ବିକାଶଶୀଳ ଓ ଅଣ-ବିକଶିତ ରାଷ୍ଟ୍ରଗୁଡ଼ିକୁ ସବୁଜ ଶକ୍ତି ଉତ୍ପାଦନ ଲାଗି ଜ୍ଞାନକୌଶଳ ଓ ଅର୍ଥ ସାହାଯ୍ୟ କରିବା ଲାଗି ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ କୁଣ୍ଠିତ, ଯାହା ସେମାନଙ୍କୁ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ ହେବାରୁ ରକ୍ଷା କରନ୍ତା। ତେେବ, କେବଳ ଏହି ଭଳି ଉଦାସୀନତା ନୁହେଁ, ଆତ୍ମ ପ୍ରବଞ୍ଚନା ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ, ଯେତେବେଳେ ଜଳବାୟୁ ପରିବର୍ତ୍ତନକୁ ନେଇ ସୃଷ୍ଟ ଉଦ୍ବେଗ ଓ ଉଚ୍ଚାଟକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ମିଛ କୁହାଟ ବୋଲି ଆଖ୍ୟା ଦିଅନ୍ତି ଏବଂ ବିଲ୍ ଗେଟ୍ସଙ୍କ ଭଳି ବିଜ୍ଞ ଓ ବିଚାରବନ୍ତ ମଧ୍ୟ କହନ୍ତି ଯେ ଜଳବାୟୁ ବିଭୀଷିକାକୁ ନେଇ ମହାପ୍ରଳୟର ବ୍ୟାଖ୍ୟାନ ସୃଷ୍ଟି ଅଯୌକ୍ତିକ।
ଆଜି ଠାରୁ ବ୍ରାଜିଲର ବେଲେମ ଠାରେ ଜାତିସଂଘର ଜଳବାୟୁ ସଂକ୍ରାନ୍ତ ବାର୍ଷିକ ଶିଖର ସମ୍ମିଳନୀ ‘କପ୍ ୩୦’ ଆରମ୍ଭ ହେବାକୁ ଯାଉଛି। ପ୍ରକାଶ ଥାଉ କି ଏହି ଦଶଦିନିଆ ‘କପ୍’କୁ ପୂର୍ବ ‘କପ୍’ଗୁଡ଼ିକ ଠାରୁ ଚରିତ୍ରଗତ ଭାବେ ପୃଥକ୍ ବୋଲି ବିଚାର କରାଯାଉଛି; କାରଣ ପୂର୍ବ ସମ୍ମିଳନୀଗୁଡ଼ିକ ଉଚ୍ଚାଭିଳାଷୀ ଲକ୍ଷ୍ୟ ସ୍ଥାପନ, ସୈଦ୍ଧାନ୍ତିକ ନିଷ୍ପତ୍ତି ଗ୍ରହଣ ଏବଂ ଉଚ୍ଚା ପ୍ରତିଶ୍ରୁତି ପ୍ରଦାନରେ ସୀମିତ ଥିବା ବେଳେ ଚଳିତ ସମ୍ମିଳନୀରେ ସେ ସବୁର ବାସ୍ତବ କାର୍ଯ୍ୟାନ୍ବୟନ ଓ ରୂପାୟନ ନେଇ ମାର୍ଗ ପ୍ରସ୍ତୁତି ସକାଶେ ବିଧିବଦ୍ଧ ଉଦ୍ୟମ କରାଯିବ। ଉଲ୍ଲେଖଯୋଗ୍ୟ ଯେ ବର୍ଷ ପରେ ବର୍ଷ କେବଳ ପ୍ରତିଶ୍ରୁତି ଓ ଆସ୍ଫାଳନ ଭରା ଓ ଆଡ଼ମ୍ବରପୂର୍ଣ୍ଣ ଅଥଚ ଶୂନ୍ୟପ୍ରସୂ ଜଳବାୟୁ ଶିଖର ସମ୍ମିଳନୀଗୁଡ଼ିକ ଠାରୁ କୌଣସି ଉପକାରୀ ଫଳ ଲାଭ କରି ନ ଥିବା ଫିଜି ଭଳି ଅନେକ କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ହେତୁ ଉଚ୍ଚ ହୋଇ ଚାଲିଥିବା ସମୁଦ୍ର ପତ୍ତନର ଗ୍ରାସରେ ଲୀନ ହୋଇଯିବା ପୂର୍ବରୁ ଅନ୍ତତଃ ପକ୍ଷେ ଆଶାର କ୍ଷୀଣ ରଶ୍ମିଟିଏ ଦେଖି ପାରିଛନ୍ତି। ସେଥି ଲାଗି ‘କପ୍ ୩୦’କୁ ସମାଧାନର ‘କପ୍’ ବୋଲି ମଧ୍ୟ ଅଭିହିତ କରାଯାଉଛି। କିନ୍ତୁ ସତ କହିଲେ ଜଳବାୟୁ ପରିବର୍ତ୍ତନ ଜନିତ ବିଭୀଷିକାର ଛାୟା ତଳେ ରାଷ୍ଟ୍ର ଓ ସରକାରଗୁଡ଼ିକର ଅସହାୟତା, କପଟାଚାର, ଶଠତା, ଉଦାସୀନତା ଓ ଆତ୍ମ-ପ୍ରବଞ୍ଚନାମୂଳକ ବିଭ୍ରାନ୍ତି ହେତୁ କିଭଳି ଏହି ‘କପ୍’ରୁ ମଧ୍ୟ ବିଶେଷ କୌଣସି ଆଶ୍ବାସନା ମିଳିବାର ସମ୍ଭାବନା ନାହିଁ, ତାହା ପ୍ରଣିଧାନଯୋଗ୍ୟ ଏବଂ ଏକ କ୍ଷୁଦ୍ର ଆଲୋଚନା ଲାଗି ବିଷୟବସ୍ତୁ ହୋଇପାରେ।
ବେଲେମ ଠାରେ ‘କପ୍ ୩୦’ର ଆୟୋଜନ ଅତ୍ୟନ୍ତ ସାଂକେତିକ, କାରଣ ଏହି ଅଞ୍ଚଳକୁ ଆମାଜନ ବର୍ଷାବଣର ପ୍ରବେଶ ଦ୍ବାର ବୋଲି କୁହାଯାଇଥାଏ ଏବଂ ଏହି ‘କପ୍’ର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ମଧ୍ୟ ହେଲା ଦ୍ରୁତ କ୍ଷୟିଷ୍ଣୁ ଆମାଜନ ବର୍ଷାବଣର ସୁରକ୍ଷା ନେଇ ମାର୍ଗ ପ୍ରସ୍ତୁତି। ନିରନ୍ଧ୍ର ଭାବେ ନିଘଞ୍ଚ ଆମାଜନ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ ବୋଲି କୁହାଯାଇଥାଏ, ଯାହା ୨୦୦୧ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ହାରାହାରି ବାର୍ଷିକ ୩୪୦ ଟନ୍ ଅଙ୍ଗାରକ ଶୋଷଣ କରି ବିଶ୍ବ ତାପମାନ ବୃଦ୍ଧି ଓ ତଜ୍ଜନିତ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବାରେ ସହାୟକ ହେଉଥିଲା, କିନ୍ତୁ ସଂପ୍ରତି ତାହା ଦୁର୍ବଳ ହେବାରେ ଲାଗିଛି। ନିୟତିର ନିଷ୍ଠୁର ପରହାସ ଭଳି ଆମାଜନ ଅବବାହିକାରେ ଗଚ୍ଛିତ ଥିବା ଅମାପ ଖଣିଜ ତୈଳର ଉତ୍ତୋଳନ ଲାଗି ବ୍ରାଜିଲ ସରକାର ବହୁ ରାଷ୍ଟ୍ରୀୟ କଂପାନିଗୁଡ଼ିକୁ ନିୟୋଜିତ କରିଛନ୍ତି, ଯେଉଁମାନେ ବର୍ଷାବଣକୁ ଧ୍ବଂସ କରିବାରେ ପ୍ରମତ୍ତ। କିନ୍ତୁ ଏହାକୁ ହୁଏତ ବ୍ରାଜିଲ ସରକାରଙ୍କ ଅସହାୟତା ବୋଲି ମଧ୍ୟ ଅଭିହିତ କରାଯାଇପାରେ, କାରଣ ‘ଏନର୍ଜି’ ବା ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସହିତ ରାଷ୍ଟ୍ରର ଅର୍ଥନୀତିକୁ ସମୃଦ୍ଧ କରିବା ଲାଗି ଏଭଳି ପଦକ୍ଷେପ ଯେ କୌଣସି ବିକାଶଶୀଳ ଦେଶର ସରକାର ଲାଗି ହୁଏତ ଅନିବାର୍ଯ୍ୟ। କହିବା ଅନାବଶ୍ୟକ ଯେ ଏଭଳି କାର୍ଯ୍ୟ ଦ୍ବାରା ଅତି କମ୍ରେ ଦୁଇଟି ମୁଖ୍ୟ ‘ଜଳବାୟୁ ପାପ’ କରୁଛନ୍ତି ବୋଲି ବ୍ରାଜିଲ ସରକାର ମଧ୍ୟ ସଚେତନ ଥିବେ: ଗୋଟିଏ ହେଲା ଜଙ୍ଗଲର ଧ୍ବଂସ ସାଧନ ଏବଂ ଦ୍ବିତୀୟଟି ହେଉଛି ଖଣିଜ ତୈଳ ଉତ୍ପାଦନ ଦ୍ବାରା ଜୀବାଶ୍ମ ଇନ୍ଧନର ଦହନ ବ୍ୟବସ୍ଥାକୁ ବଳ ପ୍ରଦାନ। କିନ୍ତୁ ବୋଧହୁଏ ସେ ନିରୁପାୟ! ତେବେ, କେବଳ ବ୍ରାଜିଲ ନୁହେଁ, ଚୀନ, ଭାରତ, ମେକ୍ସିକୋ ଓ ଦକ୍ଷଣ ଆଫ୍ରିକା ଭଳି ରାଷ୍ଟ୍ରଗୁଡ଼ିକ ମଧ୍ୟ ବିକାଶ ଓ ପରିବେଶ ସୁରକ୍ଷାର ଦୋଛକିରେ ଦଣ୍ଡାୟମାନ ହୋଇ ଏହିଭଳି ଅସହାୟତାର ସାମନା କରନ୍ତି; କାରଣ ଉପଲବ୍ଧତା ଏବଂ ମୂଲ୍ୟ ଦୃଷ୍ଟିରୁ କେବଳ ଜୀବାଶ୍ମ ଇନ୍ଧନ ହିଁ ସେମାନଙ୍କୁ ଶକ୍ତି ସଂକଟରୁ ଉଦ୍ଧାର କରି ବିକାଶ ଦିଗରେ ଅଗ୍ରସର କରାଇ ପାରିବ।
କିନ୍ତୁ, ଆଉ ଏକ ବିଡ଼ମ୍ବିତ ବାସ୍ତବତା ହେଲା, ଏଭଳି ଅସହାୟତାର ଆବରଣ ତଳେ କପଟାଚାର ମଧ୍ୟ ରହିଥାଏ। ୨୦୧୮ ମସିହାରେ ‘ଇନଫ୍ଲୁଏନ୍ସ ମ୍ୟାପ’ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ଅନ୍ତତଃ ୩୫ଟି ବୃହତ୍ ବହୁଦେଶୀୟ କଂପାନି (ତୈଳ କଂପାନିରୁ ଆରମ୍ଭ କରି କାର୍ ନିର୍ମାତାଙ୍କ ପର୍ଯ୍ୟନ୍ତ) ବିଭିନ୍ନ ରାଷ୍ଟ୍ରର ସରକାରଙ୍କୁ ବିପୁଳ ପରିମାଣର ଅର୍ଥ ରାଶି ‘ସହାୟତା’ ଓ ‘ସହଯୋଗ’ର ଛଦ୍ମ ନାମରେ ପ୍ରଦାନ କରିଛନ୍ତି; ଯାହାର ବାର୍ଷିକ ମୂଲ୍ୟ ପ୍ରାୟ ୨ କୋଟି ଡଲାର। ଏପରିକି ବ୍ରାଜିଲରେ ନିର୍ବାଚନ ପ୍ରଚାର ଲାଗି ସରକାରୀ ଦଳକୁ ଏକ ବୈଦେଶିକ ଖଣିଜ ତୈଳ କଂପାନି ବିପୁଳ ଅର୍ଥ ପ୍ରଦାନ କରିଥିଲା; ଯହିଁରେ ନିହିତ ଅଭିସନ୍ଧିଟି ହେଲା ସେ ସବୁ ରାଷ୍ଟ୍ରର ପରିବେଶ ଓ ଜଳବାୟୁ ସଂକ୍ରାନ୍ତ ନୀତି ନିର୍ଦ୍ଧାରଣକୁ ସେମାନଙ୍କୁ ସୁହାଇଲା ଭଳି ପ୍ରଭାବିତ କରିବା। ୨୦୨୩ ମସିହାରେ ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଦୁବାଇ ଠାରେ ଅନୁଷ୍ଠିତ ‘କପ୍ ୨୮’ର ମୁଖ୍ୟ ଥିଲେ ସେଠାକାର ଉଦ୍ୟୋଗ ମନ୍ତ୍ରୀ ତଥା ରାଷ୍ଟ୍ରାୟତ୍ତ ତୈଳ କଂପାନି ‘ଏ.ଡି.ଏନ.ଓ.ସି.’ର ସି.ଇ.ଓ. ସୁଲତାନ ଅଲ ଜାବେର, ଯାହାଙ୍କ ଏକ ମନ୍ତବ୍ୟ ପୃଥିବୀର ସର୍ବତ୍ର ପରିବେଶବିତ୍ମାନଙ୍କୁ ଏକା ବେଳକେ ତଟସ୍ଥ ଓ ମ୍ରିୟମାଣ କରି ଦେଇଥିଲା। ସେ କହିଥିଲେ ଯେ ଜୀବାଶ୍ମ ଇନ୍ଧନରୁ ନିଷ୍କୃତି ଦେବା ନେଇ ବିଜ୍ଞାନ ଉପାୟଶୂନ୍ୟ ଏବଂ ଜୀବାଶ୍ମ ଇନ୍ଧନକୁ ପରିହାର କରିବାର ଅର୍ଥ ହେଉଛି ମାନବ ଜାତି ପୁନର୍ବାର ଗୁମ୍ଫା ସଭ୍ୟତାକୁ ଫେରିଯିବା। ତେବେ, ବିଡ଼ମ୍ବନା ହେଲା ଯେ ‘କପ୍ ୨୯’ରେ ଆୟୋଜକ ରାଷ୍ଟ୍ର ଆଜରବାଇଜାନର ଶାସନ ମୁଖ୍ୟ ଇଲହାମ ଆଲିୟେଭ ଖୋଲାଖୋଲି ଭାବେ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ସମର୍ଥନ କରିଥିଲେ। କେବଳ ସେତିକି ନୁହେଁ, ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଧାରଣା ଓ ବ୍ୟାଖ୍ୟାନ ବଦଳାଇବା ସକାଶେ ପ୍ରଭାବଶାଳୀ କଂପାନିଙ୍କ ପକ୍ଷରୁ ଅତି ଗୋପନରେ ବିଧିବଦ୍ଧ ଭାବେ ‘ୱିକିପିଡିଆ’ରେ ମଧ୍ୟ ପରିବର୍ତ୍ତନ କରି ଦିଆଯାଉଛି।
ପ୍ରକାଶ ଥାଉ କି ୨୦୧୫ ମସିହାରେ ପ୍ୟାରିସ ଠାରେ ଅନୁଷ୍ଠିତ ଜଳବାୟୁ ସମ୍ମିଳନୀ ବା ‘କପ୍ ୨୧’ରେ ସର୍ବସମ୍ମତ ଭାବେ ପ୍ରସ୍ତାବଟିଏ ଗୃହୀତ ହୋଇଥିଲା ଯେ ବିତ୍ତଶାଳୀ ଓ ବିକଶିତ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ବାର୍ଷିକ ୧୦୦ ବିଲିଅନ ଡଲାରର ପାଣ୍ଠି ସୃଷ୍ଟି କରାଯିବ, ଯାହା ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତି ପରିପ୍ରେକ୍ଷୀରେ ଖର୍ଚ୍ଚ କରାଯିବ। କିନ୍ତୁ, ବିଡ଼ମ୍ବନାଟି ହେଲା, ଏଭଳି ପ୍ରତିଶ୍ରୁତି ଏ ଯାବତ୍ ଅପୂରଣୀୟ ହୋଇ ରହିଛି ଏବଂ ଫିଜି ଭଳି ଦ୍ବୀପ ରାଷ୍ଟ୍ର ସମୁଦ୍ର ତଟରେ ଉଚ୍ଚ କଂକ୍ରିଟ ପ୍ରାଚୀର ଉଠାଇ ସମୁଦ୍ର ଦ୍ବାରା ଗର୍ଭସାତ୍ ହେବାରୁ ରକ୍ଷା ପାଇବାର ଆଶାରେ ସେଭଳି ଅର୍ଥ ସହାୟତାକୁ ପ୍ରତୀକ୍ଷା କରି କ୍ଳାନ୍ତ ହୋଇସାରିବା ପରେ ନିଜ ଉଦ୍ୟମରେ କାର୍ଯ୍ୟ ଆରମ୍ଭ କଲାଣି; ଯେତେବେଳେ କି ଗୋଟିଏ ଫୁଟ୍ବଲ୍ ଟୁର୍ନାମେଣ୍ଟରେ ୨୦୦ ବିଲିଅନ ଡଲାର ଖର୍ଚ୍ଚ ହୋଇଯାଉଛି। ଅପର ପକ୍ଷରେ, ଜି-୭ ସଂଗୋଷ୍ଠୀ ଅନ୍ତର୍ଭୁକ୍ତ ଧନିକ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ବିଭିନ୍ନ ଖଣିଜ ତୈଳ କଂପାନିଗୁଡ଼ିକୁ ପ୍ରଦାନ କରାଯାଇଥିବା ସବସିଡିର ପରିମାଣ ହେଉଛି ୧ ଟ୍ରିଲିଅନ ଡଲାରରୁ ଅଧିକ। ସେମିତି ବିକାଶଶୀଳ ଓ ଅଣ-ବିକଶିତ ରାଷ୍ଟ୍ରଗୁଡ଼ିକୁ ସବୁଜ ଶକ୍ତି ଉତ୍ପାଦନ ଲାଗି ଜ୍ଞାନକୌଶଳ ଓ ଅର୍ଥ ସାହାଯ୍ୟ କରିବା ଲାଗି ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ କୁଣ୍ଠିତ, ଯାହା ସେମାନଙ୍କୁ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ ହେବାରୁ ରକ୍ଷା କରନ୍ତା। ତେେବ, କେବଳ ଏହି ଭଳି ଉଦାସୀନତା ନୁହେଁ, ଆତ୍ମ ପ୍ରବଞ୍ଚନା ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ, ଯେତେବେଳେ ଜଳବାୟୁ ପରିବର୍ତ୍ତନକୁ ନେଇ ସୃଷ୍ଟ ଉଦ୍ବେଗ ଓ ଉଚ୍ଚାଟକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ମିଛ କୁହାଟ ବୋଲି ଆଖ୍ୟା ଦିଅନ୍ତି ଏବଂ ବିଲ୍ ଗେଟ୍ସଙ୍କ ଭଳି ବିଜ୍ଞ ଓ ବିଚାରବନ୍ତ ମଧ୍ୟ କହନ୍ତି ଯେ ଜଳବାୟୁ ବିଭୀଷିକାକୁ ନେଇ ମହାପ୍ରଳୟର ବ୍ୟାଖ୍ୟାନ ସୃଷ୍ଟି ଅଯୌକ୍ତିକ। ଇତିମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ୟାରିସ ଚୁକ୍ତିନାମାରୁ ଓହରି ସାରିଛି, ଅର୍ଥାତ୍ ଟ୍ରଂପ ବା ତାଙ୍କ ସହମତବାଦୀଙ୍କ ଅଧୀନସ୍ଥ ଆମେରିକାର ଜଳବାୟୁ ପରିବର୍ତ୍ତନ ନେଇ କୌଣସି ଦାୟ ନାହିଁ।
ନିକଟରେ ଏକ ଖବର ପ୍ରକାଶିତ ହୋଇଛି ଯେ ସ୍ବଚ୍ଛଳ, ପ୍ରାକୃତିକ ଭାବେ ଅତ୍ୟନ୍ତ ମନୋରମ, ସ୍ବଚ୍ଛ ପରିବେଶ ଲାଗି ସୁବିଖ୍ୟାତ ଶୀତଳ ଦେଶ ଆଇସଲାଣ୍ଡର ଇତିହାସରେ ପ୍ରଥମ ଥର ସକାଶେ ତିନିଟି ମଶା ଦୃଶ୍ୟମାନ ହୋଇଛନ୍ତି। ଏହାର କାରଣ ମଶାମାନେ ତିଷ୍ଠି ରହିବା ଲାଗି ସୁଯୋଗ ଦେଉ ନ ଥିବା ସେଠାକାର ଅତି ଶୀତଳ ପରିବେଶରେ ପରିବର୍ତ୍ତନ ଘଟିସାରିଲାଣି; ତାପମାତ୍ରା ବୃଦ୍ଧି ପାଇ ମଶା-ସହଣି ହେଲାଣି। ଏହାର ଅର୍ଥ ବିରକ୍ତିକର ଗୁଂଜନ ସହିତ ଘାତକ ମେଲେରିଆ ଓ ଡେଙ୍ଗୁର ବାହକ ଏହି ବିଷୁବ ମଣ୍ଡଳୀୟ କୀଟ ଏବେ କେବଳ ଆଣ୍ଟାର୍କଟିକା ବ୍ୟତୀତ ପୃଥିବୀର ଅନ୍ୟ ସବୁ ଅଞ୍ଚଳରେ ବିଦ୍ୟମାନ। ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ଉତ୍ତପ୍ତୀକରଣର ପ୍ରଭାବ କିଭଳି ଧନୀ-ଦରିଦ୍ର ବା ବିକଶିତ-ପଛୁଆ ନିର୍ବିଶେଷରେ ପୃଥିବୀର ସବୁ ଦେଶ ଉପରେ ପଡ଼ିଥାଏ, ଏହା ତା’ର ସଦ୍ୟତମ ରୋଚକ ଦୃଷ୍ଟାନ୍ତ। ତା’ ନ ହେଲେ ଅତିବୃଷ୍ଟି, ଅନାବୃଷ୍ଟି, ଗ୍ରୀଷ୍ମ ଲହରି, ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼, ସମୁଦ୍ର ପତ୍ତନରେ ବୃଦ୍ଧି ଓ ବନାଗ୍ନି ଆଦିର ବିତ୍ପାତ ତ ମାନବ ଜାତି ଗଲା ତିନି ଦଶନ୍ଧି ଧରି ଭୋଗିବାରେ ଲାଗିଛି। ଏଣୁ ଆଶା କରିବା ଯେ କପଟାଚାର, ଶଠତା, ଉଦାସୀନତା ଓ ଆତ୍ମ-ପ୍ରବଞ୍ଚନାରୁ ମୁକ୍ତ ହୋଇ ରାଷ୍ଟ୍ରର ପ୍ରତିନିଧିଗଣ ମାନବ ଜାତିର ସୁରକ୍ଷା ଲାଗି ‘କପ୍ ୩୦’କୁ ସଫଳ କରିବା ଦିଗରେ ଅଗ୍ରସର ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)