ଆକାଶରେ ଉଡ଼ି ବୁଲୁଥିବା ବିମାନ ବା ଯନ୍ତ୍ର ବିହଙ୍ଗଗୁଡ଼ିକର ‘ମସ୍ତିଷ୍କ’ ବୋଇଲେ କେଉଁ ଅ˚ଶକୁ ବୁଝାଏ? ବିମାନର କକ୍ପିଟ୍ରେ ଖଞ୍ଜା ଯାଇଥିବା କ˚ପ୍ୟୁଟର ପରିଚାଳିତ ଅତ୍ୟାଧୁନିକ ଏବ˚ ସ୍ବୟ˚କ୍ରିୟ ଯନ୍ତ୍ରପାତି ନା ସେ ସବୁ ଉପରେ ନିଘା ରଖି ନିୟନ୍ତ୍ରଣ କରୁଥିବା ପାଇଲଟ୍ ପଦଧାରୀ ଜଣେ ମନୁଷ୍ୟ? ଏଠାରେ ଏଭଳି ପ୍ରଶ୍ନ ଉଠିବା ପଛରେ ରହିଥିବା କାରଣଟି ହେଲା ବିମାନ ଯାତ୍ରାକୁ ପ୍ରଶ୍ନାତୀତ ଭାବେ ନିରାପଦ କରିବା ଲାଗି ବ୍ୟୋମଯାନ ନିର୍ମାଣକାରୀ କ˚ପାନିଗୁଡ଼ିକ ଅତି ଜଟିଳ ଓ ସୂକ୍ଷ୍ମ ଯନ୍ତ୍ରପାତିର ବ୍ୟବହାର କରୁଥିବାରୁ ପାଇଲଟ୍ମାନଙ୍କ କାର୍ଯ୍ୟ ଅପେକ୍ଷାକୃତ ସହଜ ହୋଇଛି; ଯାହା କେବଳ ଅଳ୍ପ କିଛି ନିଷ୍ପତ୍ତି ନେବାରେ ସୀମିତ ରହିଛି। ସେହି ଦୃଷ୍ଟିରୁ ଏକ ସ୍ଥୂଳ ବିଚାରରେ ହୁଏ’ତ ଏକ ଧାରଣା ସୃଷ୍ଟି ହୋଇପାରେ ଯେ ଏହି ଯନ୍ତ୍ରପାତିଗୁଡ଼ିକ ହିଁ ବିମାନର ମସ୍ତିଷ୍କ! ଯଦିଓ ଅନେକ ଅଭିଜ୍ଞ ବିମାନ ଚାଳକଙ୍କ ମତରେ ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରୟୋଗ ହେତୁ କ୍ରମେ ବିମାନ ଚାଳନାରେ ମନୁଷ୍ୟଙ୍କ ଭୂମିକା ଗୌଣ ହେବାରେ ଲାଗିଛି; ଅନ୍ତିମ ସତ୍ୟଟି ହେଲା ସମସ୍ତ ଗୌଣତ୍ବ ସତ୍ତ୍ବେ ବିମାନ ଚାଳନାରେ ମନୁଷ୍ୟର ଭୂମିକା ହିଁ ସର୍ବଦା ନିର୍ଣ୍ଣାୟକ ହୋଇ ରହିବ। ଏହି ସଂଦର୍ଭରେ ଗଲା ୧୭ ତାରିଖରେ ଆମେରିକାର ‘ଵାଲ୍ ଷ୍ଟ୍ରିଟ୍ ଜର୍ନାଲ୍’ରେ ପ୍ରକାଶ ପାଇଥିବା ଏକ ସମ୍ବାଦ ପ୍ରଣିଧାନଯୋଗ୍ୟ, ଯାହା ଅନୁସାରେ ଗଲା ମାର୍ଚ୍ଚ ୨୧ ତାରିଖରେ ଚୀନ୍ରେ ଘଟିଥିବା ଯାତ୍ରୀବାହୀ ବିମାନଟିର