ଅପହୃତ ଯାତ୍ରୀଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ଲାଗି ସମଗ୍ର ଦେଶ ପ୍ରାର୍ଥନାରତ; ମାସୁଦ ଅଜହର ବା ତା’ ଭଳି ଆଉ ଦୁଇ ଆତଙ୍କବାଦୀ କାଶ୍ମୀରର ଜେଲ୍‌ରୁ ମୁକ୍ତ ହୋଇଯାଆନ୍ତୁ ପଛକେ କୌଣସି ଯାତ୍ରୀଙ୍କ ସାମାନ୍ୟତମ କ୍ଷତି ନ ଘଟୁ! ଏଭଳି ସଂକଟ କାଳରେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ସରକାରଙ୍କ ଲାଗି କୌଣସି କଠୋର ନିଷ୍ପତ୍ତି ନେବା କିଭଳି ଦୁଃସାଧ୍ୟ ହୋଇପାରେ, ତାହା କେବଳ ଅନୁଭବର ବିଷୟ। ତେଣୁ ସମ୍ଭବତଃ ସରକାର ନତମସ୍ତକ ହେଲେ!

Advertisment

‘ନେଟ୍‌ଫ୍ଲିକ୍‌ସ’ରେ ସଦ୍ୟ ମୁକ୍ତିଲାଭ କରିଥିବା ଛଅ ଅଧ୍ୟାୟ ବିଶିଷ୍ଟ ‘ୱେବ୍‌ ସିରିଜ୍‌’ ‘ଆଇ.ସି. ୮୧୪’ ବିଭିନ୍ନ କାରଣରୁ ସମାଲୋଚନାର ଶରବ୍ୟ ଓ ବିବାଦାସ୍ପଦ ହୋଇ ଉଠିଛି। କେବଳ ତାହା ନୁହେଁ, ପ୍ରାୟ ପଚିଶ ବର୍ଷ ତଳର ସଂଘଟିତ ହୃତ୍‌କଂପ ସୃଷ୍ଟିକାରୀ ଯେଉଁ ବିମାନ ଅପହରଣ ଘଟଣା ଉପରେ ‘ୱେବ୍‌ ସିରିଜ୍‌’ଟି ପର୍ଯ୍ୟବସିତ, ସେ ଘଟଣା ମଧ୍ୟ ସ୍ମୃତି-ପଟଳରେ ଜୀବନ୍ତ ହୋଇ ଉଠି ତତ୍କାଳୀନ ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ଓ ଆଭିମୁଖ୍ୟକୁ ପୁନର୍ବାର ଚର୍ଚ୍ଚାର ପରିସର ମଧ୍ୟକୁ ଘେନି ଆସିଛି। ଏବଂ ଏହା ମଧ୍ୟ ସତ ଯେ ପଚିଶ ବର୍ଷର ଦୂରତା ହେତୁ ଇତିମଧ୍ୟରେ ସମଗ୍ର ଘଟଣାକ୍ରମ ପ୍ରତି ସାଧାରଣ ଦୃଷ୍ଟିଭଙ୍ଗୀରେ ମଧ୍ୟ କେତେକ ପରିବର୍ତ୍ତନ ଘଟିଛି। ଏହି ପରିପ୍ରେକ୍ଷୀରେ ଏ ସମସ୍ତ ବିଷୟକୁ ନେଇ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ମଧ୍ୟ ସୃଷ୍ଟି ହୋଇଛି। 
୧୯୯୯ ମସିହା ଡିସେମ୍ବର ମାସ ୨୪ ତାରିଖରେ କାଠମାଣ୍ଡୁରୁ ଦିଲ୍ଲୀ ଅଭିମୁ‌େଖ ଉଡ଼ାଣ ଭରିଥିବା ଇଣ୍ଡିଆନ ଏୟାର୍‌ଲାଇନ୍‌ସ ବିମାନ ଆଇ.ସି. ୮୧୪ ମାତ୍ର କେଇ ମିନିଟ୍‌ ମଧ୍ୟରେ ଅପହୃତ ହୋଇ ଲାହୋର ଅଭିମୁ‌େଖ ଯାତ୍ରା କରିଥିଲା, କିନ୍ତୁ ଅବତରଣର ଅନୁମତି ନ ପାଇ ତାହା ଅଗତ୍ୟା ଅମୃତସର ବିମାନ ବନ୍ଦରରେ ଅବତରଣ କରିଥିଲା। ସେତେବେଳକୁ ବିମାନଟିର ପ୍ରାୟ ଶୁଷ୍କ ଇନ୍ଧନ ଟାଙ୍କିରେ ପେଟ୍ରୋଲ ଭରିବା ଲାଗି ଆତଙ୍କବାଦୀମାନଙ୍କ ଦାବି ପୂରଣ ହେବାର ସମ୍ଭାବନା ନ ‌େଦଖି ସେମାନେ ପାଇଲଟ୍‌ଙ୍କୁ ବାଧ୍ୟ କରାଇ ପୁନର୍ବାର ତାକୁ ଲାହୋର ଅଭିମୁଖେ ଘେନି ଯାଇଥିଲେ, ଯେଉଁଠି ପାଇଲଟ ଦେବୀ ଶରଣ ବିମାନଟିକୁ କୌଣସିମ‌େତ ଅବତରଣ କରାଇଥିଲେ। ସେଠାରେ ଇନ୍ଧନ ଭରିବା ପରେ ତାଲିବାନ ଶାସିତ ଆଫଗାନିସ୍ତାନର କାନ୍ଦାହାରରେ ଓହ୍ଲାଇଥିଲା, ଯେଉଁ ଆତଙ୍କବାଦୀ ଶାସିତ ନିଃସଙ୍ଗ ରାଷ୍ଟ୍ରରେ ଭାରତର ପଦଚିହ୍ନ ଅଦୃଶ୍ୟ ଥିବା ବେଳକୁ ପାକିସ୍ତାନର ‘ଆଇ.ଏସ୍‌.ଆଇ.’ ତାହାକୁ ନିଜ କ୍ରୀଡ଼ାଙ୍ଗନରେ ପରିଣତ କରି ସାରିଥିଲା। ଏଭଳି ଏକ ସ୍ଥିତିରେ ଆପୋସ ଆଲୋଚନା ଲାଗି ସମସ୍ତ ଦ୍ବାର ଅବରୁଦ୍ଧ ହୋଇ ଯାଇଥିଲା ଏବଂ ଭାରତ ସରକାର ଅପହର୍ତ୍ତାମାନଙ୍କ ସମସ୍ତ ସର୍ତ୍ତ ପୂରଣ କରିବାକୁ ବାଧ୍ୟ ହୋଇଥିଲେ। ଏହି ପ୍ରକରଣରେ ପାଞ୍ଚ ଅପହର୍ତ୍ତାଙ୍କ ସମକ୍ଷରେ ଭାରତର ବିଶାଳ ରାଷ୍ଟ୍ରଶକ୍ତି ଅସହାୟ ଭାବେ ନତଜାନୁ ହୋଇଯିବା ଥିଲା ଉଭୟ ଚରମ ଅସ୍ବସ୍ତି ଓ ଅପମାନର ବିଷୟ। କହିବା ବାହୁଲ୍ୟ, ସେହି ଘଡ଼ିସନ୍ଧି ସମୟରେ ଦୃଢ଼ ଅଥଚ ଅପ୍ରିୟ ନିଷ୍ପତ୍ତି ନେବାର ଅସାମର୍ଥ୍ୟ ତତ୍କାଳୀନ ସରକାରଙ୍କୁ ଏ ଯାବତ୍‌ ଦୋଷଯୁକ୍ତ କରି ରଖିଛି।
