ରାଜନୀତି ଭଳି କୌଣସି ଯୋଗ୍ୟତାର ଆବଶ୍ୟକତା ନ ଥିବା ଏକ ବୃତ୍ତିରେ ସକ୍ରିୟ ଥିବା ଏହି ନେତାମାନେ ସରକାରର ଦକ୍ଷତା ବୃଦ୍ଧି ଓ ଦେଶର ଦ୍ରୁତ ପ୍ରଗତି ପାଇଁ ଆବଶ୍ୟକ ଯୋଗ୍ୟ ବ୍ୟକ୍ତିମାନଙ୍କର ପ୍ରବେଶ ପଥ ରୋଧ କରିବା ଗଣତନ୍ତ୍ରର ଏକ କ୍ରୂର ବିଡ଼ମ୍ବନା ନୁହେଁ ତ ଆଉ କ’ଣ?

Advertisment

ଭାରତ ହେଉଛି ଏକ ଗଣତନ୍ତ୍ର। ଏକ ଗଣତନ୍ତ୍ର ତାହାର ମୌଳିକ ଚରିତ୍ର ଅନୁସାରେ କେବେହେଲେ ଏକ ମେଧାତନ୍ତ୍ର ହୋଇ ନ ଥାଏ। ଏହି ବ୍ୟବସ୍ଥାରେ ନିର୍ବାଚିତ ହେଉଥିବା ଲୋକପ୍ରିୟ ନେତାମାନେ ଦେଶକୁ ନେତୃତ୍ବ ଦେଇଥାନ୍ତି, କିନ୍ତୁ ଦେଶର ଦୈନନ୍ଦିନ ଓ ଦୀର୍ଘକାଳୀନ ପରିଚାଳନା ନିମିତ୍ତ ଯେଉଁ ବିଶେଷ ଦକ୍ଷତାମାନ ଆବଶ୍ୟକ ହୋଇଥାଏ, ଏହି ନିର୍ବାଚିତ ଲୋକପ୍ରତିନିଧିମାନେ ସେ ସମସ୍ତର ଅଧିକାରୀ ହେବାର କୌଣସି ଆବଶ୍ୟକତା ନ ଥାଏ ଓ ସେମାନଙ୍କ ଠାରେ ସେଭଳି ଦକ୍ଷତା ଅନୁପସ୍ଥିତ ଥାଏ। ଏହା ବାଦ୍ ନିର୍ବାଚିତ ନେତାମାନଙ୍କର କାର୍ଯ୍ୟକାଳ ମଧ୍ୟ ଅସ୍ଥାୟୀ ହୋଇଥିବାରୁ ସେମାନେ ତାଲିମ ମାଧ୍ୟମରେ ଆବଶ୍ୟକ ଦକ୍ଷତା ଆହରଣ କରି ଏହି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଶୂନ୍ୟସ୍ଥାନ ପୂରଣ କରିବାର ଅବକାଶ ନ ଥାଏ। ଅଧିକାଂଶ ଗଣତନ୍ତ୍ରରେ ତେଣୁ ଏହି ଦକ୍ଷତା-ଶୂନ୍ୟତା ପୂରଣ କରି ଦେଶକୁ ସ୍ଥିରତା ଓ ସମୃଦ୍ଧି ପଥରେ ଆଗେଇ ନେବା ପାଇଁ ଏକ ସ୍ଥାୟୀ ଅମଲାତନ୍ତ୍ର ସୃଷ୍ଟି କରାଯାଇଥାଏ, ଯାହା ଲୋକପ୍ରିୟତାଭିତ୍ତିକ ନ ହୋଇ ମେଧାଭିତ୍ତିକ ହୋଇଥାଏ।
ଭାରତରେ ମଧ୍ୟ ଏଇଭଳି ଏକ ଅମଲାତନ୍ତ୍ର ଉଭୟ କେନ୍ଦ୍ରସ୍ତରରେ ଓ ରାଜ୍ୟସ୍ତରରେ କାର୍ଯ୍ୟ କରିଥାଏ। ଅବଶ୍ୟ ରାଜନୈତିକ ବାଧ୍ୟବାଧକତା ହେତୁ ଆମ ଦେଶରେ ବଳବତ୍ତର ଥିବା ବ୍ୟାପକ ଆରକ୍ଷଣ ବ୍ୟବସ୍ଥା ଯୋଗୁଁ ଏଠାରେ ଏହି ସ୍ଥାୟୀ ଅମଲାତନ୍ତ୍ର ସଂପୂର୍ଣ୍ଣ ରୂପେ ମେଧାଭିତ୍ତିକ ନ ହୋଇ ଆଂଶିକ ଭାବେ ମେଧାଭିତ୍ତିକ ହୋଇଥାଏ। ଏହାର ଏହି ମିଶ୍ରିତ ଚରିତ୍ର ସତ୍ତ୍ବେ ତଥାପି ଭାରତୀୟ ଅମଲାତନ୍ତ୍ର ଯେ ବିଗତ ପ୍ରାୟ ଆଠ ଦଶନ୍ଧି ଧରି ସ୍ବାଧୀନ ଭାରତକୁ ଏକ ପ୍ରଶଂସନୀୟ ସ୍ଥିରତା ହାସଲ କରି ସମୃଦ୍ଧି ପଥରେ ଆଗେଇ ନେବାରେ ସହାୟକ ହୋଇଛି, ତାହା ଭାରତକୁ ପରିବେଷ୍ଟନ କରିଥିବା ତା’ର ସମସ୍ତ ପଡ଼ୋଶୀ ଦେଶମାନଙ୍କର ତଥା ପୃଥିବୀର ଆହୁରି ଅନେକ ନୂଆକରି ସ୍ବାଧୀନତା ହାସଲ କରିଥିବା ଦେଶମାନଙ୍କର ଅବସ୍ଥା ଦେଖିଲେ, ଚରମ ନୈରାଶ୍ୟବାଦୀମାନେ ମଧ୍ୟ ସ୍ବୀକାର କରିବାକୁ ବାଧ୍ୟ ହୋଇଥାନ୍ତି।
ଇତିମଧ୍ୟରେ କିନ୍ତୁ ବିଜ୍ଞାନ ଓ ପ୍ରବିଧି କ୍ଷେତ୍ରରେ ଘଟିଚାଲିଥିବା ନିରନ୍ତର ଚମକପ୍ରଦ ଅଗ୍ରଗତି ଯୋଗୁଁ ସମାଜ ଓ ଅର୍ଥନୀତି ଏପରି ଅସମ୍ଭବ ଭାବରେ ଜଟିଳ ହୋଇପଡ଼ିଲାଣି ଯେ ଭାରତର ଏହି ନିର୍ଭରଯୋଗ୍ୟ ପ୍ରସିଦ୍ଧ ଅମଲାତନ୍ତ୍ର ଏଥିରେ ଥଳକୂଳ ହରାଇବାର ବାସ୍ତବ ସମ୍ଭାବନା ଦେଖାଦେଲାଣି। ଏହାର କାରଣ ବୁଝିବା କଷ୍ଟକର ନୁହେଁ। ଅମଲାତନ୍ତ୍ରରେ ଯୋଗଦେବା ପାଇଁ ଯେତେବେଳେ ପ୍ରାର୍ଥୀ ଚୟନ କରାଯାଏ, ସେତେବେଳେ ତାହା କୌଣସି ବିଶେଷ ଜ୍ଞାନଭିତ୍ତିକ ନ ହୋଇ ସାଧାରଣ ମେଧାଭିତ୍ତିକ ହୋଇଥାଏ। ଯେତେବେଳେ କୌଣସି କ୍ଷେତ୍ରର ସୁପରିଚାଳନା ନିମିତ୍ତ ସଂପୃକ୍ତ ପରିଚାଳକଙ୍କ ପକ୍ଷରେ ସେ କ୍ଷେତ୍ର ସମ୍ବନ୍ଧରେ ବିଶେଷ ଜ୍ଞାନର ଉପସ୍ଥିତି ଆବଶ୍ୟକ ହୋଇଥାଏ, ସେତେବେଳେ ସୁଦକ୍ଷ ଅମଲାମାନେ ମଧ୍ୟ ଥଳକୂଳ ନ ପାଇ ଅନ୍ଧାରରେ ବାଡ଼ି ବୁଲାଇବାକୁ ବାଧ୍ୟ ହୋଇଥାନ୍ତି।
