ସମସ୍ତ ଉପଲବ୍ଧି ସତ୍ତ୍ବେ ଆମର ଶିକ୍ଷଣ ପରିସ୍ଥିତିରେ ଯେ ଆହୁରି ଅନେକ ଉନ୍ନତିର ଆବଶ୍ୟକତା ରହିଛି, ତାହାର ଏକ ଉଦାହରଣ ସ୍ବରୂପ ପଞ୍ଚମ ଶ୍ରେଣୀର ୫୦ ଶତାଂଶରୁ ଅଧିକ ପିଲା ଦ୍ବିତୀୟ ଶ୍ରେଣୀର ପାଠ୍ୟବସ୍ତୁ ପଢ଼ିବା ପାଇଁ ଅକ୍ଷମ ଥିବା ଦେଖାଯାଇଥିଲା। ଜ୍ଞାନର ରତ୍ନ ଭଣ୍ଡାରକୁ ଉପଯୋଗ କରି ଏକ ବିକଶିତ ଦେଶରେ ପରିଣତ ହେବାକୁ ହେଲେ, ଆମକୁ ଶିକ୍ଷା କ୍ଷେତ୍ରରେ ଯେ ବହୁ ଅଧିକ ଉଦ୍ଯୋଗ କରିବାକୁ ହେବ, ସଦ୍ୟତମ ‘ଆସର୍’ ଆମ ପାଇଁ ସେଇ ବାର୍ତ୍ତା ବହନ କରିଥାଏ।
ପ୍ରାୟ ତିନି ଲକ୍ଷ ବର୍ଷ ତଳେ ଆଧୁନିକ ମନୁଷ୍ୟର ଦକ୍ଷିଣ ଆଫ୍ରିକାରେ ଆବିର୍ଭାବ ଘଟିଲା। ଆମର ସେଇ ପୂର୍ବଜମାନେ ଭାଷାର ଅଧିକାରୀ ହେବା ସହିତ ଚିତ୍ର ଆଙ୍କି ପାରୁଥିଲେ, ନାଚଗୀତରେ ମାତି ଯାଇପାରୁଥିଲେ, ପରିବାର ମଧ୍ୟରେ ମିଳିମିଶି ପିଲାମାନଙ୍କୁ ଲାଳନପାଳନ କରିପାରୁଥିଲେ, କାହାଣୀ ଶୁଣାଇ ପାରୁଥିଲେ। ପ୍ରାୟ ୬୫,୦୦୦ ବର୍ଷ ତଳେ ସେମାନେ ଶିକାର କରିବା ପାଇଁ ବର୍ଚ୍ଛା ଓ ଧନୁଶର ଉଦ୍ଭାବନ କଲେ, ସିଲେଇ କରିବା ପାଇଁ ଛୁଞ୍ଚିର ଉଦ୍ଭାବନ କଲେ, ଏବଂ ଗମନାଗମନ ଓ ପରିବହନ ପାଇଁ ନୌକାର ଉଦ୍ଭାବନ କଲେ। ଅନ୍ୟ ବାନରଜାତୀୟ ପ୍ରାଣୀମାନଙ୍କ ଠାରୁ ‘ହୋମୋ ସାପିଏନ୍ସ’ ଜାତିର ଅଂଶ ହୋଇଥିବା ଆମେ ମନୁଷ୍ୟମାନଙ୍କର ଥିବା ଏକ ଗୁରୁତ୍ବପୂର୍ଣ୍ଣ ଫରକ ହେଉଛି ଭାଷାର ବ୍ୟବହାର ଓ ଅମୂର୍ତ୍ତ ଚିନ୍ତନ (‘ଆବ୍ଷ୍ଟ୍ରାକ୍ଟ ଥଟ୍’) ପାଇଁ ଆମେ ବହନ କରୁଥିବା କ୍ଷମତା। ଏଇ ଦୁଇ କ୍ଷମତାର ସମ୍ମିଳିତ ଫଳସ୍ବରୂପ ମନୁଷ୍ୟ ଆଉ ଏପରି ଏକ ବିରଳ କ୍ଷମତାର ଅଧିକାରୀ ହୋଇପାରିଛି, ଯାହା ବେଳେବେଳେ ତାକୁ ଈଶ୍ବରତୁଲ୍ୟ ସର୍ବଶକ୍ତିମାନ କରିଦେଇଥିବା ଭଳି ମନେ ହୋଇଥାଏ।