ଏବେ ଆଲୋଚ୍ୟ ‘ୱେବ୍‌ ସିରିଜ୍‌’ଟି କେଉଁ କାରଣରୁ ବିବାଦାସ୍ପଦ ହୋଇଛି! ପ୍ରଥମତଃ ପାଞ୍ଚ ଅପହର୍ତ୍ତାଙ୍କ ନାମରେ ଦୁଇଟି ବହୁଳ ବ୍ୟବହୃତ ହିନ୍ଦୁ ନାମର ଉପସ୍ଥିତି, ଯଥା ଭୋଲା ଓ ଶଙ୍କର; ଅନ୍ୟ ତିନିଟି ନାମରେ ସାଂପ୍ରଦାୟିକ ଚିହ୍ନ ନ ଥାଏ, ଯେମିତି ଚିଫ୍, ଡକ୍ଟର ଓ ବର୍ଗର। ଏ ନେଇ ବିବାଦର କାରଣ ହେଲା ଏହା ଯେ ଶଂସିତ ଅପହରଣ ସଂପର୍କରେ ଅଜ୍ଞ ବା ସ୍ବଳ୍ପ ଜ୍ଞାନ ରଖିଥିବା ବର୍ତ୍ତମାନ ପିଢ଼ିର ଦର୍ଶକ ଗୋଷ୍ଠୀଙ୍କ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହେବାର ସମ୍ଭାବନା ଯେ ଏଥିରେ କେତେକ ହିନ୍ଦୁ ମଧ୍ୟ ସାମିଲ ଥିଲେ! ତେବେ, ଏ ନେଇ ସରକାରଙ୍କ ଦୃଢ଼ ଆପତ୍ତିି ହେତୁ ‘ନେଟ୍‌ଫ୍ଲିକ୍‌ସ’ ପକ୍ଷରୁ ସମସ୍ତ ପାଞ୍ଚ ପାକିସ୍ତାନୀ ଇସଲାମୀ ଆତଙ୍କବାଦୀଙ୍କ ପ୍ରକୃତ ନାମ ଉଲ୍ଲେଖ କରାଯାଇ ସେମାନେ ବ୍ୟବହାର କରୁଥିବା ନାମଗୁଡ଼ିକ ଛଦ୍ମ ପରିଚୟ ଥିଲା ବୋଲି ସ୍ପଷ୍ଟ କରାଯାଇଛି। ସୁତରାଂ, ସଂଶୟ ଦୂରୀଭୂତ ହୋଇଛି, ଯଦିଓ ତଥ୍ୟ ଦୃଷ୍ଟିରୁ ଏହା ହିଁ ସତ୍ୟ! କିନ୍ତୁ, ଏ ସିରିଜ୍‌ରେ ଯେଉଁ ତଥ୍ୟଗତ ପ୍ରମାଦ, ଗବେଷଣାର ଅଭାବ ଓ ଅର୍ବାଚୀନସୁଲଭ ଅବତାରଣାମାନ ରହିଛି, ତାହା ମଧ୍ୟ ଏହି କ୍ରମରେ ଆଲୋଚିତ ହେବାରେ ଲାଗିଛି; ଯେମିତି କି ଗୁପ୍ତ ସୂଚନା ପାଇ ବିମାନଟିକୁ କାଠମାଣ୍ଡୁରୁ ଉଡ଼ିଯିବାକୁ ନଦେବା ଲାଗି ଭାରତୀୟ ଗୁଇନ୍ଦା ସଂସ୍ଥା ‘ଆର୍‌.