ମା’ ମିଥ୍

ନାରୀ ଓ ମାତୃତ୍ବ ସମ୍ବନ୍ଧରେ ଉଲ୍ଲେଖ କରିଥିବା ଏହି ମନ୍ତବ୍ୟ ଏଠାରେ ଉଦ୍ଧାର ଯୋଗ୍ୟ ମନେହୁଏ: ‘‘ମାତୃତ୍ବ ଲାଭ ଦ୍ବାରା ତାଙ୍କର ନାରୀତ୍ବ ବିସ୍ଫାରିତ ହୁଏ, ଉଭୟ ପରିବାର ଓ ସମାଜରେ ତାଙ୍କର ଭାବମୂର୍ତ୍ତି ଗୌରବାନ୍ବିତ ହୁଏ ଏବଂ ଅଧିକ ସମ୍ମାନାସ୍ପଦ ହୁଏ।’’ ଅଦାଲତଙ୍କର ଏହି ମନ୍ତବ୍ୟ ଯାହାର ସ୍ପଷ୍ଟ ଛାପ ବହନ କରିଥାଏ, ତାହା ହେଉଛି ସେଇ ମା’ ମିଥ୍‌ର, ଯାହାର ଧ୍ବଂସ ସାଧନ ପାଇଁ ସିମନ୍ ଡି ବିଭ୍ବାଙ୍କ ଭଳି ନାରୀମୁକ୍ତି ଆନ୍ଦୋଳନକାରିଣୀମାନେ ପ୍ରଗାଢ଼ ଉଦ୍ୟମ କରି ଆସିଛନ୍ତି।

ଯେତେବେଳେ କୌଣସି ଏକ ପଦକ୍ଷେପ ଏକ ଦୀର୍ଘସ୍ଥାୟୀ ବଦ୍ଧମୂଳ ଚିନ୍ତାଧାରା ବା ପରମ୍ପରାରେ ଅନ୍ତ ଘଟାଇ ଏକ ନୂତନ ଚିନ୍ତାଧାରାକୁ ଜନ୍ମ ଦେଇଥାଏ, ତାହାକୁ ‘ବୈପ୍ଳବିକ’ ବୋଲି ବର୍ଣ୍ଣନା କରାଯାଇଥାଏ। ଯଦି କିଛି କାଳ ପରେ ଅନ୍ୟ ଏକ ପଦକ୍ଷେପ ଏହି ନୂତନ ଚିନ୍ତାଧାରାରେ ପରିବର୍ତ୍ତନ ଘଟାଇ ପୁଣି ସେଇ ମୂଳ ଚିନ୍ତାଧାରାକୁ ସ୍ବାଗତ କରି ଆଣେ, ତେବେ ତାହାକୁ ‘ପ୍ରତି-ବୈପ୍ଳବିକ’ ବୋଲି ଅଭିହିତ କରାଯାଇଥାଏ। ଏବେ ରାଜସ୍ଥାନ ହାଇକୋର୍ଟର ଯୋଧପୁର ବେଞ୍ଚ୍ ପ୍ରଦାନ କରିଥିବା ଏକ ରାୟକୁ ଯଦି ଏହି ଦୃଷ୍ଟିକୋଣରୁ ବିଚାର କରାଯାଏ, ତାହା ‘ପ୍ରତି-ବୈପ୍ଳବିକ’ ରୂପେ ବିବେଚିତ ହେବ କି ନାହିଁ, ବୋଲି ଏକ ସମାଜତାତ୍ତ୍ବିକ ପ୍ରଶ୍ନର ରୂପ ନେଇଛି ବୋଲି ଯଦି କୁହାଯାଏ, ଭୁଲ୍ ହେବ ନାହିଁ। ମନୁଷ୍ୟର ସାମାଜିକ ଇତିହାସରେ ଦେଖାଯାଇଥିବା ଅନେକ ଏଇଭଳି ବୈପ୍ଳବିକ ପରିବର୍ତ୍ତନମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରୂପେ ବିବେଚିତ ହୋଇଆସିଥିବା ଏକ ପରିବର୍ତ୍ତନକୁ ଜନ୍ମ ଦେଇଥିବା ଏକ ସୁବିଦିତ ଆନ୍ଦୋଳନ ହେଉଛି- ‘ନାରୀମୁକ୍ତି ଆନ୍ଦୋଳନ’। ଏହି ଆ‌ନ୍ଦୋଳନର ଉନ୍ମେଷ କାଳରୁ ନାରୀକୁ ସମାଜ ଦ୍ବାରା ପ୍ରଦତ୍ତ କେତେକ ଅପରିବର୍ତ୍ତନୀୟ ମନେହେଉଥିବା ପାରମ୍ପରିକ ଭୂମିକାରୁ ମୁକ୍ତି ପ୍ରଦାନ କରି ତାକୁ ନିଜ ନିଷ୍ପତ୍ତି ନିଜେ ନେବାର ସ୍ବାଧୀନତା ପ୍ରଦାନ କରିବା ଏହି ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ ହୋଇ ଆସିଛି।

ନାରୀର ଏହି ପାରମ୍ପରିକ, ଚିରନ୍ତନ ପ୍ରତୀୟମାନ ହେଉଥିବା ଭୂମିକାମାନଙ୍କ ମଧ୍ୟରୁ ଏକ ପ୍ରମୁଖ ଭୂମିକା ହେଉଛି- ସନ୍ତାନ ପ୍ରସବ ବା ମାତୃତ୍ବ ଲାଭ। ନାରୀର ଏହି ଭୂମିକାକୁ ଏକ ସ୍ବାଭାବିକ ବା ଚିରନ୍ତନ ଭୂମିକା ରୂପେ ବିଚାର କରାଯିବା ପଛରେ ନିହିତ ଥିବା କାରଣ ଅବଶ୍ୟ ସ୍ପଷ୍ଟ: ପ୍ରକୃତି ଏହି କ୍ଷମତା କେବଳ ନାରୀ ଠାରେ ନିହିତ କରିଛି, ପୁରୁଷକୁ ଏଥିରୁ ବଞ୍ଚିତ କରିଛି। ନାରୀମୁକ୍ତି ଆନ୍ଦୋଳନକାରିଣୀମାନେ ନାରୀ ଉପରେ ସ୍ବାଭାବିକ ଭାବରେ ନ୍ୟସ୍ତ କରାଯାଇଥିବା ଏହି ପ୍ରଜନନ ଦାୟିତ୍ବ ପ୍ରତି ପ୍ରଶ୍ନବାଚୀ ଲଗାଇବା ତେଣୁ କାହାକୁ କାହାକୁ ଅବୋଧ୍ୟ ମନେ ହୋଇପାରେ। ନାରୀମୁକ୍ତି ଆନ୍ଦୋଳନର ଏହି ଆଭିମୁଖ୍ୟ ସମ୍ବନ୍ଧରେ ଧାରଣା ସ୍ପଷ୍ଟ କରିବା ପାଇଁ ତେଣୁ ଏକ ନମୁନା ଉପରେ ଦୃଷ୍ଟିପାତ କରାଯାଇପାରେ। ଏଥିପାଇଁ ଏହି ଆନ୍ଦୋଳନର ସୂତ୍ରପାତରେ ମୁଖ୍ୟ ଭୂମିକା ଗ୍ରହଣକାରିଣୀଙ୍କ ମଧ୍ୟରେ ଅନ୍ୟତମା, ବିଂଶ ଶତାବ୍ଦୀର ପ୍ରଖ୍ୟାତ ଫରାସୀ ଅସ୍ତିତ୍ବବାଦୀ ଦାର୍ଶନିକା ସିମନ୍ ଡି ବିଭ୍ବାଙ୍କର ଏ ସମ୍ପର୍କରେ ପ୍ରକାଶିତ ଆଭିମୁଖ୍ୟକୁ ଏକ ପ୍ରକୃଷ୍ଟ ଉଦାହରଣ ରୂପେ ଗ୍ରହଣ କରାଯାଇପାରେ।

