ଭାରତ କାର୍ଯ୍ୟକାରୀ କରିଥିବା ‘ମେକ୍ ଇନ୍ ଇଣ୍ଡିଆ’ ନୀତି ଅନ୍ତର୍ଗତ ପ୍ରୋତ୍ସାହନ ପ୍ରଦାନ ଯୋଜନାମାନ ଚୀନ୍ ଛାଡୁଥିବା ଯୋଗାଣ ଶୃଙ୍ଖଳକୁ ଭାରତ ଦିଗରେ ଆକର୍ଷିତ କରିବାେର ସହାୟକ ହେଉଛି। ତଥାପି ଏହି ଆକର୍ଷଣକୁ ଆହୁରି ଶକ୍ତିଶାଳୀ କରିବା ନିମିତ୍ତ ପରିସ୍ଥିତିର ଅନୁଶୀଳନ କରି ଅଧିକ ଉପଯୁକ୍ତ ପଦକ୍ଷେପମାନ ଗ୍ରହଣ କରାଯିବା ଆବଶ୍ୟକ, େଯମିତି କର୍ପୋରେଟ୍ ଟିକସ ହ୍ରାସ କିମ୍ବା ଆମଦାନି ଶୁଳ୍କ ହ୍ରାସ କିମ୍ବା ‘ପିଏଲ୍ଆଇ’ ଯୋଜନାର ସଂପ୍ରସାରଣ ଇତ୍ୟାଦି, ଯାହା ଆମ ଝୁଡ଼ିର ଆକର୍ଷଣକୁ ଅଣ୍ଡା ଉତ୍ପାଦନକାରୀମାନଙ୍କ ପାଇଁ ଦୁର୍ବାର କରି ତୋଳିବ। ପରିବର୍ତ୍ତିତ ପରିସ୍ଥିତିରୁ ସଂପୂର୍ଣ୍ଣ ଫାଇଦା ଉଠେଇବା ନିମିତ୍ତ ଆମକୁ ଝୁଡ଼ି ସଜାଡ଼ି ରଖିବାକୁ ହେବ।
ହୁସିଆର ଲୋକମାନେ କେବେହେଲେ ଗୋଟିଏ ଝୁଡ଼ିରେ ସବୁତକ ଅଣ୍ଡା ରଖନ୍ତି ନାହିଁ, କାରଣ, ଯଦି କୌଣସି କାରଣରୁ ଝୁଡ଼ିଟି ତଳେ ଖସି ପଡ଼େ, ସେ ଆଘାତରେ ସବୁତକ ଅଣ୍ଡା ଭାଙ୍ଗି ଯିବାର ସମ୍ଭାବନା ଥାଏ। ଯଦି ଅଣ୍ଡାଗୁଡ଼ିକୁ ଏକାଧିକ ଝୁଡ଼ିରେ ବାଣ୍ଟି ଦେଇ ରଖାଯାଏ, ତେବେ ଗୋଟିଏ ଝୁଡ଼ି ପଡ଼ିଯାଇ ସେଥିରେ ଥିବା ଅଣ୍ଡାଗୁଡ଼ିକ ଭାଙ୍ଗିଗଲେ ମଧ୍ୟ ଅନ୍ୟ ଝୁଡ଼ିରେ ଥିବା ଅଣ୍ଡାଗୁଡ଼ିକ ସୁରକ୍ଷିତ ରହିଥାନ୍ତି। ଅତୀତରେ ଚୀନ୍ର ଅର୍ଥନୈତିକ ପୁନର୍ଜାଗରଣ ଘଟିବା ପରେ ସେ ଦେଶ ଯେତେବେଳେ ପୃଥିବୀର ଏକମାତ୍ର ୱାର୍କସପ୍ ବା କର୍ମଶାଳା ରୂପେ ଆବିର୍ଭୂତ ହେଲା, ପାଶ୍ଚାତ୍ୟ ଦେଶମାନେ ଉପରୋକ୍ତ ମୌଳିକ ନିରାପତ୍ତା ନିୟମକୁ ନ ମାନି ଶସ୍ତା ସନ୍ଧାନରେ ସେମାନଙ୍କର ଅଧିକାଂଶ ଉତ୍ପାଦନ କେନ୍ଦ୍ରମାନଙ୍କୁ ଚୀନ୍କୁ ସ୍ଥାନାନ୍ତରିତ କରି ଦେଲେ। ଚୀନ୍ର ବିଶାଳ ବଜାର ମଧ୍ୟ େସମାନଙ୍କୁ ଏକ ଶକ୍ତିଶାଳୀ ପ୍ରଲୋଭନ ରୂପେ ଆକର୍ଷିତ କଲା। ଅବଲୀଳାକ୍ରମେ ପରିସ୍ଥିତି ଏପରି ହେଲା ଯେ ଚୀନ୍ ପୃଥିବୀର ଅଧିକାଂଶ ଯୋଗାଣ ଶୃଙ୍ଖଳମାନଙ୍କର ଏକକ ଉତ୍ସରେ ପରିଣତ ହୋଇଗଲା। ସେ ସବୁ ଦେଶମାନେ ସେମାନଙ୍କର ସବୁତକ ଅଣ୍ଡା ଚୀନ୍ ରୂପକ ଝୁଡ଼ିରେ ରଖିଦେଲେ ବୋଲି କହିଲେ ଭୁଲ୍ ହେବ ନାହିଁ।
୨୦୨୦ରେ ଏଇ ଅଣ୍ଡା ଝୁଡ଼ିଟି ହଠାତ୍ ତଳେ କଚାଡ଼ି ହୋଇ ପଡ଼ିଗଲା। ଯିଏ ଝୁଡ଼ିଟିକୁ ଠେଲି ଦେଇ ତଳେ ପକାଇ ଦେଲା, ସେ ହେଉଛି ଚୀନ୍ରୁ ଉଦ୍ଭବ ହୋଇଥିବା ପାଣ୍ଡେମିକ୍- କୋଭିଡ୍-୧୯। ତା’ପରେ ଚୀନ୍ ତା’ର ସାମରିକ ମାଂସପେଶୀ ପ୍ରଦର୍ଶନ କରି ଦକ୍ଷିଣ ଚୀନ୍ ସାଗରରେ ଉତ୍ପାତ କରିବାରୁ ଆରମ୍ଭ କରି ଭାରତ ସହିତ ସୀମାନ୍ତ ଲଢ଼େଇ, ୟୁକ୍ରେନ୍ ଯୁଦ୍ଧରେ ରୁଷିଆକୁ ସମର୍ଥନ ଓ ବର୍ତ୍ତମାନ ଇରାନ୍ ସହିତ ମିଶି ଆତଙ୍କବାଦୀ ‘ହମାସ୍’କୁ ସମର୍ଥନ ମାଧ୍ୟମରେ ପାଶ୍ଚାତ୍ୟ ଦେଶମାନଙ୍କୁ ଆହୁରି ଚେତାଇ ଦେଇଛି ଚୀନ୍ ଝୁଡ଼ିରେ ସବୁଯାକ ଅଣ୍ଡା ରଖିବା ସେମାନଙ୍କ ପାଇଁ କିପରି ବିପଦପୂର୍ଣ୍ଣ ହୋଇପାରେ।
ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ପୃଥିବୀରେ ଯେଉଁ ଅପେକ୍ଷାକୃତ ଶାନ୍ତି ବିରାଜମାନ କରି ଆସିଛି, ଆମେରିକା ତା’ର ରକ୍ଷକ ରୂପେ ଏ ପର୍ଯ୍ୟନ୍ତ କାର୍ଯ୍ୟ କରି ଆସିଛି ଏବଂ ଏହାର ପାର୍ଶ୍ବ ଫଳ ସ୍ବରୂପ ଆମେରିକୀୟ ସଂସ୍କୃତି ସାରା ପୃଥିବୀରେ ବ୍ୟାପି ଯାଇଛି, ଯାହାର ନାମକରଣ କରାଯାଇଛି- ‘ପାକ୍ସ ଆମେରିକାନା’। ବର୍ତ୍ତମାନ ରୁଷିଆ-ଚୀନ୍-ଇରାନ୍ ମେଣ୍ଟ ସେଇ ‘ପାକ୍ସ ଆମେରିକାନା’କୁ ବିସ୍ଥାପିତ କରି ନିଜର ଆଧିପତ୍ୟ ଜାହିର କରିବାର ଏକ ଆଶଙ୍କା ପାଶ୍ଚାତ୍ୟ ଶକ୍ତିମାନଙ୍କୁ ଘାରିବାକୁ ଆରମ୍ଭ କଲାଣି। ଏହି ସମୟରେ ଚୀନ୍ ମଧ୍ୟ ୧୯୮୦ ଦଶକ ଠାରୁ ଅନୁସରଣ କରି ଆସିଥିବା ଅପେକ୍ଷାକୃତ ବଜାରଭିତ୍ତିକ ଅର୍ଥନୈତିକ ସଂସ୍କାର ପଥ ତ୍ୟାଗ କରିବାର ଲକ୍ଷଣ ପ୍ରକାଶ କରି ଅତୀତର ଏକଛତ୍ର କମ୍ୟୁନିଷ୍ଟ ପାର୍ଟି ନିୟନ୍ତ୍ରଣଭିତ୍ତିକ ଅର୍ଥନୀତି ଆଡ଼କୁ ଫେରି ଯିବାକୁ ଆରମ୍ଭ କଲାଣି ବୋଲି ଏକ ଧାରଣା ସୃଷ୍ଟି ହେଲାଣି। ଚୀନ୍ରେ ନିକଟ ଅତୀତରେ ଦେଖାଯାଇଥିବା ଶିଳ୍ପ-ବ୍ୟବସାୟ ଗୋଷ୍ଠୀମାନଙ୍କ ଉପରେ ଚଢ଼ାଉ, ପ୍ରମୁଖ ଉଦ୍ୟୋଗପତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଏବଂ ଏକଛତ୍ର ନେତା ସି ଜିନ୍ପିଙ୍ଗ୍ଙ୍କ ହାତରେ ଅଧିକରୁ ଅଧିକ କ୍ଷମତା ଠୁଳ ଆଦି ହେଉଛି ଚୀନ୍ର ଏହି ପୂର୍ବର ମାଓ ସମୟକୁ ପ୍ରତ୍ୟାବର୍ତ୍ତନ ଉଦ୍ୟମର ସୂଚନା ବୋଲି ବିଶ୍ବାସ କରାଯାଉଛି।
ହେନ୍ରୀ କିସିଞ୍ଜର୍ଙ୍କ ଭଳି କୂଟନୀତିଜ୍ଞମାନଙ୍କ ଦ୍ବାରା ପ୍ରଭାବିତ ହୋଇ ଆମେରିକା ନେତୃତ୍ବରେ ପାଶ୍ଚାତ୍ୟ ଜଗତ ଯେଉଁ ବିଶ୍ବାସ କରୁଥିଲା ଯେ ଚୀନ୍ ସହିତ ସେମାନେ ଅର୍ଥନୈତିକ ସଂପର୍କ ଦୃଢ଼ୀଭୂତ କଲେ, ଚୀନ୍ ସେମାନଙ୍କ ଦ୍ବାରା ପ୍ରଭାବିତ ହୋଇ କ୍ରମେ ଏକ ଉଦାର ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଯିବ, ସେ ବିଶ୍ବାସ ବର୍ତ୍ତମାନ ସଂପୂର୍ଣ୍ଣ ଧୂଳିସାତ୍ ହୋଇ ସାରିଛି। ତେଣୁ କେବଳ ନିଜର ଅର୍ଥନୈତିକ ସ୍ବାର୍ଥ ସାଧନ ବ୍ୟତୀତ ଚୀନ୍ ସହିତ ସଂପର୍କ ଦ୍ବାରା ଆଉ କୌଣସି ମହତ୍ତର ଲକ୍ଷ୍ୟ ଯେ ହାସଲ ହେବ ନାହିଁ, ପାଶ୍ଚାତ୍ୟ ରାଷ୍ଟ୍ରମାନେ ଓ ମୁଖ୍ୟତଃ ଆମେରିକା ତାହା ଭଲ ରୂପେ ହୃଦୟଙ୍ଗମ କରି ସାରିଲେଣି।
