ଡ୍ୟୁରୋଭଙ୍କ ଭଳି ନିର୍ଲିପ୍ତ ଈଶ୍ବରମାନେ କର୍ତ୍ତୃତ୍ବଶୂନ୍ୟ, ଦାୟିତ୍ବହୀନ ଓ ନିଷ୍କ୍ରିୟ! ଏଭଳି କାହିଁକି? ସେମାନେ ସମ୍ଭବତଃ ହୃଦୟଙ୍ଗମ କରିପାରନ୍ତି ନାହିଁ ଯେ ସେମାନଙ୍କ କାରଣରୁ ସମଗ୍ର ପୃଥିବୀ ଯଦି ଅସ୍ତିତ୍ବ ସଂକଟ ମଧ୍ୟକୁ ନିକ୍ଷେପିତ ହୁଏ, ଯାହା ସମ୍ଭବ ମଧ୍ୟ, େସତେବେଳେ ବାକ୍ ସ୍ବାଧୀନତାର ସପକ୍ଷ ବନାମ ବିପକ୍ଷ ଭଳି ବିବାଦ ହିଁ ଅର୍ଥହୀନ ହୋଇଯିବ!
ଗଲା ୨୪ ତାରିଖରେ ପ୍ୟାରିସ୍ ବିମାନ ବନ୍ଦରରେ ପାଭେଲ ଡ୍ୟୁରୋଭଙ୍କ ଗିରଫଦାରି ପୃଥିବୀ ସାରା ଆଲୋଡ଼ନ ସୃଷ୍ଟି କରିବା ସହିତ ‘ମୁକ୍ତ ଅଭିବ୍ୟକ୍ତିର ଅଧିକାର’ ବା ‘ବାକ୍ ସ୍ବାଧୀନତା’ର ସରହଦ, ଅବାଧତା, ସରକାରୀ ନିୟନ୍ତ୍ରଣ ବା ହସ୍ତକ୍ଷେପର ଉଦ୍ୟମ ତଥା ଆବଶ୍ୟକତା, ସଂଯମ ଓ ଦାୟିତ୍ବବୋଧର ପ୍ରାସଙ୍ଗିକତା ଇତ୍ୟାଦି ଭଳି ଅନେକ ସଂଦର୍ଭକୁ ମୁଖର ଆଲୋଚନାର ବିଷୟରେ ପରିଣତ କରିଛି। ଯଦିଓ ଗତ କାଲି ଡ୍ୟୁରୋଭଙ୍କୁ ମୁକ୍ତ କରି ଦିଆଯାଇଛି, ତାଙ୍କ ବିରୋଧରେ ଆଇନଗତ ପ୍ରକିୟା ଚାଲୁ ରହିବ ଏବଂ ସମ୍ଭବତଃ ଏ ଚର୍ଚ୍ଚା ମଧ୍ୟ ଅବ୍ୟାହତ ରହିବ। ଏହି ସ୍ତମ୍ଭର ଅନେକ ପାଠକପାଠିକା ପାଭେଲ ଡ୍ୟୁରୋଭଙ୍କ ନାମ ସହିତ ପରିଚିତ ନ ଥିଲେ ହେଁ ତାଙ୍କ ଦ୍ବାରା ପ୍ରତିଷ୍ଠିତ ସନ୍ଦେଶ ପ୍ରସାରଣକାରୀ ଅନ୍ଲାଇନ୍ ମଞ୍ଚ ସହିତ ପ୍ରତ୍ୟହ, ପ୍ରତ୍ୟକ୍ଷ ଓ ଅତ୍ୟନ୍ତ ଅନ୍ତରଙ୍ଗ ଭାବେ ସଂପୃକ୍ତ ଥିବେ, ଯାହାର ନାମ ହେଉଛି ‘ଟେଲିଗ୍ରାମ୍’ ଏବଂ ପ୍ରାୟ ୧୧ କୋଟି ଭାରତୀୟ ଏହାକୁ ନିୟମିତ ବ୍ୟବହାର କରନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ଟେଲିଗ୍ରାମ୍’ରେ ପ୍ରସାରିତ ହେଉଥିବା ଅତ୍ୟନ୍ତ ଆପତ୍ତିଜନକ ବିଷୟବସ୍ତୁର ବନ୍ୟା ସତ୍ତ୍ବେ ତହିଁରେ ସୁଧାର ଆଣିବା ଦିଗରେ ଡ୍ୟୁରୋଭଙ୍କ ନିଷ୍କ୍ରିୟତା ହେଉଛି ଏହି ଗିରଫଦାରି ପଛରେ ଥିବା କାରଣ। ‘ଟେଲିଗ୍ରାମ୍’ରେ ପ୍ରତି କ୍ଷଣ ପ୍ରବେଶ କରୁଥିବା କୋଟିକୋଟି ସୂଚନା ଓ ତଥ୍ୟମାନରୁ ଆପତ୍ତିିଜନକଗୁଡ଼ିକୁ ଚିହ୍ନଟ କରିବା ସାଧ୍ୟାତୀତ ବୋଲି ଡ୍ୟୁରୋଭ କହିଥିଲେ ସୁଦ୍ଧା ତାଙ୍କର ଅତ୍ୟନ୍ତ ଉଦାରବାଦୀ ମତାଦର୍ଶ ଯେ ସୀମାହୀନ ସ୍ବାଧୀନତାର ପକ୍ଷଧର ଏହା ସୁବିଦିତ। ଏଭଳି ସ୍ଥଳେ ଅବାଧ ଅଭିବ୍ୟକ୍ତିର ଅଧିକାର ଓ ତାକୁ ନିୟନ୍ତ୍ରଣ କରିବାର ଉଦ୍ୟମ ଯେଉଁ ଜଟିଳ ବିବାଦ ଉତ୍ପନ୍ନ କରିଥାଏ, ସେ ନେଇ ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ ବୋଲି ମନେ ହୋଇଥାଏ।
ପ୍ରକାଶ ଥାଉ କି ବିଚକ୍ଷଣ ରୁଷୀୟ ତରୁଣ ପାଭେଲ ଡ୍ୟୁରୋଭ ମାତ୍ର ୨୧ ବର୍ଷ ବୟସରେ ‘ଭିକଣ୍ଟାକ୍ଟ’ ନାମକ ଏକ ବନ୍ଧୁତା ସୃଷ୍ଟିକାରୀ ଅନ୍ଲାଇନ୍ ମଞ୍ଚ ପ୍ରତିଷ୍ଠା କରିଥିଲେ, ଯାହା ରୁଷିଆରେ ‘ଫେସ୍ବୁକ୍’କୁ ମଳିନ କରି ଦେଇଥିଲା। ୨୦୧୪ ମସିହାରେ ଯେତେବେଳେ ଭ୍ଲାଡିମିର ପୁଟିନଙ୍କ ରାଜନୈତିକ ବିରୋଧୀମାନଙ୍କୁ ଚିହ୍ନଟ କରିବା ଲାଗି ରୁଷୀୟ ସରକାରଙ୍କ ଦ୍ବାରା ‘ଭିକଣ୍ଟାକ୍ଟ’ ବ୍ୟବହାରକାରୀଙ୍କ ତଥ୍ୟ ଦେବାକୁ ଡ୍ୟୁରୋଭଙ୍କୁ ବାଧ୍ୟ କରାଗଲା, ସେ ଆତ୍ମ-ନିର୍ବାସନରେ ଦେଶ ପରିତ୍ୟାଗ କରି ସଂଯୁକ୍ତ ଆରବ ସାଧାରଣତନ୍ତ୍ର ବା ‘ୟୁ.ଏ.ଇ.’