ହୁଏତ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଖାଉଟି ମୁଦ୍ରାସ୍ଫୀତି ହାର ପ୍ରାସଙ୍ଗିକ ହୋଇଥିବାରୁ ଏବଂ ପାଇକାରୀ ମୁଦ୍ରାସ୍ଫୀତି ହାର ଠାରୁ ଏହା ନୀଚା ହୋଇଥିବାରୁ, ଏହା କର୍ତ୍ତୃପକ୍ଷଙ୍କ ପାଇଁ ସାମୟିକ ସାନ୍ତ୍ବନାର କାରଣ ହୋଇଥାଇପାରେ। କିନ୍ତୁ ଉପରେ ଦର୍ଶାଯାଇଥିବା ଭଳି ପାଇକାରୀ ମୁଦ୍ରାସ୍ଫୀତି ଯେଉଁ ଭଳି ଉଚ୍ଚ ସ୍ତର ଦଖଲ କରି ରହିଛି, ତାହା ସୂଚାଇଥାଏ ଯେ ମୁଦ୍ରାସ୍ଫୀତି ଅର୍ଥନୀତିର ସମଗ୍ର ଶରୀରରେ ସଞ୍ଚରି ଯିବାକୁ ଆରମ୍ଭ କଲାଣି। ଉଚ୍ଚା ପାଇକାରୀ ଦର ଦ୍ବାରା ପ୍ରଭାବିତ ଉତ୍ପାଦନକାରୀମାନେ ଏହାକୁ ଖାଉଟିମାନଙ୍କ ମୁଣ୍ଡ ଉପରକୁ ଠେଲି ଦେଲେ ଖାଉଟି ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଥାଏ।
ଭାରତରେ ମୁଦ୍ରାସ୍ଫୀତି ପରିସ୍ଥିତି ବର୍ତ୍ତମାନ ଚିନ୍ତାଜନକ ହେଲାଣି ବୋଲି ସ୍ବୀକାର କରିବାକୁ ହେବ। ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ହାର ହୋଇଛି ୧୪.୫୫ ଶତାଂଶ, ଯାହା ଚାରିମାସ ମଧ୍ୟରେ ସର୍ବୋଚ୍ଚ ହେବା ସହିତ ୨୦୦୩-୦୪ ପର ଠାରୁ ହେଉଛି ଦ୍ବିତୀୟ ସର୍ବୋଚ୍ଚ ହାର। ଖାଉଟି ମୁଦ୍ରାସ୍ଫୀତି ହାର (‘ସିପିଆଇ’) ଏହି ସମୟରେ ହୋଇଛି ୬.୯୫ ଶତାଂଶ, ଯାହା ହେଉଛି ବିଗତ ୧୭ ମାସ ମଧ୍ୟରେ ସର୍ବୋଚ୍ଚ। ଏଠାରେ ସୂଚନାଯୋଗ୍ୟ ଯେ ପାଇକାରୀ ମୁଦ୍ରାସ୍ଫୀତି ହାର (‘ଡବ୍ଲ୍ୟୁପିଆଇ’) ଉତ୍ପାଦନକାରୀଙ୍କୁ ପ୍ରଭାବିତ କରୁଥିବା ଦରଦାମରେ ପରିବର୍ତ୍ତନ ସମ୍ବନ୍ଧରେ ସୂଚନା ପ୍ରଦାନ କରୁଥିବା ବେଳେ, ଖାଉଟି ମୁଦ୍ରାସ୍ଫୀତି ହାର ଖାଉଟିମାନଙ୍କୁ ପ୍ରଭାବିତ କରୁଥିବା ଦରଦାମରେ ପରିବର୍ତ୍ତନକୁ ଅନୁସରଣ କରିଥାଏ। ପାଇକାରୀ ମୁଦ୍ରାସ୍ଫୀତି ସୂଚନାରେ ନିର୍ମିତ ଦ୍ରବ୍ୟମାନଙ୍କୁ ଅଧିକ ଓଜନ ଦିଆଯାଇଥାଏ; ଖାଉଟି ମୁଦ୍ରାସ୍ଫୀତି ସୂଚନାରେ ଅପର ପକ୍ଷେ ଖାଦ୍ୟଦ୍ରବ୍ୟମାନଙ୍କୁ ଅଧିକ ଓଜନ ଦିଆଯାଇଥାଏ। ପାଇକାରୀ ମୁଦ୍ରାସ୍ଫୀତି ହାରରେ ସେବା ସବୁର ଦରଦାମରେ ପରିବର୍ତ୍ତନ ପ୍ରତିଫଳିତ ହୋଇ ନ ଥାଏ।
ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ୍ ୨୦୨୧ ପର ଠାରୁ ପାଇକାରୀ ମୁଦ୍ରାସ୍ଫୀତି ହାର ଲଗାତାର ଦୁଇଅଙ୍କ ବିଶିଷ୍ଟ ରହି ଆସି ମାର୍ଚ୍ଚ ୨୦୨୨ରେ କ୍ରମାଗତ ଦ୍ବାଦଶ ମାସ ପାଇଁ ସେହି ଉଚ୍ଚା ଧାରା ବଜାୟ ରଖିଛି। ଏହାର ଫଳ ସ୍ବରୂପ ୨୦୨୧-୨୨ ବିତ୍ତବର୍ଷ ପାଇଁ ଦେଶରେ ହାରାହାରି ପାଇକାରୀ ମୁଦ୍ରାସ୍ଫୀତି ହାର ହୋଇଛି ପ୍ରାୟ ୧୩ ଶତାଂଶ। ଏହି ପରିସଂଖ୍ୟାନଟି ହେଉଛି ତାତ୍ପର୍ଯ୍ୟପୂର୍ଣ୍ଣ, କାରଣ ବିଗତ ତିନି ଦଶନ୍ଧି ମଧ୍ୟରେ ଏହି ପାଇକାରୀ ମୁଦ୍ରାସ୍ଫୀତି ହାର ହେଉଛି ସର୍ବୋଚ୍ଚ ବାର୍ଷିକ ହାରାହାରି ହାର। ଖାଉଟି ମୁଦ୍ରାସ୍ଫୀତି ହାରରେ ଗତ ସେପ୍ଟେମ୍ବର ଠାରୁ ଯେଉଁ ବୃଦ୍ଧି ଦେଖାଯିବାକୁ ଆରମ୍ଭ କରିଥିଲା, ତାହା ରିଜର୍ଭ ବ୍ୟାଙ୍କ୍କୁ ଆଶଙ୍କାଗ୍ରସ୍ତ କରି ରଖି ଆସିଛି ଯେ ନିର୍ଦ୍ଧାରିତ ସର୍ବୋଚ୍ଚ ସୀମା ୬.୦ ଶତାଂଶ ଲଂଘନ କରି ତାକୁ ସୁଧ ହାରରେ ବୃଦ୍ଧି ଘଟାଇବାକୁ ବାଧ୍ୟ କରିବ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (‘ଏନ୍ଏସ୍ଓ’) ଦ୍ବାରା ପ୍ରକାଶିତ ସୂଚନା ଅନୁସାରେ ଏ ବର୍ଷ ଜାନୁଆରିରେ ତାହା ୬.୦୧ ଶତାଂଶ ହୋଇଥିବା ବେଳେ, ଫେବ୍ରୁଆରିରେ ହୋଇଥିଲା ୬.୦୭ ଶତାଂଶ। ଏହାର ଅର୍ଥ ମାର୍ଚ୍ଚ ପାଇଁ ଉପରୋକ୍ତ ଖାଉଟି ମୁଦ୍ରାସ୍ଫୀତି ହାର ଦର୍ଶାଉଛି ଯେ ଚଳିତ ବର୍ଷର ପ୍ରଥମ ତିନିମାସ ଧରି ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ବିପଦସଂକେତ ଲଂଘନ କରି ଚାଲିଛି। ନିକଟ ଅତୀତରେ ମୁଦ୍ରାସ୍ଫୀତିରେ ଏ ଯେଉଁ ଊର୍ଦ୍ଧ୍ବ ଗତି ଦେଖାଯାଇଛି, ତାହା ପଛରେ ନିହିତ ଥିବା ମୁଖ୍ୟ କାରଣ ହେଉଛି ୟୁକ୍ରେନ୍ ଯୁଦ୍ଧ ଓ ତଜ୍ଜନିତ ଯୋଗାଣ ଶୃଙ୍ଖଳ ସମସ୍ୟା। ଅବିନ୍ୟସ୍ତ ଯୋଗାଣ ଶୃଙ୍ଖଳ ଯୋଗୁଁ ଅଶୋଧିତ ତୈଳ ଓ ତୈଳ ସମ୍ପର୍କିତ ପଦାର୍ଥମାନଙ୍କ ସହିତ ଅନ୍ୟାନ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ପଦାର୍ଥମାନଙ୍କର ଦରଦାମରେ ମଧ୍ୟ ବୃଦ୍ଧି ଘଟିଛି, ଯାହା ମୁଦ୍ରାସ୍ଫୀତି ଉପରେ ଚାପ ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପାଇକାରୀ ମୁଦ୍ରାସ୍ଫୀତି ସମ୍ବନ୍ଧରେ ଜାରି କରିଥିବା ବିବୃତିରେ ଏହା ସ୍ପଷ୍ଟ ହୋଇଛି। ସେଥିରେ କୁହାଯାଇଛି ଯେ ମାର୍ଚ୍ଚ ୨୦୨୨ରେ ଦେଖାଯାଇଥିବା ଉଚ୍ଚା ମୁଦ୍ରାସ୍ଫୀତି ହାର ପାଇଁ ଯେଉଁ କାରଣ ହେଉଛି ମୁଖ୍ୟତଃ ଦାୟୀ, ତାହା ହେଉଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଅଶୋଧିତ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ, ଖଣିଜ ତୈଳ, ମୌଳିକ ଧାତୁ ଆଦିର ଦରରେ ଘଟିଥିବା ବୃଦ୍ଧି। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଯୁଦ୍ଧ ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଯୋଗାଣ ଶୃଙ୍ଖଳ ଏହି ଦର ବୃଦ୍ଧି ପାଇଁ ଦାୟୀ।
ୟୁକ୍ରେନ୍ ହେଉଛି ସୂର୍ଯ୍ୟମୁଖୀ ତେଲର ଏକ ପ୍ରମୁଖ ରପ୍ତାନିକାରୀ। ଯୁଦ୍ଧ ଯୋଗୁଁ ତାହା ସ୍ବାଭାବିକ ଭାବରେ ବ୍ୟାହତ ହୋଇଛି। ତେଣୁ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ମାର୍ଚ୍ଚରେ ତୈଳ ଓ ଚର୍ବିଜାତୀୟ ଦ୍ରବ୍ୟ (ଅଏଲ୍ସ ଆଣ୍ଡ୍ ଫ୍ୟାଟ୍ସ)ରେ ଦରଦାମ ବୃଦ୍ଧି ହାର ହୋଇଛି ୧୮.୭୯ ଶତାଂଶ, ଯାହା ଖାଉଟି ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିଛି। ଏହା ଅବଶ୍ୟ ଜଣାଶୁଣା ଯେ ଖାଉଟି ମୁଦ୍ରାସ୍ଫୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥିବା ଖାଦ୍ୟ ଓ ଇନ୍ଧନ ଆଦିର ଦର ଦ୍ରୁତ ପରିବର୍ତ୍ତନଶୀଳ ହୋଇଥା’ନ୍ତି। ସେଇଥିପାଇଁ ଖାଉଟି ମୁଦ୍ରାସ୍ଫୀତି ହିସାବରୁ ଏଗୁଡ଼ିକୁ ବାଦ୍ ଦେଲେ ଯାହା ରହିଥାଏ, ତାହାକୁ ମଞ୍ଜ ମୁଦ୍ରାସ୍ଫୀତି (କୋର୍ ଇନ୍ଫ୍ଲେସନ୍) ରୂପେ ବିଚାର କରାଯାଇଥାଏ। ମାର୍ଚ୍ଚରେ ଖାଦ୍ୟଦ୍ରବ୍ୟ ଦରଦାମ ବୃଦ୍ଧି ସାମାନ୍ୟ ଶିଥିଳ ହୋଇଥିଲେ ମଧ୍ୟ ମଞ୍ଜ ମୁଦ୍ରାସ୍ଫୀତି ଫେବ୍ରୁଆରିରେ ୧୦ ଶତାଂଶ ଥିବା ବେଳେ ମାର୍ଚ୍ଚରେ ବୃଦ୍ଧି ପାଇ ୧୦.୯ ଶତାଂଶ ହେବା ଦେଖା ଯାଇଛି।
