ଯେଉଁ ପରୀକ୍ଷାରେ ମାତ୍ର ୨ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ରହିଛି ସେଥିରେ ଅଧିକାଂଶ ଆଶାୟୀ ବିଫଳ ହେବା ଅନିବାର୍ଯ୍ୟ। ତେଣୁ ଶିକ୍ଷକମାନଙ୍କ ଦାୟିତ୍ବ ହେଲା ଆରମ୍ଭରୁ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ମନରେ ସ୍ବାସ୍ଥ୍ୟପ୍ରଦ ଆଭିମୁଖ୍ୟ ପ୍ରବେଶ କରାଇବା। ଏଭଳି ପରୀକ୍ଷା ଯେ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଏବଂ ଏଥିପାଇଁ ଖୁବ୍ ଅଧିକ ପରିଶ୍ରମ କରିବାକୁ ପଡ଼ିବ, ତାହା ଜଣାଇଦେବା ସହିତ ଏହାକୁ ଏକ ଆହ୍ବାନମୂଳକ ଖେଳ ଭଳି ଦେଖିବାର ଦୃଷ୍ଟିଭଙ୍ଗୀ ପିଲାଙ୍କ ମନରେ ବଦ୍ଧମୂଳ ହେବା ଉଚିତ। ଏହି ଖେଳରେ ଜିଣିଲେ ଖୁସି, ନହେଲେ ବି ଜୀବନ ତୁମ ପାଇଁ ଅନେକ ସମ୍ଭବନା ରଖିଛି ବୋଲି ସେମାନଙ୍କୁ ଭରସା ଦେବା ଶିକ୍ଷକମାନଙ୍କ ଦାୟିତ୍ବ।

Advertisment

ପ୍ରତି ବର୍ଷ ଗ୍ରୀଷ୍ମ କାଳରେ ପ୍ରାୟ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ଦେଶର ସୀମିତ ସଂଖ୍ୟକ ସମ୍ମାନଜନକ ସରକାରୀ ଡାକ୍ତରୀ ଓ ଇଂଜିନିଅରିଂ ଶିକ୍ଷାନୁଷ୍ଠାନର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଲକ୍ଷ୍ୟ ନେଇ ରାଜସ୍ଥାନର କୋଟା ସହରରେ ପଦାର୍ପଣ କରନ୍ତି। କିଛି ପିଲାଙ୍କ ଲାଗି ଏହି ଉତ୍ତପ୍ତ ସହର ଯେଉଁ ସଂଘର୍ଷମୟ ଓ ମାନସିକ ଚାପରେ ପରିପୂର୍ଣ୍ଣ ପରିବେଶ ସୃଷ୍ଟି କରେ ତାହା ଏକ ନିରନ୍ଧ୍ର ପ୍ରେସର୍‌ କୁକର୍‌ ସହିତ ତୁଳନୀୟ। ଏକ ନିରନ୍ଧ୍ର ପ୍ରେସର୍‌ କୁକର୍‌ ଆମ ରୋଷେଇଶାଳାର ପ୍ରେସର୍‌ କୁକର୍‌ ଠାରୁ ଭିନ୍ନ, କାରଣ ସେଥିରେ ଉତ୍ତପ୍ତ ବାଷ୍ପ ନିଷ୍କାସନ ଲାଗି ହ୍ବିସିଲ୍‌ଯୁକ୍ତ ଭାଲ୍‌ଭ ନ ଥାଏ କି କୌଣସି କାରଣରୁ ହ୍ବିସିଲ୍‌ ଭାଲ୍‌ଭ ଖୋଲି ନ ପାରିଲେ ଜରୁରୀକାଳୀନ ସ୍ଥିତିରେ ବାଷ୍ପ ନିଷ୍କାସନ ପାଇଁ ଅନ୍ୟ ଏକ ଭାଲ୍‌ଭ ନ ଥାଏ। ପଦାର୍ଥ ବିଜ୍ଞାନ ଛାତ୍ରମାନଙ୍କ ସମେତ ପ୍ରେସର୍‌ କୁକର୍‌ ସାହାଯ୍ୟରେ ରୋଷେଇ କରିବାର ଅଭିଜ୍ଞତା ଥିବା ଲୋକମାନେ ଜାଣନ୍ତି ଯେ ଏଭଳି ନିରନ୍ଧ୍ର ପ୍ରେସର୍‌ କୁକର୍‌ରେ ବିସ୍ଫୋରଣ ହେବା ଅବଶ୍ୟମ୍ଭାବୀ।
