ପର ତେଲ

କୌଣସି ଅଳସ ଅପରାହ୍‌ଣରେ ବନ୍ଧୁ ମେଳରେ ଚା’ ଏବ˚ ଗରମ ପକୁଡ଼ି ଭୁ˚ଜିବା ସମୟରେ ହେଉଥିବା ଘମାଘୋଟ ଆଲୋଚନା ବେଳେ ଯେଉଁ ତୈଳ ଦର ବୃଦ୍ଧି (ମାତ୍ରାଧିକ) ବିଷୟ ସ୍ଥାନ ପାଇଥାଏ, ତାହା ମୁଖ୍ୟତଃ ଡିଜେଲ ବା ପେଟ୍ରୋଲ ଆଦିକୁ ନେଇ ଏବ˚ ସେଥି ଲାଗି ‘ଜିଓ ପଲିଟିକ୍‌ସ’ ବା ‘ଭୂ-ରାଜନୀତି’ କିଭଳି ଦାୟୀ, ସେ ସ˚ଦର୍ଭରେ ବିଦଗ୍‌ଧ ମତ ମଧୢ ପ୍ରକାଶ ପାଇଥାଏ। କିନ୍ତୁ ସେତିକିବେଳେ ଆମ ଅଲକ୍ଷ୍ୟରେ ଆମ ସମ୍ମୁଖରେ ଥିବା ପକୁଡ଼ିକୁ ସମ୍ଭବ କରିଥିବା ଖାଇବା ତେଲର ଦର ବୃଦ୍ଧି ମଧୢ ଯେ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚି ସାରିଛି, ତାହା ପ୍ରାୟତଃ ଆଲୋଚନା ପର୍ଯ୍ୟାୟଭୁକ୍ତ ହୋଇ ନ ଥାଏ; ଯଦିବା କେଉଁଠି ଏ ସମ୍ବନ୍ଧରେ ମୃଦୁ ଆଲୋଚନା ହୁଏ, ତେବେ ତାହା ପଛରେ ମଧୢ ଯେ ‘ଜିଓ ପଲିଟିକ୍‌ସ’ ବା ‘ଭୂ-ରାଜନୀତି’ର ଏକ ଭୂମିକା ରହିଛି, ତାହା ପ୍ରାୟତଃ ବିଚାରକୁ ଆସି ନ ଥାଏ। ଅବଶ୍ୟ, ୟୁକ୍ରେନ୍‌ ଓ ରୁଷିଆ ମଧୢରେ ଯୁଦ୍ଧ ଆରମ୍ଭ ହେବା ସହିତ ସମସ୍ତ ଆଶଙ୍କାକୁ ସତ୍ୟ ପ୍ରମାଣିତ କରି ଅନ୍ତର୍ଜାତୀୟ ବଜାରରେ ସୂର୍ଯ୍ୟମୁଖୀ ତେଲ ଦରରେ ଘଟିଥିବା ତୀବ୍ର ବୃଦ୍ଧି ଖାଇବା ତେଲର କାରବାରରେ ‘ଜିଓ ପଲିଟିକ୍‌ସ’ର ଭୂମିକା ନେଇ ଇଙ୍ଗିତ ପ୍ରଦାନ କରିଥିଲା। ଏହାର କାରଣ ଖଣିଜ ତୈଳ କାରବାରରେ ମଧୢ-ପ୍ରାଚ୍ୟର ପ୍ରଭାବ ଭଳି ସୂର୍ଯ୍ୟମୁଖୀ ତେଲ କାରବାରରେ ଉଭୟ ରୁଷିଆ ଓ ୟୁକ୍ରେନ୍‌ର ପ୍ରଭାବ ଅତ୍ୟନ୍ତ ବଳଶାଳୀ। ପ୍ରକାଶ ଥାଉ କି ପୃଥିବୀ ସାରା ବ୍ୟ˚ଜନ ପ୍ରସ୍ତୁତ କରୁଥିବା ସମୁଦାୟ ସୂର୍ଯ୍ୟମୁଖୀ ତେଲର ତିନି ଚତୁର୍ଥା˚ଶ ଏହି ଦେଶ ଦ୍ବୟରେ ଉତ୍ପାଦିତ ହୋଇଥାଏ। କିନ୍ତୁ, ଏହି ସ˚ଦର୍ଭରେ ଆଲୋଚନା କଲା ବେଳେ ଯଦି କେହି କହନ୍ତି ଯେ ଇଣ୍ତୋନେସିଆରେ କୌଣସି ସରକାରୀ କଟକଣା ବା ଆର୍ଜେଣ୍ଟିନାରେ କୌଣସି ନୂତନ ସରକାରୀ ନୀତି ମଧୢ ଅନ୍ତର୍ଜାତୀୟ ବଜାରରେ ବା ସେହି କ୍ରମରେ ଭାରତରେ ଖାଇବା ତେଲର ଦରରେ ବୃଦ୍ଧି ଘଟାଇବ, ତେବେ ହୁଏ’ତ କେହି କେହି ବିସ୍ମିତ ହୋଇ ପାରନ୍ତି। ସେହି ଦୃଷ୍ଟିରୁ ଏହି ବାସ୍ତବତାକୁ ହୃଦୟଙ୍ଗମ କରିବାକୁ ହେଲେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ଏହା ସତ ନୁହେଁ କି ଭାରତୀୟମାନେ ଖାଦ୍ୟ ପ୍ରସ୍ତୁତିରେ ଅଧିକ ତେଲ ବ୍ୟବହାରର ସପକ୍ଷବାଦୀ। ତେଣୁ ଭାରତରେ ପ୍ରତି ବର୍ଷ ୨.୨ରୁ ୨.୩ କୋଟି ମେଟ୍ରିକ୍‌ ଟନ୍‌ ଖାଇବା ତେଲ ବ୍ୟବହୃତ ହୋଇଥାଏ। । କିନ୍ତୁ ଏକ ବିଡ଼ମ୍ବନା ସ୍ବରୂପ ଏହି ତେଲର ୬୫ ପ୍ରତିଶତରୁ ଅଧିକ ବିଦେଶରୁ ଆମଦାନି କରାଯାଇଥାଏ। ଭାରତରେ ପ୍ରମୁଖ ଭାବେ ଯେଉଁ ତିନି ପ୍ରକାର ଖାଇବା ତେଲର ବ୍ୟବହାର କରାଯାଇଥାଏ, ସେଗୁଡ଼ିକ ହେଲେ ପାମ୍‌ ବା ତାଳ ତେଲ, ସୋୟାବିନ୍‌ ତେଲ ଏବ˚ ସୂର୍ଯ୍ୟମୁଖୀ ତେଲ, ଯାହାର ବ୍ୟବହାରକାରୀଙ୍କ ଭାଗ ହେଲା ଯଥାକ୍ରମେ ୩୭ ପ୍ରତିଶତ, ୨୩ ପ୍ରତିଶତ ଏବ˚ ୧୨ ପ୍ରତିଶତ ଏବଂ ଏ ତିନିଟି ଯାକ ତେଲ ବିଦେଶରୁ ଆମଦାନି ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ଇଣ୍ତୋନେସିଆ ଏବ˚ ମାଲେସିଆ ହେଉଛନ୍ତିି ପୃଥିବୀର ସର୍ବାଧିକ ପାମ୍‌ ତେଲ ଉତ୍ପାଦନକାରୀ ରାଷ୍ଟ୍ର, ଯେଉଁ ଦେଶ ଦ୍ବୟ ପୃଥିବୀର ସମୁଦାୟ ପାମ୍‌ ତେଲର ପ୍ରାୟ ୮୦ ପ୍ରତିଶତ ଉତ୍ପାଦନ କରି ଖଣିଜ ତୈଳରେ ମଧ୍ୟ-ପ୍ରାଚ୍ୟ ସୁଲଭ ପ୍ରଭାବ ବିସ୍ତାର କରି ଥାଆନ୍ତି। ସୁତରା˚, ଇଣ୍ତୋନେସିଆର ଘରୋଇ ବଜାରରେ ଅଚାନକ ଓ ଅହେତୁକ ଭାବେ ପାମ୍‌ ତେଲର ଦର ବୃଦ୍ଧି ଏବ˚ ସେଥି ଲାଗି ମାତ୍ରାଧିକ ତେଲ ରପ୍ତାନି ଦାୟୀ ବୋଲି ସେଠାକାର ସରକାରଙ୍କ ଦ୍ବାରା ଆବିଷ୍କାର ପରେ ଯଦି ରପ୍ତାନିକୁ ବନ୍ଦ ରଖାଯାଏ, ତେବେ ଭାରତ ସମେତ ସମସ୍ତ ଆମଦାନିକାରୀ ରାଷ୍ଟ୍ର ତଦ୍ଦ୍ବାରା ପ୍ରଭାବିତ ହେବେ ନାହିଁ କି? ସେହିଭଳି ମାଲେସିଆ ପକ୍ଷରୁ ଏକ ସରକାରୀ ନିଷ୍ପତ୍ତି ରୂପେ ପାମ୍‌ ତେଲରୁ ଅଧିକ ବନସ୍ପତି ଘିଅ ପ୍ରସ୍ତୁତ କରାଯିବା ଲକ୍ଷ୍ୟରେ ପାମ୍‌ ତେଲର ରପ୍ତାନିକୁ ନିରୁତ୍ସାହିତ କରିବା ଲାଗି ୮ ପ୍ରତିଶତ ଅଧିକ ଟିକସ ଲାଗୁ କରିଛି, ଯାହା ବିଶ୍ବ ବଜାରରେ ଦର ବୃଦ୍ଧିର ଉତ୍‌ପ୍ରେରକ ସାଜିଛି; ଯାହାର ପ୍ରଭାବ ଭାରତ ଉପରେ ମଧୢ ସ୍ବାଭାବିକ ଭାବେ ପଡ଼ିଛି, କାରଣ ଭାରତ ଆମଦାନି କରୁଥିବା ଖାଇବା ତେଲର ସର୍ବାଧିକ ଅ˚ଶ ହେଉଛି ପାମ୍‌ ତେଲ। ସେହିଭଳି ସୋୟାବିନ୍‌ ତେଲ ଲାଗି ଭାରତ ମୁଖ୍ୟତଃ ଆର୍ଜେଣ୍ଟିନା ଉପରେ ନିର୍ଭରଶୀଳ। ଚଳିତ ବର୍ଷ ଆର୍ଜେଣ୍ଟିନାରେ ପଡ଼ିଥିବା ମରୁଡ଼ି ହେତୁ ସେହି ଦେଶ ସୋୟାବିନ ରପ୍ତାନିରେ ପ୍ରତିବନ୍ଧ ଲଗାଇଥିବାରୁ ଭାରତରେ ସୋୟା ତେଲର ଦରରେ ମଧୢ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଖାଇବା ତେଲର ଦର ବୃଦ୍ଧିରେ ‘ଭୂ-ରାଜନୀତି’ର ପ୍ରଭାବ ସ୍ପଷ୍ଟ ହୋଇ ନ ଥାଏ କି?

ଉଲ୍ଲେଖ ଥାଉ କି ଗଲା ବର୍ଷକ ମଧୢରେ ଭାରତରେ ଖାଦ୍ୟ ସାମଗ୍ରୀର ଦରରେ ପ୍ରାୟ ୭.୭୯ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଖାଇବା ତେଲର ଦରରେ ପ୍ରାୟ ୧୭ ପ୍ରତିଶତ ବୃଦ୍ଧି ଘଟିଛି। ଏହାର କାରଣ ଖାଇବା ତେଲ ଲାଗି ଆମଦାନି ଉପରେ ଅଧିକ ନିର୍ଭରଶୀଳତା। ଏହି ଆମଦାନିର ବିଶାଳତା କେତେ, ତାହା କେବଳ ଏହି ଗୋଟିଏ ପରିସ˚ଖ୍ୟାନରୁ ଯଥେଷ୍ଟ ଯେ ଏକ ଆକଳନ ଅନୁସାରେ ଚଳିତ ବର୍ଷ ଭାରତ ତା’ର ଖାଇବା ତେଲ ଆମଦାନିରେ ବ୍ୟୟ କରିବ ପ୍ରାୟ ୨୦ ବିଲିଅନ ଡଲାର।
