ସସ୍ମିତାଙ୍କ ପତ୍ର

‘ଆଡ଼ ହୋଇ କିଆଁ ଯାଉଲୋ ଭଉଣୀ?, ଆଡ଼ ହୋଇ କିଆଁ ଯାଉ?/ ସବୁରି ଦିହରେ ସମାନ ରକତ, ଏ କଥା କି ଜାଣି ନାହୁଁ?’ ଯୁଗ ଯୁଗ ଧରି ଭାରତୀୟ ସମାଜରେ ଚଳି ଆସିଥିବା ଜାତି ପ୍ରଥାର ଯେଉଁ ଏକ ପାର୍ଶ୍ବ ଫଳ ଥିଲା ଘୃଣ୍ୟତମ, ତାହା ହେଉଛି- ଅସ୍ପୃଶ୍ୟତା। ମହାତ୍ମା ଗାନ୍ଧୀଙ୍କର ଯାଦୁକରୀ ନେତୃତ୍ବ ବଳରେ ଦେଶ ସ୍ବାଧୀନତା ଲାଭ କରିବା ସହିତ ଯେତେବେଳେ ଏହି ସାମାଜିକ କଳଙ୍କରୁ ମଧ୍ୟ ମୁକ୍ତି ଲାଭ କଲା, ସ୍ବାଧୀନତାର ଆଦ୍ୟ କାଳରେ ସେଇ ମୁକ୍ତି ଯେଉଁ ଭଳି ବିଭିନ୍ନ ଭାବରେ ପରିପ୍ରକାଶ ଲାଭ କରିବା ଦେଖା ଯାଇଥିଲା, ସେଥି ମଧ୍ୟରୁ ଗୋଟିଏ ଥିଲା ଉପରେ ଉଦ୍ଧୃତ ପଦ୍ୟାଂଶଟି।

ଏକ ସର୍ବଭାରତୀୟ ଅସ୍ପୃଶ୍ୟତା ନିର୍ମୂଳ ଅଭିଯାନର ଅଂଶ ସ୍ବରୂପ ଓଡ଼ିଶାର ପୁରପଲ୍ଲୀର ବିଦ୍ୟାଳୟମାନଙ୍କରେ ଅନୁଷ୍ଠିତ ଏ ସମ୍ପର୍କିତ ଗୀତାଭିନୟରେ ଭାଗ ନେଇଥିବା ଦୁଇ ଜଣ ବାଳିକାଙ୍କ ମଧ୍ୟରୁ ଜଣେ ତଥାକଥିତ ସବର୍ଣ୍ଣ ଓ ଅନ୍ୟ ଜଣକ ତଥାକଥିତ ଅସ୍ପୃଶ୍ୟ ବର୍ଣ୍ଣର ବାଳିକା ଭୂମିକାରେ ଅଭିନୟ କରିବା ଅବସରରେ ପ୍ରଥମ ବାଳିକାଟି ଦ୍ବିତୀୟ ବାଳିକାଟିକୁ ଉପରୋକ୍ତ ପ୍ରଶ୍ନ ପଚାରିଥାଏ, ଯାହାର ଏଠାରେ ଅଧିକ ବ୍ୟାଖ୍ୟାନ ଅନାବଶ୍ୟକ। ବର୍ତ୍ତମାନ ପିଢ଼ିର ଦୃଷ୍ଟିରେ ଆମ ଅତୀତ ପିଢ଼ିମାନଙ୍କର ବିଭିନ୍ନ ଦୋଷ ଦୁର୍ବଳତାମାନଙ୍କ ମଧ୍ୟରୁ ଯାହା ସର୍ବାଧିକ ଗର୍ହିତ ଶ୍ରେଣୀର ବୋଲି ବିବେଚିତ ହୋଇଥାଏ, ତାହା ମଧ୍ୟରୁ ଅନ୍ୟତମ ହେଉଛି ଏହି ପଦ୍ୟାଂଶ ବହନ କରିଥିବା ଏହି ଜାତି ପ୍ରଥାର ଜଘନ୍ୟ ପରିପ୍ରକାଶ। ଏବେ କଳ୍ପନା କରନ୍ତୁ ସୁଦୂର ଭବିଷ୍ୟତ୍‌ରେ ତତ୍କାଳୀନ ପିଢ଼ି ଆମକୁ ଅର୍ଥାତ୍ ବର୍ତ୍ତମାନର ପିଢ଼ିକୁ କାଠଗଡ଼ାରେ ଛିଡ଼ା କରାଇ ଆମର ଦୋଷଗୁଣ ଯାଞ୍ଚ କରୁଛି। ଏହା ହୁଏତ ଏକ ବିଡ଼ମ୍ବନା ଭଳି ମନେ ହୋଇପାରେ, କିନ୍ତୁ ସେମାନେ ଆମର ଏପରି ଏକ ଆଚରଣକୁ ଆମର ଏକ ଅକ୍ଷମଣୀୟ ଅମାନବିକ ଦୋଷ ରୂପେ ବିଚାର କରିବେ, ଯାହାର ଉପର ବର୍ଣ୍ଣିତ ଜାତି ପ୍ରଥା ସହିତ ଘନିଷ୍ଠ ସମ୍ପର୍କ ରହିଛି। ଯଦି ଏ ସମ୍ବନ୍ଧରେ କେହି ଏକ ତାତ୍କାଳିକ, ମର୍ମସ୍ପର୍ଶୀ ଧାରଣା ସଂଗ୍ରହ କରିବାକୁ ଚାହାଁନ୍ତି, ସେମାନେ ଗତ ବୁଧବାରର (ଫେବ୍ରୁଆରି ୨ ତାରିଖ) ଏହି ସମ୍ବାଦପତ୍ରର ସମ୍ପାଦକୀୟ ପୃଷ୍ଠାର ଅଭିମତ ବିଭାଗରେ ପ୍ରକାଶିତ ସସ୍ମିତା ପାତ୍ରଙ୍କର ‘ବୁଲା କୁକୁର- ଆମ ଆଚରଣ ଓ ନିଷ୍ଠୁରତା’ ଶୀର୍ଷକ ପତ୍ରଟି ଆଉ ଥରେ ପାଠ କରିବାକୁ ଅନୁରୋଧ। ଏକ ବୁଲା କୁକୁରକୁ ଜିଅନ୍ତା ଜାଳି ଦେବା ବା ଗୁଳି କରି ମାରି ଦେବା ଭଳି ‘କ୍ରୁରତା ସର୍ବାଦୌ ନିନ୍ଦନୀୟ’ ବୋଲି ସସ୍ମିତା ପ୍ରକାଶ କରିଥିବା ଦୃଢ଼ ଭର୍ତ୍ସନା ସହିତ ଯେ ପ୍ରତ୍ୟେକ ପାଠକପାଠିକା ଏକମତ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ।

ଏହାର କିନ୍ତୁ ଜାତି ପ୍ରଥା ସହିତ ସମ୍ପର୍କ କ’ଣ? ତାଙ୍କର ଜାଣତରେ ବା ଅଜାଣତରେ ସସ୍ମିତାଙ୍କ ପତ୍ର ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ଦାର୍ଶନିକ ପ୍ରସଙ୍ଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ, ଏ ପ୍ରଶ୍ନର ଉତ୍ତର ସେଇଥିରେ ନିହିତ ଅଛି। ଏହି ପ୍ରସଙ୍ଗଟି ହେଉଛି ଏକ ନୈତିକ ପ୍ରସଙ୍ଗ, ଯାହାର ନାମକରଣ ରିଚାର୍ଡ ରାଇଡର୍ ନାମକ ଜୀବ ଅଧିକାର ଆନ୍ଦୋଳନକାରୀ ୧୯୭୦ ଦଶକର ଆଦ୍ୟ ଭାଗରେ କରିଥିଲେ: ‘ଜାତିବାଦ’ (‘ସ୍ପିସିଜିଜ୍‌ମ’)। ଏହି ଭିନ୍ନ କିସମର ‘ଜାତିବାଦ’କୁ ଏକ ଆନ୍ତର୍ଜାତିକ ପରିଚିତି ଓ ପ୍ରାସଙ୍ଗିକତା ପ୍ରଦାନ କରିବାରେ କିନ୍ତୁ ଯାହାଙ୍କର ଅବଦାନ ହେଉଛି ସର୍ବାଧିକ, ସେ ହେଉଛନ୍ତି ଆମେରିକାର ପ୍ରଖ୍ୟାତ ପ୍ରିନ୍‌ସଟନ୍ ବିଶ୍ବବିଦ୍ୟାଳୟର ଅଷ୍ଟ୍ରେଲୀୟ ଦାର୍ଶନିକ ପିଟର୍ ସିଙ୍ଗର୍। ୧୯୭୫ରେ ପ୍ରକାଶିତ ସିଙ୍ଗର୍‌ଙ୍କର ପ୍ରସିଦ୍ଧ ପୁସ୍ତକ, ‘ଆନିମଲ୍ ଲିବରେସନ୍’ (‘ଜୀବ ମୁକ୍ତି’) ରାଇଡର୍‌ଙ୍କ ଦ୍ବାରା ଚିହ୍ନଟ ହୋଇଥିବା ଏହି ନୂତନ ନୈତିକ ସମସ୍ୟାଟିକୁ ଜୀବାଧିକାରରୁ ପରିବେଶ ସୁରକ୍ଷା ପର୍ଯ୍ୟନ୍ତରେ ସମ୍ପୃକ୍ତ ପୃଥିବୀର ସମସ୍ତ ଚିନ୍ତାଶୀଳ ପରିସରରେ ସୁପରିଚିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

ବାସ୍ତବରେ ବର୍ତ୍ତମାନ ଯାହାଙ୍କୁ ପୃଥିବୀରେ ଏହି ଭିନ୍ନ ଜାତିବାଦ-ବିରୋଧୀ ଆନ୍ଦୋଳନର ବୌଦ୍ଧିକ ପିତା ରୂପେ ବିଚାର କରାଯାଇଥାଏ, ସେ ହେଉଛନ୍ତି ଏହି ବର୍ଷୀୟାନ ଦାର୍ଶନିକ, ପିଟର୍ ସିଙ୍ଗର୍। ସିଙ୍ଗର୍‌ଙ୍କ ନିଜ ଭାଷାରେ ଏହି ‘ଜାତିବାଦ’ ହେଉଛି: ‘‘ସ୍ବଜାତିର ସଦସ୍ୟମାନଙ୍କର ସ୍ବାର୍ଥ ରକ୍ଷା ସପକ୍ଷରେ ଏବଂ ଅନ୍ୟ ଜାତିର ସଦସ୍ୟମାନଙ୍କ ସ୍ବାର୍ଥ ବିରୋଧରେ ଏକ ପକ୍ଷପାତିତାମୂଳକ ଆଭିମୁଖ୍ୟ।’’ ଏଠାରେ ‘ଜାତି’ ହେଉଛି ଜୈବ ବିଜ୍ଞାନର ଛାତ୍ରଛାତ୍ରୀମାନଙ୍କ ନିକଟରେ ସୁପରିଚିତ- ‘ସ୍ପିସିଜ୍’; ଯାହା ଅନୁସାରେ ମନୁଷ୍ୟର ଜାତି ହେଉଛି- ‘ହୋମୋ ସାପିଏନ୍‌ସ’, କୁକୁରର ଜାତି ହେଉଛି- ‘କାନିସ୍ ଲୁପସ୍’, କୁକୁଡ଼ାର ଜାତି ହେଉଛି- ‘ଗାଲସ୍ ଗାଲସ୍ ଡୋମେଷ୍ଟିକସ୍’, ଛେଳିର ଜାତି ହେଉଛି- ‘କାପ୍ରା ଇଗ୍ରାଗସ୍ ହର୍କସ୍’, ମେଣ୍ଢାର ଜାତି- ‘ଓଭିସ୍ ଏରିସ୍’…। ଆମେ ମନୁଷ୍ୟମାନେ ଯଦି ଶଠତା