ର ରାଜଧାନୀ ଦୁବାଇରେ ଦପ୍ତରଟିଏ ଖୋଲି ‘ଟେଲିଗ୍ରାମ୍’ର ସୂତ୍ରପାତ ଘଟାଇଥିଲେ। ‘ଅଭିବ୍ୟକ୍ତିର ସ୍ବାଧୀନତା’ ନେଇ ତାଙ୍କ ମନୋଭାବ ଏଥିରୁ ଅନ୍ତତଃ ସ୍ପଷ୍ଟ ହୋଇଥାଏ। ତେବେ ସେ ଯାହା ହେଉ, ‘ଟେଲିଗ୍ରାମ୍’ର ବୈଶିଷ୍ଟ୍ୟ ହେଲା ଏଥିରେ ଗୋଟିଏ ଗ୍ରୁପ୍ ବା ଗୋଷ୍ଠୀରେ ୨ ଲକ୍ଷ ସଦସ୍ୟ ଅନ୍ତଭୁକ୍ତ ହୋଇପାରନ୍ତି, ଯାହା ହ୍ବାଟ୍ସଆପ୍ କ୍ଷେତ୍ରରେ ଅତ୍ୟନ୍ତ ସୀମିତ। ସେହି ଦୃଷ୍ଟିରୁ ସର୍ବନିମ୍ନ ଅବଧିରେ ସର୍ବାଧିକ ବ୍ୟକ୍ତିଙ୍କ ନିକଟକୁ ସନ୍ଦେଶ ପ୍ରସାରଣ କରିବାରେ ‘ଟେଲିଗ୍ରାମ୍’ ହେଉଛି ସର୍ବୋତ୍ତମ। ଏହି କାରଣରୁ କେବଳ ଗଲା ଦୁଇ ବର୍ଷ ମଧ୍ୟରେ ‘ଟେଲିଗ୍ରାମ୍’ ବ୍ୟବହାରକାରୀଙ୍କ ସଂଖ୍ୟାରେ ପ୍ରାୟ ୨ କୋଟି ବୃଦ୍ଧି ଘଟି ସଂପ୍ରତି ୯୦ କୋଟିରେ ପହଞ୍ଚିଛି। କିନ୍ତୁ, ‘ଟେଲିଗ୍ରାମ୍’ର ତମସାଚ୍ଛନ୍ନ ଅପର ପାର୍ଶ୍ବର ସତ୍ୟଟି ହେଲା ବାର୍ତ୍ତା ପ୍ରସାରଣର ଏଭଳି କ୍ଷିପ୍ରତା ଏବଂ କଟକଣାଶୂନ୍ୟ ଭାବେ ସନ୍ଦେଶ ପ୍ରସାରଣର ସୁଯୋଗ ହେତୁ ଏହି ମଞ୍ଚଟି ଆତଙ୍କବାଦୀ ଗୋଷ୍ଠୀ, ଡ୍ରଗ୍ କାର୍ଟେଲ, ମନି ଲଣ୍ଡରିଂ ଅପରାଧୀ, ଶିଶୁଙ୍କ ସହିତ ଜଘନ୍ୟ ଅଶ୍ଳୀଳତାର ପୃଷ୍ଠପୋଷକ, ଯୌନ ବିକୃତିଗ୍ରସ୍ତ, ନାଜିବାଦର ପ୍ରଚାରକ ଓ ସୁସଂଗଠିତ ଅପରାଧ ଗ୍ୟାଙ୍ଗମାନଙ୍କ ମୁକ୍ତ କ୍ରୀଡ଼ାଙ୍ଗନରେ ପରିଣତ ହୋଇଛି। କହିବା ବାହୁଲ୍ୟ, ଆଇନର ଶାସନରେ ଏଭଳି ଏକ ସ୍ଥିତି ଅସହନୀୟ।
