ଅନେକ ବର୍ଷ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ତ୍‌ର ଟେଲିଭିଜନର ବିଜ୍ଞାପନରେ ଯେଉଁ ‘ଟ୍ୟାଗ ଲାଇନ୍‌’ ବ୍ୟବହାର କରାଯାଇଥିଲା ଏବ˚ ଯାହା ଅତ୍ୟନ୍ତ ଲୋକପ୍ରିୟ ମଧୢ ହୋଇଥିଲା, ତାହା ହେଉଛି: ‘ନେବର‌୍‌ସ ଏନ୍‌ଭି, ଓନର‌୍‌ସ ପ୍ରାଇଡ୍‌’, ଯାହାର ଓଡ଼ିଆ ଭାଷାନ୍ତର ହେବ ‘ପଡ଼ୋଶୀର ଈର୍ଷା ଏବ˚ ମାଲିକର ଗର୍ବ ବା ଗୌରବ’। ତହିଁରେ ପ୍ରଦତ୍ତ ସନ୍ଦେଶଟି ଥିଲା ଏୟା ଯେ ସେହି ବ୍ରାଣ୍ତ୍‌ର ଟେଲିଭିଜନର ଗ୍ରାହକ ତାଙ୍କ ପଡ଼ୋଶୀଙ୍କ ଠାରେ ଈର୍ଷା ସୃଷ୍ଟି କରିବେ। କହିବା ଅନାବଶ୍ୟକ ଯେ ଦୁଇ ପଡ଼ୋଶୀଙ୍କ ମଧୢରେ ପ୍ରାୟତଃ ପରିଦୃଷ୍ଟ ହେଉଥିବା ଈର୍ଷା ବା ଅସହିଷ୍ଣୁତା ବା ପ୍ରତିଦ୍ବନ୍ଦ୍ବିତାମୂଳକ ମନୋଭାବକୁ ଚତୁର ସୂକ୍ଷ୍ମତା ସହିତ ବ୍ୟବହାର କରାଯାଇ ଉପରୋକ୍ତ ବିଜ୍ଞାପନରେ ଟେଲିଭିଜନ ବିକ୍ରିର ଉଦ୍ୟମ କରାଯାଇଥିଲା, ଯେଉଁ ମନୋଭାବ ଦୁଇ ପଡ଼ୋଶୀକୁ ଏକ ‘ହାଇଫେନ୍‌’ (-) ଚିହ୍ନ ଭଳି ସ˚ଯୁକ୍ତ (ନକାରାତ୍ମକ ହେଲେ ସୁଦ୍ଧା) କରି ରଖିଥାଏ! କିନ୍ତୁ କେବଳ ବୈୟକ୍ତିକ ସ୍ତରରେ ନୁହେଁ, ରାଷ୍ଟ୍ର ସ୍ତରରେ ମଧୢ ଏଭଳି ସ˚ଯୁକ୍ତି ପରିଲକ୍ଷିତ ହୋଇଥାଏ, ଯାହାର ନିକଟତମ ଓ ସର୍ବାଧିକ ପ୍ରା˚ଜଳ ଦୃଷ୍ଟାନ୍ତ ହେଉଛନ୍ତି ଭାରତ ଏବ˚ ପାକିସ୍ତାନ। କିନ୍ତୁ ସ˚ପ୍ରତି ଏହି ସ˚ପର୍କ ଏଭଳି ଏକ ମୋଡ଼ରେ ଅବତୀର୍ଣ୍ଣ, ଯେଉଁଠି ଭାରତ ଅଗତ୍ୟା ପାକିସ୍ତାନ ଠାରୁ ନିଜକୁ ‘ହାଇଫେନ୍‌ ମୁକ୍ତ’ କରି ପାରିଛି, ଯାହାକୁ ପାକିସ୍ତାନର ପୂର୍ବତନ ସାମରିକ ପଦାଧିକାରୀ, ଜନ-ବିଦ୍ବାନ, ସାମ୍ବାଦିକ-ସ˚ପାଦକ ଏବ˚ ଗବେଷକମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସ୍ବୀକାର ମଧୢ କଲେଣି। ଏହି ପରିପ୍ରେକ୍ଷୀରେ ‘ୟୁ.