ଏଭଳି ଯୁଦ୍ଧରେ ପାକିସ୍ତାନ ରସାତଳଗାମୀ ହୋଇଗଲେ ସୁଦ୍ଧା ଏହି ଆତଙ୍କବାଦୀ ସଂଗଠନଗୁଡ଼ିକର କୌଣସି ପରୁଆ ନ ଥାଏ। ପାକିସ୍ତାନ ହେଉଛି ପ୍ରାଚୀନ ‘କଥା ସରିତ୍ ସାଗର’ରେ ବର୍ଣ୍ଣିତ ସେହି ଅପରିଣାମଦର୍ଶୀ ରାଜା ଯିଏ ଏକ ନିର୍ବୋଧ ମର୍କଟକୁ ଜଗୁଆଳି ଭାବେ ନିଯୁକ୍ତ କରି ତା’ ହାତରେ ଉନ୍ମୁକ୍ତ ତରବାରିଟିଏ ଧରାଇ ଦେଇ ଶାନ୍ତିରେ ନିଦ୍ରା ଯାଇଥିଲେ। ଏଭଳି ନିର୍ବୋଧତାର ମୂଲ୍ୟ ଭାବେ ମାଙ୍କଡ଼ର ଖଣ୍ଡା ଚୋଟରେ ରାଜାଙ୍କ ପ୍ରାଣ ଚାଲିଯାଇଥିଲା।
ପରିଶେଷରେ ଯାହା ଅବଶ୍ୟମ୍ଭାବୀ ଥିଲା, ତାହା ଘଟିଛି ଏବଂ ଗଲା ମଙ୍ଗଳବାର ନିଶାର୍ଧର ଘଣ୍ଟାଏ ଚଉରାଳିଶ ମିନିଟ୍ ଅତିକ୍ରାନ୍ତ ହେବା ସହିତ ଭାରତୀୟ କ୍ଷେପଣାସ୍ତ୍ର ଆକ୍ରମଣରେ ପାକିସ୍ତାନ ଅଧିକୃତ କାଶ୍ମୀର ତଥା ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଥିବା ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରମାନ ଧ୍ବଂସସ୍ତୂପରେ ପରିଣତ ହୋଇଛନ୍ତି। କହିବା ବାହୁଲ୍ୟ, ଏହି ଆକ୍ରମଣକୁ ଅତ୍ୟନ୍ତ ସୂକ୍ଷ୍ମତାର ସହିତ ପରିଚାଳନା କରାଯାଇଛି, ଯହିଁରେ ଜନସାଧାରଣଙ୍କ ଜୀବନ ଯେମିତି କ୍ଷତିଗ୍ରସ୍ତ ନ ହୁଏ, ତାହା ଉପରେ ପ୍ରମୁଖ ଗୁରୁତ୍ବ ପ୍ରଦାନ କରାଯାଇଛି। ଜଣାପଡ଼ିଛି ଯେ ଆତଙ୍କବାଦୀ ମାସୁଦ ଆଜହାରର ଆତଙ୍କବାଦୀ ପ୍ରଶିକ୍ଷଣ ସ୍ଥଳ ମୁଖ୍ୟ ନିଶାଣରେ ଥିଲା। ଏହାର ଜବାବରେ ନିୟନ୍ତ୍ରଣ ରେଖା ଠାରେ ପାକିସ୍ତାନ ପକ୍ଷରୁ ଗୋଳା ବର୍ଷଣର ତୀବ୍ରତା ବୃଦ୍ଧି ପାଇଛି, ଯହିଁରୁ ଅନୁମାନ କରି ହୋଇଥାଏ ଯେ ଯୁଦ୍ଧର ଘନଘଟା ହୁଏତ ଅଧିକ ଉତ୍କଟ ହେବ। ତେବେ, ଏଭଳି ଏକ ଅତ୍ୟନ୍ତ ସ୍ପର୍ଶକାତର ସ୍ଥିତିରେ ଯେଉଁ ସନ୍ଦେଶ ଓ ସଂକେତମାନ ମିଳିଥାଏ, ତାହା ପ୍ରଣିଧାନେଯାଗ୍ୟ ଏବଂ ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ।
ଭାରତର ଏହି ଆକ୍ରମଣର ନାମକରଣ ‘ଅପରେସନ ସିନ୍ଦୂର’ ହେବା ପଛରେ ଅନ୍ତର୍ନିହିତ ଭାବାବେଗ ଏହି ନାମକୁ ଅଧିକ ଅର୍ଥମୟ କରିଥାଏ। ଭାରତୀୟ ସଂସ୍କୃତିରେ ‘ସିନ୍ଦୂର’ ହେଉଛି ବିବାହିତ ମହିଳାଙ୍କ ସୌଭାଗ୍ୟର ଚିହ୍ନ, ଯାହାର ଔଜ୍ଜ୍ବଲ୍ୟ ସେ ଦିନ ପହଲଗାମର ଆତଙ୍କବାଦୀଙ୍କ ଆକ୍ରମଣରେ ମଳିନ ପଡ଼ି ଯାଇଥିଲା। ସମସ୍ତଙ୍କ ସ୍ମରଣରେ ଥିବ ଯେ ଆତଙ୍କବାଦୀମାନେ ନିର୍ଦ୍ଦିଷ୍ଟ ଭାବେ ପୁରୁଷମାନଙ୍କୁ ହତ୍ୟା କରିଥିଲେ ଏବଂ ସେଠାରେ ହୃଦୟ ବିଦାରକ ଭାବେ ବିଳାପ କରୁଥିବା ପତିହରା ମହିଳାମାନଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ‘ମୋଦୀ’ଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରେରଣ କରାଯାଇଛି ବୋଲି ସେମାନେ ମନ୍ତବ୍ୟ ପ୍ରଦାନ କରିଥିଲେ। ସୁତରାଂ, ସେହି ହତଭାଗ୍ୟ ମହିଳାମାନଙ୍କ ଲଲାଟରୁ ପୋଛି ଦିଆଯାଇଥିବା ‘ସିନ୍ଦୂର’ ଯେ ରାଷ୍ଟ୍ର ସମ୍ମୁଖରେ ଆତଙ୍କବାଦୀମାନଙ୍କ ବିରୋଧରେ ପ୍ରତିଶୋଧ ନେବାର ଏକ ନୈତିକ ଦାୟିତ୍ବକୁ ଛିଡ଼ା କରାଇଥିଲା, ତାହା କହିବା ଅନାବଶ୍ୟକ। ସେହି ପଣ ରାଷ୍ଟ୍ର ରକ୍ଷା କରିଛି।
ଆକ୍ରମଣ ପରେ ସାମ୍ବାଦିକ ସମ୍ମିଳନୀକୁ ସଂବୋଧନ କରିଥିବା ତିନି ଅଧିକାରୀ ଥିଲେ ତିନି ସଂପ୍ରଦାୟ - ହିନ୍ଦୁ, ମୁସଲମାନ ଏବଂ ଶିଖ - ଅନ୍ତର୍ଭୁକ୍ତ ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣ ଥିେଲ ମହିଳା। ଏଥିରେ ଅନ୍ତର୍ନିହିତ ସନ୍ଦେଶଟି ସ୍ପଷ୍ଟ ଯେ ଭାରତରେ ଏକ ଭୟାବହ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛର ପ୍ରକୃତ ଅଭିସନ୍ଧି ହୋଇଥିଲେ ହେଁ ତାହା ଆଦୌ ସଫଳ ନହେବା ପ୍ରମାଣ କରିଛି ଯେ ‘ବିବିଧତା ମଧ୍ୟରେ ଏକତା’ ନାମକ ଚମତ୍କାର ଅବବୋଧ ବହନକାରୀ ଭାରତ ବାସ୍ତବରେ କିଭଳି ସହିଷ୍ଣୁ ଓ ଧାରଣକ୍ଷମ। ପହଲଗାମ ଘଟଣା ପରେ ଭାରତରେ ବସବାସ କରୁଥିବା ମୁସଲିମ ସଂପ୍ରଦାୟର ନାଗରିକ ଏବଂ ସେମାନଙ୍କ ରାଜନୈତିକ ପ୍ରତିନିଧିମାନେ ଏକ ସ୍ବରରେ ପାକିସ୍ତାନର ଯେଉଁଭଳି ନିନ୍ଦାବାଦ କରିଛନ୍ତି, ତାହା ମଧ୍ୟ ଉଦାହରଣୀୟ। ଏଭଳି ସ୍ଥିତିରେ ଯାହା ପାକିସ୍ତାନର ଆତଙ୍କବାଦ ପ୍ରୋତ୍ସାହନକାରୀମାନଙ୍କୁ ଅତ୍ୟନ୍ତ ବିସ୍ମିତ ଏପରିକି ହତାଶ କରିଥିବ, ତାହା ହେଲା ଏହି ଘଟଣା ପରେ କାଶ୍ମୀର ଉପତ୍ୟକାରେ ସ୍ବତଃପ୍ରବୃତ୍ତ ଭାବେ ସୃଷ୍ଟି ଦେଇଥିବା ଜନ ବିରୋଧ ଏବଂ ଆତଙ୍କବାଦକୁ ଅସ୍ବୀକାର କରିବାର ସ୍ପଷ୍ଟ ସ୍ବର। କେବଳ ସେତିକି ନୁହେଁ, ଏହି ସାମ୍ବାଦିକ ସମ୍ମିଳନୀରେ ସାମରିକ ଅଧିକାରୀ ରୂପେ ମହିଳାଙ୍କ ଉପସ୍ଥିତି ମଧ୍ୟ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଉଦାର ଗଣତନ୍ତ୍ରର ମନୋଜ୍ଞ ଚିତ୍ରକୁ ଦର୍ଶାଇଥାଏ।
ଅନେକ ବିଶେଷଜ୍ଞ କହିଥାଆନ୍ତି ଯେ ଏକ ସୀମିତ ସଂଘର୍ଷର ପରିସୀମା ଅତିକ୍ରମ କରି ଏହା ଅଚିେର ପୂର୍ଣ୍ଣ ଯୁଦ୍ଧରେ ପରିଣତ ହୋଇପାରେ, କାରଣ ତାହା ହିଁ ହେଉଛି ପାକିସ୍ତାନ ସାମରିକ ବାହିନୀର ପ୍ରଚ୍ଛନ୍ନ ଇଚ୍ଛା। ସେମାନଙ୍କ ମତରେ ସେଠାକାର ଜନସାଧାରଣଙ୍କ ନିକଟରେ ଉଭୟ ପାକିସ୍ତାନ ସେନା ବାହିନୀ ଓ ସେନାଧ୍ୟକ୍ଷ ଅସିମ ମୁନୀର ଅତ୍ୟନ୍ତ ଅପ୍ରିୟ, ଯାହା ଫଳରେ ନିଜର ତଥା ସେନା ବାହିନୀର ଭାବମୂର୍ତ୍ତିରେ ଔଜ୍ଜ୍ବଲ୍ୟ ଆଣିବାକୁ ସେ ଯୁଦ୍ଧକୁ ଏକ ସୁଯୋଗ ରୂପେ ବ୍ୟବହାର କରିପାରନ୍ତି। ପ୍ରକାଶ ଥାଉ କି ପାକିସ୍ତାନର ରାଜନୈତିକ ତାରଲ୍ୟ, ଆର୍ଥିକ ଦୁରବସ୍ଥା ଓ କ୍ଷମତା କନ୍ଦଳ ଇତ୍ୟାଦି ପଛରେ ଯେ ସେଠାକାର ସାମରିକ ବାହିନୀ ଏକ ଅପନାୟକର ଭୂମିକା ନିର୍ବାହ କରି ଆସିଛି, ତାହା ଏବେ ସେଠାକାର ନାଗରିକମାନେ ହୃଦବୋଧ କଲେଣି। ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ପାକିସ୍ତାନୀ ସାମରିକ ବାହିନୀର ଅବଦାନ ଏବେ ସାରା ପୃଥିବୀରେ ସୁବିଦିତ, ଯାହାର ପରିଣାମ ସ୍ବରୂପ ସେ ଦେଶ ସର୍ବାଧିକ ଆତଙ୍କବାଦୀ ଆକ୍ରମଣର ଶରବ୍ୟ ମଧ୍ୟ ହେଉଛି। ଗତ ଦଶ ବର୍ଷ ମଧ୍ୟରେ ଆତଙ୍କବାଦୀ ଆକ୍ରମଣରେ ୨୩,୬୩୨ ଜଣ ପାକିସ୍ତାନୀ ନାଗରିକ ପ୍ରାଣ ହରାଇଛନ୍ତି। ଏଭଳି ସ୍ଥଳେ ପାକିସ୍ତାନ ସାମରିକ ବାହିନୀ ଜନ ବିଦ୍ବେଷର ଶିକାର ହେବା ସ୍ବାଭାବିକ। ଏଭଳି ସ୍ଥଳେ ଏକ ଯୁଦ୍ଧ ହିଁ ପାକିସ୍ତାନ ସାମରିକ ବାହିନୀକୁ ରାଷ୍ଟ୍ରର ତ୍ରାଣକର୍ତ୍ତା ରୂପେ ସ୍ବୀକୃତି ଦେବ। ଅନେକ ବିଶେଷଜ୍ଞ ସନ୍ଦେହ କରନ୍ତି ଯେ ଗଲା ଏପ୍ରିଲ ୨୦ ତାରିଖରେ ଜେନେରାଲ ଅସିମ ମୁନୀରଙ୍କ ପ୍ରଦତ୍ତ ହିନ୍ଦୁ ବିରୋଧୀ ଘୃଣା ଦ୍ବାରା ରଂଜିତ ଭାଷଣ ପ୍ରକାରାନ୍ତରେ ଯୁଦ୍ଧର ଏକ ପରିବେଶ ସୃଷ୍ଟି ସକାଶେ ଅଭିପ୍ରେତ ଥିଲା ଏବଂ ପହଲମାଗ ଆକ୍ରମଣରେ ତାହା ହିଁ ଥିଲା ମୁଖ୍ୟ ଉତ୍ପ୍ରେରକ। ଏଭଳି ଘଟଣା ଯେ ଅବଲୀଳା କ୍ରମେ ଏକ ସଂଘର୍ଷ ବା ଯୁଦ୍ଧକୁ ଜନ୍ମ ଦେବ, ତାହା ମଧ୍ୟ ସେମାନେ ଜାଣିଥିବେ!
ନିକଟରେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ‘ରେଟିଂ’ ସଂସ୍ଥା ‘ମୁଡିସ’ ପକ୍ଷରୁ ଆଶଙ୍କା କରାଯାଇଛି ଯେ ଯଦି ଏକ ଯୁଦ୍ଧ ହୁଏ, ତେବେ ମାତ୍ର ସପ୍ତାହେ ବା ଦୁଇ ସପ୍ତାହ ପରେ ପାକିସ୍ତାନ ସଂବଳଶୂନ୍ୟ ହୋଇଯାଇପାରେ। ସଂପ୍ରତି ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କରେ ଥିବା ବିଦେଶୀ ମୁଦ୍ରାର ପରିମାଣ ହେଉଛି ମାତ୍ର ୧୫.୨୫ ବିଲିଅନ୍ ଡଲାର, ଯାହା ସେ ଦେଶର ଆମଦାନିକୁ କୌଣସିମତେ ହୁଏତ ମାତ୍ର ମାସକ ସକାଶେ ଚଳାଇ ନେଇପାରେ; କିନ୍ତୁ ତା’ ଉପରେ ଏକ ଯୁଦ୍ଧର ଅତିକାୟ ବୋଝ ସ୍ବାଭାବିକ ଭାବେ ଅସହନୀୟ ହେବ। ଏଣେ ‘ବିଶ୍ବ ମୁଦ୍ରା ପାଣ୍ଠି’ ବା ‘ଆଇ.ଏମ.ଏଫ.’ରୁ ଲବ୍ଧ ଋଣରେ ଚାପଗ୍ରସ୍ତ ପାକିସ୍ତାନରେ ମୁଦ୍ରାସ୍ଫୀତି ଅସହ୍ୟ ଭାବେ ଉଚ୍ଚା ଏବଂ ସେ ଦେଶ ସର୍ବାଧିକ ଥର ଅର୍ଥାତ୍ ୨୫ ଥର ଲାଗି ଋଣ ପରିଶୋଧ କରିବାରେ ବିଫଳ ହୋଇଥିବାରୁ ତା’ ସକାଶେ ଯୁଦ୍ଧ ଯେ ସଂପୂର୍ଣ୍ଣ ଅବାଂଛନୀୟ, ଏହା କହିବା ନିଷ୍ପ୍ରୟୋଜନ। ଏଣେ ଏଭଳି ସ୍ଥଳେ କୌଣସି ବାହ୍ୟ ରାଷ୍ଟ୍ର ଠାରୁ ଅର୍ଥ ସହାୟତା ସକାଶେ ପାକିସ୍ତାନ ହୁଏତ ଚୀନ ଉପରେ ଭରସା କରିପାରେ। କିନ୍ତୁ ଟ୍ରମ୍ପଙ୍କ ଦ୍ବାରା ସୃଷ୍ଟ ‘ଟାରିଫ ଯୁଦ୍ଧ’ ପରିପ୍ରେକ୍ଷୀରେ ଚୀନ ଭାରତ ସହିତ ବୈରୀ ଭାବ ପୋଷଣ କରି ପାକିସ୍ତାନ ଭଳି ଏକ ମୁମୂର୍ଷୁ ଅଶ୍ବ ଆରୋହଣ କରିବାକୁ ଆଗ୍ରହୀ ହେବା ନେଇ ମଧ୍ୟ ସନ୍ଦେହ ରହିଛି। ଆତଙ୍କବାଦ ସହିିତ ସଂପୃକ୍ତି କାରଣରୁ ପାକିସ୍ତାନକୁ ପାଶ୍ଚାତ୍ୟ ରାଷ୍ଟ୍ରରୁ କୌଣସି ସାହାଯ୍ୟ ବା ସହଯୋଗ ମିଳିବାର ଆଶା ଶୂନ୍ୟପ୍ରାୟ। ଏଭଳି ସ୍ଥଳେ ଏକ ଯୁଦ୍ଧ ଯେ ସେ ଦେଶ ଲାଗି ଆତ୍ମଘାତୀ, ତାହା ସ୍ପଷ୍ଟ। କିନ୍ତୁ ବାସ୍ତବତାଟି ହେଲା, ସେ ଦେଶରେ ବିବେଚନାପୂର୍ଣ୍ଣ ଚିନ୍ତନ ଲାଗି କୌଣସି ଅବକାଶ ହିଁ ନ ଥାଏ।