ଏହି ଶକ୍ତି ହେଉଛି ଜ୍ଞାନ ଶକ୍ତି। ଏହି ଜ୍ଞାନ ଶକ୍ତିର ଉତ୍ସ ହେଉଛି ଭାଷା ଓ ‘ଆବ୍ଷ୍ଟ୍ରାକ୍ଟ ଥଟ୍’ର ମିଳିତ ବ୍ୟବହାର ଦ୍ବାରା ସମ୍ଭବ ହେଉଥିବା ସାମୂହିକ ଶିକ୍ଷଣ ବା ‘କଲେକ୍ଟିଭ୍ ଲର୍ନିଙ୍ଗ୍’। ଏହି ମିଳିତ ଶିକ୍ଷଣ ଦ୍ବାରା ସମାଜରେ ଯେଉଁ ଜ୍ଞାନ ଭଣ୍ଡାର ସୃଷ୍ଟି ହୋଇଚାଲିଛି, ତାହାର ଆକାର ହେଉଛି ଯେ କୌଣସି ବ୍ୟକ୍ତିର ଜ୍ଞାନ ଭଣ୍ଡାର ଠାରୁ ଅସୀମ ଗୁଣ ବୃହତ୍ତର। ଏଇ ସାମୂହିକ ଜ୍ଞାନ ଭଣ୍ଡାରରୁ ଜ୍ଞାନ ସଂଗ୍ରହ କରି ମନୁଷ୍ୟ ପିଢ଼ି ପରେ ପିଢ଼ି ନିଜର ଜୀବନଧାରଣର ମାନରେ ଯେଉଁଭଳି ଉନ୍ନତି ହାସଲ କରିଚାଲିଛି, ତାହା ଅଲୌକିକ ଶ୍ରେଣୀର ବୋଲି କହିଲେ ଅତିରଞ୍ଜନ ହେବନାହିଁ।
ବୁଦ୍ଧିମାନ ମନୁଷ୍ୟ ତା’ର ଏହି ସାମୂହିକ ଭଣ୍ଡାରରୁ ଜ୍ଞାନ ସଂଗ୍ରହ ନିମିତ୍ତ ଏକ ବ୍ୟବସ୍ଥା ସୃଷ୍ଟି କରିଛି, ଯାହା ହେଉଛି- ଶିକ୍ଷାନୁଷ୍ଠାନ। ଯେଉଁ ସମାଜର ସଦସ୍ୟମାନେ ସେଠାକାର ଶିକ୍ଷାନୁଷ୍ଠାନମାନଙ୍କ ମାଧ୍ୟମରେ ଯେତେ ଅଧିକ ଦକ୍ଷତାର ସହିତ ଜ୍ଞାନ ସଂଗ୍ରହ କରିପାରିଥାନ୍ତି, ସେ ସମାଜ ସେଇ ସଂଗୃହୀତ ଜ୍ଞାନକୁ ବ୍ୟବହାର କରି ସେତେ ଅଧିକ ଉନ୍ନତି ହାସଲ କରିପାରିଥାଏ। ଆଉ ଏଇ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ଯିଏ ହେଉଛନ୍ତି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ସେମାନେ ହେଉଛନ୍ତି କୋମଳମତି ବାଳକବାଳିକାମାନଙ୍କର ଜ୍ଞାନ ସଂଗ୍ରହସ୍ଥଳୀ ବିଦ୍ୟାଳୟମାନ। ସମାଜର ଏହି ଶିଶୁ ସଦସ୍ୟମାନେ ସେମାନଙ୍କର ବିଦ୍ୟାଳୟମାନଙ୍କରେ ଯେତେ ଅଧିକ ଫଳପ୍ରଦ ଭାବରେ ଜ୍ଞାନ ଓ କୌଶଳ ସଂଗ୍ରହ କରିବେ, ପରବର୍ତ୍ତୀ ସମୟରେ ସେମାନେ ସମାଜର ଉତ୍ପାଦନଶୀଳ ସଦସ୍ୟରେ ପରିଣତ ହେବାର ସମ୍ଭାବନା ସେତେ ଅଧିକ ଦୃଢ଼ୀଭୂତ ହେବ।
ଏଇ ପରିପ୍ରେକ୍ଷୀରେ ଆମ ପିଲାମାନେ ଆମ ବିଦ୍ୟାଳୟମାନଙ୍କରେ କେତେ ଉତ୍ତମ ରୂପେ ଶିକ୍ଷା ଲାଭ କରୁଛନ୍ତି, ସେ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ପାଇବା ଆମ ପାଇଁ ଅଶେଷ ଗୁରୁତ୍ବ ବହନ କରିଥାଏ। ‘ପ୍ରଥମ’ ନାମକ ଏକ ‘ଏନ୍ଜିଓ’ ପ୍ରତି ବର୍ଷ ଆମକୁ ଏ ସଂପର୍କରେ ଏକ ଧାରଣା ଦେବାକୁ ଏକ ପ୍ରଶଂସନୀୟ ଉଦ୍ୟମ କରିଆସିଛି। ଏବଂ ପ୍ରତି ବର୍ଷ ‘ପ୍ରଥମ’ ଦ୍ବାରା କରାଯାଇଥିବା ସର୍ବେକ୍ଷଣର ଫଳାଫଳ ଭିତ୍ତିରେ ପ୍ରସ୍ତୁତ ହୋଇଥିବା ‘ଆନୁଆଲ୍ ଷ୍ଟାଟସ୍ ଅଫ୍ ଏଜୁକେସନ୍ ରିପୋର୍ଟ’ (‘ଆସର୍’) ଆମ ପାଇଁ ଚିନ୍ତାଜନକ ହୋଇଆସିଛି। ସ୍ବାଭାବିକ ଭାବରେ କୋଭିଡ୍ ପାଣ୍ଡେମିକ୍ ସମୟରେ ଦେଶବ୍ୟାପୀ ବିଦ୍ୟାଳୟମାନ ବନ୍ଦ ରହିବା ଯୋଗୁଁ ଶିକ୍ଷାଦାନ ଓ ଶିକ୍ଷଣ ଗୁରୁତର ଭାବରେ ବ୍ୟାହତ ହୋଇଥିବା ଯୋଗୁଁ ସେ ସମୟରେ ଏହି ଚିତ୍ର ଅତ୍ୟନ୍ତ ବିଷାଦଜନକ ହୋଇଥିଲା। ଏବେ ପ୍ରକାଶ ପାଇଥିବା ସଦ୍ୟତମ ରିପୋର୍ଟ କିନ୍ତୁ କିଛି ମାତ୍ରାରେ ସେଇ ବିଷାଦ ଦୂର କରିବାର କ୍ଷମତା ବହନ କରିଥାଏ। ତେବେ ତଥାପି ଆମ ବିଦ୍ୟାର୍ଥୀମାନଙ୍କ ଠାରେ ଅନେକ ଶିକ୍ଷଣ-ଶୂନ୍ୟସ୍ଥାନ ଉପସ୍ଥିତ ଥିଲେ େହଁ ସର୍ବେକ୍ଷଣରେ ଯେଉଁ ସମସ୍ତ ସକାରାତ୍ମକ ଉପଲବ୍ଧି ଆବିଷ୍କୃତ ହୋଇଛି, ରାଷ୍ଟ୍ର ତାହାକୁ ଦୃଢ଼ୀଭୂତ କରି ଶିକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ଫଳପ୍ରଦ କରିବା ପାଇଁ ଉଦ୍ୟମ କରିବା ଉଚିତ ହେବ।
