କେହି ଭୁଲିଯିବା ଉଚିତ ନୁହେଁ ଯେ ଯୋଶୀମଠ ବା ହିମାଳୟ ପାର୍ବତ୍ୟାଞ୍ଚଳରେ ଗଢ଼ି ଉଠିଥିବା ଅନ୍ୟାନ୍ୟ ବସତିମାନ ପ୍ରକୃତରେ ହିମାଳୟ କ୍ରୋଡ଼ରେ ‘ଆଶ୍ରିତ’। ‘ଆଶ୍ରିତ’ ମାନେ ଅହ˚କାରୀ ହୋଇ ଉଠିବା ହେଉଛି ଏକ ହିମାଳୟ ତୁଲ୍ୟ ତ୍ରୁଟି, ଯେଉଁଥି ଲାଗି ଅବଲୀଳା କ୍ରମେ ମୂଲ୍ୟ ଦେବାକୁ ପଡୁଛି।

Advertisment

ଭାରତର ଅନ୍ୟାନ୍ୟ ଅଞ୍ଚଳ କଥା ଦୂରେ ଥାଉ, ଉତ୍ତରାଖଣ୍ତର ନାଗରିକମାନେ ମହେଶ ଚନ୍ଦ୍ର ମିଶ୍ର ବା ଏମ୍‌. ସି. ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ସ୍ମରଣରେ ରଖି ନଥିବେ, ଯାହାଙ୍କ ଅଧୢକ୍ଷତାରେ ଗଠିତ ଏକ କମିଟି ଆଜିକୁ ଅଠଚାଳିଶ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୭୬ ମସିହାରେ ପ୍ରଦାନ କରିଥିବା ଏକ ରିପୋର୍ଟରେ ଥିବା ପ୍ରସ୍ତାବଗୁଡ଼ିକୁ ଯଦି ସରକାର କର୍ଣ୍ଣପାତ କରିଥାଆନ୍ତେ, ତେବେ ହୁଏ’ତ ଯୋଶୀମଠ ପ୍ରତ୍ୟକ୍ଷ କରୁଥିବା ବିପର୍ଯ୍ୟୟର ଅବକାଶ ସୃଷ୍ଟି ହୋଇ ନ ଥାଆନ୍ତା। କିନ୍ତୁ, ଏହା ଏକ ଦୁର୍ଭାଗ୍ୟ ଯେ ସ୍ବାଧୀନତୋତ୍ତର ଭାରତରେ ଅଦ୍ୟାବଧି ଗଠିତ ଅସୁମାରି କମିଟିଗୁଡ଼ିକ ଦ୍ବାରା ପ୍ରଦତ୍ତ ପ୍ରସ୍ତାବ ଓ ସୁପାରସ ମଧୢରୁ ଅଧିକା˚ଶ ସରକାରୀ ଅବଜ୍ଞା ଏବ˚ ନଜରଅନ୍ଦାଜର ଶିକାର ହୋଇ ବିସ୍ମୃତ ହୋଇଯାଆନ୍ତି ଏବଂ ଯୋଶୀମଠ ଭଳି କିଛି ଘଟିବା ପରେ ହିଁ କବର ତଳୁ ବାହାରି ଆତ୍ମପ୍ରକାଶ କରନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ କୋଡ଼ିଏ ହଜାର ଜନସ˚ଖ୍ୟା ବିଶିଷ୍ଟ ହିମାଳୟ କ୍ରୋଡ଼ରେ ‘ଆଶ୍ରିତ’ ଏହି କ୍ଷୁଦ୍ର ସହର ସ˚ପ୍ରତି ମାଟି ତଳକୁ ଧସି ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସମୁଦ୍ରପତ୍ତନ ଠାରୁ ପ୍ରାୟ ଛଅ ହଜାର ଫୁଟ ଉଚ୍ଚତାରେ ଓ ହିମାଳୟୀ ଢାଲୁ ଉପରେ ଗଢ଼ି ଉଠିଥିବା ଏହି ସହରଟି ଅନେକ ବର୍ଷ ତଳେ ବିଭିନ୍ନ ସମୟରେ ସ˚ଘଟିତ ହିମବାହ ଏବ˚ ଭୂସ୍ଖଳନ ଜନିତ ଠୁଳୀଭୂତ କର୍ଦ୍ଦମ ଓ ପ୍ରସ୍ତରର ସ୍ତର ଉପରେ ଦଣ୍ତାୟମାନ ବୋଲି ଯଦିଓ ଅର୍ଦ୍ଧ ଶତାବ୍ଦୀ ପୂର୍ବରୁ ମିଶ୍ର କମିଟି ରିପୋର୍ଟ ଜଣାଇ ଦେଇଥିଲା ଏବଂ ସ୍ପଷ୍ଟ ଭାବେ କହିଥିଲା ଯେ ଏହି ଅଞ୍ଚଳର ଭୂପୃଷ୍ଠ ପ୍ରସ୍ତରତୁଲ୍ୟ ପ୍ରତୀୟମାନ ହେଉଥିଲେ ସୁଦ୍ଧା ଏହାର ଅଭ୍ୟନ୍ତର ହାଲୁକା, ନମନୀୟ ଏବ˚ ଅନେକା˚ଶରେ ଫମ୍ପା, ଯେଉଁ କାରଣରୁ ସେ ସବୁ ଅଞ୍ଚଳ ଅତ୍ୟଧିକ ନିର୍ମାଣକୁ ଧାରଣ କରିବାକୁ ଅସମର୍ଥ ହେବ; ଏକ ବିଡ଼ମ୍ବନା ସ୍ବରୂପ ଏହାର ବିପରୀତରେ ଯାଇ ଉଭୟ ସରକାର ଏବ˚ ସ୍ଥାନୀୟ ଅଧିବାସୀ ଅବିରାମ ଭାରୀ ନିର୍ମାଣ କାର୍ଯ୍ୟରେ ଲିପ୍ତ ରହିଥିଲେ। ତେଣୁ, ଏଥିରେ ଅତ୍ୟୁକ୍ତି ନାହିଁ ଯେ ଗଡ଼ଵାଲ ଅଞ୍ଚଳର ତତ୍କାଳୀନ କମିସନର ଏମ୍‌. ସି. ମିଶ୍ରଙ୍କ ରିପୋର୍ଟକୁ ବିସ୍ମୃତିର ଗର୍ଭକୁ ନିକ୍ଷେପ କରାଯାଇଥିବାର ପାଉଣା ଏବେ ଦେବାକୁ ପଡୁଛି।
ଅବଶ୍ୟ ଏହା ଏକ ବାସ୍ତବତା ଯେ ଅଷ୍ଟମ ଶତାବ୍ଦୀରୁ ବିଦ୍ୟମାନ ଥିବା ଯୋଶୀମଠ ବସତି ତା’ର ଦୀର୍ଘକାଳୀନ ଅସ୍ତିତ୍ବ କାରଣରୁ ଏକ ଧାରଣା ସୃଷ୍ଟି କରିଥିବ ଯେ ଏହା ପ୍ରସ୍ତର ସ୍ତରର ଏକ ଦୃଢ଼ ଭିତ୍ତି ଉପରେ ଅବସ୍ଥିତ। କିନ୍ତୁ, କଥା ହେଲା ୪ରୁ ୫ କୋଟି ବର୍ଷ ବୟସ୍କ ହୋଇଥିବା ସତ୍ତ୍ବେ ହିମାଳୟ ପୃଥିବୀର କନିଷ୍ଠତମ ଶିଶୁ ପର୍ବତ ଶୃଙ୍ଖଳା ଭାବେ ପରିଗଣିତ ହୋଇଥାଏ, ଯାହା ଏ ଯାବତ୍‌ ଅତ୍ୟନ୍ତ ଚଳନ ଏବ˚ ସ୍ଖଳନଶୀଳ ହୋଇ ରହିଛି। ସେହି ଦୃଷ୍ଟିରୁ ସ୍ବାଭାବିକ ଭାବେ ମତ ପ୍ରକାଶ ପାଇଥାଏ ଯେ ସମଗ୍ର ହିମାଳୟ ପାର୍ବତ୍ୟାଞ୍ଚଳ ଭାରୀ ନିର୍ମାଣ କାର୍ଯ୍ୟଗୁଡ଼ିକରୁ ମୁକ୍ତ ରହିବା ଉଚିତ। କେବଳ ସେତିକି ନୁହେଁ ଏହି ଅଞ୍ଚଳ ମଧୢ ସର୍ବାଧିକ ଭୂମିକ˚ପ ପ୍ରବଣ ‘ଇ’ ଜୋନ୍‌ ମଧୢରେ ଅନ୍ତର୍ଭୁକ୍ତ; ଏହାର ଠିକ୍‌ ତଳେ ରହିଛି ହିମାଳୟୀ ପ୍ଲେଟ୍‌ ଏବ˚ ତିବ୍ବତୀୟ ପ୍ଲେଟ୍‌ ଭଳି ଦୁଇଟି ‘ଟେକ୍‌ଟୋନିକ୍‌ ପ୍ଲେଟ୍‌’ ମଧୢସ୍ଥ ଏକ ବିଶାଳ ଫାଙ୍କ ବା ତ୍ରୁଟି-ରେଖା। ଏଭଳି ସ୍ଥଳେ ଏହି ପାର୍ବତ୍ୟାଞ୍ଚଳରେ ବୃହଦାକାୟ ପ୍ରକଳ୍ପ, ସଡ଼କ ଏବ˚ ଟନେଲ ଆଦି ଠାରୁ ଆରମ୍ଭ କରି ଘରୋଇ ଭାବେ ଅଟ୍ଟାଳିକା ବା ହୋଟେଲ ପର୍ଯ୍ୟନ୍ତ ନିର୍ମାଣ କରାଯିବା କେତେ ଯୁକ୍ତିଯୁକ୍ତ, ତାହା ଏକ ପ୍ରଶ୍ନ। କିନ୍ତୁ, ଏଣେ ଏଭଳି ପ୍ରଶ୍ନ ମଧ୍ୟ ଉଠେ ଯେ ଏହାର ଅର୍ଥ କ’ଣ ହିମାଳୟ ପାର୍ବତ୍ୟାଞ୍ଚଳରେ ବାସ କରୁଥିବା ଲୋକେ ଚିର ଦିନ ସକାଶେ ବିକାଶର ଆଲୋକ ଦେଖିବାରୁ ବଞ୍ଚିତ ରହନ୍ତେ? ଏହି ଅଞ୍ଚଳର ନାଗରିକମାନେ ରୋଜଗାର ଏବ˚ ବୃତ୍ତି ସକାଶେ ସର୍ବଦା ବହିରାଭିମୁଖୀ ହେବାକୁ ବାଧୢ ହୁଅନ୍ତେ? ଯୋଶୀ ମଠ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଏଭଳି ଦ୍ବନ୍ଦ୍ବାତ୍ମକ ପ୍ରଶ୍ନଗୁଡ଼ିକର ଆବିର୍ଭାବ ଘଟିଛି, ଯାହାର ଉତ୍ତର ପାଇବା କଷ୍ଟକର ଏବଂ ସେଥି ଲାଗି ଅତି ସୂକ୍ଷ୍ମ ବିବେଚନାବୋଧର ଆବଶ୍ୟକତା ରହିଛି। କହିବା ଅନାବଶ୍ୟକ ଯେ ଭୂମିକଂପ ଓ ଭୂ-ସ୍ଖଳନର ପ୍ରବଳ ଆଶଙ୍କା ସତ୍ତ୍ବେ ଏହି ପାର୍ବତ୍ୟାଞ୍ଚଳରେ ଗଢ଼ି ଉଠିଥିବା ସାତଟି ନଦୀ ବନ୍ଧ ଯୋଜନା ପଛର କାରଣଟି ହେଉଛି ହିମାଳୟରୁ ଉତ୍ପନ୍ନ ନଦୀଗୁଡ଼ିକର ପ୍ରଖର ସ୍ରୋତର ଲାଭ ଉଠାଇବା। ପ୍ରକାଶ ଥାଉ କି ଧଉଳିଗଙ୍ଗା ନଦୀ ଉପରେ ତପୋବନ ବିଷ୍ଣୁଗଡ଼ ଏବ˚ ଅଳକାନନ୍ଦା ନଦୀ ଉପରେ ଋଷି ଭ୍ୟାଲି ନଦୀବନ୍ଧ ପ୍ରକଳ୍ପ ଯୋଶୀମଠର ଖୁବ୍‌ ସନ୍ନିକଟ। ସେହି ପରିପ୍ରେକ୍ଷୀରେ ଏକ ମତ ପ୍ରକାଶ ପାଇଥାଏ ଯେ ଏହି ତପୋବନ ବିଷ୍ଣୁଗଡ଼ ପ୍ରକଳ୍ପ ସକାଶେ ଖୋଳା ଯାଉଥିବା ବିଶାଳ ଓ ଦୀର୍ଘ ଟନେଲଗୁଡ଼ିକ କାରଣରୁ ଯୋଶୀମଠ ଏଭଳି ବିପତ୍ତିର ସାମନା କରୁଛି। ସେମିତି ବଦ୍ରୀନାଥ ବା କେଦାରନାଥ ଅଥବା ହେମକୁଣ୍ତ-ସାହେବ ଭଳି ଅତ୍ୟନ୍ତ ପବିତ୍ର ହିନ୍ଦୁ ଓ ଶିଖ ତୀର୍ଥସ୍ଥଳ ସକାଶେ ଏକ ପ୍ରବେଶ ଦ୍ବାର ଭାବେ ଯୋଶୀମଠ ସ˚ପ୍ରତି ପର୍ଯ୍ୟଟକମାନଙ୍କ ସ˚ଖ୍ୟାରେ ମାତ୍ରାଧିକ ବୃଦ୍ଧି ଦେଖୁଥିବାରୁ ଏହା ସ୍ଥାନୀୟ ଅଧିବାସୀଙ୍କ ଲାଗି ଯେଉଁ ନୂତନ ଆୟର ସୁଯୋଗ ସୃଷ୍ଟି କରିଛି, ତାହା ସେଠାରେ ଅନେକ ବଡ଼ ହୋଟେଲ ଏବ˚ ଅଟ୍ଟାଳିକାମାନଙ୍କୁ ଛିଡ଼ା କରାଇଛି। ତା’ ସହିତ ସରକାର ମଧୢ ପର୍ଯ୍ୟଟନ ଭିତ୍ତିଭୂମିରେ ବିକାଶ ସକାଶେ ପ୍ରଶସ୍ତ ସଡ଼କମାନ ନିର୍ମାଣ କରୁଛନ୍ତି, ଯହିଁରେ ପର୍ବତ କାନ୍ଥକୁ ବିସ୍ଫୋରଣ ଦ୍ବାରା ଫଟାଯାଉଛି। ଏଭଳି ସ୍ଥିତିରେ ମିଶ୍ର କମିଟିର ରିପୋର୍ଟ ମନେ ପଡ଼ିଯାଏ, ଯାହା ଦୃଢ଼ ଭାବେ ଏଭଳି ‘ବ୍ଲାଷ୍ଟିଂ’କୁ ବାରଣ କରିଥିଲା। ସେହି ଦୃଷ୍ଟିରୁ କହିହେବ ଯେ ହିମାଳୟ ଏବ˚ ମନୁଷ୍ୟର ମହତ୍ତ୍ବାକାଂକ୍ଷା ମଧ୍ୟରେ ସ˚ଘାତର ପରିଣାମ ହେଉଛି ଯୋଶୀମଠର ବିପର୍ଯ୍ୟୟ।
ଉଲ୍ଲେଖ ଥାଉ କି ଏହି ଅଞ୍ଚଳରେ ଘଟୁଥିବା ଅନେକ ପ୍ରାକୃତିକ ଦୁର୍ଘଟଣାର କାରଣ ମନୁଷ୍ୟକୃତ, ଯାହା ବାରମ୍ବାର ଘଟି ଏଠାରେ ଅନେକ ଜନ ଜୀବନ କ୍ଷୟ କରିଥାଏ। ସରକାରୀ ତଥ୍ୟାନୁସାରେ ଗଲା ୨୦୦୦ରୁ ୨୦୦୯ ମସିହା ମଧୢରେ ଉତ୍ତରାଖଣ୍ତରେ ପ୍ରାୟ ୪୦୦ ଜୀବନ ଯାଇଥିଲା, ଯାହା ପରବର୍ତ୍ତୀ ଦଶକ (୨୦୧୦-୨୦)ରେ ବୃଦ୍ଧି ପାଇ ୧୩୫୦ରେ ପହଞ୍ଚିଥିଲା। ପ୍ରକାଶ ଥାଉ କି କେବଳ ୨୦୨୧ରେ ଏହି ସ˚ଖ୍ୟା ୩୦୦ରୁ ଅଧିକ ହୋଇଛି। ଏହା ମଧୢରେ ତପୋବନ ବିଷ୍ଣୁଗଡ଼ର ଭୀଷଣ ବରଫ ଓ ପଥର ଝଡ଼ ବା ଟନେଲ ଖୋଦନ ସମୟରେ ଭୂତଳ ଜଳଭଣ୍ତାରରେ ଛିଦ୍ର ସୃଷ୍ଟି ଜନିତ ସହସା ଜଳ ପ୍ଳାବନ ଓ ବନ୍ୟା ବା ଋଷି ଭ୍ୟାଲିରେ ଘଟିଥିବା ଭୟାବହ ଭୂସ୍ଖଳନ ଭଳି ବିପର୍ଯ୍ୟୟ ଅନ୍ତର୍ଭୁକ୍ତ। ଏହି ସ˚ଦର୍ଭରେ ଉତ୍ତରାଖଣ୍ତର ବିପର୍ଯ୍ୟୟ ପ୍ରଶମନ ବିଭାଗର ମୁଖ୍ୟ ପୀୟୁଷ ରଉତେଲାଙ୍କ ମତ ବିଶେଷ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ଟନେଲ ଖୋଳା ସମୟରେ ଛିଦ୍ର ବା ଫାଟ ହୋଇ ଭୂତଳ ଜଳଭଣ୍ତାରରୁ ଜଳ ଅପସାରିତ ହୋଇଯିବା ପରବର୍ତ୍ତୀ ସମୟରେ ଭୟାନକ ବିପଦର କାରଣ ହୋଇପାରେ, ଯେମିତି ଘଟିଛି ଇଣ୍ତୋନେସିଆର ରାଜଧାନୀ ଜାକର୍ତ୍ତାରେ। ପ୍ରାୟ ୩ କୋଟି ଜନସ˚ଖ୍ୟା ବିଶିଷ୍ଟ ପୃଥିବୀର ଅନ୍ୟତମ ବିଶାଳତମ ମହାନଗର ଜାକର୍ତ୍ତାର ଗୋଟିଏ ବିଶାଳ ଅ˚ଶ ଗଲା କୋଡ଼ିଏ ବର୍ଷ ମଧୢରେ ପ୍ରାୟ ୧୨ ଫୁଟ ଧସି ଗଲାଣି, ଯାହାର କାରଣ ନାଗରିକଙ୍କ ବ୍ୟବହାର ଲାଗି ଭୂତଳ ଜଳର ଯଥେଚ୍ଛାଚାର ଅପସାରଣ ଦ୍ବାରା ଭୂଗର୍ଭରେ ସୃଷ୍ଟ ଶୂନ୍ୟ ସ୍ଥାନ। ପ୍ରକାଶ ଥାଉ କି ନଦୀ, ନାଳ ଆଦି ଦ୍ବାରା ଭରା ଦ୍ବୀପ ଇଣ୍ତୋନେସିଆ ଭଳି ହିମାଳୟ ପାର୍ବତ୍ୟାଞ୍ଚଳ ମଧୢ ୧୫ଟି ବଡ଼ ନଦୀ, ବରଫ ଏବ˚ ସ୍ଖଳନଶୀଳ ମୃତ୍ତିକା ଦ୍ବାରା ଗଠିତ। ସୁତରା˚, ଭୂତଳ ଜଳ ଶୂନ୍ୟତା ହିମାଳୟ ପାବର୍ତ୍ୟାଞ୍ଚଳରେ ଆହୁରି ଅଧିକ ଗୁରୁତର ମାଟି ଧସିବାର ଆଶଙ୍କା ସୃଷ୍ଟି କରିଥାଏ।
