ଓଲେ ଆଣ୍ଡରସନଙ୍କ ଅସହାୟତା ସାକ୍ଷୀ ମଲ୍ଲିକଙ୍କ ଭଳି ଚାଂପିଅନ ଖେଳାଳିଙ୍କ ଠାରେ ହୁଏତ ସେହି ଦିନ ଦିଶିଥିଲା; ହୁଏତ ସେ ଧରି ନେଇଥିବେ ଯେ ମଲ୍ଲଯୁଦ୍ଧରେ ପ୍ରତିପକ୍ଷଙ୍କୁ ପରାସ୍ତ କରି ବିଜୟୀ ହେବା ସହଜ ସିନା, ଜୀବନ ଯୁଦ୍ଧର ଅଭିସନ୍ଧି ଓ ଷଡ୍‌ଯନ୍ତ୍ରର ଚକ୍ରବ୍ୟୂହକୁ ଭେଦ କରିବା ଆୟତ୍ତ ବାହାରେ! କିନ୍ତୁ ସେ ଦୃଶ୍ୟପଟ ଅଗତ୍ୟା ବଦଳିଛି। ସାକ୍ଷୀ ବି ଅନୁଭବ କରୁଥିବେ ଯେ ତଥାପି ଆଶା ଜୀବିତ! ସେ ଏହା ମଧ୍ୟ ଅନୁଭବ କରିଥିବେ ଯେ ସେ ଲଢ଼ିଥିବା ଅନେକ ମଲ୍ଲ ଯୁଦ୍ଧ ଭଳି ଜୀବନ ଯୁଦ୍ଧରେ ମଧ୍ୟ ପରାଜୟର ଦ୍ବାରଦେଶରେ ସହସା ବିଜୟର କ୍ଷୀଣ ଆଲୋକ ରେଖା ଦିଶିଯାଇପାରେ।

Advertisment

ଗଲା ୨୨ ତାରିଖ ଦିନ ଯେଉଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଦୃଶ୍ୟ ଦ୍ବୟ ଦେଖିବାକୁ ମିଳିଛି, ସେଗୁଡ଼ିକ ହେଲେ ଅଶ୍ରୁ ବିସର୍ଜନ ପୂର୍ବକ ଅତ୍ୟନ୍ତ ମ୍ରିୟମାଣ ଚିତ୍ତରେ ଅଲିଂପିକ୍‌ସ ପଦକ ବିଜୟିନୀ ମହିଳା ମଲ୍ଲଯୋଦ୍ଧା ସାକ୍ଷୀ ମଲ୍ଲିକଙ୍କ ଦ୍ବାରା ଅଚାନକ ଅବସର ଘୋଷଣା ଏବଂ ତା’ ପରେ ଅନ୍ୟ ଜଣେ ଅଲିଂପିକସ ପଦକ ବିଜେତା ପୁରୁଷ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆଙ୍କ ଦ୍ବାରା ରାଷ୍ଟ୍ର ପ୍ରଦତ୍ତ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରର ଫେରସ୍ତ। କହିବା ଅନାବଶ୍ୟକ ଯେ ଯେଉଁ ପୃଷ୍ଠଭୂମିରେ ଏହି ଘଟଣା ଦ୍ବୟ ଘଟିଲା, ତାହା ଅତ୍ୟନ୍ତ ବିମର୍ଷକର ଏବଂ ଆନ୍ତର୍ଜାତିକ ସଂଦର୍ଭରେ ଭାରତର ଭାବମୂର୍ତ୍ତିକୁ ମଳିନ କରନ୍ତା। କେବଳ ସେତିକି ନୁହେଁ, ଭାରତୀୟ ଚାଂପିଅନ ମଲ୍ଲଯୋଦ୍ଧାମାନେ ଜୀବନ ଯୁଦ୍ଧରେ ହାର ମାନିଯିବା ଏକ ଅନଜ୍ଜ୍ବଳ ଦୃଷ୍ଟାନ୍ତ ମଧ୍ୟ ସ୍ଥାପନ କରନ୍ତା। ସେହି ଦୃଷ୍ଟିରୁ ଭାରତୀୟ କ୍ରୀଡ଼ା ମନ୍ତ୍ରାଳୟ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ସ୍ବାଗତଯୋଗ୍ୟ ବୋଲି କୁହାଯିବ, ଯାହା ସଦ୍ୟ ସମାପ୍ତ ‘ଭାରତୀୟ କୁସ୍ତି ମହାସଂଘ’ର ଅଧ୍ୟକ୍ଷ ନିର୍ବାଚନକୁ ସ୍ଥଗିତ କରି ଦେଇଛି।
