‘ମାଗଣା’ ବ୍ୟାଧି

ଆମର ବିଶ୍ବାସ ଭାରତର ପ୍ରଧାନମନ୍ତ୍ରୀ ଉତ୍‌ଥାପନ କରିଥିବା ଏଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ସର୍ବଦଳୀୟ ଅନାସକ୍ତ ଆଲୋଚନା ହେବ ଏବଂ ଯେଉଁ ଯେଉଁ କଥା ଗୁଡ଼ିକ ଦେଶ ଓ ଦେଶବାସୀଙ୍କ ପାଇଁ ଉପଯୋଗୀ ସେହିଗୁଡ଼ିକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଆର୍ଥିକ ବ୍ୟଭିଚାର ମୂଳୋତ୍ପାଟନ ନିମନ୍ତେ ପଦକ୍ଷେପ ନିଆଯିବ। ଏ କ୍ଷେତ୍ରରେ ସରକାରଙ୍କ ସହିତ ମୁଖ୍ୟ ନିର୍ବାଚନ କମିଶନ ଏବଂ ନ୍ୟାୟାଳୟର ମଧ୍ୟ ଦାୟିତ୍ବ ରହିଛି। ଇଚ୍ଛା ଓ ଆଗ୍ରହ ଥିଲେ ଉପାୟ ବଳେ ବଳେ ଆସିଥାଏ।

ସାଧାରଣରେ ପ୍ରଚଳିତ ଗୋଟିଏ ବାକ୍ୟ ହେଲା, ‘ଯେଉଁଠି ପଣ୍ଡିତମାନେ ଥିବେ ସେଇଠି ମୁହଁ ଖୋଲିବ ନାହିଁ କିମ୍ବା ଯେଉଁଠି ମୂର୍ଖମାନେ ଥିବେ ସେଇଠି ମଧ୍ୟ ମୁହଁ ଖୋଲିବ ନାହିଁ।’ ଏ କଥାଟିର ତାତ୍ପର୍ଯ୍ୟ ହେଲା ଜଣେ ଯେତେ ଯୁକ୍ତିଯୁକ୍ତ କଥା କହିଲେ ସୁଦ୍ଧା ପଣ୍ଡିତମାନେ ତାହାର ଓଲଟା ଯୁକ୍ତି ଉପସ୍ଥାପନ କରି ସେ ଲୋକର କଥାକୁ ଖଣ୍ଡନ କରିପାରନ୍ତି; ସେମିତି ମୂର୍ଖମାନେ କୌଣସି ଯୁକ୍ତିକୁ ଗ୍ରହଣ କରିବାର ମାନସିକତା ପ୍ରାୟତଃ ରଖନ୍ତି ନାହିଁ। ଭୋଟ୍‌ ପାଇଁ ବିଭିନ୍ନ ମାଗଣା‌ ‌ଯୋଜନା ଓ ଛଦ୍ମ ଉତ୍କୋଚ ଦେବାର ଯୌକ୍ତିକତା ନେଇ ଏବେ ସାରା ଦେଶରେ ଚାଲିଥିବା ଚର୍ଚ୍ଚା ଏବଂ ତାର ସପକ୍ଷ-ବିପକ୍ଷରେ ବିଭିନ୍ନ ଯୁକ୍ତି ରଖୁଥିବା ବୁଦ୍ଧିଜୀବୀ-ରାଜନେତାମାନଙ୍କର ଢଙ୍ଗରଙ୍ଗ ଲକ୍ଷ୍ୟ କଲାବେଳେ ଏହି କଥାଟି ମନକୁ ଆସେ। ଏ ସଂପର୍କରେ ଆଗକୁ ଯିବା ଆଗରୁ ଆମେ ଆମେରିକୀୟ ବୁଦ୍ଧିଜୀବୀ ଜେମ୍‌ସ ଫ୍ରିମ୍ୟାନ୍‌ କ୍ଲାର୍କଙ୍କର ଗୋଟିଏ ବାକ୍ୟ ଆମର ଏହି ନେତା-ବୁଦ୍ଧିଜୀବୀଙ୍କୁ ସ୍ମରଣ କରାଇଦେବାକୁ ଚାହୁଁଛୁ – ‘‘ଜଣେ ରାଷ୍ଟ୍ରନିର୍ମାତା ତା ଦେଶର ଭବିଷ୍ୟତ ପିଢ଼ି ସମ୍ବନ୍ଧରେ ଚିନ୍ତା କରୁଥିବାବେଳେ ଜଣେ ରାଜନେତା କେବଳ ପରବର୍ତ୍ତୀ ନିର୍ବାଚନ କଥା ହିଁ ଚିନ୍ତା କରିଥାଏ।’’ କ୍ଲାର୍କଙ୍କର ଏଇ ମାପକାଠିରେ ଆଜି ଭାରତର କେତେଜଣ ରାଜନୀତିଜ୍ଞ ନିଜ ନିଜକୁ ରାଷ୍ଟ୍ରନିର୍ମାତା ସ୍ତରକୁ ଉତ୍ତୀର୍ଣ୍ଣ କରିପାରିବେ ବୋଲି ଭାବିବସିଲେ ଉତ୍ସାହିତ ହେବାର ବିଶେଷ କାରଣ ଦେଖାଯାଏ ନାହିଁ। ମନେହୁଏ, ସମସ୍ତେ, ଦଳମତ ନିର୍ବିଶେଷରେ ପରବର୍ତ୍ତୀ ନିର୍ବାଚନକୁ କିପରି ଜିଣିହେବ ସେଥିପାଇଁ କେବଳ ବ୍ୟସ୍ତ। ନିର୍ବାଚନ ଜିଣିବା ପାଇଁ କରଣୀୟ, ଅକରଣୀୟ ଯାହା କରିବାକୁ ପଡୁ ପଛକେ ସେଥିପ୍ରତି ସେମାନେ ଉଦାସୀନ ଏବଂ ଏହି ପ୍ରକ୍ରିୟାରେ ଯଦି ଦେଶର ପରବର୍ତ୍ତୀ ପିଢ଼ି ଏବଂ ଦେଶର ଭବିଷ୍ୟତ ତଳିତଳାନ୍ତ ହୋଇଯାଏ ତାହାହେଲେ ସୁଦ୍ଧା ସେମାନଙ୍କର ସୁଖନିଦ୍ରା ବ୍ୟାହତ ହେବ ନାହିଁ।

ଆମର ଏହି କ୍ଷୋଭ ଏବଂ ନୈରାଶ୍ୟର ବଡ଼ କାରଣ ମାଗଣା ଯୋଜନାର ଯାଥାର୍ଥ୍ୟ ନେଇ ଯେତେ, ମାଗଣା ଯୋଜନାର ବ୍ୟାଖ୍ୟା ନେଇ ବୁଦ୍ଧିଜୀବୀମାନଙ୍କର ପରସ୍ପରର ବିରୋଧୀ ବୟାନ ନେଇ ସେତେ। ପୂର୍ବରୁ ଯେ ଭୋଟ ଜିଣିବା ପାଇଁ ଲାଞ୍ଚ ପ୍ରସଙ୍ଗ ଚର୍ଚ୍ଚା ମଧ୍ୟକୁ ଆସି ନ ଥିଲା ତାହା ନୁହେଁ, ଏ ବର୍ଷ ପ୍ରସଙ୍ଗଟିକୁ ଦେଶର ପ୍ରଧାନମନ୍ତ୍ରୀ ଉତ୍‌ଥାପନ କରିବା ପରେ ଏବଂ ସେଥିରେ ଦେଶର ଦୁଇ ପ୍ରମୁଖ ଅନୁଷ୍ଠାନ-ମୁଖ୍ୟ ନିର୍ବାଚନ କମିଶନ ଏବଂ ଉଚ୍ଚତମ ନ୍ୟାୟାଳୟ ସଂଶ୍ଳିଷ୍ଟ ହେବା