ପାକିସ୍ତାନର ସେନାବାହିନୀ ଓ ରାଜନୈତିକ କ୍ଷମତା କେନ୍ଦ୍ର କାଶ୍ମୀରରେ ଅରାଜକତା ସୃଷ୍ଟି କରିବାକୁ ଯେଉଁ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆଶ୍ରୟ ଓ ପ୍ରଶ୍ରୟ େଦଇ ଅାସିଛନ୍ତି, ସେଗୁଡ଼ିକର ପାକିସ୍ତାନ ପ୍ରତି ଯେ କୌଣସି ଅଙ୍ଗୀକାର ବା ଆନୁଗତ୍ୟ ନାହିଁ, ତାହା ପାକିସ୍ତାନର ହୃଦବୋଧ ହୋଇଯିବା ଆବଶ୍ୟକ। ପାକିସ୍ତାନର ମାନସ ସନ୍ତାନ ଆଫଗାନିସ୍ତାନର ତାଲିବାନ ଏବେ ତାହାର ଏକ ବଡ଼ ଶତ୍ରୁରେ ପରିଣତ ହେବା ହିଁ ହେଉଛି ଏହାର ଏକ ଶ୍ରେଷ୍ଠ ନିଦର୍ଶନ। ଆତଙ୍କବାଦୀ ସଂଗଠନଗୁଡ଼ିକର ଏକମାତ୍ର ଲକ୍ଷ୍ୟ ଆତଙ୍କର ପ୍ରସାର ଓ ନୈରାଜ୍ୟ ସୃଷ୍ଟି। ସେହି କ୍ରମରେ ସେମାନେ ଆପଣା ଉପସ୍ଥିତିକୁ ଦୋରସ୍ତ କରିବାକୁ ଚେଷ୍ଟା କରନ୍ତି। ସେହି ଦୃଷ୍ଟିରୁ ଜୈସ-ଏ-ମହମ୍ମଦ ହେଉ ବା ଲସ୍କର-ଏ-ତୋଏବା’ ଅଥବା ‘ଟିଆରଏଫ’; ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ସେମାନଙ୍କ ସକାଶେ ଏକ ବିପୁଳ ସଫଳତା ବୋଲି କୁହାଯାଇପାରେ; କାରଣ ସେମାନେ ଭିଆଇଥିବା ଏହି କାର୍ଯ୍ୟ ଦୁଇ ଅଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ସୃଷ୍ଟି କରି ସାରା ପୃଥିବୀକୁ ଉଦ୍ବିଗ୍ନ କରିପକାଇଛି। ଏଭଳି ଯୁଦ୍ଧରେ ପାକିସ୍ତାନ ରସାତଳଗାମୀ ହୋଇଗଲେ ସୁଦ୍ଧା ଏହି ଆତଙ୍କବାଦୀ ସଂଗଠନଗୁଡ଼ିକର କୌଣସି ପରୁଆ ନ ଥାଏ। ପାକିସ୍ତାନ ହେଉଛି ପ୍ରାଚୀନ ‘କଥା ସରିତ୍ ସାଗର’ରେ ବର୍ଣ୍ଣିତ ସେହି ଅପରିଣାମଦର୍ଶୀ ରାଜା ଯିଏ ଏକ ନିର୍ବୋଧ ମର୍କଟକୁ ଜଗୁଆଳି ଭାବେ ନିଯୁକ୍ତ କରି ତା’ ହାତରେ ଉନ୍ମୁକ୍ତ ତରବାରିଟିଏ ଧରାଇ ଦେଇ ଶାନ୍ତିରେ ନିଦ୍ରା ଯାଇଥିଲେ। ଏଭଳି ନିର୍ବୋଧତାର ମୂଲ୍ୟ ଭାବେ ମାଙ୍କଡ଼ର ଖଣ୍ଡା ଚୋଟରେ ରାଜାଙ୍କ ପ୍ରାଣ ଚାଲିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)