ଗଲା ମଙ୍ଗଳବାର ଭାରତ ସରକାର ଯେଉଁ ‘ଅଗ୍ନିପଥ’ ଯୋଜନାର ଶୁଭାରମ୍ଭ ବିଷୟ ଘୋଷଣା କରିଛନ୍ତି, ତାହାକୁ ଭାରତୀୟ ସାମରିକ କ୍ଷେତ୍ରରେ ଏକ ବଡ଼ ସ˚ସ୍କାରମୁଖୀ ଉଦ୍ୟମ ବୋଲି ଅଭିହିତ କରାଯାଉଛି, ଯଦିଓ ଏହାର ସଫଳତା ନେଇ ବିଶାରଦମାନଙ୍କ ମଧୢରେ ଏକ ମିଶ୍ର ମତ ପ୍ରକାଶ ପାଉଛି। ଏହାକୁ ଇ˚ରେଜୀରେ ‘ଟୁର୍ ଅଫ୍ ଡ୍ୟୁଟି’ ବା ‘କର୍ତ୍ତବ୍ୟର ପରିଭ୍ରମଣ’ ଭାବେ ଆଖ୍ୟାୟିତ କରାଯାଇଛି; କାରଣ ଏହି ଯୋଜନା ଅଧୀନରେ ଭାରତୀୟ ସେନାର ତିନି ବିଭାଗରେ ନିଯୁକ୍ତି ଲାଗି ଯୋଗ୍ୟ ୪୬ ହଜାର ଯୁବକଯୁବତୀ ସ୍ଥାୟୀ ଚାକିରି ପରିବର୍ତ୍ତେ ‘ସେନା ପ୍ରଶିକ୍ଷଣ’ ଲାଭ କରିବା ସହିତ ମାତ୍ର ଚାରି ବର୍ଷ ସକାଶେ କାର୍ଯ୍ୟ କରିବାର ସୁଯୋଗ ପାଇବେ ଏବ˚ ନିର୍ଦ୍ଧାରିତ ଅବଧିର ପରିସମାପ୍ତି ପରେ ପୁନର୍ବାର ସେମାନେ ପୂର୍ବର ସାଧାରଣ ଜୀବନକୁ ପ୍ରତ୍ୟାବର୍ତ୍ତନ କରିବେ; ସତେ ଯେମିତି ସେମାନେ ସୈନିକର କର୍ତ୍ତବ୍ୟ ସ˚ପାଦନ କ୍ଷେତ୍ରକୁ ଜଣେ ଜଣେ ପରିବ୍ରାଜକ ସଦୃଶ ଯାଇଥିଲେ। ଅବଶ୍ୟ, ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପାରିଶ୍ରମିକ ସହିତ ସାମରିକ କର୍ତ୍ତବ୍ୟ ସ˚ପାଦନର ‘ସାର୍ଟିଫିକେଟ୍’ ପ୍ରଦାନ କରାଯିବ, କିନ୍ତୁ ସେବା ନିବୃତ୍ତ ସାମରିକ କର୍ମଚାରୀମାନେ ଲାଭ କରୁଥିବା କୌଣସି ସୁବିଧା-ସୁଯୋଗ ସେମାନଙ୍କ ଭାଗ୍ୟରେ ଜୁଟିବ ନାହିଁ। ତେବେ, ଏହି ଯୋଜନା ଦ୍ବାରା ଭାରତର ଏକ ବିଶାଳ ସ˚ଖ୍ୟକ ତରୁଣଙ୍କ ଲାଗି ସୈନିକମାନଙ୍କ ଜୀବନ ଧାରା ଉନ୍ମୋଚିତ ହେବ, ଯାହା ସେମାନଙ୍କ ଅବଶିଷ୍ଟ ଜୀବନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି; ଏହା ସହିତ ସେମାନେ ସୈନିକ ସୁଲଭ ଦକ୍ଷତା ବିକାଶ ଲାଗି ପ୍ରଶିକ୍ଷିତ ହେବେ, ଯାହା ମାଧୢମରେ ସେମାନଙ୍କ ମନରେ ଦେଶପ୍ରେମର ଭାବନା ଦୃଢ଼ତା ପାଇବ। କିନ୍ତୁ ସତ କହିଲେ ଏଭଳି ଏକ ଯୋଜନାର ଫଳପ୍ରଦତା ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥାଏ। ସୁତରା˚, ଏହି ପରିପ୍ରେକ୍ଷୀରେ ଏକ ସ˚କ୍ଷିପ୍ତ ଆଲୋଚନା ଅତ୍ୟନ୍ତ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପାଠକପାଠିକାଙ୍କ ଅବଗତି ସକାଶେ ପ୍ରଥମେ ଏହି ଯୋଜନା ସମ୍ବନ୍ଧରେ ଚୁମ୍ବକରେ କହି ଦିଅଯାଉ। ‘ଅଗ୍ନିପଥ’ ଯୋଜନାରେ ସାଢ଼େ ୧୭ ବର୍ଷ ବୟସ ବର୍ଗର ଯୁବକ ଯୁବତୀ ଚାରି ବର୍ଷ ଲାଗି ନିଯୁକ୍ତ ହୋଇ ‘ଅଗ୍ନି ବୀର’ ଭାବେ ପରିଚିତ ହେବେ, ଯେଉଁମାନଙ୍କ ମାସିକ ବେତନ ହେବ ୩୦ ହଜାର ଟଙ୍କା, ଯହିଁରୁ ୩୦% ‘ଭବିଷ୍ୟନିଧି ପାଣ୍ଠି’ ଭଳି ଏକ ପାଣ୍ଠିରେ ଜମା ରହିବ ଏବ˚ ଯେଉଁଥିରେ ସରକାର ସମ ପରିମାଣ ଅର୍ଥ ଯୋଗ କରିବେ। ନିର୍ଦ୍ଧାରିତ ଅବଧିର ସମାପ୍ତି ପରେ ମାତ୍ର ଏକ ଚତୁର୍ଥା˚ଶ ‘ଅଗ୍ନିବୀର’ ସାମରିକ ବାହିନୀରେ ନିୟମିତ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇବେ ଏବ˚ ଅବଶିଷ୍ଟ ପ୍ରତ୍ୟେକ ୧୧.୭ ଲକ୍ଷ ଟଙ୍କା ସାଙ୍ଗରେ ଧରି ଘରକୁ ବାହୁଡ଼ିବେ ଏବ˚ ସେନାବାହିନୀର କିଂବଦନ୍ତୀୟ ଶୃଙ୍ଖଳା, କର୍ତ୍ତବ୍ୟବୋଧ ଏବ˚ ତାଲିମରୁ ଯାହା ଆହରଣ କରି ପାରିଥିବେ, ତାହା ଉପରେ ନିର୍ଭର କରି ବିଭିନ୍ନ ବୃତ୍ତିରେ ଅବସ୍ଥାପିତ ହେବ ବା ପରାକାଷ୍ଠା ପ୍ରଦର୍ଶନ କରିବାର ଉଦ୍ୟମ କରିବେ। ଉଲ୍ଲେଖ ଥାଉ କି ଏମାନେ ସମସ୍ତେ ସିପାହି ସ୍ତରର ନିଯୁକ୍ତି ପାଇବେ ଏବ˚ ସେମାନଙ୍କ କାର୍ଯ୍ୟକାଳ ଭିତରେ ଆବଶ୍ୟକ ପଡ଼ିଲେ ସେନାବାହିନୀର ଅଙ୍ଗ ରୂପେ ବିଭିନ୍ନ ସାମରିକ କାର୍ଯ୍ୟାନୁଷ୍ଠାନରେ ଅ˚ଶଗ୍ରହଣ କରିବେ। ଏଭଳି ଏକ ଯୋଜନା ପଛରେ ରହିଥିବା ଯେଉଁ ଲକ୍ଷ୍ୟ ବିଷୟରେ ସରକାରଙ୍କ ପକ୍ଷରୁ କୁହାଯାଇଛି, ସେଗୁଡ଼ିକ ହେଲା ଭାରତୀୟ ସେନାବାହିନୀକୁ ଅଧିକ ତାରୁଣ୍ୟ, ବିବିଧତା ଏବ˚ ପ୍ରଯୁକ୍ତି ଦକ୍ଷତା ପ୍ରଦାନ କରିବା। ପ୍ରକାଶ ଥାଉ କି ସ˚ପ୍ରତି ଭାରତୀୟ ସୈନିକଙ୍କ ହାରାହାରି ବୟସ ହେଉଛି ୩୨ ବର୍ଷ; ଯାହା ‘ଅଗ୍ନିପଥ’ ଯୋଜନା ମାଧୢମରେ ୨୦୩୦ ମସିହା ସୁଦ୍ଧା ୨୪ରୁ ୨୬ ବର୍ଷ ବୟସରେ ପହଞ୍ଚିବ। କାରଣ, ଏହି ଯୋଜନା କାର୍ଯ୍ୟକାରୀ ହେବାର ଚାରି ବର୍ଷ ପରେ ପ୍ରତି ବର୍ଷ ତିନି ଚତୁର୍ଥା˚ଶ ‘ଅଗ୍ନିିବୀର’ ସେନାବାହିନୀରୁ ଅନ୍ତର ହେଉଥିବାରୁ ଅବସର ବୟସ ସୀମା ପର୍ଯ୍ୟନ୍ତ କାର୍ଯ୍ୟ କରି ହାରାହାରି ବୟସକୁ ବୃଦ୍ଧି କରିବାର ସୁଯୋଗ ରହିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଏହି ଯୋଜନାକୁ ସମର୍ଥନ କରୁଥିବା ଅନେକ ଅଭିଜ୍ଞ ସେନାଧିକାରୀ ରୁଷିଆ, ଇସ୍ରାଏଲ୍, ଦକ୍ଷିଣ କୋରିଆ, ଚୀନ ଏବ˚ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଅନେକ ରାଷ୍ଟ୍ରରେ ଏଭଳି ସାମୟିକ ନିଯୁକ୍ତି ଓ ପ୍ରଶିକ୍ଷଣ ବ୍ୟବସ୍ଥାର ଉଦାହରଣ ପ୍ରଦାନ କରନ୍ତି। ସେମାନଙ୍କ ମତରେ ଏହା ଏକ ଶୃଙ୍ଖଳିତ, ଦକ୍ଷ ଓ କର୍ତ୍ତବ୍ୟ ପରାୟଣ ରାଷ୍ଟ୍ରାନୁରକ୍ତ ତରୁଣ ମାନବ ସ˚ପଦ ସୃଷ୍ଟି କରିବ।
କିନ୍ତୁ, ଅପର ପକ୍ଷରେ ଅନେକ ପର୍ଯ୍ୟବେକ୍ଷକ ଏହି ଯୋଜନା ପଛରେ ନିହିତ ଯେଉଁ ପ୍ରକୃତ ଉଦ୍ଦେଶ୍ୟଟିକୁ ଦେଖି ଥାଆନ୍ତି, ତାହା ହେଲା ସାମରିକ ବାହିନୀର କଳେବରରେ ସ˚କୋଚନ ଘଟାଇବା ଏବ˚ ବ୍ୟୟ ବୋଝକୁ ହ୍ରାସ କରିବା। ସା˚ପ୍ରତିକ ଯୁଦ୍ଧଗୁଡ଼ିକ ଦୂରଗାମୀ କ୍ଷେପଣାସ୍ତ୍ର, ଚାଳକ ରହିତ ଡ୍ରୋନ୍ ଏବ˚ ସାଇବର ଆକ୍ରମଣ ଇତ୍ୟାଦି ଭଳି ସାଧନ ଓ କୌଶଳ ଉପରେ ଅଧିକ ନିର୍ଭରଶୀଳ ହେଉଥିବାରୁ ସମ୍ମୁଖ ଯୁଦ୍ଧର ଅବକାଶ କମିବାରେ ଲାଗିଛି, ଯାହା ସେନାବାହିନୀରେ ସୈନ୍ୟ ସ˚ଖ୍ୟାର ବିଶାଳତାକୁ ନିରୁତ୍ସାହିତ କରିଥାଏ; ବର˚ ତା’ ପରିବର୍ତ୍ତେ ଅପେକ୍ଷାକୃତ କ୍ଷୁଦ୍ର ଅଥଚ ବୈଷୟିକ ଦକ୍ଷତା ସ˚ପନ୍ନ ସେନାବାହିନୀ ଅଧିକ ଉପଯୋଗୀ ବୋଲି ସମର ବିଶାରଦମାନେ ମତ ବ୍ୟକ୍ତ କଲେଣି। ପ୍ରକାଶ ଥାଉ କି ଭାରତୀୟ ସେନାବାହିନୀରେ ପ୍ରତି ବର୍ଷ ପ୍ରାୟ ୬୦ ହଜାର ନୂତନ ନିଯୁକ୍ତି ହୋଇଥାଏ, କାରଣ ସମ ସ˚ଖ୍ୟକ କର୍ମଚାରୀ ପ୍ରତି ବର୍ଷ ଅବସର ନିଅନ୍ତି। ‘ଅଗ୍ନିପଥ’ ଯୋଜନାରେ ୪୬, ୦୦୦ ‘ଅଗ୍ନିବୀର’ ନିଯୁକ୍ତ ହେବେ, ଯହିଁରୁ ମାତ୍ର ୧୦ରୁ ୧୧ ହଜାର ନିୟମିତ ହେବେ। ସ୍ବାଭାବିକ ଭାବେ ଏହା ଦ୍ବାରା ସାମରିକ ବାହିନୀ କୃଶକାୟ ହେବାକୁ ଲାଗିବ। ସେହିଭଳି ‘ଅଗ୍ନିପଥ’ ଯୋଜନା ଭାରତୀୟ ସେନାବାହିନୀର ବ୍ୟୟ ବୋଝରେ ମଧୢ ହ୍ରାସ ଘଟାଇବ। ପ୍ରକାଶ ଥାଉ କି ସେନାବାହିନୀ ଲାଗି ବଜେଟ୍ରେ ଏକ ବିଶାଳ ବ୍ୟୟର ବ୍ୟବସ୍ଥା କରାଯାଇଥାଏ, ଯେମିତି ୨୦୨୨-୨୩ ବର୍ଷ ପାଇଁ ତାହା ହେଉଛି ୫,୨୫,୧୬୬ କୋଟି ଟଙ୍କା। କିନ୍ତୁ ପେନସନ ଏବ˚ ଦରମା ବାବଦକୁ ବ୍ୟୟ (ପ୍ରାୟ ୪ ଲକ୍ଷ କୋଟି ଟଙ୍କା) ଏବ˚ ବିଭିନ୍ନ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଲାଗି ଖର୍ଚ୍ଚ ପରେ ଆଧୁନିକୀକରଣ ସକାଶେ ଯଥେଷ୍ଟ ସମ୍ବଳ ଉଦ୍ବୃତ୍ତ ନ ଥାଏ। ଏଭଳି ସ୍ଥିତିରେ ‘ଅଗ୍ନିପଥ’ ଯୋଜନା ଦ୍ବାରା ଦରମା ଓ ପେନସନ ଭଳି ବ୍ୟୟରେ କ୍ରମେ ହ୍ରାସ ଘଟିବ ଏବ˚ ସେହି ଅର୍ଥକୁ ସେନାବାହିନୀର ଈପ୍ସିତ ସମୃଦ୍ଧିରେ ବ୍ୟୟ କରାଯାଇପାରିବ।
ତେବେ କାରଣ ଯାହା ବି ହେଉ, ‘ଅଗ୍ନିବୀର’ମାନଙ୍କ ଠାରେ ସୈନିକସୁଲଭ ପ୍ରଶ୍ନାତୀତ ଅଙ୍ଗୀକାରବୋଧ ମିଳିବା ନେଇ ଅନେକତ୍ର ସଂଶୟ ପ୍ରକାଶ ପାଉଛି। ଏହାର କାରଣ ନିୟମିତ ନିଯୁକ୍ତି ଲାଗି ପ୍ରତିଶ୍ରୁତିର ଅଭାବ ଏହି ଯୁବ ବର୍ଗକୁ ସତକୁ ସତ ‘ପରିବ୍ରାଜକ’ ତୁଲ୍ୟ ମନୋବୃତ୍ତି ସହିତ ସେନା ବାହିନୀରେ ପ୍ରବେଶ କରାଇପାରେ। ସୁତରା˚, ଜଣେ ପ୍ରକୃତ ସୈନିକ ନିକଟରେ ଉପଲବ୍ଧ ଚରମ ଶୃଙ୍ଖଳା, କର୍ତ୍ତବ୍ୟବୋଧ, ରାଷ୍ଟ୍ରାନୁରକ୍ତି ଓ ତ୍ୟାଗ ସେମାନଙ୍କ ଠାରେ ମିଳିବାର ଆଶା ଅତ୍ୟନ୍ତ କ୍ଷୀଣ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଆଘାତ ପ୍ରାପ୍ତ ହୋଇ ଅକର୍ମଣ୍ୟ ହୋଇ ଯାଉଥିବା ‘ଅଗ୍ନିବୀର’ ତତ୍କ୍ଷଣାତ୍ କାର୍ଯ୍ୟରୁ ଅନ୍ତର ହେବେ ଏବ˚ ଏମାନଙ୍କୁ ଜଣେ ସୈନିକ ଲାଭ କରୁଥିବା ଭଳି କ୍ଷତିପୂରଣ ମିଳିବ ନାହିଁ। ଏଭଳି ସ୍ଥଳେ ନିଜ ଜୀବନକୁ ବିପନ୍ନ କରିବାର ଆଗ୍ରହ ‘ଅଗ୍ନିବୀର’ମାନଙ୍କ ଠାରୁ ଆଶା କରିବା ବିଜ୍ଞତା ହେବ ନାହିଁ। କେବଳ ସେତିକି ନୁହେଁ, ଏମାନଙ୍କ ପ୍ରବେଶ ପରେ ସାମରିକ ବାହିନୀରେ ଯେଉଁ ଶ୍ରେଣୀ ବିଭାଜନ ସୃଷ୍ଟି ହେବ, ତହିଁରେ ଏମାନେ ପୁୁଲିସ ବିଭାଗରେ ‘ହୋମ୍ ଗାର୍ଡ୍’ଙ୍କ ଭଳି ହେୟଜ୍ଞାନର ଶିକାର ହୋଇ ପାରନ୍ତି। କେବଳ ସେତିକି ନୁହେଁ, ଏମାନଙ୍କ ମଧୢରୁ ଏକ ଚତୁର୍ଥା˚ଶଙ୍କ ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା ବିଭାଗରେ ଦୁର୍ନୀତି ଓ ତୋଷାମଦିକୁ ମଧୢ ଜନ୍ମ ଦେବ। ଏଭଳି ଆଶଙ୍କା ମଧୢ ଅମୂଳକ ନୁହେଁ ଯେ ହଜାର ହଜାର ସ˚ଖ୍ୟକ ଯୁବକ ଅସ୍ତ୍ର ଚାଳନାରେ ପ୍ରଶିକ୍ଷିତ ହୋଇ ନିଜ ନିଜ ଗାଁ ବା ସହରକୁ ଫେରିବା ପରେ କୌଣସି ବୃତ୍ତରେ ନିଯୁକ୍ତ ହୋଇ ନ ପାରିଲେ ପଥଭ୍ରଷ୍ଟ ହୋଇ ଚରମ ବିଶୃଙ୍ଖଳାର କାରଣ ମଧୢ ହୋଇ ପାରନ୍ତି।
ୟୁୁକ୍ରେନ ସହିତ ଯୁଦ୍ଧରେ ରୁଷିଆର ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ ପଛରେ ରହିଥିବା ଗୋଟିଏ ବଡ଼ କାରଣ ହେଉଛି ରୁଷୀୟ ସେନାରେ ସେଠାକାର ବ୍ୟବସ୍ଥା ଅନୁଯାୟୀ ବାର ମାସର ପ୍ରଶିକ୍ଷଣ ପ୍ରାପ୍ତ ତରୁଣମାନଙ୍କ ଉପସ୍ଥିତି। ସୁତରା˚, ‘ଅଗ୍ନିପଥ’ ଭଳି ଏକ ବ୍ୟବସ୍ଥା ଅବଲୀଳାକ୍ରମେ ଭାରତୀୟ ସେନାକୁ ଦୁର୍ବଳ କରିପକାଇବା ନେଇ ଉଦ୍ବେଗ ସୃଷ୍ଟି ହୋଇଥାଏ। ଅନେକଙ୍କ ମତରେ ଏଭଳି ଏକ ଯୋଜନାକୁ କ୍ଷୁଦ୍ର ସ୍ତରରେ ଏବଂ ତୀକ୍ଷ୍ଣ ଦୃଷ୍ଟି ଅଧୀନରେ ଆରମ୍ଭ କରାଯିବା ଉଚିତ ହୁଅନ୍ତା। ତଦ୍ଦ୍ବାରା ଏଥିରେ ନିହିତ ଦୁର୍ବଳତାକୁ ଦୂର କରାଯାଇ ପାରିଥାଆନ୍ତା। କିନ୍ତୁ ଏକ ଆକର୍ଷଣୀୟ ‘ନାମ’ ସହିତ ଅତର୍କିତ ଭାବେ କୌଣସି ମହତ୍ତ୍ବାକା˚କ୍ଷୀ ଯୋଜନାର ଶୁଭାରମ୍ଭ କରିବାର ମୋଦୀ ସରକାର ସୁଲଭ ପ୍ରବଣତା ଏଥିରେ ମଧୢ ବିଦ୍ୟମାନ। ତେବେ, ପାରାଚ୍ୟୁଟ୍କୁ ନ ପରଖି ବିମାନରୁ କୁଦି ପଡ଼ିବା ପରେ କେବଳ ଏତିକି ପ୍ରାର୍ଥନା କରାଯାଇପାରେ ଯେ ପାରାଚ୍ୟୁଟ୍ଟି ଅକ୍ଷତ ଥାଉ।