ଏହି କଠୋର ସତ୍ୟକୁ ହୃଦୟଙ୍ଗମ କରି ଆମେରିକା କ୍ରମେ ଚୀନ୍ ସହିତ ସଂପର୍କକୁ ଶିଥିଳ କରିବାର ଉପାୟ ସନ୍ଧାନ କରିବାରେ ଲାଗିଛି। ପ୍ରଥମେ ‘ଡିକପ୍ଲିଙ୍ଗ୍’ ବା ‘ବିଚ୍ଛିନ୍ନୀକରଣ’ ନିମିତ୍ତ ପଦକ୍ଷେପ ନେବାକୁ ଘୋଷଣା କଲାପରେ ଆମେରିକା ହୃଦୟଙ୍ଗମ କଲା ଯେ ସଂପୂର୍ଣ୍ଣ ବିଚ୍ଛିନ୍ନୀକରଣ ଦ୍ବାରା ଆମେରିକାର ଅର୍ଥନୈତିକ ସ୍ବାର୍ଥ ବ୍ୟାହତ ହେବ। ତା’ପରେ ‘ଡିକପ୍ଲିଙ୍ଗ୍’ ସ୍ଥାନରେ ‘ଡିରିସ୍କିଙ୍ଗ୍’ ବା ‘ବିପଦହ୍ରାସ’କୁ ଆମେରିକା ଏକ ନୂତନ ଲକ୍ଷ୍ୟ ରୂପେ ଗ୍ରହଣ କରି କେବଳ ଉଚ୍ଚ ଜ୍ଞାନକୌଶଳ ସଂପର୍କିତ କ୍ଷେତ୍ରରେ ଚୀନ୍ ସହିତ ସଂପର୍କ ସଂପୂର୍ଣ୍ଣ ଛିନ୍ନ କରିଦେବା ପାଇଁ ବର୍ତ୍ତମାନ ନିଷ୍ପତ୍ତି ନେଇଛି।
ତେବେ ଅନ୍ୟ କ୍ଷେତ୍ରମାନଙ୍କରେ ଚୀନ୍ ସହିତ ଅର୍ଥନୈତିକ ସଂପର୍କ ସଂପୂର୍ଣ୍ଣ ଛିନ୍ନ ନ କରି ‘ଚାଇନା ପ୍ଲସ୍ ୱାନ୍’ (ସି+୧) ନୀତି ଅନୁସରଣ କରି ଯୋଗାଣ ଶୃଙ୍ଖଳମାନଙ୍କର ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବା ନିମିତ୍ତ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ବର୍ତ୍ତମାନ ଉଦ୍ୟମ କରୁଛନ୍ତି। ଏହା ଅନୁସାରେ ପାଶ୍ଚାତ୍ୟ କଂପାନିମାନେ ଆଉ ଏଣିକି ସେମାନଙ୍କର ସବୁତକ ଅଣ୍ଡା ଚୀନ୍ ନାମକ ଝୁଡ଼ିରେ ନ ରଖି ଅନ୍ୟ ଝୁଡ଼ିରେ ମଧ୍ୟ ଅଣ୍ଡା ରଖିବାକୁ ଆରମ୍ଭ କଲେଣି; ଅର୍ଥାତ୍ ସେମାନଙ୍କର ଯୋଗାଣ ଶୃଙ୍ଖଳକୁ ଆଂଶିକ ଭାବରେ ଚୀନ୍ରୁ ହଟାଇ ଅନ୍ୟ ଦେଶମାନଙ୍କରେ ସ୍ଥାପନ କଲେଣି। ଏହାର ଏକ ବଳିଷ୍ଠ ପ୍ରମାଣ ସ୍ବରୂପ ଜୁଲାଇ-ସେପ୍ଟେମ୍ବର ଚଉଠରେ ପ୍ରବେଶ କରୁଥିବା ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି (‘ଏଫ୍ଡିଆଇ’)ରେ ଏକ ବିଶାଳ ୧୧.୮ ବିଲିଅନ୍ ଡଲାର ନିଅଣ୍ଟ ଘଟିବା ଦେଖାଯାଇଛି, ଯାହା ହେଉଛି ୧୯୯୮ ପରେ ଘଟିଥିବା ଏଭଳି ପ୍ରଥମ ଘଟଣା। ଅର୍ଥାତ୍ ବୈଦେଶିକ ପୁଞ୍ଜି ନିବେଶକମାନେ ପୂର୍ବଭଳି ଚୀନ୍ରେ ପ୍ରବେଶ କରିବା ପରିବର୍ତ୍ତେ ବର୍ତ୍ତମାନ ଚୀନ୍ରୁ ପଳାୟନ କରିବାକୁ ଆରମ୍ଭ କଲେଣି।
