ଶ୍ରେଣୀ ଗୃହରେ ଶିକ୍ଷାଦାନରେ ରହିଥିବା ଅଭାବ ପୂରଣ ନିମିତ୍ତ ଘରୋଇ କୋଚିଙ୍ଗ ବ୍ୟବସାୟର ଆବିର୍ଭାବ ଘଟିଛି। ପ୍ରତିେଯାଗିତା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ହେଉଛି ଘରୋଇ କୋଚିଙ୍ଗର ଏକମାତ୍ର ଲକ୍ଷ୍ୟ; ଯେଉଁ ଶିକ୍ଷା ମାଧ୍ୟମରେ ଆଦର୍ଶ ନାଗରିକ ପ୍ରସ୍ତୁତ ହେବେ ବୋଲି ବଟ୍ରାଣ୍ଡ ରସେଲ୍ ପରିକଳ୍ପନା କରିଥିଲେ, ତାହା କୋଚିଙ୍ଗ ସେଣ୍ଟର୍ମାନଙ୍କରେ ଉପଲବ୍ଧ ହୋଇ ନ ଥାଏ। ଏଣୁ ମୁଖ୍ୟସ୍ରୋତ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନରେ ଉନ୍ନତି ସାଧନ ହେଉଛି ସମସ୍ୟାର ପ୍ରକୃତ ସମାଧାନ।
ସେଇଭଳି ସମାଜ ହେଉଛି ଏକ ଆଦର୍ଶ ସୁସ୍ଥ ସମାଜ, ଯେଉଁ ସମାଜର ସଦସ୍ୟମାନେ କୌଣସି ଅସାମାଜିକ ଆଚରଣ ପ୍ରଦର୍ଶନ କରିବାକୁ ଇଚ୍ଛା କରନ୍ତି ନାହିଁ। ମହାନ ଦାର୍ଶନିକ ବଟ୍ରାଣ୍ଡ ରସେଲ୍ଙ୍କ ମତରେ ଆମର ଇଚ୍ଛା ତିନିଟି ଉପାଦାନ ଦ୍ବାରା ରୂପ ପରିଗ୍ରହଣ କରିଥାଏ: ଆମର ଅନ୍ତର୍ନିହିତ ପ୍ରବୃତ୍ତି, ଶିକ୍ଷା ଏବଂ ଉପସ୍ଥିତ ପରିସ୍ଥିତି। ରସେଲ୍ଙ୍କ ବିଚାରରେ ଏକ ସମାଜର ସଦସ୍ୟମାନଙ୍କୁ ସେ ସମାଜର ଆଦର୍ଶ ସଦସ୍ୟରେ ପରିଣତ କରିବା ପାଇଁ ଏଥିମଧ୍ୟରୁ ଯେଉଁଟିକୁ ସର୍ବାଧିକ ଫଳପ୍ରଦ ଉପାୟ ରୂପେ ବ୍ୟବହାର କରାଯାଇ ପାରିବ, ତାହା ହେଉଛି- ଶିକ୍ଷା। ଶିକ୍ଷା ମାଧ୍ୟମରେ ହିଁ ବିନା ବାଧ୍ୟବାଧକତାରେ ଲୋକମାନଙ୍କର ଇଚ୍ଛାକୁ ଏପରି ବାଟରେ ପକାଇ ଦିଆଯାଇ ପାରିବ, ଯେପରି ସେମାନେ ଆପଣାଛାଏଁ ସର୍ବଦା ଉତ୍ତମ ସାମାଜିକ ଆଚରଣ ପ୍ରଦର୍ଶନ କରିବାରେ ପ୍ରବୃତ୍ତ ହେବେ। ଏହାର ଅର୍ଥ, ପିଲାଟିଏ ଯେତେବେଳେ ଶିକ୍ଷା ଲାଭ କରେ, ତା’ ଦ୍ବାରା କେବଳ ତା’ର ନିଜର ମଙ୍ଗଳ ସାଧିତ ହୋଇ ନ ଥାଏ, ସମଗ୍ର ସମାଜର ମଙ୍ଗଳ ସାଧିତ ହୋଇଥାଏ। ଏହି କାରଣରୁ ଅର୍ଥଶାସ୍ତ୍ରରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ଏକ ବ୍ୟକ୍ତିଗତ ଦ୍ରବ୍ୟ ରୂପେ ବିବେଚନା ନ କରି ଏକ ସାର୍ବଜନୀନ ଦ୍ରବ୍ୟ ରୂପେ ବିବେଚନା କରାଯାଇଥାଏ।