ଏ ସବୁ ଆମ ପାଇଁ ଯଥେଷ୍ଟ ଚିନ୍ତାର କାରଣ ରୂପେ ଉଭା ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିକଟରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (‘ଆଇଏମ୍ଏଫ୍’) ସମ୍ମିଳନୀରେ ଅଂଶ ଗ୍ରହଣ କରିବା ଅବସରରେ ଏହା ସ୍ବୀକାର କରିବା ସଙ୍ଗେ ସଙ୍ଗେ ତଥାପି ଭାରତରେ ମୁଦ୍ରାସ୍ଫୀତି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇ ନାହିଁ ବୋଲି ଆଶ୍ବାସନା ଦେଇଛନ୍ତି। ନିୟମ ଅନୁସାରେ ଖାଉଟି ମୁଦ୍ରାସ୍ଫୀତି ହାର ଲାଗ ଲାଗ ତିନିମାସ ଧରି ଯଦି ୬.୦ ଶତାଂଶ ହାର ଠାରୁ ଅଧିକ ରହେ ତେବେ ଆଉ ବିଳମ୍ବ ନ କରି ତାହାକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବାରେ ଆଉ ବିଳମ୍ବ କରାଯାଇପାରିବ ନାହିଁ। କିନ୍ତୁ ଅର୍ଥମନ୍ତ୍ରୀଙ୍କର ମନ୍ତବ୍ୟରୁ ଯେଉଁ ଧାରଣା ସୃଷ୍ଟି ହେଉଛି, ତାହା ହେଲା ବର୍ତ୍ତମାନ ଅଭିବୃଦ୍ଧି ହାସଲର ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ମୁଦ୍ରାସ୍ଫୀତିର ସୀମା ଲଂଘନ ସତ୍ତ୍ବେ, ତାହା ଯଦି ଅତିରିକ୍ତ ନ ହୋଇଥାଏ, ତେବେ ନିୟନ୍ତ୍ରଣକୁ ଆଉ କିଛି କାଳ ବିଳମ୍ବିତ କରାଯିବା ଉଚିତ ହେବ।
ହୁଏତ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଖାଉଟି ମୁଦ୍ରାସ୍ଫୀତି ହାର ପ୍ରାସଙ୍ଗିକ ହୋଇଥିବାରୁ ଏବଂ ପାଇକାରୀ ମୁଦ୍ରାସ୍ଫୀତି ହାର ଠାରୁ ଏହା ନୀଚା ହୋଇଥିବାରୁ, ଏହା କର୍ତ୍ତୃପକ୍ଷଙ୍କ ପାଇଁ ସାମୟିକ ସାନ୍ତ୍ବନାର କାରଣ ହୋଇଥାଇପାରେ। କିନ୍ତୁ ଉପରେ ଦର୍ଶାଯାଇଥିବା ଭଳି ପାଇକାରୀ ମୁଦ୍ରାସ୍ଫୀତି ଯେଉଁ ଭଳି ଉଚ୍ଚ ସ୍ତର ଦଖଲ କରି ରହିଛି, ତାହା ସୂଚାଇଥାଏ ଯେ ମୁଦ୍ରାସ୍ଫୀତି ଅର୍ଥନୀତିର ସମଗ୍ର ଶରୀରରେ ସଞ୍ଚରି ଯିବାକୁ ଆରମ୍ଭ କଲାଣି। ଉଚ୍ଚା ପାଇକାରୀ ଦର ଦ୍ବାରା ପ୍ରଭାବିତ ଉତ୍ପାଦନକାରୀମାନେ ଏହାକୁ ଖାଉଟିମାନଙ୍କ ମୁଣ୍ଡ ଉପରକୁ ଠେଲି ଦେଲେ ଖାଉଟି ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଥାଏ। କୋଭିଡ୍ ପାଣ୍ଡେମିକ୍ରୁ ମୁକୁଳିବାକୁ ଆରମ୍ଭ କରିଥିବା ଭାରତୀୟ ଅର୍ଥନୀତିରେ ସାମଗ୍ରିକ ଚାହିଦା ଏବେ ବି ଦୁର୍ବଳ ଅବସ୍ଥାରେ ଅଛି। ଏହି ସମୟରେ ଉତ୍ପାଦନକାରୀମାନେ ସେମାନଙ୍କ ଦ୍ରବ୍ୟର ଦର ବୃଦ୍ଧି ଘଟାଇଲେ, ଚାହିଦା ଅଭାବରୁ ବିକ୍ରୟ ପରିମାଣ ସୀମିତ ହେବ। ତେଣୁ ସେମାନେ ହୁଏତ ଖାଉଟି ଦରଦାମ ଉପରେ ଚାପ ସୃଷ୍ଟି ପାଇଁ ଆଉ କିଛି କାଳ ଅପେକ୍ଷା କରି ପାରନ୍ତି।
କିନ୍ତୁ ମନେରଖିବାକୁ ହେବ ଯେ ନିର୍ମାଣ ବା ‘ମାନୁଫାକ୍ଚରିଙ୍ଗ୍’ ହେଉଛି ପାଇକାରୀ ମୁଦ୍ରାସ୍ଫୀତି ସୂଚକାଙ୍କର ଏକ ପ୍ରମୁଖ ଅଂଶ। ଉପରବର୍ଣ୍ଣିତ ଯୋଗାଣ ଶୃଙ୍ଖଳରେ ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁଁ ତୈଳ ଦର ଉପରେ ନିର୍ଭରଶୀଳ ମାନୁଫାକ୍ଚରିଙ୍ଗ୍ର ଏକ ମୁଖ୍ୟ ଉପାଦାନ ପରିବହନ ଖର୍ଚ୍ଚରେ ନିକଟ ଭବିଷ୍ୟତ୍ରେ ଶିଥିଳତା ଦେଖାଯିବାର ସମ୍ଭାବନା କ୍ଷୀଣ ମନେ ହେଉଛି। ଏଣୁ ଉତ୍ପାଦନକାରୀମାନେ ଅବଶେଷରେ ଖାଉଟି ଦ୍ରବ୍ୟର ଦରରେ ବୃଦ୍ଧି ଘଟାଇବାକୁ ବାଧ୍ୟ ହେବେ। କୋଭିଡ୍ର ଅନ୍ୟ ଏକ ପ୍ରଭାବ ଯୋଗୁଁ ଏପରି ଘଟିବାର ସମ୍ଭାବନାରେ ମଧ୍ୟ ବୃଦ୍ଧି ଘଟିଛି ବୋଲି କୁହାଯାଇପାରେ। କୋଭିଡ୍ ଯୋଗୁଁ ଦେଶର ଯେଉଁ ଉତ୍ପାଦନକାରୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନେ ହେଉଛନ୍ତି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗମାନ, ଯେଉଁମାନଙ୍କର ଦରଦାମରେ ବୃଦ୍ଧି ଘଟାଇବା କ୍ଷମତା ହେଉଛି ସୀମିତ। କୋଭିଡ୍ରୁ ବର୍ତ୍ତି ଯିବାରେ ଯେଉଁମାନେ ସକ୍ଷମ ହୋଇଛନ୍ତି, ସେମାନେ ହେଉଛନ୍ତି ବୃହତ୍ ଉଦ୍ୟୋଗମାନ, ଯେଉଁମାନଙ୍କର ଦର ବୃଦ୍ଧି କ୍ଷମତା ହେଉଛି ଅଧିକ। ଏଣୁ ଆଗାମୀ ଦିନରେ ଏମାନଙ୍କ ଆଚରଣ ଯୋଗୁଁ ଉଚ୍ଚ ପାଇକାରୀ ମୁଦ୍ରାସ୍ଫୀତି ଉଚ୍ଚ ଖାଉଟି ମୁଦ୍ରାସ୍ଫୀତିରେ ରୂପାନ୍ତରିତ ହେବାର ଦୃଢ଼ ସମ୍ଭାବନା ରହିଛି। ସୀତାରମଣ ବା ଶକ୍ତିକାନ୍ତ ଏହା ମନେରଖିବା ଉଚିତ।