ଭାରତୀୟ କୃଷକମାନଙ୍କର ବର୍ଦ୍ଧିତ ଉତ୍ପାଦନ ଉଭୟ ସରକାରୀ ଉଦ୍ୟମ ଓ ଘରୋଇ ଉଦ୍ୟମ ମାଧ୍ୟମରେ ବିଦେଶକୁ ରପ୍ତାନି ହୋଇ କୃଷକମାନଙ୍କ ପାଇଁ ଲାଭ ସୃଷ୍ଟି କରି ପାରିବ। ତା’ଛଡ଼ା ପନିପରିବା, ତୈଳବୀଜ ଆଦିର ଯୋଗାଣରେ ଘରୋଇ ବଜାରରେ ବର୍ତ୍ତମାନ ସଂକୋଚନ ଘଟି ସେ ସବୁର ଦରଦାମରେ ଯେଉଁ ଭଳି ଅତିରିକ୍ତ ବୃଦ୍ଧି ଘଟିବା ଦେଖାଯାଇଛି, ଅନୁକୂଳ ମୌସୁମୀ ଯୋଗୁଁ ସେ ସମସ୍ତ କୃଷିଜାତ ଦ୍ରବ୍ୟ ଉତ୍ପାଦନରେ ବୃଦ୍ଧି ଘଟିଲେ କୃଷକମାନେ ଲାଭବାନ୍ ହେବେ। ତେବେ ଏହା ସମ୍ଭବ ହେବ ମୌସୁମୀ ଯଦି ନିଜର ମତିଗତି ନ ବଦଳାଇ ଇନ୍ଦ୍ରଙ୍କ ବୋଲ ମାନେ!
ବୈଦିକ ମତରେ ପୃଥିବୀକୁ ପରିବେଷ୍ଟିତ କରିଥିବା ଅଷ୍ଟ ଦିଗ ମଧ୍ୟରୁ ପୂର୍ବ ଦିଗର ପାଳକ ବା ଦିକ୍-ପାଳ ହେଉଛନ୍ତି ଦେବରାଜ ଇନ୍ଦ୍ର। ଯେହେତୁ ଭାରତ ହେଉଛି ପୂର୍ବ ଗୋଲାର୍ଦ୍ଧର ଦେଶ, କୁହାଯାଇପାରେ ଯେ ଭାରତର ପାଳନକର୍ତ୍ତା ହେଉଛନ୍ତି ଇନ୍ଦ୍ର। ବିଶ୍ବାସ କରାଯାଇଥାଏ ଇନ୍ଦ୍ର ତାଙ୍କର ସ୍ବର୍ଗପୁରୀର ଅଧିବାସୀମାନଙ୍କ ଜୀବନକୁ ଚିର ଆନନ୍ଦମୟ କରିବା ପାଇଁ ସେମାନଙ୍କ ମଧ୍ୟରେ ଅମୃତ ବଣ୍ଟନ କରିଥା’ନ୍ତି। ମର୍ତ୍ତ୍ୟବାସୀମାନେ ତ କିନ୍ତୁ ଅମୃତ ସେବନ ପାଇଁ ଯୋଗ୍ୟ ବିବେଚିତ ହୋଇ ନ ଥା’ନ୍ତି। ଦେବରାଜ ତେଣୁ ଚାହିଁଲେ ବି ତାଙ୍କର ମର୍ତ୍ତ୍ୟର ପ୍ରଜା ଭାରତବାସୀମାନଙ୍କ ମଧ୍ୟରେ ଅମୃତ ବଣ୍ଟନ କରିପାରନ୍ତେ ନାହିଁ।
ମର୍ତ୍ତ୍ୟରେ ଅମୃତ ତଳକୁ କେଉଁ ଏକ ପଦାର୍ଥ ଯଦି ଅମୃତତୁଲ୍ୟ ହୋଇଥାଏ, ତାହା ହେଉଛି ଜଳ, ଯେଉଁଥିପାଇଁ ଏହାର ଅନ୍ୟ ନାମ ହେଉଛି ‘ଜୀବନ’। ସୌଭାଗ୍ୟବଶତଃ ମର୍ତ୍ତ୍ୟରେ ଜଳ ବୃଷ୍ଟି କରୁଥିବା ମେଘର ଦେବତା ହେଉଛନ୍ତି ସେଇ ଇନ୍ଦ୍ର। ଯେଉଁ ମେଘ ଭାରତ ପାଇଁ ବୃଷ୍ଟି ଆଣିଥାଏ, ସେ ହେଉଛି, ମୌସୁମୀ। ମନେ ହେଉଛି ଦେବରାଜ ଭାରତବାସୀମାନଙ୍କୁ ଅମୃତ ପ୍ରଦାନ କରି ନ ପାରିଲେ ମଧ୍ୟ ସେମାନଙ୍କୁ ଯଥାସମ୍ଭବ ଆନନ୍ଦ ପ୍ରଦାନ କରିବା ପାଇଁ ବୋଧହୁଏ ବଦ୍ଧପରିକର। କାରଣ ଗୁରୁବାର ଦିନ ‘‘ଭାରତୀୟ ପାଣିପାଗ ବିଭାଗ’ (‘ଆଇଏମ୍ଡି’) ପ୍ରକାଶ କରିଛି ଯେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଆସନ୍ତା ମୌସୁମୀ ଋତୁ (ଜୁନ୍-ସେପ୍ଟେମ୍ବର)ରେ ଦେଶରେ ବୃଷ୍ଟିପାତ ସ୍ବାଭାବିକ ତଥା ଏହାର ଭୌଗୋଳିକ ବଣ୍ଟନ ସୁଷମ ହେବାକୁ ଯାଉଛି। ଘରୋଇ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ‘ସ୍କାଏମେଟ୍’ ମଧ୍ୟ ଏହି ସରକାରୀ ପୂର୍ବାନୁମାନ ସହିତ ଏକମତ ହୋଇଛି।
ଭାରତୀୟ ଅର୍ଥନୀତିର ସମସ୍ତ ପର୍ଯ୍ୟବେକ୍ଷକମାନଙ୍କୁ ଜଣା ଯେ ବିଭିନ୍ନ କାରଣମାନ ଭାରତୀୟ ଅର୍ଥନୀତିର ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଥିଲେ ହେଁ, ଯେଉଁ କାରଣଟିର ପ୍ରଭାବ ସର୍ବାଧିକ ହୋଇଥାଏ, ତାହା ହେଉଛି ମୌସୁମୀର ଆଚରଣ। ଖାଦ୍ୟ ଦ୍ରବ୍ୟ ଦରଦାମରୁ ଆରମ୍ଭ କରି ବଜାରରେ ଅସ୍ଥାୟୀ ଓ ସ୍ଥାୟୀ ଖାଉଟି ଦ୍ରବ୍ୟ ସବୁର ଚାହିଦା ପର୍ଯ୍ୟନ୍ତ ମୌସୁମୀର ମୁଡ୍ ଦ୍ବାରା ପ୍ରଭାବିତ ହୋଇଥା’ନ୍ତି। ଉଭୟ ଗ୍ରାମ୍ୟ ଅର୍ଥନୀତି ଓ ସହରୀ ଅର୍ଥନୀତି ମୌସୁମୀ ଦ୍ବାରା ପ୍ରଭାବିତ ହୋଇଥା’ନ୍ତି। ଏମାନଙ୍କ ମଧ୍ୟରୁ ଅବଶ୍ୟ ସିଧାସଳଖ ଯିଏ ମୌସୁମୀ ଦ୍ବାରା ପ୍ରଭାବିତ ହୋଇଥାଏ, ସେ ହେଉଛି ଗ୍ରାମ୍ୟ ଅର୍ଥନୀତି। ଆଉ ବର୍ତ୍ତମାନ କୋଭିଡ୍ ଓ ମୁଦ୍ରାସ୍ଫୀତିର