ଏ.ଇ’ର ଶାସକ ଖଲିଫା ବିନ ଜାୟେଦ ଅଲ ନାୟହାନଙ୍କ ମଧୢସ୍ଥତାରେ ଭାରତ ସହିତ ଏକ ଆଲୋଚନା ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଆଗ୍ରହ ବିଶେଷ ପ୍ରଣିଧାନଯୋଗ୍ୟ, ଯେଉଁ ବିଷୟ ଏକ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

Advertisment

ଏହି ପରିପ୍ରେକ୍ଷୀରେ ନିକଟରେ ପାକିସ୍ତାନର ପ୍ରତିଷ୍ଠିତ ଇ˚ରେଜୀ ଦୈନିକ ‘ଦ ଏକ୍‌ସପ୍ରେସ ଟ୍ରିବ୍ୟୁନ୍‌’ରେ ପ୍ରକାଶିତ ପାକିସ୍ତାନର ପୂର୍ବତନ ଏୟାର ଭାଇସ ମାର୍ଶାଲ ଶେହଜାଦ ଚୌଧୁରୀଙ୍କ ଏକ ଆଲେଖ୍ୟ କହିଥାଏ ଯେ ପାକିସ୍ତାନକୁ ବହୁ ପଛରେ ପକାଇ ସ˚ପ୍ରତି ଭାରତ ଅତୁଳନୀୟ ଅଗ୍ରଗତି ହାସଲ କରି ପାକିସ୍ତାନ ଠାରୁ ‘ହାଇଫେନ୍‌ ମୁକ୍ତ’ ହେବାର ସ୍ଥିତିରେ ଉପନୀତ ହୋଇଛି। ତାଙ୍କ ମତ ହେଲା ବିଶ୍ବ ସମୁଦାୟ ସମକ୍ଷରେ ଭାରତ ନିଜକୁ ନିର୍ଭୀକ ଭାବେ ଏବ˚ ଅତ୍ୟନ୍ତ ଚତୁରତା ଓ ଦର୍ପର ସହିତ ପ୍ରତିଷ୍ଠା କରିପାରିଛି, ଯେଉଁଠି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ପୃଷ୍ଠଭୂମିରେ ରୁଷିଆ ଉପରେ ଜାରି ଅନ୍ତର୍ରାଷ୍ଟ୍ରୀୟ ବାସନ୍ଦ ବ୍ୟବସ୍ଥାକୁ ଆପଣା ଦମ୍‌ ଏବ˚ ଯୁକ୍ତିଶୀଳତା ବଳରେ ଚ୍ୟାଲେ˚ଜ୍‌ କରିବାରେ (ଭାରତ) ସଫଳ ହୋଇଛି; ଏବ˚ ତା’ ସତ୍ତ୍ବେ ଏକ କୌତୂହଳପୁର୍ଣ୍ଣ ଦୃଶ୍ୟପଟରେ ପରସ୍ପର ସହିତ ଶତ୍ରୁତାପୂର୍ଣ୍ଣ ମନୋଭାବ ବହନ କରିଥିବା ଦୁଇ ରାଷ୍ଟ୍ର ରୁଷିଆ ଏବ˚ ଯୁକ୍ତରାଷ୍ଟ୍ର ଆମେରିକାକୁ ନିଜ ସହଯୋଗୀ ରୂପେ ବଜାୟ ରଖିବାରେ ସଫଳ ମଧ୍ୟ ହୋଇଛି। ଦ୍ବିତୀୟରେ ପଞ୍ଚମ ବୃହତ୍ତମ ଅର୍ଥ-ଶକ୍ତି ଏବ˚ ତିନି ଟ୍ରିଲିଅନ ଡଲାରର