‘ବିରଳ ମୃତ୍ତିକା’ ଭାବେ ପରିଗଣିତ ମୁଷ୍ଟିମେୟ ଦୁର୍ଲଭ ଖଣିଜଙ୍କ ପଞ୍ଚମ ବୃହତ୍ତମ ଭଣ୍ଡାର ଭାରତର ଭୂଗର୍ଭରେ ବିଦ୍ୟମାନ, ଯାହାର ଯଥାଶୀଘ୍ର ଉତ୍ତୋଳନ ପୂର୍ବକ ଏ କ୍ଷେତ୍ରରେ ଚୀନର ପ୍ରଭୁତ୍ବ କ୍ଷୁଣ୍ଣ କରିବାକୁ ଭାରତ ପ୍ରୟାସରତ। ଏହା ସୁବିଦିତ ଯେ କଂପ୍ୟୁଟର, ମୋବାଇଲ ଓ ବିଜୁଳି ଚାଳିତ ଯାନ ଇତ୍ୟାଦିରେ ବ୍ୟବହୃତ ହେଉଥିବା ବ୍ୟାଟେରି ନିର୍ମାଣରେ ଏ ସବୁ ଖଣିଜର ଅପରିହାର୍ଯ୍ୟତାର ସୁଯୋଗ ନେଇ ଚୀନ ଏ କ୍ଷେତ୍ରରେ ତା’ର ଆଧିପତ୍ୟକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରିବାରେ ପ୍ରବୃତ୍ତ। ଏହିଭଳି ଅନେକ ଉଦାହରଣ ଦେଇ ‘ନିରବ ଗର୍ଜନ’ର ପୃଷ୍ଠପୋଷକମାନେ କହନ୍ତି ଯେ ଏହା ଭାରତକୁ ସମୃଦ୍ଧ ଓ ଶକ୍ତିଶାଳୀ କରିବା ସହିତ ପାକିସ୍ତାନକୁ ଅସାର ସାବ୍ୟସ୍ତ କରିବ!
ଚୀନର କ୍ବିଂଡାଓ ସହରରେ ଅନୁଷ୍ଠିତ ହୋଇଥିବା ‘ସାଂଘାଇ େକା-ଅପରେସନ ଅର୍ଗାନାଇଜେସନ’ ବା ‘ଏସ.ସି.ଓ.’ର ସଦସ୍ୟ ରାଷ୍ଟ୍ର ସମୂହର ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ବାରା ଦୃଢ଼-ମନସ୍କତାର ପ୍ରଦର୍ଶନ ବିଶେଷ ଚର୍ଚ୍ଚାର କାରଣ ହୋଇଛି। ସେହି ସମ୍ମିଳନୀରେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତି ହେତୁ ସୌଜନ୍ୟ ଦୃଷ୍ଟିରୁ ପାକିସ୍ତାନର ନାମୋଲ୍ଲେଖ ନ କରି ରାଜନାଥ ସିଂହ ତାଙ୍କ ବକ୍ତବ୍ୟରେ ଭାରତ ଭୂମିରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ପ୍ରତି ସ୍ପଷ୍ଟ ଇଙ୍ଗିତ କରିବା ସହିତ ନିର୍ଦୟ ନିନ୍ଦାର ଶରବ୍ୟ କରିଥିଲେ। କେବଳ ସେତିକି ନୁହେଁ,ଏହି ସମ୍ମିଳନୀର ଅନ୍ତରେ ଏକ ମିଳିତ ଘୋଷଣାନାମା ମଧ୍ୟ ପ୍ରକାଶ କରାଯାଇ ପାରି ନ ଥିଲା, କାରଣ ସେଥିରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟ ସ୍ଥାନ ପାଇ ନ ଥିବାରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ତହିଁରେ ସ୍ବାକ୍ଷର କରିବାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ପ୍ରକାଶ ଥାଉ କି କୌଣସି ଶିଖର ସମ୍ମିଳନୀ ସଫଳ ହେବାର ପ୍ରମାଣ ହେଉଛି ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସମ୍ମତି ଓ ସ୍ବାକ୍ଷର ବହନ କରି ରୂପ ପାଉଥିବା ଏକ ମିଳିତ ଘୋଷଣାନାମା। ସେହି ଦୃଷ୍ଟିରୁ ପହଲଗାମ ଘଟଣା ତଥା ତତ୍ ପରବର୍ତ୍ତୀ ‘ଅପରେସନ ସିନ୍ଦୂର’ ପୃଷ୍ଠଭୂମିେର ଏ ସଂକ୍ରାନ୍ତରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
କହିବା ବାହୁଲ୍ୟ, ଏହି ସମ୍ମିଳନୀରେ ଯୋଗ ଦେବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ସକାଶେ ହୁଏତ ସାମାନ୍ୟ ଅସ୍ବସ୍ତିକର ହୋଇଥିବ, ଯାହାର କାରଣ ସନ୍ଦିଗ୍ଧ ଆଭିମୁଖ୍ୟ ସହିତ ଚୀନ ଓ ପାକିସ୍ତାନ ଭଳି ଦୁଇ ପ୍ରମୁଖ ଶତ୍ରୁ ରାଷ୍ଟ୍ରଙ୍କ ତହିଁରେ ଉପସ୍ଥିତି; ଏବଂ ଯେଉଁଠି ଆପଣା ପ୍ରଭାବ ବିସ୍ତାର କରି ଏହି ସଂଗଠନକୁ ନିଜ ‘ହସ୍ତ ମୁଦି ମାହାଲ’ରେ ପରିଣତ କରିବାକୁ ଚୀନ ଉଦ୍ଗ୍ରୀବ ଏବଂ ଚୀନର ଦାସସୁଲଭ ଅନୁଗତ ପାକିସ୍ତାନ ତା’ର ନିଜତ୍ବହୀନ ଉପଗ୍ରହୀ ଅସ୍ତିତ୍ବ ସତ୍ତ୍ବେ ଦୁରଭିସନ୍ଧି ପୂରଣ କରିବାକୁ ଚେଷ୍ଟିତ! ଏଭଳି ସ୍ଥଳେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ସେଠାରେ ଅତ୍ୟନ୍ତ ଦୃଢ଼ତାର ସହିତ ଭାରତର ପକ୍ଷ ରଖିବା ପ୍ରଶଂସାଯୋଗ୍ୟ। କେବଳ ସେତିକି ନୁହେଁ, ସମ୍ମିଳନୀର ଅନ୍ତିମ ପର୍ଯ୍ୟାୟରେ ପ୍ରକାଶିତ ହେବାକୁ ଥିବା ମିଳିତ ଘୋଷଣାନାମାରେ ଆତଙ୍କବାଦୀ ଉପଦ୍ରବର ଦୃଷ୍ଟାନ୍ତ ଭାବେ ବେଲୋଚିସ୍ତାନରେ ସଂଘଟିତ ଜାଫର ଏକ୍ସପ୍ରେସ ଅପହରଣ ଘଟଣା ସୂଚିତ ହୋଇଥିବା ବେଳେ ପହଲଗାମ ଗଣହତ୍ୟା ବିଷୟ ବାଦ୍ ପଡ଼ିଥିବା ହେତୁ ତହିଁରେ ସ୍ବାକ୍ଷର କରିବାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଠୋର ନାସ୍ତିବାଣୀ ଏକ ‘ନିରବ ଗର୍ଜନ’ର ସୂତ୍ରପାତ ମଧ୍ୟ କରିଛି। ଶଂସିତ ଘୋଷଣାନାମାରୁ ପହଲଗାମ ଘଟଣା ବହିର୍ଭୂତ ହୋଇ ରହିବା ପଛରେ କେଉଁ ରାଷ୍ଟ୍ର ଦ୍ବୟଙ୍କ ଚକ୍ରାନ୍ତ ନିହିତ, ତାହା ବୁଝାଇ କହିବାର କୌଣସି ପ୍ରୟୋଜନ ନାହିଁ। ଏବଂ ଏଭଳି ସ୍ଥିତିରେ ଭାରତର ଆଚରଣ ତା’ର ଦୃଷ୍ଟିଭଙ୍ଗୀକୁ ସଂପୂର୍ଣ୍ଣ ପ୍ରାଂଜଳ କରିଥାଏ। ପ୍ରକାଶ ଥାଉ କି ୨୦୦୧ ମସିହାରେ ୫ଟି ରାଷ୍ଟ୍ରଙ୍କ ଦ୍ବାରା ଗଠିତ ‘ଏସ.