ପ୍ରାକ୍ ସ୍ୱାଧୀନତା ସମୟରେ ସାମ୍ପ୍ରଦାୟିକ ହିଂସା ଭାରତରେ ଯେମିତି ଏକ ସାଧାରଣ ଘଟଣା ଥିଲା। ଦୁଇ ପରସ୍ପର ବିରୋଧୀ ଧାର୍ମିକ ଗୋଷ୍ଠୀ ରାସ୍ତା ଉପରେ ପରସ୍ପର ବିରୋଧରେ ହିଂସା କରୁଥିଲେ। ଏହାର ସହଜ ନାଁଟିଏ ଦିଆଯାଇଥିଲା, ‘ଦଙ୍ଗା’। ଦଙ୍ଗାକୁ ରୋକିବାରେ ଇଂରେଜ ସରକାର ସେମିତି କିଛି ପ୍ରଭାବଶାଳୀ ପଦକ୍ଷେପ ନେଇ ନଥିଲେ। ଅନେକ ସମୟରେ ସରକାର ନିରବ ରହୁଥିଲେ। କାରଣ ଭାରତରେ ବ୍ରିଟିସ୍‌ ସାମ୍ରାଜ୍ୟର ସ୍ଥାୟିତ୍ୱର ଅନ୍ୟ ଏକ ସ୍ତମ୍ଭ ଥିଲା ‘ଡିଭାଇଡ୍ ଆଣ୍ଡ୍ ରୁଲ୍’ ବା ‘ବିଭାଜନ ଓ ଶାସନ’ ନୀତି। ଭାରତରେ ଗାନ୍ଧୀଙ୍କ ଆବିର୍ଭାବ ପରେ ସାମ୍ପ୍ରଦାୟିକ ସଦ୍‌ଭାବ ତାଙ୍କର ସମସ୍ତ କାର୍ଯ୍ୟକ୍ରମରେ ଏକ ଏଜେଣ୍ଡା ଭାବେ ରହିଲା। ଏକ ଶକ୍ତିଶାଳୀ ଅନ୍ତର୍ଭୁକ୍ତ ସାମାଜିକ ବିଶ୍ୱାସ ଯେ ପୂର୍ଣ୍ଣ ସ୍ୱରାଜ ପ୍ରାପ୍ତିର ଏକମାତ୍ର ଗ୍ୟାରେଣ୍ଟି ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଜ ଯେ ପ୍ରଗତିକୁ ତ୍ୱରାନ୍ୱିତ କରିଥାଏ, ଏହା ଥିଲା ଗାନ୍ଧୀଙ୍କ ବିଚାର। ଦଙ୍ଗାର କାରଣ ଓ ନିରାକରଣ ସମ୍ପର୍କରେ ଗାନ୍ଧୀଙ୍କୁ ଅନେକ ଥର ପ୍ରଶ୍ନ କରାଯାଇଛି। ଗାନ୍ଧୀ ତା’ର ଉତ୍ତର ବି ଦେଇଛନ୍ତି। ୧୯୪୭ ମସିହା ଜାନୁଆରିରେ ନୂଆଖାଲିରେ ପଦଯାତ୍ରା କଲାବେଳେ ଗାନ୍ଧୀଙ୍କୁ ଦଙ୍ଗା ନେଇ କିଛି ପ୍ରଶ୍ନ କରାଯାଇଥିଲା। ଗାନ୍ଧୀ ତା’ର ଉତ୍ତର ରଖିଥିଲେ। ଗାନ୍ଧୀଙ୍କ ଉତ୍ତରରେ ଏକ ଶକ୍ତିଶାଳୀ ଅନୁଭୂତି ସମ୍ପନ୍ନ ସମାଜଶାସ୍ତ୍ରୀୟ ବିଶ୍ଳେଷଣ ଥିଲା। ସେହି ପ୍ରଶ୍ନ ଓ ଉତ୍ତରରୁ କିଛି କଥା ଏଠାରେ ଉଲ୍ଲେଖଯୋଗ୍ୟ।

Advertisment

୧୯୪୬ ମସିହାର ପ୍ରଥମାର୍ଦ୍ଧରେ ନୂଆଖାଲିରେ ହୋଇଥିବା ହିନ୍ଦୁ-ମୁସଲିମ୍ ଦଙ୍ଗା ଥିଲା ଖୁବ୍ ମର୍ମନ୍ତୁଦ। ସେବେ ପୂର୍ବ ବଙ୍ଗରେ ଥିବା ନୂଆଖାଲି ଥିଲା ଏକ ମୁସଲିମ୍ ବହୁଳ ଅଞ୍ଚଳ। ଏଇ ଦଙ୍ଗାରେ ମୁସଲିମ୍‌ଙ୍କ ଦ୍ୱାରା ହିନ୍ଦୁଙ୍କ ଉପରେ ବେଶୀ ଅତ୍ୟାଚାର ହୋଇଥିଲା। ହିନ୍ଦୁମାନଙ୍କ ଘର ପୋଡ଼ି ଦିଆଯାଇଥିଲା। ହିନ୍ଦୁ ମହିଳାଙ୍କୁ ନିର୍ଯାତିତ କରାଯାଇଥିଲା। ଶାନ୍ତି ପ୍ରତିଷ୍ଠା ପାଇଁ ସେଠାକାର ହିନ୍ଦୁ ମହିଳାଙ୍କ ଅନୁରୋଧ କ୍ରମେ ଗାନ୍ଧୀ ନୂଆଖାଲି ଯାଇଥିଲେ। ୧୯୪୭ ମସିହା ଜାନୁଆରିରେ ଗାନ୍ଧୀଜୀ ନୂଆଖାଲିର ଗାଁ ମାନଙ୍କରେ ପଦଯାତ୍ରା ଆରମ୍ଭ କରିଥିଲେ। ଗାଁ ସଭା ମାନଙ୍କରେ ମନୁ ଗାନ୍ଧୀ ସ୍ୱର ଦେଇ ଗାନ୍ଧୀଙ୍କ ‘ରାମଧୁନ’, ‘ରଘୁପତି ରାଘବ ରାଜାରାମ..’ ଗାଉଥିଲେ। ରାମଧୁନ ଏକ ପ୍ରାର୍ଥନା ଭାବେ ପ୍ରଥମେ ବୋଲା ଯାଇଥିଲା ନୂଆଖାଲିରେ। ‘ଈଶ୍ୱର ଆଲ୍ଲା ତେରୋ ନାମ’ର ସନ୍ଦେଶ ଥିଲା ନିଆରା।

ନୂଆଖାଲିର ଶ୍ରୀରାମପୁର ଗାଁରେ ଗାନ୍ଧୀଜୀ ଆଶ୍ରୟ ନେଇଥିଲେ ଜଣେ ମୁସଲମାନ ବ୍ୟକ୍ତିଙ୍କ ଘରେ। ଗାନ୍ଧୀଙ୍କ ଖାଇବା କଥା ସେ ମୁସଲିମ୍‌ ବ୍ୟକ୍ତି ବୁଝୁଥିଲେ। ଦଙ୍ଗା ନେଇ ଗାନ୍ଧୀଙ୍କ ମୁସଲିମ୍‌ ବନ୍ଧୁଙ୍କର କିଛି ପ୍ରଶ୍ନ ଥିଲା। ଗାନ୍ଧୀଙ୍କ ପାଇଁ ପ୍ରଥମ ପ୍ରଶ୍ନ ଥିଲା, ‘ମହାତ୍ମାଜୀ, ଜିନ୍ନାଙ୍କ ସହ ଆପଣ ବୁଝାମଣା କରିଦେଇଥିଲେ ଏପରି ଏକ କଷ୍ଟପୂର୍ଣ୍ଣ ତୀର୍ଥଯାତ୍ରାରେ ଆପଣଙ୍କୁ ବାହାରିବାକୁ ପଡ଼ିଥାନ୍ତା କି?’ ଗାନ୍ଧୀଙ୍କ ଉତ୍ତର ଥିଲା, ‘ନେତା ହିଁ ସମର୍ଥକଙ୍କ ଭିତରୁ ଆସେ। କର୍ମୀ ଓ ସମର୍ଥକଙ୍କ ଇଚ୍ଛା ନେତାଙ୍କ ଆଭିମୁଖ୍ୟରେ ପ୍ରତିଫଳିତ ହୋଇଥାଏ। ସାଧାରଣ ଲୋକଟିଏ ନିଜ ପଡ଼ୋଶୀ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଚାହିଁଲେ ଏବଂ ଭାଇଚାରା ପ୍ରତିଷ୍ଠା କଲେ ନେତା ତାକୁ ଅଣଦେଖା କରି ପାରେନି। କରିବା ହିଁ କଷ୍ଟ। ମୁଁ ଏଠାକୁ ଗୋଟିଏ ସ୍ପଷ୍ଟ ଉଦ୍ଦେଶ୍ୟ ନେଇ ଆସିଛି। ସେ ଉଦ୍ଦେଶ୍ୟ ହେଉଛି, ହିନ୍ଦୁ ମୁସଲିମ୍‌ଙ୍କ ହୃଦୟ ଯେପରି ଶୁଦ୍ଧ ହେବ। ସେ ଶୁଦ୍ଧୀକରଣ ଈଶ୍ୱର କରିବେ। ଏ ଦୁଇ ସମ୍ପ୍ରଦାୟ ପରସ୍ପରଠାରୁ ଭୟ ଓ ସନ୍ଦେହମୁକ୍ତ ହେବା ଉଚିତ। ମୋ ସହ ଆପଣମାନେ ଯୋଗ ଦିଅନ୍ତୁ ଏବଂ କହନ୍ତୁ, ଈଶ୍ୱର ହିଁ ଆମ ଉଭୟଙ୍କର ସୃଷ୍ଟିକର୍ତ୍ତା। ଈଶ୍ୱର ଆମଙ୍କୁ ସଫଳତା ଦେବେ।’

ଗାନ୍ଧୀଙ୍କୁ ଦ୍ୱିତୀୟ ପ୍ରଶ୍ନ ଥିଲା, ‘ଲୋକେ ଶିକ୍ଷିତ ହେଲେ ଦଙ୍ଗା କମିଯିବ କି?’ ଗାନ୍ଧୀଜୀଙ୍କ ଉତ୍ତର ଥିଲା, ‘ଲୋକେ କେବଳ ଶିକ୍ଷିତ ହୋଇଗଲେ ଦଙ୍ଗା କମି ଯାଏନି। ଜର୍ମାନ୍‌ମାନେ ବହୁତ ଶିକ୍ଷିତ ଓ ବୁଦ୍ଧିମାନ ଲୋକ ଥିଲେ। କିନ୍ତୁ ସେମାନେ ହିଟଲରଙ୍କ ପାଖରେ ସମର୍ପିତ ହୋଇଗଲେ। ସତ କଥା ହେଲା, କେବଳ ଶିକ୍ଷାପ୍ରାପ୍ତ ଜ୍ଞାନଟି ଉପଯୁକ୍ତ ମଣିଷ ତିଆରି କରି ପାରେନି। ଜୀବନ ପାଇଁ ପ୍ରକୃତ ଶିକ୍ଷା ଶିଖିବା ଦରକାର। ଯଦି ଜଣେ ବ୍ୟକ୍ତି ନିଜ ପଡ଼ୋଶୀ ଏବଂ ବନ୍ଧୁଙ୍କ ସହ ଶାନ୍ତିରେ ଏକାଠି ରହିବା ଶିଖି ନ ପାରିଛି, ସେ ପାଇଥିବା ଶିକ୍ଷାର କିଛି ମାନେ ନାହିଁ।’ ଗାନ୍ଧୀଜୀଙ୍କୁ ଶେଷ ପ୍ରଶ୍ନ ଥିଲା, ‘ହିନ୍ଦୁ ମୁସଲିମ୍ ଦଙ୍ଗାର କାରଣ କ’ଣ, ମହାତ୍ମାଜୀ?’ ଗାନ୍ଧୀଜୀ ଏହାର ଉତ୍ତର ସଂକ୍ଷେପରେ କହିଦେଲେ, ‘ଇଡିଓକ୍ରାସି’ ବା ‘ପାଗଳାମି’। ପ୍ରକୃତରେ ପ୍ରତ୍ୟେକ ଦଙ୍ଗାର କିଛି ବାସ୍ତବ କାରଣ ନଥାଏ। ଗୁଜବ, ପାରସ୍ପରିକ ଅବିଶ୍ୱାସ ହିଁ ଦଙ୍ଗାକୁ ଜନ୍ମ ଦେଇଥାଏ। ଗାନ୍ଧୀ ବୁଝେଇଦେଲେ, ‘ଅବିଶ୍ୱାସ ଭୟ ସୃଷ୍ଟି କରେ, ଭୟରୁ ଘୃଣା ଜାତ ହୁଏ। ପୁଞ୍ଜୀଭୂତ ଘୃଣା ହିଂସାର କାରଣ ହୋଇଥାଏ।’ ସବୁ ପ୍ରଶ୍ନ ଭିତରୁ ଗୋଟିଏ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଗାନ୍ଧୀ କିଛି ସମୟ ଭାବିଥିଲେ, ଯେତେବେଳେ ଜଣେ ପ୍ରଶ୍ନକର୍ତ୍ତା ଜାଣିବାକୁ ଚାହିଁଲେ, ‘ବାପୁଜୀ, ଆପଣ ଦିଲ୍ଲୀରୁ ନୂଆଖାଲିକୁ ନଆସି ସେଠୁ ସନ୍ଦେଶ ପଠାଇ ଦେଇଥିଲେ କ’ଣ ଯଥେଷ୍ଟ ହୋଇନଥାନ୍ତା?’ ଗାନ୍ଧୀ ଉତ୍ତର ଦେଲେ, ‘ନା, ଏହା ହୋଇପାରିନଥାନ୍ତା। ମୁଁ ପ୍ରତ୍ୟକ୍ଷ କାମରେ ବିଶ୍ୱାସ କରେ। ଲୋକଙ୍କ ସହ ସିଧା ମିଶି କାମ କଲେ ଅନେକ ସମସ୍ୟାର ସମାଧାନ ହୋଇଯାଏ।’

ସଭାର ଶେଷରେ ଗାନ୍ଧୀଜୀ ଯେଉଁ ଛୋଟ ଭାଷଣଟି ଦେଇଥିଲେ ତାହା ଥିଲା ବେଶ୍ ହୃଦୟସ୍ପର୍ଶୀ। ଗାନ୍ଧୀଙ୍କ ଶେଷ କଥା ଥିଲା, ‘କିଛି ଦିନ ପରେ ଇଂରେଜମାନେ ଏ ଦେଶ ଛାଡ଼ି ଚାଲିଯିବେ। ଆମେ ଆମ କର୍ତ୍ତବ୍ୟ ତେଣୁ ସ୍ଥିର କରିନେବା ଉଚିତ। ପରସ୍ପର ସହ ଆମେ ଏମିତି ଦଙ୍ଗା କରି ଚାଲିଲେ ବାରମ୍ବାର ଆମେ ଏମିତି ଦାସତ୍ବବରଣ କରୁଥିବା ଏବଂ ଜାତି, ଧର୍ମରେ ଏ ଦେଶକୁ ବାରମ୍ବାର ବାଣ୍ଟି ଚାଲିଥିବା। ମୋର ବିଶ୍ୱାସ, ଯଦି ଉଭୟେ ହିନ୍ଦୁ-ମୁସଲମାନ ପରସ୍ପର ସହ ଖୋଲା ହୃଦୟ ଏବଂ ଏକ ମାନବୀୟ ଭାଷାରେ କଥା ହୁଅନ୍ତି ଏବଂ ସମ୍ପର୍କ ରଖନ୍ତି ତେବେ ଈଶ୍ୱର ସବୁ ଠିକ୍ କରିଦେବେ।’ଦୁର୍ଭାଗ୍ୟ ଯେ ସ୍ୱାଧୀନତା ପୂର୍ବରୁ ଭାଇଚାରା ଅଭାବରେ ଭାରତରେ ଯେମିତି ଦଙ୍ଗା, ସାମ୍ପ୍ରଦାୟିକ ହିଂସା ହେଉଥିଲା, ସେଇ ଭାଇଚାରା ଅଭାବରେ ସ୍ୱାଧୀନତାର ପଞ୍ଚସ୍ତରି ବର୍ଷ ପରେ ଏଠି ସେମିତି ବି ଦଙ୍ଗା ହେଉଛି, ସାମ୍ପ୍ରଦାୟିକ ହିଂସା ଘଟୁଛି ଓ ପାରସ୍ପରିକ ବିଶ୍ୱାସ ତୁଟୁଛି। ଭାରତର ଉଦାରବାଦୀ ମାନବିକ ମୂଲ୍ୟବୋଧଭିତ୍ତିକ ଧର୍ମନିରପେକ୍ଷ ଗଣତନ୍ତ୍ରର ଆତ୍ମାକୁ ଏହା ଆଘାତ ଦେଉଛି। ହାତରେ ବାଡ଼ିଟି ଧରି ଏବଂ ଟାଗୋରଙ୍କ ‘ଏକଲା ଚଲୋ’ ଗୀତ ଗାଇ ଦଙ୍ଗା ବିଧ୍ୱସ୍ତ ନୂଆଖାଲିର ଗ୍ରାମମାନଙ୍କରେ ବୁଲିବା ବେଳେ ଗାନ୍ଧୀ କେବଳ ଗୋଟିଏ କଥା କହୁଥିଲେ, ‘ସହିଷ୍ଣୁତା, ଅହିଂସା ହେଉଛି ସବୁ ଧର୍ମର ସାର ତତ୍ତ୍ୱ।’
ମୋ- ୯୮୬୧୪୬୯୩୨୮