ରପ୍ତାନି ମୁକୁଟ

ଗତ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ଦେଶର କୃଷକ, ବୁଣାକାର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଅନ୍ୟମାନଙ୍କୁ ଭାରତ ହାସଲ କରିଥିବା ଏକ ବିରଳ ସଫଳତା ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ସେହି ସଫଳତା ହେଲା- କଣ୍ଟ ପୂରିବା ପୂର୍ବରୁ ପଣ୍ୟଦ୍ରବ୍ୟ ରପ୍ତାନି ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ପୂରଣ ହେବା। ମାର୍ଚ୍ଚ ୩୧ରେ ଶେଷ ହେଉଥିବା ୨୦୨୧-୨୨ ବିତ୍ତବର୍ଷ ପାଇଁ ଯେଉଁ ୪୦୦ ବିଲିଅନ୍ ଡଲାର୍‌ର ମୋଟ ପଣ୍ୟଦ୍ରବ୍ୟ ରପ୍ତାନି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ବିତ୍ତ ବର୍ଷ ଶେଷ ହେବାର ୯ ଦିନ ପୂର୍ବରୁ ତାହା ହାସଲ ହୋଇ ପାରିଛି। ପ୍ରଧାନମନ୍ତ୍ରୀ ଉପରୋକ୍ତ ଉତ୍ପାଦନକାରୀମାନଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବାର କାରଣ ହେଲା, ଏମାନଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟମାନ ମୋଟ ରପ୍ତାନିର ଏକ ବିଶେଷ ଅଂଶ ହୋଇଛି। ସେମାନଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟ ଆନ୍ତର୍ଜାତିକ ବଜାରରେ ଅବାଧ ପ୍ରତିଯୋଗିତାର ସଫଳ ମୁକାବିଲା କରି କ୍ରେତାମାନଙ୍କର ପସନ୍ଦଯୋଗ୍ୟ ହୋଇଛି। ଯଦି ଏକ ଲମ୍ବା ଐତିହାସିକ ଦୃଷ୍ଟିଭଙ୍ଗୀ ଗ୍ରହଣ କରାଯାଇ ସେଇ ସମୟର ଚିତ୍ର ଉପରେ ଦୃଷ୍ଟିପାତ କରାଯାଏ, ଯେତେବେଳେ ଭାରତ ଥିଲା ବ୍ରିଟେନ୍‌ର ଏକ ଉପନିବେଶ, ତେବେ ବର୍ତ୍ତମାନର ଚିତ୍ର କିପରି ତାହାର ସମ୍ପୂର୍ଣ୍ଣ ବିପରୀତ, ତାହା ପ୍ରଭାବଶାଳୀ ଭାବରେ ସ୍ପଷ୍ଟ ହୋଇଥାଏ। ଆଉ ଯଦି ମୋଦୀଙ୍କର ଉପରୋକ୍ତ ଟ୍ବିଟ୍‌କୁ ବର୍ତ୍ତମାନର ଚିତ୍ରର ବାହକ ରୂପେ ବିଚାର କରାଯାଏ, ତା’ହେଲେ ସେ ସମୟର ଚିତ୍ରର ବାହକ ରୂପେ ଯେଉଁ ଏକ ଉକ୍ତି ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ, ତାହା ହେଉଛି ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ବ୍ରିଟିସ୍ ଉପନିବେଶ ବର୍ମାରେ ଅବସ୍ଥାପିତ ମୁଖ୍ୟ ବ୍ରିଟିସ୍ ପ୍ରଶାସକ ସାର୍ ଚାର୍ଲ‌୍ସ କ୍ରସ୍‌ଥ୍ବେଟ୍ ବ୍ରିଟିସ୍ ସାମ୍ରାଜ୍ୟ ବିସ୍ତାରର ଅାବଶ୍ୟକତା ସମ୍ବନ୍ଧରେ ପ୍ରଦାନ କରିଥିବା ନିମ୍ନରେ ପ୍ରଦତ୍ତ ଏହି ମନ୍ତବ୍ୟ।