ଏଭଳି ଗୁରୁତ୍ବପୂର୍ଣ୍ଣ ସାର୍ବଜନୀନ ଦ୍ରବ୍ୟର ଯୋଗାଣ ଦାୟିତ୍ବ ତେଣୁ ଘରୋଇ ଉଦ୍ୟମରେ ସୀମିତ ନ କରି ଖୋଦ୍ ସମାଜ ନିଜର ମଙ୍ଗଳ ସାଧନ ନିମିତ୍ତ ଏହା ନିଶ୍ଚିତ କରିବା ଜରୁରି ବୋଲି ଅର୍ଥଶାସ୍ତ୍ରୀ, ସମାଜ ବିଜ୍ଞାନୀ ଓ ଦାର୍ଶନିକମାନେ ଏକମତ ହୋଇଥାନ୍ତି। ଅନ୍ୟ ପ୍ରକାରେ କହିଲେ, ବିଦ୍ୟାଳୟରେ ଶିକ୍ଷାଦାନ ଏପରି ସଂପୂର୍ଣ୍ଣ ହେବା ଉଚିତ, ଯେପରି ପିଲାଟିକୁ ନିଜ ଉଦ୍ୟମରେ ଘରୋଇ ସୂତ୍ରରୁ ସେଥିରେ ଥିବା ଅଭାବ ପୂରଣ କରିବାକୁ ନ ପଡ଼େ। ଏହି ପରିପ୍ରେକ୍ଷୀରେ ବିଚାର କଲେ ଏ ସଂପର୍କରେ ଏକ ସର୍ବେକ୍ଷଣରୁ ଭାରତ ସମ୍ବନ୍ଧରେ ଯେଉଁ ଚିତ୍ର ଉପଲବ୍ଧ ହୋଇଥାଏ ତାହାକୁ ଆଦର୍ଶସ୍ଥାନୀୟ ବୋଲି କୁହାଯାଇ ପାରିବ ନାହିଁ। ଉପରେ କୁହାଯାଇଥିବା ଘରୋଇ ସୂତ୍ରର ଶିକ୍ଷାର୍ଥୀମାନଙ୍କର ଅଭାବ ପୂରଣ ବା ଘରୋଇ କୋଚିଙ୍ଗକୁ ଯଦି ଛାୟା ଶିକ୍ଷାଦାନ ରୂପେ ଅଭିହିତ କରାଯାଏ, ତେବେ ଭାରତରେ ଏକ ସମାନ୍ତରାଳ ଛାୟା ଶିକ୍ଷାଦାନ ବ୍ୟବସ୍ଥା କାୟା ବିସ୍ତାର କରିଛି ବୋଲି ଏହି ସଦ୍ୟତମ ‘କମ୍ପ୍ରିହେନ୍ସିଭ୍ ମଡ୍ୟୁଲାର୍ ସର୍ଭେ ଅନ୍ ଏଜୁକେସନ୍’ (‘ସିଏମ୍ଏସ୍ଇ’) ରିପୋର୍ଟରୁ ଜଣାପଡ଼ିଥାଏ।
ଏହା ଅନୁସାରେ ଚଳିତ ଶିକ୍ଷା ବର୍ଷରେ ଭାରତୀୟ ସ୍କୁଲମାନଙ୍କରେ ପ୍ରାୟ ପ୍ରତି ତିନି ଜଣରେ ଜଣେ ଛାତ୍ର ଶିକ୍ଷା ଲାଭରେ ଥିବା ଅଭାବ ପୂରଣ ନିମିତ୍ତ ଘରୋଇ କୋଚିଙ୍ଗ ଉପରେ ନିର୍ଭର କରିଥାଏ। ଦେଶର ସହରାଞ୍ଚଳରେ ଏହି ଧାରା ଅଧିକ ପରିଲକ୍ଷିତ ହୋଇଥିବା ବେଳେ, ଗ୍ରାମାଞ୍ଚଳରେ ଏହାର ଉପସ୍ଥିତି ମଧ୍ୟ ନଗଣ୍ୟ ନୁହେଁ ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି। ଆମର