ପ୍ରକାଶ ଥାଉ କି ହିମାଳୟ ଅଞ୍ଚଳରେ ହେଉଥିବା ନିର୍ମାଣ କାର୍ଯ୍ୟ (ଉଭୟ ସରକାରୀ ଏବ˚ ଘରୋଇ)ରେ ଭାରୀ କ˚କ୍ରିଟ୍‌, ମାର୍ବଲ ବା ଗ୍ରାନାଇଟ୍‌ ଏବ˚ ଲୁହା ଆଦିର ବ୍ୟାପକ ବ୍ୟବହାର ହେଉଛି। ଏହା ପ୍ରଗତିଶୀଳ ମନୁଷ୍ୟର ଅହ˚କାରର ଦ୍ୟୋତକ କି? ଅନ୍ତତଃ ପକ୍ଷେ ଏହି ଅଞ୍ଚଳରେ ଗୃହ ଆଦିର ନିର୍ମାଣ କାର୍ଯ୍ୟ ପାର˚ପରିକ ଭାବେ କାଠରେ ହୋଇପାରନ୍ତା, ଯାହା ଏକ ଭୂମିକ˚ପ ବା ଭୂ-ସ୍ଖଳନ ପ୍ରବଣ ଅଞ୍ଚଳରେ ଜନ ଜୀବନ ହାନିକୁ ହ୍ରାସ କରିବା ସହିତ ଭୂପୃଷ୍ଠ ଉପରେ ମନୁଷ୍ୟର ଉପଦ୍ରବକୁ ମଧୢ ହାଲୁକା କରନ୍ତା। ସେଠାରେ ଦେବଦାରୁ କାଠରେ ନିର୍ମିତ ଅନେକ ବିଶାଳ ଓ ଭବ୍ୟ ମନ୍ଦିରମାନ ବିଦ୍ୟମାନ, ଯାହା ମଧୢରେ ଲକ୍ଷଣା ଦେବୀ ମନ୍ଦିରଟି ପ୍ରାୟ ଦେଢ଼ ହଜାର ବର୍ଷ ପ୍ରାଚୀନ ଅଥଚ ସୁଦୃଢ଼ ଭାବେ ଦଣ୍ତାୟମାନ। ଅବଶ୍ୟ ଏହା ଦ୍ବାରା ଜଙ୍ଗଲ କ୍ଷୟର ଆଶଙ୍କା ଅଛି ବୋଲି ଅନେକ ଅଭିଯୋଗ କରିପାରନ୍ତି; କିନ୍ତୁ ସାଧାରଣ ବୁଦ୍ଧି କହିଥାଏ ଯେ ପରିବେଶ ଅନୁକୂଳ କାଷ୍ଠ ନିର୍ମିତ ଘର ସକାଶେ ହେଉଥିବା ଜଙ୍ଗଲ କ୍ଷୟକୁ ପୁନର୍ବାର ବୃକ୍ଷ ରୋପଣ ଦ୍ବାରା ଭରଣା କରାଯାଇପାରେ ଏବ˚ ଏହା ଫଳରେ କ˚କ୍ରିଟ, ମାର୍ବଲ ଓ ଲୁହା ଦ୍ବାରା ସୃଷ୍ଟ ପରିବେଶ ପ୍ରତିକୂଳ ଏବ˚ ଜୀବନ ପ୍ରତି ବିପଜ୍ଜନକ ସ୍ଥିତି ସୃଷ୍ଟି ହୋଇ ନ ଥାଏ। କେହି ଭୁଲିଯିବା ଉଚିତ ନୁହେଁ ଯେ ଯୋଶୀମଠ ବା ହିମାଳୟ ପାର୍ବତ୍ୟାଞ୍ଚଳରେ ଗଢ଼ି ଉଠିଥିବା ଅନ୍ୟାନ୍ୟ ବସତିମାନ ପ୍ରକୃତରେ ହିମାଳୟ କ୍ରୋଡ଼ରେ ‘ଆଶ୍ରିତ’। ‘ଆଶ୍ରିତ’ ମାନେ ଅହ˚କାରୀ ହୋଇ ଉଠିବା ହେଉଛି ଏକ ହିମାଳୟ ତୁଲ୍ୟ ତ୍ରୁଟି, ଯେଉଁଥି ଲାଗି ଅବଲୀଳା କ୍ରମେ ମୂଲ୍ୟ ଦେବାକୁ ପଡୁଛି।