ବୃହଦାକାୟ ଅର୍ଥନୀତିରେ ପରିଣତ ହୋଇଥିବା ଭାରତ ଆଉ ପର ନିର୍ଭରଶୀଳ ହୋଇ ରହିନାହିଁ, ଯାହାର ବିଦେଶୀ ମୁଦ୍ରା ଭଣ୍ତାରର ପରିମାଣ ପ୍ରାୟ ୬୦୦ ବିଲିଅନ ଡଲାର ହୋଇଥିବା ବେଳେ ପାକିସ୍ତାନର ବିଦେଶୀ ମୁଦ୍ର ଭଣ୍ତାରରେ ଗଚ୍ଛିତ ରହିଛି ମାତ୍ର ୪.୫ ବିଲିଅନ ଡଲାର, ଯାହା ଚରମ ଆର୍ଥିକ ଦୁରବସ୍ଥାର ନିଦର୍ଶନ। ତୃତୀୟରେ ଚୀନର ଭାରତ ସହିତ ଶତ୍ରୁତା ପାକିସ୍ତାନକୁ ଅଶେଷ ଆଶ୍ବସ୍ତିି ପ୍ରଦାନ କରୁଥିଲେ ହେଁ ଯେଉଁ ବାସ୍ତବତା ପ୍ରତି ସମ୍ଭବତଃ ସେ ଦେଶର ଦୃଷ୍ଟି ପଡ଼ିନାହିଁ, ତାହା ହେଲା ଶତ୍ରୁତା ସତ୍ତ୍ବେ ଭାରତ ଏବ˚ ଚୀନ ମଧୢରେ ବାଣିଜ୍ୟରେ ଅଭିବୃଦ୍ଧି, ଯାହା ୧୩୫ ବିଲିଅନ ଡଲାରରେ ପହଞ୍ଚି ଏକ ରେକର୍ଡ ସୃଷ୍ଟି କରିଛି, ଯହିଁରେ ଚୀନ ଦ୍ବାରା ରପ୍ତାନିର ଆକାର ହେଉଛି ପ୍ରାୟ ୧୦୦ ବିଲିଅନ ଡଲାର, ଅର୍ଥାତ୍‌ ଚୀନ ସକାଶେ ଭାରତ ଏଭଳି ଏକ ବିଶାଳ ବଜାରରେ ପରିଣତ ହୋଇଛି, ଯାହାକୁ ଆ˚ଶିକ ଭାବେ ମଧୢ ହରାଇବାକୁ ଚୀନ ଚାହିଁବ ନାହିଁ। ଏହି ପରିପ୍ରେକ୍ଷୀରେ ନିଜର ସାମରିକ ଅନ୍ତର୍ଦୃଷ୍ଟିର ପରିଚୟ ଦେଇ ଶେହଜାଦ ଚୌଧୁରୀ ଲେଖିଛନ୍ତି ଯେ ନିକଟରେ ଚୀନ ଏବ˚ ଭାରତୀୟ ସୈନ୍ୟଙ୍କ ମଧୢରେ ସ˚ଘଟିତ ସ˚ଘର୍ଷରେ ଲାଠି ଭଳି ଅସ୍ତ୍ରରେ ବ୍ୟବହାର ସୂଚାଇ ଦେଇଥାଏ ଯେ ଏ ଦୁଇ ଦେଶଙ୍କ ମଧ୍ୟରୁ କେହି ହେଲେ ଯୁଦ୍ଧର ମାତ୍ରାକୁ ବୃଦ୍ଧି କରିବାକୁ ଇଚ୍ଛୁକ ନୁହନ୍ତି। ଚତୁର୍ଥରେ ସାମରିକ ଶକ୍ତି ଦୃଷ୍ଟିରୁ ସ˚ପ୍ରତି ତୃତୀୟ ସ୍ଥାନରେ ଥିବା ଭାରତ ଦ୍ରୁତ ଆଧୁନିକୀକରଣ ଜରିଆରେ ଅଧିକ ସମର୍ଥ ହୋଇଛି। ପଞ୍ଚମରେ କୃଷି ଏବ˚ ସୂଚନା ପ୍ରଯୁକ୍ତିରେ ମଧ୍ୟ ଭାରତ ଏକ ନେତୃସ୍ଥାନୀୟ ରାଷ୍ଟ୍ର ରୂପେ ଉଭା ହୋଇଛି। ଷଷ୍ଠରେ ପାକିସ୍ତାନର ମିତ୍ର ଓ ପୃଷ୍ଠପୋଷକ ହୋଇଥିବା ସତ୍ତ୍ବେ ଆରବ ରାଷ୍ଟ୍ରଗୁଡ଼ିକ ଭାରତରେ ତୁଳନାତ୍ମକ ଭାବେ ଅନେକ ଗୁଣ ଅଧିକ ପୁ˚ଜି ନିବେଶ କରିଛନ୍ତି ଏବ˚ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ନିରବ ରହି ଭାରତର ପକ୍ଷକୁ ଦୃଢ଼ କରିଛନ୍ତି। ସୁତରା˚, ତାଙ୍କ ଭାଷାରେ ଭାରତ-ପାକିସ୍ତାନ ସ˚ଦର୍ଭରେ ପାକିସ୍ତାନ ବସ୍ତୁତଃ ଏକ କ୍ଷୁଦ୍ର ପାଦଟୀକାରେ ପରିଣତ ହୋଇ ସାରିଲାଣି!

ଏଥିରେ ଦ୍ବିରୁକ୍ତି ନାହିଁ ଯେ ପାକିସ୍ତାନ ସୃଷ୍ଟି ହେବା ପର ଠାରୁ ତା’ର ଅଗ୍ରାଧିକାର ତାଲିକାରେ କାଶ୍ମୀର କୈନ୍ଦ୍ରିକ ଭାରତ ବିରୋଧୀ ଷଡ୍‌ଯନ୍ତ୍ର, ମୌଳବାଦ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଓ ପୋଷଣ, ସେହି କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଅତ୍ୟନ୍ତ ବନ୍ଧୁଭାବାପନ୍ନ ରାଷ୍ଟ୍ର ଠାରୁ ଦୂରତା ବୃଦ୍ଧ ଏବ˚ ବିଶ୍ବ ସମୁଦାୟ ସମକ୍ଷରେ ଏକ ଅପବାଦିତ ରାଷ୍ଟ୍ର ଭାବେ ପରିଚିତି ପାକିସ୍ତାନକୁ ଏକ ଅତ୍ୟନ୍ତ ହତାଶାଜନକ ସ୍ଥିତିରେ ଛିଡ଼ା କରାଇଛି। ଉଲ୍ଲେଖଯୋଗ୍ୟ ଯେ ‘ଦ ଏକ୍‌ସପ୍ରେସ ଟ୍ରିବ୍ୟୁନ୍‌’ରେ ଉପରୋକ୍ତ ଆଲେଖ୍ୟ ପ୍ରକାଶିତ ହେବା ପରେ ପରେ ୟୁ.ଏ.ଇ. ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ପକ୍ଷରୁ ଭାରତ ସହିତ ଆଲୋଚନା ଲାଗି ଆଗ୍ରହ ପ୍ରକାଶ ପାଇଛି, ଯେଉଁଥିରେ ମଧୢସ୍ଥତା ଲାଗି ସେ ୟୁ.ଏ.ଇ.