ଏହି ସମସ୍ୟାର ଏକମାତ୍ର ସମାଧାନ ହେଉଛି ଭାରତରେ ବହୁଳ ଭାବେ ବ୍ୟବହୃତ ଖାଇବା ତେଲଗୁଡ଼ିକ ସକାଶେ କଞ୍ଚା ମାଲ ଆମ କୃଷି କ୍ଷେତ୍ରରେ ଉତ୍ପାଦନ କରିବା। ଏହି ପରିପ୍ରେକ୍ଷୀରେ ‘ଦି ପ୍ରିଣ୍ଟ’ର ମୁଖ୍ୟ ସ˚ପାଦକ ଶେଖର ଗୁପ୍ତା ଯେଉଁ ମତ ପ୍ରଦାନ କରିଥାଆନ୍ତି, ତାହା ଭାରତରେ ‘ଜେନେଟିକାଲି ମୋଡିଫାଏଡ୍‌ କ୍ରପ୍‌’ ବା ‘ଜି.ଏମ୍‌. ଫସଲ’କୁ ପ୍ରୋତ୍ସାହନ ଦିଆଯିବା ଉପରେ ଗୁରୁତ୍ବ ପ୍ରଦାନ କରିଥାଏ। କିନ୍ତୁ ବାସ୍ତବତାଟି ହେଲା, ଭାରତରେ ‘ଜି.ଏମ୍‌. ଫସଲ’ ସର୍ବଦା ତୀବ୍ର ବିରୋଧର ସମ୍ମୁଖୀନ ହୋଇ ଆସିଛି, ଯାହା ପଛରେ ଥିବା କାରଣ ହେଲା ଏକ ଧାରଣା ଯେ ଏଭଳି ଫସଲରୁ ଉତ୍ପନ୍ନ ଖାଦ୍ୟ ସ୍ବାସ୍ଥ୍ୟ ପ୍ରତି ଅହିତକର। କିନ୍ତୁ, ସତ କଥାଟି ହେଲା ଆର୍ଜେଣ୍ଟିନାରେ ସୋୟାବିନ ଜି.ଏମ୍‌. ଚାଷର ଉତ୍ପାଦ ଏବ˚ ତହିଁରୁ ପ୍ରସ୍ତୁତ ତେଲ ଭାରତର ବ୍ୟ˚ଜନରେ ବହୁଳ ଭାବେ ବ୍ୟବହୃତ। ସୁତରା˚, ଭାରତରେ ସୋୟାବିନ୍‌ ଚାଷରେ ‘ଜି.ଏମ୍‌.’ ପଦ୍ଧତିର ବ୍ୟବହାରକୁ ବିରୋଧ କରାଯିବାର ବିଶେଷ କାରଣ ଦିଶି ନ ଥାଏ। ପ୍ରକାଶ ଥାଉ କି ଭାରତର ମୃତ୍ତିକା ଏବ˚ ଜଳବାୟୁ ସୋୟାବିନ୍‌ ଚାଷ ଲାଗି ଉପଯୁକ୍ତ ହୋଇଥିବା ସତ୍ତ୍ବେ ବିଦେଶରେ ‘ଜି.ଏମ୍‌.’ ପଦ୍ଧତିରେ ସୋୟା ଚାଷ ସହିତ ପ୍ରତିଦ୍ବନ୍ଦ୍ବିତା କରି ନ ପାରି ଦୁର୍ବଳ ସ୍ଥିତିରେ ରହିଛି।

ସେହି ପରିପ୍ରେକ୍ଷୀରେ ବିଦେଶରେ ତୈଳବୀଜ ବା ଅନ୍ୟାନ୍ୟ ଫସଲ ଉତ୍ପାଦନ ବୃଦ୍ଧି ଲାଗି ‘ଜି.ଏମ୍‌. ଫସଲ’ ଉପରେ ଗୁରୁତ୍ବ ପ୍ରଦାନ କରାଯାଉଥିବା ବେଳେ ଭାରତ ଏହାର ସୁଯୋଗ ଉଠାଇ ନ ପାରିବା ଏକ ବିଡ଼ମ୍ବନା ନିଶ୍ଚୟ। ଅବଶ୍ୟ, ସ˚ପ୍ରତି ପାମ୍‌ ତେଲର ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାର ୧୧,୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶିର ଘୋଷଣା କରିଛନ୍ତି ଏବ˚ ‘ନେସ୍‌ନାଲ ଅଏଲ୍‌ ସିଡ୍‌ ମିସନ’ ନାମକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସେହିଭଳି ତୈଳବୀଜ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ‘ସର୍ବନିମ୍ନ ସହାୟକ ମୂଲ୍ୟ’ରେ ବୃଦ୍ଧି ଘଟାଇବା ନେଇ ଚିନ୍ତା କରୁଛନ୍ତି। ଏକ ଆକଳନ କହିଥାଏ ଯେ ପଞ୍ଜାବର ଚାଷୀମାନେ ଯଦି ଧାନ ବା ଗହମ ବଦଳରେ ସୂର୍ଯ୍ୟମୁଖୀ ଚାଷ କରନ୍ତେ, ତେବେ କେବଳ ସେମାନେ ୨୫ ନିୟୁତ ଟନ୍‌ ଅଧିକ ସୂର୍ଯ୍ୟମୁଖୀ ଉତ୍ପାଦନ କରନ୍ତେ। କହିବା ଅନାବଶ୍ୟକ ଏହି ଉଦ୍ୟମମାନ ସଫଳ ହେଲେ ତାହା ଖାଇବା ତେଲରେ ଭାରତକୁ ଆତ୍ମନିର୍ଭରଶୀଳ ହେବା ଦିଗରେ ସହାୟକ ହେବ।

ନିକଟରେ ଦେଖିବାକୁ ମିଳୁଛି ଯେ ଅନେକ ଖାଦ୍ୟ ଦ୍ରବ୍ୟର ପ୍ୟାକେଟ୍‌ ଅପେକ୍ଷାକୃତ ଅଧିକ କ୍ଷୀଣକାୟ ହୋଇଛନ୍ତି। ଏହା ପଛରେ ଏକ ବଡ଼ କାରଣ ତୈଳ ଦର ବୃଦ୍ଧି। ଉଦାହରଣ ସ୍ବରୂପ ବିସ୍କୁଟ୍‌କୁ ନିଆଯାଉ। ବିସ୍କୁଟ୍‌ର ଆକାର ଛୋଟ କରି ଦରକୁ ପୂର୍ବ ଭଳି ରଖିବା ବିସ୍କୁଟ୍‌ କ˚ପାନିମାନଙ୍କର ଏକ ବ୍ୟାବସାୟିକ କୌଶଳରେ ପରିଣତ ହୋଇଛି, ନଚେତ୍‌ ସେମାନେ ଆକାର ଅପରିବର୍ତ୍ତିତ ରଖି ଦରରେ ବୃଦ୍ଧି ଘଟାଇ ଗ୍ରାହକମାନଙ୍କୁ ସେମାନଙ୍କ ଦ୍ରବ୍ୟ ପ୍ରତି ବିମୁଖ କରାନ୍ତେ। ଏହି ପରିପ୍ରେକ୍ଷୀରେ ‘ସିଏନ୍‌ବିସି’ ଟେଲିଭିଜନ ଚ୍ୟାନେଲ ପକ୍ଷରୁ ପ୍ରସ୍ତୁତ ଏକ ତଥ୍ୟଭିତ୍ତିକ ରିପୋର୍ଟ କହିଥାଏ ଯେ ଗୋଟିଏ ମିଠା ବିସ୍କୁଟ୍‌ର ଓଜନର ୬୦ ପ୍ରତିଶତ ଗହମ ଓ ୨୦ ପ୍ରତିଶତ ଚିନି ହୋଇଥିବା ବେଳେ ଅବଶିଷ୍ଟ ୨୦ ଭାଗ ହେଉଛି ତେଲ। ଏହି ପରିପ୍ରେକ୍ଷୀରେ ତେଲ ଦରରେ ତୀବ୍ର ବୃଦ୍ଧି ସେମାନଙ୍କୁ ତେଲ ବ୍ୟବହାର ହ୍ରାସ କରିବାକୁ ବାଧୢ କରି ବିସ୍କୁଟ୍‌କୁ ଅପେକ୍ଷାକୃତ ଅଧିକ କୃଶକାୟ କରିଛି। ସୁତରା˚, ପରର ତେଲ ଉପରେ ଅଧିକ ନିଭରଶୀଳତା ନ ଥିଲେ ବିସ୍କୁଟ୍‌କୁ ଏଭଳି ଭାଗ୍ୟ ଭୋଗ କରିବାକୁ ପଡ଼ନ୍ତା ନାହିଁ। ଏହା ମଧୢ ଆଉ ଏକ ସତ୍ୟ ଯେ ଖଣିଜ ତୈଳରେ ଆତ୍ମ-ନିର୍ଭରଶୀଳତା ଦୈବୀ ନିର୍ଦ୍ଦିଷ୍ଟ ହୋଇପାରେ, କିନ୍ତୁ ଖାଇବା ତେଲରେ ସେହି ଉପଲବ୍‌ଧି ହାସଲ କରିବା ଆମ ହାତରେ ରହିଛି।

ସମ୍ବନ୍ଧିତ ଖବର