ସି.ଓ.’ ସଂପ୍ରତି ୧୦ଟି ସଦସ୍ୟ ରାଷ୍ଟ୍ରଙ୍କ ଏକ ଗୋଷ୍ଠୀକୁ ପରବର୍ଦ୍ଧିତ ହୋଇଛି ସତ, କିନ୍ତୁ ଚୀନ, ଭାରତ ଓ ରୁଷିଆ ବ୍ୟତୀତ ଅବଶିଷ୍ଟ ରାଷ୍ଟ୍ରଗୁଡ଼ିକ ଅପେକ୍ଷାକୃତ ଦୁର୍ବଳ। ତେଣୁ ଚୀନ ପକ୍ଷରୁ ଏହି ସଂଗଠନର କର୍ତ୍ତୃତ୍ବ ଅପହରଣ କରି ନେବାର ଉଦ୍ୟମ କ୍ରମେ ନିଘଞ୍ଚ ହେବାରେ ଲାଗିଛି। ୨୦୨୩ ମସିହାରେ ଚୀନ ପକ୍ଷରୁ ତାହାର ସର୍ବାଧିକ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ‘ବେଲ୍ଟ ରୋଡ ଇନିସିଏଟିଭ’କୁ ଏହି ସମ୍ମିଳନୀ ମାଧ୍ୟମରେ ଗୃହୀତ କରାଇ ନେବାର ଉଦ୍ୟମ ହୋଇଥିଲା, ଯେଉଁ ବିସ୍ତାରବାଦୀ ଅାଭିମୁଖ୍ୟର ଏକମାତ୍ର ପ୍ରତିରୋଧୀ ଥିଲା ଭାରତ। କହିବା ଅନାବଶ୍ୟକ ଯେ ଏଭଳି ଏକ ପ୍ରତିବାଦୀ ରାଷ୍ଟ୍ର ଦ୍ରୁତ ଗତିରେ ଗୋଟିଏ ବୃହତ୍ ଶକ୍ତି ରୂପେ ଶିରୋତ୍ତୋଳନ କରିବା ବିଷୟ ଚୀନ ପକ୍ଷରେ ଅତ୍ୟନ୍ତ ଅସହନୀୟ ହୋଇଥାଏ, ଯେଉଁ କାରଣରୁ ତାହା ଭାରତକୁ ବ୍ୟୂହ-ବନ୍ଦୀ କରି ରଖିବାକୁ ଉଦ୍ୟମରତ। କିନ୍ତୁ ବିଡ଼ମ୍ବନା, ଭାରତ ଏକ ଦୁର୍ବଳ ପ୍ରତିପକ୍ଷ ନୁହେଁ!
ପ୍ରକାଶ ଥାଉ କି ‘ଅପରେସନ ସିନ୍ଦୂର’ ପରେ ଆତଙ୍କବାଦ, ସିନ୍ଧୁ ଜଳ ଚୁକ୍ତି, ଭାରତ ପକ୍ଷରୁ ଆକ୍ରମଣ ଏବଂ ତାହାର ପରିଣାମ ଇତ୍ୟାଦି ସମ୍ବନ୍ଧରେ ଅସଂଖ୍ୟ ଅସତ୍ୟ ଓ ଅର୍ଦ୍ଧ ସତ୍ୟ ସଂବଳିତ ଉଚ୍ଚାଟମାନ ସୃଷ୍ଟିରେ ପ୍ରମତ୍ତ ପାକିସ୍ତାନ ତଦ୍ଦ୍ବାରା କେତେକ ଦେଶକୁ ପ୍ରଭାବିତ କରି ପାରିଛି ମଧ୍ୟ। ‘ଏସ.ସି.ଓ.’ର ଘୋଷଣାନାମାରେ ପହଲଗାମ ଘଟଣା ଉଲ୍ଲିଖିତ ନ ହେବା ପଛରେ ଏହା ମଧ୍ୟ ଏକ କାରଣ ହୋଇପାରେ! ଏହା ଫଳରେ ଅନେକ ବିଜ୍ଞ ଭାରତୀୟ ବିବ୍ରତ ଯେ ‘ନେରେଟିଭ୍’ ବା ‘ଗଳ୍ପ’(ସୃଷ୍ଟି) ଯୁଦ୍ଧରେ ପାକିସ୍ତାନ ଠାରୁ ଭାରତ ପରାଜିତ ହେବା ଭଳି ଦିଶୁଛି। କିନ୍ତୁ ଅନେକ ଭାରତୀୟ ତାହାକୁ ଭ୍ରୂକ୍ଷେପ ନକରି ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଭାବେ କହନ୍ତି ଯେ ଅନ୍ତଃସାରଶୂନ୍ୟ ଉଚ୍ଚାଟ ସୃଷ୍ଟି ପରିବର୍ତ୍ତେ ‘ନିରବ ଗର୍ଜନ’ ଉପରେ ଅଧିକ ଗୁରୁତ୍ବାରୋପ କରାଯିବା ଉଚିତ। ସେମାନେ କହନ୍ତି ଯେ ସେଭଳି ‘ନିରବ ଗର୍ଜନ’ ପାକିସ୍ତାନର କର୍ଣ୍ଣ-କୁହରରେ ପ୍ରବେଶ କରି ତା’ର ଗାତ୍ରଦାହ କରିଥିବ, ଯେତେବେଳେ ‘ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ର’(ଆଇ.ଏସ.ଆର.ସି.)ରେ ତରୁଣ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳ ପଦାର୍ପଣ କରିଥିବେ ଏବଂ ଯାହାଙ୍କୁ ସାଙ୍ଗରେ ନେଇ ୨୦୨୭ ମସିହା ସୁଦ୍ଧା ଅନ୍ତରୀକ୍ଷରେ ବିରଳ ପଦଚିହ୍ନ ସୃଷ୍ଟି କରିବାକୁ ‘ଇସ୍ରୋ’ ନିର୍ମିତ ମହାକାଶ ଯାନ ‘ଗଗନ ଯାନ’ ପ୍ରସ୍ତୁତିର ଅନ୍ତିମ ଚରଣରେ। ସେହି ପରି ଭାରତ ନିର୍ମିତ ‘ଶବ୍ଦ-ବେଗ ଅତିକ୍ରମୀ’ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’, ଯାହାର ଦକ୍ଷତା ‘ଅପରେସନ ସିନ୍ଦୂର’ କାଳରେ ପ୍ରତିପାଦିତ ହୋଇଛି, ଅନେକ ଗ୍ରାହକ ରାଷ୍ଟ୍ରଙ୍କୁ ଆକର୍ଷିତ କଲାଣି, ଯଦ୍ଦ୍ବାରା ତା’ର ରପ୍ତାନି ବଜାର ଅଧିକ ପ୍ରଶସ୍ତ ହୋଇଛି। ନିକଟରେ ସମ୍ବାଦ ପ୍ରକାଶିତ ହୋଇଛି ଯେ ‘ଡି.ଆର.ଡି.ଓ.’ ଦ୍ବାରା ନିର୍ମାଣାଧୀନ ଅତ୍ୟାଧୁନିକ ଅଭିନବ କ୍ଷେପଣାସ୍ତ୍ର ‘କେ-୬’ର କାର୍ଯ୍ୟ ତା’ର ଅନ୍ତିମ ପର୍ଯ୍ୟାୟରେ, ଯାହା ‘ବ୍ରହ୍ମୋସ’ ଠାରୁ ମଧ୍ୟ ଅଧିକ େବଗବାନ ଏବଂ ଆଠ ହଜାର କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାରେ ସମର୍ଥ। ‘କେ-୬’ ୩୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ବହନ କରି ପାରିବ ଏବଂ ଏକାବେଳକେ ବିଭିନ୍ନ ଦିଗରେ ଏକାଧିକ କ୍ଷେପଣାସ୍ତ୍ର ପ୍ରହାର କରି ଏକ ଅସାଧ୍ୟ ଘାତକରେ ପରିଣତ ହେବ। ଏବଂ ଏହାର ଅଭିନବତ୍ବ ହେଉଛି ଏହା ‘ଅରିହନ୍ତ’ ଶ୍ରେଣୀୟ ବୁଡ଼ାଜାହାଜର ଅସ୍ତ୍ରଭଣ୍ଡାରର ଅଂଶ ହୋଇ ମହୋଦଧିର ଗଭୀର ଗର୍ଭରୁ ଲୁକ୍କାୟିତ ଭାବେ ଆକ୍ରମଣ ରଚନା କରି ଅନେକ କ୍ଷେତ୍ରରେ ଦୁର୍ଜେୟରେ ପରିଣତ ହେବ। ସୁତରାଂ, ‘ମେକ ଇନ ଇଣ୍ଡିଆ’ ହେବ ସେହି ‘ନିରବ ଗର୍ଜନ’ର ଏକ ଉପାଦାନ। ‘ବିରଳ ମୃତ୍ତିକା’ ଭାବେ ପରିଗଣିତ ମୁଷ୍ଟିମେୟ ଦୁର୍ଲଭ ଖଣିଜଙ୍କ ପଞ୍ଚମ ବୃହତ୍ତମ ଭଣ୍ଡାର ଭାରତର ଭୂଗର୍ଭରେ ବିଦ୍ୟମାନ, ଯାହାର ଯଥାଶୀଘ୍ର ଉତ୍ତୋଳନ ପୂର୍ବକ ଏ କ୍ଷେତ୍ରରେ ଚୀନର ପ୍ରଭୁତ୍ବ କ୍ଷୁଣ୍ଣ କରିବାକୁ ଭାରତ ପ୍ରୟାସରତ। ଏହା ସୁବିଦିତ ଯେ କଂପ୍ୟୁଟର, ମୋବାଇଲ ଓ ବିଜୁଳି ଚାଳିତ ଯାନ ଇତ୍ୟାଦିରେ ବ୍ୟବହୃତ ହେଉଥିବା ବ୍ୟାଟେରି ନିର୍ମାଣରେ ଏ ସବୁ ଖଣିଜର ଅପରିହାର୍ଯ୍ୟତାର ସୁଯୋଗ ନେଇ ଚୀନ ଏ କ୍ଷେତ୍ରରେ ତା’ର ଆଧିପତ୍ୟକୁ ଏକ ଅସ୍ତ୍ର ରୂପେ ବ୍ୟବହାର କରିବାରେ ପ୍ରବୃତ୍ତ। ଏହିଭଳି ଅନେକ ଉଦାହରଣ ଦେଇ ‘ନିରବ ଗର୍ଜନ’ର ପୃଷ୍ଠପୋଷକମାନେ କହନ୍ତି ଯେ ଏହା ଭାରତକୁ ସମୃଦ୍ଧ ଓ ଶକ୍ତିଶାଳୀ କରିବା ସହିତ ପାକିସ୍ତାନକୁ ଅସାର ସାବ୍ୟସ୍ତ କରିବ! ଏହା ହିଁ ପ୍ରଗତିଶୀଳ ଭାରତର ଏକନିଷ୍ଠ ଧ୍ୟେୟ ହେଉ।
ଏହି ଆଲୋଚନା କାଳରେ ଜୀବିତ କିଂବଦନ୍ତି ସଚ୍ଚିନ େତନ୍ଦୁଲକର ସ୍ମରଣକୁ ଆସନ୍ତି; ଗୋଟିଏ ସମୟରେ ଯାହାଙ୍କ ପ୍ରଦର୍ଶନ ନିମ୍ନଗାମୀ ହେଉଥିବା ବେଳେ ତୀବ୍ର ସମାଲୋଚନା ପରିପ୍ରେକ୍ଷୀରେ ଅନ୍ତତଃ ଧାଡ଼ିଏ ଜବାବ ଦେବା ଲାଗି ତାଙ୍କ ପ୍ରଶଂସକମାନେ ଜିଗର କରନ୍ତେ ସେ କହିଥିଲେ: ‘ମୁଁ ନୁହେଁ, ମୋ ବ୍ୟାଟ କହିବ।’ ଅବଲୀଳା କ୍ରମେ ତାଙ୍କ ବ୍ୟାଟ ହିଁ କଥା କହିଥିଲା। ‘ନିରବ ଗର୍ଜନ’କୁ ଆଉ କେଉଁ ସରଳ ଉଦାହରଣ ଦ୍ବାରା ବୁଝାଇ ହେବ? ସଂପ୍ରତି ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥଶକ୍ତି, ଚତୁର୍ଥ ବୃହତ୍ତମ ସାମରିକ ଶକ୍ତି, ବୃହତ୍ତମ ସୂଚନା ପ୍ରଯୁକ୍ତି ମାନବ ସମ୍ବଳର ଅଧିକାରୀ ଏବଂ ବୃହତ୍ତମ ତରୁଣ ବର୍ଗଙ୍କ ଏହି ରାଷ୍ଟ୍ର ଭାରତ ଅଯଥା ଗଳ୍ପ ସୃଷ୍ଟି କରିବା ଲୋଡ଼ି ନ ଥାଏ। ଏ ଦେଶ ତା’ର କାର୍ଯ୍ୟ ଓ ପ୍ରଦର୍ଶନ ମାଧ୍ୟମରେ ନୂତନ କାହାଣୀ ସୃଷ୍ଟି କରିବ, ଯାହା ହିଁ ହେଉଛି ‘ନିରବ ଗର୍ଜନ’।