ମୋ’ ପଥର

ନରହତ୍ୟା ଭଳି ଆତ୍ମହତ୍ୟା ମଧ୍ୟ ହେଉଛି ଏକ ହତ୍ୟାକାଣ୍ଡ। କିନ୍ତୁ ନରହତ୍ୟା ନିୟନ୍ତ୍ରଣ ପାଇଁ ସମାଜ ଯେଉଁଭଳି ସମ୍ବଳ ଓ ଶକ୍ତି ବିନିଯୋଗ କରେ, ସିସିଫସ୍‌ମାନଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ କରିବା ପାଇଁ ତା’ର କାଣିଚାଏ ମଧ୍ୟ କରି ନ ଥାଏ; ଏହା ଯେତିକି ସତ, ସେତିକି ଦୁର୍ଭାଗ୍ୟଜନକ।

‘‘ପ୍ରକୃତରେ କେବଳ ଗୋଟିଏମାତ୍ର ଦାର୍ଶନିକ ସମସ୍ୟା ହେଉଛି ଗୁରୁତ୍ବପୂର୍ଣ୍ଣ; ଏବଂ ତାହା ହେଉଛି ଆତ୍ମହତ୍ୟା। ଜିଇବାର କିଛି ମୂଲ୍ୟ ଅଛି କି ନାହିଁ ସ୍ଥିର କରିବା ହେଉଛି ଦର୍ଶନଶାସ୍ତ୍ରର ମୌଳିକ ପ୍ରଶ୍ନର ଉତ୍ତର ଦେବା। ସେଇ ଠାରୁ ହିଁ ବାକି ସମସ୍ତ ପ୍ରଶ୍ନର ଉତ୍ପତ୍ତି ହୋଇଥାଏ।’’ ତାଙ୍କର ଯୁଗାନ୍ତକାରୀ ଦାର୍ଶନିକ ପ୍ରବନ୍ଧ, ଦ୍ବିତୀୟ ବିଶ୍ବଯୁଦ୍ଧର ଠିକ୍ ମଝି ସମୟ, ୧୯୪୨ରେ ପ୍ରକାଶିତ ‘ଦି ମିଥ୍ ଅଫ୍ ସିସିଫସ୍‌’ରେ ଆତ୍ମହତ୍ୟା ସମ୍ପର୍କରେ ଏଇଭଳି ଏକ ଚରମଶ୍ରେଣୀୟ ଚିନ୍ତାଧାରା ପ୍ରକାଶ କରିଥିବା ଉଦ୍ଭଟବାଦର ପ୍ରବର୍ତ୍ତକ ଫରାସୀ-ଆଲ୍‌ଜେରୀୟ ଦାର୍ଶନିକ ଆଲ୍‌ବର୍ଟ କାମୁ ସେଥିରେ ଏହି ପ୍ରଶ୍ନକୁ ମଧ୍ୟ ଆହୁରି ସରଳ କରି ପଚାରିଥିଲେ: ‘‘ମୁଁ ନିଜକୁ ହତ୍ୟା କରି ଦେବା ଉଚିତ କି?’’
ଏବେ ଗଣମାଧ୍ୟମରେ ସଦ୍ୟ ପ୍ରକାଶ ପାଇଥିବା ଏକ ସୂଚନାରୁ ଯାହା ଜଣାପଡୁଛି, କ୍ରମେ ପୃଥିବୀର ଅଧିକାଂଶ ଅଞ୍ଚଳରେ ଅଧିକରୁ ଅଧିକ ଲୋକମାନେ କାମୁଙ୍କର ଏହି ପ୍ରଶ୍ନର ଯେଉଁ ଉତ୍ତର ଦେବାରେ ଲାଗିଛନ୍ତି, ତାହା ହେଉଛି- ‘ହଁ’। କାରଣ ଜାତି, ଧର୍ମ, ବର୍ଣ୍ଣ, ଭୌଗୋଳିକ ଅବସ୍ଥିତି, ଅର୍ଥନୈତିକ ବିକାଶ ସ୍ତର ଇତ୍ୟାଦି ନିର୍ବିଶେଷରେ ଦେଖାଯାଇଛି ଯେ ଅଧିକାଂଶ ଦେଶରେ ଆତ୍ମହତ୍ୟା ସଂଖ୍ୟା ହେଉଛି ସେଠାରେ ଘଟୁଥିବା ନରହତ୍ୟା ସଂଖ୍ୟା ଅପେକ୍ଷା ବହୁଗୁଣ ଅଧିକ। ନିମ୍ନୋକ୍ତ ଉଦାହରଣମାନ ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କଲେ ଏହା ସ୍ପଷ୍ଟ ହୋଇଥାଏ। ଜାପାନ୍‌ରେ ଆତ୍ମହତ୍ୟା ସଂଖ୍ୟା ହେଉଛି ନରହତ୍ୟା ସଂଖ୍ୟାର ପ୍ରାୟ ୫୭ ଗୁଣ; ଆଫ୍ରିକୀୟ ଦେଶ ସେନେଗାଲ୍‌ରେ ତାହା ୪୫ ଗୁଣ; ଦକ୍ଷିଣ କୋରିଆରେ ୩୪ ଗୁଣ; ସିଙ୍ଗାପୁରରେ ୩୨ ଗୁଣ; ହଙ୍ଗେରୀରେ ୨୧ ଗୁଣ; ଫ୍ରାନ୍‌ସରେ ୧୦ ଗୁଣ; ସ୍ପେନ୍‌ରେ ୮ ଗୁଣ; ବ୍ରିଟେନ୍‌ରେ ୭ ଗୁଣ; କାନାଡ଼ାରେ ୬ ଗୁଣ; ରୁଷିଆରେ ୩ ଗୁଣ; ଯୁକ୍ତରାଷ୍ଟ୍ର ଆମେରିକାରେ ୨.୫ ଗୁଣ; ଶ୍ରୀଲଙ୍କାରେ ୫.୫ ଗୁଣ; ନେପାଳରେ ୫.୪ ଗୁଣ; ଭାରତରେ ୫.୧ ଗୁଣ; ପାକିସ୍ତାନରେ ୨.୩ ଗୁଣ; ବାଂଲାଦେଶରେ ୨ ଗୁଣ; ମ୍ୟାଁମାର୍‌ରେ ୧.୬ ଗୁଣ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ନିଜକୁ ‘ଈଶ୍ବରଙ୍କ ନିଜ ରାଜ୍ୟ’ (‘ଗଡ୍‌’ସ ଓନ୍ କଣ୍ଟ୍ରି’) ବୋଲି ପ୍ରଚାର କରୁଥିବା ଭାରତର ଶିକ୍ଷିତ, ବିକଶିତ ରାଜ୍ୟ କେରଳରେ ଆତ୍ମହତ୍ୟା ହାର ହେଉଛି ନରହତ୍ୟା ହାରର ପ୍ରାୟ ୨୭ ଗୁଣ!

ଏ ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ଯେ ଏଭଳି ଭିନ୍ନ ଭିନ୍ନ ଦେଶ ଓ ସମାଜରେ ବ୍ୟକ୍ତିକୁ ଆତ୍ମହତ୍ୟା ପାଇଁ ପ୍ରବୃତ୍ତ କରୁଥିବା କାରଣ ଭିନ୍ନ ଭିନ୍ନ ହୋଇଥାଇ ପାରେ। କିନ୍ତୁ ଯେହେତୁ ପ୍ରତ୍ୟେକ ଘଟଣାରେ ଅନ୍ତିମ ପରିଣାମ ହୋଇଛି ବ୍ୟକ୍ତି ନିଜ ହାତରେ ନିଜର ଜୀବନ ନେବା, ତେଣୁ ଏହା ମଧ୍ୟ ବିଶ୍ବାସ କରିବା ଆଦୌ ଅଯୌକ୍ତିକ ହେବ ନାହିଁ ଯେ, ସମସ୍ତ ବିଭିନ୍ନତା ସତ୍ତ୍ବେ ଯେଉଁ ଏକ ସାଧାରଣ କାରଣ ଏକ ମାଳାର ସୂତା ଭଳି ଏ ସମସ୍ତ ଅାତ୍ମନାଶକ ଘଟଣାମାନଙ୍କୁ ଗୋଟିଏ ମାଳାରେ ଗୁନ୍ଥି ଦେଇଥାଏ, ତାହା ହେଉଛି କାମୁ ତାଙ୍କର ସେଇ ପ୍ରବନ୍ଧରେ ପ୍ରଦାନ କରିଥିବା ଉଦ୍ଭଟତା ଆକ୍ରାନ୍ତ ଦାର୍ଶନିକ କାରଣ। ଗ୍ରୀକ୍ ପୌରାଣିକ କାହାଣୀର ଏହି ଚରିତ୍ର ସହିତ ପରିଚିତ ସମସ୍ତେ ଜାଣନ୍ତି କିପରି ରାଜା ସିସିଫସ୍ ଦୁଇ ଦୁଇ ଥର ମୃତ୍ୟୁକୁ ଠକି ଦେବାରୁ ମୁଖ୍ୟ ଦେବତା ଜିଅସ୍ କ୍ରୋଧାନ୍ବିତ ହୋଇ ତାଙ୍କୁ ଅଭିଶାପ ଦେଇଥିଲେ ଯେ ସେ (ସିସିଫସ୍) ଏକ ବିଶାଳ ପଥର ଖଣ୍ଡକୁ ଠେଲି ଠେଲି ପର୍ବତ ଶିଖରରେ ପହଞ୍ଚାଇବା ପରେ ତାହା ପୁଣି ପର୍ବତର ପାଦଦେଶକୁ ଗଡ଼ି ଆସିବ; ସିସିଫସ୍ ପୁଣି ତାକୁ ଠେଲି ଠେଲି ନେଇ ଶିଖରରେ ପହଞ୍ଚାଇବା ପରେ ତାହା ପୁଣି ଗଡ଼ି ଆସିବ; ସିସିଫସ୍ ପୁଣି ତାକୁ ଠେଲି ଠେଲି ନେଇ…; ସିସିଫସ୍ ଅନନ୍ତ କାଳ ଧରି ଅବିରତ ଭାବରେ ଏହି ନିଷ୍ଫଳା କାର୍ଯ୍ୟରେ ବ୍ୟାପୃତ ରହିବେ। କାମୁଙ୍କ କହିବା କଥା, ପୃଥିବୀ ପୃଷ୍ଠରେ ଜନ୍ମଲାଭ କରିଥିବା ପ୍ରତ୍ୟେକ ମନୁଷ୍ୟ ହେଉଛି ଜଣେ ସିସିଫସ୍ ଭଳି। କୌଣସି ବିଧି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ପାଇଁ କିମ୍ବା ନିୟମ ପାଳନ କରିବା ପାଇଁ ମନୁଷ୍ୟ ଏଠାରେ ଜନ୍ମ ହୋଇ ନ ଥାଏ; ଏବଂ ମନୁଷ୍ୟର ଅପୂର୍ଣ୍ଣ ଇଚ୍ଛା ପୂରଣ ହେବା ପାଇଁ ପରଜନ୍ମ ବୋଲି ମଧ୍ୟ କିଛି ନାହିଁ। ସିସିଫସ୍‌ଙ୍କ ପରି ମନୁଷ୍ୟ ତା’ର ଜୀବନସାରା କେବଳ କର୍ମ କରି ଚାଲିଥାଏ (‘କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ’), ଯଦିବା ସେ ଜାଣିଥାଏ ଏଠି ମହାପରାକ୍ରମୀରୁ ଆରମ୍ଭ କରି ଦୀନହୀନ ପର୍ଯ୍ୟନ୍ତ ସମସ୍ତେ‌ ଶେଷରେ ଧୂଳିରେ ମିଶିଯିବା ହେଉଛି ଅନିବାର୍ଯ୍ୟ। ସମୟର ଜୋତା ତଳେ ସମସ୍ତେ ଶେଷରେ ଦଳି ମକଚି ହୋଇ ଗୁଣ୍ଡ ହୋଇଯାଆନ୍ତି।

ସିସିଫସ୍ ଫଳଶୂନ୍ୟ ଭାବରେ ଅନନ୍ତକାଳ ଧରି ପଥର ଠେଲି ଚାଲିବା ଯେଉଁ ଭଳି ଉଦ୍ଭଟ, ମନୁଷ୍ୟ ମୃତ୍ୟୁ ନିଶ୍ଚିତ ଜାଣି ମଧ୍ୟ ବଞ୍ଚି ରହିବା ପାଇଁ ସବୁ ପ୍ରକାର ଉଦ୍ୟମ କରି ଚାଲିବା ହେଉଛି ସେଇଭଳି ଉଦ୍ଭଟ। ଯେମିତି, କେହି ଜଣେ ସମୟାନୁବର୍ତ୍ତିତାକୁ ଜୀବନରେ ସଫଳତାର ଚାବିକାଠି ରୂପେ ବିଚାର କରି ପ୍ରତି ସେକେଣ୍ଡ୍ ଉପରେ ଧ୍ୟାନ ଦେଇ ଜୀବନଯାପନ କରିବା