ମହାମାୟୀ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ଉତ୍ସବର ଉଲ୍ଲାସମୟ ବାତାବରଣରେ ଯେଉଁ ଏକ ବିଷୟ ବିଗତ କିଛି ବର୍ଷ ଧରି ସାମାଜିକ ଗଣମାଧ୍ୟମ ମଞ୍ଚରେ ମୃଦୁ ବିତର୍କ ସୃଷ୍ଟି କରିବାରେ ଲାଗିଛି, ତାହା ହେଲା ପଶ୍ଚିମବଙ୍ଗରେ ପବିତ୍ର ପୂଜା ପେଣ୍ଡାଲଗୁଡ଼ିକ ନିକଟରେ ଶ୍ରଦ୍ଧାଳୁମାନେ ଆମିଷ ଭକ୍ଷଣ କରୁଥିବାର ଦୃଶ୍ୟ। କହିବା ବାହୁଲ୍ୟ ଯେ ଏହି ଦୃଶ୍ୟ ଉତ୍ତର ଭାରତରେ ବିସ୍ମୟ ବିଜଡ଼ିତ ପ୍ରତିକ୍ରିୟା ସୃଷ୍ଟି କରିଥାଏ; କାରଣ କୌଣସି ପବିତ୍ର ପୂଜା ଅବସରରେ ଏହି ଅଞ୍ଚଳରେ ଆମିଷ ଭୋଜନ ଦୂରେ ଥାଉ, ପିଆଜ ଏବଂ ରସୁଣ ଭଳି ପରିବା (ତାମସିକ) ମଧ୍ୟ ଆହାରରୁ ବହିଷ୍କୃତ ହୋଇଥାଆନ୍ତି। କିନ୍ତୁ ସଂପ୍ରତି ଏହି ବିତର୍କ ବଙ୍ଗୀୟମାନଙ୍କୁ କ୍ଷୁବ୍ଧ କରିଛି; କାରଣ ସମାଲୋଚକମାନେ ଏଭଳି ଆଜରଣକୁ ହିନ୍ଦୁ ଧର୍ମ ବିରୋଧୀ ବୋଲି ଆଖ୍ୟା ଦେବା ସହିତ ନିରାମିଷ ଭୋଜନକୁ ‘ନୈତିକତା’ ଦୃଷ୍ଟିରୁ ଉଚ୍ଚ ଆସନ ପ୍ରଦାନ କରିବାର ପ୍ରଚେଷ୍ଟା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶଂସିତ ବିତର୍କଟି ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ।
ଯଦିଓ ଏହା ଏକ ବାସ୍ତବତା ଯେ ପୃଥିବୀର ସର୍ବାଧିକ ଶାକାହାରୀ ଭାରତରେ ବାସ କରନ୍ତି; ସମୁଦାୟ ଭାରତୀୟଙ୍କ ମଧ୍ୟରେ ସେମାନଙ୍କ ଭାଗ ହେଉଛି ମାତ୍ର ପ୍ରାୟ ୨୦%; ୮୩% ଭାରତୀୟ ପୁରୁଷ ଏବଂ ୭୩% ଭାରତୀୟ ମହିଳା ନିୟମିତ ଆମିଷ ଆହାର କରନ୍ତି; ପଶ୍ଚିମବଙ୍ଗ ବା ଓଡ଼ିଶା ଅଥବା ଆନ୍ଧ୍ରପ୍ରେଦଶ ଭଳି ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଆମିଷାଶୀଙ୍କ ଭାଗ ୯୫%ରୁ ଅଧିକ। ସୁତରାଂ, ଏହା ସ୍ପଷ୍ଟ ଯେ ଜାତି, ଧର୍ମ ଏବଂ ଲିଙ୍ଗ ନିର୍ବିଶେଷରେ ଭାରତୀୟମାନେ ଆମିଷଭକ୍ଷୀ। ତେବେ, ହରିଆଣା, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ଭଳି ରାଜ୍ୟରେ ଶାକାହାରୀମାନେ ସଂଖ୍ୟାଧିକ। ତେବେ, ମୂଳ ପ୍ରଶ୍ନ ହେଲା ଶାକାହାରକୁ ‘ନୈତିକ ଆଦର୍ଶ’ ଦୃଷ୍ଟିରୁ ଆମିଷାହାର ତୁଳନାରେ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇ ପାରିବ କି? କହିବା ବାହୁଲ୍ୟ ଯେ କୁଳାଚାର, ସ୍ବାସ୍ଥ୍ୟଗତ ଆବଶ୍ୟକତା, ଧର୍ମୀୟ ନିର୍ଦ୍ଦେଶ, ଜୀବେ ଦୟା ଭଳି ମନୋଭାବ ଏବଂ ସ୍ବାଦ ଦୃଷ୍ଟିରୁ ବ୍ୟକ୍ତିଗତ ପସନ୍ଦ ଆଧାରରେ ଭାରତୀୟମାନେ ସେମାନଙ୍କ ଭୋଜନରୁ ଆମିଷ ପରିହାର କରିଥାଆନ୍ତି। ଏହା ମଧ୍ୟ ସତ ଯେ ସନାତନୀ ହିନ୍ଦୁ, ବୌଦ୍ଧ ଏବଂ ଜୈନ ଧର୍ମର ବିଶ୍ବାସରେ ‘ଅହିଂସା’ ଏବଂ ‘ଜୀବେ ଦୟା’ ଭଳି ଆଦର୍ଶ ପ୍ରମୁଖ ଗୁରୁତ୍ବ ଲାଭ କରିଥାଏ। କିନ୍ତୁ, ବାସ୍ତବତାଟି ହେଉଛି କେବଳ ଜୈନମାନଙ୍କ ବ୍ୟତୀତ ଅନ୍ୟ କୌଣସି ଧର୍ମାବଲମ୍ବୀ ସଂପୂର୍ଣ୍ଣ ଶାକାହାରୀ ହୋଇ ରହିନାହାନ୍ତି। ଯଦିଓ କେରଳର ନମ୍ବୁଦିରୀ ବ୍ରାହ୍ମଣମାନଙ୍କ ଭଳି କେତେକ ବର୍ଗର ବ୍ରାହ୍ମଣ କଠୋର ନିରାମିଶାଷୀ, ସଂଖ୍ୟା ଏବଂ ଆଞ୍ଚଳିକତା ଦୃଷ୍ଟିରୁ ସେମାନେ ସୀମିତ। ଉଲ୍ଲେଖଯୋଗ୍ୟ ଯେ ‘ଅହଂସା ପରମ ଧର୍ମ’ ବୋଲି ପ୍ରଚାର କରିଥିବା ଗୌତମ ବୁଦ୍ଧ ଜୀବିତ ଥିବା ବେଳେ ହିଁ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆହାରରେ ଆମିଷ ପ୍ରବେଶ କରି ସାରିଥିଲା। ପ୍ରବାଦ ଅଛି ଯେ ଏକଦା ଜଣେ ବୌଦ୍ଧ ଭିକ୍ଷୁଙ୍କ ଭିକ୍ଷା ପାତ୍ରରେ ଉପରେ ଉଡ଼ିଯାଉଥିବା କାଉର ଥଣ୍ଟରୁ ଅଗତ୍ୟା ମାଂସ ଖଣ୍ଡଟିଏ ଖସି ପଡ଼ି ଗୌତମ ବୁଦ୍ଧଙ୍କ ସମ୍ମୁଖରେ ଏକ ବିରାଟ ଦ୍ବନ୍ଦ୍ବକୁ ଆଣି ଛିଡ଼ା କରାଇଥିଲା। କାରଣ, ବୁଦ୍ଧଙ୍କ ପ୍ରଣୀତ ନିୟମାନୁଯାୟୀ କୌଣସି ବୌଦ୍ଧ ଭିକ୍ଷୁଙ୍କ ଭିକ୍ଷା ପାତ୍ରରେ ପ୍ରଥମେ ଏବଂ ଥରଟିଏ ମାତ୍ର ପଡୁଥିବା ଖାଦ୍ୟ ହିଁ ହେଉଥିଲା ସେହି ଭିକ୍ଷୁଙ୍କ ସକାଶେ ସେ ଦିନର ଆହାର। ସୁତରାଂ, ଏଭଳି ସ୍ଥଳେ ସେହି ବୌଦ୍ଧ ଭିକ୍ଷୁ ପ୍ରଥମ ଭିକ୍ଷା ଭାବେ ଲାଭ କରିଥିବା ମାଂସକୁ ଭକ୍ଷଣ କରିବା ଉଚିତ ନା ନିରାମିଷ ଆହାରର କଠୋର ବ୍ରତ ପ୍ରାଧାନ୍ୟ ପାଇବା ଉଚିତ; ତାହା ଥିଲା ପ୍ରଶ୍ନ। ତେବେ, ଗୌତମ ବୁଦ୍ଧଙ୍କ ବିବେଚନାପୂର୍ଣ୍ଣ ନିଷ୍ପତ୍ତି କହିଥିଲା ଯେ ଏଭଳି ସ୍ଥିତି ଅନନ୍ୟ ସାଧାରଣ ହୋଇଥିବାରୁ ଏହାର ପୁନରାବୃତ୍ତି ଘଟିବାର ସମ୍ଭାବନା ଶୂନ୍ୟପ୍ରାୟ। ତେଣୁ, ନିରାମିଷ ଭକ୍ଷଣର ବ୍ରତକୁ ଏଭଳି ବିରଳତମ ଘଟଣାରେ ଜଳାଞ୍ଜଳି ଦେଇ ପ୍ରଥମ ଭିକ୍ଷାକୁ ଆହାର ଭାବେ ଗ୍ରହଣ କରିବାର ମୂଳ ନିୟମଟିକୁ ପାଳନ କରାଯିବା ବିଧେୟ। ସୁତରାଂ, ସେହି ଭିକ୍ଷୁ ହୋଇଗଲେ ପ୍ରଥମ ଆମିଷଭକ୍ଷୀ ବୌଦ୍ଧ; କିନ୍ତୁ ଏହା ସହିତ ବୌଦ୍ଧ ଭିକ୍ଷୁମାନେ ଭିକ୍ଷା ଭାବେ ଆମିଷ ଗ୍ରହଣ କରି ତାକୁ ଭୋଜନ କରିବାର ମାର୍ଗ ମଧ୍ୟ ଉନ୍ମୁକ୍ତ ହୋଇଗଲା। ଉଲ୍ଲେଖଯୋଗ୍ୟ ଯେ ସ୍ବୟଂ ଗୌତମ ବୁଦ୍ଧ ତାଙ୍କୁ ଅର୍ପଣ କରାଯାଇଥିବା ପଚା ମାଂସର ବ୍ୟଂଜନ ଭୋଜନ କରି ତଜ୍ଜନିତ ଅସୁସ୍ଥତାରୁ ପରଲୋକ ଗମନ କରିଥିଲେ। କହିବା ବାହୁଲ୍ୟ ଯେ ବିବର୍ତ୍ତନ କ୍ରମରେ ଧର୍ମୀୟ ଆଚରଣରେ ଅନେକ ପରିବର୍ତ୍ତନ ଘଟିଛି ଏବଂ ସାଂପ୍ରତିକ ବାସ୍ତବତା ହେଲା ଆମିଷ ଭକ୍ଷଣ ବା ନ କରିବା ବ୍ୟକ୍ତିଗତ ଆଧ୍ୟାତ୍ମିକ ବିଶ୍ବାସ ଅଥବା କୁଳ ପରଂପରା ଉପରେ ନିର୍ଭର କରିଥାଏ ସିନା, ଏହା ପଛରେ କୌଣସି ସାର୍ବଜନୀନ ଧର୍ମୀୟ ନିର୍ଦ୍ଦେଶ ନାହିଁ।