ଦୁର୍ଘଟଣା ଲାଗି ତାର ପାଇଲଟ୍ ଜଣକ ଦାୟୀ। କାରଣ, ଦୁର୍ଘଟଣାଗ୍ରସ୍ତ ବିମାନର ‘ବ୍ଲାକ୍-ବକ୍ସ’ ସୂଚନା ଦେଇଛି ଯେ ବିମାନଟି ଅତି ଦ୍ରୁତ ଗତିରେ ତଳ ମୁହାଁ ହୋଇ ଖସି ପଡ଼ିବା (ମିନିଟ୍କୁ ୩୦,୦୦୦ ଫୁଟ ବେଗରେ) ଲାଗି କୁଆଡ଼େ କକ୍ପିଟ୍ର କ˚ପ୍ୟୁଟର୍କୁ ପାଇଲଟ୍ ଜଣକ ଅତି ଟିକିନିଖି ଭାବେ ନିର୍ଦ୍ଦେଶ ଦେଇଥିଲେ। ସୁତରା˚, ପୃଥିବୀର ସର୍ବାଧିକ ସୁରକ୍ଷିତ ଭାବେ ପରିଗଣିତ ବିମାନଟି ସେହି ଆଜ୍ଞା ବହନ କରି ଆତ୍ମହତ୍ୟା କରିବାକୁ ବାଧୢ ହୋଇଥିଲା, ଯହିଁରେ ୧୩୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। କହିବା ବାହୁଲ୍ୟ ଯେ ଏହି କାରଣରୁ ପାଇଲଟ୍ମାନଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥା ଏବ˚ ସୁରକ୍ଷିତ ବିମାନ ଯାତ୍ରାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଇବାରେ ଲାଗିଛି। କାରଣ ବିମାନ ଯାତ୍ରାକୁ ନିରାପଦ ରଖିବା ଲାଗି ବିମାନଗୁଡ଼ିକରେ ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରୟୋଗ ଉପରେ ସର୍ବାଦିକ ଗୁରୁତ୍ବ ପ୍ରଦାନ କରାଯାଉଥିବା ବେଳେ ଏବେ ତାର ପରିଚାଳନାରେ ସଂପୃକ୍ତ ଥିବା ‘ମାନବୀୟ’ ଦିଗଟି ଚିନ୍ତାର କାରଣ ହୋଇଛି, ଯାହା ଏକ ବିଡ଼ମ୍ବନା ।
ସ˚ପ୍ରତି ପୃଥିବୀରେ ବିମାନ ଚଳାଚଳର ଘନତା ସମ୍ବନ୍ଧରେ ଧାରଣା ସୃଷ୍ଟି କରିବା ଲାଗି ଏତିକି ତଥ୍ୟ ଯଥେଷ୍ଟ ଯେ ଏବେ ଯେ କୌଣସି ମୁହୂର୍ତ୍ତରେ କୋଡ଼ିଏ ହଜାରରୁ ଅଧିକ ସ˚ଖ୍ୟକ ବିମାନ ଆକାଶରେ ଉଡ୍ଡ଼ୀୟମାନ ଅବସ୍ଥାରେ ଥାଆନ୍ତି। ସାରା ପୃଥିବୀରେ ପ୍ରତ୍ୟହ ଏକ ଲକ୍ଷରୁ ଅଧିକ ବିମାନ ୪ ନିୟୁତରୁ ଅଧିକ ଯାତ୍ରୀଙ୍କୁ ପରିବହନ କରିଥାଆନ୍ତି। ଭାରତର ଗୃହ ମନ୍ତ୍ରଣାଳୟର ‘େଵବ୍ସାଇଟ୍’ରୁ ଲବ୍ଧ ତଥ୍ୟ ଅନୁସାରେ ଭାରତରେ ଦୈନିକ ହାରାହାରି ୨,୫୦୦ରୁ ଅଧିକ ବିମାନ ‘ଟ୍ରିପ୍’ରେ ସାଢ଼େ ତିନି ଲକ୍ଷ ଯାତ୍ରୀ ଯିବା ଆସିବା କରିଥାଆନ୍ତି। ଏଭଳି ସ୍ଥିତିରେ ଯଦିଓ ଏକ ରିପୋର୍ଟ କହିଥାଏ ଯେ ଗଲା ସପ୍ତମ ଦଶକରୁ ଏ ପର୍ଯ୍ୟନ୍ତ ପ୍ରାୟ ୧ ବିଲିଅନ ବିମାନ ଯାତ୍ରା ଭିତରେ ଗଭୀର ମାନସିକ ଅବସାଦଗ୍ରସ୍ତ ଏବ˚ ଆତ୍ମହତ୍ୟାପ୍ରବଣ ପାଇଲଟ୍ଙ୍କ ଦ୍ବାରା ସ˚ଘଟିତ ବିମାନ ଦୁର୍ଘଟଣାର ସ˚ଖ୍ୟା ମାତ୍ର ଆଠ; ଯାହା ଉଦ୍ବେଗଜନକ ତାହା ହେଲା ୨୦୧୪ ମସିହାରୁ ଆଜି ମଧୢରେ ଅର୍ଥାତ୍ ମାତ୍ର ଆଠ ବର୍ଷର ଅବଧିରେ ଘଟିଥିବା ଏଭଳି ଦୁର୍ଘଟଣାର ସ˚ଖ୍ୟା ହେଉଛି ୩, ଯାହା ଏକ ତୃତୀୟା˚ଶରୁ ଅଧିକ। ୨୦୧୪ ମସିହାରେ ସର୍ବତ୍ର ଚାଞ୍ଚଲ୍ୟ ସୃଷ୍ଟି କରି ଅତି ରହସ୍ୟଜନକ ଭାବେ ନିଖୋଜ ହୋଇ ଯାଇଥିବା ମାଲେସୀୟ ଏୟାରଲାଇନ୍ସର ବିମାନଟି ଯେ ଜଣେ ଆତ୍ମହତ୍ୟା ପ୍ରବଣ ପାଇଲଟ୍ଙ୍କ ହାତରେ ଥିଲା; ସେ ଧାରଣା କ୍ରମେ ଦୃଢ଼ୀଭୂତ ହୋଇଛି। ତା’ ପର ବର୍ଷ ଅର୍ଥାତ୍ ୨୦୧୫ ମସିହାରେ ସ୍ପେନ୍ର ବାର୍ସିଲୋନାରୁ ଯାତ୍ରା ଆରମ୍ଭ କରିଥିବା ଏକ ଜର୍ମାନଵିଙ୍ଗର୍ ବିମାନରେ ଦେଖିବାକୁ ମିଳିଥିଲା ଯେ କୌଣସି କାରଣରୁ ମୁଖ୍ୟ ପାଇଲଟ୍ ‘କକ୍ପିଟ୍’ରୁ ବାହାରି ଯିବା ମାତ୍ରକେ ସହ-ପାଇଲଟ୍ ଜଣକ ଭିତର ପଟୁ ଦରଜା କିଳି ଦେଇ ଅନାୟାସରେ ବିମାନଟିକୁ ଭୂପତିତ କରାଇଥିଲେ। ଜଣା ପଡ଼ିଥିଲା ଯେ ସେହି ସହ-ପାଇଲଟ୍ ଜଣକ ମାନସିକ ଭାବେ ଅସୁସ୍ଥ ଥିଲେ। ଏହି ଦୁର୍ଘଟଣାରେ ୧୫୦ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ। ସେହି ଦୃଷ୍ଟିରୁ ବିଚାର କଲେ ପାଇଲଟ୍ମାନଙ୍କ ମାନସିକ ସ୍ଥିତିକୁ ନେଇ ବିମାନ ଯାତ୍ରୀମାନଙ୍କ ମଧୢରେ ସଂପ୍ରତି ଉତ୍ପନ୍ନ ହେଉଥିବା ଶଙ୍କା ନିରାଧାର ନୁହେଁ।
ପ୍ରକାଶ ଥାଉ କି ବିମାନ ଚାଳକମାନଙ୍କ ଠାରୁ ଯେଉଁଭଳି ପ୍ରତ୍ୟୁତ୍ପନ୍ନମତିତା ତଥା ସହସା ନିଷ୍ପତ୍ତି ନେବାର ସାମର୍ଥ୍ୟ ବାବଦରେ ଆଶା କରାଯାଏ, ତାହା ଅନ୍ୟ କୌଣସି ବୃତ୍ତିଧାରୀଙ୍କ ଠାରୁ କରାଯାଇ ନ ଥାଏ। ଏହା ସହିତ ଏହି ବୃତ୍ତି ସହ ସ˚ଶ୍ଳିଷ୍ଟ ଦାୟିତ୍ବ କାରଣରୁ ପାଇଲଟ୍ମାନଙ୍କୁ ପ୍ରତି ବର୍ଷ ଉଭୟ ଶାରୀରିକ ଏବ˚ ମାନସିକ ସ୍ବାସ୍ଥ୍ୟ, ଦୃଷ୍ଟି ଏବ˚ ଶ୍ରବଣ ଶକ୍ତିର ଏକ ବିଧିବଦ୍ଧ ଏବ˚ ସଘନ ଡାକ୍ତରୀ ଯାଞ୍ଚ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିଥାଏ। କେବଳ ସେତିକି ନୁହେଁ, ମାନସିକ ଦୁଃସ୍ଥିତିର ଶିକାର ହେଲେ ତାହାକୁ ସେମାନେ ପ୍ରକାଶ କରନ୍ତୁ ବୋଲି ମଧୢ ସେମାନଙ୍କୁ ସଚେତନ କରାଯିବା ସହିତ ସେମାନଙ୍କ ଠାରୁ ସେଭଳି ଆଚରଣର ଆଶା ମଧୢ ରଖାଯାଇଥାଏ। କିନ୍ତୁ ବାସ୍ତବତା ହେଲା ଖୁବ୍ କମ୍ ସ˚ଖ୍ୟକ ପାଇଲଟ୍ ସେଭଳି କରନ୍ତି। ଏହାର କାରଣ ବିଷାଦଗ୍ରସ୍ତ ବୋଲି ଜଣାପଡ଼ିଯିବା ଅନ୍ୟମାନଙ୍କ ନ୍ୟୂନ ଦୃଷ୍ଟିର ଶରବ୍ୟ ହେବାର ଆଶଙ୍କା ଜାତ କରିଥାଏ ଏବ˚ ଅନେକ କଷ୍ଟ କରି ପାଇଲଟ୍ ହେବାର ଲକ୍ଷ୍ୟ ପୂରଣ କରିବା ପରେ ଏଭଳି ଏକ ସ୍ଥିତି ସେମାନଙ୍କୁ ସାମୟିକ ବା ସ୍ଥାୟୀ ଭାବେ କାର୍ଯ୍ୟରୁ ଅନ୍ତର କରିବାର ସମ୍ଭାବନା ବହନ କରିଥାଏ। ଏହାର ପ୍ରମାଣ ସ୍ବରୂପ ନିଉଜିଲାଣ୍ତରେ ଅନୁଷ୍ଠିତ ଏକ ସର୍ବେକ୍ଷଣରେ ଦେଖିବାକୁ ମିଳିଥିଲା ଯେ ନିଜ ପରିଚୟକୁ ପ୍ରକାଶ୍ୟ କରିବାକୁ ରାଜି ଥିବା ପାଇଲଟ୍ମାନଙ୍କ ମଧୢରୁ ମାତ୍ର ୧.