ସନ୍ତୁଳିତ ଶିକ୍ଷା

ଦେଶର ଏହି ଇଞ୍ଜିନିୟରିଙ୍ଗ୍ କଲେଜ୍‌ମାନଙ୍କରୁ ଉତ୍ତୀର୍ଣ୍ଣ ହୋଇ ବାହାରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମାତ୍ର ପ୍ରାୟ ଏକ-ପଞ୍ଚମାଂଶ ହେଉଛନ୍ତି ‘ନିଯୁକ୍ତି ଯୋଗ୍ୟ’ ବୋଲି ବାରମ୍ବାର ଖବର ପ୍ରକାଶ ପାଇବାରେ ଲାଗିଛି। ଯେତେବେଳେ ଏହି ନୂତନ ନୀତି ଅନୁସାରେ କଳା କଲେଜ୍‌ମାନ ମଧ୍ୟ ବୈଷୟିକ ବିଦ୍ୟାରେ ଡିଗ୍ରୀ ପ୍ରଦାନ ନିମିତ୍ତ ଅନୁମୋଦନ ପାଇବେ, ସେତେବେଳେ ଶିକ୍ଷାର ମାନ ଆହୁରି ହୁଗୁଳା ହୋଇଯିବାର ସମସ୍ତ ସମ୍ଭାବନା ରହିଛି। ଉଭୟ ‘ୟୁଜିସି’ ଓ ‘ଏଆଇସିଟିଇ’ ଏହି ନୂତନ ଚିନ୍ତାଧାରା କାର୍ଯ୍ୟକାରୀ ହେବା ପୂର୍ବରୁ ବ୍ୟବସ୍ଥାରେ ଥିବା ସମସ୍ତ ଗଳାବାଟ ବନ୍ଦ କରି ନିଶ୍ଚିତ କରିବା ଉଚିତ ଯେପରି ଦ୍ବୈତ ଡିଗ୍ରୀର ମଧ୍ୟ ସେଇ ଦଶା ନ ହୁଏ ଯାହା ଏକକ ଡିଗ୍ରୀ କ୍ଷେତ୍ରରେ ପୂର୍ବରୁ ଦେଖା‌ ଯାଇଛି।

ଜବାହରଲାଲ ନେହରୁ ନିଜେ ଜଣେ ବିଜ୍ଞାନର ଛାତ୍ର ନ ଥିଲେ, ସେ ଥିଲେ କଳା ଓ ଆଇନର ଛାତ୍ର। ସେ କିନ୍ତୁ ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ସ୍ବାଧୀନ ଭାରତର ନେତୃତ୍ବ ଗ୍ରହଣ କରିବା ମାତ୍ରେ ଦେଶବାସୀଙ୍କୁ, ବିଶେଷ କରି ଯୁବ ପିଢ଼ିକୁ ଏକ ବିଜ୍ଞାନ ସମ୍ମତ ଆଭିମୁଖ୍ୟ (ସାଇଣ୍ଟିଫିକ୍ ଟେମ୍ପର୍) ସର୍ବଦା ଅବଲମ୍ବନ କରିବାକୁ ଆହ୍ବାନ ଦେଇଥିଲେ। ନେହରୁଙ୍କର ସେ ଆହ୍ବାନ ଯୋଗୁଁ ଭାରତୀୟମାନେ ସେମାନଙ୍କ ଆଭିମୁଖ୍ୟକୁ ଭାବପ୍ରବଣତାମୁକ୍ତ ବିଜ୍ଞାନ ସମ୍ମତ କରିଥା’ନ୍ତୁ କି ନଥା’ନ୍ତୁ, ଭାରତୀୟ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଲାଭ ପସନ୍ଦ ଉପରେ ଯଦି ଦୃଷ୍ଟିପାତ କରାଯାଏ, ତେବେ ଦେଖାଯାଇଥାଏ ବିଜ୍ଞାନରେ ଓ ତତ୍‌ସମ୍ପର୍କିତ ବିଷୟ ମାନଙ୍କରେ ଶିକ୍ଷାଲାଭ ଏଠାରେ ମେଧାବୀ ଛାତ୍ରଛାତ୍ରୀମାନଙ୍କର ପ୍ରଥମ ପସନ୍ଦ ରୂପେ ନିଜର ଆସନକୁ ଏପରି ସୁଦୃଢ଼ କରିଛି ଯେ ଅନ୍ୟାନ୍ୟ ମାନବ କୈନ୍ଦ୍ରିକ ବିଷୟ ମାନ (ହ୍ୟୁମାନିଟିଜ୍) ବସ୍ତୁତଃ ଅଲୋଡ଼ା ହୋଇ ପଡ଼ିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ବିଜ୍ଞାନ ଓ ସେଥିରୁ ଉତ୍ପନ୍ନ ବିଷୟ ମାନ ସମ୍ମିଳିତ ଭାବରେ ‘ଷ୍ଟେମ୍’ (ସାଇନ୍‌ସ, ଟେକ୍ନୋଲୋଜି, ଇଞ୍ଜିନିୟରିଙ୍ଗ୍, ମାଥେମାଟିକ୍‌ସ) ନାମ ବହନ କରି ଉଚ୍ଚଶିକ୍ଷା ଜଗତ୍‌ରେ ଏପରି ଆଧିପତ୍ୟ ବିସ୍ତାର କରିଛନ୍ତି ଯେ ଦେଶରେ ଉପଲବ୍‌ଧ ସେ ପାଠ୍ୟକ୍ରମ ପ୍ରଦାନ କରୁଥିବା ଉଚ୍ଚ ମାନର ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରବେଶ ପାଇଁ ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ବର୍ତ୍ତମାନ ଏକ ବିଶାଳ ତଥା ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ଏଠାରେ ଉଲ୍ଲେଖ କରିବା ସମୀଚୀନ ହେବ ଯେ ଉଭୟ ଘରୋଇ କ୍ଷେତ୍ରରେ ଥିବା କମ୍ପାନିମାନଙ୍କରେ ଓ ସରକାରୀ ବିଭାଗମାନଙ୍କରେ ଯେଉଁମାନେ ଉଚ୍ଚସ୍ତରୀୟ ନିୟନ୍ତ୍ରକ ଭୂମିକା ନିର୍ବାହ କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ‘ଷ୍ଟେମ୍’ ଶିକ୍ଷା ସ୍ରୋତରୁ ଉତ୍ପନ୍ନ ହୋଇଥା’ନ୍ତି। ବିଜ୍ଞାନ, ଗଣିତ, ଇଞ୍ଜିନିୟରିଙ୍ଗ୍‌ ଆଦିରେ ଶିକ୍ଷା ଲାଭ କରିଥିବା ଏହି ମେଧାବୀ ଅଧିକାରୀଙ୍କର ବିଚକ୍ଷଣତା ହେଉଛି ପ୍ରଶ୍ନାତୀତ। ଯୁକ୍ତିସିଦ୍ଧ ଭାବରେ ଚିନ୍ତା କରି ସମସ୍ୟାର ସମାଧାନ ବାହାର କରିବାକୁ ଚେଷ୍ଟା କରିବାରେ ଏମାନେ ଧୁରନ୍ଧର ହୋଇଥା’ନ୍ତି, ଠିକ୍ ଏକ କଠିନ ଗାଣିତିକ ପ୍ରଶ୍ନର ସମାଧାନ କରିବା ଭଳି। କିନ୍ତୁ ବିବିଧତା ଓ ଅସ୍ଥିରତାପୂର୍ଣ୍ଣ ମାନବ ସମାଜର ସମସ୍ୟାମାନ ଏପରି ଜଟିଳ ଓ ଅନିଶ୍ଚିତ ଯେ ‘ଷ୍ଟେମ୍’ ଶିକ୍ଷା ପ୍ରଦାନ କରୁଥିବା ‘ସୁଡ଼ଙ୍ଗ ଦୃଷ୍ଟି’ ସାହାଯ୍ୟରେ ସେ ସବୁକୁ ଦେଖିପାରିବା, ଆକଳନ କରିବା ଓ ସମାଧାନ କରିବା ସମ୍ଭବପର ହୋଇ ନ ଥାଏ। ‘ଷ୍ଟେମ୍’ ସୁଡ଼ଙ୍ଗରୁ ନିର୍ଗତ ଆଲୋକରଶ୍ମି ବାସ୍ତବ ଦୁନିଆକୁ ଆବୃତ କରି ରହିଥିବା ସମସ୍ୟା ଅନ୍ଧାରର ଏକ ଅତ୍ୟନ୍ତ ସୀମିତ ଇଲାକାକୁ ଆଲୋକିତ କରିଥାଏ ଯାହା।