ଏହି ଦକ୍ଷତା ଅଭାବ ପୂରଣ କରି ଜାତୀୟ ସ୍ବାର୍ଥ ସୁରକ୍ଷା କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନିକଟରେ ଅମଲାତନ୍ତ୍ରର କେତେକ ବରିଷ୍ଠ ପଦ ପାଇଁ ଅମଲାତନ୍ତ୍ର ବାହାରୁ ସୀମିତ ସଂଖ୍ୟକ ବିଶେଷଜ୍ଞମାନଙ୍କୁ ସାମୟିକ ଭାବରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଇ ଅନୁଯାୟୀ ଜ‌ଏଣ୍ଟ୍ ସେକ୍ରେଟାରି ଓ ଡାଇରେକ୍ଟର୍/ଡେପୁଟି ଡାଇରେକ୍ଟର୍ ସ୍ତରୀୟ ୪୫ଟି ପଦରେ ଚୁକ୍ତିଭିତ୍ତିକ ଭାବରେ ତିନି ବର୍ଷ ପାଇଁ ଯୋଗଦେବା ପାଇଁ ଇଚ୍ଛୁକ ଉପଯୁକ୍ତ ପ୍ରାର୍ଥୀମାନଙ୍କ ଠାରୁ ‘ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିସନ୍’ ଦରଖାସ୍ତ ଆହ୍ବାନ କରିଥିଲା। ଆବଶ୍ୟକ ସ୍ଥଳେ ଏହି ନିଯୁକ୍ତି ଅବଧିକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ସେଥିରେ କୁହାଯାଇଥିଲା। ଇତିମଧ୍ୟରେ କିନ୍ତୁ ବିରୋଧୀ ଦଳମାନଙ୍କ ସହିତ ନିଜର ଦୁଇଟି ସହଯୋଗୀ ଦଳ ପକ୍ଷରୁ ଏହା ବିରୋଧରେ ସୃଷ୍ଟ ପ୍ରବଳ ଚାପ ସମ୍ଭାଳି ନ ପାରି ନରେନ୍ଦ୍ର ମୋଦୀ ସରକାର ଏହି ସୁଚିନ୍ତିତ ପଦକ୍ଷେପକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛି। ଏହି ସମାନ୍ତରାଳ ନିଯୁକ୍ତିରେ ମଧ୍ୟ ଆରକ୍ଷଣ ଲାଗୁ ହେଉ ବୋଲି ବିରୋଧୀମାନେ କରୁଥିବା ଦାବି ଯୋଗୁଁ ସରକାରଙ୍କର ଏହି ସାଧୁ ଉଦ୍ୟମ ଭଣ୍ଡୁର ହୋଇଛି। କହିବା ବାହୁଲ୍ୟ, ଯେଉଁ ଉଦ୍ଦେଶ୍ୟ ସାଧନ ପାଇଁ - ମେଧାବୀ ବିଶେଷଜ୍ଞ ଆହରଣ - ଏହି ସମାନ୍ତରାଳ ନିଯୁକ୍ତି ବ୍ୟବସ୍ଥାର ପରିକଳ୍ପନା କରାଯାଇଥିଲା, ଆରକ୍ଷଣ ହେଉଛି ତା’ର ସଂପୂର୍ଣ୍ଣ ପରିପନ୍ଥୀ।
