ସୋଭିଏତ୍ ୟୁନିୟନ୍ ପାଇଁ ଗୋଟିଏ ଶାସନ ସ˚ହିତା ପ୍ରଣୟନ କରିବାକୁ ୧୯୩୫ ମସିହାର ଆଦ୍ୟ ପାଦରେ ସୋଭିଏତ୍ ରାଷ୍ଟ୍ର ସ˚ଘର କେନ୍ଦ୍ରୀୟ କାର୍ଯ୍ୟ ନିର୍ବାହକ କମିଟି ୩୧ ଜଣ ସଦସ୍ୟଙ୍କୁ ନିଯୁକ୍ତ କଲେ। ଉକ୍ତ କମିଟିର ଅଧ୍ୟକ୍ଷ ଥିଲେ ଷ୍ଟାଲିନ୍। ଏହା ଏକ ଅତ୍ୟନ୍ତ କଠିନ ବ୍ୟାପାର ଥିଲା। ଏହାର ବେର୍ଷ ପରେ ଅର୍ଥାତ୍ ୧୯୩୬ ମସିହା ଜୁନ୍ ମାସରେ ତାହା ପ୍ରକାଶିତ ହେଲା। ରୁଷିଆର ଜନସାଧାରଣ ତାହାକୁ ପାଠ କରିବା ପରେ ସ˚ଶୋଧନ ପାଇଁ ୧ ଲକ୍ଷ ୫୪ ହଜାର ସ˚ଶୋଧନ ପ୍ରସ୍ତାବ ଆସିଥିଲା। ଚିଠା ସମ୍ବିଧାନ ପାଠ କରିବା ଓ ସ˚ଶୋଧନ ପ୍ରସ୍ତାବ ଗ୍ରହଣ କରିବା ପାଇଁ ୫୦୦ ବାର ଅଧିବେଶନ ବସିଥିଲା। ଶେଷରେ, ସୋଭିଏତ୍ ସମାଜବାଦୀ ସାଧାରଣତନ୍ତ୍ର ଗୋଟିଏ ଫେଡେରାଲ୍ ଷ୍ଟେଟ୍ ଭାବରେ ୧୫ଟି ଅ˚ଶୀଦାର ସାଧାରଣତନ୍ତ୍ରକୁ ନେଇ ଗଠିତ ହୋଇଥିଲା। ସେମାନଙ୍କ ଭିତରେ ୟୁକ୍ରେନ୍ ସୋଭିଏତ୍ ସମାଜବାଦୀ ସାଧାରଣତନ୍ତ୍ର ଥିଲା ଅନ୍ୟତମ। ଏହି ସବୁ ସୋଭିଏତ୍ ସାଧାରଣତନ୍ତ୍ରମାନଙ୍କର ଗୋଟିଏ ମିଳିତ ଉଦ୍ଘୋଷଣା ଥିଲା। ଏହି ମିଳିତ ସରକାରଙ୍କର ରାଜଧାନୀ ମସ୍କୋ ଠାରେ ରହିବା ସ୍ଥିର ହୋଇଗଲା।
ସୋଭିଏତ୍ ରାଷ୍ଟ୍ର ସ˚ଘର ଆୟତନ ଥିଲା ୮,୫୯୯,୭୭୬ ବର୍ଗମାଇଲ ଏବ˚ ଏହା ମଧୢ ପୃଥିବୀର ବୃହତ୍ତମ ଦେଶ ପରି ଥିଲା। ଏହି ରାଷ୍ଟ୍ର ସ˚ଘର ଅଧୀନରେ ସମଗ୍ର ପୃଥିବୀର ୧୫ ଶତା˚ଶ ବାସଭୂମି ଥିଲା ଏବଂ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଯୁକ୍ତରାଷ୍ଟ୍ର ଆମେରିକାର ଭୂ-ଭାଗ ଆୟତନର ଏହା ଥିଲା ଅଢ଼େଇ ଗୁଣ ଅଧିକ। ଏହି ରାଷ୍ଟ୍ର ସଂଘରେ ବାସ କରୁଥିଲେ ୧୦୯ଟି ଜାତୀୟତାର ଲୋକ। ତେବେ, ବିଶ୍ବ ସ୍ତରରେ ଏବଂ ଜାତିସ˚ଘରେ ସୋଭିଏତ୍ ରାଷ୍ଟ୍ର ସ˚ଘର