ସେଇଥିପାଇଁ ବିଜ୍ଞାନଭିତ୍ତିକ ଶିକ୍ଷାର ଅଶେଷ ଗୁରୁତ୍ବକୁ ସ୍ବୀକାର କରିବା ସଙ୍ଗେ ସଙ୍ଗେ ଊନବିଂଶ ଶତାବ୍ଦୀର ମହାନ୍ ଆମେରିକୀୟ ଦାର୍ଶନିକ ତଥା ସେଠାରେ ମନୋବିଜ୍ଞାନର ପିତା ରୂପେ ପରିଚିତ ୱିଲିଅମ୍ ଜେମ୍‌ସ (ପ୍ରଖ୍ୟାତ ଔପନ୍ୟାସିକ ହେନ୍‌ରୀ ଜେମ୍‌ସଙ୍କ ଭାଇ) ଏଭଳି ଶିକ୍ଷାର ସୀମିତ କ୍ଷମତା ସମ୍ବନ୍ଧରେ ଆମକୁ ସତର୍କ କରାଇ ଦେଇ କହିଥିଲେ: ‘‘ଆମ ପକ୍ଷରେ ଯାହା ହେଉଛି ସର୍ବୋତ୍ତମ, ତାହା ହେଲା ଆମେ ଯେଉଁ ଅନ୍ଧାରରେ ଉଣ୍ଡାଳି ହେଉଛୁ, ତାହା ଯେ କେତେ ବିଶାଳ, ତାହା ହୃଦୟଙ୍ଗମ କରିବା, ଏବଂ କେବେ ହେଲେ ଏହା ନ ଭୁଲିବା ଯେ ବିଜ୍ଞାନର ଯେଉଁ ସବୁ ଧାରଣାକୁ ନେଇ ଆମେ ଯାତ୍ରା ଆରମ୍ଭ କରିଥାଉ, ସେ ସମସ୍ତ ହେଉଛନ୍ତି ଅସ୍ଥାୟୀ ଏବଂ ସଂଶୋଧନ ସାପେକ୍ଷ।’’ ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ପ୍ଲାଟୋ ଏହାଠାରୁ ମଧ୍ୟ କିପରି ଆଉ ପାଦେ ଆଗକୁ ଯାଇଥିଲେ ତାହା ଖାତନାମା ବ୍ରିଟିସ୍ ଦାର୍ଶନିକ ବର୍ଟ୍ରାଣ୍ଡ୍ ରସେଲ୍ ତାଙ୍କର ପ୍ରସିଦ୍ଧ ପୁସ୍ତକ, ‘ଦି ପ୍ରିନ୍‌ସିପଲ୍‌ସ ଅଫ୍ ମାଥେମାଟିକ୍‌ସ’ରେ ଏହି ପରି ବର୍ଣ୍ଣନା କରିଛନ୍ତି: ‘‘ଗଣିତ ତା’ର ଉପାସକମାନଙ୍କୁ ବାସ୍ତବ ଜୀବନ, ମାନବୀୟ ଆବେଗମାନ ଏବଂ ପ୍ରକୃତିର ନଗଣ୍ୟ ଘଟଣାମାନଙ୍କରୁ ମୁକ୍ତି ପ୍ରଦାନ କରି ସେମାନଙ୍କୁ ବିଶୁଦ୍ଧ ବୌଦ୍ଧିକତାର ରାଜ୍ୟକୁ ବାଟ କଢ଼ାଇ ନେଇଥାଏ।’’ ଏଥିରୁ ସହଜରେ ଅନୁମେୟ, ସେମାନଙ୍କର ସମସ୍ତ ତୀକ୍ଷ୍‌ଣ ମେଧା ସତ୍ତ୍ବେ କେବଳ ‘ଷ୍ଟେମ୍’ରେ ତାଲିମ ପାଇଥିବା ମାନବ ସମ୍ବଳମାନେ ଉପରବର୍ଣ୍ଣିତ ବୃହତ୍ତର ଜଟିଳ ସମସ୍ୟା ସମାଧାନର ସମ୍ମୁଖୀନ ହେଲେ ସେମାନଙ୍କର ସୀମାବଦ୍ଧ ଅବସ୍ଥା ସେତେ ଅଧିକରୁ ଅଧିକ ପରିସ୍ଫୁଟ ହେବାରେ ଲାଗିଛି, ସମୟ ସହିତ ତାଳ ଦେଇ ସମାଜ ଓ ଅର୍ଥନୀତି ସମ୍ମୁଖୀନ ହେଉଥିବା ସମସ୍ୟାମାନଙ୍କର ପ୍ରକାରଭେଦ ଓ ପାରସ୍ପରିକ ସମ୍ପର୍କର ଜଟିଳତା ଯେତେ ବୃଦ୍ଧି ପାଇବାରେ ଲାଗିଛି।

ଏହି କାରଣରୁ ବିଶୁଦ୍ଧ ପ୍ରାବିଧିକ ଜ୍ଞାନକୌଶଳ ପ୍ରୟୋଗ ଭିତ୍ତିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପୃଥିବୀର ଅଗ୍ରଣୀ ଆଇଟି କମ୍ପାନିମାନେ ପୂର୍ବରୁ କେବଳ ‘ଷ୍ଟେମ୍’ ଡିଗ୍ରୀଧାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିଆସୁଥିବା ବେଳେ ବର୍ତ୍ତମାନ ଏଭଳି ପ୍ରାର୍ଥୀମାନଙ୍କୁ ନିଯୁକ୍ତ କରିବାକୁ ପସନ୍ଦ କରିବା ଦେଖା ଗଲାଣି ଯେଉଁମାନେ ‘ଷ୍ଟେମ୍’ ସହିତ କୌଣସି ମାନବ କୈନ୍ଦ୍ରିକ ‘କଳା’ ବିଷୟରେ ମଧ୍ୟ ଶିକ୍ଷା ଲାଭ କରି ଡିଗ୍ରୀପ୍ରାପ୍ତ ହୋଇଥିବେ। ଅର୍ଥାତ୍ ସେମାନେ ଏପରି ମାନବ ସମ୍ବଳ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି, ଯେଉଁମାନେ ଏକ ଅସନ୍ତୁଳିତ ସୁଡ଼ଙ୍ଗ ଦୃଷ୍ଟି ଦ୍ବାରା ସଂକୁଚିତ ହୋଇଥିବା ପରିବର୍ତ୍ତେ ଏକ ପ୍ରଶସ୍ତ କୋଣୀୟ ଦୃଷ୍ଟି ଧାରଣ କରି ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆ ସହିତ ସହଜରେ ଖାପ ଖାଇ ପାରିବେ। କ୍ରମେ ସରକାରୀ କ୍ଷେତ୍ରରେ ମଧ୍ୟ ଏପରି ଦ୍ବୈତ ଡିଗ୍ରୀଧାରୀମାନଙ୍କୁ ମଧ୍ୟ ଯେ ଅଗ୍ରାଧିକାର ଦିଆଯିବାର ସମ୍ଭାବନା ବୃଦ୍ଧି ପାଇବାରେ ଲାଗିବ, ଏଥିରେ ସନ୍ଦେହ ନାହିଁ। ଏହି ପରିପ୍ରେକ୍ଷୀରେ ଭାରତରେ ‘ୟୁନିଭର୍‌ସିଟି ଗ୍ରାଣ୍ଟ୍‌ସ କମିସନ୍’ (‘ୟୁଜିସି’) ଉଭୟ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ଛାତ୍ରଛାତ୍ରୀମାନେ ଏକ ସମୟରେ ଦୁଇଟି ଡିଗ୍ରୀ ହାସଲ ପାଇଁ ଅଧ୍ୟୟନ କରିପାରିବା ନେଇ ଏବେ ଯେଉଁ ପ୍ରସ୍ତାବ ଦେଇଛି, ତାହା ଯେ ଯଥାର୍ଥ ଓ ସମୟୋଚିତ, ଏଥିରେ ସନ୍ଦେହ ନାହିଁ। ଉଦାହରଣ ସ୍ବରୂପ ଜଣେ ଛାତ୍ର ଏକ ସମୟରେ ପଦାର୍ଥବିଜ୍ଞାନ ଓ ସମାଜତତ୍ତ୍ବରେ ଡିଗ୍ରୀ ଲାଭ କରିବା ପାଇଁ କଲେଜରେ ନାମ ଲେଖାଇ ପାରିବ। ପ୍ରସ୍ତାବ ଅନୁସାରେ ଏଭଳି ଶିକ୍ଷାର୍ଥୀଙ୍କ ପାଇଁ ତିନି ପ୍ରକାର ବିକଳ୍ପ ଉପଲବ୍‌ଧ ହେବ: ଉଭୟ ଡିଗ୍ରୀ ପାଇଁ ଶ୍ରେଣୀ ଗୃହରେ ଶିକ୍ଷାଦାନ; କିମ୍ବା ଶ୍ରେଣୀ ଗୃହରେ ଓ ଅନ୍‌-ଲାଇନ୍‌ ମିଶ୍ରିତ ଶିକ୍ଷାଦାନ; କିମ୍ବା ଉଭୟ ପାଇଁ ସମ୍ପୂର୍ଣ୍ଣ ରୂପେ ଅନ୍‌-ଲାଇନ୍ ଶିକ୍ଷାଦାନ।

