ଯଥେଷ୍ଟ ‘ଲିକ୍ବିଡିଟି’ର ଅନୁପସ୍ଥିତି ଅତୀତରେ ସୁଧ ହାରରେ ହ୍ରାସ ଘଟିବା ପଥରେ ପ୍ରତିବନ୍ଧକ ସାଜିଥିବାବେଳେ ଅନେକ କ୍ଷୁଦ୍ର ସଞ୍ଚୟକାରୀମାନେ ସେଆର୍ ବଜାର ଦିଗରେ ମୁହଁାଇବା ଯୋଗୁଁ ମଧ୍ୟ ବ୍ୟାଙ୍କ୍ମାନଙ୍କରେ ଜମା ବୃଦ୍ଧି ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ନିବେଶ ପାଇଁ ଋଣ ପ୍ରଦାନରେ ଶିଥିଳତା ଦେଖାଦେଇଛି। ବର୍ତ୍ତମାନ ‘ଓଏମ୍ଓ’ ମାଧ୍ୟମରେ ‘ଲିକ୍ବିଡିଟି’ ପ୍ରବାହନ ନିମିତ୍ତ ରିଜର୍ଭ ବ୍ୟାଙ୍କ୍ ନେଇଥିବା ନିଷ୍ପତ୍ତି ତାହା ଭରଣା କରି ନିଶ୍ଚିତ ରୂପେ ପରିସ୍ଥିତି ସୁଧାରିବାରେ ସହାୟକ ହେବ।
ପ୍ରଖ୍ୟାତ ଆମେରିକୀୟ ଅର୍ଥନୀତିଜ୍ଞ-କୂଟନୀତିଜ୍ଞ ସ୍ବର୍ଗୀୟ ଜନ୍ କେନିଥ୍ ଗାଲ୍ବ୍ରେଥ୍ (ନେହେରୁଙ୍କ ସମୟରେ ସେ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଥିଲେ)ଙ୍କ ଦ୍ବାରା ରଚିତ ଅନ୍ୟତମ ଏକ ଲୋକପ୍ରିୟ ଅର୍ଥନୀତି ପୁସ୍ତକର ଶୀର୍ଷକ ହେଉଛି ‘‘ମନି: ହ୍ବେନ୍ସ ଇଟ୍ କେମ୍, ହ୍ବେଆର୍ ଇଟ୍ ୱେଣ୍ଟ୍’’ (‘‘ମୁଦ୍ରା: ଏହା କେଉଁଠୁ ଆସିଲା, କେଉଁଆଡ଼େ ଗଲା’’)। କେହି ଜଣେ ଯଦି ଏକ ଲଘୁ ସ୍ବର ଅବଲମ୍ବନ କରି ବର୍ତ୍ତମାନର ଭାରତୀୟ ପରିପ୍ରେକ୍ଷୀରେ ଗାଲ୍ବ୍ରେଥ୍ଙ୍କର ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଏ, ସେ କହିପାରିବ ଯେ ମୁଦ୍ରା ଆସିଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପାଖରୁ ଏବଂ ତା’ର ଅନ୍ତିମ ଗନ୍ତବ୍ୟ ସ୍ଥଳ ହେଉଛି ଭାରତୀୟ ଶିଳ୍ପ ବ୍ୟବସାୟ ଜଗତ।