୯ ପ୍ରତିଶତ ମାନସିକ ରୂପେ ଭାରାକ୍ରାନ୍ତ ବୋଲି ସ୍ବୀକାର କରିଥିଲେ। ଅଥଚ, ଅନ୍ୟ ଏକ ଅବସରରେ ପରିଚୟକୁ ଗୋପନ ରଖାଯାଇ ପାଇଲଟ୍ମାନଙ୍କ ଠାରୁ ଆହୂତ ଏକ ପ୍ରଶ୍ନାବଳୀର ଉତ୍ତରରୁ ନିଷ୍କର୍ଷ ମିଳିଥିଲା ଯେ ପ୍ରକୃତରେ ମାନସିକ ଭାବେ ଅସୁସ୍ଥ ଥିଲେ ୧୨.୬ ପ୍ରତିଶତ, ଯେଉଁମାନଙ୍କ ଭିତରୁ ୪.୫ ପ୍ରତିଶତଙ୍କ ମନରେ ଆତ୍ମହତ୍ୟା କରିବାର ଭାବନା ମୁଣ୍ତ ଟେକୁଥିଲା। କହିବା ଅନାବଶ୍ୟକ ଯେ ସ˚ପ୍ରତି ଦେଖିବାକୁ ମିଳୁଥିବା କାର୍ଯ୍ୟ ସମୟର ଆଧିକ୍ୟ, ଚାକିରିର ଅନିଶ୍ଚିତତା, ଗୃହ ଏବ˚ ପରିବାର ଠାରୁ ଅଧିକ କାଳ ଦୂରରେ ରହିବାର ବାଧୢବାଧକତା ଇତ୍ୟାଦି ସ୍ବାଭାବିକ ଭାବେ ଅଧିକ ସ˚ଖ୍ୟକ ପାଇଲଟ୍ଙ୍କ ଲାଗି ଅବସାଦର କାରଣ ହୋଇଛି। ସୁତରା˚, ବିମାନ ଯାତ୍ରାକୁ ଦୁର୍ଘଟଣାଶୂନ୍ୟ କରିବା ଲାଗି ନିର୍ମାଣକାରୀ କ˚ପାନିଗୁଡ଼ିକର ପାରୁପର୍ଯ୍ୟନ୍ତ ଉଦ୍ୟମରେ ଅଗତ୍ୟା ଅବସାଦଗ୍ରସ୍ତ ପାଇଲଟ୍ମାନେ ଅନ୍ତରାୟ ସାଜିଥିବା ଭଳି ସ୍ଥିତି ସୃଷ୍ଟି ହୋଇଛି।
ଏହି ସ˚ଦର୍ଭରେ କେଭିନ୍ ସଲିଭାନଙ୍କ ଭଳି ଜଣେ ଅନବଦ୍ୟ ପାଇଲଟ୍ଙ୍କ ଦ୍ବାରା ରଚିତ ପୁସ୍ତକ ‘ନୋ ମ୍ୟାନ୍ସ ଲ୍ୟାଣ୍ତ୍’ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ, ଯହିଁରେ ସେ ତାଙ୍କର ଏକ ଚରମ ସ˚କଟମୟ ବିମାନ ଉଡ଼ାଣର ଅଭିଜ୍ଞତାକୁ ଅତି ଚମତ୍କାର ଶୈଳୀରେ ବର୍ଣ୍ଣନା କରିଛନ୍ତି। ୨୦୦୮ ମସିହା, ଅକ୍ଟୋବର ୭ ତାରିଖରେ ସିଙ୍ଗାପୁରରୁ ପର୍ଥ ଅଭିମୁଖେ ଯାତ୍ରା କରୁଥିବା ‘କ୍ୟୁଏଫ୍ ୭୫’ ବିମାନଟି ହଠାତ୍ ଯାନ୍ତ୍ରିକ ତ୍ରୁଟି ପ୍ରଦର୍ଶନ କରି ନିମ୍ନଗାମୀ ହେବାକୁ ଲାଗିଥିବା ବେଳେ ସଲିଭାନ ତାଙ୍କ ଅନନ୍ୟ ବିଚକ୍ଷଣତାର ପରିଚୟ ଦେଇ କୌଣସି ପ୍ରକାରେ ବିମାନଟିକୁ ନିରାପଦରେ ଅବତରଣ କରି ୩୩୫ ଜଣ ଆରୋହୀଙ୍କ ଜୀବନ ରକ୍ଷା କରି ପାରିଥିଲେ। ସେହି ପୁସ୍ତକରେ ବର୍ଣ୍ଣିତ ଅଛି କିଭଳି ଏ-୩୩୦ ବୋଇ˚ ବିମାନରେ ଖଞ୍ଜା ଯାଇଥିବା ଅତ୍ୟାଧୁନିକ ଓ ଅତ୍ୟନ୍ତ ସୂକ୍ଷ୍ମ ତଥା ଜଟିଳ ଯନ୍ତ୍ରପାତି ମଧୢ ତ୍ରୁଟି ପ୍ରଦର୍ଶନ କରିବାର ସମ୍ଭାବନା ବହନ କରନ୍ତି ଓ ତହିଁରେ ସନ୍ନିବେଶିତ ଦୁର୍ଭେଦ୍ୟ ପ୍ରଯୁକ୍ତି କିଭଳି ଜଣେ ପାଇଲଟ୍କୁ ଅତ୍ୟନ୍ତ ଅସହାୟ ମଧ୍ୟ କରିଦେଇପାରେ। କକ୍ପିଟ୍ରେ ପ୍ରଯୁକ୍ତି ଓ ମନୁଷ୍ୟର ଭୂମିକାରେ ଏକ ତାଳମେଳ ରହିବା ଉପରେ ସଲିଭାନ ଗୁରୁତ୍ବ ଆରୋପ କରିଥାଆନ୍ତି।
ଉଲ୍ଲେଖ ଥାଉ କି ‘କ୍ୟୁଏଫ୍ ୭୫’ର ଅଘଟଣ ସଲିଭାନଙ୍କୁ ଏଭଳି ଦୋହଲାଇ ଦେଇଥିଲା ଯେ ତା’ ପରେ ସେ ବିମାନ ଚାଳନାରୁ ଅବ୍ୟାହତି ନେଇଥିଲେ। ଏହା ସହିତ ସେ ଇଙ୍ଗିତ କରି ଯାଇଛନ୍ତି ଯେ ଏହି ଯନ୍ତ୍ର ବିହଙ୍ଗର ପ୍ରକୃତ ମସ୍ତିଷ୍କ ହେଉଛି ପାଇଲଟ୍ ପଦଧାରୀ ମନୁଷ୍ୟ, ଯିଏ ଯନ୍ତ୍ରପାତିଗୁଡ଼ିକ ଭଳି ଯାନ୍ତ୍ରିକ ହୋଇ ନ ପାରିବା କାରଣରୁ ମାନସିକ ଚାପଗ୍ରସ୍ତ ହୋଇପାରେ; ଏବ˚ ତା’ର ମର୍ମ ବେଦନାକୁ ହୃଦୟଙ୍ଗମ କରିବା ଏବ˚ ସମ୍ବେଦନଶୀଳତାର ସହ ଶୁଣି ତା’ର ଉପଶମ କରିବା ପ୍ରତ୍ୟେକ ବିମାନ କ˚ପାନି କର୍ତ୍ତୃପକ୍ଷଙ୍କ ସର୍ବ ପ୍ରମୁଖ ଦାୟିତ୍ବ ହେବା ଉଚିତ।