ମାତୃତ୍ବ ସମ୍ବନ୍ଧରେ ସାଧାରଣ ଭାବେ ଗୃହୀତ ଆଭିମୁଖ୍ୟ ହେଉଛି ଏଇଭଳି: ମାତୃତ୍ବ ହେଉଛି ଏକ ଅବିଶ୍ବାସ୍ୟ, ଜୀବନ-ପରିବର୍ତ୍ତନକାରୀ ଅନୁଭୂତି; ଅନେକ ନାରୀଙ୍କୁ ଏହା ପରିଚୟ ପ୍ରଦାନ କରିଥାଏ, ସେମାନଙ୍କର ମନସ୍ତାତ୍ତ୍ବିକ ଅଭାବ ପୂରଣ କରିଥାଏ ଏବଂ ଜୀବନକୁ ଅର୍ଥପୂର୍ଣ୍ଣ କରିଥାଏ। ଏହା ତା’ର ପୁରୁଣା ଜୀବନରେ ଆମୂଳଚୂଳ ପରିବର୍ତ୍ତନ ଘଟାଇ ମା’ ନାମକ ଏକ ନୂତନ ମନୁଷ୍ୟର ସୃଷ୍ଟି କରେ ଯାହାର ସମଗ୍ର ସତ୍ତା ଅନ୍ୟ ଏକ ଜୀବନ ଉପରେ କେନ୍ଦ୍ରୀଭୂତ ହୋଇଥାଏ- ତା’ର ସନ୍ତାନ। ଡି ବିଭ୍ବାଙ୍କ ମତରେ ଏହା ହିଁ ମାତୃତ୍ବକୁ ବିପଜ୍ଜନକ କରିଥାଏ। ତାଙ୍କ ଯୁକ୍ତି ଅନୁସାରେ ଏହି କାରଣରୁ ଯଦି ମାତୃତ୍ବ ସହିତ ଅତ୍ୟନ୍ତ ସତର୍କତାର ସହିତ କାରବାର କରା ନ ଯାଏ, ତେବେ ତାହା ଉଭୟ ମା’ ଓ ସନ୍ତାନର ଘୋର କ୍ଷତି ସାଧନ କରିବ। ତାଙ୍କର ୧୯୪୯ରେ ପ୍ରକାଶିତ ଯୁଗାନ୍ତକାରୀ ପୁସ୍ତକ ‘ଦି ସେକେଣ୍ଡ୍ ସେକ୍‌ସ’ରେ ସେ ଯେଉଁ ବିଭିନ୍ନ କିସମର ଲୁକ୍‌କାୟିତ ଲିଙ୍ଗ ବିଦ୍ବେଷ ଉପରେ ଆଲୋକପାତ କରିଥିଲେ, ସେଥି ମଧ୍ୟରୁ ଅନ୍ୟତମ ଥିଲା ଏହି ମାତୃତ୍ବ। ସେଥିରେ ସେ ଦର୍ଶାଇଥିଲେ ଯେ ସମାଜରେ ରାଜୁତି କରି ଆସୁଥିବା ଯେଉଁ କେତେକ କ୍ଷତିକାରକ କାଳ୍ପନିକ ଧାରଣା ବା ‘ମିଥ୍’ ନାରୀର ଜନ୍ମ ମୁହୂର୍ତ୍ତରୁ ତା’ର ସଂଜ୍ଞା ନିରୂପଣ କରି ଦେଇଥା’ନ୍ତି, ସେଥି ମଧ୍ୟରୁ ଏକ ଅଗ୍ରଗଣ୍ୟ ହେଉଛି: ମା’ ମିଥ୍। ଏହି ମିଥ୍ ଅନୁସାରେ ନାରୀକୁ ଏକ ସ୍ବାଭାବିକ ଯତ୍ନ ଗ୍ରହଣକାରିଣୀ ରୂପେ ଦେଖାଯାଇଥାଏ, ଯାହାର ସମଗ୍ର