ନିକଟ ଅତୀତରେ ମୁଦ୍ରାସ୍ଫୀତିର ପ୍ରାଦୁର୍ଭାବ ବଳବତ୍ତର ରହି ଚାଲିଥିବା ଯୋଗୁଁ ଦେଶର ଏହି କେନ୍ଦ୍ରୀୟ ବ୍ୟାଙ୍କ୍ ଅର୍ଥନୀତିରେ ଅଧିକ ମୁଦ୍ରା ବା ‘ଲିକ୍ବିଡିଟି’ ଭର୍ତ୍ତି କରିବାରୁ ନିବୃତ୍ତ ରହି ଆସିଥିଲା। କିନ୍ତୁ ଇତିମଧ୍ୟରେ ସାପ ପେଡ଼ି ଭିତରେ ପଶିଯିବା ଭଳି ଦେଶରେ ଖାଉଟି ମୁଦ୍ରାସ୍ଫୀତି ତା’ର ଫଣା ନତ କରି ନିରାପଦ ରୂପେ ବିବେଚିତ ବାର୍ଷିକ ୪ ଶତାଂଶ ହାର ମଧ୍ୟରେ ସୀମିତ ରହିବାକୁ ଆରମ୍ଭ କରିଛି। ଏଣୁ ଅର୍ଥନୀତିର ଆବଶ୍ୟକତା ପୂରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଏଥର ମୁଦ୍ରା ଯୋଗାଣରେ ବୃଦ୍ଧି ଘଟାଇବା ପଥରୁ ପୂର୍ବର କୁଣ୍ଠା ଦୂର ହୋଇଛି। ଏଥିଯୋଗୁଁ ଆଶା କରାଯାଉଥିଲା ଯେ ନିକଟ ଭବିଷ୍ୟତରେ ରିଜର୍ଭ ବ୍ୟାଙ୍କ୍ ଅର୍ଥନୀତିରେ ‘ଲିକ୍ବିଡିଟି’ର ଉପଲବ୍ଧତାରେ ବୃଦ୍ଧି ଘଟାଇବା ନିମିତ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। କିନ୍ତୁ ଯେଉଁଭଳି କାଳ ବିଳମ୍ବ ନ କରି ରିଜର୍ଭ ବ୍ୟାଙ୍କ୍ ଏବେ ସେ ଆଶା ପୂରଣ କରିବାକୁ ଆଗେଇ ଆସିଛି, ତାହା ସମସ୍ତଙ୍କୁ ଚମକାଇ ଦେଇଛି। ସଂକ୍ଷେପରେ କହିଲେ, ମେ ମାସରେ ରିଜର୍ଭ ବ୍ୟାଙ୍କ୍ ‘ଓପନ୍ ମାର୍କେଟ୍ ଅପରେସନ୍ସ’ (‘ଓଏମ୍ଓ’) ମାଧ୍ୟମରେ ଅର୍ଥନୀତିରେ ୧.୨୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ‘ଲିକ୍ବିଡିଟି’ ପ୍ରବେଶ କରାଇବାକୁ ଯାଉଛି ବୋଲି ଘୋଷଣା କରିଛି।
ଖୋଲା ପୁଞ୍ଜି ବଜାରରେ ରିଜର୍ଭ ବ୍ୟାଙ୍କ୍ ଦ୍ବାରା ସରକାରୀ ଋଣ ପତ୍ର ବା ‘ସିକ୍ୟୁରିଟି’ ସବୁର ଖର୍ଦ୍ଦି ବିକ୍ରିକୁ ‘ଓଏମ୍ଓ’ ରୂପେ ଅଭିହିତ କରାଯାଇଥାଏ। ରିଜର୍ଭ ବ୍ୟାଙ୍କ୍ ଯେତେବେଳେ ସରକାରୀ ‘ସିକ୍ୟୁରିଟି’ ବିକ୍ରୟ କରିଥାଏ, କ୍ରେତାମାନଙ୍କ ଠାରୁ ସମାନ ମୂଲ୍ୟର ମୁଦ୍ରା ରିଜର୍ଭ ବ୍ୟାଙ୍କ୍ର ହାତକୁ ଚାଲିଆସିଥାଏ, ଯାହା ଫଳରେ ଅର୍ଥନୀତିରେ ‘ଲିକ୍ବିଡିଟି’ ଉପଲବ୍ଧତାରେ ହ୍ରାସ ଘଟିଥାଏ। ଅପରପକ୍ଷେ ରିଜର୍ଭ ବ୍ୟାଙ୍କ୍ ଯେତେବେଳେ ବଜାରରୁ ସିକ୍ୟୁରିଟି କ୍ରୟ କରିଥାଏ, ସେତେବେଳେ ସମାନ ମୂଲ୍ୟର ମୁଦ୍ରା ରିଜର୍ଭ ବ୍ୟାଙ୍କ୍ ଠାରୁ ବିକ୍ରେତାମାନଙ୍କ ହାତକୁ ଚାଲିଯାଇଥାଏ, ଯାହା ଫଳରେ ଅର୍ଥନୀତିରେ ଲିକ୍ବିଡିଟିର ଉପଲବ୍ଧତାରେ ବୃଦ୍ଧି ଘଟିଥାଏ। ମୁଖ୍ୟତଃ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କ୍ମାନଙ୍କ ସହିତ ରିଜର୍ଭ ବ୍ୟାଙ୍କ୍ ଏହି ସିକ୍ୟୁରିଟି କ୍ରୟ ବିକ୍ରୟ କାରବାର କରୁଥିବା ହେତୁ, ସେମାନଙ୍କ ମାଧ୍ୟମରେ ଅର୍ଥନୀତିରେ ‘ଲିକ୍ବିଡିଟି’ର ଏହି ସଂକୋଚନ ବା ସଂପ୍ରସାରଣ ଘଟିଥାଏ।
ମେ ମାସରେ ଘଟିବାକୁ ଯାଉଥିବା ଏହି ଲିକ୍ବିଡିଟି ପ୍ରବେଶ ପରେ ଡିସେମ୍ବର ୨୦୨୪ରୁ ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ୍ ‘ଓଏମ୍ଓ’ ମାଧ୍ୟମରେ ପ୍ରାୟ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମୁଦ୍ରା ଅର୍ଥନୀତିରେ ପ୍ରବେଶ କରାଇ ସାରିଲାଣି, ଯାହା ହେଉଛି ଏହି ସମୟରେ ରିଜର୍ଭ ବ୍ୟାଙ୍କ୍ ପୁନଃପୌନିକ ଭାବରେ ଅର୍ଥନୀତି ପାଇଁ ଉପଲବ୍ଧ କରାଇଥିବା ପ୍ରାୟ ୮.୬ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ‘ଲିକ୍ବିଡିଟି’ର ଏକ ମୁଖ୍ୟ ଅଂଶ। ବାଣିଜ୍ୟିକ ବ୍ୟାଙ୍କ୍ମାନଙ୍କ ପାଖରେ ଏହି ଅତିରିକ୍ତ ପରିମାଣର ‘ଲିକ୍ବିଡିଟି’ ଉପଲବ୍ଧ ହେବା ଅର୍ଥ ସେମାନଙ୍କର ଋଣଦାନ କ୍ଷମତାରେ ଅନୁରୂପ ଭାବରେ ବୃଦ୍ଧି ଘଟିବା। ଏଠାରେ ମନେ ପକାଇ ଦିଆଯାଇପାରେ ଯେ ଗତ ମାସରେ ରିଜର୍ଭ ବ୍ୟାଙ୍କ୍ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍ପିସି’) ଯେଉଁ ‘ସହଯୋଗମୂଳକ ଆଭିମୁଖ୍ୟ’ (‘ଆକୋମଡେଟିଭ୍ ଷ୍ଟାନ୍ସ’) ଗ୍ରହଣ କରିଥିଲା, ଏହି ଲିକ୍ବିଡିଟି ପ୍ରବାହନ ତା’ ସହିତ ଖାପ ଖାଇଥାଏ।
