ଏକ ଅନୁଭୂତି: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଓ ଶିକ୍ଷାନବୀଶ ଅଫିସର

ଅମିୟ ଭୂଷଣ ତ୍ରିପାଠୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଏକ ଗୁରୁତର ଘଟଣା। ତାଙ୍କ ସୁରକ୍ଷା ପାଇଁ ପ୍ରଣୀତ ହୋଇଥିବା ‘ବ୍ଳୁ ବୁକ୍‌’ରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ଓ ଏହା ପାଳନ କରିବା ରାଜ୍ୟ ପୁଲିସ ମୁଖ୍ୟଙ୍କ ଦାୟିତ୍ବ। ତେବେ, ଏ ଘଟଣା ପରେ ଖବରକାଗଜରେ ଏପରି ଘଟଣା ଆଗରୁ ଘଟିଥିବା ବିଷୟରେ ବାହାରିଥିଲା; ବାଜପେୟୀ ଓ ମନମୋହନ ସି˚ଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ। ଓଡ଼ିଶାରେ ମଧୢ ଏଭଳି ଏକ ଘଟଣା ମୋର ଅନୁଭୂତିରେ ରହିଛି। ସେ ବିଷୟରେ କହୁଛି।

୧୯୬୪ ଜାନୁଆରି ମାସରେ ନିଖିଳ ଭାରତ କ˚ଗ୍ରେସ ଅଧିବେଶନ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିଲା। ମୁଁ ୧୯୬୩ରେ ଆଇ.ପି.ଏସ୍‌ ଟ୍ରେନି˚ ସେତେବେଳେ ମାଉଣ୍ଟ ଆବୁରେ ସମାପ୍ତ କରି ଆଉ ଦୁଇ ଜଣ ପ୍ରୋବେସନର (ଶିକ୍ଷାନବୀଶ)ଙ୍କ ସହିତ ଅନୁଗୁଳ ପୁଲିସ ଟ୍ରେନି˚ କଲେଜରେ ଯୋଗ ଦାନ କରିଥାଏ। ଡାକ ଆସିଲା ଭୁବନେଶ୍ବରରେ ଡ୍ୟୁଟି କରିବାକୁ। ଆମେ ଆମ ପ୍ରିନସିପାଲ ବିଶ୍ବକେଶ ତ୍ରିପାଠୀଙ୍କ ସହ ଭୁବନେଶ୍ବର ଆସି ଷ୍ଟୁଆର୍ଟ ସ୍କୁଲ୍‌ ପାଖେ ପୁଲିିସ ଶିବିରରେ ୩ଟି ତମ୍ବୁରେ ରହିଲୁ। ମୋର ଡ୍ୟୁଟି ଥିଲା ପ୍ରଧାନମନ୍ତ୍ରୀ ଜଵାହରଲାଲ ନେହରୁଙ୍କ ଭୁବନେଶ୍ବର ରହଣିରେ ପାଇଲଟ ଦାୟିତ୍ବ ତୁଲାଇବା। ଅଭିଜ୍ଞତା ଥିଲା ଶୂନ, ମନୋବଳ ଅତି ଦୁର୍ବଳ। ଟ୍ରାଫିକ ଦାୟିତ୍ବରେ ଥିବା ତତ୍‌କାଳୀନ ସମ୍ବଲପୁର ଏସ୍‌.ପି ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ଆଶ୍ବାସନା ଏକମାତ୍ର ପାଥେୟ ଥିଲା। ଖୋଲା ଅଧିବେଶନ ଏକ ଖୋଲା ପଡ଼ିଆରେ ହେଉଥିଲା ବେଳେ କାର୍ଯ୍ୟକାରୀ କମିଟିର ବୈଠକ ଏକ ଗୃହରେ ଚାଲୁଥିଲା। ଆଜି କାଲି ପରି ସେ କାଳେ ଆଲୋକ ସଜ୍ଜା ଏତେ ଆଧୁନିକ ନ ଥିଲା। ସୁତରା˚ ଲାଇଟ ଥିଲେ ସୁଦ୍ଧା ଅନ୍ଧାରୁଆ ଜଣା ପଡୁଥିଲା।

ଏକ ସନ୍ଧ୍ୟାରେ କାର୍ଯ୍ୟକାରୀ ସଭା ପାଇଁ ମୁଁ ନେହରୁଙ୍କୁ ରାଜଭବନରୁ ପାଇଲଟ କରି ନେଇଗଲି। ନେହରୁ ଓ ମୋରାରଜୀଙ୍କ ପାଇଁ ଉଦ୍ଦିଷ୍ଟ ଏକ ପ୍ରକାର ୨ଟି କାର୍‌ ଗୃହର ସାମ୍‌ନାରେ ରହିଲା। ନେହରୁଙ୍କ ସୁରକ୍ଷାକାରୀ (ପ୍ରୋଟେକ୍‌ସନ) ଅଫିସର ତତ୍‌କାଳୀନ କଳାହାଣ୍ତି ଏସ୍‌.ପି ଧ୍ରୁବ ନାରାୟଣ ସି˚ହ ତାଙ୍କ ଗାଡ଼ିରେ ନେହରୁଙ୍କ କାର୍‌ର ପଛରେ ନିଜକୁ ଅବସ୍ଥାପିତ କଲେ। ଗୃହ ଆଗରେ କର୍ତ୍ତବ୍ୟରତ ସର୍ଜେଣ୍ଟ ମେଜର (ବର୍ତ୍ତମାନର ରିଜର୍ଭ ଇନ୍‌ସିପେକ୍‌ଟର) ଆଲାମଙ୍କୁ ମୁଁ କହି ରଖିଲି ନେହରୁ ବାହାରି ତାଙ୍କ କାର୍‌ ପାଖକୁ ଆସିବା ମାତ୍ରେ ମୋତେ ବେତାର ବା ଅନ୍ୟ ମାଧୢମରେ ସ˚କେତ ଦେବେ ଓ ମୁଁ ମୋର ପାଇଲଟ ଗାଡ଼ିରେ ଆଗକୁ ବଢ଼ିବି। କିନ୍ତୁ ଏସବୁ ବ୍ୟବସ୍ଥା ଗଡ଼ ବଡ଼ ହୋଇଗଲା। ମୋରାରଜୀ ଆଗେ ଆସି ନେହରୁଙ୍କ ଗାଡ଼ିରେ ବସିଗଲେ ଓ ଆଲାମଙ୍କ ଠାରୁ ସ˚କେତ ପାଇ ମୁଁ ମୋର ପାଇଲଟ ଗାଡ଼ିରେ ଆଗକୁ ଚାଲିଲି। ବର୍ତ୍ତମାନ ୟୁନିଟ୍‌ ୮ର ମୁଖ୍ୟ ରାସ୍ତାରେ ଜନ ସମୁଦ୍ର। ନେହରୁଙ୍କୁ ଦେଖିବାକୁ ବ୍ୟଗ୍ର। ଆଜିକାଲି ଯେପରି ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଏକ ଚିନ୍ତାଜନକ ଓ ସ୍ପର୍ଶକାତର ପ୍ରସଙ୍ଗ ହୋଇ ପଡ଼ିଛି, ସେତେବେଳେ ସେପରି ନ ଥିଲା। ଜନତା ଶାନ୍ତିପୂର୍ଣ୍ଣ ଥିଲେ ଓ ତାଙ୍କ ଅଭିଳାଷ ଥିଲା ନେହରୁଙ୍କ ଦର୍ଶନ।

ମୁଁ ଗୋପବନ୍ଧୁ ଛକ ପାଖରେ ପହଞ୍ଚିଲା ବେଳକୁ ବେତାର ଫୋନ୍‌ରୁ ଆସିଲା ଆଲାମଙ୍କ କଣ୍ଠ। ସାର‌୍‌, ସାର‌୍‌, ଆଲାମ କହୁଛି, ସବୁ ସରିଗଲା ସାର‌୍‌। ବର୍ତ୍ତମାନ ନେହରୁ ବାହାରିଲେ। ତାଙ୍କ ଗାଡ଼ି ଆଗକୁ ଯାଇ ପାରୁନାହିଁ। ମୋର ଚାକିରିଟି ଗଲା ସାର‌୍‌। ମୁଁ ଶୁଣି ସ୍ତମ୍ଭୀଭୂତ। ଅଭିଜ୍ଞତାହୀନ ଏକ ବିଚରା ଆଇ.ପି.ଏସ୍‌ ଶିକ୍ଷାନବୀଶକୁ ସବୁ ଅନ୍ଧାର ଦିଶିଲା। ଜିପ୍‌, ରାଜଭବନ ଛକ ପାଖେ ପହଞ୍ଚିବା ପରେ ମୁଁ ଗାଡ଼ି ଲେଉଟାଇ ଧାଇଁଲି ଅଧିବେଶନ ସ୍ଥଳକୁ। ଭାଗ୍ୟକୁ ଅଧିକ ପୁଲିସ ପହଞ୍ଚି ଯାଇଥିଲେ। ମୋ ଠାରୁ ଦୁଇ ବର୍ଷ ବରିଷ୍ଠ ଆଇ.ପି.ଏସ୍‌ ସ୍ବର୍ଗତ ପ୍ରଫୁଲ୍ଲ ମିଶ୍ର ସେଠାରେ ପହଞ୍ଚିଗଲେ। ପାଇଲଟ ଜିପ୍‌କୁ ନେହରୁଙ୍କ କାର୍‌ ଆଗରେ ରଖି ମୁଁ ଓ ପ୍ରଫୁଲ୍ଲବାବୁ ପାଦରେ ଚାଲିଲୁ। ପହଁରିଲା ବେଳକୁ ଯେପରି ଦୁଇ ହାତରେ ପାଣିକୁ ହଟା ଯାଇଥାଏ, ସେପରି ଆମେ ଜନତାଙ୍କୁ ରାସ୍ତା କଡ଼କୁ ହଟାଇ ଆଗକୁ ଗତି କଲୁ। ମନରେ ଭୀଷଣ ଡର, କାଳେ ବଦ୍‌ରାଗୀ ନେହରୁ ଗାଡ଼ିରୁ ଓହ୍ଲାଇ ତାଙ୍କ ରାଗ ଦେଖାଇବେ। କାର୍‌ ଭିତର ଆଲୋକ ଜଳୁଥିଲା ଓ ଜନତା ନେହରୁଙ୍କ ଦର୍ଶନ ପାଇ ପାରିଲେ। ବହୁତ କଷ୍ଟରେ ଓ ବହୁତ ସମୟ ପରେ ନେହରୁଙ୍କୁ ରାଜଭବନରେ ପହଞ୍ଚାଇ ପାରିଲୁ। ଅନ୍ୟ ବରିଷ୍ଠ ଅଫିସରମାନେ ଆସି ଯାଇଥିଲେ। ପ୍ରୋଟେକ୍‌ସନ ଅଫିସର ଧ୍ରୁବ ନାରାୟଣ ସି˚ହ, ଏକ ଦକ୍ଷ ପୁଲିସ ଅଫିସର ଆଲାମ ଓ ଅନଭିଜ୍ଞ ଶିକ୍ଷାନବୀଶ ମୁଁ ଅତି ସନ୍ଦିଗ୍‌ଧ ମନରେ ଶିବିରକୁ ଫେରିଲୁ। ଯେଉଁ ତଦନ୍ତ ହେଲା ତା’ର ପରିସରରୁ ମୋତେ ବାଦ୍‌ ଦିଆଯାଇଥିଲା ସମ୍ଭବତଃ ମୋର ଅନଭିଜ୍ଞତା ଯୋଗୁଁ।

୧୯୬୬ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭୁବନେଶ୍ବରରେ ସେକ୍ରେଟାରିଏଟ୍‌ ସମ୍ମୁଖରେ ଥିବା ମଇଦାନରେ ଭାଷଣ ଦେବାବେଳେ ଏକ ଟେକା ତାଙ୍କ ନାକରେ ବାଜି ରକ୍ତାକ୍ତ କଲା। ସେତେବେଳେ ଓଡ଼ିଶାର କର୍ଣ୍ଣଧାର ବିଜୁ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ, ଆଇ.ଜି ଓ ଅନ୍ୟାନ୍ୟ ବରିଷ୍ଠ ଅଫିସରମାନେ ପ୍ରମାଦ ଗଣିଲେ। ତଦନ୍ତ ହେଲା କେନ୍ଦ୍ର ଗୋଇନ୍ଦା ସ˚ସ୍ଥା ଦ୍ବାରା। ସେ ସମୟରେ ମୁଁ କେନ୍ଦ୍ର ସରକାରଙ୍କ ଅଧୀନକୁ ଯାଇ ଆସାମର ତେଜପୁରରେ ଥିଲି। ତେଣୁ ଫଳାଫଳ ବିଷୟରେ ଅଜ୍ଞ ଥିଲି।
ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଉପରେ ଯେପରି ରାଜନୀତି ଚାଲିଛି, ତାହା ଅତି ରହସ୍ୟମୟ। ସୁପ୍ରିମ୍‌ କୋର୍ଟକୁ ଏ ପ୍ରସଙ୍ଗ ଯିବା ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ। ଅପେକ୍ଷା କରାଯାଉ।
[email protected]

ସମ୍ବନ୍ଧିତ ଖବର