ର ଶାସକ ଜାୟେଦ ଅଲ ନାୟହାନଙ୍କୁ ଅନୁରୋଧ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହି କ୍ରମରେ ଆନୁଷ୍ଠାନିକ ଭାବେ ପ୍ରଦତ୍ତ ଉଭୟ ରାଷ୍ଟ୍ରର ମିଳିତ ବାର୍ତ୍ତାରେ ମଧ୍ୟ ଏ ସ˚ପର୍କରେ ସ୍ପଷ୍ଟ କରାଯାଇଛି। ଏଠାରେ ପ୍ରକାଶ ଥାଉ କି ଶେହଜାଦ ଚୌଧୁରୀ ତାଙ୍କ ଆଲେଖ୍ୟରେ ପ୍ରଦାନ କରିଥିବା ପରାମର୍ଶଟି ମଧୢ ଭାରତ ସହିତ ଏକ ଉତ୍ତମ ସ˚ପର୍କ ସୃଷ୍ଟି ଦିଗରେ ପାକିସ୍ତାନ ଉଦ୍ୟମଶୀଳ ହେବା ଉପରେ ବିଶେଷ ଗୁରୁତ୍ବ ପ୍ରଦାନ କରିଥିଲା। ତେବେ, ଏକ ବିଡ଼ମ୍ବନା ସ୍ବରୂପ ଏହା ମଧୢ ଦେଖିବାକୁ ମିଳିଛି ଯେ ଏଭଳି ଘୋଷଣା ପରେ ଏକ ଟେଲିଭିଜନ ସାକ୍ଷାତକାର ସମୟରେ ଶହବାଜ ସରିଫ ଏଭଳି କଥାବାର୍ତ୍ତା ବେଳେ ‘କାଶ୍ମୀର’ ପ୍ରସଙ୍ଗ ଉପରେ ଆଲୋଚନାର ସର୍ତ୍ତ ରଖିଛନ୍ତି, ଯାହାର ଉଲ୍ଲେଖ ପାକିସ୍ତାନ ଏବ˚ ୟୁ.ଏ.ଇ. ଦ୍ବାରା ଜାରି ମିଳିତ ବାର୍ତ୍ତାରେ ନ ଥିଲା। ସୁତରା˚, ଏଥିରୁ ସ୍ପଷ୍ଟ ହୋଇଥାଏ ଯେ ଦୀର୍ଘ ସାତ ଦଶନ୍ଧି ଧରି ପାକିସ୍ତାନ ଦ୍ବାରା ଲାଳିତପାଳିତ ‘କାଶ୍ମୀର ଅଭିସନ୍ଧି’ ଏକ ବେତାଳ ତୁଲ୍ୟ ସେ ଦେଶର କାନ୍ଧ ଉପରେ ବିରାଜମାନ, ଯହିଁରୁ ମୁକ୍ତ ରହି ଭାରତ ସହିତ ଏକ ଆଲୋଚନା ଯେ କୌଣସି ରାଜନୈତିକ କଳ ଲାଗି ଆତ୍ମଘାତୀ ସାବ୍ୟସ୍ତ ହେବ। ସୁତରା˚, ଏକ ଚରମ ଆର୍ଥକ ଦୁଃସ୍ଥିତି, ଆଫଗାନିସ୍ତାନ ଏବ˚ ପାକିସ୍ତାନର ତାଲିବାନ ସ˚ଗଠନ ଦ୍ବାରା ଯଥାକ୍ରମେ ଦେଶ ବାହାରେ ଓ ଅଭ୍ୟନ୍ତରରେ ଆତଙ୍କବାଦୀ ଉପଦ୍ରବ ଏବ˚ ସା˚ଘାତକ ରାଜନୈତିକ ଅସ୍ଥିରତା ସତ୍ତ୍ବେ ଭାରତ ସହିତ ଏକ ନିଃସର୍ତ୍ତ ଆଲୋଚନା ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହସ ଜୁଟାଇ ପାରି ନାହାନ୍ତି, ଯାହା ଏକ ଦୁର୍ଭାଗ୍ୟ। କାରଣ ସ˚ପ୍ରତି ନିଜକୁ ‘ହାଇଫେନ୍‌ ମୁକ୍ତ’ କରି ସାରିଥିବା ଭାରତ ସକାଶେ ଏଭଳି ଏକ ଆଲୋଚନାର ବିଶେଷ କୌଣସି ଆବଶ୍ୟକତା ନାହିଁ। ଦାୟ ପାକିସ୍ତାନର।