ସାର୍ ଚାର୍ଲ‌୍ସ କହିଥିଲେ ଆମେ ସାମ୍ରାଜ୍ୟ ବିସ୍ତାର କରିବାର ଉଦ୍ଦେଶ୍ୟ ହେଉଛି ‘‘ଆମ ପଣ୍ୟଦ୍ରବ୍ୟ ପାଇଁ ବଜାର ପାଇବା ଏବଂ ଆଜିର ସେଇ ଅପଦାର୍ଥ ପଦାର୍ଥମାନଙ୍କ ପାଇଁ ନିଯୁକ୍ତି ସମ୍ଭବ କରିବା, ଯେଉଁମାନେ ହେଉଛନ୍ତି ଆମର ଯୁବ ପିଢ଼ି।’’ ଅର୍ଥାତ୍, ଭାରତ ଥିଲା ବ୍ରିଟେନ୍‌ର ଏକ ବନ୍ଦୀ ବଜାର, ଯେଉଁଠି ନିଜ ଦେଶରେ ଉତ୍ପାଦିତ ପଣ୍ୟଦ୍ରବ୍ୟ ବିକ୍ରି କରିବା ପାଇଁ ତାକୁ ଆଉ କାହା ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡୁ ନ ଥିଲା। ଭାରତ ଆଜି କିନ୍ତୁ ଯେଉଁ ରପ୍ତାନି ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି, ତାହା କୌଣସି ବନ୍ଦୀ ବଜାର ସୁଯୋଗ ଲାଭ ଯୋଗୁଁ ନୁହେଁ, ତାହା ମୋଦୀ ଉଲ୍ଲେଖ କରିଥିବା ଭାରତର ସୁଯୋଗ୍ୟ ଉତ୍ପାଦନକାରୀଙ୍କ ପ୍ରତିଯୋଗିତା କ୍ଷମତା ଯୋଗୁଁ। ସେମାନେ ହାସଲ କରିଥିବା ଏହି ସଫଳତାକୁ ‘ଆତ୍ମନିର୍ଭର ଭାରତ’ର ଯାତ୍ରା ପଥରେ ସ୍ଥାପିତ ହୋଇଥିବା ଏକ ମାଇଲଖୁଣ୍ଟ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟ୍‌ରେ ବର୍ଣ୍ଣନା କରିଥିଲେ।

ଏହି ମାଇଲଖୁଣ୍ଟର ବିଶେଷତ୍ବ ହୃଦୟଙ୍ଗମ କରିବାକୁ ହେଲେ ମନେ ରଖିବାକୁ ହେବ ଯେ ଅତୀତରେ କେବେହେଲେ ଆମର ପଣ୍ୟଦ୍ରବ୍ୟ ରପ୍ତାନି ୩୫୦ ବିଲିଅନ୍ ଡଲାର୍ ମଧ୍ୟ ଛୁଇଁ ନ ଥିଲା। ଚୀନା କରୋନା ଜନିତ କୋଭିଡ୍ ପାଣ୍ଡେମିକ୍ ଆମ ଅର୍ଥନୀତିକୁ ଆକ୍ରାନ୍ତ କରିବାର ଠିକ୍ ପୂର୍ବରୁ ୨୦୧୯-୨୦ ବିତ୍ତବର୍ଷରେ ଆମେ ହାସଲ କରିଥିବା ୩୧୩ ବିଲିଅନ୍ ଡଲାର୍‌ର ପଣ୍ୟଦ୍ରବ୍ୟ ରପ୍ତାନି ଠାରୁ ବର୍ତ୍ତମାନର ଉପଲବ୍‌ଧି ହେଉଛି ଏକ ଚମକପ୍ରଦ ଏକ-ତୃତୀୟାଂଶ ଅଧିକ। ୨୦୨୦-୨୧ ବିତ୍ତବର୍ଷରେ ଅବଶ୍ୟ କୋଭିଡ୍ ପ୍ରଭାବରେ ସେଇ ରପ୍ତାନି ୨୯୧ ବିଲିଅନ୍ ଡଲାର୍‌କୁ ହ୍ରାସ ପାଇଥିଲା। ୨୦୧୮-୧୯ ବିତ୍ତବର୍ଷରେ ଭାରତ ହାସଲ କରିଥିବା ୩୩୦.୦୭ ବିଲିଅନ୍ ଡଲାର୍ ମୂଲ୍ୟର ରପ୍ତାନି ଥିଲା ଏଥି ପୂର୍ବର ସର୍ବାଧିକ ରେକର୍ଡ‌୍। ଅର୍ଥନୀତିର ଯେଉଁ ସବୁ କ୍ଷେତ୍ରର ଅବଦାନ ବର୍ତ୍ତମାନର ଚମକପ୍ରଦ ସଫଳତା ହାସଲ କରିବ‌ାରେ ଉଲ୍ଲେଖନୀୟ ହୋଇଛି, ସେମାନଙ୍କ ମଧ୍ୟରେ ବିଶେଷ ଉଲ୍ଲେଖଯୋଗ୍ୟ ହେଉଛନ୍ତି, ଇଞ୍ଜିନିଅରିଙ୍ଗ୍, ଇଲେକ୍ଟ୍ରୋନିକ୍‌ସ, ରତ୍ନପଥର ଓ ଗହଣା, ରାସାୟନିକ ପଦାର୍ଥ ଓ ପେଟ୍ରୋଲିଅମ୍ ପଦାର୍ଥ, ଔଷଧ ପତ୍ର, ବସ୍ତ୍ର ଇତ୍ୟାଦି। ଉଲ୍ଲେଖନୀୟ କଥା, କୋଭିଡ୍ ଆଘାତରେ ଧରାଶାୟୀ ହୋଇଥିବା ବିଶ୍ବ ଅର୍ଥନୀତିରେ ପୁନର୍ଜାଗରଣ ଦେଖା ଦେବା ସହିତ ତାଳ ଦେଇ ଏ ସମସ୍ତ ପଦାର୍ଥ ପାଇଁ ଆନ୍ତର୍ଜାତିକ ଚାହିଦାରେ ଦେଖା ଦେଇଥିବା ବୃଦ୍ଧି ଯୋଗୁଁ ଆବଶ୍ୟକ ହୋଇ ପଡ଼ିଥିବା ଯୋଗାଣରେ ବୃଦ୍ଧି ଭାରତୀୟ ରପ୍ତାନିକାରୀମାନଙ୍କ ପାଇଁ ଏକ ସୁଯୋଗ ତଥା ଆହ୍ବାନ ରୂପେ ଆବିର୍ଭୂତ ହୋଇଛି, ଯାହାର ସେମାନେ ସଦୁପଯୋଗ କରିପାରିଛନ୍ତି।

ଭାରତ ବର୍ତ୍ତମାନ ଯେଉଁ ରପ୍ତାନି ସଫଳତା ହାସଲ କରିଛି, ସେଥିରେ ଏକ ବୃହତ୍ ଅଂଶ, ୪୦ ଶତାଂଶରୁ ଅଧିକ, ହେଉଛି ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କର ଅବଦାନ। ସରକାର ୧୩ଟି ବିଭିନ୍ନ ଅସଲ କ୍ଷେତ୍ର ପାଇଁ ଯେଉଁ ‘ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ ଯୋଜନା’ (‘ପିଏଲ୍‌ଆଇ’) କାର୍ଯ୍ୟକାରୀ କରିଛନ୍ତି, ତାହା ଏହି ଉଦ୍ୟୋଗମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେମାନଙ୍କର ନଗଦ ଅର୍ଥ ଆବଶ୍ୟକତା ପୂରଣ ପାଇଁ ନିଆଯାଇଥିବା ପଦକ୍ଷେପମାନ ମଧ୍ୟ ସେମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହୋଇଛି। ଭାରତ ହାସଲ କରିଥିବା ଏହି ରପ୍ତାନି ସଫଳତା ଆମେ ଆସ୍ବାଦନ କରିବା ବେଳେ, ଏହା ପଛରେ ନିହିତ ଥିବା ଏକ ମୌଳିକ ଅର୍ଥନୈତିକ ନିୟମର ଏହା ଉପରେ ରହିଥିବା ପ୍ରଭାବ ସମ୍ବନ୍ଧରେ ମଧ୍ୟ ଆମେ ସଚେତନ ରହିବା ଆବଶ୍ୟକ। ଏହି ନିୟମ ଅନୁସାରେ ଦୁଇଟି କାରଣରୁ କୌଣସି ଦ୍ରବ୍ୟ ପ୍ରତି ଚାହିଦା ସୃଷ୍ଟି ହୋଇଥାଏ: ଗୋଟିଏ ହେଉଛି କ୍ରେତାର ଆୟ ଓ ଅନ୍ୟଟି ହେଉଛି ଅନ୍ୟ ଅନୁରୂପ ଦ୍ରବ୍ୟମାନଙ୍କ ତୁଳନାରେ ଏହା କେତେଦୂର ଶସ୍ତା ବା ମହର୍ଗ। ପ୍ରଥମର ପ୍ରଭାବକୁ କୁହାଯାଇଥାଏ ‘ଆୟ ପ୍ରଭାବ’ ଓ ଦ୍ବିତୀୟକୁ କୁହାଯାଇଥାଏ ‘ପ୍ରତିସ୍ଥାପନ ପ୍ରଭାବ’। ଭାରତୀୟ ରପ୍ତାନି ଦ୍ରବ୍ୟସବୁ ପାଇଁ ବର୍ତ୍ତମାନ ଆନ୍ତର୍ଜାତିକ ଚାହିଦାରେ ଯେଉଁ ବୃଦ୍ଧି ଦେଖାଯାଇଛି, ତାହା ହେଉଛି ମୁଖ୍ୟତଃ ‘ଆୟ ପ୍ରଭାବ’ଜନିତ। କୋଭିଡ୍‌ରୁ ମୁକୁଳିବାକୁ ଆରମ୍ଭ କରିଥିବା ଅର୍ଥନୀତି ପୁଣି ଅଭିବୃଦ୍ଧିର ରାସ୍ତାରେ ଆଗେଇ ଚାଲିବା ସହିତ ସେ ଦେଶସବୁର ନାଗରିକମାନଙ୍କର ଆୟରେ ଯେଉଁ ବୃଦ୍ଧି ଘଟୁଛି, ତାହା ସେମାନଙ୍କର ଚାହିଦା ବୃଦ୍ଧିରେ ପ୍ରତିଫଳିତ ହେଉଛି, ଏବଂ ତାହାର ଏକ ଅଂଶ ଭାରତୀୟ ରପ୍ତାନି ଦ୍ବାରା ପୂରଣ ହୋଇଛି। ଯେତେବେଳେ ଅନ୍ୟ ଦେଶମାନେ ମଧ୍ୟ କୋଭିଡ୍‌ରୁ ମୁକୁଳି ରପ୍ତାନି ପ୍ରତିଯୋଗିତାରେ ଯୋଗ ଦେବେ, ସେତେବେଳେ ଭାରତୀୟ ରପ୍ତାନି ଦ୍ରବ୍ୟର ଉତ୍କୃଷ୍ଟତର ମାନ ଓ ପ୍ରତିଯୋଗିତାମୂଳକ ଦର ଦ୍ବାରା ବର୍ତ୍ତମାନ ସୃଷ୍ଟି ହୋଇଥିବା ଅନୁକୂଳ ଅବସ୍ଥାକୁ ସ୍ଥାୟୀ କରିବା ଆମ ଉତ୍ପାଦନକାରୀ ଓ ରପ୍ତାନିକାରୀମାନଙ୍କର ଲକ୍ଷ୍ୟ ହେବା ଉଚିତ।

ରପ୍ତାନିକୁ ନେଇ ଆମେ ଏପରି ଗର୍ବ କରୁଥିବା ବେଳେ, ଆମେ ମଧ୍ୟ ଏହି କଏନ୍‌ର ଅପର ପାର୍ଶ୍ବର ଚିତ୍ର ଉପରେ ଧ୍ୟାନ ଦେବା ଏକାନ୍ତ ଅ‌ାବଶ୍ୟକ। ଅର୍ଥାତ୍ ଆମଦାନି ଚିତ୍ର ଉପରେ। ୨୦୨୧-୨୨ ବିତ୍ତ ବର୍ଷରେ ଭାରତର ମୋଟ ଆମଦାନି ବୃଦ୍ଧି ପାଇ ହୋଇଥିଲା, ୫୮୯ ବିଲିଅନ୍ ଡଲାର୍, ଅର୍ଥାତ୍ ପଣ୍ୟଦ୍ରବ୍ୟ ଆନ୍ତର୍ଜାତିକ ବାଣିଜ୍ୟରେ ଆମେ ସମ୍ମୁଖୀନ ହୋଇଥିବା ନିଅଣ୍ଟର ଆକାରରେ ବୃଦ୍ଧି ପାଇ ହୋଇଛି ୧୮୯ ବିଲିଅନ୍ ଡଲାର୍। ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ତୈଳ ଦରରେ ଘଟିଥିବା ତୀକ୍ଷ୍‌ଣ ବୃଦ୍ଧି ଯୋଗୁଁ ୨୦୨୦-୨୧ରେ ଯେଉଁ ବାଣିଜ୍ୟ ନିଅଣ୍ଟ ଥିଲା ୧୦୨ ବିଲିଅନ୍ ଡଲାର୍, ତାହା ବର୍ତ୍ତମାନ ଏହି ସ୍ତର ଛୁଇଁଛି ଓ ୨୦୨୨-୨୩ରେ ୨୦୦ ବିଲିଅନ୍ ଡଲାର୍ ଅତିକ୍ରମ କରିବ ବୋଲି ଆଶଙ୍କା କରାଯାଉଛି। ଏହାର ମୁକାବିଲା ପାଇଁ ଆମର ଆଜିର ଏହି ରପ୍ତାନି ସଫଳତାକୁ ଉ‌ତ୍ତରୋତ୍ତର ତଥା ଦୀର୍ଘସ୍ଥାୟୀ କରିବାକୁ ହେବ। ଆମ ମସ୍ତକରେ ଶୋଭା ପାଉଥିବା ଏହି ନୂତନ ରପ୍ତାନି ମୁକୁଟ ଯେମିତି କେବେ ହେଲେ ଖସି ନ ପଡ଼େ।

ସମ୍ବନ୍ଧିତ ଖବର