ହାର ଭିତ୍ତିରେ ତାହାର ନିର୍ଣ୍ଣୟ କରାଯିବ। ଦ୍ବିତୀୟାର୍ଦ୍ଧର ନୀଚା ହାର କୋଭିଡ୍‌ ପୂର୍ବବର୍ତ୍ତୀ ସମୟର ଅଭିବୃଦ୍ଧି ହାର ସହିତ ମେଳ ଖାଇଥାଏ। ଦେଶରେ ମୁଦ୍ରାସ୍ଫୀତି ଓ ଅଭିବୃଦ୍ଧିର ଏହି ସମ୍ଭାବ୍ୟ ଚିତ୍ରକୁ ଧୢାନରେ ରଖି ରିଜର୍ଭ ବ୍ୟାଙ୍କ୍‌ର ‘ଏମ୍‌ପିସି’ ଏଥର ସୁଧହାର (‘ରେପୋରେଟ୍‌’)ରେ କୌଣସି ହ୍ରାସ ବୃଦ୍ଧି ନ ଘଟାଇ ତାହାକୁ ୪.୦ ଶତା˚ଶ ହାରରେ ଅପରିବର୍ତ୍ତିତ ରଖିବାକୁ ପସନ୍ଦ କରିଛି। ଏଥି ସହିତ ନିଜର ପ୍ରକାଶିତ ଆଭିମୁଖ୍ୟ (‘ଷ୍ଟାନ୍‌ସ’)କୁ ସହଯୋଗମୂଳକ (‘ଆକୋମଡେଟିଭ୍‌’) ରୂପେ ବର୍ଣ୍ଣନା କରିଛି। ଏହାର ଅର୍ଥ ରିଜର୍ଭ ବ୍ୟାଙ୍କ୍‌ ଅର୍ଥନୀତିର ଅଭିବୃଦ୍ଧି ପ୍ରତି ଏକ ସମ୍ବେଦନଶୀଳ ଆଭିମୁଖ୍ୟ ପୋଷଣ କରୁଥିଲେ ହେଁ, ମୁଦ୍ରାସ୍ଫୀତିର ସମ୍ଭାବ୍ୟ ବିପଦର ମୁକାବିଲାକୁ ପ୍ରାଥମିକତା ଦେବାକୁ ପଛାଇବ ନାହିଁ ବୋଲି ‘ଏମ୍‌ପିସି’ର ସଦ୍ୟ ଘୋଷିତ ନୀତିରୁ ସୂଚନା ମିଳୁଛି।

ବୋଧହୁଏ ଏହା ଅନୁମାନ କରିବା ଭୁଲ ହେବ ନାହିଁ ଯେ ଆସନ୍ତା ଜୁନ୍‌ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ‘ଏମ୍‌ପିସି’ ତା’ର ଆଭିମୁଖ୍ୟରେ ପରିବର୍ତ୍ତନ ଘଟାଇ ‘ସହଯୋଗମୂଳକ’ ସ୍ଥାନରେ ‘ନିରପେକ୍ଷ’ (‘ନିଉଟ୍ରାଲ୍‌’) କରିବାକୁ ଯାଉଛି। ପାଣ୍ତେମିକ୍‌ ଆରମ୍ଭ କାଳରେ ରିଜର୍ଭ ବ୍ୟାଙ୍କ୍‌ ଯେଉଁ କେତେକ ଅତ୍ୟନ୍ତ କୋହଳ ଋଣ- ପ୍ରଦାନ ନୀତି କାର୍ଯ୍ୟକାରୀ କରିଥିଲା, କ୍ରମେ ସେସବୁରେ ଅନ୍ତ ଘଟାଇ ନିୟମିତ ଅବସ୍ଥାକୁ ଫେରି ଆସିବାକୁ ଉଦ୍ୟମ କଲାଣି। ଯଦି ମୁଦ୍ରାସ୍ଫୀତି ଆଶଙ୍କା କରାଯାଉଥିବା ଭଳି ସୀମା ଅତିକ୍ରମ କରେ, ତେବେ ନିକଟ ଭବିଷ୍ୟତରେ ରିଜର୍ଭ ବ୍ୟାଙ୍କ୍‌ ସୁଧ ହାରରେ କ୍ରମାଗତ ବୃଦ୍ଧି ଘଟାଇଲେ କେହି ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ। ବର୍ତ୍ତମାନ ଘୋଷିତ ମୁଦ୍ରାନୀତିରେ ଏହି ସୂଚନା ସ୍ପଷ୍ଟ।

ସମ୍ବନ୍ଧିତ ଖବର