ଯଦି ‘ୟୁଜିସି’ର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ଯେଉଁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ହେବ, ତାହା ହେଲା ଶିକ୍ଷାଦାନର ଗୁଣାତ୍ମକ ମାନରେ ଏଥିଯୋଗୁଁ ଯେପରି କୌଣସି ସ୍ଖଳନ ନ ଘଟେ, ତାହା ନିଶ୍ଚିତ କରିବା। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ପରେ ଦ୍ବୈତ ଡିଗ୍ରୀ ପ୍ରଦାନ ବ୍ୟବସ୍ଥାରେ ଯେତେବେଳେ ଦ୍ରୁତ ସମ୍ପ୍ରସାରଣ ଘଟିବ, ସେତେବେଳେ ବର୍ତ୍ତମାନ କେବଳ ବୈଷୟିକ ଶିକ୍ଷାଦାନ କରୁଥିବା ଶିକ୍ଷାନୁଷ୍ଠାନମାନେ ଅଣବୈଷୟିକ ଡିଗ୍ରୀ ପାଇଁ ଶିକ୍ଷାଦାନ କରିବା ଓ ଅଣବୈଷୟିକ ଶିକ୍ଷାଦାନରେ ପ୍ରବୃତ୍ତ ଥିବା ଶିକ୍ଷାନୁଷ୍ଠାନମାନେ ବୈଷୟିକ ଶିକ୍ଷାଦାନ କରିବା ନିମିତ୍ତ ଅନୁମୋଦନ ଲାଭ କରିବା ପାଇଁ ଉଦ୍ୟମ ଆରମ୍ଭ କରି‌େଦବେ। ଅତୀତର ଅନୁଭୂତି ଯଦି ଆମକୁ ବାଟ ଦେଖାଏ, ତେବେ ଦେଶରେ ଛତୁ ଫୁଟିବା ପରି ଆବିର୍ଭୂତ ହୋଇଥିବା ଇଞ୍ଜିନିୟରିଙ୍ଗ୍ କଲେଜ୍‌ମାନଙ୍କରେ ଯେଉଁ ଭଳି ନିମ୍ନ ମାନର ଶିକ୍ଷାଦାନ କରାଯାଉଛି, ତା’ର ଯେପରି ଏକ ସମ୍ପ୍ରସାରିତ ପୁନରାବୃତ୍ତି ନ ହୁଏ, ସେଥି ପ୍ରତି ସାବଧାନ ରହିବାକୁ ହେବ। ଦେଶର ଏହି ଇଞ୍ଜିନିୟରିଙ୍ଗ୍ କଲେଜ୍‌ମାନଙ୍କରୁ ଉତ୍ତୀର୍ଣ୍ଣ ହୋଇ ବାହାରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମାତ୍ର ପ୍ରାୟ ଏକ-ପଞ୍ଚମାଂଶ ହେଉଛନ୍ତି ‘ନିଯୁକ୍ତି ଯୋଗ୍ୟ’ ବୋଲି ବାରମ୍ବାର ଖବର ପ୍ରକାଶ ପାଇବାରେ ଲାଗିଛି। ଯେତେବେଳେ ଏହି ନୂତନ ନୀତି ଅନୁସାରେ କଳା କଲେଜ୍‌ମାନ ମଧ୍ୟ ବୈଷୟିକ ବିଦ୍ୟାରେ ଡିଗ୍ରୀ ପ୍ରଦାନ ନିମିତ୍ତ ଅନୁମୋଦନ ପାଇବେ, ସେତେବେଳେ ଶିକ୍ଷାର ମାନ ଆହୁରି ହୁଗୁଳା ହୋଇଯିବାର ସମସ୍ତ ସମ୍ଭାବନା ରହିଛି। ଉଭୟ ‘ୟୁଜିସି’ ଓ ‘ଏଆଇସିଟିଇ’ ଏହି ନୂତନ ଚିନ୍ତାଧାରା କାର୍ଯ୍ୟକାରୀ ହେବା ପୂର୍ବରୁ ବ୍ୟବସ୍ଥାରେ ଥିବା ସମସ୍ତ ଗଳାବାଟ ବନ୍ଦ କରି ନିଶ୍ଚିତ କରିବା ଉଚିତ ଯେପରି ଦ୍ବୈତ ଡିଗ୍ରୀର ମଧ୍ୟ ସେଇ ଦଶା ନ ହୁଏ ଯାହା ଏକକ ଡିଗ୍ରୀ କ୍ଷେତ୍ରରେ ପୂର୍ବରୁ ଦେଖା‌ ଯାଇଛି।

ସମ୍ବନ୍ଧିତ ଖବର