ଦୁର୍ଗ ପତନ

ଶ୍ରୀଲଙ୍କାରେ ଏବେ ଯେଉଁ ମିଳିତ ଜାତୀୟ ସରକାର ଦେଶର ଦାୟିତ୍ବ ନେବ ବୋଲି ଯୋଜନା ରହିଛି, ଭାରତ ସେ ସରକାରକୁ ନିଜ ସ୍ବାର୍ଥ ଦୃଷ୍ଟିରୁ ଅକୁଣ୍ଠ ଭାବରେ ଯଥାସମ୍ଭବ ସମସ୍ତ ସହାୟତା ଯୋଗାଇବା ଉଚିତ ହେବ। ରାଜପକ୍ଷ ଶାସନ ସମୟରେ ସେଠାରେ ବୃଦ୍ଧି ପାଇ ଚାଲିଥିବା ଚୀନା ପ୍ରଭାବ ଏହି ବିପ୍ଳବ ଦ୍ବାରା ବାଧାପ୍ରାପ୍ତ ହୋଇଛି। ଏହାର ସୁଯୋଗ ନେଇ ଆମର ଏହି ପଡ଼ୋଶୀ ଦେଶକୁ ଚୀନା ପ୍ରଭାବମୁକ୍ତ କରିବାର ଏକ ନିଶ୍ଚିତ ଉପାୟ ହେଉଛି ଭାରତର ସ˚କଟକାଳୀନ ବଦାନ୍ୟତା।

ଆଜକୁ ଦୁଇଶହ ବର୍ଷରୁ ଅଧିକ କାଳ ତଳେ, ୧୭୮୯ ସାଲର ଏହି ଜୁଲାଇ ମାସର ୧୪ ତାରିଖ ଦିନ ଫ୍ରାନ୍‌ସର ଉତ୍ତ୍ୟକ୍ତ ଜନତା ପ୍ୟାରିସ୍‌ସ୍ଥିତ ରାଜକୀୟ କ୍ଷମତାର ପ୍ରତୀକ ବାଷ୍ଟିଲ୍‌ ଦୁର୍ଗ ଉପରେ ଚଢ଼ାଉ କରି ଐତିହାସିକ ଫରାସୀ ବିପ୍ଳବର ଜୟଯାତ୍ରା ଆରମ୍ଭ କରିଥିଲେ। ତା’ ପରଦିନ ସକାଳେ ଜଣେ ଅମାତ୍ୟ ଯେତେବେଳେ ସମ୍ରାଟ୍‌ ଷୋଡ଼ଶ ଲୁଇଙ୍କୁ ଏହି ଖବର ଦେଲେ, ସେ ପର୍ଯ୍ୟନ୍ତ ଏ ସମ୍ବନ୍ଧରେ ଆଦୌ ଅବଗତ ନଥିବା ସମ୍ରାଟ୍‌ ଅମାତ୍ୟଙ୍କୁ ପଚାରିଲେ, ‘‘ଏହା କ’ଣ ଏକ ବିଦ୍ରୋହ?’’ ଅମାତ୍ୟ ଜଣକ ଉତ୍ତର ଦେଇଥିଲେ, ‘‘ନା ମଣିମା, ଏହା ଏକ ବିଦ୍ରୋହ ନୁହେଁ; ଏହା ହେଉଛି ଏକ ବିପ୍ଳବ।’’ ଏହି ବିପ୍ଳବ କିପରି ସମଗ୍ର ଦେଶକୁ ସଞ୍ଚରି ଯାଇ ଫ୍ରାନ୍‌ସରେ ତଥାକଥିତ ଦୈବୀ ଅଧିକାର ପ୍ରାପ୍ତ ରାଜତନ୍ତ୍ରର ବିଲୋପ ସାଧନ କରିଥିଲା, ତାହା କେବଳ ସେ ଦେଶର ଇତିହାସ ନୁହେଁ, ବିଶ୍ବ ଇତିହାସରେ ଅନ୍ୟତମ ସର୍ବାଧିକ ଚର୍ଚ୍ଚିତ ଘଟଣା ରୂପେ ଏକ ବିଶେଷ ସ୍ଥାନ ଅଧିକାର କରିଛି।

ଅତୀତର ସେହି ବାଷ୍ଟିଲ୍‌ ଦୁର୍ଗ ଚଢ଼ାଉକୁ ଅନୁକରଣ କଲା ଭଳି ଗତ ୯ ତାରିଖ ଶନିବାର ଦିନ ଶ୍ରୀଲଙ୍କାର ଉତ୍ତ୍ୟକ୍ତ ଜନସାଧାରଣ ସେ ଦେଶର ରାଷ୍ଟ୍ରପତି ଗୋତବାୟା ରାଜପକ୍ଷଙ୍କ ସରକାରୀ ଦପ୍ତର ଓ ବାସଭବନ ଏବ˚ ପ୍ରଧାନମନ୍ତ୍ରୀ ରନିଲ୍‌ ବିକ୍ରମସି˚ହଙ୍କ ପୈତୃକ ବାସଭବନ ଉପରେ କରିଥିବା ଚଢ଼ାଉ ଏକ ବିଦ୍ରୋହ ଥିଲା ନା ‘ବିପ୍ଳବ’ ଥିଲା ବୋଲି ଯଦି କେହି ପ୍ରଶ୍ନ କରେ, ଏହାର ଏକମାତ୍ର ଉତ୍ତର ଯେ ହେବ ‘ବିପ୍ଳବ’, ଏଥିରେ କୌଣସି ସନ୍ଦେହ ନାହିଁ। କାରଣ, ଯେଉଁମାନେ ଏହି ଚଢ଼ାଉରେ ଅ˚ଶ ଗ୍ରହଣ କରିଥିଲେ, ସେମାନେ ହଜାର ହଜାର ସ˚ଖ୍ୟାରେ ସାରା ଦେଶର କୋଣ ଅନୁକୋଣରୁ ଆସି ରାଜଧାନୀ କଲୋମ୍ବୋଠାରେ ଏହି ଉଦ୍ଦେଶ୍ୟରେ ଏକତ୍ର ହୋଇଥିଲେ। ଶ୍ରୀଲଙ୍କାରେ ବର୍ତ୍ତମାନ ପେଟ୍ରୋଲ, ଡିଜେଲ୍‌ ଆଦି ଇନ୍ଧନର ଯୋଗାଣ ପ୍ରାୟ ଉଭାନ ହୋଇ ଯାଇଥିବାରୁ ଘରୋଇ ଗାଡ଼ି ମଟରରୁ ଛୋଟ ବଡ଼ ବସ୍‌ ଆଦି ସାଧାରଣ ପରିବହନ ଯାନମାନଙ୍କ ପର୍ଯ୍ୟନ୍ତ ଚଳାଚଳ ପ୍ରାୟ ଠପ୍‌ ହୋଇଯାଇଛି। ହଜାର ହଜାର ସ˚ଖ୍ୟକ ବିକ୍ଷୋଭକାରୀ ତେଣୁ ଟ୍ରକ୍‌ ଡାଲାରେ ଛିଡ଼ା ହୋଇ, ସାଇକେଲ୍‌ ଚଳାଇ, ପାଦରେ ଚାଲି ଚାଲି ଦୂରଦୂରାନ୍ତରୁ ଅସୀମ କଷ୍ଟ ସ୍ବୀକାର କରି ଆସି ରାଜଧାନୀ କଲୋମ୍ବୋରେ ପ୍ରତିବାଦ କରିବାକୁ ଠୁଳ ହୋଇଥିଲେ।

ଉଭୟ ଉପରୋକ୍ତ ଫରାସୀ ବିପ୍ଳବ ଓ ଆମେରିକୀୟ ବିପ୍ଳବର ଜଣେ ପ୍ରଧାନ ସମର୍ଥକ ତଥା ପ୍ରଖ୍ୟାତ ରାଜନୈତିକ ତତ୍ତ୍ବକାର ଥମାସ୍‌ ପେନ୍‌ ସେଭଳି ବିପ୍ଳବର ଯଥାର୍ଥତା ପ୍ରତିପାଦନ କରିବା ପଛରେ ଯେଉଁ କାରଣ ନିହିତ ଥିଲା, ଶ୍ରୀଲଙ୍କାରେ ବିକ୍ଷୋଭକାରୀମାନେ ଠିକ୍‌ ସେଇ କାରଣରୁ ହିଁ ବିପ୍ଳବ ପଥକୁ ଓହ୍ଲାଇ ଥିଲେ। ପେନ୍‌ କହିଥିଲେ ବର୍ତ୍ତମାନ ପିଢ଼ିକୁ ବନ୍ଧନରେ ରଖିବା ପାଇଁ କୌଣସି ପୂର୍ବ ପିଢ଼ିର ରାଜନୀତିର ଅଧିକାର ନାହିଁ: “ନିଜ ବିଚାର ଅନୁସାରେ କାର୍ଯ୍ୟ କରିବା ପାଇଁ ପ୍ରତ୍ୟେକ ଯୁଗ ଏବ˚ ପିଢ଼ିର ସ୍ବାଧୀନତା ରହିଛି… ସେ ପୁରରେ ଥାଇ ତଥାପି ଶାସନ କରିବାର ଆସ୍ପର୍ଦ୍ଧା ହେଉଛି ସବୁଠାରୁ ହାସ୍ୟାସ୍ପଦ ଓ ଉଦ୍ଧତ ସ୍ବେଚ୍ଛାଚାର।’’ ଥମାସ୍‌ ପେନ୍‌ଙ୍କର ଏହି ସ୍ବରର ପ୍ରତିଧ୍ବନି ଭଳି ସେଦିନ ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରିଥିବା କଳାପତାକାଧାରୀ ବିକ୍ଷୋଭକାରୀମାନେ ଘୋଷଣା କରିଥିଲେ: ‘‘ହାତରେ ଏହି ପତାକା ଧରି ଆମେ ଆମର ଅସନ୍ତୋଷ ଓ କ୍ରୋଧ ପ୍ରକଟ କରିବାକୁ ଚାହୁଁ ଯେ ସେମାନେ ବିଗତ ୭୪ ବର୍ଷ ଧରି ଯେଉଁ ବ୍ୟବସ୍ଥା ଚଳାଇ ଆସିଛନ୍ତି, ତାହା ଆମକୁ ଓ ଆମର ଅଧିକାର ସବୁକୁ ପଦଦଳିତ କରି ଆସିଛି।… ଯୁବ ପିଢ଼ି ହେଉଛି ଏ ବ୍ୟବସ୍ଥାର ଘୋର ବିରୋଧୀ।’’ ତେବେ ବାଷ୍ଟିଲ୍‌ ଚଢ଼ାଉ ଓ ରାଷ୍ଟ୍ରପତି ଭବନ ଚଢ଼ାଉ ମଧୢରେ ଏକ ମୌଳିକ ଫରକ୍‌ ଥିଲା: ପ୍ରଥମଟି ହି˚ସାତ୍ମକ ଥିବା ବେଳେ ଦ୍ବିତୀୟଟି ଥିଲା ହି˚ସାମୁକ୍ତ। ରାଷ୍ଟ୍ରପତି ଭବନର ବିଳାସପୂର୍ଣ୍ଣ ପରିବେଶକୁ ଦଖଲକାରୀମାନେ ମନଭରି ଉପଭୋଗ କରିବାର ଦୃଶ୍ୟ ବିଶ୍ବବାସୀଙ୍କୁ ଆମୋଦିତ କରିଥିଲା- ସେଠାରେ ପିକ୍‌ନିକ୍‌ କରିବାରୁ ଆରମ୍ଭ କରି ସୁଇମିଙ୍ଗ୍‌ ପୁଲ୍‌କୁ ଡିଆଁ ମାରି ପହଁରିବା ପର୍ଯ୍ୟନ୍ତ। ଅବଶ୍ୟ ଏଥିରେ ଏକ ବ୍ୟତିକ୍ରମ ଘଟିଥିଲା ଯେତେବେଳେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଗୃହରେ ନିଆଁ ଲଗାଇ ଦେଇଥିଲେ।

ଏହି ବିପ୍ଳବର ଫଳ ସ୍ବରୂପ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ଶେଷରେ କ୍ଷମତାରୁ ଅପସାରିତ ହୋଇଯାଇଛନ୍ତି। ଏଥି ପୂର୍ବରୁ ତାଙ୍କ ଭାଇ ମହିନ୍ଦା ରାଜପକ୍ଷ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିବାକୁ ବାଧୢ ହୋଇଥିଲେ। ପରିସ୍ଥିତି ସମ୍ଭାଳିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ରନିଲ୍‌ ବିକ୍ରମସି˚ହ କୁଣ୍ଠାର ସହିତ ପୁଣି ଥରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କର ଏହି ପଦକ୍ଷେପକୁ ବିକ୍ଷୋଭକାରୀମାନେ ରାଜପକ୍ଷ ଭ୍ରାତାମାନଙ୍କୁ ସହାୟତା ରୂପେ ବିଚାର କରି କ୍ରୋଧ ପ୍ରକାଶ ସ୍ବରୂପ ତାଙ୍କ ଭବନକୁ ଭସ୍ମୀଭୂତ କରି ଦେଇଛନ୍ତି।