ଏଠାରେ ଉଲ୍ଲେଖ କରାଯିବା ଜରୁରୀ ଯେ ମା’ ଦୁର୍ଗାଙ୍କ ପବିତ୍ର ପୂଜା ଅବସରରେ ଆମିଷ ଭକ୍ଷଣ କରିବାର ବିଧି ବଙ୍ଗୀୟମାନଙ୍କ ଆଧ୍ୟାତ୍ମିକ-ସାଂସ୍କୃତିକ ପରଂପରାର ଏକ ଅଂଶ। ବଙ୍ଗୀୟମାନେ ମାଛକୁ ‘ଶୁଭ’ ବା ମଙ୍ଗଳର ପ୍ରତୀକ ଭାବେ ଦେଖନ୍ତି ଏବଂ ପୂଜାପର୍ବରେ ମାଛରେ ପ୍ରସ୍ତୁତ ବ୍ୟଂଜନ ଖାଇ ଥାଆନ୍ତି! ଶାକ୍ତ ପରଂପରାରେ ଦେବୀ ପୀଠଗୁଡ଼ିକରେ ପଶୁ ବା ପକ୍ଷୀଙ୍କ ବଳି ପଡ଼ିବା ଏକ ସାଧାରଣ ଓ ସ୍ବୀକୃତ ପ୍ରଥା, ଯଦିଓ ସଂପ୍ରତି ଜୀବମାନଙ୍କ ପ୍ରତି ହେଉଥିବା ନିଷ୍ଠୁରତା କାରଣରୁ ଏହି ପ୍ରଥା ବିରୋଧରେ ସ୍ବର ଉତ୍ତୋଳନ କରାଯାଉଛି। ତେବେ ସେ ଯାହା ହେଉ, ବଳି ପଡୁଥିବା ପଶୁ ବା ପକ୍ଷୀଙ୍କ ମାଂସକୁ ଦେବୀ ମା’ଙ୍କୁ ଭୋଗ ରୂପେ ଅର୍ପଣ କରାଯାଇଥାଏ। ଆମ ରାଜ୍ୟରେ ମଧ୍ୟ କେତେକ ଦେବୀ ମନ୍ଦିରରେ ଆମିଷ ବ୍ୟଂଜନ ଭୋଗ ହିସାବରେ ଲାଗିଥାଏ। ସେହି ଦୃଷ୍ଟିରୁ କୋଲକାତାର ପୂଜା ପେଣ୍ଡାଲ ନିକଟରେ ବଙ୍ଗୀୟମାନଙ୍କ ଦ୍ବାରା ଆମିଷ ଭକ୍ଷଣକୁ ନେଇ ବିତର୍କ ସୃଷ୍ଟି ହେବା ଅଯୌକ୍ତିକ ଭଳି ମନେ ହୋଇଥାଏ।
ପ୍ରସଙ୍ଗ କ୍ରମେ କୁହାଯାଇପାରେ କି ଅଲିଂପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଜାଭଲିନ ଫିଙ୍ଗାଳି ନୀରଜ ଚୋପ୍ରା ଇତିମଧ୍ୟରେ ଆଜନ୍ମ ନିରାମିଷାଶୀରୁ ଆମିଷାଶୀକୁ ପରିବର୍ତ୍ତିତ ହୋଇଛନ୍ତି; କାରଣ ତାଙ୍କ ପ୍ରଶିକ୍ଷକଙ୍କ ପରାମର୍ଶ ଅନୁଯାୟୀ ଆମିଷ ଆହାର ତାଙ୍କୁ ଯେଉଁ ଉନ୍ନତ ଗୁଣମାନର ନିରୋଳା ପୁଷ୍ଟିସାର ବା ‘ପ୍ରୋଟିନ’ ଯୋଗାଇବ, ତାହା ନିରାମିଷ ଆହାରରେ ଉପଲବ୍ଧ ହୋଇ ନ ଥାଏ। ଏହା ସୁବିଦିତ ଯେ ମାଂସପେଶୀକୁ ଦୃଢ଼ କରି ଅଧିକ ଶକ୍ତି ପ୍ରଦାନରେ ‘ପ୍ରୋଟିନ’ର ଭୂମିକା ସର୍ବାଧିକ। ପ୍ରକାଶ ଥାଉ କି ଆଜିକୁ ଶହେ ବର୍ଷରୁ ଅଧିକ କାଳ ପୂର୍ବେ ବ୍ରିଟିସମାନଙ୍କ ବିରୋଧରେ ଲଢ଼ିବା ଲାଗି ଅଧିକ ବଳଶାଳୀ ହେବା ନିମନ୍ତେ ଜଣେ ବନ୍ଧୁଙ୍କ ପରାମର୍ଶ କ୍ରମେ ମହାତ୍ମା ଗାନ୍ଧୀ ତାଙ୍କ କୈଶୋରରେ ଥରଟିଏ ଆମିଷ ଭକ୍ଷଣ କରିଥିଲେ; କିନ୍ତୁ ସେହି ରାତିରେ ନିଜ ଉଦର ମଧ୍ୟରୁ ଛେଳିର ବିକଳ କ୍ରନ୍ଦନ ସୃଷ୍ଟି ହେବାର ଭ୍ରମ ତାଙ୍କୁ ଏଭଳି ବିଚଳିତ କରିଥିଲା ଯେ ସେ ଆଉ ତାହାର ପୁନରାବୃତ୍ତିି କରି ନ ଥିଲେ। କହିବା ଅନାବଶ୍ୟକ ଯେ ଅହିଂସାର ପୂଜାରୀ ଗାନ୍ଧୀଜୀଙ୍କ କ୍ଷେତ୍ରରେ ଏଭଳି ଘଟିବା ଅତ୍ୟନ୍ତ ସ୍ବାଭାବିକ ମଧ୍ୟ ଥିଲା। କିନ୍ତୁ ନିରାମିଶାଷୀମାନେ ଯେ ସର୍ବଦା ଅଧିକ କରୁଣାବନ୍ତ ହୋଇଥାଆନ୍ତି, ତାହା ମଧ୍ୟ ଏକ ଭ୍ରାନ୍ତ ଧାରଣା; କାରଣ ଲକ୍ଷାଧିକ ଇହୁଦୀଙ୍କୁ ବ୍ୟବସ୍ଥିତ ଭାବେ ହତ୍ୟା କରିବାର ଆଦେଶ ଦେଇଥିବା ଆଡଲ୍ଫ ହିଟଲର ମଧ୍ୟ ଥିଲେ ଜଣେ ନିରାମିଶାଷୀ!
ଏହି ସଂଦର୍ଭରେ ଆଲୋଚନା କାଳରେ କାଳଜୟୀ ହିନ୍ଦୀ ଓ ଊର୍ଦ୍ଦୁ ଲେଖକ କିଶନ ଚନ୍ଦରଙ୍କ ଏକ ଅବିସ୍ମରଣୀୟ ଗଳ୍ପ ସ୍ମରଣକୁ ଆସେ, ଯାହାର ଶୀର୍ଷକ ‘ବ୍ରାହ୍ମଣ’। ସେହି ଗଳ୍ପର ନାୟକ ଜଣେ ନିର୍ଦୟ ଅପରାଧୀ, ଯିଏ ପ୍ରତିଶୋଧ ନେବା ସକାଶେ ଜଣେ ପ୍ରତିପକ୍ଷକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ପରେ ମଧ୍ୟ ଅବିଚଳିତ ଭାବେ ଏକ ହୋଟେଲରେ ଭୋଜନ କରିବାକୁ ଯାଇ ତା’ ସମ୍ମୁଖରେ ପରଷା ଯାଇଥିବା ମାଂସ ତରକାରୀକୁ ଦେଖି ଚିତ୍କାର କରିଛି- ‘ଇଏ କ’ଣ? ଜାଣ ନାହିଁ କି ମୁଁ ଜଣେ ବ୍ରାହ୍ମଣ!’ ସ୍ପଷ୍ଟ ହୋଇଯିବା ଆବଶ୍ୟକ ଯେ ଏଠାରେ ଲେଖକ କୌଣସି ଏକ ନିର୍ଦ୍ଦିଷ୍ଟ ଜାତି ପ୍ରତି ଅକ୍ଷେପ କରି ନାହାନ୍ତି, ବରଂ ଏହା ମାଧ୍ୟମରେ ‘ଆଚରଣ’ ଓ ‘ଆଚାର’ ମଧ୍ୟରେ ରହିଥିବା ପାର୍ଥକ୍ୟ ଦର୍ଶାଇବାର ପ୍ରୟାସ ସେ କରିଛନ୍ତି। ଏବଂ ତା’ ସହିତ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଆମିଷ ଭକ୍ଷଣ କରିବା ବା ନ କରିବା ଉପରେ ‘ନୈତିକ ଉଚ୍ଚାଦର୍ଶ’ ନିର୍ଭର କରି ନ ଥାଏ।
ଆମିଷାହାରର ଦ୍ବନ୍ଦ୍ବ
/sambad/media/post_attachments/wp-content/uploads/2023/05/sampadakiya.jpg)