୧୯୮୮ ମସିହା ପରଠାରୁ ଆନନ୍ଦଙ୍କ ମାର୍ଗ ଅନୁସରଣ କରିଥିବା ଅନେକ ପ୍ରତିଭା ଭାରତରେ ଚେସ୍ ଖେଳର ମୂଳଦୁଆକୁ ଦୃଢ଼ କରି ସାରିଛନ୍ତି। ସନ୍ଦେହ ନାହିଁ ଯେ ଏଣିକି ଏଭଳି ‘ଆନନ୍ଦ ମାର୍ଗୀ’ଙ୍କ ସଂଖ୍ୟାରେ ଆହୁରି ବୃଦ୍ଧି ଘଟିବ ଏବଂ ସେମାନେ ଏହି କ୍ରୀଡ଼ାରୁ ଅପାର ଆନନ୍ଦ ଲାଭ କରିବା ସହିତ ଅଧିକରୁ ଅଧିକ ଭାରତୀୟଙ୍କୁ ଆନନ୍ଦ ପ୍ରଦାନ କରି ଚାଲିବେ।
ଗଲା ୨୩ ତାରିଖରେ ଭାରତ ଗୋଟିଏ କ୍ରୀଡ଼ା ସ୍ପର୍ଦ୍ଧାରେ ଅନବଦ୍ୟ ଇତିହାସ ରଚନା କରିଥିଲେ ହେଁ ଏକ କ୍ରୀଡ଼ା ସାଫଲ୍ୟ ସାଧାରଣତଃ ସୃଷ୍ଟି କରୁଥିବା ଭଳି କୋଳାହଳ ପରିଦୃଶ୍ୟ ହୋଇନାହିଁ। ଏଭଳି ନ ହେବାରେ ବିସ୍ମୟର ମଧ୍ୟ ବିଶେଷ କାରଣ ନ ଥାଏ; କାରଣ ଏହି ‘ଇନ୍ଡୋର୍’ ବା ଗୃହାବଦ୍ଧ କ୍ରୀଡ଼ାର ପରିବେଶକୁ ଘୋଟି ରହିଥାଏ ଏକ ନିରନ୍ଧ୍ର ନିରବତା, ଯହିଁରେ ଧୈର୍ଯ୍ୟର ମେରୁ ଭାବେ ଅବତୀର୍ଣ୍ଣ ଖେଳାଳି ଦ୍ବୟ କେବଳ ଧୀର ମନ୍ଥର ଓ ସୁଚିନ୍ତିତ ଗୋଟି ଚାଳନା ମାଧ୍ୟମରେ ଓ ନିଃଶବ୍ଦରେ ସେମାନଙ୍କ ଆଭିମୁଖ୍ୟ ଏପରିକି ଆକ୍ରମଣାତ୍ମକ ମନୋଭାବର ପରିପ୍ରକାଶ କରିଥାଆନ୍ତି। ସୁତରାଂ, ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ହୋଇଥିଲେ ହେଁ ଏହା ନିଃଶବ୍ଦରେ ସମାହିତ ହୋଇଥାଏ ଏବଂ ଅନ୍ୟାନ୍ୟ କ୍ରୀଡ଼ା ଭଳି ଜାନ୍ତବ ଉଲ୍ଲାସ ହୁଏତ ସୃଷ୍ଟି କରି ନ ଥାଏ! କହିବା ଅନାବଶ୍ୟକ ଯେ ଏହି ସ୍ତମ୍ଭର ପାଠକପାଠିିକାମାନେ ଅନ୍ଦାଜ ଲଗାଇ ସାରିବେଣି ଯେ ଏଠାରେ ଚେସ୍ ସମ୍ବନ୍ଧରେ ଆଲୋଚନା ହେବାକୁ ଯାଉଛି ଏବଂ ସଂଦର୍ଭଟି ହେଲା ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ସଦ୍ୟ ସମାପ୍ତ ଚେସ୍ ଅଲିଂପିଆଡ୍ରେ ଉଭୟ ‘ଓପେନ୍’ (ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀଙ୍କ ଲାଗି ମୁକ୍ତ) ଓ ମହିଳା ବିଭାଗରେ ଭାରତୀୟ ଖେଳାଳିମାନେ ଲାଭ କରିଥିବା ଦ୍ବି-ମୁକୁଟ, ଅର୍ଥାତ୍ ଦୁଇଟି ଯାକ ବର୍ଗରେ ସ୍ବର୍ଣ୍ଣ ପଦକ। କହିବା ବାହୁଲ୍ୟ ଯେ ଏହା ସହିତ ଭାରତ ଏକ ନୂତନ ଚେସ୍ ଶକ୍ତି କେନ୍ଦ୍ର ରୂପେ ଆବିର୍ଭୂତ ହୋଇଛି; ଯହିଁରେ ପୂର୍ବରୁ ରୁଷିଆ ବା ଆମେରିକା ବା ଚୀନ ଭଳି ଦେଶ ବିଦ୍ୟମାନ ଥିଲେ। ଲୋକପ୍ରିୟତାର ସ୍ତର ଯାହା ହୋଇଥାଉ ନା କାହିଁକି ଏହା ସ୍ବୀକାର୍ଯ୍ୟ ଯେ ଫୁଟ୍ବଲ୍ ଭଳି ଚେସ୍ ହେଉଛି ଏକମାତ୍ର କ୍ରୀଡ଼ା ଯାହା ପୃଥିବୀର ପ୍ରାୟ ସର୍ବତ୍ର ଖେଳା ଯାଇଥାଏ ଏବଂ ମସ୍ତିଷ୍କ ଚାଳନାର ଉତ୍କର୍ଷକୁ ଦର୍ଶାଉଥିବା ଏହି କ୍ରୀଡ଼ାରେ ସଫଳତା ଭାରତୀୟ କିଂବଦନ୍ତୀୟ ଧୀ-ଶକ୍ତିର ଏକ ନିଦର୍ଶନ ମଧ୍ୟ। ଇତିହାସ ପୃଷ୍ଠାରୁ ଜଣାଯାଏ ଯେ ଏହି କ୍ରୀଡ଼ାର ଉଦ୍ଭବ ଘଟିଥିଲା ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀେର, ଏହି ଭାରତୀୟ ଭୂଖଣ୍ଡରେ, ଗୁପ୍ତ ସାମ୍ରାଜ୍ୟ କାଳରେ, ଯାହାର ପ୍ରାଚୀନ ନାମ ଥିଲା ‘ଚତୁରଙ୍ଗ’ (ଯାହାକୁ ପାରସିକମାନେ ସତରଂଜ ବୋଲି କହିଲେ)। ସେହି ଦୃଷ୍ଟିରୁ ଅଲିଂପିଆଡ୍ରେ ଏହି ଚମକପ୍ରଦ ପ୍ରଦର୍ଶନ ମଧ୍ୟ ହେଉଛି ଚେସ୍ ଖେଳର ସେହି ଆଦ୍ୟ ଉଦ୍ଭାବକଙ୍କ ପ୍ରତି ରାଷ୍ଟ୍ରର ଏକ ହୃଦୟଗ୍ରାହୀ ଅଭିବାଦନ।
ଏଥିରେ ସନ୍ଦେହ ନାହିଁ ଯେ ୧୯୮୮ ମସିହାରେ ଭାରତର ପ୍ରଥମ ଓ ଏକମାତ୍ର ଗ୍ରାଣ୍ଡ୍ ମାଷ୍ଟର୍ ବିଶ୍ବନାଥନ ଆନନ୍ଦ ବିଶ୍ବ ଚାଂପିଅନ୍ ହେବା ସହିତ ଭାରତରେ ଏହି ଭାବଗମ୍ଭୀର କ୍ରୀଡ଼ା କ୍ଷେତ୍ରରେ ଏକ ନିରବ ବିପ୍ଳବ ସଂଘଟିତ ହୋଇଥିଲା, ଯାହାର ଫଳଶ୍ରୁତି ହେଲା ସଂପ୍ରତି ଭାରତୀୟ ପୁରୁଷ ଓ ମହିଳା ଗ୍ରାଣ୍ଡ୍ ମାଷ୍ଟର୍ଙ୍କ ସଂଖ୍ୟା ହେଉଛି ୮୫, ସମଗ୍ର ପୃଥିବୀରେ ଯେଉଁ ସଂଖ୍ୟା ହେଉଛି ୧୭୭୨। କେବଳ ସେତିକି ନୁହେଁ, ବିଶ୍ବ ଚେସ୍ ସଂଗଠନ ‘ଫିଡେ’ର ରୢାଙ୍କିଙ୍ଗ୍ ଅନୁକ୍ରମେର ପୁରୁଷ ବର୍ଗରେ ଅର୍ଜୁନ ଏରିଗେସି, ଡି. ଗୁକେଶ, ବିଶ୍ବନାଥନ ଆନନ୍ଦ ଓ ଆର. ପ୍ରଜ୍ଞାନନ୍ଦ ଯଥାକ୍ରମେ ଅଛନ୍ତି ଚତୁର୍ଥ, ସପ୍ତମ, ଏକାଦଶ ଓ ଦ୍ବାଦଶ ସ୍ଥାନରେ ଏବଂ ମହିଳା ବର୍ଗରେ କୋନେରୁ ହଂପି, ଏଚ୍. ଦ୍ରୋଣାବଳୀ, ଆର. ବୈଶାଳୀ ଓ ଦିବ୍ୟା ଦେଶମୁଖ ଅଛନ୍ତି ଯଥାକ୍ରମେ ଷଷ୍ଠ, ଏକାଦଶ, ଦ୍ବାଦଶ ଓ ପଞ୍ଚଦଶ ସ୍ଥାନରେ। କେବଳ ସେତିକି ନୁହେଁ, ଅର୍ଜୁନ ବା ଗୁକେଶ ବା ପ୍ରଜ୍ଞାନନ୍ଦ ବା ବୈଶାଳୀ ଇତ୍ୟାଦିଙ୍କ ଭଳି ଅନେକ ଭାରତୀୟ ଚେସ୍ ଧୁରନ୍ଧର ତାରୁଣ୍ୟ ସ୍ପର୍ଶ କରିବାକୁ ଯାଉଛନ୍ତି ବା ଅଛନ୍ତି ସେମାନଙ୍କ କୈଶୋରରେ! ତେଣୁ ସ୍ବାଭାବିକ ଭାବେ ଏହି ଅଲିଂପିଆଡ୍ର ଫଳାଫଳ ପରିପ୍ରେକ୍ଷୀରେ ଚେସ୍ର କିଂବଦନ୍ତି ପୁରୁଷ ଗେରି କାସ୍ପାରୋଭ୍ ବା ପୃଥିବୀର ଦୁଇ ନମ୍ବର ଖେଳାଳି ହିକାରି ନାକାମୁରା ସେମାନଙ୍କ ‘ଏକ୍ସ’ ବାର୍ତ୍ତାରେ ସହମତ ହୁଅନ୍ତି ଯେ ଭାରତୀୟ ଚେସ୍ ପାରଦର୍ଶିତା ଆହୁରି ଉଚ୍ଚକୁ ଯିବ ଓ ଅତ୍ୟନ୍ତ ଦୀର୍ଘାୟୁ ହେବ।
ପ୍ରକାଶ ଥାଉ କି ଚଳିତ ବର୍ଷର ଚେସ୍ ଅଲିଂପିଆଡ୍ରେ ରୁଷିଆ ଅଂଶ ଗ୍ରହଣ କରିନାହିଁ; ଯାହାର କାରଣ ୟୁକ୍ରେନ୍ ଆକ୍ରମଣ ହେତୁ ସେହି ଦେଶ ଉପରେ ଜାରି କରାଯାଇଥିବା କଠୋର ବାସନ୍ଦ। ସେହି ଦୃଷ୍ଟିରୁ ହୁଏତ ଅନେକ କହିପାରନ୍ତି ଯେ ରୁଷିଆ ଭଳି ଏକ ପ୍ରମୁଖ ଚେସ୍ ଶକ୍ତିର ଅନୁପସ୍ଥିତି କାରଣରୁ ଭାରତର ସଫଳତାର ଚମକ କେତେକାଂଶରେ ନିଷ୍ପ୍ରଭ ହୋଇଛି। କିନ୍ତୁ, ସତ କଥା ହେଲା ଏହି ଅଲିଂପିଆଡ୍ରେ ୧୯୦ଟି ଦେଶର ଖେଳାଳି ଅଂଶଗ୍ରହଣ କରିଛନ୍ତି, ଯହିଁରେ ଅନ୍ତର୍ଭୁକ୍ତ ବର୍ତ୍ତମାନର ସର୍ବୋତ୍ତମ ଖେଳାଳି କାର୍ଲସନ୍ ମାଗ୍ନସ୍, ଯିଏ ତାଙ୍କ ଦେଶ ନରୱେକୁ ପ୍ରତିନିଧିତ୍ବ କରିଛନ୍ତି। କେବଳ ସେତିକି ନୁହେଁ, ଚାଂପିଅନ୍ ହେବା ପଥରେ ଭାରତୀୟ ପୁରୁଷ ଦଳ ଆମେରିକା ଏବଂ ମହିଳା ଦଳ ଚୀନ ଭଳି ବିରାଟ ଚେସ୍ ଶକ୍ତିଙ୍କୁ ପଦାନତ କରିଛନ୍ତି। ରୁଷିଆ ଅନୁପସ୍ଥିତ ଥିଲେ ସୁଦ୍ଧା ଏହି ଟୁର୍ନାମେଣ୍ଟରେ ଚୀନ, ଆମେରିକା ଓ ଉଜବେକିସ୍ତାନ ଭଳି ଶକ୍ତିଶାଳୀ ଦଳମାନ ଅଂଶଗ୍ରହଣ କରି ପ୍ରତିଦ୍ବନ୍ଦ୍ବିତାର ସ୍ତରକୁ ଉଚ୍ଚତା ପ୍ରଦାନ କରିଛନ୍ତି। ପୁଣି ପାସୋରିଗଲେ ହେବ ନାହିଁ ଯେ ଭାରତୀୟ ଦଳରେ ଥିବା ଡି. ଗୁକେଶ ବିଶ୍ବ ଚାଂପିଅନ ହେବା ସକାଶେ ଆଉ ମାତ୍ର ଗୋଟିଏ ସୋପାନ ଚଢ଼ିବା ବାକି ଅଛି ଏବଂ କିଶୋର ଚେସ୍ ଧୁରନ୍ଧର ଆର୍ ପ୍ରଜ୍ଞାନନ୍ଦଙ୍କ ହାତରେ ବିଶ୍ବ ଚାଂପିଅନ୍ କାର୍ଲସନ୍ ମାଗ୍ନସ୍ ଦୁଇ ଦୁଇ ଥର ପରାଜିତ ହୋଇଛନ୍ତି। ତେଣୁ ରୁଷିଆର ଅନୁପସ୍ଥିତି କାରଣରୁ ଭାରତୀୟ ଚେସ୍ ସାମର୍ଥ୍ୟର ଗଭୀରତାକୁ ନ୍ୟୂନ ଦୃଷ୍ଟିରେ ଦେଖିବା ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ।
ଏହା ସୁବିଦିତ ଯେ ଚେସ୍ ଲୋକପ୍ରିୟତା ବୃଦ୍ଧି ପରିପ୍ରେକ୍ଷୀରେ କୋଭିଡ୍ ପାନ୍ଡେମିକ୍ ପ୍ରତ୍ୟକ୍ଷ କରିଥିବା କାଳଖଣ୍ଡଟି (୨୦୨୦-୨୧) ଏକ କାଳ-ବିଭାଜିକା ରୂପେ ଉଭା ହୋଇଥାଏ। ଏହି ଅବଧିରେ କୋଭିଡ୍ ଲକ୍ଡାଉନ୍ ଜନିତ ନିଃସଙ୍ଗତା, ସାମାଜିକ ଗଣମାଧ୍ୟମ ଉପରେ ଜନସାଧାରଣଙ୍କ ମାତ୍ରାଧିକ ନିର୍ଭରଶୀଳତା ଓ ଭାରତୀୟ ହାସ୍ୟ କଳାକାର ସମୟ ରାଇନାଙ୍କ ଅଭିନବ ବୁଦ୍ଧିର ଚମତ୍କାର ସମ୍ମିଶ୍ରଣ ଘଟି ଭାରତରେ ଏହି କ୍ରୀଡ଼ା ପ୍ରତି ଆକର୍ଷଣ ଓ ଏହାର ଲୋକପ୍ରିୟତାରେ ଅପୂର୍ବ ବୃଦ୍ଧି ସମ୍ଭବ କରିଥିଲା। ରାଇନାଙ୍କ ଭଳି କେତେକ ଉତ୍ସାହୀ ‘ୟୁଟ୍ୟୁବର୍’ ସେମାନଙ୍କ ଚ୍ୟାନେଲ୍ରେ ପୃଥିବୀର ସ୍ବନାମଧନ୍ୟ ଚେସ୍ ଖେଳାଳିଙ୍କ ମଧ୍ୟରେ ଚିତ୍ତାକର୍ଷକ ପ୍ରତିଦ୍ବନ୍ଦ୍ବିତାମାନର ଆୟୋଜନ କରାଇ ସେ ସବୁର ‘ଲାଇଭ୍ ଷ୍ଟ୍ରିମିଂ’ କରାଉଥିଲେ, ଯାହା ଥିଲା କୋଭିଡ୍ କାଳୀନ କ୍ରୀଡ଼ା ଶୂନ୍ୟତାର ବାତାବରଣରେ ଲକ୍ଡାଉନ୍ ଅଧୀନସ୍ଥ ଏକାନ୍ତବାସୀମାନଙ୍କ ଲାଗି ଅନ୍ତତଃ ପକ୍ଷେ କୌଣସି ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରୀଡ଼ାକୁ ସିଧାସଳଖ ଦେଖିବାର ଏକ ବିରଳ ସୁଯୋଗ। ସେହି ସମୟରେ ଭାରତର ତତ୍କାଳୀନ ଦୁୁଇ ନମ୍ବର ଖେଳାଳି ବିଦିତ ଗୁଜରାଟୀ ନିଜ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଆମେରିକୀୟ ‘ୟୁଟ୍ୟୁବର୍’ ଆଲେକଜାଣ୍ଡ୍ରା ବୋଟେଜ୍ଙ୍କୁ ତିନିଟି ଖେଳରେ ପରାଜିତ କରିବାର ଚିତ୍ତାକର୍ଷକ ଦୃଶ୍ୟ ୟୁଟ୍ୟୁବ୍ରେ ଦେଖି ବିମୋହିତ ହୋଇଥିବା ବିଷୟ ଅନେକ ଦର୍ଶକ ଆଜି ବି ସ୍ମରଣ କରନ୍ତି! ସେ ଦିନ ଏହି ପ୍ରତିଦ୍ବନ୍ଦ୍ବିତାକୁ ସାରା ପୃଥିବୀରେ ଏକକାଳୀନ କୋଡ଼ିଏ ହଜାର ଦର୍ଶକ ଦେଖିଥିେଲ; ଅର୍ଥାତ୍ ଭରପୂର ବାରବାଟୀ ଷ୍ଟାଡିଅମ୍ର ଏକ-ତୃତୀୟାଂଶ। ଏହା ନିଃସନ୍ଦେହ ଯେ ପୂର୍ବରୁ ଚେସ୍ ଟୁର୍ନାମେଣ୍ଟଗୁଡ଼ିକୁ କେବେହେଲେ ଏତେ ସଂଖ୍ୟକ ଦର୍ଶକ ଦେଖି ନ ଥିବେ! କେବଳ ସେତିକି ନୁହେଁ, ୨୦୨୦-୨୧ ମସିହା ପରେ ସମଗ୍ର ପୃଥିବୀରେ ଚେସ୍ ପ୍ରଶଂସକମାନଙ୍କ ସହିତ ଚେସ୍ ଖେଳାଳିମାନଙ୍କ ସଂଖ୍ୟାରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ଘଟିଛି। ସେହି ଅନୁସାରେ ନୂତନ ଚେସ୍ ଶକ୍ତି କେନ୍ଦ୍ର ରୂପେ ନୂଆ ଦେଶମାନଙ୍କ ମଧ୍ୟ ଉଦୟ ହେବା ଖୁବ୍ ସମ୍ଭବ। ସଦ୍ୟ ସମାପ୍ତ ଚେସ୍ ଅଲିଂପିଆଡ୍ରେ ଅଣତିରିଶ ବର୍ଷ ବୟସ୍କ ବିଦିତ ଗୁଜରାଟୀ ମଧ୍ୟ ଅଂଶ ଗ୍ରହଣ କରି ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ ୨୦୨୪ର ଏହି ବିଜୟ ପରେ ଭାରତରେ ଚେସ୍ ଦୃଶ୍ୟପଟ ଆହୁରି ଦ୍ରୁତ ଗତିରେ ବଦଳିବ। ୧୯୮୮ ମସିହା ପରଠାରୁ ଆନନ୍ଦଙ୍କ ମାର୍ଗ ଅନୁସରଣ କରିଥିବା ଅନେକ ପ୍ରତିଭା ଭାରତରେ ଚେସ୍ ଖେଳର ମୂଳଦୁଆକୁ ଦୃଢ଼ କରି ସାରିଛନ୍ତି। ସନ୍ଦେହ ନାହିଁ ଯେ ଏଣିକି ଏଭଳି ‘ଆନନ୍ଦ ମାର୍ଗୀ’ଙ୍କ ସଂଖ୍ୟାରେ ଆହୁରି ବୃଦ୍ଧି ଘଟିବ ଏବଂ ସେମାନେ ଏହି କ୍ରୀଡ଼ାରୁ ଅପାର ଆନନ୍ଦ ଲାଭ କରିବା ସହିତ ଅଧିକରୁ ଅଧିକ ଭାରତୀୟଙ୍କୁ ଆନନ୍ଦ ପ୍ରଦାନ କରି ଚାଲିବେ।