ଭାରତରେ ଅମଲାତାନ୍ତ୍ରିକ ଜଗତ୍‌ରେ ବହୁ କାଳରୁ ଚଳି ଆସିଥିବା ଏକ ସୁପରିଚିତ ଜୋକ୍ ହେଉଛି କମ୍ପୋଷ୍ଟ୍‌ ଖାତ ଖୋଳା ହେବାକୁ କେନ୍ଦ୍ର କରି। ସରକାର ଜୈବସାର ବ୍ୟବହାରକୁ ପ୍ରୋତ୍ସାହନ ଯୋଗାଇବା ପାଇଁ ଏକ ଦେଶବ୍ୟାପୀ କମ୍ପୋଷ୍ଟ୍‌ ଖାତ ଖୋଳିବା କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ଦେଶର ପ୍ରତ୍ୟେକ ଉନ୍ନୟନ୍‌ ବ୍ଲକ୍‌ରେ କାଗଜପତ୍ରରେ ଏତେ ସଂଖ୍ୟକ କମ୍ପୋଷ୍ଟ୍‌ ଖାତ ଖୋଳା ହୋଇଥିବା ପ୍ରଦର୍ଶିତ କରାଗଲା ଯେ ସେ ସବୁଗୁଡ଼ିକୁ ମିଶାଇ ଦେଲେ ଯେଉଁ ମୋଟ ଆୟତନ ବାହାରିଲା, ତାହା ଦେଶର ମୋଟ ଭୌଗୋଳିକ ଆୟତନ ଠାରୁ ମଧ୍ୟ ଅଧିକ ହୋଇଗଲା। ଅର୍ଥାତ୍, ରେକର୍ଡ ଅନୁସାରେ ସାରା ଦେଶ କମ୍ପୋଷ୍ଟ୍‌ ଖାତମାନଙ୍କ ଦ୍ବାରା ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଯିବା ପରେ ମଧ୍ୟ ଆହୁରି ଅସଂଖ୍ୟ ଖାତ ବଳି ପଡ଼ିଲା- ସତେ ଯେମିତି ପବନରେ ମଧ୍ୟ କିଛି ଖାତ ଖୋଳା ହୋଇ ଯାଇଥିଲା।

Advertisment

ଗତ ମାସରେ ସରକାରୀ ସର୍ବେକ୍ଷଣ ସଂସ୍ଥା ‘ଫରେଷ୍ଟ୍ ସର୍ଭେ ଅଫ୍ ଇଣ୍ଡିଆ’ (‘ଏଫ୍‌ଏସ୍‌ଆଇ’) ଭାରତରେ ଜଙ୍ଗଲ ଦ୍ବାରା ଆଚ୍ଛାଦିତ ଅଞ୍ଚଳ ସମ୍ବନ୍ଧରେ ପ୍ରଦାନ କରିଥିବା ଚିତ୍ର ଏହି କମ୍ପୋଷ୍ଟ୍‌ ଖାତ ଚିତ୍ର ଭଳି ହାସ୍ୟାସ୍ପଦ ଓ କପୋଳକଳ୍ପିତ ନ ହୋଇଥିଲେ ମଧ୍ୟ,‌ ଜାଣିବା ଶୁଣିବା ମହଲରେ ଏଥିରେ ଯେଉଁଭଳି ଅତିରଞ୍ଜନ ରହିଥିବାର ଅଭିଯୋଗ ହେଉଛି, ତାହା ଅନେକଙ୍କୁ ସେଇ କମ୍ପୋଷ୍ଟ୍‌ ଖାତ ଜୋକ୍ ଯେ ମନେ ପକାଇ ଦେଉଥିବ, ଏଥିରେ ସନ୍ଦେହ ନାହିଁ। ଏଠାରେ ମନେ ପକାଇ ଦିଆଯାଇପାରେ ଯେ ଗତ ବର୍ଷ ନଭେମ୍ବରରେ ଗ୍ଲାସ୍‌ଗୋ ଠାରେ ଅନୁଷ୍ଠିତ ‘କପ୍-୨୬’ ଜଳବାୟୁ ଶୀର୍ଷ ସମ୍ମିଳନୀରେ ଯେତେବେଳେ ଶତାଧିକ ସଦସ୍ୟ ରାଷ୍ଟ୍ରମାନେ ୨୦୩୦କୁ ଜଙ୍ଗଲ କ୍ଷୟରେ ଅନ୍ତ ଘଟାଇବାର ଅନ୍ତିମ ସମୟ ସୀମା ରୂପେ ଧାର୍ଯ୍ୟ କରାଯିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କଲେ, ପୃଥିବୀର କେତେକ ବୃହତ୍ତମ ତଥା ଜୈବ ବିବିଧତାପୂର୍ଣ୍ଣ ଜଙ୍ଗଲ ଧାରଣ କରିଥିବା ଭାରତ କିନ୍ତୁ ଏ ଦିଗରେ କୌଣସି ଉତ୍ସାହ ପ୍ରଦର୍ଶନ କରିବା ପରିବର୍ତ୍ତେ ଘୋର କୁଣ୍ଠା ପ୍ରଦର୍ଶନ କରିବା ଦେଖାଯାଇଥିଲା। ବର୍ତ୍ତମାନ ପ୍ରକାଶିତ ଉପରୋକ୍ତ ରିପୋର୍ଟ‌୍ ଦେଖିଲେ କିନ୍ତୁ ମନେ ହୋଇଥାଏ, ୨୦୩୦ ସମୟସୀମା ଆମକୁ ଏପରି ଛାନିଆ କରିବା ଆଦୌ ଆବଶ୍ୟକ ନ ଥିଲା- ଆମେ ତ ତା’ର ପ୍ରାୟ ୧୦ ବର୍ଷ ପୂର୍ବରୁ ୨୦୧୯ରୁ ୨୦୨୧ ମଧ୍ୟରେ ଜଙ୍ଗଲ କ୍ଷୟରେ ଲଗାମ ଦେଇ ଦେଶରେ ଜଙ୍ଗଲ ଆବୃତ ଅଞ୍ଚଳରେ ବୃଦ୍ଧି ଘଟାଇବାରେ ସଫଳ ହୋଇଛୁ! ରିପୋର୍ଟ‌୍ ଅନୁସାରେ ଏହି ସମୟ ମଧ୍ୟରେ ଦେଶର ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳର ଆୟତନରେ ୧,୫୪୦ ବର୍ଗ କିମି ବୃଦ୍ଧି ଘଟିଛି। ସେତିକି ନୁହେଁ, ରିପୋର୍ଟ‌୍ ଅନୁସାରେ ବିଗତ ୨୦ ବର୍ଷ ମଧ୍ୟରେ ଦେଶର ଏହି ଅରଣ୍ୟାବୃତ ଅଞ୍ଚଳର ଆୟତନରେ ୪୦,୦୦୦ ବର୍ଗ କିମି ବୃଦ୍ଧି ଘଟିଛି; ବୃଦ୍ଧି ହାର ହେଉଛି ୫.୭ ଶତାଂଶ।

ଭାରତର ପରିବେଶ ସଚେତନ ପର୍ଯ୍ୟବେକ୍ଷକମାନେ କିନ୍ତୁ ଏହି ସର୍ବେକ୍ଷଣ ଫଳାଫଳକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସେମାନଙ୍କ ମତରେ ବିଗତ ୨୦ ବର୍ଷ ଧରି ‘ଏଫ୍‌ଏସ୍‌ଆଇ’ ‘‘ଜଙ୍ଗଲ’’ର ଯେଉଁ ସଂଜ୍ଞା ବ୍ୟବହାର କରି ଆସୁଛି, ତାହା ହେଉଛି ଅତ୍ୟନ୍ତ ଭ୍ରମାତ୍ମକ। ଏହା ଅନୁଯାୟୀ ଯେ କୌଣସି ଏକ-ହେକ୍ଟର୍‌ରୁ ଅଧିକ ପରିମିତ ଅଞ୍ଚଳର ଅନ୍ୟୂନ ୧୦ ଶତାଂଶ ଯଦି ଡାଳପତ୍ର (‘କ୍ୟାନପି’) ଦ୍ବାରା ଆଚ୍ଛାଦିତ ହୋଇଥାଏ, ସେ ଅଞ୍ଚଳକୁ ‘‘ଜଙ୍ଗଲ’’ ରୂପେ ଅଭିହିତ କରାଯିବ। ଲକ୍ଷ୍ୟ କରିବା କଥା ଯେ ଏହି ଅଞ୍ଚଳର ମାଲିକ କିଏ, କିମ୍ବା ଏହାକୁ କେଉଁ ଭଳି ବ୍ୟବହାର କରାଯାଉଛି, ତାହାର ଏହି ସଂଜ୍ଞା ନିରୂପଣରେ କୌଣସି ଭୂମିକା ନ ଥାଏ। ଏହି ମାପକାଠି ପ୍ରୟୋଗ କରି ‘ଏଫ୍‌ଏସ୍‌ଆଇ’ ଯେଉଁ ସବୁ ଅଞ୍ଚଳକୁ ‘‘ଜଙ୍ଗଲ’’ ବୋଲି ଚିହ୍ନଟ କରିଛି, ସେଥିରେ ପୂର୍ବ ଭାରତର ଚା’ ବଗିଚା ଶୋଭିତ ପାର୍ବତ୍ୟ ଢାଲୁରୁ ଆରମ୍ଭ କରି ପଶ୍ଚିମ ତଟବର୍ତ୍ତୀ କାଜୁବାଦାମ ବଗିଚା ପର୍ଯ୍ୟନ୍ତ ଓ ଏପରିକି ରାଜଧାନୀ ଦିଲ୍ଲୀର ପାର୍କ ମାନ ମଧ୍ୟ ଅନ୍ତର୍ଭୁକ୍ତ। ବାସ୍ତବରେ ଗତ ଦୁଇ ବର୍ଷ ମଧ୍ୟରେ ଭାରତର ଅରଣ୍ୟାଚ୍ଛାଦିତ ଅଞ୍ଚଳରେ ଯେଉଁ ବୃଦ୍ଧି ଘଟିଥିବା ‘ଏଫ୍‌ଏସ୍‌ଆଇ’ ଦର୍ଶାଇଛି, ତାହା ପ୍ରାୟ ସମ୍ପୂର୍ଣ୍ଣ ରୂପେ ଉଦ୍ୟାନ କୃଷି ବା ‘ପ୍ଲା‌େଣ୍ଟସନ୍‌’ରେ ବୃଦ୍ଧି ଯୋଗୁଁ ହିଁ ଘଟିଛି। ୨୦୧୯ ପର ଠାରୁ ଲିପିବଦ୍ଧ ‌ଜଙ୍ଗଲ ଅର୍ଥାତ୍ ପ୍ରକୃତ ଜଙ୍ଗଲ ଆକାରରେ ଯେଉଁ ବୃଦ୍ଧି ଘଟିଛି, ତାହାର ଆକାର ହେଉଛି ଏକ ହାସ୍ୟାସ୍ପଦ ୩୧ ବର୍ଗ କିମି ମାତ୍ର। ଅପରପକ୍ଷେ ‘ଗ୍ଲୋବାଲ୍ ଫରେଷ୍ଟ୍ ୱାଚ୍’ ନାମକ ଏକ ବିଶ୍ବସନୀୟ ଅନ୍‌ଲାଇନ୍ ଜଙ୍ଗଲ ଜଗୁଆଳି ସଂସ୍ଥା ‘‘ଜଙ୍ଗଲ’’ର ଯେଉଁ କଠୋର ସଂଜ୍ଞା ବ୍ୟବହାର କରିଥାଏ, ତାହା ଅନୁସାରେ ପ୍ରଦାନ କରିଥିବା ସୂଚନା ଅନୁସାରେ ୨୦୦୨ରୁ ୨୦୨୦ ମଧ୍ୟରେ ଦେଶର ପ୍ରକୃତ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳରେ ୩.୪ ଶତାଂଶ ସଂକୋଚନ ଘଟିଛି।

