ଦ୍ବିଧାଗ୍ରସ୍ତ ଗଧ

ନିର୍ଣ୍ଣାୟକ ନିଷ୍ପତ୍ତି ଆବଶ୍ୟକ କରୁଥିବା କୌଣସି ଏକ ଚରମ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ଯଦି ଏକ ଦ୍ବିଧାଗ୍ରସ୍ତ ଅବସ୍ଥା ଯୋଗୁଁ ସମ୍ଭବ ନ ହୁଏ, ତା’ହେଲେ ତା’ର ଅନ୍ତିମ ପରିଣତି କିପରି କରୁଣ ଓ ମର୍ମନ୍ତୁଦ ହୋଇପାରେ, ଏକ କାଳ୍ପନିକ ଗଧର ଏତାଦୃଶ ଆଚରଣକୁ ଉପଲକ୍ଷ୍ୟ କରି ଚତୁର୍ଦ୍ଦଶ ଶତାବ୍ଦୀର ଫରାସୀ ଦାର୍ଶନିକ ଜାଁ ବୁରିଡାନ୍ ତାହାର ଯେଉଁ ଚିତ୍ର ପ୍ରଦାନ କରିଥିଲେ, ତାହା ଏବେ ମଧ୍ୟ ନିଷ୍ପତ୍ତି-ତତ୍ତ୍ବରୁ କୃତ୍ରିମ ମେଧା କ୍ଷେତ୍ର ପର୍ଯ୍ୟନ୍ତ ପ୍ରାସଙ୍ଗିକ ହୋଇ ରହିଛି। ଆଉ ଏଥିପାଇଁ ବୁରିଡାନ୍‌ଙ୍କୁ ସମ୍ମାନ ଓ ସ୍ବୀକୃତି ପ୍ରଦାନ ସ୍ବରୂପ ସେଇ ଗଧଟିକୁ ଯେଉଁ ନାମରେ ସମ୍ବୋଧନ କରାଯାଇଥାଏ, ତାହା ହେଲା- ‘ବୁରିଡାନ୍‌ଙ୍କ ଗଧ’। ଏକ ସମୟରେ ସମାନ ଭାବରେ ଭୋକ ଓ ଶୋଷ ଲାଗୁଥିବା ଏହି ଗଧଟି ପାଇଁ ଖାଇବାକୁ ଘାସବିଡ଼ା ଓ ପିଇବାକୁ ପାଣିକୁଣ୍ଡ ଉପଲବ୍‌ଧ ଅଛି; କିନ୍ତୁ ସେ ପ୍ରଥମେ ଖାଇବ କି ପ୍ରଥମେ ପିଇବ, ତାହା ସ୍ଥିର କରି ନ ପାରି ସେଇ ଗୋଟିଏ ସ୍ଥାନରେ ନିଶ୍ଚଳ ଭାବରେ ଛିଡ଼ା ହୋଇ ରହି ଗଧଟି ଶେଷରେ ଉଭୟ କ୍ଷୁଧା ଓ ତୃଷାରେ ପ୍ରାଣ ତ୍ୟାଗ କରେ।

ଗଧଟି କିମ୍ବା ଯେ କୌଣସି ଏକ ପ୍ରାଣୀଟିର ଜୀବିତ ରହିବା ପାଇଁ ଖାଦ୍ୟ ଓ ପାନୀୟ ଯେଉଁଭଳି ଅପରିହାର୍ଯ୍ୟ ହୋଇଥାଏ, ବର୍ତ୍ତମାନ ଭାରତରେ ଜଣେ ନାଗରିକ ଜୀବିତ ରହିବା ପାଇଁ ଆଧାର କାର୍ଡ‌୍ର ବ୍ୟବହାର ସେହିପରି ଅପରିହାର୍ଯ୍ୟ ହୋଇସାରିଲାଣି ବୋଲି ଯଦି କୁହାଯାଏ, ତାହାକୁ ଅତିରଞ୍ଜନ କୁହାଯିବ ନାହିଁ। ପିଲାଟିଏ ଭୂମିଷ୍ଠ ହେବ‌ା ମାତ୍ରେ, ପୂର୍ବେ ଯେଉଁ ଭଳି ଜ୍ୟୋତିଷଙ୍କ ଦ୍ବାରା ତା’ର ଜାତକ ପ୍ରସ୍ତୁତ କରାଯାଉଥିଲା, ବର୍ତ୍ତମାନ ଆଧାର କାର୍ଡ‌୍ ସେହିଭଳି ତାହାର ସ୍ଥାନ ଦଖଲ କରି ନେଲାଣି। ରହସ୍ୟରେ କୁହାଯାଇପାରେ ଯେ ଦିନ ଆସିବ ଯେତେବେଳେ ଶିଶୁଟି ନିଜର ଆଧାର କାର୍ଡ‌୍ ହାତରେ ଧରି ଭୂମିଷ୍ଠ ହେଉ ବୋଲି ଆଶା କରାଯିବ। ଏବେ ଯେଉଁ ସବୁ ସରକାରୀ ତଥା ବେସରକାରୀ ସେବା ପାଇବା ପାଇଁ ନାଗରିକକୁ ଆଧାର କାର୍ଡ‌୍ର ଫଟୋ କପି ଦାଖଲ କରିବା ଆବଶ୍ୟକ ହେଉଛି, ଦୈନନ୍ଦିନ ଭିତ୍ତିରେ ତା’ର ତାଲିକା ଏପରି ଲମ୍ବି ଲମ୍ବି ଚାଲିଛି ଯେ ତାହାର ହିସାବ ରଖିବା କଷ୍ଟକର। ବ୍ୟାଙ୍କ୍‌ରେ ‘କେୱାଇସି’ ନବୀକରଣ ଠାରୁ ‘ପିଡିଏସ୍‌’ରୁ ପଡ଼ିକାର୍ଡ‌୍ ପାଇବା ପର୍ଯ୍ୟନ୍ତ; ସ୍କୁଲ୍‌ରେ ଆଡ୍‌ମିସନ୍ ଲାଭ କରିବାରୁ ଚିକିତ୍ସା ଲାଭ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ପର୍ଯ୍ୟନ୍ତ; କିମ୍ବା ମୋବାଇଲ୍ ଫୋନ୍ ସଂଯୋଗ ଲାଭ ପାଇଁ ପଞ୍ଜୀକରଣ ଠାରୁ ହୋଟେଲ୍ ବା ସିନେମା ହଲ୍‌ରେ ପ୍ରବେଶ ଅଧିକାର ହାସଲ ପର୍ଯ୍ୟନ୍ତ ବର୍ତ୍ତମାନ ଆଧାର-ଆଶ୍ରୟୀ ହୋଇ ପଡ଼ିଲେଣି।

ଏହି ପୃଷ୍ଠଭୂମିରେ ଏବେ ହଠାତ୍ ସମସ୍ତଙ୍କ ପାଇଁ ଚାଞ୍ଚଲ୍ୟ ସୃଷ୍ଟି କରି ଦେଶରେ ‘ଆଧାର’ର ପରିଚାଳନା ଦାୟିତ୍ବରେ ଥିବା ବାଙ୍ଗଲୋର୍‌ସ୍ଥିତ ‘ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ’ (‘ୟୁଆଇଡିଏଆଇ’) ଭାରତୀୟ ନାଗରିକମାନଙ୍କ ଉଦ୍ଦେଶ୍ୟରେ ଏକ ଉପଦେଶାବଳୀ (ଆଡ୍‌ଭାଇଜରି) ଜାରି କଲା ଯେ ‘ଆଧାର’ର ଦୁରୁପଯୋଗ ପ୍ରତିରୋଧ କରିବା ପାଇଁ ସେମାନେ ହୋଟେଲ୍, ସିନେମା ହଲ୍ ଭଳି ସଂସ୍ଥା କିମ୍ବା ‘ୟୁଆଇଡିଏଆଇ’ ଦ୍ବାରା ଆଧାର ବ୍ୟବହାର ପାଇଁ ଅଧିକୃତ ହୋଇ ନ ଥିବା ଅନ୍ୟ କୌଣସି ସଂସ୍ଥାକୁ ନିଜ ଆଧାର କାର୍ଡ‌୍ର ଫଟୋ କପି ହସ୍ତାନ୍ତର ନ କରନ୍ତୁ। ଅଧିକ ନିର୍ଦ୍ଦେଶ, କମ୍ ଉପଦେଶ ଭଳି ଭାଷା ବ୍ୟବହାର କରିଥିବା ସରକାରଙ୍କର ଏହି ସୂଚନାରେ ମଧ୍ୟ ନାଗରିକମାନଙ୍କୁ ‘ଇ-ଆଧାର’ ଡାଉନ୍‌ଲୋଡ୍ କରିବା ପାଇଁ କୌଣସି ସର୍ବସାଧାରଣ କମ୍ପ୍ୟୁଟର୍ ବ୍ୟବହାର ନ କରିବା ପାଇଁ ସତର୍କ କରିଦିଆଯିବା ସହିତ ୱେବ୍‌ସାଇଟ୍‌କୁ ଲଗ୍‌-ଇନ୍ କରିବା ବେଳେ ୧୨ ଅଙ୍କ ବିଶିଷ୍ଟ ଆଧାର ସଂଖ୍ୟାର କେବଳ ଶେଷ ଚାରି ଅଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଙ୍କ ଗୁଡ଼ିକୁ ଘୋଡ଼ାଇ ରଖିବା ପାଇଁ କୁହାଯାଇଥିଲା।
କହିବା ବାହୁଲ୍ୟ, ସରକାରଙ୍କର ଏହି ‘ଉପଦେଶ’ ଦେଶର ଅଗଣିତ ଆଧାର-ବ୍ୟବହାରୀ ନାଗରିକମାନଙ୍କ ମଧ୍ୟରେ ଏକ ଛାନିଆ ଭାବ ସୃଷ୍ଟି କରିଦେଲା, ଯେଉଁମାନେ ସରକାର ତାଙ୍କର ଉପଦେଶ ପ୍ରଦାନ କରିବା ପୂର୍ବରୁ ତା’ର ଲଂଘନ କରି ଚାଲିଥିଲେ। ଆଜିର ସୋସିଆଲ୍ ମିଡିଆ ସମୟରେ ସେମାନେ କାଳ ବିଳମ୍ବ ନ କରି ସେଥିରେ ସେମାନେ କରି ଆସିଥିବା ଏହି ନିଷିଦ୍ଧ ଆଧାର ବ୍ୟବହାର ବର୍ଣ୍ଣନା‌ର ସୁଅ ଛୁଟାଇ ଦେଲେ। ନାଗରିକମାନଙ୍କର ଏଭଳି ପ୍ରତିକ୍ରିୟା ଓ ବିପନ୍ନଭାବ ଦେଖି ସରକାର ହଡ଼ବଡ଼େଇ ଗଲେ କି କ’ଣ, ଏହି ଉପଦେଶାବଳୀ ପ୍ରସାରିତ ହେବାର ମାତ୍ର ଦୁଇଦିନ ପରେ ସରକାର ଆଉ ଏକ ବିବୃତି ଜାରି କରି ତାହାର ପ୍ରତ୍ୟାହାର ଘୋଷଣା କରି ଦେଲେ। ପ୍ରତ୍ୟାହାରର ଯେଉଁ କାରଣ ସରକାର ଉଲ୍ଲେଖ କଲେ, ତାହା ହେଲା- ଉପଦେଶାବଳୀର ‘‘ଭୁଲ୍ ତର୍ଜମା କରାଯିବାର ସମ୍ଭାବନା’’। ଏହାର ଅର୍ଥ, ‘ୟୁଆଇଡିଏଆଇ’ ପ୍ରଥମେ ଯେଉଁ ଆଡ୍‌ଭାଇଜରି ପ୍ରସାର କରିଥିଲା, ତାହା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଥିଲା, କିନ୍ତୁ ତାହାର ଯଦି ଭୁଲ୍ ତର୍ଜମା କରାଯାଏ, ତାହା ସମସ୍ୟା ସୃଷ୍ଟି କରି ପାରେ।