ଗତ ଅଗଷ୍ଟ ୨୭ ତାରିଖରେ କୋଟାର ରାଜୀବ ଗାନ୍ଧୀ ନଗରରେ ୨୫,୦୦୦ ଛାତ୍ରଛାତ୍ରୀ ଏକ ବିଚାଟ ପଡ଼ିଆରେ ଏକତ୍ରିତ ହୋଇଥିଲେ। ସେମାନଙ୍କ ମନୋରଂଜନ ଲାଗି ସେଠାରେ ଏକ ସଂଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା, କିଛି ଘଣ୍ଟା ପାଇଁ ହେଉ ପଛେ ସେମାନେ ନିଜ ପାଠ୍ୟପୁସ୍ତକ ଓ ଚିରାଚରିତ ଧରାବନ୍ଧା ଜୀବନରୁ ବାହାରିଯାଇ ଜୀବନକୁ ଉପଭୋଗ କରିବାର ଅନୁଭବକୁ ସ୍ମରଣ କରିପାରିବେ। କିନ୍ତୁ ୨୫,୦୦୦ ଜଣଙ୍କ ଭିଡ଼ରେ ଯେଉଁ ଦୁଇଜଣ ଛାତ୍ର ଅନୁପସ୍ଥିତ ଥିଲେ ସେମାେନ ଥିଲେ ମହାରାଷ୍ଟ୍ରର ୧୭ ବର୍ଷୀୟ ଆବିଷ୍କାର ଶମ୍ଭାଜୀ କାଳସେ ଓ ବିହାରର ୧୮ ବର୍ଷୀୟ ଆଦର୍ଶ ରାଜ। ଆବିଷ୍କାର ଏକ ପରୀକ୍ଷା ଦେଇ ସାରିବାର କିଛି ମିନିଟ୍‌ ପରେ ଦିନ ପ୍ରାୟ ୩ଟା ବେଳେ ନିଜର କୋଚିଂ ସେଣ୍ଟର୍‌ର ଷଷ୍ଠ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ ଏବଂ ସନ୍ଧ୍ୟା ୭ଟାରେ ଆଦର୍ଶ ନିଜ ଭଡ଼ା ଘରର ଝରକା ବାହାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏମାନଙ୍କ ଅକାଳ ମୃତ୍ୟୁ କୋଟାର ପୁଲିସ୍‌ ରେକର୍ଡରେ ଏ ବର୍ଷର ୨୨ ଓ ୨୩ତମ ଛାତ୍ର ଆତ୍ମହତ୍ୟା ମାମଲା ଭାବେ ପଞ୍ଜୀକୃତ ହୋଇ ରହିଗଲା, ଯେଉଁ ତାଲିକାର ନାମ ସଂଖ୍ୟା ଏ ଭିତରେ ୨୬କୁ ବୃଦ୍ଧି ପାଇସାରିଲାଣି। ୨୦୨୩ ମସିହାର ନଅ ମାସର ପରିସଂଖ୍ୟାନ କୋଟାର ତିନି ଦଶକର ରେକର୍ଡ ଭାଙ୍ଗିଦେଇଛି।
ଏହି ଦୁଇଟି ଘଟଣା ଦର୍ଶାଉଛି ଯେ ପଙ୍ଖାରେ ଫାଶୀ-ରୋଧକ ସ୍ପ୍ରିଙ୍ଗ ଲଗାଇବା ଏ ଉଦ୍‌ବେଗଜନକ ସମସ୍ୟାକୁ ଦୂର କରିପାରିନାହିଁ, ଯାହା ଅନେକ ବୁଦ୍ଧିଜୀବୀ ଆଗରୁ ପୂର୍ବାନୁମାନ କରିଥିଲେ। ଛାତ୍ରଙ୍କ ଆତ୍ମହତ୍ୟାପ୍ରବଣତା ପଛର କାରଣଗୁଡ଼ିକୁ ଦୂର ନ କରି ଆତ୍ମହତ୍ୟାର ଅସଂଖ୍ୟ ବାଟରୁ ଗୋଟିଏକୁ ବନ୍ଦ କରିଦେଇ ଏହି ସମସ୍ୟା ଦୂର ହୋଇଗଲା ବୋଲି ଆଶା କରିବା ମାନସିକ ସ୍ବାସ୍ଥ୍ୟ ପ୍ରତି ଆମର ସାମାଜିକ ବୁଝାମଣା କେଉଁ ନିମ୍ନ ସ୍ତରର ତାହା ସୂଚାଇଥାଏ।