ସମୟର ନିଷ୍ଠୁର ବିଡ଼ମ୍ବନା ଭଳି ଯେଉଁ ରାଜପକ୍ଷ ଭ୍ରାତା ଦ୍ବୟ ସେମାନଙ୍କର କଠୋର ପଦକ୍ଷେପ ଦ୍ବାରା ପ୍ରାୟ ଦୀର୍ଘ ତିନି ଦଶନ୍ଧି ଧରି ଶ୍ରୀଲଙ୍କାକୁ ଆକ୍ରାନ୍ତ କରି ଆସିଥିବା ‘ଏଲ୍‌ଟିଟିଇ’ର ନୃଶ˚ସ ଆତଙ୍କବାଦରେ ଅନ୍ତ ଘଟାଇ ଶ୍ରୀଲଙ୍କାବାସୀଙ୍କର ପ୍ରିୟତମ ନେତାରେ ପରିଣତ ହୋଇଥିଲେ, ସେଇମାନେ ଏବେ ନିଜ ଦେଶବାସୀଙ୍କର ସର୍ବାଧିକ ଘୃଣିତ ଚରିତ୍ରରେ ପରିଣତ ହୋଇଛନ୍ତି। ନିଜର ଲୋକପ୍ରିୟତା ରାଜପକ୍ଷ ଭ୍ରାତାମାନଙ୍କ ଠାରେ ଏପରି ଏକ ନିରଙ୍କୁଶ ଚିରନ୍ତନ କ୍ଷମତାର ଭ୍ରାନ୍ତି ସୃଷ୍ଟି କଲା ଯେ ସେମାନେ ନିଜକୁ ଶ୍ରୀଲଙ୍କାର ସମ୍ରାଟ୍‌ ରୂପେ ବିଚାର କରିବାକୁ ଲାଗିଲେ। ଦେଶର ଶାସନ ବସ୍ତୁତଃ ରାଜପକ୍ଷ ପରିବାରର ବିଭିନ୍ନ ସଦସ୍ୟମାନଙ୍କ ଦ୍ବାରା ନିୟନ୍ତ୍ରିତ ହେଲା। ତେବେ ତଥାପି ଶ୍ରୀଲଙ୍କାବାସୀମାନେ ରାଜପକ୍ଷ ପରିବାରକୁ ସହନ କରି ଚାଲିଥାନ୍ତେ, ଯଦି ରାଜପକ୍ଷ କୁଶାସନ ସେମାନଙ୍କ ପେଟକୁ ଲାତରେ ପରିଣତ ହୋଇନଥାନ୍ତା।

ଶ୍ରୀଲଙ୍କା ଅର୍ଥନୀତିର ଶୋଚନୀୟ ଅବସ୍ଥା ଏପରି ସୁବିଦିତ ଯେ ଏଠାରେ ତା’ର ବର୍ଣ୍ଣନା ଅନାବଶ୍ୟକ। ଏହା ଅବଶ୍ୟ ସତ ଯେ ପର୍ଯ୍ୟଟନ ଉପରେ ଅତିରିକ୍ତ ନିର୍ଭରଶୀଳ ଶ୍ରୀଲଙ୍କାର ଅର୍ଥନୀତି ଚୀନା କରୋନା ଜନିତ କୋଭିଡ୍‌-୧୯ ଯୋଗୁଁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ୟୁକ୍ରେନ୍‌ ଯୁଦ୍ଧ ଜନିତ ତୈଳ ଦର ବୃଦ୍ଧି ଏହି ଦେଶପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି। କିନ୍ତୁ ଅର୍ଥନୀତିର ଦୁରବସ୍ଥା ପାଇଁ ରାଜପକ୍ଷ ଶାସନ ମଧୢ କିଛି କମ୍‌ ଦାୟୀ ନୁହେଁ। ଦେଶର ବୈଦେଶିକ ମୁଦ୍ରା ଅର୍ଜନ କ୍ଷମତାରେ ହ୍ରାସ ସହିତ ତାଳ ଦେଇ ବୈଦେଶିକ ମୁଦ୍ରା ପାଣ୍ଠି ମଧୢ ନିଃଶେଷ ହେବାକୁ ଲାଗିବାରୁ ରାଜପକ୍ଷ ପ୍ରଶାସନ ଏହାର ମୁକାବିଲା ନିମିତ୍ତ ନେଇଥିବା କେତେକ ଉଦ୍‌ଭ୍ରାନ୍ତ ପ୍ରାୟ ପଦକ୍ଷେପ ଅର୍ଥନୀତି ତଥା