ବିଶେଷଜ୍ଞମାନେ କହିଥାଆନ୍ତି ଯେ ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ସମର୍ଥକମାନଙ୍କ ଦ୍ବାରା ରାଜ୍ୟ କୁସ୍ତି ସଂଘଗୁଡ଼ିକ ଭରପୂର ଥିବା କାରଣରୁ ୨୨ ତାରିଖରେ ହୋଇଥିବା ଅଧ୍ୟକ୍ଷ ନିର୍ବାଚନରେ ତାଙ୍କ ‘ପ୍ରକ୍‌ସି’ ରୂପେ ସଂଜୟ ସିଂହଙ୍କ ବିଜୟ ଅନିବାର୍ଯ୍ୟ ଥିଲା। ତେଣୁ ପ୍ରକାରାନ୍ତରେ କୁସ୍ତି ମହାସଂଘ ପୁନର୍ବାର ବ୍ରିଜଭୂଷଣଙ୍କ ଅକ୍ତିଆରକୁ ଚାଲି ଆସିଥିଲା, ଯେଉଁ କାରଣରୁ ନିର୍ବାଚନର ଫଳାଫଳ ଘୋଷିତ ‌େହବା ପରେ ବ୍ରିଜଭୂଷଣ ହିଁ ଫୁଲମାଳ ଭିତରେ ପୋତି ହୋଇ ଯାଇଥିଲେ ଏବଂ ବିଜୟ ଉଲ୍ଲାସରେ ତାଙ୍କ ମୁଖ ନିସୃତ ବାଣୀ ଥିଲା ‘ଦବ୍‌ଦବା ଥା, ଦବ୍‌ଦବା ରହେଗା’, ଅର୍ଥାତ୍‌ ‘ପତିଆରା ଥିଲା, ପତିଆରା ରହିବ।’ ଏଭଳି ଘଟଣାକ୍ରମରେ ବ୍ରିଜଭୂଷଣଙ୍କ ପ୍ରଭାବରୁ କୁସ୍ତି ମହାସଂଘକୁ ମୁକ୍ତ ରଖିବାର ଆଶା ମଉଳି ଯାଇଥିଲା ଏବଂ ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁସାରେ କୁସ୍ତି ମହାସଂଘରେ ଜଣେ ମହିଳା ଅଧ୍ୟକ୍ଷଙ୍କ ନିଯୁକ୍ତି ଲାଗି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରତିଶ୍ରୁତି ଅଗତ୍ୟା ଅପୂର୍ଣ୍ଣ ରହିଯାଇଛି। ସେହି ଦୃଷ୍ଟିରୁ ଏହି ନିର୍ବାଚନକୁ ସାମୟିକ କାଳ ଲାଗି ହେଲେ ମଧ୍ୟ ସ୍ଥଗିତ ରଖାଯିବାକୁ ଅଭିନନ୍ଦନୀୟ ବୋଲି କୁହାଯାଇପାରେ।
ପ୍ରକାଶ ଥାଉ କି ଗଲା ଜାନୁଆରି ମାସ ୧୮ ତାରିଖରେ ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆଙ୍କ ଭଳି ଅଲିଂପିକ୍‌ସ ତଥା ଅନ୍ତର୍ଜାତୀୟ ସ୍ତରୀୟ ପଦକ ବିଜେତା ମଲ୍ଲଯୋଦ୍ଧାମାନଙ୍କ ନେତୃତ୍ବରେ ‘ଭାରତୀୟ କୁସ୍ତି ମହାସଂଘ’ର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମହିଳା କୁସ୍ତି ଖେଳାଳିଙ୍କ ଯୌନ ନିପୀଡ଼ନର ଅଭିଯୋଗ ଅଣାଯିବା ସହିତ ଏକ ଦୀର୍ଘ ସଂଘର୍ଷର ସୂତ୍ରପାତ ଘଟିଥିଲା। ତା’ ପରେ ଏ ସଂପର୍କିତ ଘଟନାର ଘନଘଟା ମଧ୍ୟରେ ଯାହା ଦେଖିବାକୁ ମିଳିଥିଲା, ତାହା ହେଲା ବିଖ୍ୟାତ ମହିଳା ମୁଷ୍ଟିଯୋଦ୍ଧା ମେରି କମ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ, ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଏଫ୍‌.ଆଇ.ଆର୍. ଦାଖଲ, ଦିଲ୍ଲୀ ପୁଲିସ ଦ୍ବାରା ଚାର୍ଜସିଟ୍‌ ପ୍ରଦାନ, ଅଧ୍ୟକ୍ଷ ପଦରୁ ବ୍ରିଜଭୂଷଣ ସିଂହଙ୍କ ଇସ୍ତଫା, କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଗ୍ରହରେ ପ୍ରତିବାଦକାରୀମାନଙ୍କ ସହିତ ଆଲୋଚନା ଏବଂ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ତଦାରଖରେ ମହାସଂଘର ନୂତନ ଅଧ୍ୟକ୍ଷଙ୍କ ନିର୍ବାଚନ। ସୁତରାଂ, ଏତେ ସବୁ ସତ୍ତ୍ବେ ଏଭଳି ପଦକ୍ଷେପ ନେଇଥିବା ସାକ୍ଷୀ ଓ ବଜରଙ୍ଗଙ୍କୁ ଭାରତୀୟ ‘ନ୍ୟୁଜ ଚ୍ୟାନେଲ’ଗୁଡ଼ିକ ଦ୍ବାରା ତୁଚ୍ଛା ନାକଟବାଜ, କ୍ଷମତା ଲୋଭୀ, ଅହେତୁକ ଉପଦ୍ରବକାରୀ, ରାଜନୈତିକ ଅଭିସନ୍ଧିଭରା ବୋଲି ଆକ୍ଷେପ କରାଯାଇଥିଲା। କେବଳ ସେତିକି ନୁହେଁ, ପ୍ରତିବାଦକୁ ନେଇ ସଡ଼କକୁ ଓହ୍ଲାଇବା ଭଳି ଆଭିମୁଖ୍ୟକୁ ‘ଭାରତୀୟ ଅଲିଂପିକ୍‌ସ ଆସୋସିଏସନ’ର ମୁଖ୍ୟ ତଥା ପ୍ରସିଦ୍ଧ ଧାବିକା ପି.ଟି. ଉଷାଙ୍କ ନାପସନ୍ଦ ତଥା ପ୍ରତିବାଦ ପଛରେ ଅନ୍ୟାନ୍ୟ ଭାରତୀୟ ଖେଳାଳି ଦୃଶ୍ୟମାନ ନ ହେବା ମଧ୍ୟ ଉପରୋକ୍ତ ଧାରଣାକୁ ଅଧିକ ଦୃଢ଼ତା ମଧ୍ୟ ପ୍ରଦାନ କରିଥିଲା। ଏହା ସହିତ ପ୍ରତିବାଦକାରୀମାନେ କଂଗ୍ରେସ ଏଜେଣ୍ଟ ରୂପେ ମଧ୍ୟ ପରିଭାଷିତ ହୋଇଥିଲେ।
କିନ୍ତୁ, ଯେଉଁମାନେ ଏହି ବିବାଦ ରୂପକ ମୁଦ୍ରାର ଅପର ପାର୍ଶ୍ବ ଉପରେ ଦୃଷ୍ଟି ନିକ୍ଷେପ କରିଥିଲେ ସେମାନେ ଦେଖିବାକୁ ପାଇଥିଲେ କିଭଳି ଯୌନ ନିପୀଡ଼ନ ଭଳି ସାଂଘାତିକ ଅଭିଯୋଗରେ ବ୍ରିଜଭୂଷଣଙ୍କ ବିରୋଧରେ ବିଧିବଦ୍ଧ ‘ଏଫ.ଆଇ.ଆର.’