ଆତ୍ମସତ୍ତା ସନ୍ତାନ ସୃଷ୍ଟି ପ୍ରତି ଅଭିପ୍ରେତ ହୋଇଥାଏ। ସମାଜ ଏହି ମା’ ବା ଜନନୀକୁ ଏକ ବିଶୁଦ୍ଧ, ଆତ୍ମତ୍ୟାଗୀ ସ୍ନେହପ୍ରଦାନକାରିଣୀ ରୂପେ ଦେଖିବାକୁ ଚାହିଁଥାଏ ଏବଂ ନାରୀ ସମାଜର ସେଇ ଆଶା ପୂରଣ କରିବାକୁ ନିଜର ଜୀବନର ବ୍ରତ ରୂପେ ଗ୍ରହଣ କରି ନିଏ। ଡି ବିଭ୍ବା କିନ୍ତୁ ଏହାର ତୀବ୍ର ବିରୋଧ କରି ଲେଖିଥିଲେ, ‘‘ମାତୃତ୍ବ ପ୍ରବୃତ୍ତି ହେଉଛି ଏକ ମିଥ୍’’ ମାତ୍ର। ତାଙ୍କ ମତରେ ନାରୀ ନିଜର ପ୍ରବୃତ୍ତିର ତାଡ଼ନାରେ ମା’ ଭୂମିକା ଗ୍ରହଣ କରି ନ ଥାଏ; ନିଜ ପସନ୍ଦରେ ମା’ ହୋଇଥାଏ। ନାରୀର ଏହି ପସନ୍ଦ ପଛରେ ଥିବା କାରଣ ହେଉଛି ମାତୃତ୍ବ ନାରୀକୁ ନିଜର ସନ୍ତାନ ଉପରେ ପ୍ରଭୁତ୍ବ ପ୍ରଦାନ କରି ତା’ଠାରେ ସୃଷ୍ଟି କରୁଥିବା ଏକ ସଶକ୍ତୀକରଣ ଓ ସ୍ବାଧୀନତାର ଅବବୋଧ, ଯାହା ପ୍ରଥମେ ତା’ର ପିତାମାତା ତାକୁ ଦେଇ ନ ଥା’ନ୍ତି; ପରେ ନିଜର ସ୍ବାମୀ ତାକୁ ଦେଇ ନ ଥାଏ ଏବଂ ସମାଜ ମଧ୍ୟ ତାକୁ ଦେଇ ନ ଥାଏ। ତା’ର ସମୁଦାୟ ପରିଚୟ ହୋଇଯାଏ- ମା’, ଏବଂ ତା’ର ନିଜର ସମସ୍ତ ସ୍ବପ୍ନ ଓ ସ୍ବାଧୀନତା ଏଇ ମା’ ମିଥ୍‌ ଠାରେ ସମର୍ପିତ ହୋଇଯାଏ।

ଏହି ମିଥ୍‌ର ରାଜୁତି ନାରୀ ଠାରେ ବିଭିନ୍ନ ପ୍ରକାର ବିକୃତି ସୃଷ୍ଟି କରିପାରେ। ମା’ ରୂପକ ନାରୀ ନିଜର ସନ୍ତାନକୁ ଏକ ସଖୀକଣ୍ଢେଇ ରୂପେ ବ୍ୟବହାର କରି ତା’ ମାଧ୍ୟମରେ ନିଜର ଅପୂର୍ଣ୍ଣ ଲକ୍ଷ୍ୟମାନ ପୂରଣ କରିବାକୁ ଚେଷ୍ଟା କରି ପାରେ। ସେଇଭଳି, ମାତୃତ୍ବର ଦାୟିତ୍ବ ଯୋଗୁଁ ନାରୀର ଜୀବନଶୈଳୀରେ ସ୍ବାଧୀନତାର ଯେଉଁ ସଂକୋଚନ ଘଟେ, ନାରୀ ସେଥିପାଇଁ ସନ୍ତାନକୁ ଦାୟୀ କରି ତା’ ପ୍ରତି ଏକ ପ୍ରତିଶୋଧମୂଳକ ନିଷ୍ଠୁର ଆଚରଣ ପ୍ରଦର୍ଶନ କରିପାରେ। ନିଜର ପ୍ରଭୁତ୍ବ ଜାହିର କରିବା ଉଦ୍ଦେଶ୍ୟରେ ନାରୀ ସନ୍ତାନ ପ୍ରତି ମନମୁଖୀ ନିୟମ ଶୃଙ୍ଖଳା ଆଦି ଲାଗୁ କରିପାରେ। ଆଉ, ସନ୍ତାନ ଯେତେବେଳେ ବଡ଼ ହୋଇ ଯାଇ ନିଜର ସ୍ବାଧୀନତା ଦାବି କରିବା ଆରମ୍ଭ କରିବ, ନାରୀ ସେତେବେଳେ ଏହାର ପ୍ରତିରୋଧ କରିବାକୁ ଚେଷ୍ଟା ସ୍ବରୂପ ବିଭିନ୍ନ ପ୍ରକାର ବିକୃତ ଆଚରଣ ପ୍ରଦର୍ଶନ କରିବାକୁ ଆରମ୍ଭ କରିବ। ଏହି ସମସ୍ତ କାରଣରୁ ଡି ବିଭ୍ବାଙ୍କ ପରି ନାରୀମୁକ୍ତି ଆନ୍ଦୋଳନକାରିଣୀମାନଙ୍କ ମତ ଅନୁସାରେ ନାରୀର ବ୍ୟକ୍ତିତ୍ବର ଦିଗ୍‌ବଳୟ ସନ୍ତାନ ଦ୍ବାରା ସୀମିତ ହେବା ଉଚିତ ନୁହେଁ। ମାତୃତ୍ବ ନାରୀକୁ ମହାନ କରିବା ପରିବର୍ତ୍ତେ ସୀମିତ କରି ଦେଇଥାଏ। ଉପରେ ଯେଉଁ ମାମଲାରେ ରାଜସ୍ଥାନ ହାଇକୋର୍ଟଙ୍କର ଏକ ରାୟ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି, ସେଥିରେ ସ୍ବାମୀ ଆଜୀବନ କାରାଦଣ୍ଡ ଭୋଗୁଥିବାରୁ ସେ ମାତୃତ୍ବ ଲାଭରୁ ବଞ୍ଚିତ ହେଉଛନ୍ତି, ଯାହା ବିନା ଅପରାଧରେ ତାଙ୍କ ପ୍ରତି ଏକ ଦଣ୍ଡ ବୋଲି ଜଣେ ନାରୀ ଏହା ବିରୋଧରେ ନ୍ୟାୟ ପ୍ରାର୍ଥନା କରି ଅଦାଲତଙ୍କର ଦ୍ବାରସ୍ଥ ହୋଇଛନ୍ତି। ମାନ୍ୟବର ହାଇକୋର୍ଟ ଏହି‌ ଅନ୍ୟାୟର ସଂଶୋଧନ ସ୍ବରୂପ ପତ୍ନୀ ରେଖାଙ୍କ ସହିତ ସହବାସ କରି ତାଙ୍କୁ ମାତୃତ୍ବ ପ୍ରଦାନ କରିବାକୁ ଚେଷ୍ଟା କରିବା ପାଇଁ ଆଜୀବନ କଇଦୀ ୩୪ ବର୍ଷୀୟ ନନ୍ଦଲାଲ୍‌ଙ୍କୁ ପ୍ୟାରୋଲ୍ ପ୍ରଦାନ କରିଛନ୍ତି। ଏହା କାହାରି ଦୃଷ୍ଟି ଏଡ଼ାଇ ନ ଥିବ ଯେ ଏଠାରେ ମହାଭାରତର ବନ ପର୍ବର ସେଇ ସାବିତ୍ରୀ-ସତ୍ୟବାନ୍ ଆଖ୍ୟାୟିକାର ସତସତିକା ପୁନରାବୃତ୍ତି