ପ୍ରଥମ କଥା ହେଲା, ସର୍ବେକ୍ଷଣ ଆବିଷ୍କାର କରିଛି ଯେ ପାଣ୍ଡେମିକ୍ ସମୟରେ ଆମର ଶିକ୍ଷଣ ପରିସ୍ଥିତିରେ ଯେଉଁ ଅବନତି ଘଟିଥିଲା, ବର୍ତ୍ତମାନ ତାହା ପୂରଣ ହୋଇ ଅଗ୍ରଗତି ହାସଲ ହେବା ଆରମ୍ଭ ହୋଇଗଲାଣି। ଦ୍ବିତୀୟରେ, ପ୍ରାକ୍-ପ୍ରାଥମିକ ସ୍ତରରେ ଉଲ୍ଲେଖନୀୟ ଉନ୍ନତି ଘଟିଥିବା ଜଣାପଡ଼ିଛି। ତୃତୀୟରେ, ୧୪-୧୬ ବୟସ ସୀମା ମଧ୍ୟରେ ପିଲାମାନେ ଅପେକ୍ଷାକୃତ ଉଚ୍ଚ ସ୍ତରର ଡିଜିଟାଲ୍ ଜ୍ଞାନର ଅଧିକାରୀ ହୋଇଥିବା ଦେଖାଯାଇଛି।
ଦେଶବ୍ୟାପୀ ୬୦୫ଟି ଜିଲ୍ଲାରେ ପରିବ୍ୟାପ୍ତ ୩,୫୦,୦୦୦ରୁ ଅଧିକ ଗ୍ରାମୀଣ ପରିବାରର ୬,୫୦,୦୦୦ ପିଲାମାନଙ୍କୁ ନେଇ ‘ଆସର୍-୨୦୨୪’ ସର୍ବେକ୍ଷଣ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୮,୦୦୦ ଗ୍ରାମ ଓ ୧୫,୦୦୦ରୁ ଅଧିକ ବିଦ୍ୟାଳୟ ଅନ୍ତର୍ଭୁକ୍ତ ଥିଲେ। ଏଥିରୁ ଜଣାପଡ଼ିଛି ଯେ ଶିକ୍ଷା ଅଧିକାର (‘ଆର୍ଟିଇ’)ରେ ୬-୧୪ ବର୍ଷ ପିଲାମାନଙ୍କର ସଂପୂର୍ଣ୍ଣ ବିଦ୍ୟାଳୟରେ ଭର୍ତ୍ତି ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା, ତାହା ପ୍ରାୟ ସଂପୂର୍ଣ୍ଣ ରୂେପ ହାସଲ ହୋଇପାରିଛି। କେତେକ କ୍ଷେତ୍ରରେ ଶିକ୍ଷଣ ଫଳାଫଳରେ ଦେଖାଯାଇଥିବା ଉନ୍ନତି କେବଳ ଯେ ପାଣ୍ଡେମିକ୍ ସମୟର କ୍ଷତି ଭରଣା କରିଛି, ତାହା ନୁହେଁ, ଅତୀତର ଫଳାଫଳ ଠାରୁ ମଧ୍ୟ ତାହା ଅଧିକ ଭଲ ହୋଇଥିବା ଜଣାପଡ଼ିଛି। ଏକ ଉଦାହରଣ ସ୍ବରୂପ ୨୦୧୮ରେ ପଞ୍ଚମ ଶ୍ରେଣୀର ୨୭.୯ ଶତାଂଶ ଛାତ୍ରଛାତ୍ରୀ ସରଳ ହରଣ ସମାଧାନ କରିପାରୁଥିବାବେଳେ ୨୦୨୨ରେ ସେଇ ଅନୁପାତ ୨୫.୬ ଶତାଂଶକୁ ହ୍ରାସ ପାଇଥିଲା। ସୁଖର କଥା, ୨୦୨୪ରେ ଏହା ହୋଇଛି ୩୦.୭ ଶତାଂଶ, ଯାହା ୨୦୧୪ର ୨୬.୧ ଶତାଂଶ ଠାରୁ ଉଚ୍ଚତର। ଯାହା ମଧ୍ୟ ଅଧିକ ଆଶାଜନକ, ତାହା ହେଲା ଶିକ୍ଷଣରେ ଏହି ଉନ୍ନତି ସାଧନର ନେତୃତ୍ବ ନେଇଛନ୍ତି ସରକାରୀ ବିଦ୍ୟାଳୟମାନେ।
ରିପୋର୍ଟରେ ଏ ବାବଦରେ ‘ନେସ୍ନାଲ୍ ଏଜୁକେସନ୍ ପଲିସି’ (‘ଏନ୍ଇପି’)ର ଫଳପ୍ରଦ ଭୂମିକା ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରାଯାଇଛି, ଯାହା ଅନୁସାରେ ଶିକ୍ଷକମାନେ ତାଲିମପ୍ରାପ୍ତ ହୋଇ ଏକ ବ୍ୟାପକ ସଚେତନତା ପ୍ରସାର ଲାଭ କରିଥିବା ଦେଖାଯାଇଛି। ସର୍ବେକ୍ଷଣରେ ପ୍ରାକ୍-ପ୍ରାଥମିକ ସ୍ତରରେ ବିଦ୍ୟାଳୟରେ ଭର୍ତ୍ତି ଚିତ୍ରରେ ମଧ୍ୟ ଉନ୍ନତି ଘଟିଥିବା ଲକ୍ଷ୍ୟ କରାଯାଇଛି: ୨୦୧୮ରେ ତିନି ବର୍ଷ ବୟସର ପିଲାମାନଙ୍କ ମଧ୍ୟରୁ ୬୮.୧ ଶତାଂଶ ବିଦ୍ୟାଳୟରେ ପ୍ରବେଶ କରିଥିବାବେଳେ ୨୦୨୪ରେ ତାହା ୭୭.୪ ଶତାଂଶକୁ ବୃଦ୍ଧି ପାଇଥିଲା। ଏହା କେବଳ ଏହି ଶିଶୁମାନଙ୍କୁ ବିଧିବଦ୍ଧ ଭାବରେ ବିଦ୍ୟାଳୟରେ ପ୍ରବେଶ କରିବାକୁ ଯେ ପ୍ରସ୍ତୁତ କରିବ, ତାହା ନୁହେଁ, ସେମାନଙ୍କର ଟିକା ଗ୍ରହଣ ସମ୍ଭାବନାରେ ଏହା ଦ୍ବାରା ବୃଦ୍ଧି ଘଟି ସେମାନଙ୍କର ସାମଗ୍ରିକ ଉନ୍ନତିରେ ମଧ୍ୟ ସହାୟକ ହେବ।
କିନ୍ତୁ ଏ ସମସ୍ତ ଉପଲବ୍ଧି ସତ୍ତ୍ବେ ଆମର ଶିକ୍ଷଣ ପରିସ୍ଥିତିରେ ଯେ ଆହୁରି ଅନେକ ଉନ୍ନତିର ଆବଶ୍ୟକତା ରହିଛି, ତାହାର ଏକ ଉଦାହରଣ ସ୍ବରୂପ ପଞ୍ଚମ ଶ୍ରେଣୀର ୫୦ ଶତାଂଶରୁ ଅଧିକ ପିଲା ଦ୍ବିତୀୟ ଶ୍ରେଣୀର ପାଠ୍ୟବସ୍ତୁ ପଢ଼ିବା ପାଇଁ ଅକ୍ଷମ ଥିବା ଦେଖାଯାଇଥିଲା। ଜ୍ଞାନର ରତ୍ନ ଭଣ୍ଡାରକୁ ଉପଯୋଗ କରି ଏକ ବିକଶିତ ଦେଶରେ ପରିଣତ ହେବାକୁ ହେଲେ, ଆମକୁ ଶିକ୍ଷା କ୍ଷେତ୍ରରେ ଯେ ବହୁ ଅଧିକ ଉଦ୍ଯୋଗ କରିବାକୁ ହେବ, ସଦ୍ୟତମ ‘ଆସର୍’ ଆମ ପାଇଁ ସେଇ ବାର୍ତ୍ତା ବହନ କରିଥାଏ।