ମିଳିତ ଆକ୍ରମଣ ଗ୍ରାମ୍ୟ ଅର୍ଥନୀତି ପାଇଁ ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଛି, ସେଥିରେ ଆଗାମୀ ସ୍ବାଭାବିକ ମୌସୁମୀ ବର୍ଷାର ସୂଚନା ଏକ ଅମୃତ ବର୍ଷାର ସୂଚନା ଭଳି ଯଦି ମନେ ହୁଏ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଗ୍ରାମ୍ୟ ଅର୍ଥନୀତିର ମୂଳଭିତ୍ତି ହେଉଛି କୃଷି ଏବଂ ଭାରତରେ କୃଷି ଉତ୍ପାଦନର ପ୍ରାୟ ୬୦ ଶତାଂଶ ସିଧାସଳଖ ବର୍ଷାଜଳ ଉପରେ ନିର୍ଭରଶୀଳ ହୋଇଥାଏ। ଭାରତରେ ନିଟ୍ ଚାଷଯୋଗ୍ୟ ଜମିର ପରିମାଣ ପ୍ରାୟ ୧୪୦ ନିୟୁତ ହେକ୍ଟର୍ର ଅର୍ଦ୍ଧେକରୁ ଅଧିକ ଜଳସେଚନରୁ ବଞ୍ଚିତ। ଅର୍ଥାତ୍, ଏଥିରେ କୃଷିକାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ମୌସୁମୀ ବୃଷ୍ଟିପାତ ଉପରେ ନିର୍ଭର କରିଥାଏ। ଆହୁରି ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା, ପ୍ରାୟ ତିନି-ପଞ୍ଚମାଂଶ ଭାରତୀୟ କୃଷକ ଏହି ବିଶୁଦ୍ଧ ମୌସୁମୀ-ସେଚିତ ଭୂମିକୁ କର୍ଷଣ କରି ଫସଲ ଉପୁଜାଇବାକୁ ଚେଷ୍ଟା କରିଥା’ନ୍ତି। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଯେଉଁ ବର୍ଷ ମୌସୁମୀ ଅନୁକୂଳ ହୋଇଛି, ସେ ବର୍ଷ କୃଷି ଓ ତତ୍ସଂଯୁକ୍ତ କ୍ଷେତ୍ରରେ ଅଭିବୃଦ୍ଧି ସନ୍ତୋଷଜନକ ହୋଇଥିବା ବେଳେ, ଯେଉଁ ବର୍ଷ ମୌସୁମୀ କୁଣ୍ଠିତ ହୋଇଛି, ସେ ବର୍ଷ ଅଭିବୃଦ୍ଧି କ୍ଷୀଣ ହୋଇଛି।