ସ୍ବରୂପ ପତ୍ନୀ ଜଣକ ସାବିତ୍ରୀ, ଆଜୀବନ ବନ୍ଦୀ ପତି ଜଣକ ଅକାଳ ମୃତ୍ୟୁ ଲାଭ କରିଥିବା ସତ୍ୟବାନ୍ ଓ ବିଚାରପତି ଦ୍ବୟ ଧର୍ମରାଜ ଯମଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି କହିଲେ ଭୁଲ୍ ହେବ ନାହିଁ।

ସମ୍ବିଧାନ ଓ ଆଇନ ସହିତ ବିଭିନ୍ନ ଧର୍ମ ବିଶ୍ବାସରେ ଏ ସମ୍ବନ୍ଧ‌େର ଥିବା ଧାରଣାର ଅବତାରଣା କରି ସମ୍ପୃକ୍ତ ନ୍ୟାୟମୂର୍ତ୍ତି ଦ୍ବୟ ଉପରୋକ୍ତ ରାୟ ପ୍ରଦାନ କରିବା ଅବସରରେ ରାୟର ଅଂଶ ସ୍ବରୂପ ନାରୀ ଓ ମାତୃତ୍ବ ସମ୍ବନ୍ଧରେ ଉଲ୍ଲେଖ କରିଥିବା ଏହି ମନ୍ତବ୍ୟ ଏଠାରେ ଉଦ୍ଧାର ଯୋଗ୍ୟ ମନେହୁଏ: ‘‘ମାତୃତ୍ବ ଲାଭ ଦ୍ବାରା ତାଙ୍କର ନାରୀତ୍ବ ବିସ୍ଫାରିତ ହୁଏ, ଉଭୟ ପରିବାର ଓ ସମାଜରେ ତାଙ୍କର ଭାବମୂର୍ତ୍ତି ଗୌରବାନ୍ବିତ ହୁଏ ଏବଂ ଅଧିକ ସମ୍ମାନାସ୍ପଦ ହୁଏ।’’ ଅଦାଲତଙ୍କର ଏହି ମନ୍ତବ୍ୟ ଯାହାର ସ୍ପଷ୍ଟ ଛାପ ବହନ କରିଥାଏ, ତାହା ହେଉଛି ସେଇ ମା’ ମିଥ୍‌ର, ଯାହାର ଧ୍ବଂସ ସାଧନ ପାଇଁ ସିମନ୍ ଡି ବିଭ୍ବାଙ୍କ ଭଳି ନାରୀମୁକ୍ତି ଆନ୍ଦୋଳନକାରିଣୀମାନେ ପ୍ରଗାଢ଼ ଉଦ୍ୟମ କରି ଆସିଛନ୍ତି। ନିଃସନ୍ଦେହରେ ନା ବନ୍ଦୀ ନନ୍ଦଲାଲ୍‌ଙ୍କ ପତ୍ନୀ ନା ସମ୍ପୃକ୍ତ ଅଦାଲତ ଡି ବିଭ୍ବାଙ୍କ ବିପ୍ଳବରେ ବିଶ୍ବାସ କରନ୍ତି। ବରଂ ଆବେଦନକାରିଣୀଙ୍କର ପ୍ରାର୍ଥନା ଓ ଅଦାଲତଙ୍କ ରାୟ ଏକ ଶକ୍ତିଶାଳୀ ‘ପ୍ରତି-ବିପ୍ଳବ’ର ସ୍ବର ବହନ କରିଥାଏ, ଯାହା ମା’ ମିଥ୍‌ର ପୁନରୁଦ୍ଧାର ପାଇଁ ଉଦ୍ଦିଷ୍ଟ। ଏଥିରୁ ମନେହୁଏ, ମା’ ଥିବା ପର୍ଯ୍ୟନ୍ତ ମିଥ୍ ମଧ୍ୟ ଥିବ; କୌଣସି ବିପ୍ଳବ ତାକୁ ସ୍ଥାନଚ୍ୟୁତ କରି ପାରିବ ନାହିଁ।

ସମ୍ବନ୍ଧିତ ଖବର