ଏ.ଡବ୍ଲ୍ୟୁ’ର ଜଣେ ଅଧିକାରୀଙ୍କ ପ୍ରାଣାନ୍ତକ ଉଦ୍ୟମ ପଣ୍ଡ ହେବା କିମ୍ବା ଏହି ଅପହରଣର ‘ମାଷ୍ଟର୍‌ମାଇଣ୍ଡ୍‌’ ରୂପେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ‘ଆଇଏସ୍‌ଆଇ’ ପରିବର୍ତ୍ତେ ଜଣେ ଆଫଗାନ ବ୍ୟକ୍ତିଙ୍କୁ ଦେଖାଇବା ଅଥବା ଅପହରଣ ପରବର୍ତ୍ତୀ ଅନୁସନ୍ଧାନ କାଳରେ ଭାରତୀୟ ଗୁଇନ୍ଦା ସଂସ୍ଥା ‘ଆର୍‌.ଏ.ଡବ୍ଲ୍ୟୁ’ ଦ୍ବାରା କିଛି ନେପାଳୀ ନାଗରିକଙ୍କ ଉପରେ ଅତ୍ୟାଚାର କରାଯିବା ଇତ୍ୟାଦି। କୌଣସି ଚଳଚ୍ଚିତ୍ର ନିର୍ମାଣ ପୂର୍ବରୁ ସଘନ ଗବେଷଣାରେ ପ୍ରବୃତ୍ତ ରହିବା ଏହାର ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଏକ ବଳିଷ୍ଠ ଦିଗ ହୋଇଥିବାରୁ ସେହି ସମୟର ଖବରକାଗଜ ‘ନ୍ୟୁଜ୍‌ ରୁମ୍‌’ ବା ‘ବିଦେଶ ମନ୍ତ୍ରୀଙ୍କ ଦପ୍ତର ଇତ୍ୟାଦିର ବାସ୍ତବ ଉପସ୍ଥାପନା‌େର ସେ ବିଫଳ ହୋଇଛନ୍ତି ବୋଲି ମଧ୍ୟ ସମାଲୋଚିତ ହେଉଛନ୍ତି। କେବଳ ସେତିକି ନୁହେଁ, ସେହି ଅପହରଣକାଳୀନ ଯନ୍ତ୍ରଣାକୁ ପ୍ରତ୍ୟକ୍ଷ ଭୋଗିଥିବା ଯାତ୍ରୀମାନେ ଏହା ଦେଖିବା ପରେ ପ୍ରାୟତଃ ଏକମତ ହୋଇଥାଆନ୍ତି ଯେ ସାତ ଦିନ କାଳ ବିମାନରେ ରାଜୁତି କରିଥିବା ଅସହନୀୟ ସଂତ୍ରାସର ବାତାବରଣକୁ ଅନେକ ପରିମାଣରେ ହାଲୁକା କରି ଦିଆଯାଇଛି ଏବଂ ଆତଙ୍କବାଦୀମାନଙ୍କୁ ଏକ କୋମଳ ଆଲୋକରେ ଦର୍ଶାଇବାର ଉଦ୍ୟମ ହୋଇଛି। ସେହି କାରଣରୁ ସମ୍ଭବତଃ ବୀର ସଂଗଭିଙ୍କ ଭଳି ବରିଷ୍ଠ ସାମ୍ବାଦିକ ଏହି ସିରିଜକୁ ‘ଆଇ.ଏସ୍‌.ଆଇ.’ର ପ୍ରେସ୍‌ ବାର୍ତ୍ତା ଭଳି ଦେଖିଥାଆନ୍ତି!
ଏହି ଘଟଣା‌ରେ ଅକ୍ଷମଣୀୟ ତ୍ରୁଟି ପରିଦୃଷ୍ଟ ହୋଇଥିଲା ଅମୃତସର ବିମାନ ବନ୍ଦରରେ ଅପହୃତ ବିମାନଟିକୁ ଅଟକାଇ ରଖିବାରେ ବିଫଳତାରେ। ଏହା ମଧ୍ୟ ବିଶେଷ ଜଟିଳ ବା କଷ୍ଟପ୍ରଦ ନ ଥିଲା; ଇନ୍ଧନ ଦେବା ଆଳରେ ଏକ ପେଟ୍ରୋଲ ଟ୍ୟାଙ୍କରକୁ କୌଣସିମତେ ବିମାନ ସମ୍ମୁଖରେ ଛିଡ଼ା କରାଇ ଦିଆଯାଇଥିଲେ ତାହା ସଂପୂର୍ଣ୍ଣ ହୋଇଥାଆନ୍ତା। କିନ୍ତୁ ଇତସ୍ତତଃ ଦୌଡ଼ାଦୌଡ଼ି ଓ ସମନ୍ବୟର ଅଭାବ ହେତୁ ସେହି ମହାର୍ଘ ୪୦ ମିନିଟର ଅପଚୟ ଘଟିଥିଲା, ଯାହା ପରେ ବିମାନଟି ଲାହୋର ଅଭିମୁଖେ ଉଡ଼ିଯାଇଥିଲା। ପାଇଲଟ୍‌ ନିରୁପାୟ ଥିଲେ, କାରଣ ରୂପେନ କାତ୍ୟାଲ ନାମକ ଜଣେ ଯାତ୍ରୀଙ୍କୁ ହତ୍ୟା କରି ସେହି ରକ୍ତଲଗା ଛୁରୀ ଦେଖାଇ ଆତଙ୍କବାଦୀମାନେ ଧମକ ଦେଇଥିଲେ ଯେ ବିମାନକୁ ଉଡ଼ାଇ ନ ନେଲେ ପ୍ରତି ଦଶ ମିନିଟ୍‌ରେ ଜଣେ ଯାତ୍ରୀଙ୍କୁ ହତ୍ୟା କରିବେ। ବିମାନ ଅପହରଣକୁ ପଣ୍ଡ କରିବା ଲାଗି ବିଶେଷ ତାଲିମପ୍ରାପ୍ତ ‘ଏନ୍‌.ଏସ୍‌.ଜି.’ କମାଣ୍ଡୋମାନଙ୍କ ‌େଡରା ଥିଲା ୪୧୦ କିଲୋମିଟର ଦୂରସ୍ଥ ମାନେସର ଠାରେ, ଯେଉଁଠାରୁ ସେମାନେ ଆସି ପହଞ୍ଚି ପାରି ନ ଥିଲେ! ଏବଂ ଏ ସମଗ୍ର ପ୍ରକରଣରେ ଯାହା ତୀବ୍ର ବେଦନାଦାୟକ ଥିଲା, ତାହା ହେଲା ପ୍ରାୟ ଦୁଇ ଦଶନ୍ଧି ଧରି ଆତଙ୍କବାଦକୁ ଭୋଗି ଆସିଥିବା ପଞ୍ଜାବ ଏଭଳି ସଂକଟର ମୁକାବିଲା ଲାଗି ସଂପୂର୍ଣ୍ଣ ଅପ୍ରସ୍ତୁତ ଥିଲା। ବିମାନଟି ଅମୃତସର ପରିତ୍ୟାଗ କରିବା ସହିତ ଘଟଣାଟି ଭାରତ ସରକାରଙ୍କ କର୍ତ୍ତୃତ୍ବ ବାହାରକୁ ଚାଲିଯାଇଥିଲା। 
ଅନେକଙ୍କ ମତରେ ତଥାପି ସରକାର ଘଟଣାକୁ କର୍ତ୍ତୃତ୍ବରେ ରଖି ପାରିଥାଆନ୍ତେ, ଯଦି ଆତଙ୍କବାଦୀଙ୍କ ଦାବି ଆଗରେ ନତମସ୍ତକ ହୋଇ ନ ଥାଆନ୍ତେ, ଯଦିଓ ତାହା ଏକ ଅତ୍ୟନ୍ତ ଅପ୍ରିୟ ନିଷ୍ପତ୍ତି ହୁଅନ୍ତା, କିନ୍ତୁ ତାହା ଦୃଷ୍ଟାନ୍ତମୂଳକ ମଧ୍ୟ ହୋଇଥାଆନ୍ତା! କିନ୍ତୁ, ଏହା କହିଲା ବେଳେ ସେ ସମୟର ପରିବେଶ ଉପରେ ଟିକିଏ ଦୃଷ୍ଟି ନିକ୍ଷେପ କରିବା। ଅପହରଣର କାଳଖଣ୍ଡଟି ଥିଲା ବିଂଶ ଶତାବ୍ଦୀର ଅସ୍ତ ଏବଂ ଏକବିଂଶ ଶତାବ୍ଦୀର ଉଦୟ ମଧ୍ୟବର୍ତ୍ତୀ ସାତ ଦିନ! ଆନନ୍ଦ-ଉତ୍ସବମୁଖର ପୃଥିବୀରେ ଏକମାତ୍ର ବିଷଣ୍ଣ ରାଷ୍ଟ୍ର ଭାରତ, ଯାହାର କାରଣ ଏହି ବିମାନ ଅପହରଣ! ଦିଲ୍ଲୀରେ ଅପହୃତ ଯାତ୍ରୀମାନଙ୍କ ନିକଟ ସଂପର୍କୀୟମାନଙ୍କ ଭିଡ଼ ଓ ଆନ୍ଦୋଳନର ଦୃଶ୍ୟ। ଅପହୃତ ଯାତ୍ରୀଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ଲାଗି ସମଗ୍ର ଦେଶ ପ୍ରାର୍ଥନାରତ; ମାସୁଦ ଅଜହର ବା ତା’ ଭଳି ଆଉ ଦୁଇ ଆତଙ୍କବାଦୀ କାଶ୍ମୀରର ଜେଲ୍‌ରୁ ମୁକ୍ତ ହୋଇଯାଆନ୍ତୁ ପଛକେ କୌଣସି ଯାତ୍ରୀଙ୍କ ସାମାନ୍ୟତମ କ୍ଷତି ନ ଘଟୁ! ଏଭଳି ସଂକଟ କାଳରେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ସରକାରଙ୍କ ଲାଗି କୌଣସି କଠୋର ନିଷ୍ପତ୍ତି ନେବା କିଭଳି ଦୁଃସାଧ୍ୟ ହୋଇପାରେ, ତାହା କେବଳ ଅନୁଭବର ବିଷୟ। ତେଣୁ ସମ୍ଭବତଃ ସରକାର ନତମସ୍ତକ ହେଲେ! ପ୍ରସିଦ୍ଧ ଅସ୍ତିତ୍ବବାଦୀ ଲେଖକ ଆଲବର୍ଟ କାମ୍ୟୁଙ୍କ ଉକ୍ତିଟି ସ୍ମରଣକୁ ଆସିଗଲା: ଯଦି ମୋ ମା’ ଓ ନ୍ୟାୟ ମଧ୍ୟରୁ କେଉଁ ଗୋଟିକୁ ବାଛିବାକୁ କୁହାଯାଏ, ମୁଁ ମୋ ମା’କୁ ବାଛିବି। କାରଣ ମୋ ମା’କୁ ଆଘାତ କଲେ ସେ ଯନ୍ତ୍ରଣା ଜର୍ଜର ହେବ, କିନ୍ତୁ ‘ନ୍ୟାୟ’ ଲାଂଛିତ ହେଲେ ତାକୁ କଷ୍ଟ ହେବ ନାହିଁ।’ ଅର୍ଥାତ୍‌ ନ୍ୟାୟ ଏକ କଳ୍ପିତ ଆଦର୍ଶ, କିନ୍ତୁ ମା’ ରକ୍ତମାଂସଧାରୀ ପ୍ରିୟ ମଣିଷ। ସେ ଦିନ ଭାରତରେ କାମ୍ୟୁଙ୍କ ବିଜୟ ଘଟିଲା। ଏହା ସତ ନୁହେଁ କି ଯେ ଏକ ଆନୁମାନିକ ପରିସ୍ଥିତିରେ କୌଣସି ଆଦର୍ଶଗତ ନିଷ୍ପତ୍ତି ନେବାର ଟାଣପଣ ସହଜ ହେଉଥିଲେ ହେଁ ବାସ୍ତବ ଘଡ଼ିସନ୍ଧି କ୍ଷଣରେ ତାହା ସାଧ୍ୟାତୀତ ହୋଇପାରେ!