ପୂର୍ବରୁ ଆଲୋଚିତ ନିରନ୍ଧ୍ର ପ୍ରେସର୍ କୁକର୍‌ର ଡିଜାଇନ୍‌କୁ କୋଟା ପରିପ୍ରେକ୍ଷୀରେ ଉପଯୋଗୀ ତଥା ବିପଦମୁକ୍ତ କରିବାକୁ ଉଦ୍ୟମ କରାଯାଉ। ଯଦି ଆମେ କୋଟାର କୋଚିଂ ସେଣ୍ଟର୍‌ଗୁଡ଼ିକୁ ଗୋଟିଏ ଗୋଟିଏ ପ୍ରେସର୍‌ କୁକର୍‌ ବୋଲି ବିଚାର କରିବା, ସେଠାରେ ପଢୁଥିବା ପିଲାମାନେ ତାହାର ଉତ୍ତାପ ଓ ଚାପ ଗ୍ରହଣ କରି ପରିପକ୍ବ ଅବସ୍ଥାରେ ଈପ୍‌ସିତ ରାଙ୍କ୍‌ ନେଇ ବାହାରକୁ ବାହାରିବା ହେଉଛି ଏକ ଆଦର୍ଶ ଅବସ୍ଥା। କିନ୍ତୁ କୋଟାର ତୀବ୍ର ପ୍ରତିଯୋଗିତାମୂଳକ ପରିବେଶ ସାଙ୍ଗକୁ ନିଃସଙ୍ଗତା ସେହି ପ୍ରେସର୍‌ କୁକର୍‌ର ଚାପ ସହନ ସୀମାକୁ ଅତିକ୍ରମ କରିଯାଇଥାଏ।
କୋଭିଡ୍‌ ପରବର୍ତ୍ତୀ କାଳରେ କୋଟାରେ ଆତ୍ମହତ୍ୟା କରୁଥିବା ଛାତ୍ରଙ୍କ ଆଚରଣରେ ପରିବର୍ତ୍ତନ ହୋଇଥିବା ବିଶେଷଜ୍ଞମାନେ ପ୍ରକାଶ କରିଥା’ନ୍ତି। ପୂର୍ବରୁ ପିଲାମାନେ କୋଟା ଆସିବାର ଅନ୍ତତଃ ୬-୮ ମାସ ପରେ ଆତ୍ମହତ୍ୟା କରୁଥିଲେ, କିନ୍ତୁ ବର୍ତ୍ତମାନ ପିଲାମାନେ କୋଟା ଆସିବାର ଅଳ୍ପ କେଇ ଦିନ ଓ ସପ୍ତାହ ପରେ ଆତ୍ମହତ୍ୟା କରୁଥିବାର ଦେଖାଯାଉଛି। ଏଥିପାଇଁ କୋଭିଡ୍‌ ସମୟରେ ପିଲାମାନେ ଦୀର୍ଘ ସମୟ ଘରେ ରହିବାର ବାଧ୍ୟବାଧକତା ତଥା ଘନିଷ୍ଠ ବନ୍ଧୁତା ଗଢ଼ିବାର ଅସାମର୍ଥ୍ୟକୁ ଦାୟୀ କରାଯାଉଛି। ତେଣୁ ଏହି ଚାପ କୌଣସି ଛାତ୍ରର ସହନସୀମା ଲଂଘନ କଲେ ଅଭିଭାବକ ତୁରନ୍ତ ସେମାନଙ୍କୁ ଏହି ପ୍ରେସର୍‌ କୁକର୍‌ ପରିସ୍ଥିତିରୁ ନିଷ୍କ୍ରାନ୍ତ କରିନେବା ଅତ୍ୟାବଶ୍ୟକ। କିନ୍ତୁ ଦେଖାଯାଏ ଯେ ଅନେକ ଅଭିଭାବକ ନିଜେ କ୍ରମାଗତ ଭାବେ ଏହି ଚାପ ବଢ଼ାଇଚାଲନ୍ତି। ପିଲାମାନେ ଉଦ୍ୟମ ଜାରି ରଖିବାକୁ ଅନିଚ୍ଛା ପ୍ରକାଶ କଲେ ପିତାମାତା ସେମାନଙ୍କୁ ଦୁର୍ବଳ ଓ ଅଳସୁଆ ବୋଲି କହିବାକୁ ପଛାଇନଥାନ୍ତି। ଡାକ୍ତର ବା ଇଂଜିନିଅର୍‌ ସନ୍ତାନର ପିତାମାତା ହେବାର ସ୍ବପ୍ନଭଙ୍ଗର ଭୟ ସେମାନଙ୍କୁ ପିଲାଙ୍କ ମାନସିକ ଅବସ୍ଥାକୁ ଅଣଦେଖା କରି ଅଧିକ ଚାପ ପକାଇବା ପାଇଁ ପ୍ରରୋଚିତ କରିଥାଏ। ଏହା ଛାତ୍ର ମନରେ ଅସହାୟତା ବୃଦ୍ଧି କରିବା ସ୍ବାଭାବିକ। ଏଭଳି ସ୍ଥଳେ ଶିକ୍ଷକ ଓ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅତିରିକ୍ତ ଚାପ ନିଷ୍କାସନରେ ହ୍ବିସିଲ୍‌ଯୁକ୍ତ ଭାଲ୍‌ଭର ଭୂମିକା ନିର୍ବାହ କରିପାରିବେ। ଯେଉଁ ପରୀକ୍ଷାରେ ମାତ୍ର ୨ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ରହିଛି ସେଥିରେ ଅଧିକାଂଶ ଆଶାୟୀ ବିଫଳ ହେବା ଅନିବାର୍ଯ୍ୟ। ତେଣୁ ଶିକ୍ଷକମାନଙ୍କ ଦାୟିତ୍ବ ହେଲା ଆରମ୍ଭରୁ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ମନରେ ସ୍ବାସ୍ଥ୍ୟପ୍ରଦ ଆଭିମୁଖ୍ୟ ପ୍ରବେଶ କରାଇବା। ଏଭଳି ପରୀକ୍ଷା ଯେ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଏବଂ ଏଥିପାଇଁ ଖୁବ୍ ଅଧିକ ପରିଶ୍ରମ କରିବାକୁ ପଡ଼ିବ, ତାହା ଜଣାଇଦେବା ସହିତ ଏହାକୁ ଏକ ଆହ୍ବାନମୂଳକ ଖେଳ ଭଳି ଦେଖିବାର ଦୃଷ୍ଟିଭଙ୍ଗୀ ପିଲାଙ୍କ ମନରେ ବଦ୍ଧମୂଳ ହେବା ଉଚିତ। ଏହି ଖେଳରେ ଜିଣିଲେ ଖୁସି, ନହେଲେ ବି ଜୀବନ ତୁମ ପାଇଁ ଅନେକ ସମ୍ଭବନା ରଖିଛି ବୋଲି ସେମାନଙ୍କୁ ଭରସା ଦେବା ଶିକ୍ଷକମାନଙ୍କ ଦାୟିତ୍ବ। ଅବସାଦ, ଉଦ୍‌ବେଗ, ମାନସିକ ଚାପ ଆଦି ମାନସିକ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ପିଲାଙ୍କୁ ଚିକିତ୍ସା ଓ ଥେରାପି ଦେବା ଲାଗି କୋଚିଂ ସେଣ୍ଟର୍‌ଗୁଡ଼ିକ ମାନସିକ ରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତ କରିବା ଉଚିତ।