ପରେ ପ୍ରସଙ୍ଗଟି ଏକ ଜାତୀୟ ବିତର୍କରେ ପରିଣତ ହୋଇଛି। ପଶ୍ଚିମବଙ୍ଗର ପୂର୍ବତନ ଅର୍ଥମନ୍ତ୍ରୀ ଅମିତ ମିତ୍ର କହିଛନ୍ତି ଯେ, କେନ୍ଦ୍ରର ମୋଦୀ ସରକାର ହିଁ ମାଗଣା ଯୋଜନାର ବଡ଼ ପୃଷ୍ଠପୋଷକ। ୨୦୨୨ ଜାନୁଆରି ୧ ତାରିଖରେ ମୋଦୀଙ୍କର ଆକସ୍ମିକ ଭାବେ କିଶାନ ସମ୍ମାନ ନିଧି ଯୋଜନାରେ ୧୦ କୋଟି ଚାଷୀଙ୍କୁ ୬ ହଜାର ଟଙ୍କା ଲେଖାଏଁ ଅର୍ଥ ହସ୍ତାନ୍ତରକୁ ସେ ଏହାର ସଦ୍ୟତମ ଉଦାହରଣ ଭାବେ ଦର୍ଶାଇଛନ୍ତି। ତାମିଲନାଡୁର ଅର୍ଥମନ୍ତ୍ରୀ ପି. ତ୍ୟାଗରାଜନ ଯୁକ୍ତି କରିଛନ୍ତି ଯେ, କିଛିବର୍ଷ ତଳେ ଏଆଇଏଡିଏମ୍‌କେ କ୍ଷମତାରେ ଥିବାବେଳେ ତାର ଶୁଭେଚ୍ଛୁ ପ୍ରଧାନମନ୍ତ୍ରୀ ତାମିଲନାଡୁର ମହିଳାମାନଙ୍କୁ ଅଧାମୂଲ୍ୟରେ ସ୍କୁଟର ବାଣ୍ଟିବା ଯୋଜନାର ଶୁଭ ଉଦ୍‌ଘାଟନ କରିଥିଲେ। ‘ଆପ୍‌’ ପରି ଦଳର ନେତା ଯୁକ୍ତି ବାଢ଼ିଛନ୍ତି ଯେ କେନ୍ଦ୍ର ସରକାର ଜନକଲ୍ୟାଣକାରୀ ଯୋଜନାକୁ ମାଗଣା ଯୋଜନା ଭାବେ ବୁଝିବାର ବିଭ୍ରାନ୍ତି କରିବସୁଛନ୍ତି। ଏହି ଦଳର ତୁଙ୍ଗ ଦୁଇ ନେତା କେଜ୍ରିୱାଲ ଏବଂ ସିସୋଡିଆ ଆଗାମୀ ଗୁଜୁରାଟ ନିର୍ବାଚନରେ ମାଗଣା ବିଜୁଳି ଯୋଗାଣ ପ୍ରତିଶ୍ରୁତିକୁ ଜନକଲ୍ୟାଣକାରୀ ଯୋଜନା ଭାବେ ଦର୍ଶାଇଛନ୍ତି, ‌ଯଦିଓ କୃଷିଶାସ୍ତ୍ରୀମାନେ ସତର୍କ କରାଇସାରିଲେଣି ଯେ ପଞ୍ଜାବ‌ରେ ‘ଆପ୍‌’ର କୃଷକଙ୍କୁ ମାଗଣା ବିଜୁଳି ବିତରଣ ଯୋଗୁଁ ସେଠାକାର ଚାଷୀମାନେ ଅଧିକ ଜଳ ବ୍ୟବହାର କରି ଧାନଚାଷ କରୁଛନ୍ତି ଯଦିଓ ପଞ୍ଜାବର ସୀମିତ ବୃଷ୍ଟି ଓ ମାଟି ଧାନଚାଷ ନୁହେଁ, ଗହମ ଚାଷ ଲାଗି ଅନୁକୂଳ।