ମାତ୍ର ତିନି ବର୍ଷ ପାଇଁ ସାମାନ୍ୟ ୪୫ଟି ମେଧାଭିତ୍ତିକ ନିଯୁକ୍ତି ପାଇଁ ମଧ୍ୟ ଆରକ୍ଷଣ ଦାବି ଏହା ପଛରେ ନିହିତ ଥିବା ସଂକୀର୍ଣ୍ଣ ରାଜନୀତିକୁ ପଦାରେ ପକାଇଥାଏ। କିନ୍ତୁ ବିରୋଧୀମାନଙ୍କୁ ବୋଧହୁଏ ଜଣାନାହିଁ ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ସମାନ୍ତରାଳ ପଥଦେଇ ୬୩ଟି ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗମାନଙ୍କରେ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୫୭ ଜଣ କର୍ତ୍ତବ୍ୟରତ ଅଛନ୍ତି। ପୁଣି ଏଭଳି ସମାନ୍ତରାଳ ବିଶେଷଜ୍ଞ ନିଯୁକ୍ତିର ଇତିହାସ ଉପରେ ଯଦି ଦୃଷ୍ଟି ନିକ୍ଷେପ କରାଯାଏ, ସେଥିରେ ମଧ୍ୟ ବିରୋଧୀମାନଙ୍କୁ, ବିଶେଷ କରି ବିରୋଧୀମାନଙ୍କର ଅଗ୍ରଣୀ ନେତା ରାହୁଳ ଗାନ୍ଧୀଙ୍କୁ ଅପ୍ରସ୍ତୁତ କରିବା ଭଳି ଯଥେଷ୍ଟ ଉପାଦାନ ରହିଛି।
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ରାହୁଳ ଗାନ୍ଧୀଙ୍କର ପ୍ରପିତାମହ ଜବାହରଲାଲ ନେହରୁ ୧୯୫୯ରେ ଯେଉଁ ‘ଇଣ୍ଡଷ୍ଟ୍ରିଆଲ୍ ମ୍ୟାନେଜ୍‌ମେଣ୍ଟ୍ ପୁଲ୍’ ସ୍ଥାପନ କରିଥିଲେ ସେଥିରେ ସଦସ୍ୟ ଥିବା ଅର୍ଥନୀତିଜ୍ଞ ଆଇଜି ପଟେଲ୍ ଓ ଇଞ୍ଜିନିଅର୍ ଭି କୃଷ୍ଣମୂର୍ତ୍ତି ଥିଲେ ସମାନ୍ତରାଳ ପଥଦେଇ ପ୍ରବେଶ କରିଥିବା ବହିରାଗତ ବିଶେଷଜ୍ଞ। ପରବର୍ତ୍ତୀ ସମୟରେ ପଟେଲ୍ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଗଭର୍ନର ପଦରେ ନିଯୁକ୍ତ ହୋଇଥିବା ବେଳେ କୃଷ୍ଣମୂର୍ତ୍ତି ବିଭିନ୍ନ ଛାମୁଆ ରାଷ୍ଟ୍ରାୟତ୍ତ ଶିଳ୍ପୋଦ୍ୟୋଗମାନଙ୍କର ମୁଖ୍ୟ ରୂପେ ଦାୟିତ୍ବ ନିର୍ବାହ କରିଥିଲେ। ୧୯୭୭ରେ ଜନତା ଦଳ ସରକାର ପ୍ରଥମ ଥର ପାଇଁ ଏଭଳି ବହିରାଗତ ବିଶେଷଜ୍ଞମାନଙ୍କୁ କେନ୍ଦ୍ର ସରକାରରେ ସଚିବ ପଦରେ ଅବସ୍ଥାପିତ କରିଥିଲେ। ବିମଲ୍ ଜାଲାନ୍, ବିଜୟ କେଲ୍‌କାର, ରାକେଶ ମୋହନ ଓ ମଣ୍ଟେକ୍ ସିଂହ ଆଲୁୱାଲିଆଙ୍କ ଭଳି ବିଶେଷଜ୍ଞମାନେ ହିଁ ହେଉଛନ୍ତି ୧୯୮୦ ଦଶକରେ ସରକାରରେ ସାମିଲ ହୋଇଥିବା କେତେକ ପ୍ରମୁଖ ବାହ୍ୟ ବୁଦ୍ଧିଜୀବୀ, ଯେଉଁମାନେ ହେଉଛନ୍ତି ଦେଶରେ ଘଟିଥିବା ବ୍ୟାପକ ଅର୍ଥନୈତିକ ସଂସ୍କାରମାନଙ୍କର ରଚୟିତା।
ଅବଶ୍ୟ ଏହି ଗୋଷ୍ଠୀର ପ୍ରସିଦ୍ଧତମ ସଦସ୍ୟ ହେଉଛନ୍ତି ମନମୋହନ ସିଂହ, ଯିଏ ଏପରି ସବୁ ଉଚ୍ଚ ସରକାରୀ ପଦପଦବି ମଣ୍ଡନ କରିଥିଲେ, ଯେଉଁଥିରୁ ଗୋଟିଏ ବି ହାସଲ କରିବା ଏକ କ୍ୟାରିଅର୍ ଅମଲାଙ୍କ ପାଇଁ ଜୀବନର ସ୍ବପ୍ନ ହୋଇଥାଏ। ରାହୁଳ ଗାନ୍ଧୀଙ୍କ ପରିବାର ସହିତ ତାଙ୍କଠାରୁ ଅଧିକ ଘନିଷ୍ଠ ଆଉ କାହାକୁ କଳ୍ପନା କରାଯାଇ ନ ପାରେ। ସରକାରରେ ଏଭଳି ବିଶେଷଜ୍ଞମାନଙ୍କର ପାର୍ଶ୍ବ ପ୍ରବେଶ ବିରୋଧରେ ସ୍ବର ଉତ୍ତୋଳନ କରିବା ବେଳେ ରାହୁଳ ଗାନ୍ଧୀ ହାସ୍ୟାସ୍ପଦ ଭାବରେ ଏହି ବାଟ ଦେଇ ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ’ (‘ସେବି’)ର ଅଧ୍ୟକ୍ଷା ରୂପେ ଅବସ୍ଥାପିତ ହୋଇଥିବା ମାଧବୀ ପୁରୀ ବୁଚ ବର୍ତ୍ତମାନ ଛନ୍ଦି ହୋଇଥିବା ହିଣ୍ଡେନ୍‌ବର୍ଗ ଅଭିଯୋଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ ଭୁଲି ଯାଉଛନ୍ତି ଯେ ପୂର୍ବରୁ ଏହି ପଦରେ ଥିବା ବିଧିବଦ୍ଧ ଆଇଏଏସ୍ ଅଫିସରମାନେ ମଧ୍ୟ ବିଭିନ୍ନ ବିବାଦର ସମ୍ମୁଖୀନ ହୋଇଆସିଛନ୍ତି।
ରାଜନୀତି ଭଳି କୌଣସି ଯୋଗ୍ୟତାର ଆବଶ୍ୟକତା ନ ଥିବା ଏକ ବୃତ୍ତିରେ ସକ୍ରିୟ ଥିବା ଏହି ନେତାମାନେ ସରକାରର ଦକ୍ଷତା ବୃଦ୍ଧି ଓ ଦେଶର ଦ୍ରୁତ ପ୍ରଗତି ପାଇଁ ଆବଶ୍ୟକ ଯୋଗ୍ୟ ବ୍ୟକ୍ତିମାନଙ୍କର ପ୍ରବେଶ ପଥ ରୋଧ କରିବା ଗଣତନ୍ତ୍ରର ଏକ କ୍ରୂର ବିଡ଼ମ୍ବନା ନୁହେଁ ତ ଆଉ କ’ଣ?