ଉକ୍ତ ପ୍ରେସର୍‌ କୁକର୍‌ର ଆଉ ସବୁ ବ୍ୟବସ୍ଥା ଅକାମୀ ହୋଇଗଲେ ବି ଆମ ସମାଜ ଜରୁରୀକାଳୀନ ଚାପ ନିଷ୍କାସନ ଭାଲ୍‌ଭର ଭୂମିକା ନିର୍ବାହ କରିପାରିବ। ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ସମାଜ ଆଦର୍ଶ ଜୀବିକା ଓ ବିଫଳତା ନେଇ ଯେଉଁ ଦୃଷ୍ଟିଭଙ୍ଗୀ ପୋଷଣ କରେ ତାହା ପ୍ରାୟ ସମସ୍ତଙ୍କ ଜୀବନର ନିଷ୍ପତ୍ତିକୁ ପ୍ରଭାବିତ କରିଥାଏ। ନୀତିନିର୍ଦ୍ଧାରକ, ନିଯୁକ୍ତିଦାତା ଏବଂ ଛାତ୍ରଛାତ୍ରୀମାନେ ନିଜେ ଏହାର ଗୋଟିଏ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ନୀତି ନିର୍ଦ୍ଧାରକମାନେ ଆତ୍ମସମୀକ୍ଷା କରିବା ଦରକାର ଯେ ଦେଶରେ କାହିଁକି ହାତଗଣତି ସରକାରୀ ଶିକ୍ଷାନୁଷ୍ଠାନ ଅଛି ଯେଉଁଠାରେ ପଢ଼ିବାକୁ ଲକ୍ଷ ଲକ୍ଷ ଛାତ୍ର ପ୍ରାଣପଣେ ଉଦ୍ୟମ କରୁଛନ୍ତି? ଶିକ୍ଷାନୁଷ୍ଠାନ ସଂଖ୍ୟାରେ ବୃଦ୍ଧି ଏହି ପ୍ରତିଯୋଗିତାର ଚାପକୁ ହ୍ରାସ କରିପାରିବ। ନିଯୁକ୍ତିଦାତାମାନେ ଅବିଚାରିତ ଭାବେ ଦେଶର ଶୀର୍ଷସ୍ଥାନୀୟ ଅନୁଷ୍ଠାନରୁ ବାହାରୁଥିବା ଇଂଜିନିଅର୍‌ମାନଙ୍କୁ ସେଲ୍‌ସ, ମ୍ୟାନେଜ୍‌ମେଣ୍ଟ ଆଦି କ୍ଷେତ୍ରରେ ନିଯୁକ୍ତି ଦେବା ଅଭ୍ୟାସ ପରିତ୍ୟାଗ କରି ଅପେକ୍ଷାକୃତ କମ୍ ପ୍ରତିଷ୍ଠିତ କଲେଜର ପ୍ରତିଭାସମ୍ପନ୍ନ ଛାତ୍ରମାନଙ୍କୁ ଚାକିରି ଦେବା ମଧ୍ୟ ଆବଶ୍ୟକ। ଶେଷରେ ଛାତ୍ରଟିଏ ଏ କଥାକୁ ହୃଦୟଙ୍ଗମ କରିବା ଉଚିତ ଯେ ଜୀବନ ବେଳେବେଳେ ପ୍ରତିକୂଳ ହୋଇଥାଏ। ଯାବତୀୟ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ କିଛି ସମସ୍ୟା ସହ ବ୍ୟକ୍ତିକୁ ଏକାକୀ ଲଢ଼ିବାକୁ ପଡ଼େ। ଗୋଟିଏ ପରୀକ୍ଷାର ବିଫଳତା ଜୀବନର ଏକ କ୍ଷୁଦ୍ର ଅଂଶ, ଯାହା ଆଗକୁ ଅନେକ ବିଫଳତାର ସମ୍ମୁଖୀନ ହେବା ପାଇଁ ଜଣକୁ ପ୍ରସ୍ତୁତ କରିଥାଏ। ଏହା ଭିନ୍ନ ଡାକ୍ତର ବା ଇଂଜିନିଅର୍ ହେବା ଛଡ଼ା ଶତାଧିକ ସମ୍ମାନଜନକ ତଥା ଅଧିକ ଦରମାଯୁକ୍ତ ଜୀବିକା ମଧ୍ୟ ଏ ଦୁନିଆରେ ଅଛି।
ଇତିମଧ୍ୟରେ ଏ ନିରନ୍ଧ୍ର ପ୍ରେସର୍‌ କୁକର୍‌କୁ ସୁରକ୍ଷିତ କରିବା ପାଇଁ ରାଜସ୍ଥାନ ସରକାର ଏକ ନଅ ପୃଷ୍ଠାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଆଶା କରାଯାଉ ଏହି ନିର୍ଦ୍ଦେଶାବଳୀ କୋଟାକୁ ଆତ୍ମହତ୍ୟାର ସହର ଅପନିନ୍ଦାରୁ ମୁକ୍ତି ଦେବାରେ ସମର୍ଥ ହେବ।