ଦେଶବାସୀଙ୍କ ପାଇଁ ଅଧିକ ଦୁର୍ଦ୍ଦଶାର କାରଣ ହୋଇଛି। ଏକ ଉଦାହରଣ ସ୍ବରୂପ କୃଷିରେ ବ୍ୟବହୃତ ରାସାୟନିକ ସାର ଆମଦାନି ବାବଦରେ ଖର୍ଚ୍ଚ କରିବାକୁ ପଡୁଥିବା ବୈଦେଶିକ ମୁଦ୍ରା ସଞ୍ଚୟ କରିବା ଉଦ୍ଦେଶ୍ୟରେ ପ୍ରାୟ ୧୫ ମାସ ତଳେ ସରକାର ଦେଶରେ କୃଷିରେ ରାସାୟନିକ ସାର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଦେଲେ। ଏଥିଯୋଗୁଁ ଫସଲ ଅମଳରେ ଘଟିଥିବା ହ୍ରାସ କୃଷକମାନଙ୍କର ଦାରିଦ୍ର୍ୟର କାରଣ ହେବା ସହିତ ଦେଶବାସୀମାନଙ୍କ ପାଇଁ ଖାଦ୍ୟାଭାବ ସୃଷ୍ଟି କରିଛି। ସେହିପରି ଚୀନ୍‌ର କୁଖ୍ୟାତ ‘ବିଆର‌୍‌ଆଇ’ ଜାଲରେ ଧରା ଦେଇ ଦେଶର ଋଣ ବୋଝରେ ବୃଦ୍ଧି ଘଟାଇବା ସହିତ ହାମ୍ବନ୍‌ତୋତା ବନ୍ଦର ଅଞ୍ଚଳକୁ ୯୯ ବର୍ଷ ପାଇଁ ଚୀନା ଦଖଲକୁ ଠେଲି ଦେବାକୁ ଶ୍ରୀଲଙ୍କା ବାଧୢ ହୋଇଛି। ଶସ୍ତା ଲୋକପ୍ରିୟତା ଅର୍ଜନ ନିମିତ୍ତ ରାଜପକ୍ଷ ସରକାର ୨୦୧୯ରେ ଦେଶରେ ଟିକସ ହାରରେ ଘଟାଇଥିବା ହ୍ରାସ ଯୋଗୁଁ ସରକାରଙ୍କ ରାଜସ୍ବ ସ˚କୁଚିତ ହୋଇ ଆର୍ଥିକ ସ˚କଟ ସୃଷ୍ଟି କରିଛି।

ଶ୍ରୀଲଙ୍କାରେ ଦେଖା ଦେଇଥିବା ଏହି ସ˚କଟ ଯୋଗୁଁ ଏହି ଅଞ୍ଚଳରେ ଯେଉଁ ଅସ୍ଥିରତା ସୃଷ୍ଟି ହେବ, ତାହା ପଡ଼ୋଶୀ ଭାରତ ପାଇଁ ଶୁଭଙ୍କର ହେବ ନାହିଁ (ଯେମିତି ଏଥିଯୋଗୁଁ ଏକ ଶରଣାର୍ଥୀ ସମସ୍ୟା ସୃଷ୍ଟି ହୋଇପାରେ)। ଶ୍ରୀଲଙ୍କାରେ ଏବେ ଯେଉଁ ମିଳିତ ଜାତୀୟ ସରକାର ଦେଶର ଦାୟିତ୍ବ ନେବ ବୋଲି ଯୋଜନା ରହିଛି, ଭାରତ ସେ ସରକାରକୁ ନିଜ ସ୍ବାର୍ଥ ଦୃଷ୍ଟିରୁ ଅକୁଣ୍ଠ ଭାବରେ ଯଥାସମ୍ଭବ ସମସ୍ତ ସହାୟତା ଯୋଗାଇବା ଉଚିତ ହେବ। ରାଜପକ୍ଷ ଶାସନ ସମୟରେ ସେଠାରେ ବୃଦ୍ଧି ପାଇ ଚାଲିଥିବା ଚୀନା ପ୍ରଭାବ ଏହି ବିପ୍ଳବ ଦ୍ବାରା ବାଧାପ୍ରାପ୍ତ ହୋଇଛି। ଏହାର ସୁଯୋଗ ନେଇ ଆମର ଏହି ପଡ଼ୋଶୀ ଦେଶକୁ ଚୀନା ପ୍ରଭାବମୁକ୍ତ କରିବାର ଏକ ନିଶ୍ଚିତ ଉପାୟ ହେଉଛି ଭାରତର ସ˚କଟକାଳୀନ ବଦାନ୍ୟତା।

ସମ୍ବନ୍ଧିତ ଖବର