ଏଭଳି ଆଲୋଚନା ପରିପ୍ରେକ୍ଷୀରେ ସ୍ମରଣକୁ ଆସିଥାଏ କିଭଳି ସ୍ବାଧୀନତା ଲାଭ କରିବା ପରେ ଭାରତ ପ୍ରତି ପାକିସ୍ତାନର ଈର୍ଷା ଓ ଅସହିଷ୍ଣୁତା ଏକ ତୀବ୍ର ଉଚ୍ଚତା ଲାଭ କରିଥିଲା। ତାହାର ଏକ ଦୃଷ୍ଟାନ୍ତ ମିଳିଥିଲା ୧୯୫୮ ଟୋକିଓ ଏସୀୟ କ୍ରୀଡ଼ାର ୨୦୦ ମିଟର ଦୌଡ଼ ସ୍ପର୍ଦ୍ଧାରେ କି˚ବଦନ୍ତୀୟ ଭାରତୀୟ ଧାବକ ମିଲଖା ସି˚ହ ପାକିସ୍ତାନର ତାରକା ଅବଦୁଲ ଖାଲିକଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ। ଏହାକୁ ସହ୍ୟ କରି ନ ପାରି ତତ୍କାଳୀନ ପାକିସ୍ତାନ ରାଷ୍ଟ୍ରପତି ଜେନେରାଲ ଆୟୁବ ଖାଁ ମିଲଖା ସି˚ହଙ୍କୁ ପୁନର୍ବାର ଖାଲିକଙ୍କୁ ପରାସ୍ତ କରିବାକୁ ଆହ୍ବାନ ଦେଇ ଲାହୋର ଆମନ୍ତ୍ରଣ କରିଥିଲେ, ଯହିଁରେ ମଧ୍ୟ ମିଲଖା ସି˚ହ ବିଜୟୀ ହୋଇଥିଲେ। ପ୍ରତିଦ୍ବନ୍ଦ୍ବିତା ପରେ ନିଜର ଅସ୍ବସ୍ତିକୁ ଯଥାସମ୍ଭବ ଗୋପନ ରଖି ସାମରିକ ଶାସକ ଜେନେରାଲ ଆୟୁବ ଖାଁ ମିଲଖାଙ୍କୁ କହିବା ଶୁଣାଯାଇଥିଲା ଯେ ‘ୟୁ କେମ୍‌ ଟୁ ପାକିସ୍ତାନ, ବଟ୍‌ ୟୁ ଡିଡ୍‌ ନଟ୍‌ ରନ୍‌, ୟୁ ଜଷ୍ଟ୍‌ ଫ୍ଲିଉ’ ଅର୍ଥାତ ‘ତୁମେ ପାକିସ୍ତାନ ଆସିଲ, କିନ୍ତୁ ତୁମେ ଦୌଡ଼ିଲ ନାହିଁ, ତୁମେ ସିଧା ଉଡ଼ିଗଲ।’ ତା’ ପର ଠାରୁ ମିଲଖା ସି˚ହ ‘ଦ ଫ୍ଲାଇ˚ ଶିଖ୍‌’ ବା ‘ଉଡ଼ନ୍ତା ଶିଖ’ର ବିଶେଷଣ ଲାଭ କରିଥିଲେ। ଆଜି ତା’ର ଛଅ ଦଶକ ପରେ ଆଉ ଜଣେ ପାକିସ୍ତାନୀ ସାମରିକ ପଦାଧିକାରୀ ତାଙ୍କ ଆଲେଖ୍ୟରେ ଯାହା କହିଛନ୍ତି ତାହା ମଧୢ ଇଙ୍ଗିତ କରୁଛି ଯେ ପାକିସ୍ତାନକୁ କାହିଁ କେତେ ପଛରେ ଛାଡ଼ି ଯାଇଥିବା ଭାରତ ପ୍ରତିଦ୍ବନ୍ଦ୍ବିତାରେ ଦୌଡ଼ି ନାହିଁ, ଉଡ଼ି ଯାଇଛି। ସୁତରା˚, ଭାରତ ମଧୢ ଏକ ‘ଫ୍ଲାଇ˚ ନେସନ୍‌’ରେ ପରିଣତ ହୋଇଛି!