ଟିଏ ଦାଖଲ କରାଯିବା ଲାଗି ଦୀର୍ଘ ତିନି ମାସ ସମୟ ଏବଂ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଭର୍ତ୍ସନାର ଆବଶ୍ୟକତା ପଡ଼ିଥିଲା; କିଭଳି ଜଣେ ଅପ୍ରାପ୍ତ ବୟସ୍କା ମହିଳା କୁସ୍ତିବାଜ ଦ୍ବାରା ଆଗତ ଯୌନ ଉତ୍ପୀଡ଼ନର ବଳିଷ୍ଠ ଅଭିଯୋଗ ରହସ୍ୟମୟ ଭାବେ ଅଭିଯୋଗକାରିଣୀଙ୍କ ଦ୍ବାରା ଅନ୍ତିମ କ୍ଷଣରେ ପ୍ରତ୍ୟାହୃତ ହୋଇଯାଇଥିଲ, ନଚେତ୍‌ ‘‌େପାକ୍‌ସୋ’ ମାମଲା ଅନ୍ତର୍ଭୁକ୍ତ ହୋଇ ତାହା ବ୍ରିଜଭୂଷଣଙ୍କ ସକାଶେ ଘୋର ବିପଦ ସୃଷ୍ଟି କରିଥାଆନ୍ତା; ଯୌନ ଉତ୍ପୀଡ଼ନ ଭଳି ଅପରାଧ ପରିପ୍ରେକ୍ଷୀରେ ବ୍ରିଜଭୂଷଣଙ୍କ ଗିରଫଦାରିର ଦୃଢ଼ ଦାବି ଏବଂ ପୁଲିସ ଦ୍ବାରା ବଳିଷ୍ଠ ଚାର୍ଜସିଟ୍‌ ଦାଖଲ ସତ୍ତ୍ବେ କିଭଳି ତାଙ୍କୁ ଗିରଫ କରାଯାଇ ପାରିନାହିଁ; ଏବଂ ପରିଶେଷରେ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ବ୍ରିଜଭୂଷଣଙ୍କ ସର୍ବାଧିକ ଅନ୍ତରଙ୍ଗ ସଂଞ୍ଜୟ ସିଂହ କିଭଳି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।
ଗଲା ୨୨ ତାରିଖରେ ସାକ୍ଷୀ ମଲ୍ଲିକଙ୍କ ଅବସର ଘୋଷଣା ଏବଂ ବିଭିନ୍ନ ନ୍ୟୁଜ ଚ୍ୟାନେଲରେ ତାଙ୍କ ଖେଦଭରା ଓ ଲୋତକାର୍ଦ୍ର ସାକ୍ଷାତକାରରୁ ଅନୁଭବ କରି ହୋଇଥିଲା ଯେ ସେ କିଭଳି ସଂପୂର୍ଣ୍ଣ ବିଧ୍ବସ୍ତ। ଲେଖକ ଜନ ଲାଇଲିଙ୍କ ଲିଖିତ ତଥା ବହୁଳ ଭାବେ ପ୍ରଚଳିତ ବାକ୍ୟଟି କହିଥାଏ ଯେ ‘ଏଭ୍ରିଥିଙ୍ଗ ଇଜ ଫେୟାର ଇନ୍ ଳଭ ଏଣ୍ଡ ୱାର୍‌’ ଯାହାର ମର୍ମାର୍ଥ ହେଲା ପ୍ରେମ ଏବଂ ଯୁଦ୍ଧରେ ନୀତି-ଅନୀତି ନିର୍ବିଶେଷରେ ସବୁ ମାର୍ଗ ଯୁକ୍ତିଯୁକ୍ତ। କିନ୍ତୁ ବାସ୍ତବତାଟି ହେଲା ମଲ୍ଲ ‘ଯୁଦ୍ଧ’ ହେଉଛି ଏଭଳି ଏକ ଅତ୍ୟନ୍ତ ଶୃଙ୍ଖଳାବଦ୍ଧ କ୍ରୀଡ଼ା ସ୍ପର୍ଦ୍ଧା, ଯହିଁରେ କାଣିଚାଏ ନିୟମ ବିଚ୍ୟୁତି ପ୍ରଶ୍ରୟ ପାଇ ନ ଥାଏ। ଏହି କାରଣରୁ ଏଭଳି କ୍ରୀଡ଼ା ସ୍ପର୍ଦ୍ଧାରେ ସଫଳ ହେବା ଲାଗି ଶୋଣିତକୁ ଅକାତରେ ସ୍ବେଦାରେ ପରିଣତ କରିବା ଛଡ଼ା ଗତ୍ୟନ୍ତର ନ ଥାଏ। ସେହି ଦୃଷ୍ଟିରୁ ମଲ୍ଲଯୁଦ୍ଧର ତାରକାମାନେ ଅନେକ ସମୟରେ ଜୀବନ ଯୁଦ୍ଧରେ ହାରି ଯାଇପାରନ୍ତି, କାରଣ ଏଭଳି ସଂଘର୍ଷରେ ଜିଣିବା ଲାଗି ମଧ୍ୟ ସେମାନେ କୌଣସି ନିୟମ ବହିର୍ଭୂତ ମାର୍ଗ ଅବଲମ୍ବନ କରିବାକୁ ପଶ୍ଚାତ୍‌ପଦ ହୋଇପାରନ୍ତି। ସେହି କାରଣରୁ ଅଧ୍ୟକ୍ଷ ନିର୍ବାଚନ ଫଳ ପ୍ରକାଶିତ ହେବା ପରେ ଅବସର ଘୋଷଣା କରିଥିବା ସାକ୍ଷୀ ମଲ୍ଲିକଙ୍କ ହତାଶାଭରା ଦୀର୍ଘଶ୍ବାସରୁ ତାଙ୍କ ଅସହାୟତାକୁ ହୃଦ୍‌ବୋଧ କରି ହେଉଥିଲା ଏବଂ ସେହି ମୁହୂର୍ତ୍ତରେ ବିଶ୍ବ ପ୍ରସିଦ୍ଧ ଆମେରିକୀୟ ଲେଖକ ଅର୍ନେଷ୍ଟ ହେମିଂୱେଙ୍କ ଲିଖିତ କ୍ଷୁଦ୍ର ଗଳ୍ପ ‘ଦ କିଲର୍ସ’ (ଘାତକ) ମଧ୍ୟ ସ୍ମରଣକୁ ଆସିଥିଲା। ସେହି ଗଳ୍ପରେ ଦେଖିବାକୁ ମିଳିଛି ଓଲେ ଆଣ୍ଡରସନ ନାମକ ଜଣେ ଚାଂପିଅନ ମଲ୍ଲଯୋଦ୍ଧାଙ୍କୁ ହତ୍ୟା କରିବା ଲାଗି ଦୁଇ ଜଣ ଘାତକ ଏକ ରେସ୍ତୋରାଁରେ ଜଗି ବସି ଅଗତ୍ୟା ନିରାଶ ହୋଇ ଫେରି ଯାଇଛନ୍ତି, କାରଣ ସେଠାକୁ ଓଲେ ଆଣ୍ଡରସନ ଆସିବାର ଥିଲେ ମଧ୍ୟ କୌଣସି କାରଣରୁ ସେ ଦିନ ଆସନ୍ତି ନାହିଁ। ଆତତାୟୀମାନଙ୍କ ପ୍ରସ୍ଥାନ ପରେ ଓଲେ ଆଣ୍ଡରସନ ରହୁଥିବା ହୋଟେଲ କକ୍ଷରେ ତାଙ୍କୁ ଏ ସଂପର୍କିତ ଖବର ପହଞ୍ଚାଇ ଦିଆଯାଏ। କିନ୍ତୁ ସେଇ ସମୟରେ ଖଟରେ ଶାୟିତ ଓଲେ ଆଣ୍ଡରସନ ଅତ୍ୟନ୍ତ ନିସ୍ପୃହତାର ସହିତ କଡ଼ ଲେଉଟାଇ ଯାହା କହନ୍ତି, ତାହା ହେଲା; ‘କିଛି ଲାଭ ନାହିଁ, ତାହା ହିଁ ଘଟିବ।’ ଓଲେ ଆଣ୍ଡରସନଙ୍କ ଅସହାୟତା ସାକ୍ଷୀ ମଲ୍ଲିକଙ୍କ ଭଳି ଚାଂପିଅନ ଖେଳାଳିଙ୍କ ଠାରେ ହୁଏତ ସେହି ଦିନ ଦିଶିଥିଲା; ହୁଏତ ସେ ଧରି ନେଇଥିବେ ଯେ ମଲ୍ଲଯୁଦ୍ଧରେ ପ୍ରତିପକ୍ଷଙ୍କୁ ପରାସ୍ତ କରି ବିଜୟୀ ହେବା ସହଜ ସିନା, ଜୀବନ ଯୁଦ୍ଧର ଅଭିସନ୍ଧି ଓ ଷଡ୍‌ଯନ୍ତ୍ରର ଚକ୍ରବ୍ୟୂହକୁ ଭେଦ କରିବା ଆୟତ୍ତ ବାହାରେ! କିନ୍ତୁ ସେ ଦୃଶ୍ୟପଟ ଅଗତ୍ୟା ବଦଳିଛି। ସାକ୍ଷୀ ବି ଅନୁଭବ କରୁଥିବେ ଯେ ତଥାପି ଆଶା ଜୀବିତ! ସେ ଏହା ମଧ୍ୟ ଅନୁଭବ କରିଥିବେ ଯେ ସେ ଲଢ଼ିଥିବା ଅନେକ ମଲ୍ଲ ଯୁଦ୍ଧ ଭଳି ଜୀବନ ଯୁଦ୍ଧରେ ମଧ୍ୟ ପରାଜୟର ଦ୍ବାରଦେଶରେ ସହସା ବିଜୟର କ୍ଷୀଣ ଆଲୋକ ରେଖା ଦିଶିଯାଇପାରେ।