ସରକାରଙ୍କୁ କିନ୍ତୁ ପ୍ରକୃତରେ ଯାହା ଚିନ୍ତାରେ ପକାଇଥିବ, ତାହା ଯେ ଭିନ୍ନ, ଏହା ସତର୍କ ପର୍ଯ୍ୟବେକ୍ଷକମାନଙ୍କର ଦୃଷ୍ଟି ଏଡ଼ାଇ ନ ଥିବ। ତାହା ହେଲା ନାଗରିକ ପାଇଁ ‘ଆଧାର’ର ବ୍ୟବହାର ସହିତ ସଂଯୁକ୍ତ ନିରାପତ୍ତା। ନାଗରିକର ଆଧାର କାର୍ଡ‌୍ର ଫଟୋ କପି ଯଦି କାହା ହାତରେ ପଡ଼ିଲେ ତା’ର ଦୁରୁପଯୋଗ ହେବାର ସମ୍ଭାବନା ଥାଏ, ତା’ହେଲେ ନାଗରିକର ସ୍ବାର୍ଥରକ୍ଷା ଦୃଷ୍ଟିରୁ ଆଧାର ଏକ ନିରାପଦ ବ୍ୟବସ୍ଥା ନୁହେଁ। ଆନ୍ତର୍ଜାତିକ ସ୍ତରରେ ‘ଆଧାର’କୁ ଭାରତ ହାସଲ କରିଥିବା ପ୍ରାବିଧିକ ଉତ୍କର୍ଷର ଏକ ଯୁଗାନ୍ତକାରୀ ନିଦର୍ଶନ ରୂପେ ସଗର୍ବରେ ପ୍ରଦର୍ଶିତ କରାଯାଉଥିବା ବେଳେ, ସେଥିରେ ଏଭଳି ଅନ୍ତର୍ନିହିତ ଦୁର୍ବଳତାର ଉପସ୍ଥିତିକୁ ସ୍ବୀକାର କରାଯିବା ବୋଧହୁଏ ଥିଲା ସରକାରଙ୍କ ପାଇଁ ଅସଲ ସମସ୍ୟା। ସରକାର ତେଣୁ ନାଗରିକମାନଙ୍କୁ ଆଶ୍ବସ୍ତ କରିବା ପାଇଁ ‘ଆଡ୍‌ଭାଇଜରି’ ପ୍ରତ୍ୟାହାର କରିବା ସଙ୍ଗେ ସଙ୍ଗେ ଆଧାର କାର୍ଡ‌୍ ବ୍ୟବହାର କରିବା ବେଳେ କିମ୍ବା ଏହାର ଫଟୋ କପି କାହାରିକୁ ହସ୍ତାନ୍ତର କରିବା ବେଳେ ନାଗରିକ ‘‘ସ୍ବାଭାବିକ ବିଜ୍ଞତା ଆଚରଣ କରିବା’’ ପାଇଁ ଆହ୍ବାନ ଦେଇଛନ୍ତି।