ତା’ଛଡ଼ା ଲିପିବଦ୍ଧ ଜଙ୍ଗଲ ଅଞ୍ଚଳ (ରେକର୍ଡେଡ୍ ଫରେଷ୍ଟ ଏରିଆ)କୁ ଆଚ୍ଛାଦିତ କରିଥିବା ଜଙ୍ଗଲର ଗୁଣାତ୍ମକ ମାନ ସମ୍ବନ୍ଧରେ ରିପୋର୍ଟ‌୍ଟିରୁ ଏକ ଠିକ୍ ଧାରଣା କରିବା ମଧ୍ୟ ସମ୍ଭବପର ନୁହେଁ। ଖୋଦ୍ ସେଇ ରିପୋର୍ଟ‌୍ରେ ଏହା ସ୍ବୀକାର କରି କୁହାଯାଇଛି: ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଆଖୁ, କପା ଆଦି ଫସଲ ଚାଷ ଏବଂ ଜଙ୍ଗଲ ଭିତରେ ଲାଣ୍ଟାନା (ନାଗ-ଅଇରି) ଭଳି ଅନାବନା ଗୁଳ୍ମ ଆଦିର ଉପସ୍ଥିତି ଗଛବୃକ୍ଷର ଜାତି ପରିଚୟକୁ ଅପମିଶ୍ରିତ କରିଥା’ନ୍ତି ଯାହା ଫଳରେ ଜଙ୍ଗଲ ଆଚ୍ଛାଦନ ବା ‘ଫରେଷ୍ଟ୍ କଭର୍’ ସମ୍ବନ୍ଧରେ ନିର୍ଭୁଲ୍ ସମ୍ୟକ୍ ଧାରଣା ସଂଗ୍ରହ କରିବା କଷ୍ଟକର ହୋଇଥାଏ। ଏଥିପାଇଁ ‘‘ଜଙ୍ଗଲ’’ର ସଂଜ୍ଞା ଯେତିକି ଦାୟୀ ନୁହେଁ, ସୂଚନା ସଂଗ୍ରହ ପ୍ରଣାଳୀ ତା’ଠାରୁ ଅଧିକ ଦାୟୀ। ‌‘ଏଫ୍‌ଏସ୍‌ଆଇ’ ରିପୋର୍ଟ‌୍ ପ୍ରସ୍ତୁତ କରିବା ପାଇଁ ଯେଉଁ ସାଟେଲାଇଟ୍ ଚିତ୍ରରୁ ଉପଲବ୍‌ଧ ଡାଟା ବ୍ୟବହାର କରିଥାଏ, ସେଥିରୁ ଜଙ୍ଗଲ ଆଚ୍ଛାଦନ ସମ୍ବନ୍ଧରେ ଏକ ବାସ୍ତବ ଧାରଣା କରିବା କଷ୍ଟକର ହୋଇଥାଏ। ଯଦି କଡ଼ାକଡ଼ି ଭୂ-ପୃଷ୍ଠ ସର୍ବେକ୍ଷଣ ଦ୍ବାରା ଏହି ସାଟେଲାଇଟ୍ ଚିତ୍ରରୁ ଉପଲବ୍‌ଧ ସୂଚନାର ପୁଷ୍ଟୀକରଣ କରା ନ ଯାଏ, ତେବେ ଜଙ୍ଗଲ ଆଚ୍ଛାଦନ ଆୟତନରେ ହ୍ରାସ ବୃଦ୍ଧି ସମ୍ବନ୍ଧରେ କିଛି ହେଲେ ଦାବି କରିବା କେବଳ ଏକ ଫମ୍ପା ଆୱାଜ ବ୍ୟତୀତ ଆଉ କିଛି ରୂପେ ବିବେଚିତ ହୋଇ ପାରିବ ନାହିଁ।