ଅତୀତରେ ଅନେକ ସମୟରେ ଅଭିଯୋଗ ହେବା ଦେଖାଯାଇଛି ଯେ ରିଜର୍ଭ ବ୍ୟାଙ୍କ୍ର ‘ଏମ୍ପିସି’ େଯତେବେଳେ ‘ରେପୋ ରେଟ୍’ରେ ହ୍ରାସ ଘଟାଇଥାଏ, ପରବର୍ତ୍ତୀ ସମୟରେ ବାଣିଜ୍ୟିକ ବ୍ୟାଙ୍କ୍ମାନେ ଏହି ଇସାରା ଅନୁସାରେ କାର୍ଯ୍ୟ କରିବା ପାଇଁ କାଳକ୍ଷେପଣ କରିଥାନ୍ତି। ‘ରେପୋ ରେଟ୍’ରେ ହ୍ରାସ ଘଟିଲେ ବ୍ୟାଙ୍କ୍ମାନେ ରିଜର୍ଭ ବ୍ୟାଙ୍କ୍ ଠାରୁ ଆଣୁଥିବା ଋଣ ଉପରେ ତାକୁ ପ୍ରଦାନ କରୁଥିବା ସୁଧ ବୋଝରେ ହ୍ରାସ ଘଟିଥାଏ। ଏଣୁ ଆଶା କରାଯାଇଥାଏ ଯେ ଏହା ପରେ ବାଣିଜ୍ୟିକ ବ୍ୟାଙ୍କ୍ମାନେ ସେମାନଙ୍କ ଗ୍ରାହକମାନଙ୍କୁ ପ୍ରଦାନ କରୁଥିବା ଋଣ ପ୍ରତି ଲାଗୁ କରୁଥିବା ସୁଧ ହାରରେ ମଧ୍ୟ ହ୍ରାସ ଘଟାଇ ଅର୍ଥନୀତିରେ ନିବେଶ ଓ ଚାହିଦା ପରିସ୍ଥିତିରେ ଉନ୍ନତି ଘଟାଇବାରେ ସହାୟକ ହେବେ। କିନ୍ତୁ ବ୍ୟାଙ୍କ୍ମାନଙ୍କ ପାଖରେ ଋଣ ପ୍ରଦାନ ନିମିତ୍ତ ଯଥେଷ୍ଟ ଲିକ୍ବିଡିଟି ଯଦି ଉପଲବ୍ଧ ନ ଥାଏ, ତେବେ ଯୋଗାଣ-ଚାହିଦାର ନିୟମକୁ ଅନୁସରଣ କରି ବ୍ୟାଙ୍କ୍ମାନେ ସୁଧ ହାରରେ ହ୍ରାସ ଘଟାଇବାରେ କୁଣ୍ଠା ପ୍ରକାଶ କରିବା ସ୍ବାଭାବିକ। ବର୍ତ୍ତମାନ ଯଥେଷ୍ଟ ‘ଲିକ୍ବିଡିଟି’ ପ୍ରବାହନ ‘ରେପୋ ରେଟ୍’ରେ ଘଟାଯାଇଥିବା ହ୍ରାସକୁ ବାଣିଜ୍ୟିକ ବ୍ୟାଙ୍କ୍ମାନଙ୍କ ଦ୍ବାରା ପ୍ରଦତ୍ତ ଋଣ ଉପରେ ଆଦାୟ କରାଯାଉଥିବା ସୁଧ ହାରରେ ମଧ୍ୟ ପ୍ରତିଫଳିତ ହେବାକୁ ତ୍ବରାନ୍ବିତ କରିବାର ଦୃଢ଼ ସମ୍ଭାବନା ରହିଛି।
ଭାରତୀୟ ଅର୍ଥନୀତି ବର୍ତ୍ତମାନ ଯେତେବେଳେ ଧିମେଇବାକୁ ଆରମ୍ଭ କରିଛି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ଟାରିଫ୍ ଯୁଦ୍ଧ ଯୋଗୁଁ ସାରା ପୃଥିବୀର ଅର୍ଥନୀତି ଯେତେବେଳେ ବିପର୍ଯ୍ୟସ୍ତ ହୋଇପଡ଼ିଛି, ଭାରତୀୟ ଅର୍ଥନୀତିକୁ ସହାୟକ ହେବା ପାଇଁ ସୁଧ ହାର ଯେ ନିମ୍ନଗାମୀ ହେବା ନିତାନ୍ତ ଆବଶ୍ୟକ, ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ସୁଧ ହାର ଯେତେଶୀଘ୍ର ସହନୀୟ ସ୍ତରକୁ ଖସି ଆସିବ, ଅର୍ଥନୀତି ପାଇଁ ତାହା ସେତେ ମଙ୍ଗଳପ୍ରଦ ହେବ ଏବଂ ସୌଭାଗ୍ୟକ୍ରମେ ଏଥିରେ ବାଧା ପହଞ୍ଚାଉଥିବା ଖାଉଟି ମୁଦ୍ରାସ୍ଫୀତି ହାର ପୂର୍ବରୁ ଉଲ୍ଲେଖ କରାଯାଇଥିବା ଭଳି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଅବସ୍ଥାରେ ଅଛି।
ବିଗତ ଏକ ମାସ ମଧ୍ୟରେ ସୁଧ ହାର ସଂପର୍କିତ ଯେଉଁ ଧାରା ପରିଲକ୍ଷିତ ହୋଇଛି, ତାହା ଆଶ୍ବସ୍ତିଜନକ ବୋଲି ବିଚାର କରାଯାଇପାରେ। ଏହି ସମୟ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ସ୍ବଳ୍ପକାଳୀନ ଋଣ ପ୍ରତି ଲାଗୁ ହେଉଥିବା ସୁଧ ହାର ସୂଚକ ‘ୱେଟେଡ୍ ଆଭରେଜ୍ କଲ୍ ରେଟ୍’ ‘ରେପୋ ରେଟ୍’ (୬ ଶତାଂଶ) ଠାରୁ ପ୍ରାୟ ୧୫ ବେସିସ୍ ପଏଣ୍ଟ (୦.୧୫ ଶତାଂଶ) ତଳେ ରହି ଆସିଥିବା ଦେଖାଯାଇଛି। ଫେବ୍ରୁଆରି ଠାରୁ ରିଜର୍ଭ ବ୍ୟାଙ୍କ୍ ‘ରେପୋ ରେଟ୍’ରେ ୫୦ ବେସିସ୍ ପଏଣ୍ଟ (୦.୫ ଶତାଂଶ) ହ୍ରାସ ଘଟାଇଥିବା ବେଳେ ଉପରୋକ୍ତ ସୂଚକରେ ୬୬ ବେସିସ୍ ପଏଣ୍ଟ (୦.୬୬ ଶତାଂଶ) ହ୍ରାସ ଘଟିଛି। ଯଥେଷ୍ଟ ‘ଲିକ୍ବିଡିଟି’ର ଅନୁପସ୍ଥିତି ଅତୀତରେ ସୁଧ ହାରରେ ହ୍ରାସ ଘଟିବା ପଥରେ ପ୍ରତିବନ୍ଧକ ସାଜିଥିବାବେଳେ ଅନେକ କ୍ଷୁଦ୍ର ସଞ୍ଚୟକାରୀମାନେ ସେଆର୍ ବଜାର ଦିଗରେ ମୁହଁାଇବା ଯୋଗୁଁ ମଧ୍ୟ ବ୍ୟାଙ୍କ୍ମାନଙ୍କରେ ଜମା ବୃଦ୍ଧି ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ନିବେଶ ପାଇଁ ଋଣ ପ୍ରଦାନରେ ଶିଥିଳତା ଦେଖାଦେଇଛି। ବର୍ତ୍ତମାନ ‘ଓଏମ୍ଓ’ ମାଧ୍ୟମରେ ‘ଲିକ୍ବିଡିଟି’ ପ୍ରବାହନ ନିମିତ୍ତ ରିଜର୍ଭ ବ୍ୟାଙ୍କ୍ ନେଇଥିବା ନିଷ୍ପତ୍ତି ତାହା ଭରଣା କରି ନିଶ୍ଚିତ ରୂପେ ପରିସ୍ଥିତି ସୁଧାରିବାରେ ସହାୟକ ହେବ।