ଏହି ଆଡ୍‌ଭାଇଜରି ପ୍ରତ୍ୟାହାର ବିବୃତି ଜାରି କରିଥିବା କେନ୍ଦ୍ର ସରକାରଙ୍କର ସମ୍ପୃକ୍ତ ମନ୍ତ୍ରଣାଳୟ ‘ମିନିଷ୍ଟ୍ରି ଅଫ୍ ଇଲେକ୍ଟ୍ରୋନିକ୍‌ସ ଆଣ୍ଡ୍ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି’ (‘ମେଇଟି’)ର ମନ୍ତ୍ରୀ ବା ସଚିବ ଯଦି କେବେ ଦାର୍ଶନିକ ସକ୍ରେଟିସ୍‌ଙ୍କ ହାବୁଡ଼ରେ ପଡ଼ନ୍ତେ, ତେବେ ପାଶ୍ଚାତ୍ୟ ଦର୍ଶନ ଶାସ୍ତ୍ରର ଏହି ଜନକ ସେମାନଙ୍କୁ ପ୍ରଥମେ ପଚାରନ୍ତେ: ‘ସ୍ବାଭାବିକ ବିଜ୍ଞତା’ର ସଂଜ୍ଞା କ’ଣ? କାରଣ ସକ୍ରେଟିସ୍ ସର୍ବଦା ବିଶ୍ବାସ କରୁଥିଲେ ଯେ କୌଣସି ଆଦର୍ଶର ଅନୁପାଳନ ପୂର୍ବରୁ ତାହାର ପ୍ରକୃତ ଚରିତ୍ର ସମ୍ବନ୍ଧରେ ସ୍ପଷ୍ଟ ଧାରଣାର ଅଧିକାରୀ ହେବା ଏକାନ୍ତ ଆବଶ୍ୟକ। ‘ମେଇଟି’ କିନ୍ତୁ ‘ସ୍ବାଭାବିକ ବିଜ୍ଞତା’ର ସଂଜ୍ଞା କ’ଣ, ତାହା ନାଗରିକମାନଙ୍କୁ ଆଦୌ ଜଣାଇ ନାହିଁ। ଦେଶର ୧୩୦ କୋଟିରୁ ଊର୍ଦ୍ଧ୍ବ ନାଗରିକମାନେ ପ୍ରତ୍ୟେକ ଯଦି ସ୍ବାଧୀନ ଭାବରେ ଏହି ସଂଜ୍ଞା ନିରୂପଣ କରନ୍ତି, ତେବେ ସେଥିରେ ଯେଉଁ ଆକାଶ ପାତାଳ ଫରକ ମାନ ଦେଖା ଦେବ, ତାହା ଯେ ଘୋର ବିଭ୍ରାଟ ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ।

‘ଆଧାର’ ବ୍ୟବହାର ସମ୍ପର୍କରେ ସରକାର ପ୍ରଦର୍ଶନ କରିଥିବା ବୁରିଡାନ୍‌ଙ୍କ ଗଧସୁଲଭ ଦ୍ବିଧା ନାଗରିକମାନଙ୍କୁ ସେଇ ବିଭ୍ରାଟରୁ ରକ୍ଷା କରିବାରେ ସହାୟକ ହେବ ନାହିଁ। ଏଠାରେ କେବଳ ଏତିକି ଫରକ- ଗଧର ଦ୍ବିଧା ଯୋଗୁଁ ଗଧର କ୍ଷତି ଘଟିବା ପରିବର୍ତ୍ତେ କ୍ଷତି ଘଟିବ ନାଗରିକମାନଙ୍କର। ସରକାର ତେଣୁ ଏଭଳି ଗଧସୁଲଭ ଆଚରଣ ପରିତ୍ୟାଗ କରି ନାଗରିକ ପାଖକୁ ବଲ୍‌ଟି ଗଡ଼ାଇ ଦେବା ପରିବର୍ତ୍ତେ, ‘ଆଧାର’ର ଯେପରି ସାମାନ୍ୟତମ ଦୁରୁପଯୋଗ ହେବା ସମ୍ଭବ ନ ହୁଏ, ତାହା ନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଇ ଦେଶବାସୀଙ୍କୁ ସେ ନେଇ ନିଶ୍ଚିନ୍ତ କରନ୍ତୁ।

ସମ୍ବନ୍ଧିତ ଖବର