ସରକାର ଅବଶ୍ୟ ଦାବି କରୁଛନ୍ତି ଯେ ରିପୋର୍ଟ‌୍ ପ୍ରସ୍ତୁତିରେ ବ୍ୟବହାର କରାଯାଇଥିବା ସଂଜ୍ଞା ଓ ପଦ୍ଧତି ଆନ୍ତର୍ଜାତିକ ମାନଦଣ୍ଡକୁ ଅନୁସରଣ କରିଥାଏ। ସରକାର ଏହା ମଧ୍ୟ ଜୋର ଦେଇ କହୁଛନ୍ତି ଯେ ବୃକ୍ଷଟିଏ ଯେଉଁଠି ବି ଛିଡ଼ା ହୋଇଥାଉ ନା କାହିଁକି- ଜଙ୍ଗଲରେ ହେଉ କି ସହରରେ ହେଉ କି ଉଦ୍ୟାନରେ ହେଉ...- ସେଥିରୁ ପରିବେଶ ପାଇଁ କିଛି ନା କିଛି ଲାଭ ଉପଲବ୍‌ଧ ହୋଇଥାଏ। ଏହା ସତ, କିନ୍ତୁ ଏହା ମଧ୍ୟ ସତ ଯେ ଗୁଣାତ୍ମକ ମାନ ହେଉଛି ଗୁରୁତ୍ବପୂର୍ଣ୍ଣ: ଘଞ୍ଚ ଶାଖା ପ୍ରଶାଖା ଆଚ୍ଛାଦିତ ବିଧିବଦ୍ଧ ଜଙ୍ଗଲ ଅସଂଖ୍ୟ ପ୍ରକାର ଜୀବଜନ୍ତୁ, ପଶୁପକ୍ଷୀ, କୀଟପତଙ୍ଗ-ଆଦିମାନଙ୍କ ପାଇଁ ଏକ ପ୍ରାକୃତିକ ବାସସ୍ଥଳୀ ଯୋଗାଇବା ସହିତ ବାୟୁମଣ୍ଡଳର ଅଙ୍ଗାରକାମ୍ଳ-ବୋଝ ଲାଘବ କରିବା ପାଇଁ ଏକ ଅଙ୍ଗାର ଭଣ୍ଡାର ବା ‘କାର୍ବନ୍ ସିଙ୍କ୍’ ରୂପେ କାର୍ଯ୍ୟ କରିଥାଏ। ଏଇଭଳି ଅରଣ୍ୟକୁ ଦୃଷ୍ଟିରେ ରଖି ବେଦର ‘ବ୍ରାହ୍ମଣ’ ଓ ‘ଉପନିଷଦ’ ମଧ୍ୟବର୍ତ୍ତୀ ଅଂଶ ‘ଆରଣ୍ୟକ’ ରଚିତ ହୋଇଥିଲା। ଋଷିମୁନିମାନେ ଏଇଭଳି ଅରଣ୍ୟରେ ଧ୍ୟାନ କରୁଥିଲେ ଓ ଗୃହୀମାନେ ବାନପ୍ରସ୍ଥ ପାଇଁ ଏଠାକୁ ଗମନ କରୁଥିଲେ। କାଁ ଭାଁ ବିଛାଡ଼ି ହୋଇଥିବା ବୃକ୍ଷରାଜି କେବେ ହେଲେ ଏହାର ସମକକ୍ଷ ନୁହେଁ। ଯେଉଁ ଜଙ୍ଗଲ ଅଞ୍ଚଳର ବୃଦ୍ଧି ‘ଏଫ୍‌ଏସ୍‌ଆଇ’ ରିପୋର୍ଟ‌୍ର ପୃଷ୍ଠା ମଣ୍ଡନ କରୁଛି, ତାହା ଯେ ଏହି ମହିମାମୟ ଅରଣ୍ୟ ନୁହେଁ, ଏଥିରେ କୌଣସି ସନ୍ଦେହ ନାହିଁ- ତାହା ହେଉଛି ଅମଲାତନ୍ତ୍ର ସୃଷ୍ଟ କମ୍ପୋଷ୍ଟ୍ ଖାତମାନ ଭଳି।