ଯାହା, ସିସିଫସ୍ ନିଜ ହାତରେ ଏକ ଘଡ଼ି ପିନ୍ଧି ତା’ ଉପରେ ଅନବରତ ନଜର ଦେଇ ପଥର ଠେଲି ଚାଲିବା ତାହା ନୁହେଁ କି? ସିସିଫସ୍ ଯଦି ଉଦ୍ଭଟ ହୋଇଥା’ନ୍ତି, ଘଡ଼ି ପିନ୍ଧିଥିବା ସିସିଫସ୍ ହେବେ ଆହୁରି ଅଧିକ ଉଦ୍ଭଟ। ଏ ଭଳି ଉଦ୍ଭଟ ଜୀବନକୁ ଜାବୁଡ଼ି ଧରିବା ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ନୁହେଁ କି? ଅର୍ଥାତ୍, ଆତ୍ମହତ୍ୟା ଶ୍ରେୟସ୍କର ନୁହେଁ କି? ଉପରେ ଯେଉଁ ସମସ୍ତ ଆତ୍ମହତ୍ୟାର ପରିସଂଖ୍ୟାନ ପ୍ରଦର୍ଶିତ ହୋଇଛି, ସେ ସବୁର ତାତ୍କାଳିକ କାରଣ ଯାହା ହୋଇଥାଉ ନା କାହିଁକି, ପ୍ରତ୍ୟେକର ଅନ୍ତିମ କାରଣରେ ଯେ ଏକ ସିସିଫସ୍‌ସୁଲଭ ଉଦ୍ଭଟତା ଓ ତଜ୍ଜନିତ ହତାଶାର ଛାପ ରହିଥିବା ନିଶ୍ଚିତ, ଏଥିରେ କୌଣସି ସନ୍ଦେହ ନାହିଁ।

କିନ୍ତୁ ଜୀବନର ଏହି ଉଦ୍ଭଟତା ଯୋଗୁଁ ଯେଉଁମାନେ ଆତ୍ମହତ୍ୟା ପ୍ରତି ଆକର୍ଷିତ ହେଉଛନ୍ତି, ସେମାନେ ମଧ୍ୟ ଏହା ମନେ ରଖିବା ଉଚିତ ଯେ କାମୁ ଉଦ୍ଭଟତା ନିକଟରେ ହାର ମାନି ଆତ୍ମହତ୍ୟା କରିବା ପାଇଁ ଆଦୌ ଆହ୍ବାନ ଦେଇ ନ ଥିଲେ। ସେ ବରଂ ଏହାର ମୁକାବିଲା ପାଇଁ ଯେଉଁ କୌଶଳ ଅବଲମ୍ବନ କରିବାକୁ ଇସାରା ଦେଇଥିଲେ, ସେଥି ସହିତ ଆମେ ସମସ୍ତେ ଊଣା ଅଧିକେ ପରିଚିତ ଥିବା ନିଶ୍ଚିତ। ଉଦାହରଣ ସ୍ବରୂପ ଆପଣ କେବେ ଅଚାନକ ତୁହାଏ ବର୍ଷା ହାବୁଡ଼ରେ ପଡ଼ି ପାଣିକୁଆ ଭଳି ଓଦା ହୋଇ ଯାଇଛନ୍ତି? ଏଥିଯୋଗୁଁ ବର୍ଷା ଉପରେ ଓ ନିଜ ଉପରେ ଭୀଷଣ ରାଗି ଯାଇଛନ୍ତି? କ୍ରମେ ଯେତେବେଳେ ଦେଖିଛନ୍ତି ଯେ ଓଦା ହେବାରୁ ନିସ୍ତାର ନାହିଁ, ସେତେବେଳେ ନିଜର ଏହି ଅବସ୍ଥାକୁ ଉପଭୋଗ କରିବାକୁ ଆରମ୍ଭ କରିଛନ୍ତି, ମୁହଁରେ ହସ ଫୁଟିବାକୁ ଆରମ୍ଭ କରିଛି? ନିଜ ଓଦା ଜୁଡୁବୁଡୁ ଶରୀରକୁ ଦେଖି ଆମୋଦିତ ହୋଇଛନ୍ତି, ଭାବିଛନ୍ତି ଏହି ଓଦା ଦେହ ହେଉଛି ମୋର? ସିସିଫସ୍‌ଙ୍କ ପାଇଁ ବଞ୍ଚିବା ଆଉ ଦୁର୍ବିଷହ ହେବ ନାହିଁ, ଯେତେବେଳେ ସେ ଭାବିବେ- ଏ ପଥର ହେଉଛି ମୋର, ମୁଁ ତାକୁ ଠେଲି ଚାଲିବାରେ ମନ ଦେବି; ମୋ ଦୁର୍ଭାଗ୍ୟ ମୋର, ମୁଁ ତାକୁ ଆଦରି ନେବି। କାମୁଙ୍କ ମତରେ ଉଦ୍ଭଟତାକୁ ଏଡ଼ାଇବାକୁ ଚେଷ୍ଟା କରିବା ଦ୍ବାରା ତା’ର ମୁକାବିଲା କରି ହେବ ନାହିଁ; ତାକୁ ଆଲିଙ୍ଗନ କରିବା ଦ୍ବାରା ହିଁ ତାକୁ ବଶ କରି ହେବ। ଭୟଙ୍କର ସତ୍ୟକୁ ସ୍ବୀକାର କଲେ ହିଁ ତା’ର ଅନ୍ତ ଘଟିଥାଏ।

ଉଦ୍ଭଟତାର ଏଇଭଳି ମୁକାବିଲା ପାଇଁ କାମୁ ବ୍ୟକ୍ତିକୁ ଆହ୍ବାନ ଦେଇଥିଲେ ସତ, କିନ୍ତୁ ସାମାଜିକ ସହଯୋଗ ବିନା ବ୍ୟକ୍ତି ପାଇଁ ଏ ଲଢ଼େଇ ଅତ୍ୟନ୍ତ କଠିନ ହୋଇଥାଏ। ମାନସିକ ଅସ୍ଥିରତା ପ୍ରତି ସାମାଜିକ ଆଭିମୁଖ୍ୟ ଏବେ ବି ଏହାକୁ ଏକ ଲଜ୍ଜା ବା କଳଙ୍କ ର‌ୂପେ ବିଚାର କରିଥାଏ। ଏହାର ପରିଣତି ସ୍ବରୂପ ଆମ ନିଜ ଦେଶରେ ୨୦୨୦ରେ ଆତ୍ମହତ୍ୟା ସଂଖ୍ୟା ୧.୫ ଲକ୍ଷ ଛୁଇଁ ଏକ ସର୍ବକାଳୀନ ରେକର୍ଡ ସ୍ଥାପନ କରିଥିଲା ବୋଲି ‘ନେସନାଲ୍ କ୍ରାଇମ୍ ରେକର୍ଡ‌୍ସ ବ୍ୟୁରୋ’ ସୂତ୍ରରୁ ପ୍ରକାଶ ପାଇଛି। ତେବେ ସରକାର ଏ କ୍ଷେତ୍ରରେ ନେଇଥିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହେଉଛି ୨୦୧୭ରେ ପ୍ରଣୀତ ହୋଇଥିବା ‘ମେଣ୍ଟାଲ୍ ହେଲ୍‌ଥ କେଆର୍ ଆକ୍ଟ’ ଯାହା ବଳରେ ଆତ୍ମହତ୍ୟାକୁ ଆଉ ପୂର୍ବଭଳି ଏକ ଅପରାଧ ରୂପେ ବିଚାର କରାଯାଉନାହିଁ। ତା’ ସତ୍ତ୍ବେ ମଧ୍ୟ ଆତ୍ମହତ୍ୟାରେ ଘଟିଚାଲିଥିବା ବୃଦ୍ଧି ଅତ୍ୟନ୍ତ ଚିନ୍ତାଜନକ। ନରହତ୍ୟା ଭଳି ଆତ୍ମହତ୍ୟା ମଧ୍ୟ ହେଉଛି ଏକ ହତ୍ୟାକାଣ୍ଡ। କିନ୍ତୁ ନରହତ୍ୟା ନିୟନ୍ତ୍ରଣ ପାଇଁ ସମାଜ ଯେଉଁଭଳି ସମ୍ବଳ ଓ ଶକ୍ତି ବିନିଯୋଗ କରେ, ସିସିଫସ୍‌ମାନଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ କରିବା ପାଇଁ ତା’ର କାଣିଚାଏ ମଧ୍ୟ କରି ନ ଥାଏ; ଏହା ଯେତିକି ସତ, ସେତିକି ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର