‘‘ମାଳି ଗୋଟିକ ଯାକ ତୁଳସୀ; ମାଳି ଗୋଟିକ ଯାକ ତୁଳସୀ।’’ ମନ୍ଦିର ସାମନାରେ ଛିଡ଼ା ହୋଇ ତୁଳସୀ କାଠିରେ ତିଆରି ହୋଇଛି ବୋଲି ଦାବି କରୁଥିବା ବିକ୍ରେତା ଜଣକ ମାଳାର ଗୋଟିଏ ମାଳିକୁ ନିଜର ଡାହାଣ ହାତର ବୁଢ଼ା ଆଙ୍ଗୁଳି ଓ ବିଶି ଆଙ୍ଗୁଳି ଟିପରେ ଚାପି ଧରି ସମ୍ଭାବ୍ୟ କ୍ରେତାଙ୍କୁ ଶୁଣାଇ ଶୁଣାଇ ଏହି ଭଳି ଘୋଷଣା କରିବା ଦେଖାଯାଇଥାଏ। ମନ୍ଦିର ସମ୍ମୁଖରେ ଠାକୁରଙ୍କୁ ମଧ୍ୟ ଶୁଭୁଥିବା ଦୂରତାରେ ସେ ଏହି ସୂଚନା ପ୍ରସାରିତ କରୁଥିବାରୁ ବିକ୍ରେତା ଜଣକ କେବେ ହେଲେ ମିଛ କହି ପାପରେ ପଡ଼ିବାକୁ ଚାହୁଁନଥିବେ ବୋଲି ବିଶ୍ବାସ କରି କ୍ରେତାମାନେ ତାଙ୍କ ଠାରୁ ‘ତୁଳସୀ ମାଳି’ କିଣିବାକୁ ଆଗେଇ ଆସନ୍ତି।
ଏଠାରେ କିନ୍ତୁ ବିଡ଼ମ୍ବନା ହୋଇଥାଏ ଏହା ଯେ ବିକ୍ରେତା ଜଣକ ମିଛ କହି ନଥା’ନ୍ତି, କିନ୍ତୁ କ୍ରେତାମାନେ ଠକାମିରେ ପଡ଼ିଥା’ନ୍ତି। ବିକ୍ରେତା ସତ କହିଥା’ନ୍ତି, କାରଣ- ସେ ମାଳର ଯେଉଁ ନିର୍ଦ୍ଦିଷ୍ଟ ମାଳି ଗୋଟିକ ସନ୍ତର୍ପଣରେ ଦୁଇ ଟିପରେ ଧରିଥା’ନ୍ତି, ସେଇଟି ପ୍ରକୃତରେ ତୁଳସୀ କାଠିରେ ତିଆରି ହୋଇଥାଏ; ମାଳାରେ ଥିବା ବାକି ସମସ୍ତ ମାଳି କିନ୍ତୁ ଯେ କୌଣସି ଅନାବନା ଗଛର କାଠିରେ ତିଆରି ହୋଇଥାଏ, କାରଣ ଏତେ ପରିମାଣରେ ତୁଳସୀ କାଠି ସଂଗ୍ରହ କରିବା ସହଜ ହୋଇ ନ ଥାଏ। ତେଣୁ ବିକ୍ରେତା ଜଣକ ଘୋଷଣା କରୁଥିବା ଭଳି ସେ ଧରିଥିବା ମାଳି ଗୋଟିକ ହିଁ ହେଉଛି ପ୍ରକୃତରେ ତୁଳସୀ ମାଳି, ଗ୍ରାହକମାନେ କିନ୍ତୁ ବିଶ୍ବାସ କରିଥା’ନ୍ତି ଯେ ସେଇ ମାଳାରେ ଗୁନ୍ଥା ହୋଇଥିବା ଉକ୍ତ ତୁଳସୀ ମାଳିର ପାଖ ପଡ଼ିଶାରେ ଥିବା ଅନ୍ୟ ସମସ୍ତ ମାଳି ମଧ୍ୟ ହେଉଛନ୍ତି ତୁଳସୀ ମାଳି। ଭାରତର କେତେକ ରେଷ୍ଟୁରାଣ୍ଟ୍ ଗ୍ରାହକ ବୋଧହୁଏ ଏହା ଜାଣି ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ ଯେ ମନ୍ଦିର ସମ୍ମୁଖରେ ସେଇ ସରଳ ବିଶ୍ବାସୀ ତୁଳସୀ ମାଳି ଗ୍ରାହକମାନଙ୍କର ଯେଉଁଭଳି ଅବସ୍ଥା ହୋଇଥାଏ, ସେମାନଙ୍କ ମଧ୍ୟରୁ ଅନେକଙ୍କର ରେଷ୍ଟୁରାଣ୍ଟ୍ରେ ଭୋଜନ ସମାପ୍ତ କରି ବିଲ୍ ପଇଠ କଲା ବେଳେ ଠିକ୍ ସେଇଭଳି ଅବସ୍ଥା ହୋଇଥାଏ। ବିଲ୍ରେ ଖାଦ୍ୟର ମୂଲ୍ୟ ବାଦ୍ ସେଥି ପ୍ରତି ଲାଗୁ ହେଉଥିବା ଟିକସର ପରିମାଣ ଯେଉଁଠି ଉଲ୍ଲେଖ ହୋଇଥାଏ, ତା’ ପରେ ପରେ ‘ସର୍ଭିସ୍ ଚାର୍ଜ୍’ ବାବଦରେ ଆଦାୟ କରାଯାଉଥିବା ପରିମାଣ ଉଲ୍ଲେଖ କରାଯାଇଥାଏ। ଅଧିକାଂଶ ଗ୍ରାହକ ଏହି ‘ସର୍ଭିସ୍ ଚାର୍ଜ୍’କୁ ମଧ୍ୟ ଏକ ଟିକସ ଅର୍ଥାତ୍ ‘ସର୍ଭିସ୍ ଟ୍ୟାକ୍ସ’ ବୋଲି ବିଚାର କରିଥା’ନ୍ତି, କାରଣ, ତୁଳସୀ ମାଳି ସନ୍ନିକଟରେ ଥିବା ଅନ୍ୟ ମାଳିଗୁଡ଼ିକ ତୁଳସୀ ମାଳି ହୋଇଥିବାର ଧାରଣା ସୃଷ୍ଟି କରୁଥିବା ଭଳି ଅନ୍ୟ ଟିକସ (‘ଜିଏସ୍ଟି’) ସନ୍ନିକଟରେ ଥିବା ‘ସର୍ଭିସ୍ ଚାର୍ଜ୍’ ନାମକ ତଥାକଥିତ ଦେୟ ମଧ୍ୟ ଗ୍ରାହକମାନଙ୍କ ଦୃଷ୍ଟିରେ ଏକ ଟିକସର ରୂପ ପରିଗ୍ରହଣ କରିଥାଏ, ଯାହା ପ୍ରକୃତରେ ହେଉଛି ଏକ ଛଦ୍ମ ରୂପ।
ଏହି ‘ସର୍ଭିସ୍ ଚାର୍ଜ୍’ର ସ୍ବରୂପ ତା’ହେଲେ କ’ଣ? ଏହା ଏକ ବ୍ୟାପକ ଭାବରେ ଅନୁସୃତ ପ୍ରଥା ଯେ ଅଧିକାଂଶ ଉଚ୍ଚ ମାନର ହୋଟେଲ୍ ଓ ରେଷ୍ଟୁରାଣ୍ଟ୍ମାନଙ୍କରେ ଯେଉଁ କର୍ମଚାରୀ ବା ‘ୱେଟର୍’ ବା ‘ଗାର୍ସନ୍’ମାନେ ଖାଦ୍ୟ ପାନୀୟ ପରିବେଷଣ କରିଥା’ନ୍ତି, ଭୋଜନ ସାରି ବାହୁଡ଼ିବା ପୂର୍ବରୁ ସନ୍ତୁଷ୍ଟ ଗ୍ରାହକମାନେ ସେମାନଙ୍କୁ କିଛି ଅର୍ଥରାଶି ପୁରସ୍କାର ସ୍ବରୂପ ପ୍ରଦାନ କରିଥା’ନ୍ତି, ଯାହା ‘ଟିପ୍ସ’ ନାମରେ ସୁପରିଚିତ। ପରମ୍ପରା ଅନୁସାରେ ଏହି ‘ଟିପ୍ସ’ ଖାଦ୍ୟ ବିଲ୍ର କୌଣସି ଏକ ଅନୁପାତ ସହିତ ସମାନ ହୋଇଥିଲେ ହେଁ, ଏହା ବାଧ୍ୟତାମୂଳକ ହୋଇ ନ ଥାଏ କିମ୍ବା ଏଥିରେ କୌଣସି ନିଶ୍ଚିତତା ନ ଥାଏ। ତା’ ବ୍ୟତୀତ, ସମ୍ପୃକ୍ତ ହୋଟେଲ୍ର ସମସ୍ତ କର୍ମଚାରୀମାନଙ୍କ ଭାଗରେ ବା ଭାଗ୍ୟରେ ସମାନ ପରିମାଣର ‘ଟିପ୍ସ’ ପଡ଼ି ନ ଥାଏ। ଏଣୁ ଏହି ପ୍ରଥାକୁ ବିଧିବଦ୍ଧ ଓ ଶୃଙ୍ଖଳିତ କରିବା ପାଇଁ ହୋଟେଲ୍ ଓ ରେଷ୍ଟୁରାଣ୍ଟ୍ ମାଲିକମାନେ ଏହି ‘ଟିପ୍ସ’କୁ ‘ସର୍ଭିସ୍ ଚାର୍ଜ୍’ର ପୋଷାକ ପିନ୍ଧାଇ ଉପରବର୍ଣ୍ଣିତ ଶୈଳୀରେ ବିଲ୍ରେ ଅନ୍ତର୍ଭୁକ୍ତ କରି ଦେଇଥା’ନ୍ତି। ତୁଳସୀ ମାଳି ମନସ୍ତତ୍ତ୍ବ ପ୍ରଭାବରେ ଅଧିକାଂଶ ଗ୍ରାହକ ପରିଣାମ ସ୍ବରୂପ ଏହି ସମ୍ପୂର୍ଣ୍ଣ ଇଚ୍ଛାଧୀନ ଦେୟକୁ ଟିକସ ଭଳି ଏକ ବାଧ୍ୟତାମୂଳକ ଦେୟ ରୂପେ ଗ୍ରହଣ କରି ଆଜ୍ଞାଧୀନ ଭଳି ପଇଠ କରିଦେଇଥା’ନ୍ତି।
ସେମାନଙ୍କର ଏହି କୌଶଳ ଏବେ କେନ୍ଦ୍ର ସରକାରଙ୍କର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟାଲ୍ଙ୍କର ଦୃଷ୍ଟି ଆକର୍ଷଣ କରିଛି, ଯିଏ ଏହାକୁ ଏକ ‘ଛଳ’ ବୋଲି ନିନ୍ଦା କରି ହୋଟେଲ୍ ଓ ରେଷ୍ଟୁରାଣ୍ଟ୍ମାନଙ୍କୁ ଏଭଳି ‘ସର୍ଭିସ୍ ଚାର୍ଜ୍’ ଆଦାୟ କରିବାରୁ ନିବୃତ୍ତ ହେବା ପାଇଁ ଆହ୍ବାନ ପ୍ରଦାନ କରିଛନ୍ତି। ହୋଟେଲ୍ ଓ ରେଷ୍ଟୁରାଣ୍ଟ୍ର ମାଲିକମାନେ କିନ୍ତୁ ନିଜର ପକ୍ଷ ରଖି ଏହି ପ୍ରସଙ୍ଗରେ ସେମାନଙ୍କ ଆଚରଣର ସାଧୁତା ସମ୍ବନ୍ଧରେ ଠିକ୍ ସେଇଭଳି ଦାବି କରିଛନ୍ତି, ଯେମିତି ମନ୍ଦିର ସମ୍ମୁଖରେ ସେଇ ଛଳ-ତୁଳସୀ-ମାଳି ବିକ୍ରେତା ଜଣକ କରିଥା’ନ୍ତି। ସେମାନେ କହନ୍ତି ଯେ ବିଲ୍ ମାଧ୍ୟମରେ ଗ୍ରାହକମାନଙ୍କ ଠାରୁ ‘ସର୍ଭିସ୍ ଚାର୍ଜ୍’ ଆଦାୟ କରି ସେମାନେ କୌଣସି ଆଇନର ଉଲ୍ଲଂଘନ କରିନାହାନ୍ତି। ଏହା ଠିକ୍, କାରଣ ‘ସର୍ଭିସ୍ ଚାର୍ଜ୍’ ସମ୍ପର୍କରେ ଆମ ଦେଶରେ କୌଣସି ଆଇନ ଏ ଯାବତ୍ ପ୍ରଣୀତ ହୋଇ ନାହିଁ। ସେତିକି ନୁହେଁ, ହୋଟେଲ୍ ଓ ରେଷ୍ଟୁରାଣ୍ଟ୍ ମାଲିକମାନେ ନିଜକୁ କୌଣସି ମଙ୍ଗଳକାରୀ ଚାରିଟେବ୍ଲ ଅନୁଷ୍ଠାନର ପରିଚୟ ପ୍ରଦାନ କଲା ଭଳି କହୁଛନ୍ତି ଯେ ସେମାନେ ଆଦାୟ କରୁଥିବା ‘ସର୍ଭିସ୍ ଚାର୍ଜ୍’କୁ ସେମାନେ ନିଜର ଲାଭ ରୂପେ ଆତ୍ମସାତ୍ ନ କରି, କର୍ମଚାରୀମାନଙ୍କର ମଙ୍ଗଳ ସାଧନରେ ନିୟୋଜିତ କରିଥା’ନ୍ତି (ଏହାର କୌଣସି ଠୋସ୍ ପ୍ରମାଣ ଅବଶ୍ୟ ଉପଲବ୍ଧ ନୁହେଁ)।
ଏହି ମାଲିକମାନେ କିନ୍ତୁ ଯେଉଁ ସତ୍ୟ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ରହିଛନ୍ତି, ତାହା ହେଲା ୨୦୧୭ରେ ଭାରତ ସରକାର ପ୍ରସାର କରିଥିବା ଏକ ନିର୍ଦ୍ଦେଶାବଳୀ, ଯାହା ଅନୁସାରେ ‘ସର୍ଭିସ୍ ଚାର୍ଜ୍’ ହେଉଛି ଗ୍ରାହକମାନଙ୍କ ପାଇଁ ସମ୍ପୂର୍ଣ୍ଣ ଇଚ୍ଛାଧୀନ। ଗ୍ରାହକ ଯଦି ନ ଚାହାନ୍ତି, ତେବେ ସେ ‘ସର୍ଭିସ୍ ଚାର୍ଜ୍’ ଦେବାକୁ ମନା କରି ଦେଇ ପାରିବେ। କିନ୍ତୁ ଉପରୋକ୍ତ ଛଳ କୌଶଳ ଯୋଗୁଁ ଗ୍ରାହକମାନଙ୍କ ମନରେ ଏହା ଏକ ବାଧ୍ୟତାମୂଳକ ଦେୟ ବୋଲି ଯେଉଁ ଧାରଣା ସୃଷ୍ଟି ହୁଏ, ତାହା ଯେ କୌଣସି ବ୍ୟବସାୟ ଓ ତା’ର ଗ୍ରାହକମାନଙ୍କ ମଧ୍ୟରେ ରହିଥିବା ଅଲିଖିତ ବିଶ୍ବାସର ଭଙ୍ଗ ନୁହେଁ କି? ଆଇନର ପରିସର ବାହାରେ ଥିବା ଏହି ବିଶ୍ବାସ ଭଙ୍ଗ ହୋଟେଲ୍ ଓ ରେଷ୍ଟୁରାଣ୍ଟ୍ ମାଲିକମାନଙ୍କ ଦ୍ବାରା ଘଟୁଥିବା ଏକ ନୈତିକ ଅପରାଧ ନୁହେଁ କି?
ଯଦି କର୍ମଚାରୀମାନଙ୍କ ମଙ୍ଗଳ ସାଧନ ଉଦ୍ଦେଶ୍ୟରେ ସେମାନେ ଗ୍ରାହକମାନଙ୍କ ଠାରୁ ଏହି ଦେୟ ଆଦାୟ କରୁଛନ୍ତି, ତେବେ ସେମାନେ ସିଧା ସଳଖ ସେମାନଙ୍କର ପରିବେଷିତ ଖାଦ୍ୟ ପାନୀୟର ଦାମ୍ରେ ଆବଶ୍ୟକ ବୃଦ୍ଧି ଘଟାଇ ଏ ଉଦ୍ଦେଶ୍ୟ ସାଧନ କରି ପାରନ୍ତେ। ସେମାନେ ଯଦି ଆଶଙ୍କା କରୁଥା’ନ୍ତି ଯେ ଏପରି କରିବା ଦ୍ବାରା ସେମାନଙ୍କ ବ୍ୟବସାୟର ପ୍ରତିଯୋଗିତା କ୍ଷମତା ବ୍ୟାହତ ହେବ, ତେବେ ସେମାନେ ଆଶ୍ବସ୍ତ ହେବା ଉଚିତ ଯେ ଯଦି ସେମାନଙ୍କର ସମସ୍ତ ପ୍ରତିଦ୍ବନ୍ଦ୍ବୀମାନେ ମଧ୍ୟ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୁଅନ୍ତି, ତେବେ ସେମାନଙ୍କର ଆପେକ୍ଷିକ ପ୍ରତିଯୋଗିତା କ୍ଷମତା ଅପରିବର୍ତ୍ତିତ ରହିବ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହା ଦ୍ବାରା ସେମାନଙ୍କର ଆଚରଣ ଛଳମୁକ୍ତ ଓ ବିବେକ ସ୍ବଚ୍ଛ ରହିବ।