ଏହାଦ୍ବାରା ଭବିଷ୍ୟତର ସର୍ବନାଶକୁ ଆମନ୍ତ୍ରଣ କରାଯାଉଛି ବୋଲି ‘ୱାଟରସେଡ୍‌’ ପୁସ୍ତକର ଲେଖିକା ମୃଦୁଳା ରମେଶଙ୍କ ପରି ଗବେଷିକା ସତର୍କ କରିଦେଇଛନ୍ତି। ଦୁର୍ଭାଗ୍ୟର କଥା ହେଉଛି ଯେ କେଉଁ କେଉଁ କାମ କରାଗଲେ ତାହା ଦେଶ ପାଇଁ କଲ୍ୟାଣକର ହେବ ଏବଂ କେଉଁ କାମ କ୍ଷତିକାରକ ଏହି ସାଧାରଣ ପ୍ରସଙ୍ଗ ନେଇ ସୁଦ୍ଧା ଆମର ଅଭିଜ୍ଞ ଓ ଅସାଧାରଣ ଜାତୀୟ ନେତାମାନେ ସହମତ ହୋଇପାରୁନାହାନ୍ତି। ସମ୍ଭବତଃ ଏହି କାରଣ ଯୋଗୁଁ କେନ୍ଦ୍ର ସରକାରଙ୍କର ସର୍ବଦଳୀୟ ବୈଠକ ଡକାଇବାର ଆବଶ୍ୟକତା ସମ୍ବନ୍ଧରେ ଉଚ୍ଚତମ ନ୍ୟାୟାଳୟ ମନ୍ତବ୍ୟ ଦେଇସାରିଲେଣି। ଏକଥା ସତ ଯେ ଭାରତ ପରି ଗୋଟିଏ ଭିନ୍ନ ଭିନ୍ନ ପାଣିପାଗ, ପ୍ରାକୃତିକ ଅବସ୍ଥିତି ଓ ବିପର୍ଯ୍ୟୟ ପ୍ରବଣ ଦେଶରେ ସଂଖ୍ୟାଗରିଷ୍ଠ ଲୋକ ଏବେ ବି ଚରମ ଦାରିଦ୍ର୍ୟ ଭିତରେ ଅଛନ୍ତି ଯେଉଁମାନେ ଜୀବନପଥରେ ଆଗେଇବାଲାଗି ସ୍ବତନ୍ତ୍ର ସହାୟତାର ଅପେକ୍ଷା ରଖନ୍ତି। ସେଥିପାଇଁ ବିଦ୍ୟାଳୟରେ ମଧ୍ୟାହ୍ନ ଯୋଜନା, ବୟସ୍କମାନଙ୍କୁ ଭତ୍ତା ଅଥବା ଓଡ଼ିଶା ପରି ରାଜ୍ୟର ସ୍ବାସ୍ଥ୍ୟ ଯୋଜନାକୁ କେହି ସମାଲୋଚନା କରିବା ଉଚିତ ନୁହେଁ। ମାତ୍ର ତାହା ବୋଲି ଟେଲିଭିଜନ୍‌ ସେଟ୍‌ ଠାରୁ ନେଇ ମଙ୍ଗଳସୂତ୍ର ବାଣ୍ଟିବା ପର୍ଯ୍ୟନ୍ତ ସବୁ କାମ ଯେ ସରକାର ବା ରାଜନୈତିକ ଦଳଗୁଡ଼ିକ କରିବସିବେ ତାହାକୁ କଦାପି ସମର୍ଥନ କରାଯାଇପାରିବ ନାହିଁ। ସରକାରଙ୍କର ଦାୟିତ୍ବ ଲୋକଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଓ ନିଯୁକ୍ତିର ସୁଯୋଗ ଯୋଗାଇବା। ସେତକ ସଫଳ ହେଲେ ଲୋକମାନେ ନିଜ ପସନ୍ଦର ଜିନିଷ କିଣିବେ, ‘ମାଗଣା’ ପାଇଁ ହାତ‌ ପତେଇବେ ନାହିଁ। ଦ୍ବିତୀୟ କଥା ହେଲା ବର୍ଷ ବର୍ଷ ଧରି ଚାଲିଥିବା ଯୋଜନାଗୁଡ଼ିକର ସଫଳତା ନେଇ ଅନାସକ୍ତ ଆକଳନ ହେଉନାହିଁ। ଉଦାହରଣ ସ୍ବରୂପ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କର ଆକାଶଛୁଆଁ ପ୍ରତିଶ୍ରୁତି ସତ୍ତ୍ବେ ଦେଶର ବହୁ ଲୋକଙ୍କ ପାଖରେ ଆଜି ମଧ୍ୟ ମୁଣ୍ଡ ଗୁଞ୍ଜିବାଲାଗି ଘର ଖଣ୍ଡେ ନାହିଁ। ଯେଉଁ ମାଗଣା ଯୋଜନାଗୁଡ଼ିକର ଉଦ୍ଦେଶ୍ୟ କେବଳ ଭୋଟ୍‌ ଅର୍ଜନ, ଦେଶର ସମୂହ ସ୍ବାର୍ଥ ଦୃଷ୍ଟିରୁ ତାହା ସଂପୂର୍ଣ୍ଣ ବର୍ଜନୀୟ। ସରକାର ପରେ ସରକାର ଓ ନେତା ପରେ ନେତା ଏହି ଉତ୍କୋଚର ପରିମାଣ ଓ ଉଚ୍ଚତା କିନ୍ତୁ ଏଭଳି ବଢ଼େଇ ବଢ଼େଇ ଚାଲିଛନ୍ତି ଯେ କିଛି ନେତା ଚନ୍ଦ୍ରପୃଷ୍ଠରେ ପ୍ଲଟ୍‌ ଦେବା କଥା ମଧ୍ୟ ନିର୍ଲଜ୍ଜ ଭାବେ ଘୋଷଣା କଲେଣି! ଭାରତର ନିର୍ବାଚନ ହିଁ ସକଳ ଦୁର୍ନୀତିର ଜନନୀ ଏବଂ ଏହାକୁ ରୋକାଯିବା ଦେଶର ସର୍ବପ୍ରଧାନ ପ୍ରୟୋଜନ। ବିରୋଧୀ ଦଳର ନେତାମାନଙ୍କ ଅଭିଯୋଗ ମଧ୍ୟ ସତ ଯେ, ବିଭିନ୍ନ ସମୟରେ କର୍ପୋରେଟ୍‌ ହାଉସ୍‌ଗୁଡ଼ିକୁ ଯେଉଁ ଶହ ଶହ କୋଟି ଟଙ୍କାର ଋଣଛାଡ଼ କରାଯାଉଛି ତାହା ସାଧାରଣ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରୁଛି। ଜଣ ଜଣକ ପାଇଁ ରାତାରାତି ବ୍ୟାଙ୍କ୍‌ରେ ତାଲା ପଡ଼ିଯାଉଛି ଓ ଜଘନ୍ୟ ଆର୍ଥିକ ଅପରାଧୀ ସ୍ବଚ୍ଛନ୍ଦରେ ଯାଇ ବିଦେଶରେ ବିଳାସପୂର୍ଣ୍ଣ ଜୀବନ ବିତଉଛନ୍ତି। ଏକଥା ସାଧାରଣ ଲୋକଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିବା ସ୍ବାଭାବିକ। ନିଜେ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢ଼ିବା ସମୟରେ ବିଦେଶରୁ କଳାଧନ ଫେରେଇଆଣିବାଠାରୁ ଦୁର୍ନୀତିର ମୂଳୋତ୍ପାଟନ ପରି ବହୁ କଥା କହିଥିଲେ ଯାହା ଏବେ ମଧ୍ୟ ବାସ୍ତବତାଠାରୁ ଆଲୋକବର୍ଷ ଦୂରତାରେ ରହିଅଛି। ତ୍ରୁଟିପୂର୍ଣ୍ଣ ବ୍ୟୟ ବରାଦ ଜନିତ ଆର୍ଥିକ ସମସ୍ୟା‌ ଯୋଗୁଁ ଆମ ଦେଶର ମୂଳ ସମସ୍ୟା ଶିକ୍ଷା-ଗବେଷଣା, ସ୍ବାସ୍ଥ୍ୟ, ଭିତ୍ତିଭୂମି ନିର୍ମାଣ, ଆଇନଶୃଙ୍ଖଳା ଓ ସୁରକ୍ଷା ଭଳି ପ୍ରସଙ୍ଗ ଉପେକ୍ଷିତ ହୋଇ ଚାଲିଛି। ଅନ୍ୟପକ୍ଷରେ ଏହି ସମସ୍ୟାଗୁଡ଼ିକ ଉପରୁ ଦୃଷ୍ଟି ହଟେଇବାଲାଗି ଜାତି, ସଂପ୍ରଦାୟ, ବିଚାର ଓ ପ୍ରାୟ ବିସ୍ମୃତ ପ୍ରସଙ୍ଗଗୁଡ଼ିକ ସମ୍ବନ୍ଧରେ ଦାୟିତ୍ବହୀନ ମନ୍ତବ୍ୟ ଦେଇ ସାମାଜିକ ବିଶୃଙ୍ଖଳା ସୃଷ୍ଟିର ଉଦ୍ୟମ ହେଉଛି ଯହିଁରେ ଦେଶର ଦରିଦ୍ର ଓ ଅନୁନ୍ନତ ଲୋକ ଅଧିକ ବଳି ପଡୁଛନ୍ତି।

ଅବଶେଷରେ ଆମ ଦେଶର ଯେଉଁ ନେତାମାନେ କେଉଁଟା ଲାଞ୍ଚ ଓ କେଉଁଟା ଅର୍ଥନୈତିକ ବୈଷମ୍ୟ ଦୂରୀକରଣ ପାଇଁ ଅଭିପ୍ରେତ ଯୋଜନା ତାହା ଜାଣିପାରୁନାହାନ୍ତି ସେମାନଙ୍କ ଲାଗି ଏହି ଉଦାହରଣଟି କାମରେ ଆସିପାରେ। ଅଳ୍ପ କିଛି ମାସ ତଳେ ମହାରାଷ୍ଟ୍ରର ପୌର ନିର୍ବାଚନ ଲଢୁଥିବା ଜଣେ ପ୍ରାର୍ଥୀ ତାଙ୍କର ମହିଳା ଭୋଟରମାନଙ୍କୁ ଗୋଟିଏ ଗୋଟିଏ ପ୍ରେସର କୁକର ଉପହାର ଦେଇଥିଲେ। ଉଦ୍ଦେଶ୍ୟ- ତାଙ୍କୁ ସେମାନେ ନିଜ ନିଜର ମୂଲ୍ୟବାନ ଭୋଟ୍‌ଗୁଡ଼ିକ ଦେବେ। ତେବେ ବୁଦ୍ଧିମାନ ପ୍ରାର୍ଥୀ ଜଣକ ପ୍ରେସର କୁକର ଦେବାବେଳେ ତାହାର ଢାଙ୍କୁଣୀଗୁଡ଼ିକୁ କାଢ଼ି ନିଜ ପାଖରେ ରଖିଦେଇଥିଲେ। କହିଥିଲେ- ସେ ଭୋଟ୍‌ ଜିଣିବା ପରେ ଢାଙ୍କୁଣୀଗୁଡ଼ାକ ମତଦାତାଙ୍କ ଘରେ ପହଞ୍ଚାଇ ଦେବେ। ‘ଭୋଟ୍‌ ପାଇଁ ଲାଞ୍ଚ’ର ଆଉ ଉତ୍କୃଷ୍ଟ ଉଦାହରଣ କ’ଣ ହୋଇପାରେ? ଆମର ନେତାମାନେ ନିର୍ବାଚନ ଆଗରୁ ଯେଉଁଭଳି ନଗଦ ଟଙ୍କା ସାଙ୍ଗକୁ ଟିଭିସେଟ୍‌, ଗ୍ରାଇଣ୍ଡର, ମୋଟର ସାଇକେଲ୍‌, ସ୍କୁଟି, ଲାପ୍‌ଟପ୍‌, କଂପ୍ୟୁଟର, ଖେଳସାମଗ୍ରୀ ସହ ଭୋଜିଭାତ ଲାଗି ମଟନ୍‌, ଚିକେନ୍‌, ଚିନି, ରିଫାଇନ୍‌ ତେଲ ଓ ଆଳୁ-ପିଆଜ ବିତରଣ କରନ୍ତି ତାହା ‘ମହାନ ଭାରତୀୟ ସର୍କସ’ର ଗୋଟିଏ ଗୋଟିଏ କ୍ଷୁଦ୍ର ଅଂଶ। ଅଥଚ ସମାଜଶାସ୍ତ୍ରୀମାନେ ଉଚ୍ଚସ୍ବରରେ କହି ଚାଲୁଛନ୍ତି ଯେ ପ୍ରତିଟି ନିର୍ବାଚନ ସହ ଭାରତର ନାଗରିକ ଓ ଗଣତନ୍ତ୍ର ଉଭୟ ପରିପକ୍ବ ହୋଇଚାଲିଛନ୍ତି।

ଆମର ବିଶ୍ବାସ ଭାରତର ପ୍ରଧାନମନ୍ତ୍ରୀ ଉତ୍‌ଥାପନ କରିଥିବା ଏଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ସର୍ବଦଳୀୟ ଅନାସକ୍ତ ଆଲୋଚନା ହେବ ଏବଂ ଯେଉଁ ଯେଉଁ କଥା ଗୁଡ଼ିକ ଦେଶ ଓ ଦେଶବାସୀଙ୍କ ପାଇଁ ଉପଯୋଗୀ ସେହିଗୁଡ଼ିକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଆର୍ଥିକ ବ୍ୟଭିଚାର ମୂଳୋତ୍ପାଟନ ନିମନ୍ତେ ପଦକ୍ଷେପ ନିଆଯିବ। ଏ କ୍ଷେତ୍ରରେ ସରକାରଙ୍କ ସହିତ ମୁଖ୍ୟ ନିର୍ବାଚନ କମିଶନ ଏବଂ ନ୍ୟାୟାଳୟର ମଧ୍ୟ ଦାୟିତ୍ବ ରହିଛି। ଇଚ୍ଛା ଓ ଆଗ୍ରହ ଥିଲେ ଉପାୟ ବଳେ ବଳେ ଆସିଥାଏ। ଆମର ନେତା ଓ ନୀତିବାଗୀଶମାନେ ସଂକୀର୍ଣ୍ଣ ବଳୟର ଊର୍ଦ୍ଧ୍ବକୁ ଉଠି ନିଜ ନିଜକୁ ରାଷ୍ଟ୍ରର ନିର୍ମାଣରେ ଅଂଶୀଦାର ବୋଲି ଭାବିଲେ ଏହି ଦୁରାରୋଗ୍ୟ ବ୍ୟାଧିର ନିରାକରଣ ଅସମ୍ଭବ ହେବ ନାହିଁ। ‘ମାଗଣା’ ବ୍ୟାଧିର ଚିକିତ୍ସାରେ ଯଥେଷ୍ଟ ବିଳମ୍ବ ହୋଇସାରିଲାଣି, ଆଉ ଅଧିକ ବିଳମ୍ବ ଆତ୍ମଘାତୀ ହେବ।

ସମ୍ବନ୍ଧିତ ଖବର