ପରିହାର କରି ଆମ ନିଜ ନିଜର ମନ ଭିତରେ ଉଣ୍ଡାଳିବା, ଆମେ ପ୍ରାୟ ନିଶ୍ଚିତ ରୂପେ ଆବିଷ୍କାର କରିବା ଯେ ‌େବାଧହୁଏ ଆମେ ପ୍ରତ୍ୟେକ ଊଣା ଅଧିକେ ଏହି ‘ଜାତିବାଦ’ରେ ବିଶ୍ବାସ କରୁ: ଆମ ଦୃଷ୍ଟିରେ ମନୁଷ୍ୟର ମୂଲ୍ୟ ହେଉଛି ଅନ୍ୟ ଅଣ-ମନୁଷ୍ୟ ଜାତିର ଜୀବଜନ୍ତୁଙ୍କ ମୂଲ୍ୟ ଠାରୁ ସର୍ବଦା ଅଧିକ। ସିଙ୍ଗର୍‌ଙ୍କ ମତରେ ଏଭଳି ପକ୍ଷପାତିତାର କାରଣ ହେଉଛି ଯାହା, ଆମର ପୂର୍ବ ବର୍ଣ୍ଣିତ ସାମାଜିକ ଜାତି ପ୍ରଥାର କାରଣ ମଧ୍ୟ ହେଉଛି ଠିକ୍ ତାହା: ଦାନାବାନ୍ଧି ଯାଇଥିବା ଯୁଗ ଯୁଗର ପରମ୍ପରା ଏବଂ ଆମ ମନରେ ବସା ବାନ୍ଧିଥିବା ବିଶ୍ବାସମାନଙ୍କର ନିରପେକ୍ଷ ଅନୁଶୀଳନ କରିବାରେ ଆମର ବିଫଳତା। ସସ୍ମିତା ତାଙ୍କ ପତ୍ରରେ ଉଲ୍ଲେଖ କରିଥିବା ଯେଉଁ ମହିଳା ଜଣକ ଏକ ବୁଲା କୁକୁରକୁ ଜିଅନ୍ତା ଜାଳି ଦେଇଛନ୍ତି, ସେ କେବେହେଲେ ଏକ ମନୁଷ୍ୟ ପ୍ରତି ଏପରି ନିଷ୍ଠୁର ଆଚରଣ ପ୍ରଦର୍ଶନ କରନ୍ତେ ନାହିଁ। ସେ ନିଶ୍ଚିତ ରୂପେ ପାରମ୍ପରିକ ରୂପେ ବିଶ୍ବାସ କରନ୍ତି ଯେ ମନୁଷ୍ୟ ଜୀବନ ହେଉଛି ଅଧିକ ମୂଲ୍ୟବାନ୍।

କେହି ହୁଏତ କହି ପାରନ୍ତି ଯେ ମନୁଷ୍ୟ ଅପେକ୍ଷା କୁକୁରର ବୋଧଶକ୍ତି କମ୍ ହୋଇଥାଏ, ଏଣୁ କୁକୁରର ଯନ୍ତ୍ରଣା ମନୁଷ୍ୟ ଠାରୁ କମ୍ ହେବ; ଏଣୁ କୁକୁରକୁ ଜିଅନ୍ତା ଜାଳି ଦେବା ଅଧିକ ଗ୍ରହଣୀୟ। ଏହାର ଉତ୍ତର ମିଳିଥାଏ ‘ଆନିମଲ୍ ଲିବରେସନ୍’ରେ ସିଙ୍ଗର୍ ଉତ୍‌ଥାପନ କରିଥିବା ଏହି ପ୍ରଶ୍ନରେ। ବିଜ୍ଞାନ ଗବେଷଣା ନାମରେ ମାଙ୍କଡ଼ମାନଙ୍କ ଉପରେ ନିୟମିତ ଭାବରେ ନୃଶଂସ ପରୀକ୍ଷା ନିରୀକ୍ଷା କରାଯାଇଥାଏ। ମନେକର ଜଣେ ମାନସିକ ନ୍ୟୂନତାଗ୍ରସ୍ତ ମନୁଷ୍ୟର ବୋଧଶକ୍ତି ହେଉଛି ଏକ ମାଙ୍କଡ଼ର ବୋଧଶକ୍ତି ସହିତ ସମାନ କିମ୍ବା ତା’ଠାରୁ ମଧ୍ୟ କମ୍। ଗବେଷଣାଗାରରେ ମାଙ୍କଡ଼ ସ୍ଥାନରେ ଏପରି ମନୁଷ୍ୟମାନଙ୍କୁ କେବେ ହେଲେ ବ୍ୟବହାର କରାଯାଉନାହିଁ କାହିଁକି? ଏହାର ଏକମାତ୍ର କାରଣ ହେଲା ପାରମ୍ପରିକ ଭାବରେ ଆମେ ଅନୁଷ୍ୟକୁ ଉଚ୍ଚ ଜାତି ଓ ମାଙ୍କଡ଼କୁ ନୀଚ ଜାତିର ବୋଲି ବିଶ୍ବାସ କରିଥାଉ। ସିଙ୍ଗର୍ ନିଶ୍ଚିତ ଯେ ଭବିଷ୍ୟତ୍ ପିଢ଼ି ଆମକୁ ଏହି ‘ଜାତିବାଦ’ ପାଇଁ ସେଇଭଳି ଘୃଣା କରିବ, ଆମେ ଯେମିତି ଜାତି ପ୍ରଥା ପାଇଁ ଆମର ପୂର୍ବ ପିଢ଼ିକୁ ଘୃଣା କରୁଛୁ; କିମ୍ବା ବର୍ଣ୍ଣ ବୈଷମ୍ୟ ପାଇଁ ଘୃଣା କରୁଛୁ; କିମ୍ବା ଲିଙ୍ଗ ବିଦ୍ବେ‌ଷ ପାଇଁ ଘୃଣା କରୁଛୁ। ସିଙ୍ଗର୍‌ଙ୍କ ମତରେ ଏକ ପ୍ରାଣୀର କଷ୍ଟ ଅନୁଭବ କ୍ଷମତା ଓ ତା’ର ପ୍ରତିକ୍ରିୟା ଉପରେ ତା’ ପ୍ରତି ଆମର ନୈତିକ ଆଚରଣ ନିର୍ଭର କରିବା ଉଚିତ। ଏ ଦୃଷ୍ଟିରୁ ସସ୍ମିତାଙ୍କ ପତ୍ରରେ ଉଲ୍ଲେଖ ଲାଭ କରିଥିବା ଉକ୍ତ ମହିଳା ଓ ଏକ କୁକୁରକୁ ଗୁଳି କରିଥିବା ବ୍ୟକ୍ତି ଜଣଙ୍କର ଆଚରଣ ହେଉଛି ସମ୍ପୂର୍ଣ୍ଣ ଅନୈତିକ। କିନ୍ତୁ ଠିକ୍ ସେଇଭଳି ଚିକେନ୍, ମଟନ୍, ପର୍କ‌୍, ଅଣ୍ଡା ଆଦି ଖାଉଥିବା ପ୍ରତ୍ୟେକଙ୍କ ଆଚରଣ ମଧ୍ୟ ହେଉଛି ଅନୁରୂପ ଭାବେ ଅନୈତିକ। ଏହା ଅନୁଭବ କରି ପିଟର୍ ସିଙ୍ଗର୍ ନିଜେ ଦୀର୍ଘ କାଳ ଧରି ଜଣେ ଶାକାହାରୀ ହୋଇ ଯାଇଛନ୍ତି। ‘ସ୍ପିସିଜିଜ୍‌ମ’ ବିରୋଧରେ ସେ ଆରମ୍ଭ କରିଥିବା ଆନ୍ଦୋଳନ ବର୍ତ୍ତମାନ ବିସ୍ତାର ଲାଭ କରି ତା’ର ପ୍ରଭାବରେ ପୃଥିବୀରେ ଶାକାହାରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଶା ସସ୍ମିତାଙ୍କ ପତ୍ର ଏଠାରେ ଏଇ ଭଳି ଏକ ଆନ୍ଦୋଳନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର