ସିନେମାରେ ‘ସସ୍‌ପେନ୍‌ସ’ ବା ‘ଉତ୍କଣ୍ଠା’ର ସର୍ବଶ୍ରେଷ୍ଠ ଗୁରୁ ରୂପେ ସ୍ବୀକୃତ ସ୍ବର୍ଗୀୟ ଆଲ୍‌ଫ୍ରେଡ୍ ହିଚକକ୍ ‘ରୋମାଞ୍ଚ’ ଠାରୁ ‘ଉତ୍କଣ୍ଠା’ର ପାର୍ଥକ୍ୟ ଦର୍ଶାଇବାକୁ ଯାଇ କହୁଥିଲେ ଯେ ରୋମାଞ୍ଚ ସୃଷ୍ଟି କରିବା ପାଇଁ କବାଟ ପଛରେ କିଏ ଲୁଚିଛି, ତାହା ନା ଚରିତ୍ର, ନା ଦର୍ଶକ କାହାରିକୁ ହେଲେ ସେ ସମ୍ବନ୍ଧରେ ସୂଚନା ଦିଆଯାଇଥାଏ; ‘ଉତ୍କଣ୍ଠା’ କିନ୍ତୁ ସୃଷ୍ଟି ହୁଏ ସେତିକି ବେଳେ, ଯେତେବେଳେ କବାଟ ପଛର ଉପସ୍ଥିତି ସମ୍ବନ୍ଧରେ ଚରିତ୍ର ଜଣକ ଅନ୍ଧାରରେ ଥାଏ କିନ୍ତୁ ଦର୍ଶକମାନେ ଅବଗତ ଥା’ନ୍ତି। ତେଣୁ ଚରିତ୍ର ଜଣକ ଯେତେବେଳେ ଆଦୌ କୌଣସି ଆଶଙ୍କା ନ କରି ସ୍ବାଭାବିକ ଭାବରେ କବାଟ ଖୋଲି କୋଠରିରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଆଗେଇବାରେ ଲାଗନ୍ତି, କବାଟ ପଛରେ ଛୁରୀ ଧରି ଲୁଚିଥିବା ଆତତାୟୀ ସମ୍ବନ୍ଧରେ ପୂର୍ବ ସୂଚନା ପାଇଥିବା ଦର୍ଶକମାନେ ଘଟିବାକୁ ଯାଉଥିବା ଘଟଣାର ଉତ୍କଣ୍ଠା ସମ୍ଭାଳି ନ ପାରି ନିଜ ନିଜର ଆସନ ଧାରକୁ ଝୁଙ୍କି ଆସିଥା’ନ୍ତି। ସମସ୍ତେ ଏକମତ ହେବେ, ଯଦି ଲୁଚିଥିବା ଆତତାୟୀ ସମ୍ବନ୍ଧରେ ଉଭୟ ଚରିତ୍ର ଓ ଦର୍ଶକମାନଙ୍କୁ ପୂର୍ବରୁ ଜଣାଥାଏ, ତେବେ ସିନେମାର ସମ୍ପୃକ୍ତ ଦୃଶ୍ୟଟି ସମ୍ପୂର୍ଣ୍ଣ ରୂପେ ଉତ୍କଣ୍ଠାଶୂନ୍ୟ ହୋଇଯିବ।

Advertisment

ଗତ ବୁଧବାର ଦିନ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ବ୍ୟବସ୍ଥା ‘ଫେଡେରାଲ୍ ରିଜର୍ଭ’ (ସଂକ୍ଷେପରେ ‘ଫେଡ୍’) ତା’ର ଦିଗ୍‌ଦର୍ଶକ ସୁଧ ହାରରେ ଏକ ବହୁ-ପ୍ରତୀକ୍ଷିତ ବୃଦ୍ଧି ଘଟାଇବା ପରେ ପୃଥିବୀବ୍ୟାପୀ ବିତ୍ତୀୟ ବଜାରମାନଙ୍କରେ ଯେଉଁ ଏକରକମ ପ୍ରତିକ୍ରିୟାଶୂନ୍ୟତା ଦେଖାଯାଇଛି, ତାହା ଏହି ଶେଷୋକ୍ତ ଅଣ-ହିଚ୍‌କକୀୟ କୌଶଳର ସଫଳ ପ୍ରୟୋଗର ସୁଫଳ ବୋଲି ବିଚାର କଲେ ଭୁଲ୍ ହେବ ନାହିଁ। ‘ଫେଡ୍‌’ର ମୁଖ୍ୟ, ଚେଆର୍‌ମ୍ୟାନ୍ ଜେରମ୍ ପାୱେଲ୍ ଗତ ସେପ୍ଟେମ୍ବର୍‌ ଠାରୁ ଇସାରା ଦେବାରେ ଲାଗିଥିଲେ ଯେ ସେ ଆମେରିକାରେ ମୁଣ୍ଡ ଟେକିଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଏ ପର୍ଯ୍ୟନ୍ତ ସେଠାରେ ଅନୁସୃତ ହୋଇ ଆସୁଥିବା କୋହଳ ମୁଦ୍ରାନୀତି ପରିତ୍ୟାଗ କରି ଧୀରେ ଧୀରେ ସୁଧ ହାରରେ ବୃଦ୍ଧି ଓ ବଣ୍ଡ୍‌ କ୍ରୟରେ ହ୍ରାସ ଘଟାଇବାରେ ଲାଗିବେ। ସେଇ ନୀତିର ଅଂଶ ସ୍ବରୂପ ଫେଡ୍ ଏବେ ସୁଧ ହାରରେ ଘଟାଇଥିବା ୦.୨୫ ଶତାଂଶ ବୃଦ୍ଧି ହେଉଛି ୨୦୧୮ ପରେ ହୋଇଥିବା ସୁଧ ହାରରେ ପ୍ରଥମ ବୃଦ୍ଧି। ୨୦୨୨ରେ ଏଇଭଳି ଏକାଧିକ ବୃଦ୍ଧି ଘଟିବାକୁ ଯାଉଛି ବୋଲି ମଧ୍ୟ ପାୱେଲ୍ ପୂର୍ବରୁ ସୂଚନା ଦେଇ ଚାଲିଛନ୍ତି। ଅର୍ଥାତ୍, ଏଠାରେ ନିର୍ଦ୍ଦେଶକର ଭୂମିକା ନିର୍ବାହ କରୁଥିବା ଜେରମ୍ ପାୱେଲ୍ ହିଚକକ୍‌ଙ୍କର ସୁବିଦିତ ଫର୍ମୁଲାର ଓଲଟ ପ୍ରୟୋଗ କରି ବିତ୍ତୀୟ ବଜାରର ସମସ୍ତ ଚରିତ୍ର ତଥା ସାଧାରଣ ଦର୍ଶକମାନଙ୍କୁ ଆଗତୁରା ସୂଚନା ପ୍ରଦାନ କରି ବର୍ତ୍ତମାନର ସୁଧ ହାର ବୃଦ୍ଧି ଦେଖିବା ପାଇଁ ଏପରି ପ୍ରସ୍ତୁତ କରି ଦେଇଥିଲେ ଯେ ସେମାନଙ୍କର ସମସ୍ତ ଉତ୍କଣ୍ଠା ଅନ୍ତର୍ଦ୍ଧାନ ହୋଇ ଏକ ପ୍ରକାର ନିର୍ଲିପ୍ତ ଅବସ୍ଥାର ଆବିର୍ଭାବ ଘଟିଛି।

ବର୍ତ୍ତମାନର ପରିସ୍ଥିତିରେ ‘ଫେଡ୍’ ମୁଦ୍ରାନୀତିକୁ ଭିଡ଼ିଦେବାରେ ଯେଉଁ ଅପେକ୍ଷାକୃତ କୋହଳ ଆଭିମୁଖ୍ୟ ପ୍ରଦର୍ଶନ କରିଛି, ତାହା ଅବଶ୍ୟ ଯଥାର୍ଥ ମନେ ହୁଏ। ପୃଥିବୀର ବିତ୍ତ ବଜାର ସବୁ ବର୍ତ୍ତମାନ ଦୁଇଟି ବୃହତ୍ ସଙ୍କଟର ସମ୍ମୁଖୀନ। ଗୋଟିଏ ଅବଶ୍ୟ ହେଉଛି ୟୁକ୍ରେନ୍ ଯୁଦ୍ଧ, ଅର୍ଥନୈତିକ ବାସନ୍ଦ ଓ ତଜ୍ଜନିତ ଯୋଗାଣ ଶୃଙ୍ଖଳ ପ୍ରତି ସୃଷ୍ଟ ଧକ୍କାମାନ। ଅନ୍ୟଟି ହେଲା, ଏହି ସମୟରେ ପୃଥିବୀର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ଚୀନ୍‌ରେ ପୁଣି ଆରମ୍ଭ ହୋଇଥିବା କୋଭିଡ୍‌ଜନିତ ଲକ୍‌ଡାଉନ୍‌ମାନ। ବଜାର ଉପରେ ଏ ଦୁଇ ଘଟଣାର ପ୍ରତିକୂଳ ପ୍ରଭାବର ଏକ ଉଦାହରଣ ସ୍ବରୂପ ତୈଳ, ପ୍ରାକୃତିକ ବାଷ୍ପ ଆଦି ଭଳି ଶକ୍ତି ବ୍ୟବସାୟରେ ଲିପ୍ତ କମ୍ପାନିମାନେ ଏଥିଯୋଗୁଁ ସମ୍ମୁଖୀନ ହୋଇଥିବା ନଗଦ ଅର୍ଥ ସଂକଟର ମୁକାବିଲାରେ ସହାୟତା ନିମିତ୍ତ କେନ୍ଦ୍ରୀୟ ବ୍ୟାଙ୍କ୍‌ମାନଙ୍କୁ ଅନୁରୋଧ କରିବାକୁ ଚିନ୍ତା କରିବା ଆରମ୍ଭ କଲେଣି- ଅର୍ଥାତ୍ ମୁଦ୍ରାନୀତିକୁ ଚିପି ଦେବା ପରିବର୍ତ୍ତେ ହୁଗୁଳା କରାଯାଉ।
ଏହି ପୃଷ୍ଠଭୂମି ବର୍ତ୍ତମାନ ଏପ୍ରିଲ୍‌ରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରାନୀତି ନିର୍ଦ୍ଧାରଣ କମିଟିର ବୈଠକକୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ କରି ତୋଳିଛି। କମିଟି ଯେଉଁ ଦ୍ବନ୍ଦ୍ବର ସମ୍ମୁଖୀନ ହେବ, ତାହା ହେଲା- ‘ଫେଡ୍’କୁ ଅନୁସରଣ କରି ଏଠାରେ ମଧ୍ୟ ଉଙ୍କି ମାରୁଥିବା ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ସୁଧ ହାରରେ ବୃଦ୍ଧି ଘଟାଇବ ନା ତଥାପି ମନ୍ଥର ଥିବା ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟତା ପ୍ରଦାନ ନିମିତ୍ତ ସେଭଳି ବୃଦ୍ଧିରୁ ନିବୃତ୍ତ ରହିବ?

ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୁଦ୍ରାସ୍ଫୀତି ସମ୍ବନ୍ଧରେ ପ୍ରକାଶିତ ସର୍ବଶେଷ ସୂଚନା ଅନୁସାରେ ଗତ ଫେବ୍ରୁଅାରିରେ ବାର୍ଷିକ ଖାଉଟି ମୁଦ୍ରାସ୍ଫୀତି ହାର ଥିଲା ୬.୧ ଶତାଂଶ, ଯାହା ହେଉଛି ବିଗତ ଆଠ ମାସ ମଧ୍ୟରେ ସର୍ବୋଚ୍ଚ ତଥା ରିଜର୍ଭ ବ୍ୟାଙ୍କ୍ ଅନୁସରଣ କରୁଥିବା ନିରାପଦ ମୁଦ୍ରାସ୍ଫୀତି ବଳୟର ସର୍ବୋଚ୍ଚ ସୀମା ୬.୦ ଶତାଂଶ ଠାରୁ ସାମାନ୍ୟ ଅଧିକ। ଖାଦ୍ୟଦ୍ରବ୍ୟ ଓ ଇନ୍ଧନ ଆଦିକୁ ବାଦ୍ ଦେଇ ଯଦି ମଞ୍ଜ ମୁଦ୍ରାସ୍ଫୀତି (କୋର୍ ଇନ୍‌ଫ୍ଲେସନ୍) ଉପରେ ନଜର ପକାଯାଏ, ତେବେ ତାହା ଆଉ ଟିକିଏ ଅଧିକ, ୬.୨ ଶତାଂଶ ହୋଇଥିବା ଜଣାଯାଏ। ସାଧାରଣ ସମୟ ହୋଇଥିଲେ ରିଜର୍ଭ ବ୍ୟାଙ୍କ୍ ଯେ ଖାଉଟି ମୁଦ୍ରାସ୍ଫୀତି ହାରକୁ ନିର୍ଦ୍ଧାରିତ ୪-୬ ଶତାଂଶ ବଳୟ ଭିତରକୁ ଖସାଇ ଆଣିବା ପାଇଁ ସୁଧ ହାରରେ ଆବଶ୍ୟକ ବୃଦ୍ଧି ଘଟାଇବା ସପକ୍ଷରେ ନିଷ୍ପତ୍ତି ନିଅନ୍ତା, ଏଥିରେ ସନ୍ଦେହ ନାହିଁ।

ବର୍ତ୍ତମାନ କିନ୍ତୁ ସାଧାରଣ ସମୟ ନୁହେଁ। କୋଭିଡ୍‌ର ଆଘାତରୁ ଦେଶର ଅର୍ଥନୀତି ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମୁକୁଳି ପୂର୍ବର ସ୍ବାସ୍ଥ୍ୟ ଫେରିପାଇନାହିଁ। ଡିସେମ୍ବରରେ ପୂର୍ଣ୍ଣ ହୋଇଥିବା ଚଳିତ ବିତ୍ତ ବର୍ଷର ତୃତୀୟ ଚଉଠରେ ଅର୍ଥନୀତିର ବାର୍ଷିକ ଅଭିବୃଦ୍ଧି ହାର ଥିଲା ମାତ୍ର ୫.୪ ଶତାଂଶ। ଏହା ପୁଣି ଥିଲା ତୈଳ ଦରରେ ହଠାତ୍ ଘଟିଥିବା ବୃଦ୍ଧିର ପୂର୍ବବର୍ତ୍ତୀ ସମୟର ଚିତ୍ର। ରିଜର୍ଭ ବ୍ୟାଙ୍କ୍‌ର ଅନୁମାନ ଅନୁସାରେ ସମୁଦାୟ ବିତ୍ତ ବର୍ଷ ପାଇଁ ଅର୍ଥନୀତିରେ ଯେଉଁ ଅଭିବୃଦ୍ଧି ଘଟିବାକୁ ଯାଉଛି, ତାହା କୋଭିଡ୍‌ଜନିତ ପାଣ୍ଡେମିକ୍ ପୂର୍ବର ସ୍ତର ଠାରୁ ମାତ୍ର ପ୍ରାୟ ୧.୮ ଶତାଂଶ ଅଧିକ ହୋଇପାରେ। ଏହା ଯେ ଏକ ଅତ୍ୟନ୍ତ ନୀଚା ହାର ଏବଂ ଏହାକୁ ନେଇ ଆତ୍ମସନ୍ତୋଷ ଲାଭ କରିବା ଯେ ସମ୍ପୂର୍ଣ୍ଣ ମୂର୍ଖାମି ହେବ, ଏହା ହୃଦୟଙ୍ଗମ କରିବା ନିମିତ୍ତ ଅର୍ଥଶାସ୍ତ୍ରରେ କୌଣସି ବି‌େଶଷ ଜ୍ଞାନର ଆବଶ୍ୟକତା ନାହିଁ। ତେଣୁ ଏହି ସମୟରେ ସୁଧ ହାରରେ ବୃଦ୍ଧି ଘଟାଇବା ଏକ ଆତ୍ମଘାତୀ କାର୍ଯ୍ୟ ଭଳି ହୋଇପାରେ। କିନ୍ତୁ ଯଦି ସୁଧ ହାରରେ ବୃଦ୍ଧି କରା ନ ଯାଏ , ତେବେ ଦେଶରେ ମୁଦ୍ରାସ୍ଫୀତି ଅଣାୟତ୍ତ ହୋଇ ପଡ଼ିବ କି? ଏହାର ଉତ୍ତର ଦେବା ସହଜ ହୋଇ ନ ଥିଲେ ହେଁ, ମୁଦ୍ରାସ୍ଫୀତିକୁ ପ୍ରଭାବିତ କରୁଥିବା କେତେକ ଉପାଦାନ ଆମ ପାଇଁ ଅନୁକୂଳ ହୋଇପାରେ। ଖାଦ୍ୟଦ୍ରବ୍ୟ ଦରଦାମକୁ ପହୁଞ୍ଚ ମଧ୍ୟରେ ରଖିବାରେ ଯାହା ସହାୟକ ହେବ, ତାହା ହେଲା ବିପୁଳ ଅମଳ ଏବଂ ବିଶାଳ ଅାକାରର ବଫର୍ ଷ୍ଟକ୍।(ବାସ୍ତବରେ ଆନ୍ତର୍ଜାତିକ ବଜାରରେ ଗହମର ଉଚ୍ଚା ଦରରୁ ଲାଭ ଉଠାଇବା ପାଇଁ ଏହାର ଏକ ଅଂଶ ରପ୍ତାନି କରାଯିବା ପାଇଁ ପଦକ୍ଷେପ ନିଆଯାଉଛି।)। ଖାଇବା ତେଲ ଓ ଡାଲିଜାତୀୟ ଶସ୍ୟର ଦରଦାମକୁ ଅତିରିକ୍ତ ବୃଦ୍ଧି ପାଇବାକୁ ନ ଦେବା ପାଇଁ ସରକାର ସେ ସମସ୍ତ ପଦାର୍ଥର ଯୋଗାଣରେ ବୃଦ୍ଧି ଘଟାଇବା ପାଇଁ ନେଇଥିବା ପଦକ୍ଷେପମାନ ଖାଦ୍ୟଦ୍ରବ୍ୟ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସହାୟକ ହେବ; ସୁଧ ହାରରେ ବୃଦ୍ଧି ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାର ଏକମାତ୍ର ଉପାୟ ନୁହେଁ, ବିଭିନ୍ନ ପ୍ରକାର ଉପାୟମାନଙ୍କ ମଧ୍ୟରୁ ଗୋଟିଏ ମାତ୍ର। ଇତି ମଧ୍ୟରେ ତୈଳ ଦରରେ ଦେଖାଦେଇଥିବା ତାତି ମଧ୍ୟ କମିବାକୁ ଆରମ୍ଭ କଲାଣି; ସରକାର ରୁଷିଆ ଠାରୁ ମଧ୍ୟ ଶସ୍ତାରେ ତୈଳ କ୍ରୟ କରିବାକୁ ଆଗେଇ ଆସିଲେଣି।

ଏଭଳି ପରିସ୍ଥିତିରେ ଅର୍ଥନୈତିକ ଅଭିବୃଦ୍ଧିକୁ ଅଗ୍ରାଧିକାର ପ୍ରଦାନ କରି ରିଜର୍ଭ ବ୍ୟାଙ୍କ୍ ଯଦି ‘ରେପୋ ରେଟ୍’ ବୃଦ୍ଧିରୁ ନିବୃତ୍ତ ରହେ କିମ୍ବା ଔପଚାରିକତା ରକ୍ଷା କରି କେବଳ ‘ରିଭର୍ସ’ ବା ଓଲଟ ରେପୋ ରେଟ୍‌ରେ ସାମାନ୍ୟ ବୃଦ୍ଧି ଘଟାଇବାକୁ ନିଷ୍ପତ୍ତି ନିଏ, ଆମେ ଆଶ୍ଚର୍ଯ୍ୟ ହେବୁ ନାହିଁ। ଏ କାହାଣୀରେ ମଧ୍ୟ ଉତ୍କଣ୍ଠା ପାଇଁ ସ୍ଥାନ ନାହିଁ।