ବିଦ୍ୟାଳୟମାନଙ୍କରେ ଉପଲବ୍ଧ ଶିକ୍ଷାଦାନରେ କ’ଣ ଅଭାବ ରହିଛି ଏବଂ ଏହି ଅଭାବ ପୂରଣ ନିମିତ୍ତ ସମାଜ କାହିଁକି ଅନିୟନ୍ତ୍ରିତ ଘରୋଇ କୋଚିଙ୍ଗ ବ୍ୟବସାୟ ଉପରେ ନିର୍ଭର କରୁଛି, ସେ ସମ୍ବନ୍ଧରେ ଗୁରୁତର ଭାବରେ ଚିନ୍ତା କରିବା ଲାଗି ଏହି ସର୍ବେକ୍ଷଣ ରିପୋର୍ଟ ହେଉଛି ଏକ ଆହ୍ବାନ। ସେଥିରେ ପ୍ରଦତ୍ତ କେତେକ ପରିସଂଖ୍ୟାନ ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କଲେ ଏ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ଉପଲବ୍ଧ ହୋଇଥାଏ।
ଦେଶର ସହରାଞ୍ଚଳର ୩୧ ଶତାଂଶ ଛାତ୍ରଛାତ୍ରୀ ଘରୋଇ କୋଚିଙ୍ଗ ଗ୍ରହଣ କରୁଥିବା ବେଳେ, ଗ୍ରାମାଞ୍ଚଳରେ ଏହି ଅନୁପାତ ହେଉଛି ୨୫.୫ ଶତାଂଶ। ସମଗ୍ର ଦେଶ ପାଇଁ ଏହି ଅନୁପାତ ହେଉଛି ୨୭ ଶତାଂଶ। ଓଡ଼ିଶାରେ ଅର୍ଦ୍ଧାଧିକ ପିଲା, ୫୭ ପ୍ରତିଶତ ଘରୋଇ କୋଚିଙ୍ଗ ଉପରେ ନିର୍ଭର କରୁଥିବା ବେଳେ ରାଜ୍ୟର ସହରାଞ୍ଚଳରେ ଏହି ଅନୁପାତ ହେଉଛି ୬୬.୬ ଶତାଂଶ ଓ ଗ୍ରାମାଞ୍ଚଳରେ ତାହା ହେଉଛି ୫୪.୬ ଶତାଂଶ। ଦେଶରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୩୭ ଶତାଂଶ ଘରୋଇ କୋଚିଙ୍ଗ ଉପରେ ନିର୍ଭର କରିଥାନ୍ତି। ସହରାଞ୍ଚଳର ଏକ ପରିବାର ଘରୋଇ କୋଚିଙ୍ଗ ପାଇଁ ବର୍ଷକୁ ହାରାହାରି ପ୍ରାୟ ୪୦୦୦ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହା କମ୍ ହୋଇଥିଲେ ହେଁ ପରିବାର ପାଇଁ ଏକ ଆର୍ଥିକ ବୋଝ ସୃଷ୍ଟି କରିଥାଏ। ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଖର୍ଚ୍ଚ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।
ଏହି ସମସ୍ତ ସଂଖ୍ୟାମାନ ଦେଖିଲେ ଦେଶରେ ଏକ ବିଧିବଦ୍ଧ ସମାନ୍ତରାଳ ଛାୟା ଶିକ୍ଷା ବ୍ୟବସ୍ଥା କାର୍ଯ୍ୟ କରୁଥିବା ନେଇ କୌଣସି ସନ୍ଦେହ ରହେ ନାହିଁ। ଏହାର ଉପସ୍ଥିତିର ଦ୍ବିବିଧ କାରଣ ହେଉଛନ୍ତି ନିଜର ସନ୍ତାନସନ୍ତତିଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ନିମିତ୍ତ ପିତାମାତାଙ୍କର ବ୍ୟାକୁଳତା ଏବଂ ମୁଖ୍ୟସ୍ରୋତ ବିଦ୍ୟାଳୟମାନଙ୍କ ଉପରେ ଏଭଳି ଶିକ୍ଷାଦାନ ବାବଦରେ ପିତାମାତାଙ୍କର ଭରସାର ଅଭାବ। ତୀବ୍ର ପ୍ରତିଯୋଗିତା ଓ ସହପାଠୀଙ୍କ ଚାପ ଯୋଗୁଁ ମଧ୍ୟ ଅନେକ ଛାତ୍ରଛାତ୍ରୀ କୋଚିଙ୍ଗ ସେଣ୍ଟର୍ ଦିଗରେ ମୁହଁାଇଥାନ୍ତି। ଘରୋଇ କୋଚିଙ୍ଗ ପିଲାମାନେ ସମ୍ମୁଖୀନ ହେଉଥିବା ଚାପ ହ୍ରାସ ପରିବର୍ତ୍ତେ ସେଥିରେ ଯେ ବୃଦ୍ଧି ଘଟାଇଥାଏ, ଏଭଳି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିୟମିତ ଭାବରେ ଘଟୁଥିବା ଆତ୍ମହତ୍ୟା ଘଟଣାମାନ ହେଉଛି ତାହାର ଭୟଙ୍କର ନିଷ୍ଠୁର ପ୍ରମାଣ। ସ୍କୁଲ ସମୟ ବାହାରେ ଘରୋଇ କୋଚିଙ୍ଗ ଓ ହୋମ୍ୱର୍କର ମିଳିତ ଚାପ ପିଲା ପାଇଁ କିଛି ହେଲେ ମୁକ୍ତ ସମୟ ଛାଡ଼ି ନ ଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ।
ସରକାରୀ ସ୍କୁଲମାନଙ୍କରେ ପ୍ରବେଶରେ ଏକ ହ୍ରାସମାନ ଧାରା ଏହି ସର୍ବେକ୍ଷଣରେ ପରିଲକ୍ଷିତ ହୋଇଛି। ୧୯୭୦ ଦଶକରେ ସରକାରୀ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀମାନଙ୍କର ପ୍ରବେଶ ଅନୁପାତ ପ୍ରାୟ ୭୪ ଶତାଂଶ ଥିବାବେଳେ ତାହା ବର୍ତ୍ତମାନ ୫୧-୫୬ ଶତାଂଶକୁ ହ୍ରାସ ପାଇଲାଣି। କିନ୍ତୁ ସରକାରୀ ସ୍କୁଲରେ ପିଲା ପାଇଁ ବ୍ୟୟବୋଝ ଘରୋଇ ସ୍କୁଲ ଠାରୁ ବେଶ୍ କମ୍ ହୋଇଥାଏ ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି: ସରକାରୀ ସ୍କୁଲରେ ଜଣେ ପିଲାର ବାର୍ଷିକ ପଢ଼ାଖର୍ଚ୍ଚ ହାରାହାରି ୨,୮୬୩ ଟଙ୍କା ହୋଇଥିବା ବେଳେ, ଘରୋଇ ସ୍କୁଲରେ ତାହା ହୋଇଥାଏ ୨୫,୦୦୦ ଟଙ୍କା। ତେବେ ବିଡ଼ମ୍ବନା ହେଲା, ଘରୋଇ ସ୍କୁଲରେ ଭର୍ତ୍ତି ହୋଇ ବ୍ୟୟବହୁଳ ଶିକ୍ଷା ଲାଭ କରୁଥିବା ପିଲାମାନଙ୍କୁ ମଧ୍ୟ ସେମାନଙ୍କର ପିତାମାତାମାନେ ଘରୋଇ କୋଚିଙ୍ଗ ପାଇଁ ପଠାଇଥାନ୍ତି।