ପ୍ରଭାବ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ଶକ୍ତିମାନଙ୍କୁ ପ୍ରାୟ ଆଠ ଦଶାବ୍ଦୀ ଧରି ଈର୍ଷା ଜର୍ଜର କରି ରଖିଥିଲା। ସେମାନେ ଚାହୁଥିଲେ ମସ୍କୋକୁ ଦୁର୍ବଳ କରିବା ଲାଗି, ତାହାର ଆର୍ଥିକ ଓ ସାମରିକ ଶକ୍ତିକୁ ଖର୍ବ କରିବା ଲାଗି। ମିଖାଇଲ ଗୋର୍ବାଚୋଭ ଏ ଦିଗରେ ପ୍ରଥମ କାର୍ଯ୍ୟ କଲେ। ଗ୍ଲାସ୍୍ନୋଷ୍ଟ ଏବଂ ପେରେଷ୍ଟ୍ରୋଇକା ଆଧାରରେ ସଂସ୍କାରମୂଳକ ନୀତି ଅନୁସରଣ କରି ସୋଭିଏତ୍ର ଅସ୍ତିତ୍ବ ଉପରେ ପ୍ରହାର କଲେ। ସଂଘର ବିଲୟ ଘଟିଲା ଏବଂ ଅନେକ ରାଷ୍ଟ୍ର ସ୍ବତନ୍ତ୍ର ହୋଇଗଲେ। ଏମାନଙ୍କ ମଧ୍ୟରେ ଥିଲା ୟୁକ୍ରେନ୍। ଏବେ ମନେ ହୋଇଥାଏ ଯେ ୟୁକ୍ରେନ୍ ସୋଭିଏତ୍ ଶକ୍ତିକୁ ଖର୍ବ କରିବା ଲାଗି ହୋଇଥିବା ଚକ୍ରାନ୍ତରେ ଏକ କ୍ରୀଡ଼ନକ ରୂପେ ବ୍ୟବହୃତ ହେଲା କି?
ମୂଳ ସୋଭିଏତ୍ ସମ୍ବିଧାନରେ ସୋଭିଏତ୍ ଲ୍ୟାଣ୍ତ୍ ପାଇଁ ସହମତି ଭିତ୍ତିରେ ପ୍ରସ୍ତୁତ ହୋଇଥିବା ପ୍ରଥମ ଉଦ୍ଘୋଷଣରେ ଥିଲା ଯେ ଜନସାଧାରଣଙ୍କ ମଙ୍ଗଳ ଓ ଅଭିବୃଦ୍ଧି, କେବଳ ୟୁନିୟନ୍ର ଅଭିବୃଦ୍ଧି, ମଙ୍ଗଳ ଓ ଶକ୍ତି ଉପରେ ନିର୍ଭରଶୀଳ। ଏହି ରାଷ୍ଟ୍ର ସଂଘ ଭଙ୍ଗୁର ନୁହେଁ, କୌଣସି ଅ˚ଶୀଦାର ଏହି ଆଦର୍ଶରୁ ବିଚ୍ଛିନ୍ନ ହୋଇ ପାରିବ ନାହିଁ। ପ୍ରକାଶ ଥାଉ କି ରୁଷିଆ ସହିତ ରହିଥିବା ଚେଚନ୍ୟା ବା ବୁରୟାସିଆ ବା ଡେଗାସ୍ତାନ ଭଳି ଯେଉଁ ଆଠଟି ରାଷ୍ଟ୍ର ଏବେ ରୁଷିଆ ଫେଡେରେସନ୍ରେ ଅଛନ୍ତି ସେଠାରେ ଷ୍ଟାଲିନ୍ଙ୍କ ସମ୍ବିଧାନ ଏବେ ବି ପ୍ରଚଳିତ ରହିଛି। ୟୁକ୍ରେନ୍, ସୋଭିଏତ୍ ରାଷ୍ଟ୍ର ସ˚ଘରୁ ପୃଥକ୍ ହେବାକୁ ସ୍ଥିର କରିବା ମସ୍କୋ ଲାଗି ଏକ ଧକ୍କା ହୋଇଥିବ। କାରଣ ସୋଭିଏତ୍ ୟୁନିୟନ୍ରେ ସବୁଠାରୁ ବଡ଼ ରାଷ୍ଟ୍ର ରୁଷିଆ ପଛକୁ ଅଧିକ ପ୍ରଭାବଶାଳୀ ଥିଲା ୟୁକ୍ରେନ୍। ଏହାର ଆକାର ମଧ୍ୟ ଥିଲା ବିଶାଳ। ତେଣୁ ଏହା ସ୍ବାଭାବିକ ଯେ ସୋଭିଏତ୍ର ବିଲୟ ପରେ ରୁଷିଆ ଚାହିଁଥିବ ଯେ ଏକଦା ତା’ର ଭାଇ ଥିବା ୟୁକ୍ରେନ୍ ତା’ ପ୍ରତି ଅନୁଗତ ରହୁ। କିନ୍ତୁ ଦେଖାଗଲା ଯେ ଆନୁଗତ୍ୟ ତ ଦୂରର କଥା ୟୁକ୍ରେନ୍ ଦ୍ବାରା ସୋଭିଏତ୍ର ପରମ ଶତ୍ରୁ ‘ନାଟୋ’ ମେଣ୍ଟ ଉପରେ ଅଧିକ ଆସ୍ଥା ସ୍ଥାପନ କରାଗଲା। ‘ନାଟୋ’ ମଧ୍ୟ ୟୁକ୍ରେନ୍କୁ ଏକ ସାମରିକ ଘାଟି ଭାବେ ବ୍ୟବହାର କରିବାକୁ ଚାହିଁଲା, ଯାହା ରୁଷିଆ ଫେଡେରେସନ ଲାଗି ବିପଦର କାରଣ ହୁଅନ୍ତା ଏବଂ ଯାହା ସେମାନଙ୍କ ଲାଗି ଆଦୌ ଗ୍ରହଣୀୟ ନ ଥିଲା। ତେଣୁ ସତ କହିଲେ ୟୁକ୍ରେନ୍ ରୁଷିଆ ବିରୋଧୀ ଚକ୍ରାନ୍ତରେ ଫସି ଯାଇଛି। କଥାରେ ଅଛି ଭାଇ ଯଦି ଭଗାରି ହୁଏ, ତେବେ ଶତ୍ରୁତା ସବୁଠାରୁ ଅଧିକ ଚରମ ହୋଇଥାଏ। ତେଣୁ ରୁଷିଆ ଏବଂ ୟୁକ୍ରେନ୍ ଯୁଦ୍ଧରେ ତାହା ହିଁ ଦେଖିବାକୁ ମିଳୁଛି। ଉଭୟ ନିଜ ଜିଦିରେ ଅଟଳ। ରୁଷିଆର ରାଷ୍ଟ୍ରପତି ନିଜ ମନରୁ ଷ୍ଟାଲିନ୍ଙ୍କ ସଂବିଧାନର ଉଦ୍ଘୋଷଣାକୁ ଦୂରେଇ ପାରୁ ନାହାନ୍ତି, ଯାହା କହିଥାଏ ଯେ ସୋଭିଏତ୍ ସଂଘ ଅଭଙ୍ଗ!
ଏ ପରିପ୍ରେକ୍ଷୀରେ ଆମେରିକା ମଧୢ ଭୁଲିଯିବା ଉଚିତ ନୁହେଁ ଯେ ତାହା ମଧ୍ୟ ଏକ ୟୁନିୟନ୍ ଅଫ ଷ୍ଟେଟସ୍ ବା ଏକ ରାଷ୍ଟ୍ର ସଂଘ। ତେଣୁ ୱାସିଂଟନ, ଲଣ୍ତନ, ବେଜିଂ ଓ ନୂଆଦିଲ୍ଲୀ ସମସ୍ତେ ଛକାପଞ୍ଝା ନୀତି ପରିହାର କରି ଏକତ୍ର ଗୋଟିଏ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ, ଯାହା ହେଲା ଯୁଦ୍ଧ ବନ୍ଦ ହେଉ। ତା’ ପରେ ସମାଧାନ ପାଇଁ ରାସ୍ତା ଉନ୍ମୁକ୍ତ ହୋଇଯିବ। ଅନ୍ୟଥା, ମାନବ ଜାତି ଏହି ସବୁ ଦେଶମାନଙ୍କୁ ଏକ ଦାରୁଣ ବିପର୍ଯ୍ୟୟର ଦେଖଣାହାରି ଭାବେ ମନେ ରଖିବ।
ମୋ- ୯୭୭୭୨୦୫୬୮୪