ଜଣାପଡ଼ିଛି ଯେ ସେ ଗିରଫ ହେବେ ବୋଲି ଜାଣି ସୁଦ୍ଧା ତାକୁ ବରଣ କରି ଡ୍ୟୁରୋଭ ପ୍ୟାରିସ୍ରେ ପାଦ ଦେଇଥିଲେ ଯଦ୍ଦ୍ବାରା ବିତର୍କର ଝଡ଼ଟିଏ ସୃଷ୍ଟି ହୋଇଛି। ସେହି କାରଣରୁ ଡ୍ୟୁରୋଭ ଧନ୍ୟବାଦାର୍ହ, କାରଣ ଏଭଳି ବିତର୍କ ଦ୍ବାରା ମୁକ୍ତ ଅଭିବ୍ୟକ୍ତି ସଂଦର୍ଭରେ ସାମାଜିକ ଗଣମାଧ୍ୟମର ଭୂମିକା ଓ ସରକାରୀ ହସ୍ତକ୍ଷେପର ସୀମା ସଂପର୍କରେ ହୁଏତ କିଛି ନିଷ୍କର୍ଷ ଉତ୍ପନ୍ନ ହେବ! ଉଲ୍ଲେଖଯୋଗ୍ୟ ଯେ ଡ୍ୟୁରୋଭଙ୍କ ଗିରଫଦାରିର ଅସଂଖ୍ୟ ସମାଲୋଚକଙ୍କ ମଧ୍ୟରେ ଅଛନ୍ତି ‘ଏକ୍ସ’ର ସ୍ବତ୍ତ୍ବାଧିକାରୀ ଏଲନ୍ ମସ୍କ ଏବଂ ‘ହ୍ବିସଲ୍ ବ୍ଲୋୟର୍’ ବା ସତ୍ୟର ପ୍ରହରୀ ଭାବେ ପରିଚିତ ଏଡ୍ୱାର୍ଡ ସ୍ନୋଡେନ୍। ଏମାନେ ସମସ୍ତେ ଡ୍ୟୁରୋଭଙ୍କ ମତାଦର୍ଶର ଗ୍ରାହକ। କିନ୍ତୁ ଏହା ମଧ୍ୟ ସତ ଯେ ଡ୍ୟୁରୋଭଙ୍କୁ ଗିରଫ କରିଥିବା ରାଷ୍ଟ୍ର ଫ୍ରାନ୍ସ ମଧ୍ୟ ‘ଅଭିବ୍ୟକ୍ତିର ସ୍ବାଧୀନତା’ ଭଳି ବିଷୟକୁ ମଥାର ମଣି ତୁଲ୍ୟ ପିନ୍ଧିଥାଏ। େତଣୁ ଏ ପରିପ୍ରେକ୍ଷୀରେ ଫରାସୀ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରଁଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ଆଇନ ଦ୍ବାରା ଶାସିତ ଏକ ରାଷ୍ଟ୍ରରେ ସ୍ବାଧୀନତା ଆଇନାନୁମୋଦିତ ହେବା ଅପରିହାର୍ଯ୍ୟ। କିନ୍ତୁ, ଏକ ଆଶଙ୍କା ମଧ୍ୟ ଉପୁଜିଥାଏ ଯେ ସରକାରୀ ହସ୍ତକ୍ଷେପ ଦ୍ବାରା ସାମାଜିକ ଗଣମାଧ୍ୟମରେ ଉଚ୍ଚାଟିତ ହେଉଥିବା ସରକାର ବା ବ୍ୟବସ୍ଥା ବିରୋଧୀ ନିର୍ଭୀକ ସ୍ବରମାନ ଅବଦମିତ ହୋଇଯିବେ ନାହିଁ ତ? ସୁତରାଂ, ବିବାଦଟି ଏକ ଦୋଳାୟମାନ ପେଣ୍ଡୁଲମ୍ ଭଳି ଦୁଇ ଅନ୍ତିିମ ବିନ୍ଦୁକୁ ବାରମ୍ବାର ସ୍ପର୍ଶ କରିଥାଏ, ଯହିଁରେ ଗୋଟିଏ ବିନ୍ଦୁରେ ରହିଛି ନିରଙ୍କୁଶ ସ୍ବାଧୀନତାରୁ ସୃଷ୍ଟ ନୈରାଜ୍ୟର ଭୟ ଏବଂ ଅନ୍ୟ ବିନ୍ଦୁରେ ଅଛି ଅଭିବ୍ୟକ୍ତି ଉପରେ ଆଇନ ଅନୁସାରୀ ଅଙ୍କୁଶ ପ୍ରୟୋଗ ଆଳରେ ରାଷ୍ଟ୍ର ଦ୍ବାରା ନାଗରିକମାନଙ୍କୁ ବାକ୍ଶୂନ୍ୟ କରିଦେବା ନେଇ ସନ୍ଦେହ! ଉଭୟଟି ବାସ୍ତବ ଏବଂ ଏଭଳି ସ୍ଥଳେ ଲୋଡ଼ା ମଧ୍ୟମ ମାର୍ଗ, ଯହିଁରେ ଦାୟିତ୍ବବୋଧର ସ୍ଥାନ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ସାମାଜିକ ଗଣମାଧ୍ୟମର ପ୍ରତିଷ୍ଠାତାମାନେ ମଞ୍ଚରେ ପ୍ରସାରିତ ହେଉଥିବା ସନ୍ଦେଶର ବିଷୟବସ୍ତୁ ନେଇ ଉତ୍ତରଦାୟୀ ରହନ୍ତୁ ବୋଲି ବିଭିନ୍ନ ରାଷ୍ଟ୍ରର ସରକାରମାନେ ଚାହିଥାଆନ୍ତି। କିନ୍ତୁ, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବାର୍ତ୍ତାଗୁଡ଼ିକୁ ଏକାନ୍ତ ଗୋପନୀୟ ରଖିବାର ପ୍ରତିଶ୍ରୁତି ପ୍ରଦାନ କରି ଟେକ୍ କଂପାନିଗୁଡ଼ିକ ଯେଉଁ ‘ଏନ୍କ୍ରିପ୍ସନ୍’ ପଦ୍ଧତି ଅବଲମ୍ବନ କରନ୍ତି, ତହିଁରେ ଗନ୍ତବ୍ୟ ସ୍ଥଳରେ ବାର୍ତ୍ତା ପହଞ୍ଚିବା ପୂର୍ବରୁ ତାହା ସଂପୂର୍ଣ୍ଣ ଦୁର୍ଭେଦ୍ୟ ହୋଇଥାଏ! ତେଣୁ ଅପତ୍ତିଜନକ ବିଷୟବସ୍ତକୁ ମଞ୍ଚରେ ପ୍ରବେଶ କରିବାକୁ ନ ଦେବା ସାଧ୍ୟାତୀତ ବୋଲି ଏଭଳି ମଞ୍ଚର ପ୍ରତିଷ୍ଠାତାମାନେ କହିଥାଆନ୍ତି। କିନ୍ତୁ ସେମାନେ ଯେ ଏ ଦିଗରେ କିଛି ଉଦ୍ୟମ କରିପାରିବେ, ସେ ନେଇ ‘ଫେସ୍ବୁକ୍’ ପକ୍ଷରୁ ଏକ ଦୃଷ୍ଟାନ୍ତ ମଧ୍ୟ ସ୍ଥାପନ କରାଯାଇସାରିଛି; ଯହିଁରେ କାଲିଫର୍ନିଆର ୨୬ ବର୍ଷ ବୟସ୍କ ଅପରାଧୀ ବଷ୍ଟର ହର୍ମିନଡାଜକୁ ଆମେରିକୀୟ ତଦନ୍ତକାରୀ ସଂସ୍ଥା ‘ଏଫ୍ବିଆଇ’ ‘ଫେସ୍ବୁକ୍’ର ସହାୟତାରେ ଗିରଫ କରିବାରେ ସମର୍ଥ ହୋଇଛନ୍ତି। ପ୍ରକାଶ ଥାଉ କି ୨୦୧୨ରୁ ୨୦୧୭ ମସିହା ମଧ୍ୟରେ େଫସ୍ବୁକ୍ ମେସେଂଜର୍, ଇମେଲ୍ ଇତ୍ୟାଦି ମାଧ୍ୟମରେ ରକ୍ତକୁ ପାଣି କରିଦେଲା ଭଳି ଭୟ ଉଦ୍ରେକକାରୀ ଧମକମାନ ଦେଇ ହର୍ମିନଡାଜ ଶହ ଶହ ସ୍କୁଲ ଝିଅଙ୍କ ଠାରୁ ସେମାନଙ୍କ ନଗ୍ନ ଫଟୋ ଓ ଭିଡିଓ ସଂଗ୍ରହ କରି ଅନ୍ଲାଇନ୍ ମାଧ୍ୟମରେ ବିକ୍ରୟ କରୁଥିଲା। କିନ୍ତୁ ‘ଟେଲିଗ୍ରାମ୍’ ପରିପ୍ରେକ୍ଷୀରେ ଅସଂଗତିଟି ହେଲା ଏୟା ଯେ ତହିଁରେ ପ୍ରସାରିତ ସନ୍ଦେଶମାନ ଢିଲା ‘ଏନ୍କ୍ରିପ୍ସନ୍’ କାରଣରୁ ଭେଦଯୋଗ୍ୟ ହୋଇଥିଲେ ହେଁ ଅବାଧ ସ୍ବାଧୀନତାରେ ବିଶ୍ବାସୀ ଡ୍ୟୁରୋଭ ଏ ନେଇ ସାମାନ୍ୟତମ ଆଗ୍ରହ ମଧ୍ୟ ପ୍ରକାଶ କରି ନ ଥାଆନ୍ତି। ଏଥିରୁ ଦାୟିତ୍ବବୋଧର ପ୍ରସଙ୍ଗ ଉଠିଥାଏ।
ବିଚକ୍ଷଣ ଆଡ଼ବାୟା ରୂପେ ପରିଚିତ ପାଭେଲ ଡ୍ୟୁରୋଭ ଥରେ ତାଙ୍କ ବିମାନରୁ ରୁବଲ (ରୁଷୀୟ ଟଙ୍କା) ବୃଷ୍ଟି କରି ତଳେ ଥିବା ଲୋକଙ୍କ ଭିତରେ ତାକୁ ଗୋଟାଇବା ନେଇ ଏକ ଦଳାଚକଟା ଭଳି ସ୍ଥିତି ସୃଷ୍ଟି କରି ଦେଇଥିଲେ। ସେମିତି ଏକ କାହାଣୀ ଉଜବେକିସ୍ତାନର ଅମର ଲୋକକଥା ଚରିତ୍ର ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ଶୁଣିବାକୁ ମିଳେ, ଯିଏ କିଛି ପିଲାଙ୍କୁ ଖଜୁରୀ କୋଳି ବାଣ୍ଟିବା ପ୍ରକ୍ରିୟାରେ ପୁଞ୍ଜାଏ କୋଳି ଛାଟି ଦେଇଥିଲେ; କାରଣ କୋଳିତକ ମଣିଷ ଦେଲା ଭଳି ନା ଈଶ୍ବର ଦେଲା ଭଳି ବଣ୍ଟାଯିବ ବୋଲି ପ୍ରଶ୍ନ କରି ସେ ପିଲାମାନଙ୍କ ଠାରୁ ଈଶ୍ବର ଦେଲା ଭଳି ବଣ୍ଟାଯିବା ସପକ୍ଷରେ ଉତ୍ତର ପାଇଥିଲେ। ଏହା ପରେ ମୁଲ୍ଲା ତାଙ୍କ କାର୍ଯ୍ୟର ଯଥାର୍ଥତା ପ୍ରତିପାଦନ କରି ବୁଝାଇ ଦେଇଥିଲେ ଯେ ନିର୍ଲିପ୍ତ ଈଶ୍ବର ପକ୍ଷପାତ କରନ୍ତି ନାହିଁ କି ସମବଣ୍ଟନରେ ବିଶ୍ବାସ କରନ୍ତି ନାହିଁ। ସେ କେବଳ ଫିଙ୍ଗି ଦିଅନ୍ତି ଏବଂ ଯାହା ଭାଗ୍ୟରେ ଯେତିକି ମିଳେ ତାହା ହିଁ ନିୟତି। ରୁଷିଆର ପଡ଼ୋଶୀ ରାଷ୍ଟ୍ର ଉଜବେକିସ୍ତାନର ଏହି କାହାଣୀ ସମ୍ଭବତଃ ଡ୍ୟୁରୋଭଙ୍କୁ ରୁବଲ ଫୋପାଡ଼ିବାର ପ୍ରେରଣା ଯୋଗାଇଥିବ। କାହିଁକି ନୁହେଁଁ? ପ୍ରତୀୟମାନ ସଂସାରର ସ୍ରଷ୍ଟାମାନେ ନିଜକୁ ଈଶ୍ବର ବୋଲି ଭାବିବାରେ ବିସ୍ମିତ ହେବାର କାରଣ ମଧ୍ୟ ନାହିଁ। କିନ୍ତୁ ଡ୍ୟୁରୋଭ ବୋଧହୁଏ ଭୁଲିଯାଇଛନ୍ତି ଯେ ବାସ୍ତବ ସଂସାରର ସ୍ରଷ୍ଟା ଈଶ୍ବର ନିର୍ଲିପ୍ତ ହୋଇଥିଲେ ହେଁ ନିଷ୍କ୍ରିୟ ଓ ଦାୟିତ୍ବଶୂନ୍ୟ ନୁହନ୍ତି; ପ୍ରକୃତିର ନିୟମରେ ତାଙ୍କ ଆଜ୍ଞା ଓ କର୍ତ୍ତୃତ୍ବ ସୁରକ୍ଷିତ, ଯାହାକୁ ଅମାନ୍ୟ ବା ଉଲ୍ଲଂଘନ କଲେ କିଭଳି ପରିଣାମ ଭୋଗିବାକୁ ପଡ଼ିଥାଏ, ତାହା ସାଂପ୍ରତିକ ମାନବ ଜାତିକୁ ବୁଝାଇ କହିବା ଅନାବଶ୍ୟକ। କିନ୍ତୁ ଡ୍ୟୁରୋଭଙ୍କ ଭଳି ନିର୍ଲିପ୍ତ ଈଶ୍ବରମାନେ କର୍ତ୍ତୃତ୍ବଶୂନ୍ୟ, ଦାୟିତ୍ବହୀନ ଓ ନିଷ୍କ୍ରିୟ! ଏଭଳି କାହିଁକି? ସେମାନେ ସମ୍ଭବତଃ ହୃଦୟଙ୍ଗମ କରିପାରନ୍ତି ନାହିଁ ଯେ ସେମାନଙ୍କ କାରଣରୁ ସମଗ୍ର ପୃଥିବୀ ଯଦି ଅସ୍ତିତ୍ବ ସଂକଟ ମଧ୍ୟକୁ ନିକ୍ଷେପିତ ହୁଏ, ଯାହା ସମ୍ଭବ ମଧ୍ୟ, େସତେବେଳେ ବାକ୍ ସ୍ବାଧୀନତାର ସପକ୍ଷ ବନାମ ବିପକ୍ଷ ଭଳି ବିବାଦ ହିଁ ଅର୍ଥହୀନ ହୋଇଯିବ!