ଘରୋଇ କୋଚିଙ୍ଗ ସେଣ୍ଟର୍ମାନ ଦେଶ ସାରା ବିକ୍ଷିପ୍ତ ହୋଇ ରହିଥିବା ବେଳେ, ରାଜସ୍ଥାନର କୋଟା ପରି ସ୍ଥାନମାନଙ୍କରେ ତାହା ବିଶାଳ ବ୍ୟବସାୟରେ ପରିଣତ ହୋଇଛି। ସେଠାରେ ନିୟମିତ ଭାବରେ ଘଟୁଥିବା ଚାପଜନିତ ଆତ୍ମହତ୍ୟା ଏକ ଜାତୀୟ ଲଜ୍ଜାରେ ପରିଣତ ହୋଇଛି। ସେଠାରେ ଶିକ୍ଷାଦାନର ମାନ ନିୟନ୍ତ୍ରଣ, ଫି ନିୟନ୍ତ୍ରଣ ପାଇଁ ଏବଂ ଛାତ୍ରଛାତ୍ରୀମାନଙ୍କର ମଙ୍ଗଳ ନିଶ୍ଚିତ କରିବା ପାଇଁ ରାଜସ୍ଥାନ ସରକାର ୨୦୨୫ରେ ଏକ ଆଇନ ପ୍ରଣୟନ କରିଛନ୍ତି, ଯାହାକୁ ଅନ୍ୟ ରାଜ୍ୟମାନେ ଅନୁକରଣ କରିପାରନ୍ତି। ତେବେ ଏଭଳି ପଦକ୍ଷେପ ସ୍ବାଗତଯୋଗ୍ୟ ହୋଇଥିଲେ ମଧ୍ୟ ଏହା ସମସ୍ୟାର ପ୍ରକୃତ ସମାଧାନ ନୁହେଁ।
ଶ୍ରେଣୀ ଗୃହରେ ଶିକ୍ଷାଦାନରେ ରହିଥିବା ଅଭାବ ପୂରଣ ନିମିତ୍ତ ଘରୋଇ କୋଚିଙ୍ଗ ବ୍ୟବସାୟର ଆବିର୍ଭାବ ଘଟିଛି। ପ୍ରତିେଯାଗିତା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ହେଉଛି ଘରୋଇ କୋଚିଙ୍ଗର ଏକମାତ୍ର ଲକ୍ଷ୍ୟ; ଯେଉଁ ଶିକ୍ଷା ମାଧ୍ୟମରେ ଆଦର୍ଶ ନାଗରିକ ପ୍ରସ୍ତୁତ ହେବେ ବୋଲି ବଟ୍ରାଣ୍ଡ ରସେଲ୍ ପରିକଳ୍ପନା କରିଥିଲେ, ତାହା କୋଚିଙ୍ଗ ସେଣ୍ଟର୍ମାନଙ୍କରେ ଉପଲବ୍ଧ ହୋଇ ନ ଥାଏ। ଏଣୁ ମୁଖ୍ୟସ୍ରୋତ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନରେ ଉନ୍ନତି ସାଧନ ହେଉଛି ସମସ୍ୟାର ପ୍ରକୃତ ସମାଧାନ। ନଚେତ ଘରୋଇ କୋଚିଙ୍ଗ ଦ୍ବାରା ପ୍ରସ୍ତୁତ ହୋଇଥିବା ବ୍ୟକ୍ତିଗତ ଭାବରେ ସଫଳ ନାଗରିକମାନଙ୍କର ସମଷ୍ଟିରୁ ଏକ ବିଫଳ ସମାଜ ସୃଷ୍ଟି ହେବା ସାର ହେବ।