ଉଦାହରଣସ୍ବରୂପ ବିଗତ ଦଶନ୍ଧିରେ ୨୦୧୬ ଓ ୨୦୨୧ରେ ମୌସୁମୀ ବୃଷ୍ଟିପାତ ସ୍ବାଭାବିକ ହୋଇଥିଲା ଏବଂ ୨୦୧୩, ୨୦୧୯ ଓ ୨୦୨୦ରେ ତାହା ସ୍ବାଭାବିକ ଠାରୁ ଅଧିକ ହୋଇଥିଲା। ଏହି ବର୍ଷ ମାନଙ୍କରେ କୃଷି ଓ ତତ୍ସଂଯୁକ୍ତ କ୍ଷେତ୍ରରେ ସମ୍ଭବ ହୋଇପାରିଥିବା ବାର୍ଷିକ ହାରାହାରି ବାସ୍ତବ ଅଭିବୃଦ୍ଧି ହାର (ମୁଦ୍ରାସ୍ଫୀତି ପ୍ରଭାବକୁ ବାଦ୍ ଦେଇ) ଥିଲା ୪.୯ ଶତାଂଶ। ଅପରପକ୍ଷେ ୨୦୧୨, ୨୦୧୭ ଓ ୨୦୧୮ ବର୍ଷ ମାନଙ୍କରେ ମୌସୁମୀ ବୃଷ୍ଟିପାତ ସ୍ବାଭାବିକ ସ୍ତରର ତଳେ ଥିଲା ଏବଂ ୨୦୧୪ ଓ ୨୦୧୫ରେ ଏହା ଅାହୁରି ଖରାପ, ନିଅଣ୍ଟ ସ୍ତରରେ ଥିଲା। ଏହି ଦୁର୍ବଳ-ମୌସୁମୀ ବର୍ଷ ମାନଙ୍କରେ ଉପରୋକ୍ତ କ୍ଷେତ୍ରରେ ଅଭିବୃଦ୍ଧି ସମ୍ଭବ ହୋଇଥିଲା ହାରାହାରି ମାତ୍ର ବାର୍ଷିକ ୨ ଶତାଂଶ ହାରରେ। ଏଥିରୁ ସହଜରେ ଅନୁମାନ କରି ହେବ ଆଗାମୀ ଋତୁରେ ମୌସୁମୀ ଯଦି ସ୍ବାଭାବିକ ହୁଏ, ତେବେ ଗ୍ରାମ୍ୟ ଅର୍ଥନୀତି ପାଇଁ ତାହା କିପରି ସହାୟକ ହେବ। ଗ୍ରାମାଞ୍ଚଳରେ କୃଷିକାର୍ଯ୍ୟ ଉପରେ ନିର୍ଭର କରି ଯେଉଁମାନେ ଜୀବିକା ଅର୍ଜନ କରିଥା’ନ୍ତି, ସେମାନଙ୍କ ମଧ୍ୟରୁ ଅନେକ କୃଷି ଶ୍ରମିକ ହୋଇଥା’ନ୍ତି। ଫେବ୍ରୁଆରି ୨୦୨୧ ଓ ଫେବ୍ରୁଆରି ୨୦୨୨ ମଧ୍ୟରେ ଏହି କୃଷି ଶ୍ରମିକମାନଙ୍କର ମଜୁରି ହାରରେ ୪.୮ ଶତାଂଶ ବୃଦ୍ଧି ଘଟିଥିଲା, କିନ୍ତୁ ତାହାକୁ ନିରର୍ଥକ କରି ଗ୍ରାମାଞ୍ଚଳ ପାଇଁ ଉଦ୍ଦିଷ୍ଟ ମୁଦ୍ରାସ୍ଫୀତି ହାର ଅର୍ଥାତ୍ ଦରଦାମ ବୃଦ୍ଧି ହାର ଫେବ୍ରୁଆରି ୨୦୨୨ ପାଇଁ ୬.୪ ଶତାଂଶ ଥିବା ବେଳେ, ମାର୍ଚ୍ଚ ୨୦୨୨ ପାଇଁ ଆହୁରି ଅଧିକ, ୭.୭ ଶତାଂଶ ଥିବା ଦେଖା ଯାଇଥିଲା। ଜୁନ୍ରେ ଖରିଫ୍ ଚାଷ କାର୍ଯ୍ୟ ଆରମ୍ଭ ହୋଇଯିବ। ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ଦେଖା ଦେଇଥିବା ବୃଦ୍ଧି ଗ୍ରାମାଞ୍ଚଳର ଅଧିବାସୀମାନଙ୍କ ପାଇଁ ମଧ୍ୟ ଆର୍ଥିକ ବୋଝ ସୃଷ୍ଟି କରିଛି। ଏହି ସଂକଟ ଯୋଗୁଁ ରାସାୟନିକ ସାର ଦରରେ ମଧ୍ୟ ବୃଦ୍ଧି ଘଟିବାର ସମସ୍ତ ସମ୍ଭାବନା ରହିଛି। ତାହା ଘଟିଲେ କୃଷି କାର୍ଯ୍ୟ ପାଇଁ ତାହା ବାଧକ ସାଜିବ।
ତେଣୁ ଯଦି ମୌସୁମୀ ଅନୁକୂଳ ହୋଇ କୃଷି ଉତ୍ପାଦନରେ ବୃଦ୍ଧି ଘଟାଏ, ତେବେ ଇନ୍ଦ୍ରଙ୍କ ହସ୍ତକ୍ଷେପ ଦ୍ବାରା ଏହି ମନୁଷ୍ୟ ସୃଷ୍ଟ ପ୍ରତିବନ୍ଧ କିଛି ମାତ୍ରାରେ ଲଂଘନ କରିବା ସମ୍ଭବ ହେବ। ଅବଶ୍ୟ କୃଷି ଉତ୍ପାଦନରେ ବହୁତ ବୃଦ୍ଧି ଯୋଗୁଁ ଶସ୍ୟ ଯୋଗାଣରେ ବୃଦ୍ଧି ଘଟି ବଜାରରେ ଶସ୍ୟ ଦରକୁ ନୀଚା ରଖିବାର ସମ୍ଭାବନା ରହିଛି; କିନ୍ତୁ ସରକାରୀ ସଂଗ୍ରହ ଦ୍ବାରା ସେ ସମସ୍ୟାର ନିୟନ୍ତ୍ରଣ ସମ୍ଭବ ହୋଇ ପାରିବ। ବର୍ତ୍ତମାନ ମଧ୍ୟ ସେଇ ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ବଜାରରେ ଖାଦ୍ୟ ଶସ୍ୟ ପାଇଁ ଚାହିଦାରେ ଯେଉଁ ବୃଦ୍ଧି ଦେଖା ଦେଇଛି, ନିକଟ ଭବିଷ୍ୟତ୍ରେ ତାହା ବଳବତ୍ତର ରହିବାର ସମସ୍ତ ସମ୍ଭାବନା ରହିଛି। ଭାରତୀୟ କୃଷକମାନଙ୍କର ବର୍ଦ୍ଧିତ ଉତ୍ପାଦନ ଉଭୟ ସରକାରୀ ଉଦ୍ୟମ ଓ ଘରୋଇ ଉଦ୍ୟମ ମାଧ୍ୟମରେ ବିଦେଶକୁ ରପ୍ତାନି ହୋଇ କୃଷକମାନଙ୍କ ପାଇଁ ଲାଭ ସୃଷ୍ଟି କରି ପାରିବ। ତା’ଛଡ଼ା ପନିପରିବା, ତୈଳବୀଜ ଆଦିର ଯୋଗାଣରେ ଘରୋଇ ବଜାରରେ ବର୍ତ୍ତମାନ ସଂକୋଚନ ଘଟି ସେ ସବୁର ଦରଦାମରେ ଯେଉଁ ଭଳି ଅତିରିକ୍ତ ବୃଦ୍ଧି ଘଟିବା ଦେଖାଯାଇଛି, ଅନୁକୂଳ ମୌସୁମୀ ଯୋଗୁଁ ସେ ସମସ୍ତ କୃଷିଜାତ ଦ୍ରବ୍ୟ ଉତ୍ପାଦନରେ ବୃଦ୍ଧି ଘଟିଲେ କୃଷକମାନେ ଲାଭବାନ୍ ହେବେ। ତେବେ ଏହା ସମ୍ଭବ ହେବ ମୌସୁମୀ ଯଦି ନିଜର ମତିଗତି ନ ବଦଳାଇ ଇନ୍ଦ୍ରଙ୍କ ବୋଲ ମାନେ!