ଭାରତ ପାଇଁ ପାଶ୍ଚାତ୍ୟ କଂପାନି ଓ ନିବେଶକମାନଙ୍କର ଏହି ନୂତନ ଅଣ୍ଡା ଝୁଡ଼ି ସନ୍ଧାନ ଏକ ଅଭୂତପୂର୍ବ ସୁଯୋଗ ସୃଷ୍ଟି କରିଛି ଏବଂ ଭାରତ ଏହାର ସଦ୍ବ୍ୟବହାର ପାଇଁ ପ୍ରସ୍ତୁତି ଚଳାଇଛି। ପୃଥିବୀର ସର୍ବାଧିକ ମୂଲ୍ୟବାନ କଂପାନି ‘ଆଇଫୋନ୍’ ନିର୍ମାତା ‘ଆପ୍ଲ’ର ଭାରତରେ ବହୁ ପ୍ରଚାରିତ ପ୍ରବେଶ ହେଉଛି ଏହାର ଏକ ଉଦାହରଣ। ‘ଫକ୍ସକନ୍’, ‘ପେଗାଟ୍ରନ୍’ ଆଦି ଆପ୍ଲ ‘ଆଇଫୋନ୍’ର ଠିକା ନିର୍ମାତାମାନେ ଏଠାରେ ଉତ୍ପାଦନ କେନ୍ଦ୍ରମାନ ସ୍ଥାପନ କରିବା ହେଉଛି ଏହି ‘ଚାଇନା ପ୍ଲସ୍ ୱାନ୍’ ନୀତି ଅନୁସରଣର ଏକ ପ୍ରମୁଖ ଉଦାହରଣ। ଏହି ଧାରାର ଅନ୍ୟ ଏକ ପ୍ରମାଣ ସ୍ବରୂପ ନିକଟ ଅତୀତରେ ଭାରତ ଅଭିମୁଖେ ଆସୁଥିବା ‘ଏଫ୍ଡିଆଇ’ରେ ମୁଖ୍ୟତଃ ଏକ ବର୍ଦ୍ଧିଷ୍ଣ ଗତି ପରିଲକ୍ଷିତ ହୋଇଛି, ଯଦିବା କୋଭିଡ୍ର ପ୍ରଭାବରେ ଏଥିରେ ସାମୟିକ ହ୍ରାସ ବୃଦ୍ଧି ମଧ୍ୟ ଘଟିଛି।
ଭାରତ କାର୍ଯ୍ୟକାରୀ କରିଥିବା ‘ମେକ୍ ଇନ୍ ଇଣ୍ଡିଆ’ ନୀତି ଅନ୍ତର୍ଗତ ପ୍ରୋତ୍ସାହନ ପ୍ରଦାନ ଯୋଜନାମାନ ଚୀନ୍ ଛାଡୁଥିବା ଯୋଗାଣ ଶୃଙ୍ଖଳକୁ ଭାରତ ଦିଗରେ ଆକର୍ଷିତ କରିବାେର ସହାୟକ ହେଉଛି। ତଥାପି ଏହି ଆକର୍ଷଣକୁ ଆହୁରି ଶକ୍ତିଶାଳୀ କରିବା ନିମିତ୍ତ ପରିସ୍ଥିତିର ଅନୁଶୀଳନ କରି ଅଧିକ ଉପଯୁକ୍ତ ପଦକ୍ଷେପମାନ ଗ୍ରହଣ କରାଯିବା ଆବଶ୍ୟକ, େଯମିତି କର୍ପୋରେଟ୍ ଟିକସ ହ୍ରାସ କିମ୍ବା ଆମଦାନି ଶୁଳ୍କ ହ୍ରାସ କିମ୍ବା ‘ପିଏଲ୍ଆଇ’ ଯୋଜନାର ସଂପ୍ରସାରଣ ଇତ୍ୟାଦି, ଯାହା ଆମ ଝୁଡ଼ିର ଆକର୍ଷଣକୁ ଅଣ୍ଡା ଉତ୍ପାଦନକାରୀମାନଙ୍କ ପାଇଁ ଦୁର୍ବାର କରି ତୋଳିବ। ପରିବର୍ତ୍ତିତ ପରିସ୍ଥିତିରୁ ସଂପୂର୍ଣ୍ଣ ଫାଇଦା ଉଠେଇବା ନିମିତ୍ତ ଆମକୁ ଝୁଡ଼ି ସଜାଡ଼ି ରଖିବାକୁ ହେବ।